ଅଭାଗିନୀ

 

 

 

 

 

 

 

 

 

 

ଅଭାଗିନୀ

ପଣ୍ତିତ ଗୋଦାବରୀଶ ମିଶ୍ର

 

ସୂଚୀପତ୍ର

 

୧.

ସୁନ୍ଦରପୁର ମଠ

୨.

ଠାବ ମିଳିଲା ନାହିଁ

୩.

ମଠର ଅତିଥି

୪.

ଢିଙ୍କି ସ୍ୱର୍ଗକୁ ଯାଇ ଧାନ କୁଟିଲା

୫.

ସତ୍‌ସଙ୍ଗର ପରିଣାମ

୬.

ବୁଢ଼ିଆଣୀ ଜାଲ

୭.

ଯେ ଅଙ୍ଗାର ସେହି ହୀରା

୮.

ମା’’ର ଅପତ୍ୟ ସ୍ନେହ

୯.

ବିଷମ ପରୀକ୍ଷାର ପଥେ

୧୦.

ଊର୍ଦ୍ଧ୍ୱଶ୍ୱାସେ

୧୧.

ଆତ୍ମପ୍ରକାଶ

୧୨.

ନ ହେବା କଥା ହେଲା

୧୩.

ଧରିତ୍ରୀ କଣ ମୁକ୍ତ ହେଲା ?

୧୪.

କାହା ପିଲାର କଣ ହେଲା

୧୫.

ଦୁଃଖୀକୁ ଦଇବ ସାହା

୧୬.

ମାଗିଖିଆ ନା ଅମିର

୧୭.

ଏ ସେ ନୁହେଁ

୧୮.

ବାଘ ହାତେ ମିରିଗ

୧୯.

ବାଘଟା ବାପ ପାଲଟିଲା

୨୦.

ଦେଉଳ ବେଢ଼ାରେ ଦୈତ

୨୧.

ପୁଣି ଖୋଜା ତନଖା ଚାଲିଲା

୨୨.

ମୁଁ ପାରିବି ନାହିଁ

୨୩.

ଆର ଦାସ କବରରୁ ଉଠିଲା

୨୪.

କିଏ କଣ ?

୨୫.

ଏ ଓ ସେ

୨୬.

ବାପାଙ୍କ ଚିଠି

୨୭.

ସ୍ଥାନ ଚ୍ୟୁତ

୨୮.

ବନମାଳୀର ନୂଆ ପରିସ୍ଥିତି

୨୯.

ତୁ ଗୋଟାଏ ଗଧ

୩୦.

ଖୋଜାଖୋଜି

୩୧.

କାହିଁରୁ କଣ ଉପୁଜିଲା

୩୨.

ଆକାଶକୟାଁ ଚିଲିକା ମାଛ ଭେଟ

୩୩.

ଜାଲ ଛନ୍ଦା ହେଲା

୩୪.

ଜାଲ କାଟିବା ଚେଷ୍ଟା

୩୫.

ଷଡ଼ଯନ୍ତ୍ରରୁ ମୁକ୍ତ

୩୬.

ବନ୍ଧନରୁ ମୁକ୍ତ

୩୭.

ପଳାତକର ଠିକଣା ମିଳିଲା

୩୮.

ପ୍ରେମର ସଞ୍ଚାର

୩୯.

ଘା’’ ଭଲ ହୋଇଗଲା

୪୦.

କାହା ଧନ କେଉଁଠାକୁ ଗଲା

୪୧.

ନାମ ପଚରା ପଚରି

୪୨.

ଦୀନା ସାହୁ ପୁଅ ଦୁହେଁ

୪୩.

ହାତୀପେଟ

୪୪.

ପ୍ରାଣ ଲାଗି ସବୁ

୪୫.

ବାପର ପୁଅ

୪୬.

ଝିଅ କଣ କଲା ?

୪୭.

ବନମାଳୀର ଅଜାଙ୍କଠାରୁ ବିଦାୟ

୪୮.

ରମା ଅଦୃଶ୍ୟ

୪୯.

ଲଢ଼େଇ

୫୦.

ଯୁଦ୍ଧକ୍ଷେତ୍ରରେ ବନମାଳୀ

୫୧.

ବନମାଳୀ ପାଇଁ ଚମ୍ପା ପ୍ରାଣ ଦେଲା

୫୨.

ଭିତର ରହସ୍ୟ

୫୩.

କାହା ଚିଠି କାହା ହାତେ ପଡ଼ିଲା

୫୪.

ବିପ୍ଳବୀ ଦଳରେ ପାଣୁ ନାଏକ

୫୫.

ମୁଁ ବନ୍ଦୀ ହେଲି

୫୬.

ସୁଡ଼ଙ୍ଗ ଭିତରେ ଜୀବନ

୫୭.

କର୍ତ୍ତବ୍ୟ ଓ କୃତଜ୍ଞତା

୫୮.

ମିଳନ

୫୯.

ଦରିଦ୍ର ଲକ୍ଷପତି ହେଲା

୬୦.

ପାଣୁ ନାଏକର ଶେଷ ଲଢ଼େଇ

୬୧.

ପାଣୁ ନାଏକର ଆତ୍ମପ୍ରକାଶ

୬୨.

ରମାକୁ ଦେଖିବାକୁ ଅଳି

୬୩.

ରମାଠାରୁ ବିଦାୟ

୬୪.

ପୁଣି ଏକ ଚିଠି

୬୫.

ଦୀନା ସାହୁ ଗୁପ୍ତକଥା ଫିଟାଇଲା

୬୬.

ରହସ୍ୟ କିପରି ବାହାରିଲା

୬୭.

ଭବ ଲୀଳାର ଶେଷ

Image

 

ସୁନ୍ଦରପୁର ମଠ

 

ସନ ୧୨୪୨ ସାଲରେ ବାବାଜୀ କୃଷ୍ଣଚରଣ ଦାସ ସୁନ୍ଦରପୁର ମଠର ମହନ୍ତ ଗାଦିରେ ବସିଲେ । ସେତେବେଳକୁ ତାଙ୍କ ବୟସ ଅଠଚାଳିଶ ବର୍ଷ । ବାପା ମା ଶ୍ରଦ୍ଧାକରି, ତାଙ୍କୁ ବ୍ରତ ହେବାର ପାଞ୍ଚ ବର୍ଷ ପରେ ଚଉଦବର୍ଷ ବୟସରେ ବିବାହ କରାଇ ଦେଇଥିଲେ । ଅଠର ବର୍ଷ ବୟସବେଳେ କୃଷ୍ଣଙ୍କର ଭାର୍ଯ୍ୟା ଆସିଲେ; କିନ୍ତୁ ବିଧାତା ତାଙ୍କ ଦାମ୍ପତ୍ୟ ଜୀବନ ଉପରେ ଦୀର୍ଘକାଳ ସୁଦୃଷ୍ଟି ପକାଇ ରଖିଲା ନାହିଁ । ଭାର୍ଯ୍ୟା ପହିଲିପାଳି ଆସି, ପୁଣି ଯେ ବାପ ଘରକୁ ଗଲେ, ସେ ଆଉ ଫେରି ସ୍ୱାମୀ ଗୃହରେ ପାଦ ପକାଇଲେ ନାହିଁ । ସେହିଠାରେ ସେ ଯେଉଁ ଏନ୍ତୁଡ଼ିଶାଳରେ ମାତୃଗର୍ଭରୁ ପଡ଼ିଥିଲେ, ସେହି କୋଠରୀ ମଧ୍ୟରେ, ବସନ୍ତ ରୋଗରେ ତାଙ୍କର ମୃତ୍ୟୁ ଘଟିଲା । ପତ୍ନୀ ବିୟୋଗରେ କୃଷ୍ଣ ନିତାନ୍ତ ଅଧୀର ହୋଇପଡ଼ିଲେ । ସେ ଥରେ ଦୁଇଥର ଆତ୍ମହତ୍ୟା କରିବାକୁ ମଧ୍ୟ ବସିଲେ । ହୃଦୟର ଅମୂଲ୍ୟ-ପ୍ରତିମା-ଶୂନ୍ୟ ନୀରସ ଶୁଷ୍କ ଗୃହରେ ସେ ବିରହ ବେଦନା-ପୀଡ଼ିତ ହୋଇ ରହିବାକୁ ଇଚ୍ଛା ନ କରି, ଶେଷରେ କୌପୀନ ପିନ୍ଧି, ଦିନେ ରାତି ଅଧବେଳେ ଘରୁ ବାହାରିଗଲେ । କୃଷ୍ଣଙ୍କର ସେ ଯେ ପାଦଚିହ୍ନ ସେ ଦିନ ଘର ବାହାରକୁ ଭୂ-ପୃଷ୍ଠରେ ଅଙ୍କିତ ହେଲା, ତାହା ପୁଣି ଲେଉଟି ଆଉ ଘର ଭିତରେ ଆଡ଼କୁ ପଡ଼ିଲା ନାହିଁ ।

 

କୃଷ୍ଣ ବାବାଜୀ ହୋଇ ଭାରତବର୍ଷର ସମୁଦାୟ ତୀର୍ଥ ବୁଲିବାରେ ଲାଗିଲେ । ବୁଲି ବୁଲି ପାଦ ଯେତେବେଳେ ଥକିଲା ଏବଂ ମୁଣ୍ଡରେ କୃଷ୍ଣ କେଶ କ୍ରମେ ଶୁକ୍ଳ ହେବା ଉପରେ ବସିଲା, ସେତେବେଳେ ସେ ସୁନ୍ଦରପୁର ମଠର ମହନ୍ତ ରାଧାକାନ୍ତ ଦାସଙ୍କର ଚେଲା ହୋଇ ଗୁରୁଙ୍କ ଅନ୍ତେ ନିଜେ ଗାଦିରେ ବସିଲେ । ରାଧାକାନ୍ତ ଦାସଙ୍କର ଶିଷ୍ୟା ହରିପ୍ରିୟା ଗୁରୁଙ୍କ ମୃତ୍ୟୁ ପରେ ମଠର ପ୍ରଧାନ ମାତା ହେଲେ । ତାଙ୍କ ତଳକୁ ଆଉ ଜଣେ ମାତା ବିଷ୍ଣୁପ୍ରିୟା । ଉଭୟେ ମହନ୍ତ କୃଷ୍ଣଚରଣ ଦାସଙ୍କ ଅପେକ୍ଷା ବୟସରେ ସାନ । ହରିପ୍ରିୟା ପତଳା, ଶ୍ୟାମଳ ବର୍ଣ୍ଣ ଓ ଆକୃତିରେ ସାଧାରଣ ଅପେକ୍ଷା ଟିକିଏ ବେଶି ଉଚ୍ଚ । ଯୌବନରେ ସୁଦ୍ଧା ତାଙ୍କର ଯେ ସେପରି ସୌନ୍ଦର୍ଯ୍ୟ ଥିଲା, ତାହା ନୁହେଁ; କିନ୍ତୁ ଆଜୀବନ ସେ ସତ୍‌କାର୍ଯ୍ୟଦ୍ୱାରା ଆପଣାକୁ ଶୁଦ୍ଧ ପବିତ୍ର ରଖି ଆସିଛନ୍ତି । ସେଥିପାଇଁ ତାଙ୍କ ମୁଖମଣ୍ଡଳରୁ ଜ୍ୟୋତି ଫୁଟିଉଠେ, ତାଙ୍କୁ ଦେଖିଲେ ମନରେ ସ୍ୱତଃ ଭକ୍ତି ଜାତ ହୁଏ । ବିଷ୍ଣୁପ୍ରିୟା ବର୍ଣ୍ଣରେ ଗୋରା ଓ ମାଂସଳ । ସେ ସର୍ବଦା କାର୍ଯ୍ୟରେ ବ୍ୟସ୍ତ ଥାଆନ୍ତି । ସୁତରାଂ ତାଙ୍କୁ ବରାବର ଧଇଁସଇଁ ହୋଇ ଯିବା ଆସିବାକୁ ପଡ଼େ । ତା ପରେ ପୁଣି ତାଙ୍କର ଶ୍ୱାସରୋଗ ମଧ୍ୟ ଥିଲା ।

 

ବାବାଜୀ କୃଷ୍ଣଚରଣ ଦାସ ମହନ୍ତ ଗାଦିରେ ବସିଲା ଦିନ ସୁନ୍ଦରପୁର ମଠରେ ମହାଉତ୍ସବ ଲାଗିଲା । ନୂଆ ମହନ୍ତଙ୍କର ଦର୍ଶନ ଲାଭ କରିବାକୁ ଲୋକେ ଆସି ରୁଣ୍ଡ ହେଲେ । ଏପରିକି, ସ୍ୱୟଂ ଜମିଦାର ମଠକୁ ଆସି ବାବାଜୀଙ୍କର ଚରଣ ଧୂଳି ନେଇଗଲେ । ମଠଟି ଗୋଟିଏ ପୁରୁଣା ଧରଣର ପକ୍‌କା ଦୋମହଲା ଘର । ନିକଟରେ ଗୋଟିଏ ଛୋଟିଆ ଏକ ମହଲା ପୁରୁଣା ଦରଭଙ୍ଗା ଘରେ କେତେଗୁଡ଼ିଏ ରୋଗୀ ରହନ୍ତି । ମଠର ଜାଗିରିଖିଆ ବୈଦ୍ୟ ସେମାନଙ୍କୁ ଚିକିତ୍ସା କରନ୍ତି କିନ୍ତୁ ଘରଟା ବାସୋପଯୋଗୀ ନୋହିଥିବାରୁ, ବୈଦ୍ୟଙ୍କର ନାନା ଚିକିତ୍ସା ସତ୍ତ୍ୱେ, ରୋଗୀମାନେ ଆରୋଗ୍ୟ ଲାଭ କରିପାରନ୍ତି ନାହିଁ । ତାହା ଦେଖି ବାବାଜୀ କୃଷ୍ଣଚରଣ ଦାସ ଗାଦିରେ ବସିବାର ତିନିଦିନ ପରେ, ନିଜେ ମଠ ଛାଡ଼ି ଯାଇ, ଚିକିତ୍ସାଳୟରେ ରହିଲେ ଏବଂ ରୋଗୀମାନଙ୍କୁ ମଠ ଭିତରେ ଆଣି ରଖାଇଲେ ।

 

ସୁନ୍ଦରପୁର ମଠର ସମ୍ପତ୍ତି ସେପରି ବେଶୀ ନୁହେଁ । ସେ ମଧ୍ୟରୁ ଠାକୁର ଗୋପୀନଥ ଦେବଙ୍କ ସେବା ପୂଜା, ଯାନିଯାତ୍ରା ଓ ଅତିଥି ଅଭ୍ୟାଗତଙ୍କ ଚର୍ଚ୍ଚାରେ ବର୍ଷକର ଯାବତୀୟ ବ୍ୟୟ ବାଦଯାଇ, ମହନ୍ତଙ୍କ ଖାସ ଖର୍ଚ୍ଚ ନିମନ୍ତେ ଅତି ସାମାନ୍ୟ ବଳେ । ସେତିକିରେ ସ୍ୱୟଂ ମହନ୍ତ ଓ ଦୁଇ ମାତାଙ୍କର କୃତ୍ୟ ନିର୍ବାହ କରିବାକୁ ପଡ଼େ । ମାତା ହରିପ୍ରିୟା ଆଡ଼ମ୍ୱର ପ୍ରିୟ ନୁହନ୍ତି । ଶାକାନ୍ନରେ ଯେ ମନୁଷ୍ୟର ଉଦର ପୂର୍ଣ୍ଣ କରାଯାଇପାରେ, ତାହା ସେ ବିଶେଷ ଭାବରେ ହୃଦୟଙ୍ଗମ କରିଥିଲେ-। ସେଥିପାଇଁ ବାବାଜୀ ପରାର୍ଥେ ଯେ ସବୁ ବ୍ୟୟ କରୁଥିଲେ, ସେଥିରେ ତାଙ୍କର ଆଦୌ ଆପତ୍ତି ନ ଥିଲା । ମହନ୍ତ ରାଧାକାନ୍ତଙ୍କ ସମୟରୁ ଗୁରୁ ଆଦେଶ ମନିବା ତାଙ୍କର ଅଭ୍ୟାସରେ ପରିଣତ ହୋଇଯାଇଥିଲା । କୃଷ୍ଣଚରଣଙ୍କ ଅଧୀନରେ ରହି ସେ ସେହି ଅଭ୍ୟାସ ଛାଡ଼ିବାକୁ ଇଚ୍ଛା କଲେ ନାହିଁ । ସୁତରାଂ ମହନ୍ତ କୃଷ୍ଣଚରଣ ଦାସଙ୍କ ମୁହଁର କଥାକୁ ସେ ବେଦର ଗାର ବୋଲି ମନେ କରୁଥିଲେ; ତାଙ୍କ ଦାନପୂଣ୍ୟରେ ନିଜେ ଆନନ୍ଦ ଅନୁଭବ କରୁଥିଲେ; କିନ୍ତୁ ବିଷ୍ଣୁପ୍ରିୟାଙ୍କ ସ୍ୱଭାବ ଟିକିଏ ଭିନ୍ନ ରକମର । ଅତିଥି ଅଭ୍ୟାଗତମାନେ ଭଲ ଖାଇଲେ, ତାଙ୍କ ମନରେ ଈର୍ଷା ହୁଏ । ସୁତରାଂ କୃଷ୍ଣଚରଣଙ୍କ ବ୍ୟୟର ପ୍ରଣାଳୀରେ ସେ କଦାପି ଏକମତ ହୁଅନ୍ତି ନାହିଁ ।

 

ମହନ୍ତ କୃଷ୍ଣଚରଣ ଦାସଙ୍କ କାର୍ଯ୍ୟକଳାପରେ ସୁନ୍ଦରପୁର ମଠର ଖ୍ୟାତି କ୍ରମଶଃ ବଢ଼ିବାକୁ ଲାଗିଲା । ଲୋକେ ତାଙ୍କ ପାଦତଳରେ ମୂଲ୍ୟବାନ୍‌ ଦର୍ଶନୀମାନ ଥୋଇବାକୁ ମଠକୁ ଆସିଲେ । ମହନ୍ତ ସେ ସବୁରୁ ନିଜେ ପଇସାଟିଏ ନ ଛୁଇଁ, ସମୁଦାୟ ଅତିଥି ଅଭ୍ୟାଗତ ଓ ଦୁଃଖୀ ଭିକାରୀଙ୍କ ଚର୍ଚ୍ଚାରେ ଲଗାନ୍ତି । ତାହା ଦେଖି ଭକ୍ତମାନେ କ୍ରମେ ମହନ୍ତଙ୍କ ପ୍ରତି ବିଶେଷ ଆକୃଷ୍ଟ ହୋଇପଡ଼ିଲେ ।

 

ମହନ୍ତ ମହାରାଜା କଥାବାର୍ତ୍ତାରେ କେତେକ ପରିମାଣରେ ଥଟଲି ଥିଲେ । ମାତା ଦ୍ୱୟଙ୍କ ସହିତ ଗଳ୍ପ କଲାବେଳେ ସେ ଦିନେ ଦିନେ କୌତୁକରେ ହସି ନିତାନ୍ତ ଶିଶୁ ପିଲାଙ୍କ ପରି ଭୂଇଁରେ ଲୋଟିଯାନ୍ତି । ବିଷ୍ଣୁପ୍ରିୟା ତାଙ୍କୁ ବରାବର ‘‘ମହାତ୍ମା’’ ବୋଲି ସମ୍ୱୋଧନ କରୁଥିଲେ । ଦିନେ ମହନ୍ତ ମହାରାଜ ଭାଡ଼ି ଉପରୁ ଖଣ୍ଡିଏ ପୋଥି ଆଣିବାକୁ ହାତ ବଢ଼ାଇ ଦେଖିଲେ ଯେ ତାଙ୍କ ହାତ ପାଇଲା ନାହିଁ । ତହୁଁ ସେ ମାତା ବିଷ୍ଣୁପ୍ରିୟାଙ୍କୁ କହିଲେ, ‘‘ଦେଖ, ମହାତ୍ମାଙ୍କ ହାତ ଭାଡ଼ି ଉପରକୁ ପାଇଲାନାହିଁ । ଗୋଟିଏ ନିଶୁଣି ଅଣାଅ ।’’ ଆଉ ଦିନେ ମହନ୍ତ ମହାରାଜ ଦାନଶୀଳତା ବିଷୟରେ କେତେକ ଧନୀବ୍ୟକ୍ତିଙ୍କ ଆଗରେ ବକ୍ତୃତା ଦେଲା ପରେ ଦେଖାଗଲା ଯେ ଜଣେ ଦଶହଜାରୀ ତେଣିକି ପ୍ରତି ଏକାଦଶୀ ଦିନ ବ୍ରାହ୍ମଣ ହାତରେ ଅଧଲାଟିଏ ଦାନ କଲେ । ତାହା ଦେଖି ମହନ୍ତ ହରିପ୍ରିୟାଙ୍କୁ ସାମାନ୍ୟ ହସି କହିଲେ, ‘‘ଦେଖ, ମାତା ! ମୋହନ ସିଂହ କିପରି ମାସକେ ପଇସାଟିକର ସ୍ୱର୍ଗ କିଣିବାରେ ଲାଗିଛି ।’’

 

ସୁନ୍ଦରପୁର ଅଞ୍ଚଳରେ ରୋଗୀମାନେ ରୋଗଶଯ୍ୟାରେ ପଡ଼ି ପ୍ରାଣର ଆଶା ଛାଡ଼ିବାବେଳକୁ ମହନ୍ତ କୃଷ୍ଣଚରଣ ଦାସଙ୍କୁ ଡକାଇ ତାଙ୍କ ଆଶୀର୍ବାଦ ଗ୍ରହଣ କରୁଥିଲେ । ସେଥିରେ କେହି କେହି ସମ୍ପୂର୍ଣ୍ଣରୂପେ ରୋଗମୁକ୍ତ ହେବାର ମଧ୍ୟ ଦେଖାଯାଉଥିଲା । ନିଃସହାୟା ବିଧବା ଓ ଛେଉଣ୍ଡ ପିଲାମାନେ ତାଙ୍କଠାରୁ ବରାବର ଅର୍ଥ ସାହାଯ୍ୟ ପାଉଥିଲେ । ଏ ସବୁ କାରଣରୁ ଲୋକେ ସକାଳେ ଉଠି ନାରାୟଣ ସ୍ମରଣ କରିବା ସଙ୍ଗେ ମହନ୍ତ କୃଷ୍ଣଚରଣ ଦାସଙ୍କ ନାମ ଉଚ୍ଚାରଣ କରି, ହାତଯୋଡ଼ି ନମସ୍କାର କରୁଥିଲେ ।

 

ମହନ୍ତ ମହାରାଜାଙ୍କ ଦୈନନ୍ଦିନ ଜୀବନ ଅନୁଧାବନ କରି ଦେଖିଲେ, ମନରେ ସ୍ୱତଃ ଭକ୍ତି ଜାତ ହେବାର କଥା । ସକାଳୁ ଉଠି ସେ ଧ୍ୟାନରେ ବସୁଥିଲେ । ଧ୍ୟାନ ପରେ ଭକ୍ତମାନଙ୍କ ସହିତ ଭଗବାନଙ୍କ ବିଷୟରେ ଆଲୋଚନା କରୁଥିଲେ । ଦିବା ନିଦ୍ରା ସେ ଜାଣି ନଥିଲେ । ଅନ୍ୟମାନେ କ୍ରୀଡ଼ା କୌତୁକରେ ସମୟ କଟାଇଲାବେଳେ ସେ ପୁସ୍ତକ ଧରି ଅଧ୍ୟୟନରେ ରତ ରହୁଥିଲେ । ରାତିରେ ସେ ଦୀର୍ଘକାଳ ଶୋଉ ନ ଥିଲେ; ମାତ୍ର ଯେତେ ସମୟ ଶୋଉଥିଲେ, ନିଦ୍ରାଦେବୀଙ୍କ କୋଳରେ ଏକାବେଳକେ ଭୋଳହୋଇ ଶୋଇ ପଡ଼ୁଥିଲେ । ରୋଗୀ ସେବା, ଅଧ୍ୟୟନ ଓ ଈଶ୍ୱର ଆରାଧନା ଯାଇ ବାକି ଯେ ସମୟ ବଳୁଥିଲା, ତାହା ସେ ସାଧାରଣ ମୂଲିଆମାନଙ୍କ ପରି କାର୍ଯ୍ୟରେ ଲଗାଉଥିଲେ; କୋଡ଼ି ଧରି ବଗିଚାରେ ନିଜ ହାତରେ ମାଟି ଖୋଳୁଥିଲେ, ଫୁଲ ଗଛରେ ପାଣି ଦେଉଥିଲେ, ଠାକୁରଙ୍କ ନିମନ୍ତେ ଫୁଲ ତୋଳି ରଖୁଥିଲେ । ମହନ୍ତ ମହାରାଜ ଦିନେ ଦିନେ ସୁବିଧା ଦେଖି ପଲ୍ଲୀଗ୍ରାମମାନଙ୍କୁ ବୁଲି ଯାଉଥିଲେ । ପଲ୍ଲୀ ଗ୍ରାମର ବାଳକ ବାଳିକାମାନେ ତାଙ୍କୁ ଦୂରରୁ ଦେଖି ଆନନ୍ଦରେ ପାଟିକରି କହୁଥିଲେ, ‘‘ଏଇ ଯେ ବାବାଜୀ ଆସିଲେ; କୋରା, ଶାକର ଦେବେ ।’’ ମହନ୍ତ ମହାରାଜା ଖାଲି ହାତରେ ଗ୍ରାମର ପିଲାମାନଙ୍କୁ ଭେଟନ୍ତି ନାହିଁ । କୋରା, ଶାକର ଯେପରି ସେମାନଙ୍କୁ ଖାଇବାକୁ ଦିଅନ୍ତି, ସେହିପରି ମଧ୍ୟ ସେମାନଙ୍କ ମୁଣ୍ଡରେ ହାତଦେଇ ଆଶୀର୍ବାଦ କରି କହନ୍ତି, ‘‘ବାପା ! ଭଗବାନ୍‌ ତୁମ୍ଭମାନଙ୍କୁ ଭଲରେ ରଖନ୍ତୁ ।’’

 

ରୋଗୀମାନେ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କଲା ପରେ ମଠ ଘର ଖାଲି ହୋଇଗଲା । ସେତେବେଳେ ଚିକିତ୍ସାଳୟର ଭଙ୍ଗା ଦଦରା ଘର ଛାଡ଼ି; ନିଜ ପୀଠରେ ଆସି ରହିବା ନିମନ୍ତେ ଆରୋଗ୍ୟପ୍ରାପ୍ତ ଭକ୍ତମାନେ ମହନ୍ତଙ୍କୁ ବିଶେଷ ଅନୁରୋଧ କଲେ; ସୁତରାଂ ସେ ମଠ ମଧ୍ୟରେ ଆସି ରହିଲେ । ମଠର ତଳ ମହଲାରେ ତିନୋଟି ଏବଂ ଉପର ମହଲାରେ ଆଉ ତିନୋଟି କୋଠରୀ-। ଉପର ମହଲାରେ ମାତା ଦୁହେଁ ଏବଂ ତଳ ମହଲାରେ ମହନ୍ତ ନିଜେ ରହନ୍ତି । ଦାଣ୍ଡ ପାଖ କୋଠରୀଟି ମହନ୍ତଙ୍କ ଖାଇବା ଘର । ତା ପାଖକୁ ଲାଗି ତାଙ୍କ ଶୟନାଗାର । ତୃତୀୟ କୋଠରୀରେ ମହନ୍ତ ବସି ପୂଜା ଧ୍ୟାନ କରନ୍ତି । ଦାଣ୍ଡରୁ ମହନ୍ତଙ୍କ ଧ୍ୟାନ କରିବା ସ୍ଥାନକୁ ଯିବାକୁ ହେଲେ ପ୍ରଥମେ ଭୋଜନଶାଳା ଓ ତାପରେ ଶୟନାଗାର ଅତିକ୍ରମ କରି ଯିବାକୁ ହୁଏ । ମହନ୍ତଙ୍କ ଉପାସନା କକ୍ଷରେ ଗୋଟିଏ କୋଣରେ ଖଣ୍ଡିଏ ଖଟ ପଡ଼ିଥାଏ । ବାବାଜୀ ଓ ଭକ୍ତମାନେ ତାଙ୍କ ନିକଟକୁ ଦର୍ଶନ କରିବା ନିମନ୍ତେ ଆସି ରାତିରେ ରହିଲେ, ସେହି ଖଟ ଖଣ୍ଡିକରେ ଶୁଅନ୍ତି ।

 

ମହନ୍ତଙ୍କ ଶୟନ କକ୍ଷରେ କୌଣସି ପ୍ରକାର ଆଡ଼ମ୍ବର ନ ଥିଲା । ତହିଁରେ ଗୃହର ଆସବାବ ମଧ୍ୟରୁ କିଛି ହେଲେ ରଖାଯାଉ ନଥିଲା । କେବଳ ଗୋଟିଏ ପଥର ପିଣ୍ଡି ଉପରେ ଗେରୁଆ ଶେଯ ଖଣ୍ଡିଏ ପରାହୋଇ ରହିଥାଏ । ସେ ଶେଯରେ କୌଣସି ପ୍ରକାର ମଇଳାର ଚିହ୍ନ ନ ଥାଏ । ମୁଣ୍ଡ ଆଡ଼କୁ ଖଣ୍ଡିଏ ଛୋଟିଆ ମାଣ୍ଡି । ପିଣ୍ଡିଟି ଖଟର କାର୍ଯ୍ୟ କରେ । ପିଣ୍ଡି ତଳକୁ ଗୋଡ଼ ରଖିବା ସ୍ଥାନରେ ଖଣ୍ଡିଏ ବହୁକାଳର ପୁରୁଣା ବାଘଛାଲ ପଡ଼ି ରହିଥାଏ । ସେହି କକ୍ଷର ଗୋଟିଏ କୋଣରେ ଏକ ପୁରୁଣା କାଠ ଆଲମାରି ମଧ୍ୟରେ ମହନ୍ତଙ୍କ ପଢ଼ିବା ପୁସ୍ତକମାନ ଥାଏ । ପଢ଼ିଲାବେଳେ ମହନ୍ତ ମହାରାଜ ଆଲମାରିର ପୁସ୍ତକ ନେଇ ତା ନିକଟରେ ପଡ଼ିଥିବା ଖଣ୍ଡିଏ ମୃଗଚର୍ମ ଉପରେ ବସି ପଢ଼ନ୍ତି । ପୋଥି ଉପରେ ପଡ଼ିବା ନିମନ୍ତେ ଗୋଟିଏ ପଞ୍ଜର ବାଟେ ବାହାରରୁ ଆଲୋକ କୋଠରୀ ଭିତରକୁ ଆସେ । ମହନ୍ତ ମହାରାଜ ପିଣ୍ଡିର ଯେଉଁ ପଟକୁ ମୁଣ୍ଡ କରି ଶୁଅନ୍ତି, ସେ ପଟେ ପିଣ୍ଡି ନିକଟରେ ଗୋଟିଏ ସିନ୍ଦୁକ ଥାଏ । ସିନ୍ଦୁକ ଭିତରେ ଅନ୍ୟାନ୍ୟ ଜିନିଷ ମଧ୍ୟରେ ଗୋଟିଏ ରୂପାର ରୁଖା ଏବଂ ତା ପାଇଁ ରୂପା ଦୀପ ରଖାଯାଇଥାଏ ।

 

ମଠର କୌଣସି ଦୁଆରରେ କେବେ ତାଲା ପଡ଼େ ନାହିଁ । ଭୋଜନଶାଳା କବାଟର ଭିତର ପଟେ ପୂର୍ବେ ଗୋଟିଏ ଶିକୁଳି ଲାଗିଥିବାର ଚିହ୍ନ ଅବଶ୍ୟ ଦେଖାଯାଏ; କିନ୍ତୁ ମହନ୍ତ ମହାରାଜ ଗାଦିରେ ବସିଲା ପରେ ସେ ଶିକୁଳି କେହି କେବେ ଦେଖି ନାହାନ୍ତି । କବାଟଟି ସର୍ବଦା ଆଡ଼ପେଲା ହୋଇ ରହିଥାଏ । ବାହାରରୁ କେହି ମଠ ଭିତରକୁ ଆସିବାକୁ ଇଚ୍ଛାକଲେ, କବାଟ ପେଲି ଫିଟାଇ ଭିତରେ ପଶନ୍ତି । ମଠ ଦ୍ୱାର ଦିବାରାତ୍ର ଉନ୍ମୁକ୍ତ ଥାଏ । ମାତାମାନେ ପ୍ରଥମେ ପ୍ରଥମେ ଏଥିରେ ଆପତ୍ତି କରୁଥିଲେ । ତାହା ଶୁଣି ମହନ୍ତ କହନ୍ତି, ‘‘ହେଉ, ତୁମ ଉପର ମହଲା କୋଠରୀମାନଙ୍କରେ ଶିକୁଳି ଲଗାଇ ତାଲା ପକାଇବ ତ ପକାଅ; ମୋ ଘରଗୁଡ଼ିକ ଏହିପରି ମେଲା ଥିବ ।’’ ମହନ୍ତଙ୍କଠାରୁ ଏପରି ଉତ୍ତର ଶୁଣି ମାତାମାନେ ଲଜ୍ଜିତା ହୁଅନ୍ତି । କ୍ରମେ ସେମାନେ ମହନ୍ତଙ୍କ ଗତିବିଧିରେ ଅଭ୍ୟସ୍ତ ହୋଇଗଲେ; ଆଉ ଦ୍ୱାର ବନ୍ଦ କରିବାକୁ କହିଲେ ନାହିଁ ।

 

ମହନ୍ତ ମହାରାଜା ଶୟନ କକ୍ଷରେ ଯେ ସାରା ରାତ୍ରି କଟାନ୍ତି; ତାହା ନୁହେଁ । ଶୟନ କକ୍ଷକୁ ଲାଗି ଗୋଟିଏ ଛୋଟିଆ ବଗିଚା । ସେ କକ୍ଷ ମଧ୍ୟରେ ବଗିଚାକୁ ଯିବାକୁ ଗୋଟିଏ ଚୋରୀ ଦ୍ୱାର ଥାଏ । ମହନ୍ତ ମହାରାଜା ଶବ ପରି ଶେଯରେ ଶୋଇ ନ ରହି, ଭଗବାନଙ୍କ ଅନନ୍ତ ଜଗତ ସହିତ ନିଜ କ୍ଷୁଦ୍ର ଆତ୍ମାର ସଂଯୋଗ କରିବା ନିମନ୍ତେ ବଗିଚାର ବଉଳଗଛ ମୂଳେ ମୁକ୍ତ ସମୀରଣରେ ବସି ନୀଳ ଆକାଶକୁ ଚାହିଁ ରହନ୍ତି । ଆକାଶର ଅସଂଖ୍ୟ ଗ୍ରହ ନକ୍ଷତ୍ର ଦେଖି, ତାଙ୍କ ମନରେ ସ୍ୱାଭାବିକ ଈଶ୍ୱର ଭକ୍ତି ଜାତ ହୁଏ । ବଉଳ ଗଛରୁ ଫୁଲ ଝଡ଼ି ତାଙ୍କ ଉପରେ ପଡ଼ୁଥାଏ । ସେଥିରେ ସେ ମନେ କରନ୍ତି ଯେ ସ୍ୱର୍ଗରୁ ଅବା ଅମୃତ ବୃଷ୍ଟି ହେଉଛି । ବାସ୍ତବରେ ସେହି କ୍ଷୁଦ୍ର ବଗିଚା ଖଣ୍ଡିକ ଭିତରେ ନିଜ ହୃଦୟ ମଧ୍ୟରେ ପରମ ପିତା ପରମେଶ୍ୱରଙ୍କ ନିମନ୍ତେ ସେ ଗୋଟିଏ ପବିତ୍ର ଦେବାଳୟ ତୋଳି ରଖିଥିଲେ-। ରାତ୍ରି ଅଧ ସମୟରେ ସେହି ଦେବାଳୟରେ ଭଗବାନଙ୍କୁ ବସାଇ, ମହନ୍ତ ମହାରାଜା ବଗିଚାରୁ ଫେରି, ନିଜ ଶଯ୍ୟାରେ ଶୋଇ, ଗାଢ଼ନିଦ୍ରାରେ ଅଭିଭୂତ ହେଉଥିଲେ । କୁଚିନ୍ତା, କୁସ୍ୱପ୍ନ ତାଙ୍କ ମନରେ ସ୍ଥାନ ପାଉ ନ ଥିଲା । ସତେ ଅବା ପବିତ୍ରତା ମୂର୍ତ୍ତିମୟୀ ହୋଇ ତାଙ୍କ ହୃଦୟରେ ବିରାଜମାନ କରୁଥିଲା ।

Image

 

ଠାବ ମିଳିଲା ନାହିଁ

 

ସନ ୧୨୪୮ ସାଲ ଆଶ୍ୱିନ ମାସର ଦୁର୍ଗା ପୂଜା ସମୟରେ ସୂର୍ଯ୍ୟାସ୍ତ ପୂର୍ବରୁ ଦିନେ ଜଣେ ଅପରିଚିତ ବ୍ୟକ୍ତି ସୁନ୍ଦରପୁର ଗ୍ରାମରେ ପହଞ୍ଚିଲା । ସେତେବେଳେ ଯେଉଁ କେତେ ଜଣ ଲୋକ ଦାଣ୍ଡରେ ଠିଆ ହୋଇଥିଲେ, ତାକୁ ଦେଖି କେଜାଣି କାହିଁକି ମନେ ମନେ ଚମକି ପଡ଼ିଲେ । ଲୋକଟି ବେଶି ଡେଙ୍ଗା ନୁହେଁ କି ଗେଡ଼ା ନୁହେଁ, ବେଶ୍‌ ମୋଟାମୋଟି, ଦେହରେ ବଳ ପ୍ରଚୁର ଥିଲା ପରି ଜଣା ପଡ଼ୁଥିଲା । ବୟସ ଚାଳିଶ ବର୍ଷ ଟପିଯାଇଛି; କିନ୍ତୁ ପଚାଶକୁ ଧାପ ଦେଇ ନାହିଁ । ତା ଦେହରୁ ଝାଳ ବୋହି ଯାଉଥିଲା । ଗୋଡ଼ ଆଣ୍ଠୁ ପର୍ଯ୍ୟନ୍ତ ଧୂଳିରେ ପୂର୍ଣ୍ଣ । କାନ୍ଧରେ ଗୋଟିଏ ଛୋଟିଆ ମଇଳା ଯାଉଁଳି ଥିଲା । ପିନ୍ଧା ଲୁଗା କୁଞ୍ଚ ଅଣ୍ଟାରେ ଖୋଷା ହୋଇଥିଲା । ଫିଟାଇ ଦେଲେ, ତାହା ଆଣ୍ଠୁକୁ ଡେଇଁ ବେଶି ତଳକୁ ପଡ଼ନ୍ତା କି ନାହିଁ ସନ୍ଦେହ । ସେ ଲୁଗା ଖଣ୍ଡି ମଧ୍ୟ ଖୁବ୍‌ମୋଟା; ହାତକଟା ସୂତାରେ ବାଉରି ତନ୍ତରେ ବୁଣା ହୋଇଥିବ । ମୁଣ୍ଡରେ ଚୁଟି ନ ଥିଲା । ବାଳଗୁଡ଼ିକ ମୂଳକୁ ଲାଗି କତୁରିରେ କଟା ହୋଇଥିଲା । ଲୋକଟି ଦିନ ସାରା ଚାଲି ଚାଲି ଥକିଗଲା ପରି ଜଣା ପଡ଼ୁଥିଲା । ସେଦିନ ଦୁଇ ପହରେ ସୁନ୍ଦରପୁରର କେତେକ କାଠଗୋଟାଳୀ ସ୍ତ୍ରୀଲୋକ ତାକୁ ବାଟରେ ଗୋଟାଏ ପୋଖରୀରେ ପାଣି ପିଇବାର ଦେଖିଥିଲେ । ହୁଏତ ସମୁଦାୟ ଉପରବେଳା ସେ ଆଉ କେଉଁଠାରେ ତୁଣ୍ଡରେ ଟୋପାଏ ପାଣି ଲଗାଇ ନାହିଁ । ସେଥିପାଇଁ ଶେଷରେ ତା ପାଟି ଖନି ମାରିଗଲା ପରି ଜଣା ପଡ଼ୁଥିଲା । ବାଟରେ ଜଣେ ଚଉକିଆକୁ ଦେଖି, ଲୋକଟି ଖୁବ୍‌ ନଇଁ ଗୋଟାଏ ସଲାମ୍‌ ପକାଇଲା । ଚଉକିଆ ତାର ସଲାମ ଗ୍ରହଣ କରିବାକୁ ନିଜେ ହାତ ନ ଟେକି, ନିତ୍ୟ ଅଭ୍ୟସ୍ତ ରୀତିରେ ପଚାରିଲା, ‘‘କିରେ, ତୁ କୋଠୁ ଆସିଲୁ ?’’ ଏବଂ ଉତ୍ତର ପାଇବାକୁ ଅପେକ୍ଷା ନ କରି ନିଜ କାମରେ ଚାଲିଗଲା !

 

ସୁନ୍ଦରପୁର ଗ୍ରାମର ଯେଉଁ ମୁଣ୍ଡରେ ଲୋକଟି ଆସି ପହଞ୍ଚିଲା, ସେଠାରେ ଗୋଟାଏ ଚଟିଘର ଥିଲା । ବାଟୋଇମାନେ ପଇସା ଦେଇ ସେ ଚଟିରେ ରହନ୍ତି ଓ ଖାଇବାକୁ ପାଆନ୍ତି । କେହି ଇଚ୍ଛା କଲେ ଚଟିରେ ନ ରହି ମଧ୍ୟ, ଖାଲି ଖାଇ ଚାଲିଯାଇପାରେ । ସେଦିନ ସନ୍ଧ୍ୟାରେ ଚଟିରେ ଭଲ ଖାଇବା ପିଇବା ଆୟୋଜନ ହୋଇଥିଲା । ମହାଷ୍ଟମୀ ବଳିର ମାଂସ ସାରୁ କଖାରୁ ବଡ଼ି ଆଦି ପଡ଼ି ମହୁର ସିଝୁଥିଲା । ଆଉ ଗୋଟାଏ ଚୁଲିରେ ଖେଚେଡ଼ି ବସିଥିଲା । ସେସବୁ ଜିନିଷର ବାସନା ପାଇ, ଆଗନ୍ତୁକ ବ୍ୟକ୍ତି ଦୁଆର ଫିଟାଇ ଚଟିଘରେ ପଶିଲା । ଦ୍ୱାର ଫିଟିବା ଶବ୍ଦ ଶୁଣି ଚଟିଘର ମାଲିକ ପଚାରିଲା, ‘‘କଣ ଦରକାର ?’’

 

ଆଗନ୍ତୁକ ଜବାବ ଦେଲା, ‘‘ଖାଇବାକୁ ମୁଠାଏ ଭାତ, ଆଉ ଶୋଇବାକୁ ଟିକିଏ ଥାନ ।’’

 

ମାଲିକ ଉତ୍ତରରେ କହିଲେ, ‘‘ମିଳିବ- ।’’ ମାତ୍ର ମନର ଭାବ ସମ୍ପୂର୍ଣ୍ଣ ପ୍ରକାଶ କରି ନ ସାରି, ଥରେ ଆଗନ୍ତୁକ ବ୍ୟକ୍ତିକୁ ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ଚାହିଁଗଲା ଏବଂ ତା ପରେ ‘‘ପଇସା ଦେଲେ’’- କହି ନିଜର ବକ୍ତବ୍ୟ ଶେଷ କଲା ।

 

ଆଗନ୍ତୁକ ବ୍ୟକ୍ତି ନିଜ ଯାଉଁଳି ଭିତରୁ ବଟୁଆଟିଏ କାଢ଼ି ଦେଖାଇ କହିଲା, ‘‘ମୋ ପାଖେ ପଇସା ଅଛି ।’’

 

ମାଲିକ କହିଲା, ‘‘ତେବେ ମିଳିବ ।’’

 

ଆଗନ୍ତୁକ ବ୍ୟକ୍ତି ବଟୁଆଟି ଯାଉଁଳିରେ ରଖି, ଯାଉଁଳିଟି କାନ୍ଧରୁ ବାହାର କରି ତଳେ ଥୋଇଲା ଏବଂ ନିଜେ ଥକା ମାରି ତା ନିକଟରେ ବସିପଡ଼ିଲା । ମାତ୍ର ସେ ବେଶି ସମୟ ତୁନି ହୋଇ ବସି ନ ରହି ପୁଣି ପଚାରିଲା, ‘‘କେତେ ଉଛୁର ହବ ?’’

 

‘‘ଆଉ ଉଛୁର କଣ ? ହେଲାଣି ।’’

 

ଆଗନ୍ତୁକ ବ୍ୟକ୍ତି ସେ କଥା ଶୁଣି, ଆନନ୍ଦରେ ଗୋଡ଼ରୁ ଧୂଳି ଝାଡ଼ି, ଦେହରୁ ଝାଳ ପୋଛି, ଟିକିଏ ସୁସ୍ଥ ହୋଇ ବସିବାକୁ ଗଲା । ଚଟିଘର ମାଲିକ ଖଣ୍ଡିଏ ଛୋଟିଆ ବାଲି କାଗଜରେ କଣ ଧାଡ଼ିଏ ଲେଖି, ଚାକର ପିଲାକୁ ଡାକି, ତା କାନରେ କଣ କହି, ତାପରେ ବଡ଼ ପାଟି କରି କହିଲା, ‘‘ଧାଇଁଯିବୁ, ଧାଇଁଆସିବୁ ।’’ ଆଗନ୍ତୁକ ବ୍ୟକ୍ତି ଏସବୁ କିଛି ଦେଖିଲା ନାହିଁ । ସେ ପୁଣି ପଚାରିଲା, ‘‘କଣ ହେଲା ?’’

 

ଏ ପ୍ରଶ୍ନର କୌଣସି ଉତ୍ତର ମିଳିଲା ନାହିଁ । କିନ୍ତୁ ପ୍ରଶ୍ନର ଆବୃତ୍ତି ନ କରି ଲୋକଟି ପୁଣି ନୀରବ ଭାବରେ ବସିରହିଲା ଏବଂ କେତେକ ସମୟ ପରେ ପିନ୍ଧା ଲୁଗା କାନି ପକାଇ ଯାଉଁଳିରେ ମୁଣ୍ଡ ଦେଇ ଟିକିଏ ଶୋଇପଡ଼ିଲା । ସେ ବେଶି ସମୟ ଶୋଇ ନାହିଁ, ଚଟିଘର ପିଲାଟି ଧାଇଁ ଫେରିଆସି ପହଞ୍ଚିଲା । ମାଲିକ ତାଠାରୁ କାଗଜ ଖଣ୍ଡିକ ନେଇ ପଢ଼ିଲା, ମୁଣ୍ଡ ହଲାଇଲା ଏବଂ ମନେ ମନେ କଣ ଭାବିଲା; ତାପରେ ଆଗନ୍ତୁକ ବ୍ୟକ୍ତି ନିକଟକୁ ଯାଇ କହିଲା, ‘‘ଦେଖ ମୁଁ ତୁମକୁ ଜାଗା ଦେଇପାରିବି ନାହିଁ ।’’

 

‘‘କାହିଁକି ? ତୁମେ କଣ ଭାବୁଚ ମୁଁ ପଇସା ନ ଦେଇ ଠକି ଖାଇ ଚାଲିଯିବି ? ମୁଁ ପରା ଦେଖେଇଲି, ମୋ ପାଖେ ପଇସା ଅଛି ।

 

‘‘ଥାଉ, ମୋର ଯେ ଜାଗା ନାହିଁ ।’’

‘‘ମୁଁ ବାହାରେ ଅଡ଼ଙ୍ଗରେ ଶୋଇପଡ଼ିବି ।’’

‘‘ସେଠି କାଠ ରହିବ ।’’

‘‘ମୋତେ ଗୁହାଳରେ ଟିକିଏ ଜାଗା ଦିଅ ।’’

‘‘ଗୋରୁ କଣ ମେଲାରେ ବନ୍ଧା ହେବ ?’’

‘‘ଆଚ୍ଛା, ତେବେ ମୁଁ ଖାଇ ଚାଲିଯିବି । ଏଠି ଶୋଇବି ନାହିଁ ।

‘‘ବୃଥା କାହିଁକି ଏତେ ଜିଦ୍‌ କରୁଚ ? ମୋର ଭାତ ନାହିଁ ।’’

 

‘‘କଣ ! ମୁଁ ଭୋକରେ ମରୁଚି । ସକାଳେ କୁଆ ବୋବେଇଲାଠୁ ଉଠି ବରାବର ବାଟ ଚାଲି ଆସୁଚି । ତୁମେ କହୁଚ ଯେ ଭାତ ନାହିଁ ? ଏ କଣ ରନ୍ଧା ହୋଇଚି ?’’ -କହି, ଆଗନ୍ତୁକ ବ୍ୟକ୍ତି ଏକ ବିକଟ ହାସ୍ୟରେ ସମଗ୍ର ଚଟିଘର ମୁହୂର୍ତ୍ତକ ପାଇଁ କମ୍ପାଇଦେଲା ।

 

ଚଟିଘର ମାଲିକ କହିଲା, ‘‘ଏ ଯାହା ଚୁଲିରେ ବସିଚି, ବରାଦ ଅନୁସାରେ ରନ୍ଧାଯାଇଚି-।’’

 

‘‘କିଏ ବରାଦ କରିଚି ?’’

‘‘ବାଟୋଇ ବେପାରୀମାନେ ।’’

‘‘କେତେ ଜଣ ? କାହାନ୍ତି ସେମାନେ ?’’

‘‘ଦଶ ଜଣ ।’’

 

‘‘ଦଶ ଜଣ ? ଏ ତ ଚାଳିଶ ଜଣଙ୍କ ଆହାର ରନ୍ଧା ହୋଇଚି । ମୁଁ ନ ଖାଇଲେ ଏଠୁ ଉଠିବି ନାହିଁ, ସଫା କହୁଚି । ଯେବେ ସନ୍ଦେହ ହେଉଚି, ପଇସା ଆଗେ ନିଅ, ପଛେ ଖାଇବାକୁ ଦିଅ-। ନ ଖାଇ ଓପାସରେ ଯିବି ନାହିଁ ।’’

 

ଶୁଣି ଚଟିଘର ମାଲିକ ଟିକିଏ ନଇଁପଡ଼ି ସେ ଲୋକ କାନରେ ଧୀରେ ଧୀରେ କଣ କହିଲା । ସେଥିରେ ଲୋକଟି ଚମକି ପଡ଼ିଲା । ମାଲିକ ପୁଣି ପାଟି କରି କହିଲା, ‘‘ଦେଖ, ପାଣୁ ନାଏକ ! ମୋ ସାଙ୍ଗେ ଥଟ୍ଟା ଖେଳନା । ସମସ୍ତେ ଜାଣିଲେ କଣ ଭଲ ହେବ ? ତୋତେ ଦେଖିବା ମାତ୍ରେ ମୋ ମନରେ କିପରି ଗୋଟାଏ ସନ୍ଦେହ ହୋଇଗଲା । ମୁଁ ଫାଣ୍ଡିକୁ ଚିଠି ଲେଖି ଦାରୋଗାବାବୁଙ୍କଠୁ ସବୁ ଖବର ଅଣେଇଚି । ପଢ଼ିପାରୁଚୁ ତ, ଦେଖ୍‌ ।’’

 

ଆଗନ୍ତୁକ ବ୍ୟକ୍ତି ଚଟିଘର ମାଲିକ କଥା ଶୁଣି, ଖାଇବାର ଆଶା ଛାଡ଼ି, ସେଠାରେ ଆଉ ମୁହୂର୍ତ୍ତେ ନ ରହି, ଯାଉଁଳିଟି ପୁଣି କାନ୍ଧରେ ପକାଇ, ଯେଉଁ ବାଟେ ଆସିଥିଲା ସେହି ବାଟେ ଦାଣ୍ଡକୁ ଫେରିଗଲା । ଦାଣ୍ଡରେ ଅନିର୍ଦ୍ଦିଷ୍ଟ ଭାବରେ କିଛି ସମୟ ଏଣେ ତେଣେ ବୁଲିଲା । କ୍ରମେ କ୍ରମେ କ୍ଷୂଧା ପ୍ରବଳ ହୋଇଉଠିଲା । ତହିଁରେ ପୁଣି ରାତି ମାଡ଼ି ଆସୁଥିଲା । ନିତାନ୍ତ ବ୍ୟାକୁଳ ଭାବରେ ସେ କିଛି ବାଟ ଚାଲି, ଗୋଟିଏ ଛୋଟିଆ କୁଡ଼ିଆ ଘରେ ଯାଇ ପହଞ୍ଚିଲା । ତାହା ସୁନ୍ଦରପୁର ଗ୍ରାମର ତାଡ଼ି ଦୋକାନ । ଇଂରେଜ ସରକାରଙ୍କ ରାଜତ୍ୱରେ ତାଡ଼ି ଦୋକାନମାନ ଏ ଦେଶରେ ନୂଆ ହୋଇ ବସିଥାଏ । ବେଶି ଦାମ୍‌ର ବିଲାତି ମଦ ଆସି ନ ଥାଏ । ସେ ଘରେ କ୍ଷୂଧାର୍ତ୍ତ ଆଗନ୍ତୁକ ପହଞ୍ଚି ଦେଖିଲା ଯେ ଦଳେ ଲୋକ ବସି ତାଡ଼ି ପିଉଛନ୍ତି ଓ ଚାଖଣା ସ୍ୱରୂପ ମାଂସ, ମିଠାଇ ଖାଉଛନ୍ତି । ଆଗନ୍ତୁକ ତାହା ଦେଖି ଆଡ଼ପେଲା କବାଟ ହାତରେ ପେଲି, ଫିଟାଇ ଘର ଭିତରେ ପହଞ୍ଚି, କହିଲା, ‘‘ମୁଁ ମଧ୍ୟ ଖାଇବି ।’’

 

ପଟାଦାର ଉତ୍ତର ଦେଲା, ‘‘ଭଲ କଥା; ବସ । ଖାଲି ତାଡ଼ି ନା, ଚାଖଣା ମଧ୍ୟ ?’’

 

‘‘ତାଡ଼ି ତ ନିଶ୍ଚୟ । ଆଉ ସାଙ୍ଗକୁ ଖାଲି ଚାଖଣା ନୁହେଁ । ପେଟପୂରା ଗ୍ରାସେ, ଯାହା ଅଛି ସକାଳୁ ଏଥିରେ କିଛି ପଡ଼ି ନାହିଁ ।’’ ସେ ବାଁ ହାତରେ ନିଜର ପ୍ରକାଣ୍ଡ ଖାଲି ପେଟଟି ଦେଖାଇଲା ।

 

‘‘ଆଚ୍ଛା, ତେବେ ଟିକିଏ ସତାର କର । ଭାତ ବସିଚି, ମାଂସ ତରକାରି ଶିଝୁଛି ।’’

 

ଭାତ ଓ ମାଂସର ନାମ ଶୁଣି ଆଗନ୍ତୁକ ଟିକିଏ ନିଶ୍ଚିନ୍ତରେ ଶୋଇ ପଡ଼ିଲା । ତାକୁ ହଠାତ୍‌ ସାମାନ୍ୟ ନିଦ ମଧ୍ୟ ଲାଗିଗଲା । ତାପରେ ତାଡ଼ି ଖାଉଥିବା ଲୋକଙ୍କ ମଧ୍ୟରୁ ଜଣେ କହିଲା, ‘‘ଏ ଲୋକଟା କିଏ କେଜାଣି ? ନିଶ୍ଚୟ ଗୋଟାଏ ଦାଗୀ ହେବ । ଆଜି ଏଠେଇ ପହଞ୍ଚି, ଆଗେ ଫାଣ୍ଡିକି ଯାଇ, ଦାରୋଗା ବାବୁଙ୍କ ଗୋଡ଼ତଳେ ମୁଣ୍ଡିଆ ମାରି, ଏ ରାତି ରହିବ ବୋଲି ଅନୁମତି ଆଣି ଆସିଲା । ଦାରୋଗା ବାବୁ ଆଗ ନାହିଁ ନାହିଁ କରୁଥିଲେ । ପଛକୁ ଏ ଲକସ୍ତକ ହୋଇ କହିବାରୁ ରାଗି ହଁ କରିଦେଲେ । ମୋ ଭାଇ ହାଜତରେ ଥିବାରୁ ମୁଁ ଫାଣ୍ଡିକି ଯାଇଥିଲି । ତାପରେ ଏ ଲୋକ ଯାଇ ଚଟିଘରେ ପହଞ୍ଚିଲା । ଚଟିଘର ମାଲିକ ରାମଚନ୍ଦ୍ର ଫାଣ୍ଡିକି ଚିଠି ଲେଖି ଖବର ଅଣେଇ, ୟାକୁ ଚଟିରେ ରଖିଲା ନାହିଁ । ସେଠୁ ଏଠିକୁ ପଳେଇ ଆସିଛି ।’’

 

ଶୁଣି ପଟାଦାର ଆଗନ୍ତୁକ ନିକଟକୁ ଯାଇ, ତାକୁ ହାତରେ ହଲାଇ, ନିଦରୁ ଉଠାଇ କହିଲା, ‘‘ତୁ ବେଗେ ଏଠୁ ପଳା ।’’

 

ଆଗନ୍ତୁକ ଆଖି ମନ୍ଥି ଚକିତ ସ୍ୱରରେ କହିଲା, ‘‘ଆଁ, ତୁମେ ମଧ୍ୟ ଜାଣିଚ ନା କଣ !’’

‘‘ହଁ ।’’

‘‘ମତେ ସେ ଚଟିଘର ମାଲିକ ଯେ ତଡ଼ିଦେଲେ ।’’

‘‘ଏଠୁ ମଧ୍ୟ ତୁ ତଡ଼ା ଖାଇ ଯିବୁ ।’’

‘‘ମୋତେ କୁଆଡ଼େ ଯିବାକୁ କହୁଚ ?’’

‘‘ଯୁଆଡ଼େ ଇଚ୍ଛା; ଖାଲି ଏଠି ନ ରହିଲେ ହେଲା ।’’

 

ଆଗନ୍ତୁକ ନିରାଶ ଭାବରେ ନିଜର ଯାଉଁଳିଟି କାନ୍ଧରେ ପକାଇ ତାଡ଼ି ଦୋକାନରୁ ବାହାରି ଦାଣ୍ଡକୁ ଗଲା । ଦାଣ୍ଡରେ ପଞ୍ଝାଏ ପିଲା ରୁଣ୍ଡ ହୋଇଥିଲେ । ସେମାନେ କୌତୁକ ଦେଖିବାପାଇଁ ତା ଉପରକୁ ଟେକା ଫିଙ୍ଗିଲେ, ଛେପ ପକାଇଲେ, ଧୂଳି ଉଡ଼ାଇଲେ ଏବଂ ତାକୁ ନାନା ଅପଭାଷାରେ ଗାଳି ଦେଲେ । ସେ ହାତରେ ଧରିଥିବା ଠେଙ୍ଗାରେ ସେମାନଙ୍କୁ ପିଟିବାକୁ ଗଲା । ତହୁଁ ପିଲାମାନେ ଚଢ଼େଇ ପଲ ପରି କିଏ କେଉଁଆଡ଼େ ଉଡ଼ି ପଳାଇଲେ ।

 

ଆଗନ୍ତୁକ ଏହିପରି ଭାବରେ ନାନା ସ୍ଥାନରେ ନିରାଶ ହୋଇ ଦାଣ୍ଡ ଧୂଳିରେ ଶୋଇପଡ଼ିଲା । ଭୋକରେ ତା ପେଟ ଜଳୁଛି; ଶୋଷରେ ତଣ୍ଟି ଶୁଖିଯାଉଛି । ମହାନବମୀ ଦିନର ଉତ୍ସବ ଘଣ୍ଟା ଗ୍ରାମ ତମାମ ବାଜୁଛି; କିନ୍ତୁ ସେ ହତଭାଗ୍ୟର ତହିଁରେ ଭାଗ ନାହିଁ । ସେ କେତେ କଣ ମନେ ପକାଇଲା । କିଏ ଆସୁଥିବ ବୋଲି କେତେ କେଉଁଆଡ଼େ ଚାହିଁଲା । ଶେଷରେ ଦେଖିଲା ଜଣେ ବୁଢ଼ୀ ଆସୁଛି ।

 

ବୁଢୀ ପଚାରିଲା, ‘‘ତୁ କିଏରେ ବାପା, ଏଠି କଣ କରୁଚୁ ?’’

 

‘‘ମୁଁ କଣ କରୁଚି ! କଣ ଆଖି ନାହିଁ ଯେ ଦେଖିପାରୁନୁ ମାଉସୀ, ପଚାରୁଚୁ ? ଭୋକରେ ପେଟ ବିକଳରେ ଶୋଇବାକୁ ଯାଉଚି ।’’

 

‘‘ଭୋକରେ ? କାହିଁକି ଚଟିଘରକୁ ଗଲୁ ନାହିଁ ?’’

‘‘ପଇସା କୋଠୁ ପାଇବି ? ପାଜିଏ କଣ ମାଗଣା ଖାଇବାକୁ ଦେବେ ?’’

 

‘‘ଆହା ! ଉପାସରେ ରହିବୁ ! ମୋ ପାଖରେ ଯୋଡ଼ିଏ ପଇସା ଅଛି । ଏଥିରେ କଣ ପେଟପୂରା ଖାଇବାକୁ ମିଳିବ ?’’

 

‘‘ହେଲେ, ମାଉସୀ ଦିଅନ୍ତେ ଯେବେ, କିଛି ହେଲେ ହୁଅନ୍ତା ।’’

 

ବୁଢ଼ୀ କରାଟରୁ କାଢ଼ି ପଇସା ଯୋଡ଼ିଏ ତା ହାତରେ ଦେଇ କହିଲା, ‘‘ବାପ, ଏ ଦାଣ୍ଡୁଟାରେ ଶୁଅନା, ଆଜି ମହାନଅଇଁ ପରା ଦିନରେ ଉପାସ ରହନା । ମୋ ଘରେ ଆଜି ଚୁଲି ଲାଗୁ ନାହିଁ । ଯା, ଗାଁରେ ତୁଣ୍ଡ ଶୁଣେଇଲେ, ଉତ୍ସବ ଦିନରେ କିଏ କଣ ନିଶ୍ଚୟ ଦେବେ ।’’

 

‘‘ସବୁ ଦୁଆରେ ବୁଲି ଆସିଲିଣି ।’’

‘‘ତେବେ ?’’

‘‘ସମସ୍ତେ ନାହିଁ କରି ତଡ଼ିଦେଲେ ।’’

 

ବୁଢୀ ଦୀର୍ଘନିଶ୍ୱାସ ପକାଇ, ତା ନିକଟକୁ ଆସି ମଠ ଆଡ଼କୁ ଆଙ୍ଗୁଠି ଦେଖାଇ କହିଲା, ‘‘ବାପା, ତୁ ସେଠାକୁ ଯାଇଥିଲୁ କି ?’’

 

‘‘ନା ।’’

‘‘ତେବେ ଯା । ସେଠୁ କେହି ନିରାଶ ହୋଇ ଫେରନ୍ତି ନାହିଁ ।’’

Image

 

ମଠର ଅତିଥି

 

ସେଦିନ ସନ୍ଧ୍ୟାରେ ସୁନ୍ଦରପୁର ମଠ ମହନ୍ତ ମହାରାଜା କୌଣସି ପଲ୍ଲୀଗ୍ରାମରୁ ଟିକିଏ ବିଳମ୍ୱରେ ଫେରି, କେତେକ କାମ ବାକି ଥିବାରୁ ତାହା କରିବାକୁ ବସିଥିଲେ । ରାତି କେତେ ହେଲାଣି, ତାଙ୍କୁ ମାଲୁମ ନ ଥିଲା । ସେ ଏକ ଧ୍ୟାନରେ କାର୍ଯ୍ୟରେ ଲାଗିଥିଲେ । ମାତା ବିଷ୍ଣୁପ୍ରିୟା ଆସି ଖାଇବା ଘର ସିନ୍ଦୁକ ମଧ୍ୟରୁ ଥାଳି କାଢ଼ି ନେବାରୁ ମହନ୍ତ ମହାରାଜା ବୁଝିଲେ ଯେ ପଙ୍ଗତ ବେଳ ହେଲାଣି । ବିଷ୍ଣୁପ୍ରିୟା ଥାଳି ନେଇ ଚାଲିଗଲା ପରେ ମଠରେ ଯେ ଘଟଣା ଘଟିଲା, ତାହା ଅନେକଙ୍କୁ ବହୁ କାଳ ମନେ ରଖିବାକୁ ପଡ଼ିଲା । ଆଖପାଖ ସମୁଦାୟ ରାଜ୍ୟ ଖଣ୍ଡରେ ଅନେକ ଦିନ ସେ ବିଷୟ ନେଇ ତୁମୁଳ ଆଲୋଚନା ଚାଲିଲା ।

 

ମାତା ହରିପ୍ରିୟା ସେଦିନ ଅପରାହ୍ନରେ ଭକ୍ତମାନଙ୍କ ଘରକୁ ଭିକ୍ଷା କରିବାକୁ ଯାଇ, ସୂର୍ଯ୍ୟାସ୍ତ ପରେ ମଠକୁ ଫେରିଥିଲେ । ସେ ଶୁଣି ଆସିଥିଲେ ଯେ କେହି ଜଣେ ଆଗନ୍ତୁକ ଆସିବା ଯୋଗେ ସୁନ୍ଦରପୁର ଗ୍ରାମଯାକ ସେଦିନ ଘୋର ଚହଳ ପଡ଼ିଛି । ସେ କଥା ସେ ବିଷ୍ଣୁପ୍ରିୟାଙ୍କୁ ଆସି କହିଥିଲେ । ଭୋଗ ତିଆରି ହେବାର ଜାଣି ମହନ୍ତ ମହାରାଜ ଯେତେବେଳେ ଭୋଜନଶାଳାକୁ ଆସିଲେ, ସେଠାରେ ଦେଖିଲେ ଯେ ହରିପ୍ରିୟା ଓ ବିଷ୍ଣୁପ୍ରିୟା ଦୁହେଁ ଠିଆହୋଇ ଗଳ୍ପ କରୁଛନ୍ତି । ଦାଣ୍ଡପାଖ ଦୁଆରେ ଭିତରୁ କିଳିଣି ନ ଥିବା ସେମାନଙ୍କର ଗଳ୍ପର ବିଷୟ । ମହନ୍ତ ମହାରାଜା ଅନ୍ୟମନସ୍କ ହୋଇ ସେଠାକୁ ଆସିଥିଲେ । ସିନ୍ଦୁକରୁ ଥାଳି କଢ଼ା ହେବାର ଜାଣିପାରିଲେ ସେ ଭୋଜନାଳୟରେ ଆସି ଉପସ୍ଥିତ ହୁଅନ୍ତି । ମାତାମାନେ ଅନ୍ନ ବାଢ଼ି କାଳେ ଅପେକ୍ଷା କରି ରହିଥିବେ, ସେଥିଲାଗି ସେ କାଳ ବିଳମ୍ବ ନ କରି ଅନ୍ୟାନ୍ୟ କାମ ଛାଡ଼ି, ଠା ପାଖେ ଆସି ଠିଆ ହୁଅନ୍ତି । ଆଜି ମଧ୍ୟ ସେହିପରି ଆସିଛନ୍ତି । ତାଙ୍କୁ ଦେଖି ମାତା ବିଷ୍ଣୁପ୍ରିୟା କହିଲା, ‘‘ମହାତ୍ମା, ଶୁଣନ୍ତୁ, ନାନୀ କଣ କହୁଚନ୍ତି ।’’

 

‘‘କଣ ?’’

 

‘‘ଆଜି ଏ ଗାଁକୁ କିଏ ଗୋଟାଏ ଆସିଚି । ତାକୁ କିଏ ଅସୁର ବୋଲି କହୁଚି, କିଏ ବ୍ରହ୍ମରାକ୍ଷସ ବୋଲି ନାଁ ଦେଉଚି । ସେ ଏଠି ଦିନ ଥାଉ ଥାଉ ପହଞ୍ଚି ରାତି ଦୁଇ ଘଡ଼ି ପର୍ଯ୍ୟନ୍ତ ଗଳି ଗଳି ହୋଇ ବୁଲିଲା । କେହି ତାକୁ ଟିକିଏ ମୁଣ୍ଡ ଗୁଞ୍ଜିବାକୁ ଥାନ ଦେଲେ ନାହିଁ । ତାକୁ ଦେଖିଲେ ପ୍ରକୃତରେ ଡର ମାଡ଼ିବା କଥା ।’’

 

ମହନ୍ତ ମହାରାଜ କହିଲେ, ‘‘ସତ ନା କଣ ?’’

 

ମହନ୍ତ ମହାରାଜାଙ୍କର ଏ କଥା ଶୁଣି ବିଷ୍ଣୁପ୍ରିୟା ମନେ କଲେ ଯେ ତାଙ୍କର ମଧ୍ୟ ମନରେ ଟିକିଏ ଭୟର ସଞ୍ଚାର ହୋଇଛି । ସୁତରାଂ ତାଙ୍କ ସାହାସ ଟିକିଏ ବଢ଼ିଗଲା । ସେ କହିଲେ, ‘‘ଗାଁରେ ଏଭଳି ବିପଦର ଆଶଙ୍କା ଥାଉ ଥାଉ ରାତିରେ ଦୁଆରଟା ମେଲା କରି ରହିବା କଣ ଠିକ୍‌ ହବ ? ମୁଁ କହୁଚି ଆଉ ନାନୀ ମଧ୍ୟ କହୁଚନ୍ତି’’ ।

 

ବିଷ୍ଣୁପ୍ରିୟାଙ୍କ କଥା ଶେଷ ନ ହେଉଣୁ, ହରପ୍ରିୟା କହି ଉଠିଲେ, ‘‘ମୁଁ କିଛି କହୁ ନାହିଁ । ମହନ୍ତ ମହାରାଜ ଯାହା ଯାହା କରୁଛନ୍ତି ସବୁ ଠିକ୍‌ ବୋଲି ମୁଁ ଭାବୁଚି ।’’

 

ହରିପ୍ରିୟାଙ୍କର ଏ କଥା ଶୁଣି ନ ଶୁଣିଲା ପରି ହୋଇ, ବିଷ୍ଣୁପ୍ରିୟା ପୁଣି କହିବାକୁ ଲାଗିଲେ, ‘‘ମହାତ୍ମା, ଆପଣ ଯେବେ ଅନୁମତି ଦେବେ, ମୁଁ ଏହିକ୍ଷଣି ଏ ଦୁଆରରେ ପଛଆଡ଼ୁ ଗୋଟିଏ କିଳିଣି ଲଗେଇ ନେବି । କିଳିଣିର ସରଞ୍ଜାମ ସବୁ ମୋ ପାଖରେ ପରା ଅଛି । ଖାଲି ବଢ଼େଇକି ଡାକି ଆଣିଲେ ହେଲା । ମୁଁ ଏଇ ଯାଇ ଡାକିଆଣୁଚି । ଦଣ୍ଡକ ଭିତରେ ସବୁ ହୋଇଯିବ-। ଦ୍ୱାରଟା ଏପରି ମେଲା ରଖିବା ଠିକ୍‌ ନୁହେଁ । କେଜାଣି ରାତି ଦିପହରେ କିଏ ଆସି ପଶି ଯାଇପାରେ ।’’

 

ଭୋଜନାଳୟର ଦାଣ୍ଡପାଖ ଦୁଆର ସବୁଦିନ ପରି ପେଲା ହୋଇଥିଲା । ହଠାତ୍‌ ତାହା ଫିଟିବାର ଦେଖି ମହନ୍ତ ମହାରାଜା ସର୍ବଦା ଯେପରି କହନ୍ତି, ଆଜି ମଧ୍ୟ ସେହିପରି କହିଲେ, ‘‘ଆସ ବାବା ।’’

 

ଦ୍ୱାରଟା ହଠାତ୍‌ ପୂରା ମେଲା ହୋଇଗଲା । ଜଣେ ଅପରିଚିତ ଲୋକ ଘର ମଧ୍ୟରେ ପ୍ରବେଶ କଲା । ତା କାନ୍ଧରେ ଗୋଟିଏ ଯାଉଁଳି ଓ ହାତରେ ଗୋଟାଏ ମୋଟା ବାଉଁଶ ଠେଙ୍ଗା । ଦୀପ ଆଲୋକ ତା ମୁହଁରେ ପଡ଼ି, ରୂପର ବିକଟତା ପ୍ରକାଶ କରିବାକୁ ଲାଗିଲା । ଦେଖି ବିଷ୍ଣୁପ୍ରିୟା ଆବାକ୍‌ ହୋଇ ରହିଲେ । ତାଙ୍କ ଗୋଡ଼ହାତ ଥରିବାକୁ ଲାଗିଲା । ହରିପ୍ରିୟା ତାଙ୍କଠାରୁ ଅଧିକ ସାହସୀ ହୋଇ ସୁଦ୍ଧା ଭୟରେ ଅସ୍ଥିର ହୋଇପଡ଼ିଲେ । ମହନ୍ତ ମହାରାଜ ଆଦୌ ବିଚଳିତ ନ ହୋଇ ସେ ଲୋକର କଣ ଦରକାର, ପଚାରିବା ନିମନ୍ତେ ମୁହଁ ଫିଟାଇଲେ; କିନ୍ତୁ ସେ କିଛି ପଚାରିବା ପୂର୍ବରୁ ଆଗନ୍ତୁକ ଉଚ୍ଚସ୍ୱରରେ କହିବାକୁ ଲାଗିଲା, ‘‘ମୋ ନାଁ ପାଣୁ ନାଏକ । ମୁଁ ଜେଲ୍‌ଖାନାରୁ ଏବେ ଖଲାସ ହୋଇ ଆସିଚି । ମୁଁ ଊଣିଶ ବର୍ଷ କାଳ କଏଦି ଘରେ ଥିଲି । ଚାରିଦିନ ହେଲା ଖଲାସ ହେଇଛି । ଗତ ଚାରିଦିନ କାଳ ମୁଁ ଖାଲି ବାଟଇ ଚାଲୁଚି । ଆଜି ସକାଳୁ ବାର କୋଶ ଚାଲିଚି । ଏ ଗାଁକୁ ଆସି ଗୋଟାଏ ଚଟିଘରକୁ ଗଲି । ଚଟିଘର ମାଲିକ ମତେ ରଖିଲା ନାହିଁ-। ମୁଁ ସି କ୍ଲାସ ଦାଗୀ କି ନା ! ମୋତେ ହୁକୁମ ହେଇଚି ଯେ ମୁଁ ଯେଉଁଠାକୁ ଯିବି ଫାଣ୍ଡିରେ ଆସି ହାଜିରା ଦେବି । ଏ ଗାଁ ଫାଣ୍ଡିରେ ଆସି ହାଜିରା ଦେଲି । ମୋ କଥା ଫିଟିଯିବାରୁ ମୋତେ କେହି ଥାନ ଦେଲେ ନାହିଁ । ତାଡ଼ି ଦୋକାନ ପରି ନିକୁତ୍ସା ଜାଗାରେ ମଧ୍ୟ ମୋତେ ପାଣି ଟୋପାଏ ମିଳିଲା ନାହିଁ । ଈଶ୍ୱର ମୋ ପ୍ରତି ବଡ଼ ନିର୍ଦ୍ଦୟ ହେଇଚନ୍ତି । ଆକାଶରେ ଜହ୍ନ ପଡ଼ିଚି । ମାତ୍ର ମୋତେ ସବୁ ଅନ୍ଧାର ଦିଶୁଚି । ଭୋକରେ ମୋ ପେଟ ଜଳୁଚି । ଶୋଷରେ ହଂସା ଉଡ଼ୁଛି । ମୁଁ ଦାଣ୍ଡରେ ଶୋଇପଡ଼ିବାକୁ ଯାଉଥିଲି । ଜଣେ ବୁଢ଼ୀ ଆସି ମୋତେ କହିଲା, ‘‘ପୁଅ, ସେ ଘରକୁ ଯା’’-। ସେଇଥିପାଇଁ ମୁଁ ଆସିଲି । ଏଟା କି ଘର ? ମୋ ପାଖରେ ପଚାଶ ଟଙ୍କା ସାତ ଅଣା ଅଛି । କଏଦିଖାନାରେ କାମ କରି ମୁଁ ଏ ଟଙ୍କା ରୋଜଗାର କରିଚି । ତୁମେ ମୋତେ ଖାଇବାକୁ ଦିଅ । ପେଟ ପୂରେଇ ମୁଠାଏ ଭଲ କରି ଦେଲେ, ମୁଁ ପଚାଶ ଟଙ୍କା ରଖି, ବକ୍ତକ ପାଇଁ ବାକି ସାତ ଅଣାଯାକ ତୁମକୁ ଦେଇପକେଇବି । ଭୋକରେ ମୁଁ ମଲି ।’’

 

ବିଷ୍ଣୁପ୍ରିୟା ସେତେବେଳକୁ ମହନ୍ତଙ୍କ ଭୋଜନାଳୟ ଭିତରୁ ବାହାରି ଚାଲିଯାଇଥିଲେ । ସୁତରାଂ ମହନ୍ତ ତାଙ୍କୁ ପାଟି କରି ଡାକି କହିଲେ, ‘‘ସାନ ମାତା, ଦୁଇ ଥାଳି ପ୍ରସାଦ ଆଣିମ ।’’

 

ମହନ୍ତ ମହାରାଜ କଥା ଶୁଣି ପାଣୁ ନାଏକ ମନରେ ସାହାସ ବାନ୍ଧିଲା । ସୁତରାଂ ସେ ତାଙ୍କ ଆଡ଼କୁ ଅଗ୍ରସର ହୋଇ ପୁଣି କହିବାକୁ ଲାଗିଲା, ‘‘ଖାଇବାକୁ ତ ଦବ । ମୁଁ କହିଲି, ଶୁଣିଲଟିକି ଯେ ମୁଁ ଜେଲ୍‌ଖାନାରେ ଥିଲି, ମୁଁ ଜଣେ କଏଦି । ଆଉ, ଚାରି ଦିନ ହେଲା କଏଦିଖାନାରୁ ଫିଟିଆସିଚି ।’’ ଏହା କହି ସେ ନିଜ ଯାଉଁଳି ଭିତରୁ ଖଣ୍ଡିଏ ଛୋଟିଆ କାଠର ପଟା ବାହାର କଲା । ସେଥିରେ ପାର୍ସୀ ଅକ୍ଷରରେ କଣ ଗୁଡ଼ାଏ ଲେଖାଥିଲା । ସେ ସମୟରେ ଦେଶର ସରକାରୀ ଖାତାପତ୍ରରେ ପାର୍ସୀ ଅକ୍ଷର ଚଳୁଥିଲା । କିନ୍ତୁ ଧର୍ମ ଅନୁଷ୍ଠାନ ହିନ୍ଦୁ ଦେବାଳୟମାନଙ୍କରେ ପାର୍ସୀର ପ୍ରଚଳନ ସ୍ଥାନ ପାଇପାରି ନ ଥିଲା । ସୁତରାଂ ମହନ୍ତ ମହାରାଜ ପ୍ରସିଦ୍ଧ ପଣ୍ଡିତ ହୋଇ ସୁଦ୍ଧା, ପାର୍ସୀ ପଢ଼ି ପାରୁ ନଥିଲେ । ପାଣୁ ନାଏକ ନିଜେ ସେ ପଟା ପଢ଼ିବାକୁ ଯାଇ ପ୍ରଥମେ କହିଲା, ‘‘ମୁଁ କଏଦିଖାନାରେ ଅକ୍ଷର ଲେଖି ପଢ଼ି ଶିଖିଛି ।’’ ତାପରେ ସେ ପଟା ଧରି ପଢ଼ିଲା, ‘‘ପାଣୁ ନାଏକ, ଘର ଦାଣ୍ଡିମାଳ, ଜିଲା ମେଣ୍ଢାଶାଳ । କଏଦିଖାନାରୁ ଖଲାସ ହେଇଚି-। ସେ ଊଣିଶ ବର୍ଷ କାଳ କଏଦିରେ ଥିଲା; ପାଞ୍ଚ ବର୍ଷ ଘରେ ପଶି ଚୋରି କରିବା ଅପରାଧରେ, ବାକି ଚଉଦ ବର୍ଷ କଏଦିଖାନାରୁ ବାରମ୍ୱାର ଲୁଚି ପଳାଇବାକୁ ଚେଷ୍ଟା କରିବା ନିମନ୍ତେ । ଲୋକଟା ବଡ଼ ମାରାତ୍ମକ ।’’ ପଟା ପଢ଼ିସାରି, ପାଣୁ ନାଏକ ଟିକିଏ ରହି, ତାପରେ କହିଲା, ଶୁଣିଲ ତ ମୁଁ କିପରି ଲୋକ ? ଦୁନିଆଯାକ ମତେ ଘରେ ଥାନ ଦେଇ ନାହାନ୍ତି । ଏଟା କଣ ଚଟିଘର ? ତୁମେ ମତେ ମୁଠାଏ ଭାତ ଆଉ ଶୋଇବାକୁ ଟିକିଏ ଜାଗା ଦେଇପାରିବ ? ତୁମର ଗୁହାଳ କି ମେଲା ପନ୍ଦାଡ଼ ଅଛି ?’’

 

ଏ ସବୁ ପ୍ରଶ୍ନର କୌଣସି ଉତ୍ତର ନ ଦେଇ, ମହନ୍ତ ମହାରାଜ ବିଷ୍ଣୁପ୍ରିୟାଙ୍କୁ ଡାକି କହିଲେ, ‘‘ଦେଖ ମାତା ! ଠାକୁର ଘର ଖଟରେ ଖଣ୍ଡିଏ ସଫା ଚାଦର ପକେଇବ ।’’

 

‘‘ବସ । ଏଇ ପ୍ରସାଦ ଆସିଲେଇ ଆମେ ଖାଇବସିବା । ଖାଇସାରିଲେ ତ ଆପଣ ଶୋଇପଡ଼ିବେ । ଭାରି ହାଲିଆ ହେଇଛନ୍ତି, ନା ?’’

 

ଏପର୍ଯ୍ୟନ୍ତ ପାଣୁ ନାଏକ ନିଜର ଆହାର ଓ ଶୟନ ବିଷୟରେ ବଡ଼ ସନ୍ଦିହାନ ହୋଇ ରହିଥିଲା । ମହନ୍ତଙ୍କଠାରୁ ଏ କଥା ଶୁଣି ସେ ବୁଝିପାରିଲା ଯେ ତାକୁ ସେଠାରେ ସେ ରାତ୍ରିରେ ଆଶ୍ରୟ ମିଳିବା ପ୍ରାୟ ସୁନିଶ୍ଚିତ । ତହୁଁ ସେ ଖୁସି ହେଲା । ଆନନ୍ଦରେ ସେ ପାଗଳଙ୍କ ପରି ଏଣୁ ତେଣୁ ପ୍ରଳାପ କରି କହିଲା, ‘‘ଏ କଣ ସତ ? ମୋତେ ଏଠାରେ ରହିବାକୁ ଜାଗା ମିଳିବ ? ହଁ, ଈଶ୍ୱର ତୁମକୁ ବଡ଼ଲୋକ କରିଚନ୍ତି । ତୁମେ ମତେ ‘‘ତୁ ତା କରୁ ନାହଁ, ଆପଣ ବୋଲି ଡାକୁଚ ।’’ ‘‘ଯାଆନ୍ତୁ, ଆସନ୍ତୁ’’ ବୋଲି କହୁଚ । ଆପଣ ନିଶ୍ଚୟ ଜଣେ ମହତ୍‌ ଲୋକ । ମୁଁ କଏଦିଖାନାରେ ରହି ପଦପଦକେ ଶଳା, ବଦମାସ, ପାଜି, ସଏତାନ୍‌ ଶୁଣିଚି । ମାଡ଼ରେ ମୋ ପିଠିର ମେରୁ ହାଡ଼ ଭାଜିଯାଇଛି । ମୁଁ କିପରି ବିଶ୍ୱାସ କରିବି ଯେ ଆପଣ ମୋତେ ଏଠି ଜାଗା ଦେବେ ? ତେଣୁ ମୁଁ ମୋର ସବୁ କଥା ଫେଡ଼ି କହିଲି । ଆହା ! ଧନ୍ୟ ସେ ବୁଢୀ ଯେ ମୋତେ ଏଠୁକୁ ଆସିବାକୁ ବତେଇଦେଲା । ମୁଁ ଏଠି ଥାଳିରେ ଖାଇବି, ଖଟରେ ଚାଦର ପକାଇ ଶୋଇବି; ଊଣିଶ ବର୍ଷ କାଳ ଯାହାକି ଦିନେ ଭାଗ୍ୟରେ ଘଟି ନାହିଁ । ମୋ ପାଖେ ଟଙ୍କା ଅଛି, ଯାହା କହିବ, ଦେବି । ଆଚ୍ଛା, ଆପଣଙ୍କ ନାମ କଣ କହିଲ ! ଏଟା ଆପଣଙ୍କ ଚଟିଘର ନା କଣ ?

 

‘‘ନା, ଗୋଟାଏ ମଠ । ମୁଁ ଜଣେ ବାବାଜୀ । ‘‘

 

‘‘ଓଃ, ବାବାଜୀ ! ତେବେ ତ ଆପଣ ଖୁବ୍‌ଭଲ ଲୋକ ହବ । ମତେ ତେବେ ଖାଇବାକୁ ପଇସା ଦବାକୁ ପଡ଼ିବ ନାହିଁ ।’’ କହି, ପାଣୁ ନାଏକ ବୁଜୁଳାଟି ଥୋଇ ବସି ପଡ଼ିଲା । ସେ ପୁଣି କହିଲା, ‘‘ଆପଣ ବାବାଜୀ ଲୋକ । ଦୁନିଆ ଛାଡ଼ି ଧର୍ମ କରୁଚ । ମୋଠୁ ପଇସା ନବ ନାହିଁ ? ଠିକ୍‌ କହ ଦେଖି ।’’

 

‘‘ନା, ଆପଣଙ୍କ ପଇସା ଆପଣ ରଖନ୍ତୁ । କେତେ ଦିନରେ ଏତକ ରୋଜଗାର କରିଥିଲେ ?’’

 

‘‘ଊଣିଶ ବର୍ଷରେ ।’’

‘‘ଊଣିଶ ବର୍ଷ !’’ ମହନ୍ତ ଏକ ଦୀର୍ଘନିଶ୍ୱାସ ପକାଇଲେ ।

 

ପାଣୁ ନାଏକ ପୁଣି କହିଲାଗିଲା, ‘‘ପଇସା ଅର୍ଜିବା କଣ ସହଜ କଥା ? ସକାଳୁ ସଞ୍ଜ ଯାଏ ହାଡ଼ଭଙ୍ଗା ମେହନତ କରିଥିଲି ବୋଲି ଏତକ ସାଙ୍ଗରେ ଆଣିଚି । ଆପଣ ବାବାଜୀ ଲୋକ, ତୁମର କି ପରବାୟ । ଆମ କଏଦିଖାନାକୁ ଥରେ ଜଣେ ବାବାଜୀ ଯାଇଥିଲେ । କଏଦିମାନେ ସମସ୍ତେ ତାଙ୍କ ପାଖେ ଯାଇଁ ରୁଣ୍ଡ ହେଲୁଁ । ସେ କଣ ଭଲ କଥା ସବୁ କହିଲେ । ମୁଁ ପଛରେ ପଡ଼ିଗଲି, କିଛି ଶୁଣିପାରିଲି ନାହିଁ ।’’

 

ବିଷ୍ଣୁପ୍ରିୟା ଦୁଇଗୋଟି ଥାଳିରେ ପ୍ରସାଦ ନେଇ ଆସି ପହଞ୍ଚିଲେ । ମହନ୍ତ ମହାରାଜ ପ୍ରଥମେ ପାଣୁ ନାଏକକୁ ଠା’ ରେ ବସିବାକୁ କହି, ପରେ ନିଜେ ବସିଲେ । ଖାଇବା ସ୍ଥାନରେ ଭଲ ଆଲୁଅ ନୋହିବାରୁ ମହନ୍ତ ମହାରାଜ ତାଙ୍କ ରୂପା ରୁଖାଟି ମଣି ଦୀପ ଜାଳିବାକୁ ବରାଦ କଲେ । ରୁଖାଟି ଗୋଟିଏ ଛୋଟିଆ ସିନ୍ଦୁକ ମଧ୍ୟରେ ମହନ୍ତଙ୍କ ଶୟନକକ୍ଷ ପିଣ୍ଡିପାଖେ ଥୁଆ ହୋଇଥିଲା । ବିଷ୍ଣୁପ୍ରିୟା ସିନ୍ଦୁକ ଫିଟାଇ, ରୁଖା ଆଣି ପାଣୁ ନାଏକ ପାଖେ ଖାଇବା ସ୍ଥାନରେ ରଖି ଦୀପ ଜାଳିଲେ-। ପାଣୁ ନାଏକ ଖାଉ ଖାଉ ଖୁବ୍‌ ଖୁସି ହୋଇ କହିଲେ, ‘‘ବାବାଜୀ ଆପଣେ, ତୁମେ ମୋ ପାଇଁ କେତେ ଯତ୍ନ କରୁଚ । ତୁମେ କଣ ମୋତେ ଚିହ୍ନିଚ; ନା ମୁଁ ତୁମର ଆପଣାର କେହି ?’’

 

ମହନ୍ତ ଉତ୍ତରରେ କହିଲେ, ‘‘ଏଠାକୁ ଯେ; ଆସନ୍ତି, ମୁଁ ତାଙ୍କୁ ନାମ ଧାମ ଖୋଜି ଏଠି ରଖେ ନାହିଁ । ଯାହାର କିଛି ଦୁଃଖ କଷ୍ଟ ଥାଏ, ସେ ଏ ଦ୍ୱାର ଫିଟାଇ ଭିତରକୁ ଆସେ । ଆପଣ ଆଜି ଅଭାବରେ ପଡ଼ିଚନ୍ତି । ତହୁଁ ଏଠାକୁ ଆସିଛନ୍ତି । ଏସବୁ ଆପଣଙ୍କର । ଆପଣଙ୍କ ନାମ ଧାମ ଜାଣି ମୋର କି ଲାଭ ? ତା ପରେ ପୁଣି ଆପଣ ତ ନିଜ ପରିଚୟ ମତେ କହିଲେ । ପ୍ରଭୁ ଆପଣଙ୍କର ମଙ୍ଗଳ କରନ୍ତୁ ।’’

 

‘‘ବାବାଜୀ ଆପଣେ ! ଆପଣ ବଡ଼ ଦୟାବନ୍ତ ଲୋକ । ମୋତେ ବଡ଼ କଷ୍ଟ ହେଉଥିଲା-। ଭୋକରେ ପେଟ ଜଳିଯାଉଥିଲା । ଶୋଷରେ ଜିଭ ପେଟ ଭିତରକୁ ଚାଲିଯାଉଥିଲା । ମୋତେ ବଞ୍ଚାଇ ଦେଲ, ମୋ ପ୍ରାଣ ରଖିଲ । ମୁଁ ଆପଣଙ୍କ ପୁଅ ହେଲି । ଆପଣ ମୋ ବାପ ।

 

ମହନ୍ତ ମହାରାଜ ତାଙ୍କର ସେ ସନ୍ଧ୍ୟାର ଅତିଥି ଆଡ଼କୁ ଚାହିଁଲେ, ଗୋଟାଏ ଦୀର୍ଘ ନିଶ୍ୱାସ ପକାଇଲେ । ଏବଂ ପରେ କୋମଳ ବଚନରେ କହିଲେ, ‘‘ଦେଖୁଛି ଆଜି ଆପଣ ବଡ଼ କଷ୍ଟ ପାଇଛନ୍ତି ।’’

Image

 

ଢିଙ୍କି ସ୍ୱର୍ଗକୁ ଯାଇ ଧାନ କୁଟିଲା

 

ମହନ୍ତ ମହାରାଜ ଓ ପାଣୁ ନାଏକ ଏକାଠି ଖାଇଲାବେଳେ ପାଣୁ ନାଏକ ପାଟିରୁ ବିଶେଷ କିଛି କଥା ବାହାରିଲା ନାହିଁ । ସେ ଏକ ଧ୍ୟାନରେ ଗୁଣ୍ଡାକ ପରେ ଗୁଣ୍ଡାଏ ଗିଳିବାରେ ଲାଗିଲା । ଖାଇସାରି ସେ ଗୋଟାଏ ପ୍ରକାଣ୍ଡ ହାକୁଟି ମାରି କହିଲା, ‘‘ମୁଁ କାଲି ବଡ଼ି ସକାଳୁ ସୂର୍ଯ୍ୟ ଉଦୟ ନ ହେଉଣୁ ଉଠି ଚାଲିଯିବି ।’’

 

‘‘ଆଚ୍ଛା, ବର୍ତ୍ତମାନ ଶୁଅନ୍ତୁ ତ । କାଲି କଥା ଫେରେ ବୁଝା ଅଛି’’-କହି, ମହନ୍ତ ମହାରାଜା ପାଣୁ ନାଏକକୁ ତାର ଶୋଇବା ସ୍ଥାନକୁ ଘେନିଗଲେ । ମହନ୍ତ ମହାରାଜଙ୍କ ଶୟନକକ୍ଷ ବାଟେ ଗଲାବେଳେ ସେ ଦେଖିଲେ ଯେ ସେଠାରେ ବିଷ୍ଣୁପ୍ରିୟା ସିନ୍ଦୁକ ଭିତରେ ରୂପା ରୁଖାଟି ରଖୁଛନ୍ତି । ସେଥିରେ ଆଖି ପକାଇ ପାଣୁ ନାଏକ ଚାଲିଗଲା । ମହନ୍ତ ମହାରାଜ ତାକୁ ଶୋଇବାକୁ ଅନୁରୋଧ କରି କହିଲେ, ‘‘ନିଶ୍ଚିନ୍ତରେ ଶୁଅନ୍ତୁ ଆପଣ । କାଲି ସକାଳେ ଉଠି, ମୁହଁ ହାତ ଧୋଇ କିଛି ପ୍ରସାଦ ପାଇ ଚାଲିଯିବେ ।’’

 

କହି, ମହନ୍ତ ମହାରାଜ ଫେରିବାକୁ ମୁହଁ ବୁଲାଇଲେ । ମାତ୍ର ସେତେବେଳେ ହଠାତ୍‌ ଯେ ଗୋଟାଏ ଘଟଣା ଘଟିଲା, ତହିଁରେ ଖୁବ୍‌ ଧୈର୍ଯ୍ୟଶାଳୀ ଲୋକର ମଧ୍ୟ ଧୈର୍ଯ୍ୟଚ୍ୟୁତ ହେବାର କଥା । ମାତା ବିଷ୍ଣୁପ୍ରିୟା ସେଠାରେ ଥିଲେ, ହୁଏତ ତାଙ୍କର ଚେତା ବୁଡ଼ି ଯାଇଥାନ୍ତା । ପାଣୁ ନାଏକ ମହନ୍ତ ମହାରାଜାଙ୍କୁ ଡାକି କହିଲେ, ‘‘ବାବାଜୀ, ତୁମେ ଏ ପାଖ ଘରେ ଶୋଇବ ନା ? ଆଚ୍ଛା; ମୁଁ ରାତିରେ ଖୁଣ କରିବି ନାହିଁ ବୋଲି କେମିତି ଜାଣିଲ ଯେ ମୋତେ ତୁମେ ପାଖରେ ଶୋଇବାକୁ ଦେଉଛ ?’’

 

‘‘ସେଥିରେ ମୋର କଣ ଅଛି ? କହି, ମହନ୍ତ ମହାରାଜ ପାଣୁ ନାଏକକୁ ଆଶୀର୍ବାଦ କଲେ । ତହୁଁ ସେ ସେ କୋଠରୀ ଛାଡ଼ି, ବଗିଚା ଭିତରେ ବୁଲିବାକୁ ଗଲେ । ପାଣୁ ନାଏକ ଶୋଇପଡ଼ିଲା । ମହନ୍ତ ମହାରାଜ ଅନ୍ୟାନ୍ୟ ଦିନ ଅପେକ୍ଷା ସେଦିନ ରାତିରେ ବେଶି ସମୟ ବଗିଚାରେ ବୁଲି ହରିନାମ ସ୍ମରଣ କଲେ । ସେ ଫେରିବାବେଳେ ଦେଖିଲେ ପାଣୁ ନାଏକ ଗାଢ଼ ନିଦରେ ଶୋଇ ଘୁଙ୍ଗୁଡ଼ି ମାରୁଛି । ସେ କ୍ଲାନ୍ତ ହୋଇଥିଲେ; ଆଉ ବିଳମ୍ୱ ନ କରି ଶୋଇପଡ଼ିଲେ ।

 

ରାତି ଅଧରେ ଚାରିଆଡ଼ ଯେତେବେଳେ ନିଃଶବ୍ଦ ହେଲା ଏବଂ ନିଶା ଗର୍ଜୁଥିଲା, ସେତେବେଳେ ପାଣୁ ନାଏକ ନିଦରୁ ଉଠିଲା । ସେ ଜାତିରେ ଶୁଦ୍ଧ । ଅର୍ଥାଭାବରୁ ତା ପୂର୍ବପୁରୁଷମାନେ ବହୁ କାଳରୁ କରଣ ହେବାର ପ୍ରୟାସ ଏକାବେଳକେ ଛାଡ଼ି, ସେହି ଶୁଦ୍ଧ ହୋଇ ପଡ଼ି ରହିଥିଲେ । ତାର ବୁଦ୍ଧି ବୃତ୍ତି ସେପରି ପ୍ରଖର ନ ଥିଲା । ତା ପିଲାଦିନୁଁ ବାପ ମା ଦୁହେଁ ମରି ଯାଇଥିଲେ । ସୁତରାଂ ପାଣୁ ନାଏକକୁ ତା ବଡ଼ ଭେଣୋଇ ଘରେ କାଳ କାଟିବାକୁ ହୋଇଥିଲା-। ଭେଣୋଇ ରୋଜଗାର କରି ନିଜର ସାତଗୋଟି ପୁଅ ଝିଅଙ୍କୁ ଯେପରି ପୋଷୁଥିଲେ, ସେମାନଙ୍କ ସହିତ ପାଣୁକୁ ମଧ୍ୟ ଖୁଆଇ ପିଆଇ ରଖୁଥିଲେ । ପାଣୁର ପଚିଶ ବର୍ଷ ବୟସରେ ଭେଣୋଇଙ୍କର ମୃତ୍ୟୁ ହେଲା । ସେତେବେଳେ ତାଙ୍କ ବଡ଼ ପୁଅର ବୟସ ଆଠ ବର୍ଷ ଏବଂ ସବୁଠାରୁ ସାନପୁଅର ବୟସ ବର୍ଷେ ମାତ୍ର । ଭଉଣୀ ଏବଂ ତାର ସାତଗୋଟି ପିଲାଙ୍କ ଭରଣ ପୋଷଣ ଭାର ପାଣୁ ଉପରେ ପଡ଼ିଲା । ପାଣୁ ଦିନଯାକ କଠିନ ପରିଶ୍ରମ କରି ଯାହା ରୋଜଗାର କରେ, ସେଥିରେ ସମସ୍ତଙ୍କର ଖାଇବା ପିନ୍ଧିବା ଖର୍ଚ୍ଚ କୌଣସି ପ୍ରକାରେ ଚଳିଯାଏ । ମାତ୍ର, ପିଲାମାନେ ଦୁଃଖ କଷ୍ଟ ପାଇଲେ, ସେଥିରେ ପାଣୁର ମନରେ ଦୁଃଖ ହୁଏ ନାହିଁ । ତା ହୃଦୟରେ ପ୍ରକୃତି ମାୟା ମମତା ପାଇଁ ସ୍ଥାନ ଛାଡ଼ି ନ ଥିଲା, କହିଲେ ଚଳେ ।

 

ସେ ସମୟରେ ଆନନ୍ଦ ସାହୁ ଗୁଡ଼ିଆର ମିଠାଇ ଦୋକାନ ପ୍ରସିଦ୍ଧ ହୋଇପଡ଼ିଥିଲା । ଦିନେ ରାତିରେ ଦୋକାନ ଦ୍ୱାର ବନ୍ଦ ଥିବାବେଳେ ହଠାତ୍‌ ପଞ୍ଜର ବାଟେ ଭିତରକୁ ଗୋଟାଏ ହାତ ପଶିଲା ଦେଖି ଆନନ୍ଦ ସାହୁର ଭୟ ହେଲା । ସେ ‘‘କିଏ କିଏ’’ ବୋଲି ପାଟି କଲା । ସେତେବେଳେ ହାତଟା ଗୋଟାଏ ମିଠାଇ ଧରି ପଞ୍ଜରବାଟେ ପୁଣି ବାହାରି ପଡ଼ିଲା; କିନ୍ତୁ ହାତ ପଞ୍ଜର କାଠିରେ ବାଜି ଚମ ଛିଡ଼ିଗଲା । ସେଥିରୁ ରକ୍ତ ବୋହିଲା । ଆନନ୍ଦ ସାହୁ ଦ୍ୱାର ଫିଟାଇ ଦେଖିଲା ଯେ ଗୋଟାଏ ଲୋକ ହାତରେ ମିଠାଇ ଧରି ପଳାଉଛି । ସେ ଗୋଡ଼ାଇବାରୁ ଲୋକଟା ମିଠାଇ ପକାଇ ଦେଇ ଧାଇଁବାରେ ଲାଗିଲା । ମାତ୍ର ସେ ଧାଇଁ ପଳାଇ ପାରିଲା ନାହିଁ, ଧରା ହେଲା । ବିଚାରରେ ତାର ପାଞ୍ଚବର୍ଷ ଜେଲ ଦଣ୍ଡ ହେଲା । ସେହି ଅପରାଧୀ, ପାଣୁ ନାଏକ ।

 

ପାଣୁ ନାଏକ କଟକ ଜେଲଖାନାରେ ରହିଲା । ଜେଲଖାନାରେ ତାର ନାମର ଚିହ୍ନ ରହିଲା ନାହିଁ । ସେ ତାର ସଂଖ୍ୟା ଦ୍ୱାରା ପରିଚିତ ହେଲା । ତାର ସଂଖ୍ୟା ଥିଲା- ୨୧୭ । ଚାରି ବର୍ଷ ଜେଲଖାନାରେ ରହିବା ପରେ ସେ ଦିନେ ଲୁଚି ପଳାଇଯାଇ, ଦୁଇ ଦିନ ନିମନ୍ତେ ବାହରେ ସ୍ୱାଧୀନ ଭାବରେ ବୁଲିବାକୁ ଲାଗିଲା । ଦ୍ୱିତୀୟ ଦିନ ସନ୍ଧ୍ୟାବେଳେ ଜେଲଖାନାର କର୍ମଚାରୀମାନେ ତାକୁ ଧରିଲେ । ସେଥିରେ ତାର ପୁଣି ତିନିବର୍ଷ ଜେଲଦଣ୍ଡ ହେଲା । ଷଷ୍ଠ ବର୍ଷରେ ସେ ଆଉଥରେ ପଳାଇବାକୁ ଚେଷ୍ଟା କଲା । ସେ ଚେଷ୍ଟା ଫଳରେ ସେ ଯାଇ ତ ପାରିଲା ନାହିଁ, ବରଂ ଆହୁରି ପାଞ୍ଚବର୍ଷ ଜେଲଦଣ୍ଡ ପାଇଲା । ଜେଲରେ ରହିବାର ଦଶମ ବର୍ଷରେ ସେ ସ୍ୱାଧୀନତା ପାଇବାକୁ ଆଉ ଥରେ ଚେଷ୍ଟା କଲା । ସେଥିପାଇଁ ତାର ଆଉ ତିନିବର୍ଷ ଜେଲଦଣ୍ଡ ହେଲା । ତେର ବର୍ଷ କାଳ ଜେଲଖାନାରେ କଟାଇ ସେ ଆଉ ସେଠାରେ ରହିପାରିଲା ନାହିଁ; ବାହାରି ପଳାଇବାକୁ ବସିଲା । ମାତ୍ର ଧରାପଡ଼ି ପୁଣି ତିନି ବର୍ଷ ଜେଲଦଣ୍ଡରେ ଭାଗୀ ହେଲା । ଏହିପରି ଦଣ୍ଡ ପରେ ଦଣ୍ଡ ମିଶି ତାର ଊଣିଶ ବର୍ଷ କାଳ ଜେଲଖାନାରେ କଟିଲା । ଊଣିଶ ବର୍ଷ ପରେ ସେ ମୁକ୍ତି ଲାଭ କଲା । ସେ ପ୍ରଥମେ ଜେଲଖାନାକୁ ଗଲାବେଳେ କାନ୍ଦି କାନ୍ଦି ନିତାନ୍ତ ଅନିଚ୍ଛାସତ୍ତ୍ୱେ ଯାଇଥିଲା । କିନ୍ତୁ ଜେଲଖାନାରୁ ବାହାରିଲାବେଳେ ତାର ଇଚ୍ଛା ଅନିଚ୍ଛା ନାହିଁ; ତା ନିକଟରେ ହସ କାନ୍ଦର ପ୍ରଭେଦ ଅତି ଅଳ୍ପ ।

 

ପାଣୁ ନାଏକ ଦେହରେ ଭାରି ବଳ ଥିଲା । ସେ ଏକାରେ ଚାରିଜଣଙ୍କର କାମ କରିପାରେ । ଯେଉଁ ତେଲଘଣା ତିନି ଜଣ କଏଦି ଏକାଠି ମିଶି ବୁଲାଇପାରନ୍ତି ନାହିଁ, ପାଣୁ ନାଏକ ଏକାରେ ତାହା ଚଳାଏ । ସେଥିପାଇଁ ତାକୁ ଜେଲ୍‌ଖାନାର କଏଦିମାନେ ‘‘ଭୀମ’’ ନାମ ଦେଇଥିଲେ-। ଜେଲଖାନା ଭିତରେ ଦଶ ପାଞ୍ଚ ଜଣ ମିଶି ଯେ କାମ କରିପାରନ୍ତି ନାହିଁ, ସେ କାମ ଉଠାଇବା ନିମନ୍ତେ ସମସ୍ତେ କହନ୍ତି, ‘‘ଭୀମ ଭାଇକି ଡାକ ।’’ ଦେହରେ ବଳ ଛଡ଼ା ତାର ହାତ କୌଶଳ ମଧ୍ୟ ଥିଲା । ବିଶେଷରେ, ପାଚିରୀର କଣମାନଙ୍କରେ ଗୋଡ଼ ଓ ହାତର ଟିପ ଉପରେ ଭରା ଦେଇ ଉପରକୁ ଉଠିବା କୌଶଳଟା ତାକୁ ଖୁବ୍‌ ଜଣାଥିଲା । ସେ ବେଶି କଥା କହେ ନାହିଁ । ଜେଲଖାନାରେ ଥିବାବେଳେ ଊଣିଶ ବର୍ଷ ମଧ୍ୟରେ ସେ କେବେ ହସିବାର କେହି ଦେଖି ନାହାନ୍ତି । ସେ ବସି ବସି ବରାବର କଣ ଭାବୁଥାଏ । ତାକୁ ଏକା ଦେଖିଲେ ଅନ୍ୟାନ୍ୟ କଏଦିମାନଙ୍କୁ ଭୟ ଲାଗେ । ଥରେ ଗୋଟାଏ କଏଦି ଟୋକା ଏକା ତା ହାବୁଡ଼ରେ ପଡ଼ି ଭୟରେ ଝାଡ଼ା ଫେରି ପକାଇଥିଲା ।

 

ଊଣିଶ ବର୍ଷ କାଳ ଜେଲଖାନାରେ ରହି ସେ ସରକାରୀ ଆଇନ୍‌ ଓ ଅଦାଲତକୁ ଖୁବ୍‌ ଘୃଣା କରିବାକୁ ଶିଖିଥିଲା । କେବଳ ସେତିକି ନୁହେଁ; ମନୁଷ୍ୟ ଜାତି ପ୍ରତି ମଧ୍ୟ ତା ମନରେ ଘୃଣା ଜନ୍ମିଥିଲା । ଜେଲଖାନାର କର୍ତ୍ତୃପକ୍ଷମାନେ ତାର ଏ ଆନ୍ତରିକ ଭାବର ପରିଚୟ ହୁଏତ ପାଇଥିଲେ-। ସେଥିପାଇଁ ସେମାନେ ତାକୁ ଜେଲଖାନାରୁ ମୁକ୍ତି ଦେଲାବେଳେ ତା ‘‘ପରିଚୟ ପଟ୍ଟା’’ ଖଣ୍ଡିକ ଉପରେ ଲେଖି ଦେଇଥିଲେ ଯେ ସେ ଜଣେ ‘‘ମାରାତ୍ମକ ଲୋକ ।’’ ଜେଲଖାନାରେ ଊଣିଶ ବର୍ଷ ରହିବା ମଧ୍ୟରେ ତା ଆଖିରୁ ଦିନେ ଟୋପାଏ ଲୁହ ବୋହି ନ ଥିଲା ।

 

ଜେଲଖାନାରୁ ବାହାରିଲା ଦିନ ତା କାନରେ ଯେତେବେଳେ କୁହାଗଲା, ‘‘ତୁ ଆଜି ଖଲାସ ହେଲୁ’’ ସେ ପ୍ରଥମେ ତା ଅର୍ଥ ବୁଝିପାରିଲା ନାହିଁ; ପୁଣି ଯେତେବେଳେ ବୁଝିଲା, ବିଶ୍ୱାସ କରି ପାରିଲାନାହିଁ । ଏବଂ ଶେଷରେ ଯେତେବେଳେ ବିଶ୍ୱାସ କଲା, ତା ମନରେ ଗୋଟାଏ ବିକଟ ଆନନ୍ଦ ଜନ୍ମିଲା । ଜେଲଖାନାରେ କାମ କରିବା ନିମନ୍ତେ ମଜୁରି ସ୍ୱରୂପ ସେ ଯେତେ ଟଙ୍କା ପାଇବ ବୋଲି ମନେ ମନେ ହିସାବ ଯୋଡ଼ିଥିଲା, ତାଠାରୁ ବହୁତ କମ୍‌ ପାଇଲା । ସେଥିପାଇଁ ତା ମନରେ ଦୁଃଖ ହେଲା । ସେ ବୁଝିପାରିଲା ଯେ କର୍ମଚାରୀମାନେ ତାକୁ ଠକିଦେଲେ । ଜେଲଖାନାରୁ ଯାଇ ସେ ବାହାରେ ଗୋଟାଏ ଜାଗାରେ ପ୍ରଥମ ଦିନ କାମ କଲା । ମାତ୍ର ଅନ୍ୟମାନେ ଯେ ମଜୁରି ପାଇଲେ ପାଣୁ ନାଏକ ତାର ଅଧେ ପାଇଲା । ସେ ବେଶି ମାଗିବାରୁ ମଜୁରି ଦେବାବାଲା କହିଲା, ‘‘ଦେଖ୍‌, ପାଟି ଫାଟି କରନା । କଲେ ମାମୁଁଘର ଯିବୁ ।’’ ମାମୁଁ ଘର ନାମ ଶୁଣି ପାଣୁ ନାଏକ ଆଉ ମଜୁରି ନ ମାଗି ଚାଲିଗଲା । ସେହିଠାରୁ ଆସି, ଦିନଯାକ ବାଟ ଚାଲି ସୁନ୍ଦରପୁର ଗ୍ରାମରେ କୌଣସିଠାରେ ଆଶ୍ରୟ ନ ପାଇ; ସେ ପରିଶେଷରେ ଯାଇ ମଠରେ ରହିଥିଲା ।

 

ମଠରେ ପ୍ରାୟ ଚାରି ଘଣ୍ଟାକାଳ ସେ ନିଶ୍ଚିନ୍ତରେ ଏକ ନିଦରେ ଶୋଇ; ଅଧରାତିରେ ଯେତେବେଳେ ହଠାତ୍‌ ନିଦରୁ ଉଠିଲା; ଦେଖିଲା ଯେ ଚାରିଆଡ଼ ଭାରି ଅନ୍ଧାର ହୋଇଛି । ତହୁଁ ସେ ଆଉଥରେ ନିଦରେ ଶୋଇବାକୁ ଚେଷ୍ଟା କଲା; କିନ୍ତୁ ତାକୁ ନିଦ ଲାଗିଲା ନାହିଁ । ମନରେ କୌଣସି ଗୋଟାଏ ଭାବ ଖେଳୁଥିବା ବେଳେ ମନୁଷ୍ୟ ପ୍ରଥମରୁ ଥରେ ଶୋଇ ପଡ଼ିପାରେ; ମାତ୍ର ପ୍ରଥମ ନିଦ ଭାଜିଗଲେ, ତା ପରେ ଆଉଥରେ ନିଦ ଲାଗିବା ଏକ ବଡ଼ କଠିନ ବ୍ୟାପାର । ସେ ରାତିରେ ପାଣୁ ନାଏକର ତାହାହିଁ ଘଟିଲା । ନିଦ, ନ ଲାଗିବାରୁ ତା ମନରେ ନାନା ଚିନ୍ତା ଜାତ ହେଲା । କେତେ ଚିନ୍ତା ଥରେ ଆସି ଯେ ଚାଲିଗଲା, ତାହା ପୁନରାୟ, ନଦୀର ସ୍ରୋତ ପରି ଆଉ ଫେରିଲାନାହିଁ । କିନ୍ତୁ ଗୋଟାଏ ଚିନ୍ତା ଶଗଡ଼ ଚକ ସମାନ ବାରମ୍ବାର ଆସି ଦେଖାଦେଲା । ବିଷ୍ଣୁପ୍ରିୟା ଖାଇବାଘରେ ଯେ ରୁଖାଟିରେ ଦୀପ ଜାଳିଥିଲେ ଏବଂ ଖାଇବାପରେ ନେଇ ସିନ୍ଦୁକରେ ବନ୍ଦ କଲେ, ସେ ମୂଲ୍ୟବାନ ଚକଚକିଆ ଜିନିଷଟିର ଭାବନା ସେ ମନରୁ ଦୂର କରିପାରିଲା ନାହିଁ । ସେହିଟି ପାଖ ଘରେ ସାମାନ୍ୟ କେତେହାତ ଅନ୍ତରରେ ରଖା ହୋଇଛି । ତାର ମୂଲ୍ୟ କଣ ଶହେଟଙ୍କାରୁ ଊଣା ହେବ ? ସେ ଜେଲଖାନାରେ ଊଣିଶ ବର୍ଷ କାଳ କଠିନ ପରିଶ୍ରମ କରି ପଚାଶ ଟଙ୍କା ମାତ୍ର ରୋଜଗାର କରିଛି । ଏବେ ମୁହୂର୍ତ୍ତେ ଟିକିଏ ସାମାନ୍ୟ ମେହନତ କଲେ, ଶହେ ଟଙ୍କା ଉପାର୍ଜନ ହେବ । ଏପରି କଥା କଣ ଭାଗ୍ୟରେ ଘଟେ ? ତା ମନରେ ଏ ଚିନ୍ତା ବାରମ୍ବାର ଆସି ଉପସ୍ଥିତ ହେଲା

 

ଫାଣ୍ଡିରେ ଘଣ୍ଟା ଠଣଠଣ ହୋଇ ତିନିଟା ବାଜିଲା । ଶୀଘ୍ର ସକାଳ ହୋଇଯିବ । ତାହାହେଲେ ତ ଆଉ ସେ ମୁହୂର୍ତ୍ତକର ଉପାର୍ଜନ ସମ୍ଭବପର ହେବ ନାହିଁ । ସୁତରାଂ ପାଣୁ ନାଏକ ହଠାତ୍‌ ଶେଯରୁ ଉଠି ବସିଲା । ସେ କଣ ଭାବି ପୁଣି ଶୋଇଲା ଏବଂ ଆଉ ଏକ ମୁହୂର୍ତ୍ତ ଚିନ୍ତା କରି ପୁନରାୟ ଉଠି ବସିଲା । ବସିବାଠାରୁ ସେ ଉଠି ଠିଆ ହେଲା, ତା ପରେ ହଠାତ୍‌ ତାର ମୁହଁରୁ ସ୍ୱର ଶୁଣାଗଲା, ‘‘ନା’’ । ତହୁଁ ସେ ଶେଯରେ ଶୋଇପଡ଼ିଲା । ମାତ୍ର ପୁଣି ସେ ବସିଲା ଏବଂ ବସିବାଠାରୁ ଉଠି ଠିଆ ହେଲା । ବାରମ୍ୱାର ଶୋଇବା ବସିବା ଏବଂ ଠିଆ ହେବାରେ ଯେ କେତେ ସମୟ ଅତୀତ ହେଲା, ସେ ସମୟର ମନର ଅବସ୍ଥାରେ ତାର ବୁଝିପାରିବା ଅସମ୍ଭବ । ମାତ୍ର ତାର ଏ ପ୍ରକାର ଆନ୍ଦୋଳନ ହଠାତ୍‌ ବନ୍ଦ ହୋଇଗଲା । ସେ ଶେଷରେ ଥରେ ଠିଆ ହୋଇଥିବା ବେଳେ ଫାଣ୍ଡିର ଘଣ୍ଟାରେ ଚାରି ବାଜିଲା । ଶୁଣି, ସେ ମନେ କଲା, ‘‘ଏ ତ ଘଣ୍ଟା ବାଜୁ ନାହିଁ । ମୋତେ କହୁଚି, କାମ ଶୀଘ୍ର ସାର୍‌ ।’’

 

ପାଣୁ ନାଏକ ପାଦେ ଦୁଇପାଦ ଅଗ୍ରସର ହେଲା । ସେ ଦେଖିଲା, ସବୁଆଡ଼ ଅନ୍ଧାର; ସେ ଶୁଣିଲା, ଚତୁର୍ଦ୍ଦିଗ ନିଃଶବ୍ଦ ନବମୀର ଚନ୍ଦ୍ର କେତେବେଳୁ ଅସ୍ତ ହୋଇ ଯାଇଥିଲା । ମଠର ସମସ୍ତେ ଗାଢ଼ ନିଦରେ ଶୋଇ ପଡ଼ିଥିଲେ । ସେ ଅଣ୍ଡାଳି ଅଣ୍ଡାଳି ମହନ୍ତଙ୍କ ଶୟନାଗାରରେ ଯାଇ ଉପସ୍ଥିତ ହେଲା । ତାଙ୍କ ନିଦ ଭାଜିଲା ନାହିଁ । ତାହା ଦେଖି ତା ସାହସ ବଢ଼ିଗଲା । ଧୀରେ ଧୀରେ ସିନ୍ଦୁକଟି ଫିଟାଇ ରୁଖାଟି କାଢ଼ି ତଳେ ରଖିଲା । ତାର ଛାତି ଦୁକ୍‌ଦୁକ୍‌ କମ୍ପିବାକୁ ଲାଗିଲା । ସେ ମନେକଲା, ଯେପରିକି ମହନ୍ତ ଉଠି ପଡ଼ୁଛନ୍ତି ଏବଂ କହୁଛନ୍ତି, ‘‘କାଢ଼ନା, ସିନ୍ଦୁକରେ ରଖିଦେ ।’’ ସେ ରୁଖାଟି ପୁଣି ସିନ୍ଦୁକରେ ରଖିଲା ଏବଂ କିଛି ସମୟ ପରେ ପୁନରାୟ କାଢ଼ି ତଳେ ଥୋଇଲା । ସେତେବେଳେ ଖୁଡ଼୍‍କିନା ଶବ୍ଦ ହେଲା । ସେଥିରେ ସେ ଚମକି ପଡ଼ିଲା । ତା ନିଶ୍ୱାସ ବନ୍ଦ ହୋଇ ଆସିଲା । ମାତ୍ର ସେ ପର ମୁହୂର୍ତ୍ତରେ ସାହସ ବାନ୍ଧି ଦେଖିଲା ଯେ କେହି କାହିଁ ନାହିଁ; କେବଳ ମହନ୍ତ ଶୋଇ ଘୁଙ୍ଗୁଡ଼ି ମାରୁଛନ୍ତି । ତହୁଁ ରୁଖାଟି ହାତରେ ଧରି ସେ ଯେଉଁ ଖାଇବା ଘରବାଟେ ଦାଣ୍ଡରୁ ଆସିଥିଲା ସେହି ଘରବାଟେ ପୁଣି ଦାଣ୍ଡକୁ ଚାଲିଗଲା ।

Image

 

ସତ୍‌ସଙ୍ଗର ପରିଣାମ

 

ଆରଦିନ ସକାଳେ ମହନ୍ତ ମହାରାଜ ଅଭ୍ୟାସ ଅନୁସାରେ ସବୁଦିନ ପରି ଅତି ଭୋର୍‌ରୁ ଶେଯରୁ ଉଠି ବଗିଚାକୁ ବୁଲିବାକୁ ଗଲେ । ପ୍ରଭାତର ପ୍ରଥମ ଆଲୋକରେ କୁଆମାନେ ଗଛ ଡାଳରେ ବସି କାଆ କାଆ ରାବିବାକୁ ଲାଗିଲେ । ଗଙ୍ଗଶିଉଳି ଗଛରୁ ଫୁଲ ଝଡ଼ି ତଳେ ଗୋଟିଏ ପୁଷ୍ପଶଯ୍ୟା ରଚିତ ହୋଇଥିଲା । ଉଷାର ମୋହନ ଦୃଶ୍ୟ ଦେଖି ଓ ମଧୁର ଧ୍ୱନି ଶୁଣି, ମହନ୍ତ ଆନନ୍ଦରେ ଅଭିଭୂତ ହେଉଛନ୍ତି, ଏପରି ସମୟରେ ବିଷ୍ଣୁପ୍ରିୟା ଧଇଁସଇଁ ହୋଇ ଧାଇଁଆସି, ଦୂରରୁ ପାଟି କରି କହିଲେ, ‘‘ମହାତ୍ମା, ସେ ଲୋକଟା କାହିଁ ? ସିନ୍ଦୁକ ଫିଟିଚି । ରୂପା ରୁଖାଟି ନାହିଁ । ସେ ଲୋକଟା ନିଶ୍ଚୟ ଚୋରି କରି ନେଇ ପଳେଇଚି ।’’

 

ବିଷ୍ଣୁପ୍ରିୟାଙ୍କ କଥା ଶୁଣି ମହନ୍ତ କୃଷ୍ଣଚରଣ ଦାସ କହିଲେ, ‘‘ଦେଖ, ସାନମାତା, ସେ ରୁଖାଟି କଣ ଆମର ? ମୁଁ ରୋଜ ଭାବେ ଯେ ଆମେ ଗୋଟାଏ ମହା ପାପ କରୁଚେ । ରୂପା ରୁଖା କାହା ଘରେ ଜଳେ ? ତାକୁ ବିକ୍ରି କରି ଆମେ ଦରିଦ୍ର ଲୋକଙ୍କୁ ଯେ ଆଜି ପର୍ଯ୍ୟନ୍ତ ଦାନ କରି ନ ଥିଲେ, ସେଟା କଣ ଗୋଟାଏ ବଡ଼ଦୋଷ ନୁହେଁ ? ଯାଇଚି ଭଲ ହୋଇଚି । ମୁଁ ଏକ ପାପରୁ ପରିତ୍ରାଣ ପାଇଚି । ପାଣୁ ନାଏକ ଯେ ଆସିଥିଲେ, ମୋତେ ପାପରୁ ଉଦ୍ଧାର କରିବାକୁ ଆସିଥିଲେ କହିଲେ ଚଳେ ।’’

 

‘‘ମାତ୍ର ଏଣିକି କେହି ଆସିଲେ ଆଲୁଅ ଜଳିବ କିପରି ?’’

 

‘‘କାଠ ରୁଖାରେ । ଏଇ ତ ହରିପ୍ରିୟା । ଭାବ ଦେଖି ବଡ଼ମାତା, ଆମେ ଆଜି କେଡ଼େ ନିଶ୍ଚିନ୍ତ ହେଇଚେ’’ କହି ମହନ୍ତ ମାତା ଦୁହିଁଙ୍କ ସହିତ ମଠ ଭିତରକୁ ଆସି ଖାଇବା ଘରେ ପହଞ୍ଚିଲେ-। ବାହାରୁ କିଏ ଦୁଆର ଫିଟାଇଲା । ମହନ୍ତ କହିଲେ, ‘‘ଆସ, ବାବା ।’’

 

ତିନିଜଣ ଲୋକ ଜଣକୁ ବାନ୍ଧି ଆଣିଥିଲେ । ସେମାନେ ସମସ୍ତେ ମଠରେ ପଶିଲେ । ବାନ୍ଧି ଆଣିଥିବା ଲୋକମାନେ ପୋଲିସ୍‌ ସିପାହୀ, ବନ୍ଧା ହୋଇ ଆସିଥିବା ଲୋକଟି ପାଣୁ ନାଏକ । ପଛରେ ଆଉ ଜଣେ ବ୍ୟକ୍ତି ଆସି ନମସ୍କାର କରି କହିଲେ, ‘‘ମହନ୍ତ ମହାରାଜ !’’ ପାଣୁ ନାଏକ ଶୁଣି, ମୁଣ୍ଡ ଟେକି, ଗୁଣୁଗୁଣୁ ସ୍ୱରରେ, ନିଜେ କହି ନିଜେ ଶୁଣିଲା ଭଳି କହିଲା, ‘‘ଏ ଯେ ଆଉ କଣ, ବାବାଜୀ ନୁହନ୍ତି ତ ।’’

 

ଜଣେ ସିପାହୀ କହିଲା, ‘‘ଚୁପ୍‌ ସଇତାନ । ପାଟି କରନା ।’’

 

ମହନ୍ତ ମହାରାଜ ଆଗେଇ ଆସିଥିଲେ । ସେ ପାଣୁ ନାଏକ ଆଡ଼କୁ ଅନାଇ କହିଲେ, ‘‘ଆଃ, ଏଇତ ଆପଣ । ମୁଁ ଆପଣଙ୍କୁ ଦେଖି ବଡ଼ ଖୁସି ହେଲି । ଆପଣଙ୍କୁ ମୁଁ ଯେ ରୁଖାଟି ଦେଇଥିଲି, ତାକୁ କଣ ବିକ୍ରି କରିପାରିଲେ ନାହିଁ ?’’

 

ପାଣୁ ନାଏକ ଆଚମ୍ବିତ ହୋଇ ମହନ୍ତଙ୍କ ମୁହଁକୁ ଚାହିଁଲା ।

 

ପୋଲିସ୍‌ କର୍ମଚାରୀ କହିଲେ, ‘‘ମହନ୍ତ ମହାରାଜ, ଏ ଲୋକ ମତେ ଯାହା କହିଚି, ତେବେ ସତ । ଏ ଅଣବାଟରେ ଏପରି ମୂଲ୍ୟବାନ୍‌ ଜିନିଷ ଧରି ଧାଇଁ ଚାଲିଯିବାର ଦେଖିବାରୁ ଆମର ସନ୍ଦେହ ହେଲା । ଦାଗୀ କି ନା । ଏଟା ଆମର ବଡ଼ ଭୁଲ୍‌ ହେଇଚି ।’’ କହି, ପାଣୁ ନାଏକକୁ ଛାଡ଼ି ଦେବା ନିମନ୍ତେ କର୍ମଚାରୀ ସିପାହୀମାନଙ୍କୁ ଆଦେଶ ଦେଲେ ।

 

ପାଣୁ ନାଏକ ପୋଲିସ ହାତରୁ ଖଲାସ ପାଇ, ଗୁଣୁ ଗୁଣୁ ସ୍ୱରରେ କହିଲା, ‘‘ମୁଁ କଣ ପ୍ରକୃତରେ ଖଲାସ ହେଲିଣି ?’’ ଶୁଣି, ଜଣେ କଟୁଆଳ ଉତ୍ତର ଦେଲା, ‘‘କଣ ବୁଝି ପାରୁ ନାହଁ ? ହଁ, ଆମେ ଛାଡ଼ିଦେଲୁଁ ।’’

 

ପାଣୁ ନାଏକ ଯିବାକୁ ପ୍ରସ୍ତୁତ ହେବାର ଦେଖି ମହନ୍ତ କୃଷ୍ଣଚରଣ କହିଲେ; ‘‘ରହନ୍ତୁ ଟିକିଏ, ଆପଣଙ୍କର ଆଉ ଗୋଟାଏ ଜିନିଷ ରହିଯାଇଚି ।’’ କହି ସେ ନିଜ ଶୋଇବା ଘରକୁ ଯାଇ, ସିନ୍ଦୁକ ଭିତରୁ ଗୋଟାଏ ରୂପା ଦୀପ ଆଣିଦେଲେ । ମାତାମାନେ ଅବାକ୍‌ ହେଇ ଚାହିଁ ରହିଲେ । ଆପତ୍ତି କରିବାକୁ ତାଙ୍କ ପାଟିରୁ କଥା ବାହାରିଲା ନାହିଁ । ପାଣୁ ନାଏକ ଆପାଦମସ୍ତକ ଥରୁଥିଲା, ମହନ୍ତ ଦୀପଟି ବଢ଼ାଇ ଦେବାରୁ, କଳର ପିତୁଳା ପରି ହାତରେ ଧରିଲା । ସେ ଦୀପ ନେଇ କଣ କରିବ, ବୁଝି ନ ପାରି ଠିଆ ହୋଇଛି, ମହନ୍ତ କହିଲେ, ‘‘ଆପଣ ବର୍ତ୍ତମାନ ଯାଇପାରନ୍ତି । ଆଉ ଯେତେବେଳେ ଆପଣଙ୍କର କୌଣସି ଅଭାବ ହବ, ଏଠାକୁ ବିନା ସଂକୋଚରେ ଆସିବେ ବୋଲି ମୁଁ କହି ରଖିଲି ।’’

 

ପୋଲିସ୍‌ ମଠ ଛାଡ଼ି ଚାଲିଗଲେ । ପାଣୁ ନାଏକ ନିତାନ୍ତ ବିବ୍ରତ ହୋଇପଡ଼ିଲା । ତାକୁ ସାହସ ଦେବା ପାଇଁ ମହନ୍ତ କହିଲେ, ‘‘ଦେଖନ୍ତୁ, ପାଣୁ ନାଏକ, ଆପଣ ଦମ୍ଭ ଧରନ୍ତୁ । ମୁ୍ଁ ଆପଣଙ୍କୁ ଗୋଟିଏ ଅନୁରୋଧ କରିବି । ଆପଣ ଏଣିକି ସାଧୁ ଲୋକ ହେବେ ବୋଲି ମୋତେ କାଲି କହୁଥିଲେ ନା ? ଆପଣ ସାଧୁ ଭାବରେ ଚଳିବେ ।’’

 

ପାଣୁ ନାଏକ ସାଧୁ ଭାବରେ ଚଳିବ ବୋଲି ଯେ କହିଥିଲା, ତାର ମନେ ପଡ଼ିଲା ନାହିଁ-। ସେତେବେଳେ ତାର ଚେତନା ନ ଥିଲା, କହିଲେ ଚଳେ । ସେ ପଦେ କିଛି ନ କହି ମଠ ଭିତରୁ ପଦାକୁ ଚାଲିଗଲା । ତାକୁ ବାଟ ଦେଖାଗଲା ନାହିଁ । ଅନ୍ଧ ପରି ପାଦ ଘୋଷାରି ଘୋଷାରି, ସେ କେତେ ଦୂର ଚାଲିଗଲା । ସକାଳ ଓଳି ସାରା ସେ ଏଣେ ତେଣେ କେବଳ ଲକ୍ଷ୍ୟହୀନ ଭାବରେ ବୁଲିବାକୁ ଲାଗିଲା । ତାକୁ ଭୋକଶୋଷ କିଛି ଜଣାଗଲା ନାହିଁ । କ୍ରମେ ତା ମନରେ ପ୍ରଚଣ୍ଡ ରାଗ ଜନ୍ମିଲା; କିନ୍ତୁ ସେ ଯେ କାହା ଉପରେ ରାଗୁଛି, ବୁଝିପାରିଲା ନାହିଁ । ଏହିପରି ତାର ସକାଳଓଳି ଗୋଟାକ କଟିଗଲା ।

 

ସେଦିନ ଦିନସାରା ପାଣୁ ନାଏକ ଅତିଶୟ ଚିନ୍ତିତ ହୋଇ ରହିଲା । ସନ୍ଧ୍ୟାରେ ଯେତେବେଳେ ଆକାଶର ସୂର୍ଯ୍ୟଦେବତା ଅସ୍ତାଚଳ ପଛରେ ଲୁଚିଗଲେ, ସେ କ୍ଳାନ୍ତ ହୋଇ ଗୋଟିଏ ବୁଦା ପାଖେ ବସିପଡ଼ିଲା । ନିକଟରେ ଗାଁ ଗଣ୍ଡା କିଛି ନ ଥିଲା । ମାତ୍ର ଖଣ୍ଡେ ଦୂରରେ ଗୋଟିଏ ସରୁଆ ବାଟ ପଡ଼ିଥିଲା । ସେ ବାଟେ ଗୋଟିଏ ଦଶ ବର୍ଷ ବୟସର ପିଲା ମୁଣ୍ଡରେ ବୋଝ ମୁଣ୍ଡାଇ ଆନନ୍ଦରେ ଗୀତ ଗାଇ ଗାଇ ଆସୁଥିଲା । ହାତରେ ଦୁଇଟି ଦୋ’ଣି ଧରି ସେ ଖେଳି ଖେଳି ବାଟ ଚାଲୁଥିଲା । ସେ ପାଣୁ ନାଏକ ପାଖେ ଆସି ପହଞ୍ଚିଲାବେଳେ ତା ହାତରୁ ଗୋଟିଏ ଦୋ’ଣି ଖସିପଡ଼ି ପାଣୁ ନାଏକ ଆଡ଼କୁ ଗଡ଼ି ଚାଲିଗଲା । ପାଣୁ ନାଏକ ହଠାତ୍‌ ଦୋ’ଣିଟି ଉପରେ ନିଜ ପାଦ ରଖି ତାହା ଲୁଚାଇ ଦେଲା; କିନ୍ତୁ ସେ ପିଲାର ଦୃଷ୍ଟି ଏଡ଼ି ପାରିଲା ନାହିଁ । ପିଲାଟି ଦଉଡ଼ି ଯାଇ ପାଣୁ ନାଏକକୁ କହିଲା, ‘‘ଦୋ’ଣି ଦେଇପକାଅ ।’’

 

‘‘ତୋ ନାଁ ?’’

‘‘ମଧୁଆ ।’’

‘‘ପଳା ଏଠୁ ବେଗେ ।’’

‘‘ମୋ ଦୋ’ଣି ଦେଇଦେଲେ, ମୁଁ ଚାଲିଯିବି ।’’

 

ପାଣୁ ନାଏକ ଶୁଣି ଚୁପ୍‌ ହୋଇ ବସିରହିଲା; କିନ୍ତୁ ମଧୁଆ ତାକୁ ଛାଡ଼ିଲା ନାହିଁ । କହିଲା, ‘‘ମୋ ଦୋ’ଣି ବେଗେ ଦେଇ ପକାଅ ।’’ ପାଣୁ ନାଏକ ନ ଶୁଣି ତୁନି ହୋଇ ବସିବାରୁ ସେ ହାତରେ ତା ପାଦ ଘୁଞ୍ଚାଇବାକୁ ଚେଷ୍ଟା କଲା; କିନ୍ତୁ ପାଣୁ ନାଏକ ଭଳି ଗୋଟିଏ ଲୋକର ପାଦ ଟେକି ଘୁଞ୍ଚାଇବାକୁ ମଧୁଆ ପରି ପିଲାର କଣ କାମ ? ସେ ନ ପାରି କାନ୍ଦିଲା ମାତ୍ର । ପାଣୁ ନାଏକ ମୁଣ୍ଡ ଟେକି, ବାଡ଼ି ଉଚାଇ, କହିଲା, ‘‘କିଏ ରେ ଟୋକା ତୁ ? ମୋ ପାଖେ ଶକାଉଚୁ । ପଳା, ନୋହିଲେ ଏ ଠେଙ୍ଗାରେ ପିଟି ଗୁଣ୍ଡା କରିଦେବି ।’’

 

ମଧୁଆ ଭୟରେ ଧାଇଁ ପଳାଇଲା । ଏକେ ପାଣୁ ନାଏକ ଦିନସାରା କିଛି ଖାଇ ନାହିଁ; ତା ପରେ ତାର ସାମାନ୍ୟ ଜର ମଧ୍ୟ ହୋଇଛି । ସୁତରାଂ ସେ ସେଠାରେ ସେପରି ନିକାଞ୍ଚନ ସ୍ଥାନରେ, ଏକୁଟିଆ ବସି ନ ରହି କେଉଁଠାକୁ ଯାଇ ରାତିରେ ଆଶ୍ରୟ ନେବାକୁ ଉଠିଲା । ପାଦ ଉଠାଇବାରେ ଦୋ’ଣିଟି ତାକୁ ଗୋଧୂଳି ସମୟରେ ଆଲୁଅରେ ଜକ୍‌ ଜକ୍‌ ଦିଶିଲା । ଦେଖି ସେ ଆଶ୍ଚର୍ଯ୍ୟରେ କହିଲା, ‘‘ଏଟା କି ଜିନିଷ !’’ ସେ ଦୁଇ ତିନି ପାହୁଣ୍ଡ ପଛକୁ ଘୁଞ୍ଚିଗଲା । ତା ପରେ ଦୋ’ଣିଟି ତଳୁ ଗୋଟାଇ ହାତରେ ଧରିଲା ।

 

ସେ ଯେତେବେଳେ ଚାଲିବାକୁ ଆରମ୍ଭ କଲା, ସେହି ଅଚିହ୍ନା ସ୍ଥାନରେ ତାକୁ ବାଟ ଦେଖାଗଲା ନାହିଁ । ତହୁଁ ସେ ‘‘ମଧୁଆ, ମଧୁଆ’’ ବୋଲି ଖୁବ୍‌ପାଟିରେ ଡାକିବାକୁ ଲାଗିଲା । ସେ ଯେତେ ଡାକିଲା, ମଧୁଆ ଶୁଣିଲା ନାହିଁ । ତହୁଁ ସେ ଆଗକୁ ଚାଲିବାକୁ ଲାଗିଲା । କିଛି ବାଟ ଚାଲି, ତା ପରେ ସେ ଧାଇଁଲା । ଥରେ ଥରେ ସେ ଠିଆ ହୋଇ ‘‘ମଧୁଆ’’ ବୋଲି ଡାକିଲା । ମଧୁଆ ଯେବେ ତା ପାଟି ଶୁଣିଥାନ୍ତା, ହୁଏତ ମୂର୍ଚ୍ଛାରେ ତଳେ ପଡ଼ି ଯାଇଥାନ୍ତା । ସୁନ୍ଦରପୁର ମଠରୁ ଦ୍ୱିତୀୟ ଥର ଫେରିବାବେଳୁ ପାଣୁ ନାଏକର ଚିନ୍ତା ସ୍ରୋତରେ ଗୋଟିଏ ପରିବର୍ତ୍ତନ ଘଟିଛି । ମହନ୍ତ ଯେ ତାକୁ କହିଲେ, ‘‘ତୁମେ ଏଣିକି ଜଣେ ସାଧୁ ଲୋକ ହବ’’ ସେ କଥା ତା କାନରେ ବାରମ୍ବାର ଆସି ବାଜୁଛି । ସୁତରାଂ ସେ କହିଲା, ‘‘କଣ, ମୁଁ ସାଧୁ ହେବି ? ମୁଁ ତେବେ କଣ ସାଧୁ ନୁହେଁ ଯେ ମୋତେ ସେ ବାବାଜୀ ଏପରି କହିବ ?’’

 

କ୍ରମେ କ୍ରମେ ସେ ବୁଝିପାରିଲା ଯେ ସେ ଯେଉଁ ପାଣୁ ନାଏକ ହୋଇ ଜନ୍ମ ହୋଇଥିଲା, ତହିଁରୁ ଗୋଟାଏ କିଛି ପୃଥକ ଜିନିଷ ହେବାକୁ ଯାଉଛି । ମହନ୍ତ ତା ପ୍ରତି ଅଗାଧ ସ୍ନେହ ଓ କ୍ଷମା ଦେଖାଇଲେ । ସେପରି ସେ ଜୀବନରେ କେବେ ଦେଖି ନ ଥିଲା । ସେ ତାକୁ ସୁଶିକ୍ଷା ଦେଲେ । ଏ ସବୁର ପ୍ରଭାବରୁ ସେ ନିଜକୁ ବିଚ୍ଛିନ୍ନ କରିପାରିଲା ନାହିଁ । ସେ କେତେବେଳେ ଭାବିଲା, ‘‘ନା, ମୁଁ ଆଗରୁ ସାଧୁ ହୋଇସାରିଚି ।’’ ଆଉ କେତେବେଳେ ଭାବିଲା, ‘‘ମୁଁ ସାଧୁ ହୋଇ ନାହିଁ; ହେବି ।’’ ଏହିପରି ମାନସିକ ଅବସ୍ଥାରେ ସେ କଣ କରିବ, କିଛି ବୁଝିପାରିଲା ନାହିଁ । ମଧୁଆର ଦୋ’ଣିଟି ଯେ ସେ କାହିଁକି ଠକିନେଇ ଆସିଲା, ତାର କାରଣ ଜାଣିପାରିଲା ନାହିଁ । ସେ ମନେ ମନେ କହିଲା, ଛି, ମୁଁ କି କାର୍ଯ୍ୟ କଲି !’’ ବାସ୍ତବରେ ତାର ଯେଉଁ ମନ ବର୍ତ୍ତମାନ ‘‘ଛି’’ ବୋଲି କହିଲା, ମଧୁଆର ଦୋ’ଣି ଚୋରାଇବାକୁ ସେହି ମନ ତାକୁ ପ୍ରବର୍ତ୍ତାଇ ନ ଥିଲା । ସେ ପୁରୁଣା ପାଣୁ ନାଏକ ସଙ୍ଗେ ଏକ ଦେହ ଭିତରେ ଏ ନୂଆ ପାଣୁ ନାଏକର ସଂଯୋଗ ଘଟି ଆସିଥିଲା ।

 

ନାନା କଥା ଭାବି, ନିଜର ଅତୀତ ଜୀବନ ବିଷୟ ସ୍ମରଣ କରି ପାଣୁ ନାଏକର ହୃଦୟ ଦୁଃଖ ଓ ନୈରାଶ୍ୟରେ ପୂର୍ଣ୍ଣ ହୋଇପଡ଼ିଲା । ସେ ଅନେକ ସମୟ ଧରି ପିଲାଙ୍କ ପରି ଭୋ ଭୋ କାନ୍ଦିଲା । ତାର ସେ ଅନୁତାପର ଭୀଷଣ କାଳିମା ମଧ୍ୟରେ ଗୋଟିଏ କ୍ଷୀଣ ଆଲୋକ ରେଖା ଦେଖାଗଲା । ସେ ତାର ସମୁଦାୟ ଅତୀତ ଜୀବନ ବିଷୟ ଥରେ ଭାବିନେଲା । କହିଲା, ‘‘ଓଃ, କି କଳଙ୍କ ! ମୋର କଣ ମୁକ୍ତି ନାହିଁ ? ନା, ଅଛି । ବାବାଜୀ କହିଛନ୍ତି, ମୁଁ ଜଣେ ସାଧୁ ପୁରୁଷ ହେବି । ମୁଁ ସାଧୁ ନ ଥିଲି । ଏବେ ମଧ୍ୟ ସାଧୁ ହୋଇ ନାହିଁ; କିନ୍ତୁ ହେବି । ଏହି ମୋର ପ୍ରତିଜ୍ଞା । ଆଜି ସୂର୍ଯ୍ୟ ଚନ୍ଦ୍ର ସାକ୍ଷୀ ହୁଅ । ଓଃ କି କଷ୍ଟ । ମୋ ଛାତି ଫାଟିଯାଉଚି, ନିଃଶ୍ୱାସ ବନ୍ଦ ହେଇଆସୁଚି, ପ୍ରାଣବାୟୁ ଉଡ଼ିଯାଉଚି । ଉଡ଼୍‌ ଉଡ଼୍‌, ପ୍ରାଣବାୟୁ । ସେ ପୁରୁଣା ପାଣୁ ନାଏକ ମରୁ, ପୋତା ହେଉ, ପୋଡ଼ା ହେଉ । ସେଥିରୁ ନୂଆ ପାଣୁ ନାଏକ ବାହାରିବ, ଯାହାକୁ ବାବାଜୀ ଦେଖିଲେ କହିବେ, ସଂସାର ଦେଖିଲେ କହିବ- ଏ ଜଣେ ସାଧୁ ସନ୍ଥ ଲୋକ ।’’

Image

 

ବୁଢ଼ିଆଣୀ ଜାଲ

 

ସନ ୧୨୫୦ ସାଲରେ ଦଳେ ନାଟୁଆ ଜଜାରସିଂହ ଗଡ଼ରେ ଆସି ପହଞ୍ଚିଲେ । ସେମାନେ ବାଉଁଶ ପୋତି, ତା ଉପରେ ଚଢ଼ି ନାନା ପ୍ରକାର ଖେଳ ଦେଖାଉଥିଲେ । ସେମାନଙ୍କ ମଧ୍ୟରେ ତିନିଜଣ କେଳା ଓ ଜଣେ ଚଷା । ଚାରିଜଣଯାକଙ୍କ ସାଙ୍ଗରେ ଚାରିଗୋଟି ସ୍ତ୍ରୀଲୋକ ଥିଲେ । ସେମାନେ ସ୍ତ୍ରୀ ସ୍ୱାମୀ ପରି ଏକତ୍ର ବାସ କରୁଥିଲେ । ସ୍ତ୍ରୀଲୋକମାନେ ରନ୍ଧାବଢ଼ା କରନ୍ତି ଏବଂ ଖେଳ ଦେଖାନ୍ତି । ସେମାନେ ଦିନଯାକ ଖେଳ ଦେଖାଇ ରାତିରେ କେତେକ ସମୟ ଶୋଉଥିଲେ ଓ ଆଉ କେତେକ ସମୟ କଳିଗୋଳ କରିବାରେ କଟାଉଥିଲେ । ସବୁଠାରୁ ବେଶି କଳି କାର୍ତ୍ତିକା ଏବଂ ରାଧା, ଦୁଇଜଣଙ୍କ ମଧ୍ୟରେ ହୁଏ । କାର୍ତ୍ତିକା ଚଷା ପିଲା । ଅତି ପିଲାଦିନୁ ଛେଉଣ୍ଡ ହୋଇ ଜୀବିକା ଉପାର୍ଜନ କରିବା ନିମନ୍ତେ କେଳାମାନଙ୍କ ସଙ୍ଗେ ମିଶି ବାଉଁଶ ନାଟରେ ଯୋଗ ଦେଇଥିଲା । ତା ସାଙ୍ଗର କେଳା ତିନିଜଣ ତିନୋଟି କେଳୁଣୀ ବିଭା ହୋଇଥିଲେ । କାର୍ତ୍ତିକ ବାଇଶ ବର୍ଷ ବୟସରେ ପହଞ୍ଚିବା ବେଳେ ତାର ରାଧା ସହିତ ଦେଖାହେଲା । ରାଧା ମଧ୍ୟ ଚଷାଘର ଝିଅ । କାର୍ତ୍ତିକା ପରି ସେ ଅତି ପିଲାଦିନେ ଛେଉଣ୍ଡ ହୋଇ ପେଟ ପୋଷିବାକୁ ଭିକ ମାଗି ବୁଲୁଥିଲା । କାର୍ତ୍ତିକା ସହିତ ଦେଖା ହେବା ବେଳକୁ ତାର ବୟସ ବାରବର୍ଷ । କାର୍ତ୍ତିକା ଯେତେବେଳେ ତା ଜାତି କୁଳର ପରିଚୟ ପାଇଲା, କହିଲା, ‘‘ରାଧା, ବିଧାତା ତୋତେ ମୋରି ପାଇଁ ଗଢ଼ିଚି । ମୋ ସାଙ୍ଗରେ ଆ । ମୁଁ ବାଉଁଶରେ ନାଟ ଦେଖେଇ ଦିନକୁ ଟଙ୍କେ କଣ, ଦୁଇଟଙ୍କା କଣ, ଯୋଉଁ ଦିନ ଯାହା ହେଲା ରୋଜଗାର କରୁଚି । ମୋ ସାଙ୍ଗେ ରହିଲେ, ତୋତେ ତ ଆଉ ଭିକ ମାଗିବାକୁ ପଡ଼ିବ ନାହିଁ; ଆ ।’’ କାର୍ତ୍ତିକା କଥା ଶୁଣି ରାଧା ତା ସାଥି ଧଇଲା । ପ୍ରଥମେ ଦୁହେଁ କେତେ ଦିନ ବେଶ୍‌ ମିଳିମିଶି ଚଳିଲେ । ମାତ୍ର ତା ପରେ ଦୁହିଙ୍କ ମଧ୍ୟରେ ଏତେ କଳି ଲାଗିଲା ଯେ ଶେଷରେ ସାଥି କେଳା କେଳୁଣୀମାନେ ତାଙ୍କୁ କହିବାକୁ ବାଧ୍ୟ ହେଲେ, ‘‘କଣ କେଳା ଘର ପରି ସବୁବେଳେ କଳି କରୁଚ ମ ।’’

 

ଜଜାରସିଂହରେ ନାଟ ଦେଖାଇ ସାରି, ନାଟୁଆ ଦଳ ଯେତେବେଳେ ସେଠାରୁ ଦକ୍ଷିଣ ଆଡ଼କୁ ଗଲେ, କାର୍ତ୍ତିକା ରାଧାକୁ ଆଉ ସଙ୍ଗରେ ନେଲା ନାହିଁ । ରାଧା ତା କୋଳରେ ଝିଅଟିକୁ କାନ୍ଧରେ ପକାଇ ଦୁଇ ତିନି ଦିନ ଏଣେ ତେଣେ ନିଃସହାୟ ଭାବରେ ବୁଲିବାକୁ ଲାଗିଲା । ଶେଷରେ ସେ ଜଜାରସିଂହର ଗୋଟିଏ ଗଳିରେ ପଶି ଦେଖିଲା ଯେ ଯୋଡ଼ିଏ ଛୋଟ ବାଳିକାଙ୍କୁ ଦୋଳିରେ ବସାଇ ଜଣେ ସ୍ତ୍ରୀଲୋକ ଖେଳାଉଛି ଓ ମଝିରେ ପଦେ ପଦେ ଗୀତ ମଧ୍ୟ ଗାଉଛି । ବାଳିକା ଦିଓଟି ଖୁସି ହୋଇ ହସୁଛନ୍ତି । ରାଧା ସେଠି ଠିଆ ହୋଇ, କିଛି ସମୟ ଅନାଇ, ଶେଷରେ କହିଲା, ‘‘ମାଉସୀ, ତୁମ ପିଲା ଦିଓଟି କେଡ଼େ ସୁନ୍ଦର ହେଇଚନ୍ତି କି ।’’

 

ନିଜ ସନ୍ତାନ ସନ୍ତତିଙ୍କର ପ୍ରଶଂସା ଶୁଣିଲେ, ନିତାନ୍ତ ରୁକ୍ଷ ପ୍ରକୃତିର ରମଣୀମାନେ ମଧ୍ୟ ପ୍ରଶଂସାକାରୀ ପ୍ରତି ଟିକିଏ ତରଳିଯାନ୍ତି । ରାଧା କଥା ଶୁଣି, ସେ ସ୍ତ୍ରୀଲୋକଟି ତାକୁ ଡାକି ପାଖରେ ବସାଇଲା । ତା ପରେ ଦୁହେଁ କଥାବାର୍ତ୍ତା କରିବାରେ ଲାଗିଲେ । ସେ ସ୍ତ୍ରୀ ବ୍ୟକ୍ତି କଥାବାର୍ତ୍ତା ମଧ୍ୟରେ କହିଲା, ‘‘ମୋର ଗିରସ୍ତ ଗୁଡ଼ିଆଘର ପୁଅ । ଆମର ଏ ଘରଟି ଗୋଟିଏ ଚଟିଘର । ଗିରସ୍ତ ଚଟିଘର କଥା ବୁଝନ୍ତି, ମୁଁ ରାନ୍ଧେ ବାଢ଼େ, ପିଲାଙ୍କୁ ଖୁଆଏ ପିଆଏ ଏବଂ ନିଜେ ଖାଏ । ଏ ପିଲା ଦିଓଟି ମୋର ଝିଅ, ଦେଢ଼ବର୍ଷ ସାନ ବଡ଼ । ସାନ ଝଅଟିକି ଅଢ଼େଇ ବର୍ଷ ହେଲା ।’’ ଗୁଡ଼ିଆଘର ସ୍ତ୍ରୀ ଲୋକମାନେ ସାଧାରଣତଃ ଯେପରି ସ୍ୱରୂପ ହୁଅନ୍ତି, ଦୀନା ସାହୁ ଭାର୍ଯ୍ୟା ସେପରି ନ ଥିଲା । ତାର ରୂପ କଳା ଓ ଗଠନ ବିକୃତ । ସେ ଅତ୍ୟନ୍ତ ଡେଙ୍ଗୀ । ସାହି ଲୋକେ ଥଟ୍ଟାରେ କହନ୍ତି, ‘‘ତା ମୁଣ୍ଡ ତୂଳିରେ ଲାଗେ-।’’ ଦୀନା ସାହୁ ବାପ ପୁଅ ବେକରେ ଯେ ପଦକ କାହିଁକି ଝୁଲାଇଥିଲା, ତାର କାରଣ କେହି ଅନୁମାନ କରିପାରନ୍ତି ନାହିଁ । ଦୀନା ସାହୁ ଦେଖିବାକୁ ଖୁବ୍‌ ସୁନ୍ଦର ନୋହିଲେ ମଧ୍ୟ, କଦର୍ଯ୍ୟ ନୁହେଁ । ଦୋଳିରେ ବସିଥିବା ପିଲା ଦିଓଟି ତାଙ୍କ ମା ସହିତ ତୁଳନାରେ ଗୋବର ଗଦା ପାଖର ଗୋଲାପ ଫୁଲ ପରି ଦିଶୁଥିଲେ । ସେମାନଙ୍କୁ ଦେଖି ରାଧା ସାହୁଆଣୀକି କହିଲା, ‘‘ମୋ ପିଲାଟି ତୁମ ଝିଅଙ୍କ ସାଙ୍ଗେ ଟିକିଏ ହେଲେ ଦୋଳିରେ ଖେଳନ୍ତା ।’’ ତିନି ଜଣ ବସିଲେ ଦୋଳି କାଳେ ଛିଡ଼ିଯିବ, ସେଥିପାଇଁ ସାହୁଆଣୀ ନିଜ ପିଲା ଦିଅଟିଙ୍କୁ ଦୋଳିରୁ ଓହ୍ଲାଇ ତଳେ ଛାଡ଼ିଦେଲା । ରାଧାର ଝିଅ ମା କାଖରୁ ଖସି ସେମାନଙ୍କ ସଙ୍ଗେ ଖେଳିବାକୁ ଲାଗିଲା-

 

ରାଧା ସାହୁଆଣୀ ମୁହଁରୁ ତା ପରିଚୟ ପାଇ, ନିଜର ପରିଚୟ ଦେବାକୁ ଗଲା; କିନ୍ତୁ ନିଜ ବିଷୟରେ ସେ ସବୁ କଥା ଠିକ୍‌ ଠିକ୍‌ କହିପାରିଲା ନାହିଁ । କେତେକ ପ୍ରକୃତ ବିଷୟ ଲୁଚାଇ ରଖି, ତା ସ୍ଥାନରେ ଅମୂଳକ କଥାମାନ କହିଗଲା । ସେ କହିଲା, ‘‘ମୁଁ ଚଷାଘର ଝିଅ । ମୋ ସ୍ୱାମୀ ମରିଯାଇଚି । ମୋ ଘର କଟକଆଡ଼େ । ଘରପାଖେ କିଛି କାମପତ୍ର ନ ମିଳିବାରୁ ମୁଁ ହାତ ମେହନତରେ ରୋଜଗାର କରିବାକୁ ଘରୁ ବାହାରି ଆସିଛି’’– କହି, ସେ ଏକ ଦୀର୍ଘନିଃଶ୍ୱାସ ପକାଇଲେ । ଗ୍ରୀଷ୍ମକାଳର ଝଡ଼ ତୋଫାନ ପରେ ଆକାଶରୁ ବୃଷ୍ଟି ପଡ଼ିଲା ପରି ଦୀର୍ଘନିଃଶ୍ୱାସ ପଛେ ପଛେ ତାର ଦୁଇ ଆଖିରୁ ଦୁଇ ଧାର ଲୁହ ବୋହିଗଲା; ମାତ୍ର ସେ ଅବିଳମ୍ବେ ଲୁହ ପୋଛିଦେଇ, ସାହୁଆଣୀ ସହିତ ପୁଣି କଥାବାର୍ତ୍ତାରେ ଲାଗିଲା ।

 

‘‘ତୋର ଏ ପିଲାଟି ନାଁ କଣ’’ ?

‘‘ରମା ।’’

‘‘ବୟସ କେତେ ମ ?’’

‘‘ତିନି ପୂରି ଚାରି ଚାଲୁଚି ।’’

 

‘‘ତେବେ ତ ମୋ ବଡ଼ ଝିଅ ସାଙ୍ଗର । ପିଲାମାନେ କେଡ଼େ ଜଲ୍‌ଦି ମିଶିଯାଆନ୍ତି ମ ! ଦେଖ ତ, ତୋ ନାଁ କଣଟି, ରାଧା ବୋଲି କହିଲୁ ପରା ? ଦେଖ ତ, ରାଧା, ତିନିହେଁ ସାକ୍ଷାତ ତିନି ଭଉଣୀ ପରି ଦିଶୁ ନାହାନ୍ତି ? ଯେମିତି ଏକା ମା ପେଟର ତିନିହେଁ ?’’

 

ରମା ବିଷୟରେ ସାହୁଆଣୀ କି ମତ ବ୍ୟକ୍ତ କରିବ, ତାହା ଜାଣିବା ନିମନ୍ତେ ରାଧା ଯେପରି ଅପେକ୍ଷା କରି ରହିଥିଲା । ସାହୁଆଣୀ କଥା ସରୁ ନ ସରୁଣୁ କହିଲା, ‘‘ଆଚ୍ଛା, ମୋ ପିଲାଟିକି ତମ ଘରେ ରଖିବ ?’’ ଶୁଣି ସାହୁଆଣୀ ଚମକି ପଡ଼ିଲା । ସେଥିରୁ ତାର ଇଚ୍ଛା ଅନିଚ୍ଛା ରାଧା କିଛି ବୁଝିପାରିଲା ନାହିଁ । ତହୁଁ ସେ କହିଲା, ‘‘ଦେଖ, ମାଉସୀ, ଯେ ମାଇପି କାମ କରି ପେଟ ପୋଷିବାକୁ ବାହାରେ, ସେ ଲାଞ୍ଜରେ ଗୋଟାଏ ପିଲା ବାନ୍ଧିଲେ, ବଡ଼ ମୁସ୍କିଲ । କୋଳରେ ପିଲା ଦେଖିଲେ, କେହି କାମ ଦିଅନ୍ତି ନାହିଁ । ବରୁଣୀ ଠାକୁରାଣୀଙ୍କର କି ଦୟା ଯେ ଆଜି ମୁଁ ତୁମ ଦୁଆରେ ଆସି ପହଞ୍ଚିଲି । ତୁମେ ମୋ ଦରିଦ୍ର ପସରାକୁ ରଖ । ଆଉ ନାହିଁ କର ନାହିଁ ।’’

 

‘‘ଆଚ୍ଛା, ଦେଖିବା ।’’

‘‘ମୁଁ ମାସକୁ ପାଞ୍ଚ ଟଙ୍କା ଲେଖାଏଁ ଦେବି ।’’

 

ଜଣେ ଲୋକ କାନ୍ଥ ଆରପାଖରୁ ଘର ଭିତରୁ ପୁରୁଷ ସ୍ୱରରେ କହିଲା, ‘‘ଉହୁଃ । ସାତ ଟଙ୍କାରୁ କମ୍‌ରେ ହବ ନାହିଁ । ତା ପରେ ପୁଣି ଛ’ମାସ ଆଗତୁରା ଦେଇଯିବାକୁ ହବ ।’’ ମାସକୁ ସାତ ଟଙ୍କା, ଛ’ ମାସ । ମୋଟ ଦୁଇ କୋଡ଼ି ଦୁଇ, ଗୁଡ଼ିଆଣୀ ଆଙ୍ଗୁଠିରେ ଗଣି, ହିସାବ କରି, କିଛି ସମୟ ପରେ କହିଲା –

 

‘‘ହଉ, ମୁଁ ଦେବି ।’’

‘‘ନା, ଆଉ ବାଜେ ଖର୍ଚ୍ଚ ପାଇଁ ଛ’ ମାସକୁ ବାର ଟଙ୍କା ।’’

 

ଗୁଡ଼ିଆଣୀ ପୁଣି ହିସାବ କରି କହିଲା, ମୋଟରେ ତେବେ ଦି କୋଡ଼ି ଚଉଦ, ପଚାଶ ଉପରେ ଚାରି ଟଙ୍କା ।’’

 

‘‘ହଁ, ଏଥିରୁ କମ୍‌ରେ ଆଉ କୋ’ଠି ହବ ? କାଳ ତ କେଡ଼େ ମହରଗ, ଦେଖୁଚ ।’’

 

‘‘ମୁଁ ଦେବି । ମୋ ପାଖେ ଏବେ ସତୁରି ଟଙ୍କା ଅଛି । ଦଶବର୍ଷ କାଳ କାମ କରି ଖର୍ଚ୍ଚ ପତ୍ର ବାଦ୍‌ ଏତକ ସଞ୍ଚିଛି । ମୁଁ ତୁମକୁ ଚଉବନ ଟଙ୍କା ଦେଇଗଲେ, ବାକି ତ ମୋ ହାତରେ କୋଡ଼ିଏ ଖଣ୍ଡେ ରହିବ । ମୁଁ ଯାଇ କାମ କରି ମାସକୁ ମାସ ତୁମଠାକୁ ଟଙ୍କା ପଠେଇବି । ତା ପରେ ମୁଁ କୋଉଠି ଥୟ ଧରି ରହିଲେ, ଗଣ୍ଠିଧନକୁ ଆସି ନେଇଯିବି ।’’

 

କାନ୍ଥ ସେ ପାଖରୁ ସେହି ପୁରୁଷ ସ୍ୱର ପୁଣି ଶୁଣାଗଲା, ‘‘ତାର ପିନ୍ଧିବାକୁ ଲୁଗାପଟା ସବୁ ଅଛି ତ ?’’

 

ଗୁଡ଼ିଆଣୀ ଠାରି କହିଲା, ‘‘ମୋ ଗିରସ୍ତ ।’’

 

‘‘ମୋ ଧନର ଯାହା ଲୁଗାପଟା ଅଛି, ମୁଁ ବୁଜୁଳାରେ ବାନ୍ଧି ରଖିଚି । ପାଟ ଲୁଗା, ମଖମଲ ହୋଇ ତାର ବର୍ଷେ ଖଣ୍ଡେ ଚଳିଯିବ ।’’

 

ପୁଣି କାନ୍ଥ ସେପାଖରୁ ସ୍ୱର ଶୁଣାଗଲା, ‘‘ସେ ସବୁ ଆଉ ସାଙ୍ଗରେ ନେଇଯିବୁ ନାହିଁ । ଆମକୁ ଦେଇଯା ।’’

 

‘‘ମଲା; ମୁଁ ନେଇ କଣ କରିବି ମ ? ମୋ ଧନମାଳୀ ତ ଏଠି ରହିବ, ମୁଁ ଆଉ ତା ଲୁଗାପଟାତକ କାହିଁକି ନେଇଯିବି, କହ ତ ?’’

 

ଚଟିଘର ମାଲିକ ଗୁଡ଼ିଆ ସାହୁ ଘରୁ ବାହାରି ରାଧା ଆଗରେ ଆସି ଠିଆ ହେଲା । କହିଲା, ‘‘ଆଚ୍ଛା’’ । ଚୁକ୍ତି ସ୍ଥିର ହୋଇଗଲା । ରାଧା ସେ ରାତି ପିଲାଟିକି କୋଳରେ ଧରି ଚଟି ଘରେ ଶୋଇଲା । ସେ ଆରଦିନ ସକାଳେ ଉଠି ଚଉବନ ଟଙ୍କା ଦୀନା ସାହୁକୁ ଗଣିଦେଲା । ରମାର ଲୁଗାପଟାତକ ମଧ୍ୟ ତା ହାତରେ ସମ୍ପିଦେଲା । ତା ପରେ ରମାକୁ ଗୋଟିଏ ଚୁମ୍ବନ ଦେଇ, କୋଳରେ ଜାକିଧରି, କହିଲା, ‘‘ମା, ତୁ ଏଠି ମାଉସୀ ପାଖେ ରହ । ଏ ଦି’ ଭଉଣୀଙ୍କ ସାଙ୍ଗେ ଖେଳାବୁଲା କର । ମୁଁ ଆଜି ଯାଉଚି । ଦିନ କେଇଟାରେ ଫେରି ଆସିବି ଯେ-’ କହି ରାଧା ଚଟିଘରୁ ଗୋଡ଼ କାଢ଼ି, ପଛକୁ ଚାହିଁ ଚାହିଁ ଅଦୃଶ୍ୟ ହୋଇଗଲା । ସାହିର ଲୋକେ ତା ପଛରେ କଥାବାର୍ତ୍ତା ହେଲେ, ‘‘ମାଇପିଟା କେତେ କାନ୍ଦି କାନ୍ଦି ଯାଉଥିଲା କି । ଓଃ, ପିଲା ପାଇଁ କେଡ଼େ ସ୍ନେହ ତାର ।’’

 

ରାଧା ଚାଲିଗଲା ପରେ ଦୀନା ସାହୁ ଭାର୍ଯ୍ୟାକୁ କହିଲା, ‘‘ଓଃ, କି ଚିନ୍ତାରେ ସଢ଼ି ଯାଇଥିଲି ମୁଁ । ଦିଅଁ ଦେଲାବେଳେ ଏଇପରି ଦିଅନ୍ତି । କାଲି ମୋତେ ମହାଜନର ଶହେ ଚାଳିଶ ଟଙ୍କା ଶୁଝିବାକୁ ହବ । ସେ ଡିଗ୍ରୀ କରି ରଖିଚି । କାଲି ନ ଦେଇ ପାରିଥିଲେ, ଘର କୋରଖ ହୋଇଥାନ୍ତା । ମୁଁ ବଡ଼ କଷ୍ଟରେ ନବେ ଟଙ୍କା ଯୋଗାଡ଼ କରିଥିଲି ପଚାଶ ନଅଣ୍ଟ ଥିଲା । ଆଜି ଦେଖିଲୁ, କିମିତି ଚଉବନ ଟଙ୍କା ମିଳିଗଲା । ତୋର ଏ ପିଲା ଦିଇଟା ପିଲା ନୁହନ୍ତି, ସାକ୍ଷାତ ବୁଢ଼ିଆଣୀ ଜାଲ । ଥରେ ଯେ ପଡ଼ୁଚି ଆଉ ବାହାରି ପାରୁ ନାହିଁ ।’’

 

ଭାର୍ଯ୍ୟା କହିଲା, ‘‘ହଁ ଜାଲରେ ତ ପଡ଼ୁଚନ୍ତି, ଖାଲି ଆଶ୍ଚର୍ଯ୍ୟର କଥା ଯେ ତାକୁ ଜାଲ ବୋଲି ଜାଣିପାରୁ ନାହାନ୍ତି ।’’

 

ଦୀନା ସାହୁ ଜାତିରେ ଗୁଡ଼ିଆ ହେଲେ କଣ ହେବ, ସେ ଯୌବନରେ ଓଡ଼ିଶାର କୃଷକ ସେନାଦଳର ନାମ ଲେଖାଇଥିଲା ଓ ଖଣ୍ଡାୟତମାନଙ୍କ ସଙ୍ଗେ କାନ୍ଧକୁ କାନ୍ଧ ପକାଇ ଯୁଦ୍ଧଭୂମିରେ ଲଢ଼ୁଥିଲା । ଖୋରଧାର ପାଇକଯୁଦ୍ଧ ବେଳେ ସେ ଇଂରେଜ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧ କରି, ନିଜ ହାତରେ କେତେ ଗୋରା ସୈନିକଙ୍କ ମୁଣ୍ଡ କାଟିଛି । କିନ୍ତୁ ତାପରେ ଯେତେବେଳେ ଇଂରେଜ ସରକାର ଜୟଲାଭ କଲେ ଏବଂ କୃଷକସେନା ଛାରଖାର ହୋଇଗଲା, ସାତ ପୁରୁଷର ଯୋଦ୍ଧାମାନେ ଛିନ୍ନଛିତ୍ର ହୋଇ କିଏ କେଉଁଆଡ଼େ ବନ ଜଙ୍ଗଲରେ ଯାଇ ପଶିଲେ, ଦୀନା ସାହୁ ପେଟ ପୋଷିବା ଲାଗି ପୈତୃକ ବ୍ୟବସାୟ ପରିବର୍ତ୍ତେ ଜଜାରସିଂହ ଗଡ଼ରେ ଗୋଟିଏ ଚଟିଘର ବସାଇଲା । ତା ଭାର୍ଯ୍ୟା ବୟସରେ ତା’ଠାରୁ ପ୍ରାୟ ପନ୍ଦର ବର୍ଷ ସାନ । ଖୋରଧାର ସୈନିକ ବିଭାଗ ଭାଙ୍ଗିବା ପରେ, ଦୀନା ସାହୁ ଯେତେବେଳେ ଅଧିକ ବୟସରେ ବିନା ଅବଲମ୍ବନରେ ଘରକୁ ଫେରିଲା, ସେତେବେଳେ ତା ହାତ ଧରିବାକୁ କେହି ରାଜି ହେଲେ ନାହିଁ । ଶେଷରେ ଜଣେ ନିତାନ୍ତ ଦରିଦ୍ର ଲୋକ ତା ଅସୁନ୍ଦରୀ, କାଳୀ ଶିଙ୍ଘାଣିନାକୀ ଝିଅଟିକୁ ଦୀନା ସାହୁ ହାତରେ ସମର୍ପି ଦେଲା ।

 

କୁପଥରେ ଗଲେ ସବୁବେଳେ ଯେ ଲୋକେ ଲାଭବାନ୍‌ ହୁଅନ୍ତି; ତା ନୁହେଁ । ଦୀନା ସାହୁ ଚଟିଘର ସାହାଯ୍ୟରେ ମୂର୍ଖ ବାଟୋଇମାନଙ୍କୁ ବରାବର ଠକିବାରେ ଲାଗିଥାଏ । ତଥାପି ତାକୁ ନଅଣ୍ଟ ହୁଏ । ରାଧାଠାରୁ ଚଉବନ ଟଙ୍କା ନେଇ ସେ ସେ ମାସରେ କୌଣସି ପ୍ରକାରେ ନିଶ୍ଚିନ୍ତ ହେଲା; କିନ୍ତୁ ତା ପର ମାସରେ ତାର ପୁଣି ଅଭାବ ପଡ଼ିଲା । ସୁତାରାଂ ସେ ରମାର ଲୁଗାପଟାତକ ପଞ୍ଚାଳିଶ ଟଙ୍କାକୁ ବନ୍ଧା ପକାଇଲା । ସେ ଟଙ୍କା ସରିବା ପରେ ଦୀନା ସାହୁ ଓ ତା ଭାର୍ଯ୍ୟା ମନେ କଲେ ଯେ ସେମାନେ ରମାକୁ ମାଗଣା ଖୁଆଇ ପିଆଇ ରଖିଛନ୍ତି ଏବଂ ସେହି ଅନୁସାରେ ତା ପ୍ରତି ବ୍ୟବହାର ମଧ୍ୟ କଲେ । ତା ନିଜର ଆଉ ଲୁଗାପଟା ନ ଥିବାରୁ ଦୀନା ସାହୁ ପିଲାମାନେ ଯାହା ପିନ୍ଧି ଚିରି ପକାଇ ଦିଅନ୍ତି, ରମାକୁ ତାହା ପିନ୍ଧିବାକୁ ପଡ଼ିଲା । ସମସ୍ତେ ଖାଇଗଲେ ଅଇଁଠାରେ ଯାହା ପଡ଼ିଥାଏ, ରମାକୁ ତହିଁରେ ପେଟ ପୂରାଇବାକୁ ହୁଏ ।

Image

 

ଅଭାଗିନୀ

ଯେ ଅଙ୍ଗାର ସେହି ହୀରା

 

ତେଣେ ରାଧା ଯାଇ, କାମ ଖୋଜି ଖୋଜି, ଶେଷରେ ଭୂବନେଶ୍ୱର ପାଖେ ଏକ ଗେରୁ କାରଖାନାରେ କାର୍ଯ୍ୟ ପାଇଲା । ସେଠାରୁ ସେ ରମା ବିଷୟରେ ଖବର ଜାଣିବାକୁ ଦୀନା ସାହୁକୁ ଚିଠି ଲେଖିଲା । ଦୀନା ସାହୁ ଚିଠି ପରେ ଚିଠି ପାଇ ଉତ୍ତରରେ ବାରମ୍ବାର ଜଣାଇବାରେ ଲାଗିଲା ଯେ ରମା ବେଶ୍‌ ଭଲରେ ଅଛି । ପ୍ରଥମ ଛ’’ ମାସ ପରେ ରାଧା ରମାର ଖର୍ଚ୍ଚ ବାବଦରେ ଦୀନା ସାହୁ ନିକଟକୁ ମାସିକ ସାତ ଟଙ୍କା ପଠାଇଲା । ମାତ୍ର ବର୍ଷ ନ ପୂରୁଣୁ ଦୀନା ସାହୁ କହିଲା, ‘‘ବେଶ୍‌ ତ ! ଟଙ୍କା ସାତଟା ପକେଇ ଦେଇ ନିଶ୍ଚିନ୍ତ । ମୁଁ ମାଗି ଯାଇଥିଲି ନା କଣ ?’’ ସେ ମାସକୁ ବାର ଟଙ୍କା ଦେବା ନିମନ୍ତେ ରାଧା ପାଖକୁ ଚିଠି ଲେଖିଲା । ଚିଠି ପାଇ ରାଧା ତେଣିକି ସେହି ବାର ଟଙ୍କା ହିସାବରେ ଦେଲା ।

 

ଏକ ଶ୍ରେଣୀର ଲୋକ ଅଛନ୍ତି, ଯେଉଁମାନଙ୍କ ହୃଦୟରେ ଅନୁରାଗ କିମ୍ବା ବିରାଗ କିଛି ନାହିଁ । ଫଳରେ କାହାକୁ ସ୍ନେହ କରିବାକୁ ହେଲେ ସେମାନଙ୍କର ଅନ୍ୟ କାହାକୁ ଘୃଣା କରିବା ଦରକାର । ଦୀନା ସାହୁ ଭାର୍ଯ୍ୟା ଯେ ନିଜ ଝିଅ ଦିଓଟିଙ୍କୁ ଏତେ ସ୍ନେହ କରିବାକୁ ଲାଗିଲା, ସେ ସ୍ନେହ ନିମନ୍ତେ ବିଧାତା ତା ହୃଦୟରେ ମଞ୍ଜି ପୋତି ନ ଥିଲା । ସେଥିପାଇଁ କ୍ଷତିପୂରଣ ସ୍ୱରୂପ ତାକୁ ବିଚାରା ରମାକୁ ସେତିକି ଘୃଣା କରିବାକୁ ପଡ଼ୁଥିଲା । ଦୀନା ସାହୁର ରୋଜଗାର ଯାହାହେଉ ପଛକେ, ସାହୁଆଣୀକୁ ପ୍ରତିଦିନ ଦୁଇଟି ବିପରୀତ ପ୍ରକାରର ଜିନିଷ ବ୍ୟୟ କରିବାକୁ ହେଉ ଥିଲା । ଅର୍ଥାତ୍‍, ସେ ନିଜ ଝିଅ ଦିଓଟିଙ୍କି ଯେତିକି ଚୁମ୍ବନ ଆଲିଙ୍ଗନ ଦେଉଥିଲା, ନିରୀହ ରମାକୁ ସେତିକି ଗାଳି ମାଡ଼ ଦେଉଥିଲା । ରମା ସେ ଘରେ ଆଶ୍ରୟ ନ ପାଇଥିଲେ, ହୁଏତ ତାରି ନିଜ ଝିଅମାନେ ତାର ନିତିଦିନର ଗାଳି ମାଡ଼ତକ ନିଜ ଅଙ୍ଗରେ ନିଭାଉଥାନ୍ତେ । ରମା ଥିବାରୁ ତାହା ଘଟେ ନାହିଁ । ସେ ନିଜ ଉପରେ ସାହୁଆଣୀର କ୍ରୋଧର ସ୍ରୋତ ବହିବାକୁ ଛାଡ଼ିଦିଏ । ସେ ଅତି କଷ୍ଟରେ ରହେ । ଅଥଚ ତା ପାଖରେ ଦୀନା ସାହୁ ଝିଅ ଦିଓଟି ସୁଖରେ କାଳ କାଟନ୍ତି ।

 

ଅଳ୍ପ ବୟସର ପିଲାମାନେ ନିଜ ମା’ର ଅବିକଳ ପ୍ରତିବିମ୍ବ କହିଲେ ଚଳେ । ସେମାନେ ଆକାରରେ ଅବଶ୍ୟ ଛୋଟ ଥାନ୍ତି; କିନ୍ତୁ ଗୁଣ ସମାନ ଥାଏ । ଚମ୍ପା ଏବଂ ହୀରା ଠିକ୍‌ ମା ପରି ରମା ଉପରେ ନିଜ ମନର ଓରମାନଯାକ ମେଣ୍ଟାନ୍ତି । ବରଷକ ପରେ ବର୍ଷ ଚାଲିଗଲା । ରାଧା ରମାକୁ ଦେଖିବାକୁ ଜଜାରସିଂହ ଆସିପାରିଲା ନାହିଁ । ଜଜାରସିଂହ ଲୋକେ କ୍ରମେ କହିବାକୁ ଲାଗିଲେ, ‘‘ଆହା, ଏ ଦୀନା ସାହୁଟି କେଡ଼େ ସନ୍ଥ ପାଲଟି ଗଲା ମ । ନିଜର ତ ଖାଇବାକୁ ନିଅଣ୍ଟ । ତେବେହେଲେ ପର ପିଲାଟାଙ୍କୁ ରଖି ପୋଷୁଚି ।’’

 

ରାଧା ରମାକୁ ପକାଇଦେଇ ପଳାଇଛି ବୋଲି ଜଜାରସିଂହରେ ଗୋଟାଏ ଧାରଣା ଜନ୍ମିଥିଲା । ସାହୁଆଣୀ କ୍ରମେ ଧରିନେଲା ଯେ ରମା ରାଧାର ବିବାହିତ ସ୍ୱାମୀର ଔରସରେ ଜନ୍ମ ହୋଇ ନାହିଁ । ସୁତରାଂ, ଶୀଘ୍ର ଆସି ପିଲାକୁ ନେଇଯିବା ପାଇଁ ଦୀନା ସାହୁ ରାଧାକୁ ଚିଠି ଲେଖିଲା-। ରାଧା କାମ ଛାଡ଼ି ଆସିପାରିଲା ନାହିଁ; ତେଣିକି ଦୀନା ସାହୁର ଦାବୀ ଅନୁସାରେ ମାସକୁ ମାସ ପନ୍ଦର ଟଙ୍କା ପଠାଇଲା । ରମା ବୟସରେ ବଢ଼ିବା ସଙ୍ଗେ ସଙ୍ଗେ ତା ଦୁଃଖକଷ୍ଟର ମାତ୍ରା ବଢ଼ିଲା । ପାଞ୍ଚ ବର୍ଷ ବୟସରେ ତାକୁ ଆଜି ନାନା କାର୍ଯ୍ୟ କରିବାକୁ ପଡ଼ିଲା । ରମା ଏପରି ବର୍ଷେ ଖଣ୍ଡେ କାର୍ଯ୍ୟ କଲା ପରେ, ତା ମା ମାସକୁ ପନ୍ଦର ଟଙ୍କା ନିୟମିତ ରୂପେ ଦେଇପାରିଲା ନାହିଁ । କେତେ ମାସର ଦେୟ ବାକି ପଡ଼ିଗଲା । ତହୁଁ ଦୀନା ସାହୁ ଓ ତା ଭାର୍ଯ୍ୟା କହିଲେ, ‘‘ଦେଖ୍‌, ରମା, କାମ ନ କଲେ ତୋ ହାଡ଼ ଗୁଣ୍ଡା କରିଦେବୁ । ତୁ କଣ ଏଠି ମାଗଣା ଖାଇ ଖଟୁଲିରେ ବସି ପୂଜା ହବାକୁ ଆସିଚୁ ? ମା’ ରାଣ୍ଡୀ ତ ପଇସାଟିଏ ଦବାକୁ ନାହିଁ ।’’

 

ରାଧା ନିଜର ଗଣ୍ଠିଧନ ରମାକୁ ଦୀନା ସାହୁ ଘରେ ଛାଡ଼ିଯିବାର ତିନିବର୍ଷ ପରେ ସେଠାରେ ଆସି ପହଞ୍ଚିଥିଲେ, ଝିଅକୁ ଚିହ୍ନିବା ତା ପକ୍ଷେ ଅସମ୍ଭବ ହୋଇପଡ଼ିଥାନ୍ତା । ରମା ଦେହରେ ହାଡ଼ ଚାରି ଖଣ୍ଡି ଛଡ଼ା ବର୍ତ୍ତମାନ ଆଉ କିଛି ନାହିଁ । ସେଥିପାଇଁ ଚମ୍ପା ଏବଂ ହୀରା ତାକୁ ଆସିବାର ଦେଖିଲେ କହନ୍ତି, ‘‘ଏଇ ଡାହାଣୀ ଆସିଲା ।’’ ବାସ୍ତବରେ ରମା ତାର ପ୍ରେତ ଛଡ଼ା ଅନ୍ୟ କିଛି ପରି ଦିଶୁ ନଥିଲା । ତା ପିଲାଦିନର ସବୁ ସୌନ୍ଦର୍ଯ୍ୟ ଯାଇଥିଲା; ବାକି ଥିଲା କେବଳ ବଡ଼ବଡ଼ ଉଜ୍ଜ୍ୱଳ ଆଖି ଦିଓଟି । ତାହା ଦେଖିଲେ ମନେ ହେଉଥିଲା ଯେ ସେ ନିଜର ଦୁର୍ଦ୍ଦଶା ଭଲରୂପେ ଦେଖିପାରିବା ନିମନ୍ତେ ପ୍ରକୃତି ତାର ବାକି ସବୁ ନେଇ, କେବଳ ବଡ଼ବଡ଼ ଆଖି ଦୁଇଟା ଛାଡ଼ିଦେଇଛି । ସେ ଶୀତଦିନ ରାତିରେ ଫୁଙ୍ଗାରେ ଶୁଏ; ଖରାଦିନେ ଦୁଇ ପହର ବେଳେ ଖାଲି ମୁଣ୍ଡରେ ପାଏ ଦୂର ପୋଖରୀରୁ ପାଣି ଆଣେ । ରମାର ଆଖି ଦିଓଟି କେବେ କେହି ଶୁଖିଲା ଦେଖେ ନାହିଁ ।

 

ସାହିର ଲୋକେ ରମାକୁ ‘‘କୁକୁଡ଼ା’’ ନାମ ଦେଇଥାନ୍ତି । ତାର କାରଣ, ଖୁବ୍‌ କାଳି ଅନ୍ଧାରରୁ ଉଠିବା ନିମନ୍ତେ ତାକୁ ସାହୁଆଣୀ ଯେଉଁ ବିଧା ଗୋଇଠା ମାଡ଼ ଦିଏ, ସେଥିରେ ସେ ଏତେ କାନ୍ଦିଉଠେ ଯେ ସାହିଲୋକଙ୍କ ନିଦ ଭାଙ୍ଗିଯାଏ । ରମା ଦୀନା ସାହୁ ଘର ଭିତରେ ଯାବତୀୟ କାର୍ଯ୍ୟ କରେ । ତା ଛଡ଼ା ଚଟିଘରକୁ ଯେ ବାଟୋଇମାନେ ଆସନ୍ତି ସେମାନଙ୍କର ମଧ୍ୟ ନଉକରି ଖଟେ । ପ୍ରଥମେ ଚଟିଘର ପାଇଁ ଜଣେ ଚାକର ଥିଲା । ରମା ଟିକିଏ ବଡ଼ ହୋଇଯିବାର ଦେଖି ଦୀନା ସାହୁ କହିଲା, ତୁଚ୍ଛାଟାରେ ଏ ଲୋକଟା ପିଛାରେ ମାସକୁ କାହିଁକି ଚାରି ପାଞ୍ଚ ଟଙ୍କା ଉଡ଼େଇବି ? ରମା କଣ ଖାଲି ବସି ଖାଇବ ?’’

 

ଜଜାରସିଂହ ଗଡ଼ରେ ଦୀନା ସାହୁ ଘରେ ଚମ୍ପା ଓ ହୀରାଙ୍କ ସଙ୍ଗରେ ରହି ରମାର ଯେ ଦୁର୍ଗତି ଘଟୁଅଛି ତାହା ମୋଟେ ଆଠ କ୍ରୋଶ ଦୂରରେ ରହି ତାହା ମାଆ ତିଳେ ମାତ୍ର ଜାଣି ନାହିଁ । ସେ କାରଖାନାରେ କାର୍ଯ୍ୟ କରି ଝିଅ ନିମନ୍ତେ ଟଙ୍କା ରୋଜଗାର କରିବାରେ ଲାଗିଛି । ସେ ଯେଉଁ ଗେରୁ କାରଖାନାରେ କାମ କରୁଥିଲା, ତାହା ଗୋଟିଏ ନୂଆ କାରଖାନା । ଅନ୍ୟାନ୍ୟ ରଙ୍ଗ ନ ମିଳିବାରୁ ସେ ସମୟରେ ଗେରୁର ଦାମ ଖୁବ୍‌ ବଢ଼ିଯାଇଥିଲା । ତାହା ଦେଖି ସନ ୧୨୪୮ ସାଲ ଶେଷ ଆଡ଼କୁ ଜଣେ ବିଦେଶୀ ବ୍ୟବସାୟୀ ଆସି ସାରଙ୍ଗଗଡ଼ରେ ଗୋଟିଏ କାରଖାନା ବସାଇଲେ-। ରାଧା ସେହି କାରଖାନାରେ କାର୍ଯ୍ୟ କରୁଥିଲା । ବ୍ୟବସାୟ ଚଳିବାର ତିନି ବର୍ଷ ମଧ୍ୟରେ ଦେଖାଗଲା ଯେ ସେ ବ୍ୟବସାୟୀ ଖୁବ୍‌ ଲାଭବାନ୍‌ ହୋଇଛନ୍ତି । କେବଳ ସେତିକି ନୁହେଁ; ସେଠାରେ ଯେତେ ମୂଲିଆ ମଜୁରିଆ କାମ କରୁଥିଲେ ସେମାନଙ୍କ ହାତରେ ମଧ୍ୟ ଅନେକ ଟଙ୍କା ପଡ଼ିଥିଲା ।

 

ଏହି ନୂତନ ବ୍ୟବସାୟୀଙ୍କ ପରିଚୟ ସମଗ୍ର ସାରଙ୍ଗଗଡ଼ରେ କେହି ପାଇ ନ ଥିଲେ । ସେ ଆସିଲା ବେଳେ ହାତରେ ଟଙ୍କା ଖଣ୍ଡେ ମାତ୍ର ଆଣିଥିଲେ । ସନ ୧୨୫୩ ସାଲକୁ ତାଙ୍କ ହାତରେ ପ୍ରାୟ ସାତ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଜମା ହେଲା । ସେ ଯେଉଁଦିନ ପ୍ରଥମେ କାନ୍ଧରେ ଗୋଟିଏ ବୁଜୁଳା ପକାଇ ଏବଂ ହାତରେ ଖଣ୍ଡିଏ ଅଚଞ୍ଛା ବାଉଶଁ ବାଡ଼ି ଧରି ସାରଙ୍ଗଗଡ଼ ମଧ୍ୟରେ ପାଦ ପକାଇଥିଲେ, ସେଦିନ ଗୋଟିଏ ବିଶେଷ ଘଟଣା ଘଟିଥିଲା । ସେ ପହଞ୍ଚିବା ବେଳକୁ ଜଣକ ଘରେ ନିଆଁ ଲାଗିଲା । ସେ ନିଆଁ ମଧ୍ୟକୁ ଡ଼େଇଁପଡ଼ି ସେ ଲୋକର ଦୁଇଟି ପିଲାଙ୍କୁ ଉଦ୍ଧାର କରି ଆଣିଲେ । ସେ ଯାହା ପିଲାଙ୍କୁ ଉଦ୍ଧାର କଲେ ସେ ପୋଲିସ୍‌ ବିଭାଗର ସବୁଠାରୁ ବଡ଼ କର୍ମଚାରୀ । ସେଥିପାଇଁ ସେ ନୂଆ ହୋଇ ଆସିଥିଲେ ସୁଦ୍ଧା, ପୋଲିସ୍‌ ତାଙ୍କ ବିଷୟରେ ଆଉ କିଛି ଖୋଜଖବର ନେଲେ ନାହିଁ । କେବଳ ତାଙ୍କ ଧନଞ୍ଜୟ ରାୟ ନାମ ସବୁଆଡ଼େ ପ୍ରକଟିତ ହେଲା । ସେତେବେଳେ ତାଙ୍କ ବୟସ ପ୍ରାୟ ପଚାଶ ବର୍ଷ ।

 

ସାରଙ୍ଗଗଡ଼କୁ ଆସିବାର ବର୍ଷକ ମଧ୍ୟରେ ଧନଞ୍ଜୟ ବ୍ୟବସାୟର ଲାଭରେ ଗୋଟିଏ ବଡ଼ କାରଖାନା ଘର ତୋଳିଲେ । ସେ କାରଖାନାରେ ସ୍ତ୍ରୀ ଓ ପୁରୁଷ ବ୍ୟକ୍ତିମାନେ କାମ କରିବା ନିମନ୍ତେ ଅଲଗା ଅଲଗା ଖୁଆଡ଼ ରହିଲା । ଯେ ଖାଇବାକୁ ନ ପାଏ, ତା ନିମନ୍ତେ ସେ କାରଖାନାରେ କାର୍ଯ୍ୟ ରହିଥାଏ । ଲୋକେ ସାଧୁ ଓ ସତ୍‌ଚରିତ୍ର ହେଲେ; ସେଠାରେ ସହଜରେ ସ୍ଥାନ ପାଉଥିଲେ । ଧନଞ୍ଜୟ ରାୟ ଅର୍ଥ ଉପାର୍ଜନ କରି କେବଳ ଯେ ସଞ୍ଚୟ କରି ରଖୁଥିଲେ, ତା ନୁହେଁ, ଯଥେଷ୍ଟ ଦାନ କରୁଥିଲେ । ସାରଙ୍ଗଗଡ଼ରେ ଗୋଟିଏ ଚିକିତ୍ସାଳୟ ବସାଇଲେ । ବାଳକ ଏବଂ ବାଳିକାମାନଙ୍କ ନିମନ୍ତେ ଦୁଇଟି ପୃଥକ ବିଦ୍ୟାଳୟ ସ୍ଥାପନ କଲେ ।

 

ଧନଞ୍ଜୟ ରାୟ ସାରଙ୍ଗଗଡ଼କୁ ଆସିବାର ଚାରି ବର୍ଷ ପରେ ରାଜା ତାଙ୍କୁ ଦେବାନ ପଦ ଯାଚିଲେ । ସେଥିରେ ରାଜାଙ୍କର ପୁରୁଣା କର୍ମଚାରୀମାନଙ୍କର ଈର୍ଷା ଜାତ ହେଲା । ତାହା ଜାଣିପାରି ଧନଞ୍ଜୟ ରାୟ ସେ ପଦ ଗ୍ରହଣ କଲେ ନାହିଁ । ତାଙ୍କ ବିଚକ୍ଷଣତା ଦେଖି ରାଜା ତାଙ୍କୁ ‘‘ବିଦ୍ୟାଭୂଷଣ’’ ଉପାଧି ଯାଚିଲେ । ତାହା ମଧ୍ୟ ସେ ଗ୍ରହଣ କରିବାକୁ ନାରାଜ ହେଲେ । ରାଜଦତ୍ତ ଉପାଧି ଓ ଉଚ୍ଚ ପଦବୀ ଧନଞ୍ଜୟ ଯେତିକି ପରିତ୍ୟାଗ କରିବାକୁ ବସିଲେ, ସେ ସବୁ ତାଙ୍କୁ ସେତିକି ଗୋଡ଼ାଇବାରେ ଲାଗିଲା । ସନ ୧୨୫୩ ସାଲରେ ରାଜା ତାଙ୍କୁ ପୁଣି ଦେବାନ ପଦ ଗ୍ରହଣ କରିବାକୁ କହିଲେ । ଏଥରେ ତାହା ଗ୍ରହଣ କରିବା ନିମନ୍ତେ ତାଙ୍କୁ ସାରଙ୍ଗଗଡ଼ର ସବୁ ଅଞ୍ଚଳର ଲୋକେ ଆସି ଅନୁରୋଧ କଲେ । ଫଳରେ ଧନଞ୍ଜୟ ରାୟ ନିଜ ବ୍ୟବସାୟ ଚଳାଇବା ସଙ୍ଗେ ସଙ୍ଗେ ରାଜାଙ୍କ ଦେବାନ ପଦରେ ମଧ୍ୟ ଅଧିଷ୍ଠିତ ହେଲେ ।

 

ବୁଦ୍ଧି ବଳରେ ପ୍ରଚୁର ଅର୍ଥ ଉପାର୍ଜନ କରି ଓ ରାଜାଙ୍କର ଦେବାନ ପଦରେ ନିଯୁକ୍ତ ହୋଇ ସୁଦ୍ଧା ଧନଞ୍ଜୟ ରାୟ ଆଡ଼ମ୍ବର ଶୂନ୍ୟ ଚାଲିଚଳନ ଛାଡ଼ିଲେ ନାହିଁ । ସେ ଖଣ୍ଡିଏ ଛୋଟିଆ ବାଉରିବୁଣା ଖଦି ପିନ୍ଧି ଆଉ ଖଣ୍ଡିଏ ଦୋସଡ଼ା ଧରୁଥିଲେ । ଦେବାନ କାର୍ଯ୍ୟ କରିବା ସମୟ ଛଡ଼ା ସେ ଅନ୍ୟ ସମୟରେ ଏକୁଟିଆ ରହୁଥିଲେ । ଅତି ଅଳ୍ପ ଲୋକଙ୍କ ସଙ୍ଗେ କଥାବାର୍ତ୍ତା ହେଉଥିଲେ । ହସିବା ନିମନ୍ତେ କୌଣସି ଘଟଣା ପଡ଼ିଲେ କ୍ଷୀଣ ମୁଡ଼ୁକିହସାରେ ତାହା ଶେଷ କରୁଥିଲେ । ଅନ୍ୟ କୌଣସି କାର୍ଯ୍ୟ ନ ଥିବାବେଳେ ବହି ପଢ଼ି ସମୟ କଟାଉଥିଲେ । ସାରଙ୍ଗଗଡ଼ରେ ରହି କ୍ରମେ ତାଙ୍କ ଭାଷା ମାର୍ଜିତ, ବ୍ୟବହାର ଭଦ୍ର ଓ କାର୍ଯ୍ୟକଳାପ ସୁସଙ୍ଗତ ହୋଇଗଲା ।

 

ଧନଞ୍ଜୟ ରାୟ ରୋଜ କିଛି ସମୟ ବାହାରେ ବୁଲିବାକୁ ଯାଉଥିଲେ । ସେ ଘରୁ ବାହାରିଲା ବେଳେ ମୁଣାରେ ସୁ’କି, ଦୋ’ଣି ମୁଣାଏ ପୂରାଇ ନେଇଥାନ୍ତି । ଫେରିଆସିଲା ବେଳକୁ ମୁଣିଟି ଖାଲି ହୋଇଥାଏ । ଦରିଦ୍ର ମାଗିଖିଆ ଲୋକେ ବରାବର ତାଙ୍କ ବାଟକୁ ଚାହିଁ ବସିଥାନ୍ତି । ସେ ସତ୍‌କାର୍ଯ୍ୟମାନ ଗୋପନରେ କରିବାକୁ ଇଚ୍ଛା କରୁଥିଲେ, ସତେ ଅବା ଯେପରି କୌଣସି ପାପ କରୁଛନ୍ତି । ଅନେକ ଦିନ ରାତିରେ ଦରିଦ୍ର ଲୋକଙ୍କ ଘରେ ଚିତ୍କାର ଶୁଣାଯାଏ- ‘‘ଏଇ ଚୋର ପଳେଇଲା, ଚୋର ପଳେଇଲା ।’’ ମାତ୍ର ଦୀପ ଳଗାଇ ଦେଖିଲା ବେଳକୁ ଦେଖାଯାଏ ଯେ କାହା ଘରେ ଗୋଟିଏ ସୁନାର ମୋହର ପଡ଼ିଛି, କାହା ଘରେ ବା ଗୋଟିଏ ଛୋଟିଆ ଟଙ୍କାଥଳି ଥୁଆ ହୋଇଛି । ଏ ଚୋର ଯେ ଧନଞ୍ଜୟ ରାୟ, ତାହା ଜଣାପଡ଼ିବାକୁ ବିଳମ୍ବ ହେଲା ନାହିଁ ।

 

ସନ ୧୨୪୫ ସାଲରେ ସୁନ୍ଦରପୁର ମଠ ମହନ୍ତଙ୍କର ନାରାୟଣ ପ୍ରାପ୍ତି ହେଲା । ସେ ସମ୍ବାଦ ପାଇ ଧନଞ୍ଜୟ ରାୟ ହଠାତ୍‌ କାନ୍ଦି ପକାଇଲେ । ତାଙ୍କୁ କେହି କେହି ପଚାରିଲେ, ଆପଣ କଣ ମହନ୍ତଙ୍କର ବନ୍ଧୁବାନ୍ଧବ କିଛି ହୁଅନ୍ତି ?’’ ଧନଞ୍ଜୟ ରାୟ ଉତ୍ତର ଦେଲେ, ‘‘ନା, ମୁଁ ଦିନେ ତାଙ୍କର ଅତିଥି ହୋଇଥିଲି’’- କହି, ସେ ଏକ ଦୀର୍ଘନିଃଶ୍ୱାସ ପକାଇଲେ । ଆଉ ଦିନେ ମଧୁସୂଦନ ମହାନ୍ତି ନାମରେ ଜଣେ ଯୁବକ ପଡ଼ିଆ ଜମି ପଟାନେବା ନିମନ୍ତେ ରାଜାଙ୍କ କଚେରିକୁ ଦରଖାସ୍ତ ଘେନି ଆସିଥିଲା । ସେ ଦରଖାସ୍ତ ଦେବାନଙ୍କ ପାଖେ ପେଶ୍‌ କଲାବେଳେ ଦେବାନ ଏକଦୃଷ୍ଟିରେ ତା ଆଡ଼କୁ ଅନେକ ସମୟ ଚାହିଁ ରହିଲେ । ତା ପରେ ତାକୁ ଆଠଗୋଟି ସୁନା ମୋହର ଦେଇ ତା ଦରଖାସ୍ତ ମଞ୍ଜୁର କଲେ । ସେ କାରଣ ବୁଝି ନ ପାରି ଅବାକ୍‌ ହୋଇ ଠିଆ ହୋଇ ରହିଲା ।

 

ଦେବାନଙ୍କ ଚାଲିଚଳନ ଯେତିକି ସିଧା ତାଙ୍କ ଘରଦ୍ୱାର ସେତିକି ଖୋଲା । କେବଳ ଗୋଟିଏ କୋଠରୀକୁ ସେ କାହାକୁ ଛାଡ଼ନ୍ତି ନାହିଁ । ସେହିଟି ତାଙ୍କର ଶୟନକକ୍ଷ । ଦିନେ ରାଜା କହିଲେ, ‘‘ଦେବାନ୍‌, ମୁଁ ଶୁଣୁଚି ଆପଣ ତଳେ ଶୋଉଛନ୍ତି । ଶଯ୍ୟାର ଆଡ଼ମ୍ବର ଆପଣଙ୍କର କିଛି ନାହିଁ । ଶୀତଦିନେ ଘୋଡ଼ାଇ ହେଉ ନାହାନ୍ତି କି ଆପଣଙ୍କ ପାଖେ ପଙ୍ଖା ଆଲଟ ପଡ଼ୁନାହିଁ । ମୁଁ ଆପଣଙ୍କ ଶୟନକକ୍ଷ ଦେଖିବି ।’’ ଦେବାନ ନିତାନ୍ତ ଅନିଚ୍ଛାସତ୍ତ୍ୱେ ରାଜାଙ୍କୁ ନିଜ ଶୟନକକ୍ଷ ଭିତରକୁ ନେଇଗଲେ । ସେଠାରେ କିଛି ବିଶେଷତ୍ୱ ନ ଥିଲା । କେବଳ ଗୋଟିଏ ରୂପା ଦୀପରୁଖାରେ ଗୋଟିଏ ଫୁଳମାଳ ପଡ଼ି ଦେବାନଙ୍କ ଶେଯର ମୁଣ୍ଡ ଆଡ଼କୁ ଥୁଆ ହୋଇଥିଲା । ରାଜା ଦେବାନଙ୍କୁ ସେ ବିଷୟରେ କିଛି ପ୍ରଶ୍ନ ନ କରି ନିଜେ କହିଲେ, ‘‘ଏଇ ଦୀପ ଜାଳି ବୋଧହୁଏ ଆପଣ ରାତିରେ ପଢ଼ନ୍ତି ।’’ ଦେବାନ ଉତ୍ତର ଦେବାର କୌଣସି ଆବଶ୍ୟକତା ଘଟିଲା ନାହିଁ ।

 

ଦେବାନ କ୍ରମେ କ୍ରମେ ସାରଙ୍ଗଗଡ଼ର ସାନଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କର ଶ୍ରଦ୍ଧା ଓ ଭକ୍ତିର ପାତ୍ର ହୋଇପଡ଼ିଲେ । ନିଜେ ରାଜା ମଧ୍ୟ ତାଙ୍କର ଜାତି କୁଳ ବିଷୟରେ କିଛି ନ ଜାଣି ତାଙ୍କୁ ନମସ୍କାର କରୁଥିଲେ । କିନ୍ତୁ ସମଗ୍ର ସାରଙ୍ଗଗଡ଼ରେ ଜଣେ ମାତ୍ର ଲୋକ ଥିଲେ, ଯେ କି ଦେବାନଙ୍କୁ ମନେ ମନେ ଅତ୍ୟନ୍ତ ବେଖାତିର କରୁଥିଲେ । ଦେବାନଙ୍କୁ ଦେଖିଲେ ସେ ସବୁବେଳେ ମୁହୂର୍ତ୍ତେ ତାଙ୍କ ଆଡ଼କୁ ସନ୍ଦେହ ଦୃଷ୍ଟିରେ ଚାହାଁନ୍ତି । ସେ ମନକୁ ମନ କହନ୍ତି, ‘‘ଏଟାକୁ ମୁଁ ତ ଆଗରୁ କେଉଁଠି ଦେଖିଚି’’ । କିନ୍ତୁ ପ୍ରକାଶ୍ୟରେ ସେ କିଛି କହିପାରନ୍ତି ନାହିଁ; ଅନ୍ୟାନ୍ୟ ସମସ୍ତଙ୍କ ପରି ଭଦ୍ରତାର ସହିତ ମାନି, ମୁଣ୍ଡ ନୁଆଁଇ ଚଳନ୍ତି ।

 

ସେ ବ୍ୟକ୍ତିଙ୍କର ନାମ ଜନାର୍ଦ୍ଦନ ମହାପାତ୍ର । ସେ ପୋଲିସ୍‌ ବିଭାଗର ସବୁଠାରୁ ବଡ଼ କର୍ମଚାରୀ; ସେ ସମୟରେ ସାରଙ୍ଗଗଡ଼ରେ କାର୍ଯ୍ୟ କରୁଥିଲେ । ସେ ସାରଙ୍ଗଗଡ଼କୁ ଆସିବା ପୁର୍ବରୁ ଧନଞ୍ଜୟ ରାୟ ବ୍ୟବସାୟରେ ଅର୍ଥ ଉପାର୍ଜନ କରି ବଡ଼ଲୋକ ହୋଇ ସାରିଥିଲେ । ଜନାର୍ଦ୍ଦନ ମହାପାତ୍ରଙ୍କ ଉତ୍ପତ୍ତି ସେତେ ଲୋଭନୀୟ ନୁହେଁ । ତାଙ୍କ ମା ଖୁଣୀ ଅପରାଧର ଦଣ୍ଡସ୍ୱରୂପ କଏଦିଖାନାରେ ଥିଲାବେଳେ ସେହିଠାରେ ତାଙ୍କର ଜନ୍ମ । ସେହି କଏଦିଖାନାରେ ହିଁ ସେ ମାତୃକୋଳରେ ବଢ଼ିଥିଲେ । ମନୁଷ୍ୟ ସମାଜକୁ ଘୃଣା କରିବା ସେ ମାଆାଙ୍କଠାରୁ ଅତି ବାଲ୍ୟକାଳରୁ ଶିକ୍ଷା କରିଥିଲେ । ବଡ଼ହୋଇ ସେ ଶିକ୍ଷା ଲାଭ କରି, ମାଆଙ୍କ ଦଣ୍ଡରେ ପ୍ରତିଶୋଧ ନେବା ଇଚ୍ଛାରେ ସେ ପୋଲିସ୍‌ ବିଭାଗରେ କାର୍ଯ୍ୟ କଲେ; କିନ୍ତୁ କିଛିଦିନ କାର୍ଯ୍ୟ କଲା ପରେ ତାଙ୍କ ପ୍ରତିହିଂସା ନେବା ଇଚ୍ଛା ଲୋପ ପାଇଗଲା । ସେ ଦୁଇଗୋଟି ନୀତିରେ ନିଜକୁ ଗଢ଼ି ରଖିଲେ- ଗୋଟିଏ ଉପରିସ୍ଥ କର୍ମଚାରୀମାନଙ୍କ ପ୍ରତି ଭକ୍ତି; ଆରଟି ଦୋଷକୁ ଘୃଣା କରିବା । ତାଙ୍କ କାର୍ଯ୍ୟରେ ବିଚକ୍ଷଣତା ଯୋଗେ ତାଙ୍କୁ ‘‘ସର୍ଦ୍ଦାର’’ ଉପାଧି ମିଳିଥିଲା ।

 

ସର୍ଦ୍ଦାର ମହାପାତ୍ରଙ୍କ ଚେହେରା ଯେ ସୁନ୍ଦର ନ ଥିଲା, ତା ତାଙ୍କୁ ଯେ ଦେଖିଥିବ ସେ ବୁଝିପାରିଥିବ । ତାଙ୍କ ମୁହଁଟି ଏକପ୍ରକାର ତ୍ରିଭୁଜାକାର, କପାଳ ଅପ୍ରଶସ୍ତ, ଓଠ ଗୋଜିଆ, ହାତ ଦୁଇଟା ଅତିଶୟ ଲମ୍ବା, ଦୃଷ୍ଟି ଅତ୍ୟନ୍ତ ବିକଟ । ସେ ହାତରେ ଗୋଟାଏ ଲମ୍ବା ବେତ ଧରି ଘୋଡ଼ାରେ ଚଢ଼ି ଗଲାବେଳେ ଲୋକେ ଦୂରରୁ ଦେଖି କହନ୍ତି, ‘‘ଏଇ ଯମ ଆସିଲା’’ । ଯେଉଁମାନେ ମୁଣ୍ଡରେ ‘‘ଅପରାଧୀ’’ ଛାପ ପିନ୍ଧିଥାନ୍ତି କିମ୍ବା ଅପରାଧ କରିବାକୁ ଯାହାଙ୍କର ଇଚ୍ଛା ଥାଏ, ସେମାନେ ସର୍ଦ୍ଦାର ମହାପାତ୍ରଙ୍କ ନାମ ଶୁଣିଲା ମାତ୍ରେ ଭୟରେ ଥରନ୍ତି ।

 

ସର୍ଦ୍ଦାର ମହାପାତ୍ରେ ଦେବାନଙ୍କୁ ମନେ ମନେ ଯେ କାହିଁକି ସନ୍ଦେହ ଚକ୍ଷୁରେ ଦେଖନ୍ତି, ତାହା ତାଙ୍କୁ ଜଣା । ଅନ୍ୟମାନେ କାରଣଟା କେବଳ ଅନୁମାନ କରିପାରନ୍ତି । ଦେବାନ ମଧ୍ୟ ସର୍ଦ୍ଦାରଙ୍କୁ ଦେଖିଲେ ଖୁସି ହୁଅନ୍ତି ନାହିଁ । ସର୍ଦ୍ଦାର ଦେବାନଙ୍କ ନିକଟକୁ ଯାଇ ପରିଚୟ କରିବାକୁ ଯେତେ ଇଚ୍ଛା କରନ୍ତି, ଦେବାନ ସେତିକି କରଛଡ଼ା ଦେଇ ଦୂରରେ ରହନ୍ତି; କିନ୍ତୁ ଦିନେ ଉଭୟଙ୍କର ମିଳନ ହୋଇଗଲା । ଦେବାନ ବୁଲିଯାଉଥିବା ବେଳେ ବାଟରେ ଗୋଟାଏ ବୋଝେଇ ଶଗଡ଼ ଭାଜିପଡ଼ି ଶଗଡ଼ିଆକୁ ମାଡ଼ିବସିଲା । ଲୋକ ଜମା ହୋଇଗଲେ; କିନ୍ତୁ କେହି ଶଗଡ଼ିଆକୁ ଭିଡ଼ି ବାହାର କରି ଆଣିବାକୁ ସାହସ କଲେ ନାହିଁ । ଦେବାନ ପହଞ୍ଚି କହିଲେ, ‘‘ଦେଖ, ମୁଁ ଶହେ ଟଙ୍କା ପୁରସ୍କାର ଦେବି, କିଏ ବାହାରୁଛ ବାହାର, ଶଗଡ଼ିଆର ପ୍ରାଣ ରଖ ।’’ ମାତ୍ର କେହି ବାହାରିଲେ ନାହିଁ ।

 

ହଠାତ୍‌ ପଛରୁ ସର୍ଦ୍ଦାର ମହାପାତ୍ରେ ଆସି ପହଞ୍ଚି ବଡ଼ପାଟିରେ ପଚାରିଲେ, ‘‘ଆବେ, କାହିଁକି ଜମା ହେଇଚ ? ଘଟଣା କଣ ?’’ ସମସ୍ତେ ଘୁଞ୍ଚି ବାଟ ଛାଡ଼ିଦେଲେ । ଦେବାନଙ୍କ ମୁହଁ ଟିକିଏ କଳା ପଡ଼ିଗଲା । ସର୍ଦ୍ଦାର ନଇଁ ନମସ୍କାର କରି କହିଲେ, ‘‘ହଜୁର ମଧ୍ୟ ଏଠି ବିଜେ ହେଇଚନ୍ତି-।’’ ଦେବାନ କୌଣସି ଉତ୍ତର ନ ଦେଇ ରୁଣ୍ଡ ହୋଇଥିବା ଲୋକଙ୍କୁ ପୁଣି କହିବାକୁ ଲାଗିଲେ, ‘‘ଦେଖ, ଶହେ ଟଙ୍କା, ବାହାରିପଡ଼ ।’’ ତଥାପି କେହି ବାହାରିଲେ ନାହିଁ । ତେଣେ ଶଗଡ଼ିଆ ପାଟିକରି କହିଲା, ‘‘ମରିଗଲି, ମରିଗଲି ।’’ ପୁଣି ଦେବାନ ପୁନରାୟ ଲୋକଙ୍କୁ ଉତ୍ସାହ ଦେଇ କହିଲେ, ‘‘ଯାଅ, ବାହାରିପଡ଼ । ଶହେ ନାହିଁ, ଦୁଇଶ ଟଙ୍କା ଦେବି ।’’

 

ସର୍ଦ୍ଦାର କହିଲେ, ‘‘ଆପଣ ଯେତେ ଦିଅନ୍ତୁ ପଛକେ, ଏମାନେ ବାହାରିବେ ନାହିଁ, ଏ ଛେଳି ଜାତି । ୟାଙ୍କ ଦିହାତି ଏ କାମ ନୁହେଁ । ମୁଁ ଜଣେ ଲୋକକୁ ଜାଣେ, ଯା ହାତେ ଏଇ କାର୍ଯ୍ୟ ଦଣ୍ଡକେ ହେଇପାରନ୍ତା ।’’ ଶୁଣି ଦେବାନଙ୍କ ମୁହଁ ଶେତା ପଡ଼ିଗଲା । ତାହା ଦେଖି ସୁଦ୍ଧା, ସର୍ଦ୍ଦାର ପୁଣି କହିଲେ, ‘‘ଲୋକଟା ଗୋଟାଏ ଊଣିଶ ବର୍ଷର କଏଦୀ ।’’ ଦେବାନଙ୍କ ମୁହଁ ଏକା ବେଳକେ ଶୁଖିଗଲା । ସେତିକିବେଳେ ଶଗଡ଼ିଆ ପୁଣି ଚିତ୍କାର କରିଉଠିଲା । ‘‘ମୋ ହାଡ଼ ଭାଙ୍ଗିଗଲା । ମୋତେ ରଖ । ଏତେ ଲୋକ ଠିଆ ହେଇ ଦେଖୁଚ, ମୁଁ ଏଠି ମରୁଚି ।’’ ଦେବାନ ମୁଣ୍ଡ ଟେକି ଚାହିଁଲେ । ଦେଖିଲେ ସର୍ଦ୍ଦାର ତାଙ୍କ ଆଡ଼କୁ ଏକ ଦୃଷ୍ଟିରେ ଅନାଇଁ ରହିଛନ୍ତି । ସେଥିରେ ବିଚଳିତ ହେବାକୁ ତାଙ୍କର ଆଉ ଅବସର ନ ଥିଲା । ସେ ଚାହୁଁ ଚାହୁଁ ପାଛୁଡ଼ା ଖଣ୍ଡି ଅଣ୍ଟାରେ ବାନ୍ଧି ଶଗଡ଼ ଦଣ୍ଡାରେ କାନ୍ଧ ଲଗାଇଦେଲେ । ବୋଝେଇ ଶଗଡ଼ କ୍ଷଣକ ମଧ୍ୟରେ ତଳୁ ଉଠିଗଲା । ବାସୁଦାସ ମୃତ୍ୟୁମୁଖରୁ ଉଦ୍ଧାର ପାଇ ଚିକିତ୍ସାଳୟରେ ଯାଇ ରହିଲା । ସେଠାରେ ସେ ଦେଖିଲା, ତା ଶେଯ ପାଖେ କୋଡ଼ିଏଟି ସୁନା ମୋହର ଥୁଆ ହୋଇଛି । ତା ଉପରେ ଦେବାନଙ୍କ ହାତ ଲେଖା ଖଣ୍ଡିଏ କାଗଜ ରଖାଯାଇଛି । ସେଥିରେ ଲେଖାଅଛି; ‘‘ତୁମ ଶଗଡ଼ ଓ ବଳଦର ଦାମ । ଭଙ୍ଗା ଶଗଡ଼ ଏବଂ ଜଖମ ହୋଇଥିବା ବଳଦ ଦେବାନ କିଣି ନେଇଗଲେ ।’’

Image

 

ମା’ର ଅପତ୍ୟ ସ୍ନେହ

 

ରାଧା ଯେଉଁଦିନ ଆସି ପ୍ରଥମେ ଧନଞ୍ଜୟ ରାଏଙ୍କ କାରଖାନାରେ କାମ କରିବାକୁ କହିଲା, ସେ ଦିନର କଥା କାହାରି ମନେ ନାହିଁ । ସେ ଜନାନା ଖୁଆଡ଼ରେ କାମ କଲା ସେଠାରେ ଦରିଦ୍ର ମୂଲିଆଣୀମାନେ ରହିବାକୁ ଘର ଥାଏ । ରାଧା ସେଥିରୁ ଗୋଟିଏ ଘରେ ରହିଲା । ପ୍ରଥମେ ତାକୁ ସାମାନ୍ୟ ମଜୁରି ମିଳିଲା । ମାତ୍ର ସେ କାମ ଭଲ ଶିଖିବା ସଙ୍ଗେ ସଙ୍ଗେ ତା ମଜୁରି ବଢ଼ିବାକୁ ଲାଗିଲା । ସେ ତା ଉପାର୍ଜିତ ଟଙ୍କାରୁ କିଛି ଖର୍ଚ୍ଚ କରି ଘରର କେତେକ ଆସବାବ କିଣିଲା । ତା ମଧ୍ୟରେ ଗୋଟିଏ ବଡ଼ ଦର୍ପଣ କିଣି ପାଖରେ ରଖିଲା । ଦର୍ପଣରେ ସେ ନିଜର ସୌନ୍ଦର୍ଯ୍ୟ ଦେଖି ବେଳେ ବେଳେ ଆନନ୍ଦ ଲାଭ କରେ । ତା ବାଳ ପେଣ୍ଡାଟି ବିଶେଷ ସୁନ୍ଦର ଦିଶେ । ସେ ଦର୍ପଣରେ ନିଜ ବାଳ ପେଣ୍ଡା ଓ ମୁକ୍ତା ପରି ଦାନ୍ତଗୁଡ଼ିକ ଦେଖି ଆନନ୍ଦରେ ନାଚିଉଠେ-। କ୍ରମେ ତାର ସମସ୍ତ ଦୁଃଖ ପାସୋରିଗଲା । ତାର ଏକମାତ୍ର ଚିନ୍ତାର ବିଷୟ ରହିଲା ରମା ।

 

କିନ୍ତୁ ତା କୋଳର ଝିଅ ରମା ଯେ ବିଦେଶରେ ଅଛି, ତାହା ସେ କାହାରି ଆଗେ କହିପାରିଲା ନାହିଁ । ସେ ତ ବିବାହ ହୋଇ ନାହିଁ ବୋଲି ସମସ୍ତଙ୍କୁ କହିଛି । ତାର ପୁଣି ପିଲା ଆସିବ କେଉଁଆଡ଼ୁ ? କିନ୍ତୁ ତା ପିଲାଟି ବିଷୟ ଲେଖି ଦୀନା ସାହୁ ଦଶ ଆଠ ଦିନରେ ଖଣ୍ଡେ ଖଣ୍ଡେ ଚିଠି ପଠାଏ । ରାଧା ମଧ୍ୟ ଲୁଚାଇ ଚୋରାଇ ସପ୍ତାହରେ ଦୁଇଖଣ୍ଡି ଚିଠି ଦିଏ । ରାଧା ନିଜେ ଚିଠି ଲେଖି ପାରୁଥିଲେ ତାର ଧରା ପଡ଼ିବାର ଆଶଙ୍କା ନ ଥାନ୍ତା; କିନ୍ତୁ ସେ ନିଜେ ଲେଖିପାରେ ନାହିଁ । ମୂଲିଆଣୀମାନଙ୍କ ଚିଠି ଲେଖି ପଢ଼ି ଦେବା ନିମନ୍ତେ କାରଖାନା ମାଲିକଙ୍କ ତରଫରୁ ଜଣେ ସ୍ତ୍ରୀ ବ୍ୟକ୍ତି ଥାଏ । ରାଧା ତାହାରି ହାତରେ ଚିଠି ଗୁଡ଼ିକ ଲେଖାଏ । ରାଧାର ଗୋଟିଏ ପିଲା ଜଜାରସିଂହରେ ଅଛି ବୋଲି ସେ ସ୍ତ୍ରୀ ବ୍ୟକ୍ତି କ୍ରମେକ୍ରମେ ଚାରିଆଡ଼େ ରାଷ୍ଟ୍ର କରି ପକାଇଲା ।

 

ମୂଲିଆଣୀମାନଙ୍କ ମଧ୍ୟରୁ କାହାର କେଉଁଠାରେ କିଏ ଅଛି, ସେ ବିଷୟ ନେଇ ସେମାନଙ୍କ ମଧ୍ୟରେ ବଡ଼ ଘଣ୍ଟାଚକଟା ଲାଗୁଥିଲା । ସେ ବିଭା ହୋଇ ନାହିଁ ଏବଂ ତାର ପିଲାଝିଲା କେହି ନାହାନ୍ତି ବୋଲି ରାଧା ବାରମ୍ବାର କହିବାରୁ, ଜଣେ ମୂଲିଆଣୀ ସାତ ଦିନ ଛୁଟି ନେଇ, ହାତରୁ ସାତଟଙ୍କା ଆଠଣା ଖର୍ଚ୍ଚ କରି, ଜଜାରସିଂହ ଯାଇ ରମାକୁ ଦେଖି ଆସିଲା । ଆଉ ରାଧା କି କୌଣସି କଥା ଲୁଚାଇ ରଖିବାରେ ? ମୂଲିଆଣୀମାନଙ୍କ ଉପରେ ଜଣେ ମାଲିକିଆଣୀ ଥାଆନ୍ତି । ମୂଲିଆଣୀମାନଙ୍କ ଚରିତ୍ର କିପରି ବିଶୁଦ୍ଧ ରହିବ, ତାହା ଦେଖିବା ତାଙ୍କର କାମ । ସେ ରାଧାକୁ ଦିନେ ଡାକି କହିଲେ, ‘‘ଦେଖ, ରାଧା, ତୋ ସ୍ୱଭାବ ବଡ଼ ମନ୍ଦ । ମାଲିକ ତୋ କଥା ସବୁ ଶୁଣି ତୋତେ କାମରୁ ବାହାର କରିଦେଇଛନ୍ତି । ତୁ ଏ ପଚାଶ ଟଙ୍କା ନେଇ ଯା ପଳା ।’’ କହି ରାଧାକୁ ପଚାଶଟି ଟଙ୍କା ଦେଲେ । ରାଧା କାରଖାନା ଛାଡ଼ି ଚାଲିଗଲା ।

 

ରାଧାକୁ ପୁଣି ଅକୂଳ ସାଗରରେ ଭାସିବାକୁ ପଡ଼ିଲା । ରମାର ଖର୍ଚ୍ଚ ପାଇଁ ମାସକୁ ବାର ଟଙ୍କା ପରିବର୍ତ୍ତେ ପନ୍ଦର ଟଙ୍କା ଦେବାକୁ ଯେଉଁ ସମୟରେ ଦୀନା ସାହୁ ଚିଠି ଲେଖିଥିଲା, ଏ ଠିକ୍‌ ସେହି ସମୟରେ ଘଟଣା ରାଧା କାର୍ଯ୍ୟରୁ ଚାଲିଯିବାରୁ ଦୀନାସାହୁଠାକୁ ମାସକୁ ମାସ ଟଙ୍କା ପଠାଇ ପାରିଲା ନାହିଁ । ତାକୁ ସବୁ ଅନ୍ଧାର ଦିଶିଗଲା । ସେ କାର୍ଯ୍ୟରୁ ବାହାର ହୋଇ ଏତେ କଷ୍ଟ ପାଉଛି ବୋଲି ମାଲିକ ଜାଣିଲେ ନାହିଁ । ତାଙ୍କ ଅଗୋଚରରେ ମାଲିକିଆଣୀ ତାକୁ ଗୋଟାଏ ଦାତବ୍ୟ ପାଣ୍ଠିରୁ ପଚାଶ ଟଙ୍କା ଦେଇ ବାହାର କରି ଦେଇଥିଲେ ।

 

ରାଧା ବଜାରରେ ଖଣ୍ଡିଏ କୁଡ଼ିଆଭଡ଼ା ନେଇ ରହି, ଦିନ ମଜୁରିରେ କାମ କରିବାକୁ ଲାଗିଲା; କିନ୍ତୁ ସେ ମଜୁରି ତା ପେଟକୁ ଅଣ୍ଟିଲା ନାହିଁ । ଝିଅର ଖର୍ଚ୍ଚ ପାଇଁ ସେ ସେଥିରୁ ଆଉ ପଠାଇବ କଣ ? ଝିଅଟି ପାଖରେ ଥିଲେ, ସେ ତା ମୁହଁ ଚାହିଁ ଟିକିଏ ଖୁସୀ ହେଉଥାନ୍ତା । ଭାବିଲା, ତାକୁ ଯାଇ ନେଇଆସିବ । କିନ୍ତୁ ଯିବା ଆସିବାକୁ ବାଟ ଖର୍ଚ୍ଚ ପାଇବ ବା କେଉଁଆଡ଼ୁ ? ତା ପରେ ପୁଣି ଦୀନା ସାହୁର ଗୁଡ଼ାଏ ଟଙ୍କା ବାକି ପଡ଼ିଯାଇଥିଲା । ସେ କଥା ଭାବି ସେ କହିଲା, ‘‘ନା ଧନମାଳୀ ଖାଇ ପିଇ ସୁଖରେ ଅଛି; ଥାଉ । ତାକୁ ଆଣି ଏ ଯମଦଣ୍ଡରେ ଘାଣ୍ଟିବି କାହିଁକି ?’’

 

ରାଧା ଯେ କାରଖାନାରୁ ଦୁଶ୍ଚରିତ୍ରତା ଯୋଗେ ତଡ଼ା ଖାଇ ଆସିଛି, ତାହା ଚାରିଆଡ଼େ, ଅତି ଅଳ୍ପ ସମୟ ମଧ୍ୟରେ, ମଢ଼ର ଦୁର୍ଗନ୍ଧ ପରି ବ୍ୟାପିଲା । ସେ ବାଟରେ ଗଲାବେଳେ ଲୋକେ ତା ଆଡ଼କୁ ଆଙ୍ଗୁଠି ଦେଖାଇ କଥାବାର୍ତ୍ତା ହେବାକୁ ଲାଗିଲେ । ସେ ପଳାଇ ଅନ୍ୟ କୌଣସିଠାରେ; ଏପରିକି ତା ନିଜ ଗ୍ରାମରେ ସୁଦ୍ଧା, ବିଲବାଡ଼ିରେ କାମ କରିବ ବୋଲି ଭାବିଲା; କିନ୍ତୁ ସାରଙ୍ଗଗଡ଼ ଛାଡ଼ି ଯିବ କିପରି ? ସେ ଜଣେ ମହାଜନଠାରୁ କିଛି ଟଙ୍କା ଧାରିଥିଲା । ମହାଜନ କହିଲା, ‘‘ତୁ ଯେବେ ଚାଲିଯିବୁ, ଦେଖ, ତୋତେ ଚୋରିରେ ପୋଲିସ୍‌ରେ ଦେବି ।’’ ସେ ଯେଉଁ ଭଡ଼ାଘରେ ଥିଲା ତାର ମାଲିକ କହିଲା, ‘‘କାହିଁକି ? ତୋର ବୟସ ଅଛି, ରୂପ ଅଛି । ରୋଜଗାର କରି ମୋ ଭଡ଼ା ଦେଇ ଯା ।’’ ଶୁଣି ରାଧା ମୁଣ୍ଡ ପୋତି ଦୀର୍ଘ ନିଃଶ୍ୱାସ ପକାଇଲା । ସେ ଗଡ଼ଯାକ ଘରକୁ ଘର କାମ ଖୋଜି ବୁଲିଲା । କିନ୍ତୁ ସମସ୍ତେ ନାକ ଛିଣ୍ଡାଇଲେ; କହିଲେ, ‘‘ତୁ ଟା ନଷ୍ଟ ମାଇକିନିଆଟାଏ । ତୋତେ କିଏ ଘରେ ପୂରେଇବ ?’’ ରାଧା କାନ୍ଦି କାନ୍ଦି, କେତେବେଳେ ଲୁହ ପୋଛି, କେତେବେଳେ ବା ଆଖିର ଲୁହ ଗଡ଼ାଇ ପକାଇ, ଗଡ଼ର ଏ ମୁଣ୍ଡୁ ସେ ମୁଣ୍ଡ ଅନେକ ବୁଲିଲା; କିନ୍ତୁ କୌଣସିଠାରେ କିଛି ଆଶା ଦେଖିଲା ନାହିଁ ।

 

ମାଘ ମାସ ଶ୍ରୀପଞ୍ଚମୀ ଉତ୍ସବ ଦିନ କାରଖାନା ଭିତରେ ମହୋତ୍ସବ ଲାଗିଥିବା ସମୟକୁ ରାଧାକୁ ବାହାର କରି ଦିଆଯାଇଥିଲା । ତା ପରେ ଗ୍ରୀଷ୍ମ ଏବଂ ବର୍ଷାଋତୁ ଯାଇ, ପୁଣି ମାଘ ମାସ ଉପସ୍ଥିତ ହେଲା । ସେ ବର୍ଷଯାକ ରାଧାର ଦୁଃଖ, କଷ୍ଟ ଲଜ୍ଜା ଅପମାନ, ନିର୍ଯାତନାର ତ ସୀମା ନାହିଁ-। ତା ପରେ ପୁଣି ତା ଋଣ ବଢ଼ିବାକୁ ଲାଗିଲା । ଦୀନା ସାହୁ ବାରମ୍ବାର ଟଙ୍କା ମାଗି ବେରିଙ୍ଗି ଚିଠି ଲେଖି ପଠାଇଲା । ବେରିଙ୍ଗି ଚିଠି ରଖିବାରେ ରାଧାର ପିନ୍ଧା ଲୁଗା ଖଣ୍ଡି ଛଡ଼ା ବାକି ସବୁ ଉଡ଼ିଗଲା-। ଦିନେ ଚିଠି ଆସିଲା ଯେ ରମା ଲୁଗା ଅଭାବରେ ଲଙ୍ଗଳା ହୋଇ ରହିଛି । ରାଧାକୁ ପଇସାଟିଏ ପାଇବାର ଉପାୟ ଦେଖାଗଲାନାହିଁ । ସେ ସମୟରେ ଚଉରି ତିଆର କରିବାକୁ ଚଉରିଆମାନେ ଖୁବ୍‌ ବେଶୀ ଦାମରେ ମୁଣ୍ଡବାଳ କିଣି ନେଉଥିଲେ । ରାଧା ଚିଠି ପାଇଲା ପରେ ଦିନଯାକ ଏଠାକୁ ସେଠା ବୁଲି ବୁଲି, ସନ୍ଧ୍ୟାବେଳେ ଜଣେ ଚଉରିଆ ପାଖେ ଯାଇ ପହଞ୍ଚିଲା । ଦେଖି ଚଉରିଆ କହିଲା, ‘‘ଆଃ, ବେଶ୍‌ ବାଳ ତ !’’

 

‘‘କେତେ ପର୍ଯ୍ୟନ୍ତ ଦବ ?’’

‘‘ପାଞ୍ଚ ଟଙ୍କା ।’’

‘‘ଆଚ୍ଛା, କାଟ ତେବେ ।’’

 

ସେ ପାଞ୍ଚ ଟଙ୍କାରେ ରାଧା ପିଲାପାଇଁ ଲୁଗାପଟା କିଣି ପଠାଇଦେଲା । ତାକୁ ପାଇ, ଦୀନା ସାହୁ ଓ ତା ଭାର୍ଯ୍ୟା ରାଗରେ ଜଳିଉଠିଲେ । ତାଙ୍କର ଲୁଗା ଦରକାର ନ ଥିଲା, ଦରକାର ଥିଲା ଟଙ୍କା । ଯାହା ହେଉ ସେମାନେ ସେ ଲୁଗାର ସଦ୍‌ବ୍ୟବହାର କଲେ, ଚମ୍ପା ଓ ହୀରା ଦୁହିଁଙ୍କ ଭିତରେ ବାଣ୍ଟି ଦେଲେ । ରମା ମାଘମାସ ଶୀତରେ ପୂର୍ବପରି ଥୁରୁଥୁରୁ ହେବାକୁ ଲାଗିଲା । ଏଣେ ରାଧା ଦର୍ପଣରେ ମୁହଁ ଦେଖି କହିଲା, ‘‘ବାଳ ପେଣ୍ଡାକ ଗଲା, ଯାଉ । ମୋ ଦରିଦ୍ର ପସରା ତ ଲୁଗା ପିନ୍ଧି ଖୁସିରେ ରହିଲା ।

 

ରାଧା ହୃଦୟରେ କ୍ରମେ ବିଷାଦ ପୂରିଗଲା । ତାର ସବୁ ଯାଇଥିଲା; ଥିଲା କେବଳ ଟିକିଏ ରୂପ । ବାଳ ପେଣ୍ଡାକ ଯିବାରୁ ତାହା ମଧ୍ୟ ଲୋପ ପାଇଲା । ତହୁଁ ସେ ସମସ୍ତଙ୍କୁ ଘୃଣା କରିବାରେ ଲାଗିଲା । ଧନଞ୍ଜୟ ରାୟ ତାର ଦୁଃଖର କାରଣ ବୋଲି ବିଚାରି, ତାଙ୍କ ଉପରେ ରାଗିଲା, ତାଙ୍କୁ ଅଭିଶାପ ଦେଲା । ମୋଟ ଉପରେ ସେ ବାୟାଣୀ ପାଲିଟିଗଲା ବୋଲି କହିଲେ ଚଳେ । ସେ କେତେବେଳେ ହସିଲା, କେତେବେଳେ କାନ୍ଦିଲା, କେତେବେଳେ ବା କହିଲା, ମୋର ସମ୍ପତ୍ତି ବେଶି ହେଲେ ମୋ ଧନମାଳୀ ଆସି ମୋ ପାଖରେ ରହିବ ।’’

 

ଦିନେ ସେ ଦୀନା ସାହୁଠାରୁ ଏହି ଚିଠିଟି ପାଇଲା । ‘‘ରମାର ନାଳରକ୍ତ ଝାଡ଼ା ହେଉଛି-। ଔଷଧ ଖର୍ଚ୍ଚକୁ ତିରିଶ ଟଙ୍କା ପଠାଅ । ନୋହିଲେ ପିଲା ବଞ୍ଚିବାର ଆଶା ନାହିଁ । ରାଧା ଚିଠି ପଢ଼ି ନ କାନ୍ଦି ଠୋ ଠୋ ହସିଲା । କହିଲା, ‘‘ଆରେ ମୁଁ ଆଜି ତିରିଶ ଟଙ୍କା ପଠେଇବି ।’’ ସେଦିନଯାକ ସେ ସବୁଦିନ ପରି ଏଣେତେଣେ ବୁଲିଲା । ବାଟରେ ଜଣେ ଦାନ୍ତ ବ୍ୟବସାୟୀ ନିଜ ଦାନ୍ତ ବ୍ୟବସାୟ ବିଷୟରେ ବକ୍ତୃତା କରୁଥିଲା । ଅନେକ ନିଷ୍କର୍ମା ଲୋକ ରୁଣ୍ଡ ହୋଇ ଶୁଣୁଥିଲେ । ରାଧା ସେମାନଙ୍କ ସଙ୍ଗେ ଠିଆ ହୋଇ ଶୁଣିଲା । ଦାନ୍ତ ବ୍ୟବସାୟୀ ହଠାତ୍‌ ରାଧାର ମୁକ୍ତା ଦାନ୍ତ ଦେଖି କହିଲା, ‘‘ଦେଖ; ଝିଅ, ତୋ ଆଗଦାନ୍ତ ଦିଓଟି ଦବୁ ତ ଯୋଡ଼ିଏ ମୋହର ଦେବି ।’’

 

‘‘ଏଁ, ମାଗଣା ପଡ଼ିଚି ନା କଣ ?’’

‘‘ନା, ଦୁଇ ମୋହର ପାଇବୁ ।’’

 

ରାଧା ଡରି ଧାଇଁ ଚାଲିଗଲା । ଯାଇ ତାର ପଡ଼ୋଶୀକି କହିଲା, ‘‘ଦେଖ, ମାଉସୀ, ଦିଟା ମୋହର ଦେଇ, ପୁଣି ମୋର ଯୋଡ଼ିଏ ଦାନ୍ତ ନବ । ମୁଁ ପଛକେ କୂଅକୁ ଡେଇଁ ପଡ଼ିବି, ଦାନ୍ତ ମୁଁ ଛାଡ଼ିବି ନାହିଁ ।

 

‘‘କିଏ କଣ ଦବ ?’’

‘‘ଦୁଇଟା ମୋହର ଦବ ।’’

‘‘ଦୁଇଟା ମୋହର ହେଲେ ତିରିଶି ଟଙ୍କା’’ ।

 

ତିରିଶି ଟଙ୍କା ନାମ ଶୁଣି, ରାଧା ହଠାତ୍‌ ଚମକି ପଡ଼ିଲା । ସେ ଦୀନା ସାହୁର ଚିଠି ଖଣ୍ଡିକ କାଢ଼ି ପୁଣି ପଢ଼ିଲା । ପଢ଼ିସାରି ସେ ପଡ଼ୋଶୀକି ଯାଇ ପଚାରିଲା, ‘‘ଆଚ୍ଛା ନାଳରକ୍ତ ହଗା କଣ ଖରାପ ରୋଗ ?’’

 

‘‘ଭାରି ଖରାପ ରୋଗ ।’’

‘‘ପିଲାଙ୍କର ହୁଏ ।’’

‘‘ତାଙ୍କରି ତି ହୁଏ ।’’

‘‘ଆଉ ହେଲେ କଣ ହୁଏ ?’’

 

‘‘ମରିଯାନ୍ତି ।’’ ରାଧା ଜିଭ କାମୁଡ଼ି ଦେଇ ପଛକୁ ଦୁଇ ପାହୁଣ୍ଡ ଘୁଞ୍ଚିଗଲା । କେତେକ ସମୟ ପରେ ସେ ପୁଣି କହିଲା, ଭଲ ହୁଅନ୍ତା କିମିତି ?’’

 

‘‘ଔଷଧ ଖାଇଲେ ।’’

 

ରାଧା ପଡ଼ୋଶୀ କଥା ଶୁଣି, ପୁଣି ଥରେ ଚିଠି ଖଣ୍ଡିକ ପଢ଼ିଲା । ରାତି ଭିତରେ ସେ ଥରେ ଦାନ୍ତ ବ୍ୟବସାୟୀ ନିକଟକୁ ଯାଇ ବସାକୁ ଫେରି ଆସିଲା । ଆର ଦିନ ସକାଳେ ପଡ଼ୋଶୀ ଆସି ଦେଖିଲା ଯେ ରାଧା ନିତାନ୍ତ ବୁଢ଼ୀଟା ପରି ଦିଶୁଛି ଏବଂ ଥୁରୁଥୁରୁ ଥରୁଛି । ତହୁଁ ସେ ପଚାରିଲା, ‘‘କିଲୋ, ତୋର କଣ ହେଇଚି କି ।’’

 

‘‘କିଛି ନାହିଁ; ମୋ ପିଲାଟି ଯେ ନାଳରକ୍ତ ହଗା ଆଉ ଭୋଗିବ ନାହିଁ; ତା ପାଇଁ ମୋ ମନରେ ବଡ଼ ଆନନ୍ଦ ହୋଇଚି-’’ କହି, ସେ ଯୋଡ଼ିଏ ମୋହର କରାଟରୁ କାଢ଼ି ଦେଖାଇଲା । ସେତେବେଳେ ତା ମୁହଁରେ ଟିକିଏ ହସ ଦେଖାଗଲା । ପ୍ରଭାତର ସୂର୍ଯ୍ୟ କିରଣ ପଡ଼ି ମୁହଁରେ ବିକଟ ଛବି ପ୍ରକଟ କଲା । ପଡ଼ୋଶୀ ଦେଖିଲା ଯେ ତାର ଦୁଇ କଳରେ ରକ୍ତ ଲାଗିଛି ଏବଂ ଆଗ ପାଟିରେ ଦୁଇଟି ଦାନ୍ତ ନାହିଁ । ରାଧା ଟଙ୍କା ତିରିଶଟି ଜଜାରସିଂହ ପଠାଇଦେଲା । ସେ କିପରି ଜାଣିବ ଯେ ରମାର ଦେହ ପ୍ରକୃତରେ କିଛି ଖରାପ ହୋଇ ନ ଥିଲା ?

 

ସେଦିନ ରାଧା ତା ଦର୍ପଣଟି ଭାଙ୍ଗି ଫୋପାଡ଼ି ଦେଲା । କାରଣ ରଖିଥିଲେ, ସେ ସେଥିରେ କେବଳ ତାର ଲଣ୍ଡା ମୁଣ୍ଡ, ପାକୁଆ ତୁଣ୍ଡ ଓ ମଳିନ ବିମର୍ଷ ମୁହଁ ଦେଖିଥାନ୍ତା ।

 

ଏଣିକି ରାଧା ବଡ଼ କଷ୍ଟରେ ଚଳିଲା । ତାକୁ ପିନ୍ଧିବାକୁ ଲୁଗା ମିଳିଲା ନାହିଁ । ସୁତରାଂ ସେ କନା ଗଣ୍ଠେଇ କୌଣସି ପ୍ରକାରେ ଲଜ୍ଜା ନିବାରଣ କଲା । ଦୁଇ ଓଳି ଖାଇବା ଅଭାବରେ ଓଳିଏ ଖାଇଲା । ତଥାପି ସେ ତାର କରଜ ଶୁଝିବାକୁ ଏବଂ ଝିଅ ପାଇଁ ପଠାଇବାକୁ କିଛି ସଞ୍ଚୟ କରି ପାରିଲା ନାହିଁ । ଘରର ମାଲିକ ଭଡ଼ା ମାଗି ଆସି ଥରକୁ ଥର କହିଲା, ‘‘ତୋର ବୟସ ଅଛି, ତୁ କାହିଁକି ସାବିତ୍ରୀ ହେଇ ମୋ ଭଡ଼ା ମାଡ଼ି ବସିଚୁ ? ଏ କଥା ବାରମ୍ବାର ଶୁଣି ରାଧା ମନରେ ଗୋଟିଏ ପରିବର୍ତ୍ତନ ଆସିଲା । ଲୁଗା ଦୋକାନରୁ କାଳିରେ ସେ କେତେକ ଲୁଗାପଟା ଓ ଖଣ୍ଡିଏ ପାଟ କିଣି ଆଣିଲା । ମାତ୍ର ତା ପରେ ତାକୁ ସେ ଘରେ ରହିବାକୁ ଜାଗା ମିଳିଲା ନାହିଁ । ସେ ବସା ବଦଳାଇ ଗଡ଼ର ଏକ ପ୍ରାନ୍ତରେ ସମାନ ଧର୍ମିଣୀ ନାରୀମାନଙ୍କ ସହିତ ଯାଇ ରହିଲା । ତାପରେ ତାର ପ୍ରତିଦିନ କିଛି କିଛି କଞ୍ଚା ପଇସା ରୋଜଗାର ହେଲା । ସେ ଭୋର ବେଳେ କେଉଁ ଦିନ ଟଙ୍କାଏ, କେଉଁଦିନ ଦେଢ଼ଟଙ୍କା; କେଉଁଦିନ ବା ଖୁବ୍‌ କମ୍‌ରେ ଆଠଅଣା ଗଣି ରଖେ । ଏ ପଇସାରେ ସେ କରଜରୁ କିଛି ଶୁଖିଲା ଏବଂ ଦୀନା ସାହୁଠାରୁ ଚିଠି ନ ପାଇ ସୁଦ୍ଧା, ତା ପାଖକୁ କିଛି ପଠାଇଲା ।

Image

 

ବିଷମ ପରୀକ୍ଷାର ପଥେ

 

ରାଧା ଯେ ଦିନକ ଭିତରେ ହଠାତ୍‌ କେତେ ଉଚ୍ଚରୁ କେତେ ତଳକୁ ଖସିଗଲା; ତାହା ବୁଝିପାରି ସେ ଦୁଃଖରେ ବିହ୍ୱଳ ହୋଇପଡ଼ିଲା । ତାର ନିଜ ଉପରେ ରାଗ ହେଲା, ସଂସାର ପ୍ରତି ମନରେ ଅଶ୍ରଦ୍ଧା ଜନ୍ମିଲା, ଧନଞ୍ଜୟ ରାଏଙ୍କୁ ସେ ମନେ ମନେ ରାକ୍ଷସ ବୋଲି ଭାବିଲା । ମୋଟ ଉପରେ ସେ ସଂସାରଟାକୁ ଘୃଣାଚକ୍ଷୁରେ ଦେଖିବାକୁ ଲାଗିଲା । ତା ର ପୂର୍ବ ସ୍ନେହ ଅକ୍ଷୂର୍ଣ୍ଣ ରହିଲା କେବଳ ରମା ପ୍ରତି । ସେ ମନକୁମନ କହିଲା, ‘‘ମୁଁ ପଛେ ନର୍କରେ ପଡ଼େ, ମୋ କୋଳର ସଙ୍ଖାଳିଟି ସୁଖରେ ରହୁ ।’’ ସେଦିନ ଦୀନା ସାହୁଠାରୁ ଚିଠି ଆସିଲା ଯେ ରମାର ଦେହ ଭଲ ହୋଇ ନାହିଁ ଏବଂ ଆଉ ପଚାଶ ଟଙ୍କା ଦରକାର ।

 

ଏ ଘଟଣା ପରେ, ଦିନେ ପୌଷମାସ ରାତିରେ ରାଜାଙ୍କ ଭାୟାଳି ସାଆନ୍ତ ଗୋଷ୍ଠୀର ଜଣେ ଯୁବକ ଗୋଟାଏ ସ୍ତ୍ରୀ ଲୋକ ସହିତ ବିଚ୍ ଦାଣ୍ଡ ଉପରେ ଥଟ୍ଟା କଉତୁକ କରୁଥିଲେ । ଥଟ୍ଟା କଉତୁକ ବଢ଼ିବଢ଼ି କ୍ରମେ ରାଗରୁଗାରେ ପହଞ୍ଚିଲା । ଯୁବକ କହିଲେ, ‘‘ତୁ ପୋଡ଼ାମୁହୀଁ, ମୋତେ ପୁଣି ଟଙ୍କା ମାଗୁଚୁ ? ଯାହା ଦି’ଟଙ୍କା ଦେଇଚି, ସେତିକି । ମୁଣ୍ଡରେ ବାଳ ନାହିଁ, ପାଟିରେ ଦାନ୍ତ ନାହିଁ, ୟାର ପୁଣି ଦିମାକ ଏଡ଼େ ।’’ ଶୁଣି ସ୍ତ୍ରୀ ଲୋକଟି ଟିକିଏ ରାଗି ଉଠିଲା । ତହୁଁ ଯୁବକ ନାରାୟଣ ସିଂହ ତାକୁ ଗୋଟାଏ ବିଧା ମାରିଦେଲେ । ସେ ନାରାୟଣ ସିଂହଙ୍କ ଲୁଗା ଭିଡ଼ି ଧରିବାରୁ ଲୁଗାଟା ଚିରିଗଲା । ସେତେବେଳେ ଜଣେ ଦୀର୍ଘାକୃତି ଲୋକ ହଠାତ୍‌ ଆସି ସେଠାରେ ପହଞ୍ଚିଲେ-। ନାରାୟଣ ସିଂହ ମୁହଁ ଲୁଚାଇ ଚାଲିଗଲେ; କିନ୍ତୁ ଆଗନ୍ତୁକ ତାଙ୍କୁ ଚିହ୍ନି ପକାଇଲେ । ତା ପରେ ସେ ସ୍ତ୍ରୀଲୋକଟିକି ଧରି ଦାଣ୍ଡେ ଦାଣ୍ଡେ ଫାଣ୍ଡିଘର ଆଡ଼କୁ ଚାଲିଲେ । ଲୋକେ ଜହ୍ନ ଆଲୁଅରେ ଦେଖିଲେ ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ର ରାଧାକୁ ଟାଣି ଟାଣି ନେଉଛନ୍ତି ।

 

ଫାଣ୍ଡିରେ ହାଜତ ଘର ଦ୍ୱାର ଫିଟାଇ ସିପାହୀ ରାଧାକୁ ଭିତରେ ଭର୍ତ୍ତି କରିଦେଲା । ସର୍ଦ୍ଦାର ମହାପାତ୍ର କହିଲେ, ‘‘ଦେଖ୍‌, ରାଣ୍ଡୀ, ମୁଁ ତୋତେ କେତେଥର କହିଲି; ତୁ ଏ ବୃତ୍ତି ଛାଡ଼ିଦେ; ତୋ ହାତରେ ହବ ନାହିଁ । ତୁ ଶୁଣିଲୁ ନାହିଁ । ଫଳରେ ଆଜି ତୁ ନାରାୟଣ ସିଂହଙ୍କ ପରି ଜଣେ ଭଦ୍ରବ୍ୟକ୍ତିଙ୍କ ସଙ୍ଗେ କଳି କରି ତାଙ୍କୁ ଅପମାନ ଦେଲୁ । ତୋତେ ମୁଁ ଛ’ ମାସ ମିଆଦ ଖଟେଇବି ।

 

ରାଧା ପଞ୍ଜୁରିର ପୋଷା ଶାରୀଟି ପରି ଧୀରେ ଧୀରେ ଉଚ୍ଚାରଣ କଲା, ‘‘ଛ’ ମାସ ମିଆଦ ।’’ ତାପରେ ସେ କିଛି ସମୟ ନୀରବ ରହିଲା । ପୁଣି କହିଲା, ‘‘ମୋ ପିଲା କଣ କରିବ, ସର୍ଦ୍ଦାର ସାହେବ ? ମୋର ଯେ ଦୀନା ସାହୁକୁ ପଚାଶ ଟଙ୍କା ପଠାଇବାକୁ ଅଛି ସେ କଥା କଣ ଆପଣ ଜାଣନ୍ତି ନାହିଁ ? ମୋତେ ମାଫ୍‌ କରନ୍ତୁ । ମୁଁ ଆଉ କେବେ ଏପରି କରିବି ନାହିଁ । ମୋର କିଛି ଦୋଷ ନାହିଁ । ନାରାୟଣ ସିଂହ ମୋତେ ଆଗ ଯାହା ତ ଗାଳି ଦେଲେ, ଦେଲେ; ତାପରେ ମୋ ପିଠିରେ ବିଧାଏ ମାରିଲେ । ମୁଁ ଜୀବନରେ ସେପରି ବିଧା କେବେ ଖାଇ ନ ଥିଲି । ଚାଲନ୍ତୁ, ମୁଁ ତାଙ୍କ ଗୋଡ଼ ତଳେ ପଡ଼ିବି; ଦୋଷ ମାଗିନେବି । ମୋ ଗଣ୍ଠିଧନ ପାଇଁ ପରା ମୁଁ ନିଜକୁ ଦାଣ୍ଡରେ ବିକିଚି । ମୋର ଆଉ ଅଛି କଣ ? ତାଠି ଦୟା ବହି, ମୋତେ ଛାଡ଼ି ଦିଅନ୍ତୁ । ମୁଁ ଆପଣଙ୍କ ଗୋଲାମ ।’’ କହି, ରାଧା ସର୍ଦ୍ଦାରଙ୍କ ଗୋଡ଼ ଧରି ପକାଇଲା । ସର୍ଦ୍ଦାର ଗୋଡ଼ ଛଡ଼ାଇନେଇ କହିଲେ, ‘‘ନା, ମୁଁ କିଛି ଶୁଣିବି ନାହିଁ ।’’

 

ହଠାତ୍‌ ବାହାରୁ ସ୍ୱର ଶୁଣାଗଲା, ‘‘ଟିକିଏ ସତାର କରନ୍ତୁ ।’’ ମହାପାତ୍ରେ ମୁଣ୍ଡ ଟେକି ଚାହିଁ ଦେଖିଲେ, ନିଜେ ଦେବାନ ଆସି ଉପସ୍ଥିତ । ସେ ସସଂଭ୍ରମେ କହିଲେ, ‘‘ନମସ୍କାର, ଦେବାନ ସାହେବ ।’’ ‘‘ଦେବାନ ସାହେବ’’ ନାମ ଶୁଣି, ରାଧା ତଳୁ ଉଠିପଡ଼ି ଆଗନ୍ତୁକଙ୍କ ପାଖକୁ ଚାଲିଗଲା-। କହିଲା, ‘‘ତୁ ତେବେ ଦେବାନ ।’’ କହି, ଦେବାନଙ୍କ ଉପରେ ଥୁ କରି ଲେଣ୍ଡାଏ ଛେପ ପକାଇଦେଲା-। ଦେବାନ ଛେପ ପୋଛିଦେଇ କହିଲେ, ‘‘ସର୍ଦ୍ଦାର, ୟାକୁ ଛାଡ଼ି ଦିଅନ୍ତୁ ।’’

 

ସର୍ଦ୍ଦାର, ସତେ ଯେପରି ପାଗଳ ହୋଇଗଲେ । ସେ ରହସ୍ୟଟା କିଛି ବୁଝି ପାରିଲେ ନାହିଁ । ଗୋଟାଏ ନଗଣ୍ୟ ଗଣିକା ଦେବାନ୍‌ଙ୍କ ମୁହଁରେ ଛେପ ପକାଇବ; ଦେବାନ ଛେପ ପୋଛିଦେଇ କହିବେ, ୟାକୁ ଛାଡ଼ିଦିଅ । ଏ କଥାର ଅର୍ଥ ବୁଝିପାରିଲେ ନାହିଁ ।

 

ତାକୁ ଛାଡ଼ିଦେବା କଥା ଶୁଣି, ରାଧା ଚାରିଆଡ଼କୁ ଥରେ ଚାହିଁ କହିଲା, ‘‘ମୋତେ ତେବେ ଛାଡ଼ିଦେବେ । ଏକଥା କିଏ କହିଲା ? ଏ ପୋଡ଼ା ଦେବାନ ତ କହି ନ ଥିବ । ଆପଣ କହିଲେ, ସର୍ଦ୍ଦାର ବାହାଦୂର ? ମୋତେ ତେବେ ଛାଡ଼ିଦେବେ ନିଶ୍ଚୟ । ହେଲେ, ମୋ କଥା ଟିକିଏ ଶୁଣିଥାନ୍ତୁ-। ମୁଁ ଯେ ଆଜି ଏଡ଼େ କଳଙ୍କିନୀ ହୋଇଚି, ତାର କାରଣ ଏଇ ଆଣ୍ଠୁକୁଡ଼ା ଦେବାନ । ମୁଁ ୟା କାରଖାନାରେ କାମ କରୁଥିଲି । ୟା କାନରେ କିଏ କଣ କହିଲା, ମୋତେ କିଛି ନ ପଚାରି, ଦିନେ ପଚାଶ ଟଙ୍କା ଦେଇ ବାହାର କରିଦେଲା । ମୋର ତ କୋଡ଼ର ଝିଅଟି ଜଜାରସିଂହରେ ଅଛି-। ତାରି ଲାଗି କଳଙ୍କ ଆଦରିଲି । ତାକୁ କିଏ ନେଇ ପାଳ । ମୁଁ କାହିଁକି ଏ ପାପରେ ପଡ଼ି ସଢ଼ିବି ?’’

 

ଧନଞ୍ଜୟ ରାଏ ଏକଧ୍ୟାନରେ ରାଧାର କଥା ଶୁଣୁଥିଲେ । ସେ କହିସାରିବାରେ ପଚାରିଲେ, ‘‘ତୁମର କେତେ ଟଙ୍କା ଏକ୍ଷଣି ଦରକାର ?’’ ରାଧା ସର୍ଦ୍ଦାରଙ୍କୁ ଚାହିଁ କଥା କହୁଥିଲା । ଦେବାନଙ୍କ କଥା ଶୁଣି, ମୁହଁ ବୁଲାଇ ଦେଇ କହିଲା, ‘‘ମୁଁ କଣ ତତେ କହୁଚି ?’’ ତହୁଁ ସେ ସିପାହୀମାନଙ୍କୁ କହିଲା; ‘‘ଦେଖିଲଟିକି, ମୁଁ ୟା ମୁହଁରେ କିମିତି ଛେପ ପକେଇଲି ? ଏ ପୋଡ଼ାମୁହାଁ ମୋ ସାଙ୍ଗେ ସାଙ୍ଗେ ଆସିଚି ମୋତେ ଡରେଇବ ବୋଲି । ମୁଁ ୟାକୁ ଡରି ରହିଚି ? ଡରିଲେ ଡରିବି ସର୍ଦ୍ଦାରଙ୍କୁ । ଆଉ କାହାକୁ କାହିଁକି ଡରିବି ମ ? ମୋତେ ଏଇଥରଟା ଛାଡ଼ିଦିଅ, ମଣିମା ! ମୋତେ ଯେ ମାରନ୍ତୁ, ପିଟନ୍ତୁ, ହାଣନ୍ତୁ; ମୁଁ କାହାକୁ କିଛି କହିବି ନାହିଁ । ଆଉ କଣ ? ମୁଁ ଏବେ ଯାଉଚି ।’’ ରାଧା ଗୋଟିଏ ମୁଣ୍ଡିଆମାରି ଯିବାକୁ ବାହାରିଲା ।

 

ସର୍ଦ୍ଦାର କହିଲେ, ‘‘ସିପାହୀ, ପଳେଇଲା ଯେ । ତାକୁ ଛାଡ଼ିଦବାକୁ ତତେ କିଏ କହିଲା-?’’

‘‘ମୁଁ କହିଚି ।’’

 

ରାଧା ଯେ ଚାଲି ଯାଉଥିଲା, ସର୍ଦ୍ଦାରଙ୍କ କଥା ଶୁଣି ଥରି ଥରି ଠିଆ ହୋଇପଡ଼ିଲା । ତାପରେ ସେ ଥରେ ସର୍ଦ୍ଦାରଙ୍କୁ ଓ ଥରେ ଦେବାନଙ୍କୁ ଚାହିଁବାରେ ଲାଗିଲା ।

 

‘‘ଦେବାନ ସାହେବ ! ସେ କଥା ହବନାହିଁ । ଏ ଚଣ୍ଡାଳୁଣୀ ପରା ଜଣେ ଭଦ୍ରଲୋକଙ୍କୁ ଅପମାନ ଦେଇଚି ।’’

 

‘‘ସର୍ଦ୍ଦାର, ଆପଣ ମୋ କଥା ଶୁଣନ୍ତୁ । ଆପଣ ଯେତେବେଳେ ଏ ପିଲାକୁ ଫାଣ୍ଡିକୁ ନେଇ ଆସିଲେ, ମୁଁ ପଛେ ପଛେ ଦଳେ ଲୋକଙ୍କ ସଙ୍ଗେ ଆସୁଥିଲି । ମୁଁ ତାଙ୍କୁ ପଚାରି ବୁଝିଛି ଏ ପିଲାର କିଛି ଦୋଷ ନାହିଁ, ଦୋଷ ନାରାୟଣ ସିଂହଙ୍କର ।’’

 

‘‘ତା ହଉ, ମାତ୍ର ଏ ଯେ ବର୍ତ୍ତମାନ ମୋ ଆଖି ଆଗରେ ଖୋଦ୍‌ ଦେବାନଙ୍କୁ ଅପାମାନ ଦେଲା । କଣ ସମାନ୍ୟ କଥା କଲା ?’’

 

‘‘ସେ କଥା ମୁଁ ବୁଝିବି । ସେଥିପାଇଁ ତ ମୁଁ ଆପଣଙ୍କ ଆଗେ ଫେରାଦ୍‌ ହୋଇନାହିଁ ।’’

‘‘କ୍ଷମା କରିବେ । ଏ ଅପମାନ ଆପଣଙ୍କର ନୁହେଁ, ଆଇନର ।’’

 

‘‘ମୁଁ ସେ କଥା କିଛି ବୁଝେ ନାହିଁ । ମୁଁ ବୁଝେ ନ୍ୟାୟ ଆଉ ଧର୍ମ । ଆପଣ ୟାକୁ ଛାଡ଼ିଦିଅନ୍ତୁ । ମୋ କଥା ରଖନ୍ତୁ ।’’

 

‘‘ତା ହେଇପାରିବ ନାହିଁ ।’’

‘‘ହେଇ ପାରିବ । ଏ ମୋର ହୁକୁମ ।’’

‘‘କିନ୍ତୁ–

‘‘ମୁଁ ଆଉ ପଦେ କଥା ଶୁଣିମି ନାହିଁ ।’’

 

ସର୍ଦ୍ଦାର ନମସ୍କାର କରି ଚାଲିଗଲେ । ରାଧା ମନ ମଧ୍ୟରେ ଗୋଟାଏ ଭୀଷଣ ପରିବର୍ତ୍ତନ ଅନୁଭବ କଲା । ଦେବାନ ତାକୁ କହିଲେ, ‘‘ମୁଁ ତୁମ ସବୁ କଥା ଶୁଣିଲି । ତୁମେ ଯେ ମୋ କାରଖାନାରେ କାର୍ଯ୍ୟ କରୁଥିଲ ଏବଂ ପରେ ତୁମକୁ ବାହାର କରି ଦିଆଯାଇଚି, ମୋତେ କିଛି ଜଣା ନାହିଁ । ଗଲା କଥା ଗଲାଣି । ଏଣିକି ମୁଁ ତୁମର ସବୁ ଖର୍ଚ୍ଚ ଚଳେଇବି । ତୁମେ ଏଠି ରହ ବା ପୁରୀଧାମରେ ରହ ବା କଟକ ସହରରେ ରହ; ମୁଁ ତୁମଠାକୁ ମାସକୁ ମାସ ଖର୍ଚ୍ଚ ପାଇଁ ଟଙ୍କା ପଠେଇବି । ତେବେ ତୁମେ ତୁମ ପିଲାଟିକି ଧରି ସୁଖରେ ରହିପାରିବ ।’’

 

ରାଧା ତା ପିଲାଟିକି ଧରି ଯେ ସୁଖରେ କେବେ ରହିପାରିବ, ଏ ଆଶା ତାର ନଥିଲା । ସୁତରାଂ, ଦେବାନଙ୍କ କଥା ଶୁଣି ସେ ଆନନ୍ଦରେ ବିହ୍ୱଳ ହୋଇପଡ଼ିଲା । ସେ ଠିଆ ହୋଇ ପାରିଲା ନାହିଁ; ଦେବାନଙ୍କ ହାତକୁ ଧରି ଚୁମ୍ବନ କରି ମୂର୍ଚ୍ଛିତ ହୋଇ ପଡ଼ିଗଲା ।

 

ରାଧାର ମୂର୍ଚ୍ଛା ଭାଙ୍ଗିଲା ବେଳେ ସେ ଦେଖିଲା ଯେ ସେ ଚିକିତ୍ସାଳୟରେ ଖଟରେ ଶୋଇଛି ଓ ଦେବାନ ବସି ନିଜ ହାତରେ ବିଞ୍ଚୁଛନ୍ତି । ରାଧା ଉଠିବାର ଦେଖି ସେ ପଚାରିଲେ, ତୁମକୁ କଣ ଲାଗୁଚି ?

 

‘‘ଭଲ ଲାଗୁଚି । ମୋର ଆଉ କିଛି ହବ ନାହିଁ ଯେ ।’’

 

ଦେବାନ ସେ ମଧ୍ୟରେ ରାଧା ବିଷୟରେ ନାନା ଭାବରେ ତଦନ୍ତ କରି ସବୁ ବିଷୟ ବୁଝିସାରିଥିଲେ । ସୁତରାଂ ସେ ତାକୁ କହିଲେ, ‘‘ରାଧା, ତୁମେ ଆଉ କିଛି ଭାବନା କର ନାହିଁ । ତୁମ ପାପ କଟିଗଲାଣି । ତୁମେ ଜାଣ, ପାପ ପୂଣ୍ୟ ଗୋଟିଏ ଘରର ଦୁଇଟି କୋଠରୀ ମାତ୍ର । ଦୁହିଁଙ୍କ ମଧ୍ୟରେ ଗୋଟିଏ ସାନଦ୍ୱାର ଅଛି । ତୁମେ ଏବେ ସେ ଦ୍ୱାରବାଟେ ପାପ କୋଠରୀରୁ ପୂଣ୍ୟ କୋଠରୀକୁ ଆସିସାରିଚି । ତୁମ ପିଲାଟି ଆସିଯିବ । ତୁମେ ତାକୁ ଧରି ସୁଖରେ କାଳ କଟାଇବ । ଆଉ ଚିନ୍ତା କରନାହିଁ ।’’

 

ଏଣେ ଚିକିତ୍ସାଳୟରେ ଦେବାନ ଓ ରାଧା ଦୁହିଁଙ୍କ ମଧ୍ୟରେ ଏ କରୁଣ ଦୃଶ୍ୟ ଘଟୁଥିବା ବେଳେ ସର୍ଦ୍ଦାର ମହାପାତ୍ରେ ପୋଲିସ୍‌ ବିଭାଗର ପ୍ରଧାନ କର୍ମଚାରୀଙ୍କ ନିକଟକୁ ଏକ ଚିଠି ଲେଖି କଟକ ପଠାଇଲେ । ସେ ଚିଠିର ଲିଖିତ ବିଷୟ କେହି ଜାଣିପାରିଲେ ନାହିଁ । ତାହା ଅତ୍ୟନ୍ତ ଗୋପନୀୟ ରହିଲା । ଦେବାନ ସେ କଥା ଅବଶ୍ୟ ଶୁଣିଲେ; କିନ୍ତୁ କେବଳ ମୁହୂର୍ତ୍ତକ ପାଇଁ ଚମକି ପଡ଼ିବା ଛଡ଼ା ଆଉ କିଛି କଲେ ନାହିଁ । ସେ ତିନିଶହ ଟଙ୍କା ଦୀନା ସାହୁକୁ ପଠାଇ ଚିଠି ଲେଖିଲେ, ‘‘ଏଥିରୁ ତୁମର ସବୁ ପାଉଣା କାଟିନେବ । ବାକି ଯାହା ବଳିବ, ବାଟ ଖର୍ଚ୍ଚ କରି ରମାକୁ ଆଣି ଶୀଘ୍ର ଏଠାରେ ପହଞ୍ଚାଇଦେବ ।’’ ଚିଠି ପାଇ ଦୀନା ସାହୁ ତା ଭାର୍ଯ୍ୟାକୁ କହିଲା, ‘‘ଯାଃ, ଏ ଏକ ମୂର୍ଖ । ଆମେ ପୁଣି ପିଲାଟାକୁ ପାଖରୁ ଛାଡ଼ିଦେବା ? ଏ ଲୋକଟା ବୋଧହୁଏ ୟା ମା’କୁ ରଖିଛି । ନୋହିଲେ ଏତେ ଟଙ୍କା ପାଣି ପରି କାହିଁକି ଖର୍ଚ୍ଚ କରନ୍ତା ?’’ କହି ସେ ପାଞ୍ଚଶହ ଟଙ୍କାର ଏକ ଖର୍ଚ୍ଚ ତାଲିକା ପଠାଇଲା । ସେଥିରୁ ସେ ପାଇଥିବା ତିନିଶହ ଟଙ୍କା, ବାକି ଦୁଇ ଶହ ପଠାଇବାକୁ ଚିଠି ଲେଖିଲା । ଦେବାନ ଦୁଇ ଶହ ଜାଗାରେ ତିନି ଶହ ଟଙ୍କା ପଠାଇ ଲେଖିଲେ, ‘‘ଅତି ଶୀଘ୍ର ରମାକୁ ଧରି ଆସ ।’’

 

ରାଧା ଚିକିତ୍ସାଳୟରେ ଅନେକ ଦିନ ପଡ଼ିରହିଲା । ତା ଦେହ ଭଲ ହେଲା ନାହିଁ । ନାରାୟଣ ସିଂହ ତା ପିଠିରେ ଯେ ବିଧାକ ମାରିଥିଲେ, ତା ଫଳରେ ତାର ଯକ୍ଷ୍ମା ରୋଗ ବାହାରିପଡ଼ିଲା । ଦେବାନ ତାକୁ ଦେଖିବାକୁ ରୋଜ ଦୁଇଥର ଆସନ୍ତି । ସେ ତାଙ୍କୁ ଦେଖିଲା ମାତ୍ରେ ପଚାରେ; ‘‘ମୋ ରମା କେବେ ଆସିବ ?’’ ଶୁଣି ଦେବାନ ଉତ୍ତର ଦିଅନ୍ତି, ‘‘କାହିଁ, ଆଜି ତ ଆସିଲା ନାହିଁ । କାଲି ଆସିବ ପରା ।’’ ଶୁଣି ରାଧାର ମନ ନାଚିଉଠେ ।

 

ଦିନେ ଚିକିତ୍ସକ ରାଧାର ନାଡ଼ି ଦେଖି; କିଛି ସମୟ କଣ ଭାବି, ଟିକିଏ ମୁଣ୍ଡ ନାଡ଼ିଲେ । ତାପରେ ସେ କହିଲେ, ‘‘ଆଚ୍ଛା, ୟାର ପରା ଗୋଟିଏ ଝିଅ କେଉଁଠି ଅଛି ? ତାକୁ ଅଣାନ୍ତୁ ନା ।’’ ରାଧା ଚିକିତ୍ସକଙ୍କ କଥା ବୁଝି ନ ପାରି ଦେବାନଙ୍କୁ ପଚାରିଲା, ‘‘ସେ କଣ କହିଲେ କି ?’’ ଦେବାନଙ୍କ ବୁକୁ ସେତେବେଳେ ଦାଉଁଦାଉଁ ପଡ଼ୁଥିଲା । କିନ୍ତୁ ସେ ଉପରକୁ ଟିକିଏ ହସି କହିଲେ, ‘‘କହୁଚନ୍ତି, ତୁମ ଝିଅଟି ଆସିଗଲେ, ତୁମ ଦେହ ଭଲ ହେଇଯିବ । ତୁମେ ଝାଡ଼ିଝୁଡ଼ି ହେଇ ଉଠିବ-।’’

 

‘‘ସେ ଠିକ୍‌ ବୁଝିଚନ୍ତି । ଦୀନା ସାହୁ ଆଉ କାହିଁକି ଡେରି କରୁଚି ମ ? ମୋ ଧନ ଆସିଲେ, ମୁଁ କୋଳରେ ବସେଇବି; କାଖରେ ଧରି ବୁଲିବି । ସେତେବେଳେ ଆଉ ମୋ ଦେହ ଖରାପ ହବ କିପରି ?’’

 

ରାଧା ଝିଅକୁ ଦେଖିଲେ ଆରୋଗ୍ୟ ଲାଭ କରିବ ବୋଲି ଏଣେ ମନେ ମନେ ଆଶା କରୁଥିବା ବେଳେ, ତେଣେ ଦୀନା ସାହୁ ଥରକୁ ଥର ଚିଠି ଲେଖିଲା ଯେ, ସେ ରମାକୁ ପଠାଇ ପାରିବ ନାହିଁ । କେତେବେଳେ ଲେଖିଲା ଯେ ସେ ଅସୁସ୍ଥ, ଆଉ କେତେବେଳେ ଲେଖିଲା ଯେ ତାର ଲୁଗାପଟା ନାହିଁ । ଏହିପରି ନାନା ବାହାନାରେ ସେ ରମାକୁ ପଠାଇଲା ନାହିଁ । ମାତ୍ର ସେ କଥା ରାଧାକୁ କେହି କହିପାରନ୍ତି ନାହିଁ । ବିଳମ୍ବ ହେବାରୁ ତା ଉତ୍କଣ୍ଠା ଦିନକୁ ଦିନ ବଢ଼ିଲା । ଦେଖି ଦେବାନ କହିଲେ, ‘‘ନା, ମୁଁ ଏଥର ଜଣେ ଲୋକ ପଠେଇବି, ଦରକାର ହେଲେ ମୁଁ ନିଜେ ମଧ୍ୟ ଯିବି-।’’ ସେହିଦିନ ସେ ଖଣ୍ଡିଏ ଚିଠି ଲେଖିଲେ । ତା ତଳେ ରାଧା ଦସ୍ତଖତ କରିଦେଲା । ଚିଠି ଖଣ୍ଡିକ ଏହି-

 

‘‘ଜଜାରସିଂହ ଚଟିଘର ମାଲିକ ଦୀନା ସାହୁ ଜାଣିବ । ଏ ପତ୍ରବାହକ ସଙ୍ଗରେ ରମାକୁ ଛାଡ଼ିଦେବ । ୟାଙ୍କଠାରୁ ତୁମର ପାଉଣା ପତ୍ର ସବୁ ବୁଝିନେବ ।

 

ତୁମର

ଶ୍ରୀମତୀ ରାଧା ଦେବୀ

 

ଚିଠି ନେଇ କେହି ଜଜାରସିଂହ ଯିବା ପୂର୍ବରୁ ସାରଙ୍ଗଗଡ଼ର ଘଟଣାମୟ ଇତିହାସରେ ଗୋଟାଏ ବିଶେଷ ଘଟଣା ଘଟିଲା । ଦେବାନ ନିଜ କୋଠରୀ ମଧ୍ୟରେ ବସି କାର୍ଯ୍ୟ କରୁଛନ୍ତି; ସେତେବେଳେ ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ର ଆସି ପହଞ୍ଚି କହିଲେ; ‘‘ମହାଶୟ, ଗୋଟାଏ ବିଶେଷ ଅପରାଧ ହେଇଛି । ଜଣେ ତଳ କର୍ମଚାରୀ ଉପର କର୍ମଚାରୀଙ୍କ ପ୍ରତି ସମ୍ମାନ ଦେଖାଇବାରେ ତ୍ରୁଟି କରିଚି । ମୁଁ ତାହା ହଜୁରଙ୍କୁ ଜଣାଇାକୁ ଆସିଲି । ହଜୁର ଉପଯୁକ୍ତ ଦଣ୍ଡ ବିଧାନ କରନ୍ତୁ ।’’

 

‘‘ତଳ କର୍ମଚାରୀ କିଏ ?’’

‘‘ମୁଁ’’ ।

‘‘ଆଉ, ଉପର କର୍ମଚାରୀ ?’’

‘‘ହଜୁର ନିଜେ । ହଜୁର ମୋତେ କାର୍ଯ୍ୟରୁ ବରଖାସ୍ତ କରନ୍ତୁ ।’’

 

ଦେବାନ ବିସ୍ମିତ ହୋଇ କଣ କହିବାକୁ ଯାଉଥିଲେ; ମାତ୍ର ସର୍ଦ୍ଦାର କହିଲେ, ‘‘ଆପଣ ଦ୍ୱିଧା କରିବେ ନାହିଁ । ମୋର ଦଣ୍ଡ ପାଇବା ଉଚିତ । ଆପଣ ସେଦିନ ବୃଥାରେ ମୋ ଉପରେ ବିରକ୍ତ ହୋଇଥିଲେ । ଆଜି ଆପଣ ମୋ ପ୍ରତି ବିରକ୍ତ ହେଇ ଦଣ୍ଡ ଦବା ଯଥାର୍ଥ ହବ ।’’

 

‘‘ଆପଣ ଏ ସବୁ କଣ କହୁଛନ୍ତି, ମୁଁ ତ କିଛି ବୁଝିପାରୁ ନାହିଁ ।’’

 

‘‘ସେ ଦିନ ସେ ସ୍ତ୍ରୀଲୋକଟାକୁ ନେଇ ଫାଣ୍ଡିରେ ଯେ ଘଟଣା ହେଲା, ସେଥିରେ ମୁଁ ବଡ଼ ଅପମାନିତ ହୋଇଥିଲି । ସେଥିଯୋଗେ ମୁଁ ଆପଣଙ୍କ ବିରୋଧରେ କଟକକୁ ପତ୍ର ଲେଖିଥିଲି ।’’

 

ଦେବାନ ଅତି କମ୍‌ ହସନ୍ତି; କିନ୍ତୁ ସର୍ଦ୍ଦାରଙ୍କ କଥା ଶୁଣି ଠୋ ଠୋ ନ ହସି ରହିପାରିଲେ ନାହିଁ । ସେ କହିଲେ, ‘‘କଣ ଦେବାନ ଯେ ସେଦିନ ସର୍ଦ୍ଦାରଙ୍କ ଉପରେ ହୁକୁମ ଚଳେଇଲେ ସେ କଥା ?’’

 

‘‘ଦେବାନ ନୁହନ୍ତି, ଜଣେ ଊଣିଶ ବର୍ଷର କଏଦି ।

 

ଦେବାନ କଳାକାଠ ପଡ଼ିଗଲେ; କିନ୍ତୁ ସର୍ଦ୍ଦାର ପୂର୍ବପରି କହିବାକୁ ଲାଗିଲେ, ‘‘ମୋର ଦୋଷ ମାଫ କରିବେ । ମୁଁ ଆପଣଙ୍କୁ ସେଇ କଏଦି ବୋଲି ମନେ କରିଥିଲି । ତା ସହିତ ଆପଣଙ୍କ ଚେହେରା ମିଳିଯାଇଚି । ମୁଁ ମନେ କରିଥିଲି ଆପଣ ପାଣୁ ନାଏକ । ମୁଁ କୋଡ଼ିଏ ବର୍ଷ ତଳେ ପାଣୁ ନାଏକକୁ ଜେଲଖାନାରେ ଦେଖିଥିଲି । ସେ ଜେଲଖାନାରୁ ବାହାରି ସୁନ୍ଦରପୁର ମଠରୁ ଚୋରି କରିଚି; ଆଉ, ଗୋଟାଏ ଛୋଟ ପିଲାଠୁ ଡକାଏତି କରି ନେଇଚି । ବର୍ତ୍ତମାନ ଆଠ ବର୍ଷ ହେଲା ତାର ଆଉ ପତ୍ତା ମିଳୁନାହିଁ ।’’

 

‘‘ଆଚ୍ଛା, ଆପଣ ଚିଠି ଲେଖି କି ଉତ୍ତର ପାଇଲେ ?’’

‘‘କହିଲେ, ମୁଁ ପାଗଳ । ତା ଠିକ୍‌ । ପାଣୁ ନାଏକ ଧରାପଡ଼ିଚି ।’’

 

ଦେବାନ ପଢ଼ିବା ନିମନ୍ତେ ହାତରେ ଖଣ୍ଡିଏ ବହି ଧରିଥିଲେ । ତାହା ଖସିପଡ଼ିଲା । ସର୍ଦ୍ଦାର ପୁଣି କହିବାକୁ ଲାଗିଲେ, ‘‘ଗୋଟାଏ ଲୋକ ‘‘ଅନନ୍ତ ଦାସ’’ ନାମ ଧରି ନଡ଼ିଆ ଚୋରି କରିଥିଲା । ସେଥିପାଇଁ ତାକୁ କଟକ ଜେଲଖାନାରେ ହାଜତରେ ରଖାଯାଇଚି । ସେ ଜେଲଖାନାରେ ଦୁଇ ଜଣ କଏଦି ଅନନ୍ତ ଦାସକୁ ଚିହ୍ନିଲେ । ସେମାନେ ପୂର୍ବେ ତା ସାଙ୍ଗେ କୁଆଡ଼େ ସେଇ ଜେଲଖାନାରେ ଥିଲେ । ତା ନାଁ ‘‘ପାଣୁ ନାଏକ’’ ବୋଲି ସେମାନେ କହନ୍ତି । ପାଣୁ ନାଏକ ଅଛି କେଉଁଠି, ଆଉ ମୁଁ କାହାକୁ ପାଣୁ ନାଏକ ବୋଲି ଭାବିଲି ? ମୁଁ ଏ ମଧ୍ୟରେ ଯାଇ ସେ ପାଣୁ ନାଏକକୁ ଦେଖି ମଧ୍ୟ ଆସିଚି । ଦେଖନ୍ତୁ, ମୁଁ କେଡ଼େ ଅପରାଧୀ । ଆପଣ ମୋତେ କ୍ଷମା ଦିଅନ୍ତୁ; ଆଉ ବରଖାସ୍ତ କରନ୍ତୁ ।’’
 

ଦେବାନ ସର୍ଦ୍ଦାରଙ୍କ କଥା ଶୁଣି ସ୍ତମ୍ଭୀଭୂତ ହୋଇ ରହିଥିଲେ । ପରେ ପଚାରିଲେ, ‘‘ଆଚ୍ଛା, ସେ ଅନନ୍ତ ଦାସ ନିଜେ କଣ କହୁଚନ୍ତି ?’’

 

‘‘ସେ କହୁଚି, ‘‘ମୁଁ ପାଣୁ ନାଏକ ଫାଣୁ ନାଏକ କିଛି ଜାଣେନା । ମୁଁ ଅନନ୍ତ ଦାସ ।’’ କିନ୍ତୁ ସେ ପ୍ରକୃତରେ ପାଣୁ ନାଏକ । ଅଦାଲତରେ ମକଦ୍ଦମା ବିଚାର ହବ । ମୁଁ ସେଥିରେ ସାକ୍ଷୀ ଅଛି ।’’

 

ଦେବାନ ପଢ଼ିଲା ପରି ବହିଟା ଭିତରକୁ ଚାହିଁ ରହିଥିଲେ । ଶେଷରେ କହିଲେ, ‘‘ଆଉ ସେ କଥା ପକେଇ ଲାଭ କଣ ? ଆପଣ କହିଲେ ନା ଯେ ତାର ବିଚାର ଦଶ ଆଠ ଦିନରେ ହବ-?’’

 

‘‘ନା, କାଲି ହବ । ମୁଁ ଆଜି ବାହାରି ଯିବି ।’’

‘‘ବିଚାର ତେବେ ସମୟ ଲାଗିବ ?’’

 

‘‘କାଲି ଦିନକରେ ସରିଯିବ, କି ମକଦ୍ଦମା ଯେ ! ସେ ଯାହା ହେଉ, ମୋତେ ଆପଣ ବରଖାସ୍ତ କରିଦିଅନ୍ତୁ ।’’

 

ଦେବାନ ସର୍ଦ୍ଦାର କଥା ଶୁଣି କହିଲେ, ‘‘ନା, ଆପଣ ଜଣେ ଭାରି ଭଲ କର୍ମଚାରୀ । ଆପଣ ଛାଡ଼ିଗଲେ କାର୍ଯ୍ୟ ଚଳିବ ନାହିଁ ।’’

 

‘‘ନା, ମୁଁ ଯେ ଅପରାଧୀ ।’’

‘‘ଆଚ୍ଛା, ସେ କଥା ମୁଁ ବୁଝିବି ପରେ ।’’

 

‘‘ନା, ଦେବାନ ସାହେବ, ମୁଁ ନ୍ୟାୟ ଚାହେଁ । ନ୍ୟାୟରେ ମୋର ଦଣ୍ଡ ପାଇବା ଉଚିତ, କଠୋର ଦଣ୍ଡ ।’’

 

‘‘ଆଚ୍ଛା ଆପଣ ସାକ୍ଷ୍ୟ ଦେଇ ଫେରିଆସନ୍ତୁ; ପରେ ବୁଝିବା ।’’

 

ସର୍ଦ୍ଦାର ଆଉ କିଛି ନ କହି, ନଇଁ ଜୁହାର କରି, ମୁସଲମାନୀ ରୀତିରେ ପଛାଇ ପଛାଇ ଦେବାନଙ୍କ ନିକଟରୁ ଚାଲିଗଲେ ।

Image

 

୧୦

ଊର୍ଦ୍ଧ୍ୱଶ୍ୱାସେ

 

ସର୍ଦ୍ଦାର ମହାପାତ୍ରଙ୍କୁ ବିଦାୟ ଦେଇ ରୋଗଶଯ୍ୟାରେ ରାଧାକୁ ଦେଖିବା ନିମନ୍ତେ ଦେବାନ ଚିକିତ୍ସାଳୟକୁ ଗଲେ । ରାଧା ଦେଖିବା ମାତ୍ରେ ପଚାରିଲା, ‘‘ମୋ ରମା କାହିଁ ?’’

 

‘‘ଶୀଘ୍ର ଆସିବ ।’’

 

ସେଦିନ ରାଧାର ରୋଗ ଟିକିଏ ବଢ଼ିଥିଲା । ଦେବାନଙ୍କ ମୁହଁ ମଧ୍ୟ ଟିକିଏ କଳା ପଡ଼ିଯାଇଥିଲା । ଦେଖି, ଲୋକେ କୁହାକୁହି ହେଲେ, ‘‘ବୋଧହୁଏ ରାଧାର ଅବସ୍ଥା ଖରାପ ହେବାରୁ ଦେବାନ ଚିନ୍ତିତ ଅଛନ୍ତି ।’’ ଦେବାନ ସେଦିନ ରାଧା ପାଖରେ ବେଶି ସମୟ ରହିଲେ ନାହିଁ-। ଦୁଇ ଘଣ୍ଟା ମଧ୍ୟରେ ଦେବାନଙ୍କ ଦ୍ୱାରେ ସବାରି ଗଉଡ଼ ଆସି ପହଞ୍ଚିଲେ । ଦେବାନ ସବାରିରେ ବସି କହିଲେ, ‘‘ଚାଲ, ପବନ ପରି ଉଡ଼ିଯିବଟି । କାଲି ସକାଳୁ ଯାଇ ପହଞ୍ଚିବା ଦରକାର । ରାତି ରାତି ନ ବସି, ନ ଶୋଇ, ଚାଲିବାକୁ ହବ । ବକ୍‍ସିସ୍‌ ଯାହା କହିବ, ପାଇବ ।’’

 

ଗଉଡ଼ମାନେ ସବାରି କାନ୍ଧେଇ ଚାଲିବାରେ ଲାଗିଲେ । ସେତେବେଳକୁ ସନ୍ଧ୍ୟା ସମୟ-। ବାଟ ଦେଖାଇବା ନିମନ୍ତେ ଆଗରେ ଦିହୁଡ଼ି ମଶାଲ ଆଦି ଧରି ଚାରି ଜଣ ଲୋକ ଧାଇଁବାରେ ଲାଗିଲେ । ଲୋକେ ଦେଖି ମନେ କଲେ ଯେ କାହା ଝିଅ ଶାଶୂ ଘରକୁ ଯାଉଛି ।

 

ଦେବାନ ଚାଲିଯିବା ପରେ ରାଧାର ଦେହ ଟିକିଏ ବେଶି ଖରାପ ହେଲା । ଦେବାନ ତା ପାଖରେ ରୋଜ ଘଣ୍ଟାଏ ଖଣ୍ଡେ ବସନ୍ତି । ଆଜି ଅଳ୍ପ ସମୟ ମାତ୍ର ବସି ଚାଲିଗଲେ । ସୁତରାଂ ସେ ଦେବାନକୁ ଦେଖିବା ନିମନ୍ତେ ଜିଦ୍‌ଧରି ବସିଲା । ତାପରେ ପୁଣି ରାଜାଙ୍କର ଡାକରା ଆସିଲା । ଫଳରେ ଦେବାନକୁ ଖୋଜା ପଡ଼ିଲା । ଦେବାନ ସୁଆରିରେ ବସି ଘରୁ ବାହାରିଯିବାର ଅବଶ୍ୟ ଅନେକେ ଦେଖିଛନ୍ତି, କିନ୍ତୁ ସେ ଯେ କେଉଁଠାକୁ ଗଲେ, କେହି କହି ପାରିଲେନାହିଁ । ନିଜେ ସୁଆରି ବୋହିବା ଗଉଡ଼ମାନେ ମଧ୍ୟ ତାହା ଜାଣିଥିଲେ କି ନା ସନ୍ଦେହ ।

 

ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ର ଅନନ୍ତ ଦାସ କଏଦି ବିଷୟ କହି ଚାଲିଗଲା ପର ମୁହୂର୍ତ୍ତରୁ ଦେବାନଙ୍କ ମନରେ ଏକ ଭୀଷଣ ସଂଗ୍ରାମ ଚାଲିଛି । ତାହା ତାଙ୍କର ଜୀବନ ମରଣ ସଂଗ୍ରାମ । ସେ ଭାବୁଛନ୍ତି, ‘‘ମୁଁ ବର୍ତ୍ତମାନ ଯେ ବଡ଼ ପାହ୍ୟାରେ ଅଛି, କେତେ ଲୋକଙ୍କର କେତେ ଉପକାର କରିପାରୁଚି । କାରଖାନା ବସାଇ ଜଗତର ଗୋଟାଏ ମସ୍ତ ଉପକାର କରିଚି । ଗେରୁ ମହଣ ଲୋକେ ପଚାଶ ଟଙ୍କାରେ କିଣୁଥିଲେ, ଏବେ ଅଧା ଦାମରେ ପାଉଚନ୍ତି । ତା ଛଡ଼ା ଏତେ ଲୋକ ପୋଷି ହୋଉଚନ୍ତି । ମୁଁ ନ ଥିଲେ ୟାଙ୍କ ମଧ୍ୟରୁ ଅନେକ ହୁଏତ ଭୋକରେ ମରନ୍ତେ । ତାପରେ ପୁଣି, ରାଜା ତାଙ୍କ ରାଜ୍ୟର ଭାର ମୋ ଉପରେ ଛାଡ଼ି ଦେଇଚନ୍ତି । ମୁଁ ସେ ଭାର ମୁଣ୍ଡେଇ ନ ଥିଲେ, ପୂର୍ବେ ଲୋକେ ଯେପରି ଅନ୍ୟାୟ ଅତ୍ୟାଚାର ଭୋଗୁଥିଲେ, ତାହାହିଁ ହୁଏତ ଭୋଗନ୍ତେ । ତା ଛଡ଼ା, ମୁଁ ଏ ରାଧାର ଭାର ନେଇ ବସିଚି । ତା ଜୀବନର କଳଙ୍କ ନିମନ୍ତେ ମୁଁ ଦାୟୀ । ତା ପିଲାକୁ ଆଣି ତା ପାଖେ ଛାଡ଼ିବା ମୋରି କାମ । କେବଳ ସେତିକି ନୁହେଁ, ଟଙ୍କା ପଇସା ଦେଇ ମା ଝିଅ ଦୁହିଁଙ୍କି ମୋତେ ସୁଖରେ ରଖିବାକୁ ହବ । ନା ମୁଁ ଏ କାର୍ଯ୍ୟ କରିବି ନାହିଁ । ଜୀବନର ଯେ ପନ୍ଥା ଅନୁସରଣ କରି ଆଠବର୍ଷ ଚାଲିଲିଣି, ସେ ପନ୍ଥା ଛାଡ଼ିବି ନାହିଁ । ଅନନ୍ତ ଦାସ ଜଣେ ନଗଣ୍ୟ ଲୋକ । ସେ ଜେଲଖାନାରେ ସଢ଼ିବ, ସଢ଼ୁ । ସେ ମଲେ ବି କାହାରି କିଛି କ୍ଷତି ନାହିଁ । ତା ପାଇଁ ଜଣେ କେହି କାନ୍ଦିବ ନାହିଁ । ମୋ ପାଇଁ ଲୁହ ଗଡ଼େଇବାକୁ ସହସ୍ର ସହସ୍ର ଲୋକ । ନା, ମୁଁ ଏ କାର୍ଯ୍ୟ କରିବି ନାହିଁ । ଭଗବାନ୍‌ ଯାହା କରିଛନ୍ତି, ମଙ୍ଗଳ ନିମନ୍ତେ କରିଚନ୍ତି । ମୁଁ ତାଙ୍କ ଇଚ୍ଛା ବିରୁଦ୍ଧରେ ଯିବି ନାହିଁ ।’’

 

ଏହିପରି ଭାବି, କିଛି ସମୟ ସ୍ଥିର ରହି, ସେ ପୁଣି ନିଜକୁ ନିଜେ କହିଲେ, ‘‘ନା, ଏ ଜୀବନରେ କି କାର୍ଯ୍ୟ ଅଛି ? ମୁଁ ଯେତେବେଳେ ସାରଙ୍ଗଗଡ଼ ଆସି ନ ଥିଲି, ସେତେବେଳେ ଏ ସାରଙ୍ଗଗଡ଼ ଏହିପରି ଥିଲା । ସମଗ୍ର ପୃଥିବୀ ବର୍ତ୍ତମାନ ପରି ରହିଥିଲା । ମୋର କର୍ତ୍ତବ୍ୟ କରିବା ଉଚିତ୍‌; ଭଗବାନ୍‌ଙ୍କୁ ଆଗରେ ରଖି ସତ୍ୟ ପଥରେ ଚାଲିବା ଦରକାର । ଅନନ୍ତ ଦାସ କିଏ, ମୁଁ ଜାଣେନା । କିନ୍ତୁ ସେ ଯେ ନିର୍ଦ୍ଦୋଷ, ସେଥିରେ କିଛି ସନ୍ଦେହ ନାହିଁ । ସେ ନିର୍ଦ୍ଦୋଷ ହୋଇ ଦଣ୍ଡ ଭୋଗ କରିବ, କଏଦିଖାନାରେ ସଢ଼ିବ; ଆଉ ମୁଁ ଦୋଷୀହୋଇ ରାଜାଧିରାଜ ଆସନରେ ବସିବି, ସୁଖ ଭୋଗ କରିବି, ଲୋକଙ୍କର ସ୍ନେହ ସମ୍ମାନ ପାଇବି ।’’ କହୁ କହୁ ସେ ଆଖି ଆଗରେ ସୁନ୍ଦରପୁର ମହନ୍ତଙ୍କର ଚିତ୍ର ଦେଖିଲେ । ମହନ୍ତ ମରି ଯାଇଛନ୍ତି । ତଥାପି ତାଙ୍କ ଜୀବନ୍ତ ମୂର୍ତ୍ତି ଯେପରି ଦେବାନଙ୍କ ସମ୍ମୁଖରେ ଆସି ଠିଆ ହୋଇଗଲା ଏବଂ କହିଲା, ‘‘ତୁମେ ଜଣେ ସାଧୁପୁରୁଷ ହୋଇଯିବ ।’’ ସାଧୁପୁରୁଷ ହେବାକୁ ହେଲେ, ନିଜର କର୍ତ୍ତବ୍ୟ କରିବା ଦରକାର ଏବଂ ଅନନ୍ତ ଦାସଙ୍କୁ ନିଷ୍କୃତି ଦେଇ ନିଜେ ତା ସ୍ଥାନରେ ରହିବା ହେଉଛି କର୍ତ୍ତବ୍ୟ ।

 

ଦେବାନ କିଛି ସମୟ ଏହିପରି ଏଣୁ ତେଣୁ ଭାବି, ଘରୁ ଶୁଆରିରେ ବସି ବାହାରିବା ପୂର୍ବରୁ କେତେଗୁଡ଼ିଏ ଦଲିଲ ଦସ୍ତାବିଜ ନିଆଁରେ ପୋଡ଼ିଦେଲେ । ସେଥିରେ ମୁହୂର୍ତ୍ତକ ମଧ୍ୟରେ ତାଙ୍କର ପ୍ରାୟ ଦୁଇ ଲକ୍ଷ ଟଙ୍କା ନଷ୍ଟ ହୋଇଗଲା । ସାରଙ୍ଗଗଡ଼ ସହିତ ବନ୍ଧନଟିମାନ ସେ ଏହିପରି ଗୋଟିଗୋଟି କରି ଛିଣ୍ଡାଇବାକୁ ଲାଗିଲେ; କିନ୍ତୁ ଗୋଟାଏ ବନ୍ଧନ ଛିଡ଼ିଲା ନାହିଁ । ସେ ରାଧା, ଯାହାର କଳଙ୍କର କାରଣ ବୋଲି ସେ ନିଜକୁ ମନେ କରୁଥିଲେ । କହିଲେ, ‘‘ମୁଁ ଆତ୍ମପ୍ରକାଶ କରି ନିଶ୍ଚୟ ମୋ ନିଜ ଆତ୍ମାର ଉପକାର କରିବି । ତେବେ, ସେ ରାଧା କରିବ କଣ ? ସେ ତ ମୋ ଉପରେ ନିର୍ଭର କରି ରହିଚି; କଳଙ୍କ ସମୁଦ୍ରରୁ ଉଠିଆସି ଧର୍ମ ଓ ସତ୍ୟପଥରେ ପାଦ ପକେଇଚି । ସେ କଣ ପୁଣି ସେଇ କଳଙ୍କ ସାଗରରେ ଯାଇ ବୁଡ଼ିବ ? ମୋ ଚାଲିଯିବାର ଫଳ ତାହାହିଁ ତ ହବ । କେବଳ ସେତିକି ନୁହେଁ, ଏ କାରଖାନା ମାଟିରେ ମିଶିଯିବ, ଏ ଲୋକେ ଇତସ୍ତତଃ ହୋଇଯିବେ, ଏ ସମୃଦ୍ଧିଶାଳୀ ନଗର ଧ୍ୱଂସ ପାଇବ । ନା, ମୁଁ ଧନଞ୍ଜୟ ରାଏ ହୋଇ ରହିବି, ସେ କୁତ୍ସିତ ପାଣୁ ନାଏକ ହେବି ନାହିଁ । ପାଣୁ ନାଏକ ସେ ଅନନ୍ତ ଦାସ । ମୁଁ ଆଠ ବର୍ଷ ହେଲା ପାଣୁ ନାଏକ ଘଟ ଛାଡ଼ିଚି ।’’

 

ଏପରି ଅନେକ କଥା ଭାବି, ଧନଞ୍ଜୟ ରାଏ ଗୋଟିଏ କୁଞ୍ଚିକାଠି ବାହାର କଲେ । ତାଙ୍କ ଶୋଇବା ଘରେ, ଗୋଟାଏ କଣରେ, ଅତି ଗୁପ୍ତ ସ୍ଥାନରେ, ଗୋଟିଏ ଛୋଟିଆ ସିନ୍ଦୁକ ଥିଲା । ସେ ତାହା ଫିଟାଇଲେ । ତା ମଧ୍ୟରୁ କେତେ ଖଣ୍ଡ ଛିଣ୍ଡା କନା ଓ ଖଣ୍ଡିଏ ଛୋଟିଆ କାଠ ପଟା ବାହାରିଲା । ସେ ପଟାରେ କେତେଗୁଡ଼ିଏ ଅକ୍ଷର ଲେଖା ଥିଲା । ସେହି ସବୁ ସମ୍ପତ୍ତି ଘେନି, ସନ ୧୨୪୮ ସାଲରେ ‘‘ଧନଞ୍ଜୟ ରାଏ’’ ନାମ ଗ୍ରହଣ କରି, ଦେବାନ ପ୍ରଥମେ ସାରଙ୍ଗଗଡ଼ରେ ପ୍ରବେଶ କରିଥିଲେ । ସେ ଘଟଣାର କେତେକ ସମୟ ପୂର୍ବେ ଅବିକଳ ସେହି ସବୁ ସମ୍ପତ୍ତି ଧରି ପାଣୁ ନାଏକ ସୁନ୍ଦରପୁର ଗ୍ରାମର ଏମୁଣ୍ଡରୁ ସେ ମୁଣ୍ଡ ବୁଲି ବୁଲି, କୌଣସିଠାରେ ସ୍ଥାନ ନ ପାଇ, ଶେଷରେ ମହନ୍ତ କୃଷ୍ଣଚରଣ ଦାସଙ୍କ ମଠରେ ଯାଇ ଆଶ୍ରୟ ନେଇଥିଲା । ଦେବାନ ସେଗୁଡ଼ିକ ନେଇ ନିଆଁରେ ପକାଇ ଦେଇ କହିଲେ, ‘‘ପାଣୁ ନାଏକର ସତ୍ତା ଏବେ ଭସ୍ମ ହୋଇଗଲା । ଆଉ କାହାର ଚାରା ଅଛି ଯେ ସାରା ସାରଙ୍ଗଗଡ଼ରୁ ପାଣୁ ନାଏକକୁ ବାହାର କରିବ ?’’ ତାପରେ ସେ ଚାହିଁ ଦେଖିଲେ ଯେ ରୂପା ରୁଖାଟି ଥୁଆ ହୋଇଛି । କହିଲେ, ‘‘ନା, ଏ ବି ଯିବା ଦରକାର ।’’ ତହୁଁ ସେ ରୁଖାଟି ସେହି ନିଆଁରେ ପକାଇଦେଲେ । ରୁଖା ଆଘାତରେ ପୋଡ଼ା କନା ମଧ୍ୟରୁ ଗୋଟାଏ ଦୋ’ଣି ଚକ୍‌ଚକ୍‌ ହୋଇ ଖସି ପଡ଼ିଲା । ଦେଖି, ଦେବାନ କହିଲେ, ‘‘ଆଃ, ଏଟା ମଧ୍ୟ ଥିଲା । ଯାଉ, ଏ ପାପର ଚିହ୍ନଟା ବି ଜଳିଯାଉ ।’’ କିନ୍ତୁ ସଙ୍ଗେ ସଙ୍ଗେ ଗୋଟାଏ ଶବ୍ଦ ଶୁଣାଗଲା, କିଏ ଯେପରି ଡାକୁଛି, ‘‘ପାଣୁ ନାଏକ, ପାଣୁ ନାଏକ ।’’ ସେ ଚମକି ପଡ଼ିଲେ । ତାଙ୍କ ରୋମମାନ ଟାଙ୍କୁରି ଉଠିଲା, ତାଳୁରୁ ତଳିପା ପର୍ଯ୍ୟନ୍ତ ଥରିବାରେ ଲାଗିଲା । ଦେହରୁ ଝାଳ ଗମ୍‌ଗମ୍‌ ବୋହିଗଲା । ସେ କିଛି ବୁଝି ନ ପାରି ପଚାରିଲେ, ‘‘କିଏ ଡାକୁଚ’’ ?

 

ସାରା କୋଠରୀ ମଧ୍ୟରେ ଏଣେ ତେଣେ ଚାହିଁ ସେ କାହାରିକୁ ଦେଖିଲେ ନାହିଁ । ତହୁଁ ସେ ଠୋ ଠୋ ହସିଲେ । କହିଲେ, ‘‘ମୁଁ କି ମୂର୍ଖ, କି ଭୀରୁ ! କିନ୍ତୁ ପର ମୁହୂର୍ତ୍ତରେ ପୁଣି କହିଲେ, ‘‘ନା, ଏ କିଏ ତ ଡାକିଲା । ହଁ, ପାଣୁ ନାଏକ ଘରେ ଅଛି । ଆସ ଆସ । ନା, ଆସନାହିଁ । ସେ ନିଜେ ଯିବ । ଯାଉଛି, ଏଇ ଗଲା ।’’ ସେତିକି ବେଳକୁ ଦାଣ୍ଡରୁ ଶୁଣାଗଲା, ‘‘ହଜୁର, ସବାରି ଆସି ହାଜର ଅଛି ।’’ ସେହି ସବାରିରେ ଦେବାନ ରାତିରେ ଶ୍ୱଶୁର ଘରକୁ ଯାଉଥିବା ବୋହୂ ପରି, ଆଗରେ ଦିହୁଡ଼ି ଆଲୁଅ ଜାଳି ଯାଉଛନ୍ତି ।

 

ଅନେକ ସମୟରେ ମନୁଷ୍ୟ ଯେତେବେଳେ ଦୁଇଟା ବିପରୀତ ଫଳବିଶିଷ୍ଟ କାର୍ଯ୍ୟରୁ କେଉଁଟା କରିବ ଠିକ୍‌ କରିପାରେ ନାହିଁ, ଅନନ୍ତ ପ୍ରତାପଶାଳୀ ପ୍ରକୃତି ଆସି ଦାସାନୁଦାସ ପରି ତା ପଥର ସହାୟକ ହୁଏ । ଦେବାନ କେଉଁଠାକୁ ଯିବେ, ସବାରି ବୋହିବା ଗଉଡ଼ଙ୍କୁ କହି ନଥିଲେ । ଦିହୁଡ଼ି ଧରିବା ଲୋକଙ୍କ ମଧ୍ୟରୁ ଜଣେ ତାଙ୍କଠାରୁ ଲକ୍ଷ୍ୟ ସ୍ଥାନର ନାମ ଅବଶ୍ୟ ଶୁଣିଥିଲା; କିନ୍ତୁ ଠିକ୍‌ ରୂପେ ଧରିପାରି ନ ଥିଲା । ପଚାରିବାକୁ ତାହାର ସାହସ ହୋଇ ନ ଥିଲା । ଯାହାହେଉ, ରାତି ପ୍ରାୟ ଦୁଇ ପହର ପରେ ସେ ହଠାତ୍‌ ପାଟି କରି ଉଠିଲା, ‘‘ନା ଏ ବାଟ ନୁହେଁ ।’’ ଅନ୍ୟାନ୍ୟ ଦିହୁଡ଼ି ମଶାଲ ବୋହିବା ଲୋକେ ଦୁମ୍‌ କରି ରହିଗଲେ । ଗଉଡ଼ମାନେ ଅନେକ ସମୟରୁ ବିଶ୍ରାମ ଲୋଡ଼ି ପାଇ ନ ଥିଲେ । ସେମାନେ ମଧ୍ୟ ପାଦ ରୋକି, ପାଟି ମୁଦି ଠିଆହେଲେ ।

 

ମଞ୍ଚେଶ୍ୱର ଷ୍ଟେସନ ପାଖରୁ ରେଲବାଟ ଛଡ଼ା କଟକ ଯିବାକୁ ବର୍ତ୍ତମାନ ଯେପରି ସୁବିଧା ଚଲାକି ରାସ୍ତା ଅଛି, ଶହେ ଖଣ୍ଡେ ବର୍ଷ ପୂର୍ବେ ସେପରି ନ ଥିଲା । ସେ ଅଞ୍ଚଳ ସାରା ଭୀଷଣ ଜଙ୍ଗଲରେ ପୂରି ରହିଥିଲା । ବାଘ, ଭାଲୁ ଛଡ଼ା, ବନ୍ୟ ହାତୀ ସେଠାରେ ପ୍ରଚୁର ରହୁଥିଲେ-। ଦେବାନଙ୍କ ସବାରିର ପଥପ୍ରଦର୍ଶକ ସେହି ଜଙ୍ଗଲ ମଧ୍ୟରେ ବାଟ ଭୁଲି ଅଣବାଟରେ ଆସୁଥିବା କଥା ହଠାତ୍‌ ଜାଣିପାରିଲା । ସେ ଜଙ୍ଗଲବାଟେ ଦିନ ବେଳେ କେହି ଏକା ଯିବା ଆସିବା କରନ୍ତି ନାହିଁ । ସନ୍ଧ୍ୟା ହେଲେ ବାଟ ଏକାବେଳକେ ପଡ଼ିଯାଏ । କେବଳ ଦେବାନଙ୍କ ସବାରି ବୋଲି, ଗଉଡ଼ମାନେ ପ୍ରାଣ ବିସର୍ଜନ କରି, ସେଦିନ ଘୋର ଅନ୍ଧାର ରାତିରେ ସେ ବାଟେ ଯିବାକୁ ରାଜି ହୋଇଥିଲେ । ସେମାନେ ମନେ କରିଥିଲେ ଯେ ପ୍ରଥମ ପ୍ରହରରେ ଜଙ୍ଗଲ ପାର ହୋଇ ମୁଣ୍ଡମୁହାଣରେ ଯାଇ ପହଞ୍ଚିବ; କିନ୍ତୁ ଅଧ ରାତି ପର୍ଯ୍ୟନ୍ତ ଜଙ୍ଗଲ ଭିତରୁ ବାହାରି ନ ପାରିବାରୁ ତାଙ୍କ ମନରେ ଦକା ପଶି ଯାଇଥିଲା । ଏବେ ଯେତେବଳେ ଜାଣିଲେ ଯେ ବାଟରୁ ଆସି ଅଣବାଟରେ ଚାଲୁଛନ୍ତି, ସମସ୍ତେ ଏକ ସ୍ୱରରେ କହିଲେ, ‘‘ମା କଟକଚଣ୍ଡୀ, ତୁ ଭରସା । ମଣିମାଙ୍କୁ ଶୁଭରେ ନେଇ ପହଞ୍ଚାଇଦେଲେ, କାଲି ମୁଣ୍ଡେ ବୋଦା ପାଇବୁ ।’’ ସବାରି ଭିତରେ ବସି ଦେବାନ ନିଜେ ମନକୁ ମନ କହିବାକୁ ଲାଗିଲେ, ‘‘ଏ ବୋଧହୁଏ ଈଶ୍ୱରଙ୍କର ଏକ ପ୍ରେରଣା । ସେ ହୁଏତ ଇଚ୍ଛା କରୁଛନ୍ତି ଯେ ସେ ଅନନ୍ତ ଦାସ ହିଁ ପାଣୁ ନାଏକ ହୋଇ ରହୁ । ଭଗବାନ୍‌ଙ୍କର ବାଞ୍ଛାନିଧି ନାମ ଯଥାର୍ଥ ପରା ।’’

 

ଗଉଡ଼ମାନେ କାନ୍ଧରୁ ସବାରି ଓହ୍ଲାଇ ବସିଛନ୍ତି । ଦିହୁଡ଼ି ମଶାଲଦାରମାନେ ଏଣେ ତେଣେ ବାଟ ଖୋଜିବାରେ ଲାଗିଛନ୍ତି । ସେତେବେଳେ ହଠାତ୍‌ ଦୂରରୁ ଲୋକେ କଥାବାର୍ତ୍ତା ହୋଇ ଆସିବା ଶବ୍ଦ ଶୁଣାଗଲା । ସେଦିନ ବାରଙ୍ଗରେ ଜଣେ ମହାଜନ ଦେହ ବିଶେଷ ଖରାପ ହୋଇଥିବାରୁ ଲୋକେ ବୈଦ୍ୟ ଡାକି ଯାଇଥିଲେ । ସେମାନେ ବୈଦ୍ୟକୁ ସଙ୍ଗରେ ଧରି ରାତି ରାତି ଫେରୁଥିଲେ । ନିକଟକୁ ଆସି ଦେବାନଙ୍କ ସବାରି ଦିହୁଡ଼ି ମଶାଲ ଆଲୁଅ ଦେଖି ପଚାରିଲେ, ‘‘କୁଆଡ଼େ ଯିବ ?’’ ଗଉଡ଼ମାନେ କିଛି ନ କହି ଠିଆ ହୋଇ ରହିଲେ । ଦେବାନଙ୍କ ଛାତି ପଡ଼ିଲା ଉଠିଲା । ସେ ଅନେକ ସମୟ ପରେ ରୁଦ୍ଧକଣ୍ଠ ଫିଟାଇ ସବାରି ଭିତରୁ କହିଲେ, ‘‘କଟକ । ଏଇ ବାଟ ତ ?’’

 

‘‘ନା, ଏଟା ଚନ୍ଦକା ବାଟ । ଏଠୁ ପ୍ରାୟ ଦୁଇ କୋଶ ପଛକୁ ଯିବାକୁ ହବ । ସେଠୁଁ ବାଁ ହାତ ଆଡ଼କୁ ଗୋଟାଏ ବାଟ ପଡ଼ିବ । ସେଇ ବାଟେ ଗଲେ ସିଧା ମୁଣ୍ଡମୁହାଣରେ ଯାଇ ପହଞ୍ଚିବ । ହେଲେ, ଏ ରାତିରେ କାହିଁକି ବାହାରିଚ ? କାଲି ରାତି ଏଠି ହାତୀ ତିନିଟା ଲୋକ ମାରି ଦେଇଛନ୍ତି-। ବାଘ ମଧ୍ୟ ଗୋଟାକୁ ଖାଇଛି । କହି ସେ ଲୋକମାନେ ତରତର ହୋଇ, ବଣ ମଧ୍ୟରେ, ଗୋଟାଏ ଏକପଦୀ ବାଟରେ ମୁହୂର୍ତ୍ତକ ଭିତରେ କେଉଁଆଡ଼େ ଅଦୃଶ୍ୟ ହୋଇଗଲେ ।

 

ରାତି ପାହି ଭୋର ହେବା ବେଳକୁ ମଧ୍ୟ ଗଉଡ଼ମାନେ ‘‘ହୁଁ ମୁଁରେ ଭାଇରେ’’ କହି ସେ ଜଙ୍ଗଲ ମଧ୍ୟରେ ଚାଲିଛନ୍ତି । ଦେବାନ ସବାରି ଭିତରୁ କହୁଛନ୍ତି, ‘‘ବେଗେ ଚାଲ ।’’ କିନ୍ତୁ ହଠାତ୍‌ ସବାରି କାଠ ଭାଙ୍ଗିପଡ଼ିଲା । ସବାରିଟା ଦୁମ୍‌କିନା ତଳେ ପଡ଼ିଗଲା । ଦେବାନଙ୍କୁ ଟିକିଏ ନିଦ ଆସିଯାଇଥିଲା । ସେ ଚମକିପଡ଼ି ଉଠି ମନକୁ ମନ କହିଲେ, ‘‘ଦେଖୁଚି ବିଧାତାର ଇଚ୍ଛା ଯେ ପାଣୁ ନାଏକ ଦେବାନ ହେଇ ରହିବ, ଆଉ ନିର୍ଦ୍ଦୋଷ ଅନନ୍ତ ଦାସ ପାଣୁ ନାଏକ ହବ । ନା ନା, ତା ହବ ନାହିଁ । ହେଲେ ଉପାୟ କଣ ? ମୁଁ ଠିକ୍‌ ସମୟକୁ ଯାଇ କିପରି ପହଞ୍ଚିବି ? ଚଣ୍ଡାଳେ ତ ବେଳ ପହରକୁ ଆରମ୍ଭ କରିଦେବେ । କିନ୍ତୁ ଏ କଣ ଭଗବାନଙ୍କ ଇଚ୍ଛା ନୁହେଁ ?’’ ମନେ ମନେ ଏହିପରି ଭାବି ଦେବାନ ପଚାରିଲେ, ‘‘କଣ କାଠିଟା ଯୋଡ଼ି ହବ ନାହିଁ ?’’

 

‘‘ନା ହଜୁର ।’’

 

ଖଣ୍ଡେ ଦୂରରେ ଗୋଟାଏ ଲୋକ ଘୋଡ଼ାରେ ବସି ଆସିବାର ଦେଖାଗଲା । ସେ ନିକଟକୁ ଆସିବାରେ ଦେବାନ ପଚାରିଲେ, ‘‘ଭାଇ କୁଆଡ଼େ ଯିବ ?’’ ସେ ଉତ୍ତର ଦେଲା, ‘‘ମୋ ବାପା ମରି ଯାଇଛନ୍ତି । ଦଶାହ କାଲି । ଘୋଡ଼ାଟି ବିକ୍ରି କଲେ କାର୍ଯ୍ୟ ଚଳିବ ।’’

 

‘‘କେତେ ଟଙ୍କା ?’’

 

‘‘ମୋ କାର୍ଯ୍ୟକୁ ତ ଦରକାର ଶହେ ଟଙ୍କା । ହେଲେ, ଶହେ ଟଙ୍କା କଣ ଏ ଘୋଡ଼ା ପାଇଁ କିଏ ଦବ ?’’

 

‘‘ନ ଦବ କାହିଁକି ?’’ କହି, ଦେବାନ ଶହେ ଟଙ୍କା ଗଣିଦେଇ, ସବାରି ଦିହୁଡ଼ି ମଶାଲବାଲାଙ୍କୁ ଛାଡ଼ି, ଘୋଡ଼ାରେ ବସି ଛାଟ ପିଟିଦେଲେ । ଗଲାବେଳେ ଘୋଡ଼ା ବିକ୍ରି କରିବା ଲୋକକୁ ପଚାରିଲେ, ‘‘ମୁଣ୍ଡମୁହାଣ କେତେ ଦୂର ?’’ ସେ କହିଲା, ତିନି କୋଶ ।’’

 

ଦେବାନ ମୁଣ୍ଡମୁହାଣରେ ପହଞ୍ଚିଲାବେଳକୁ ବେଳ ପ୍ରାୟ ପାଞ୍ଚଘଡ଼ି । ଆଜିକାଲି ନରାଜ ଆନିକଟ ଯୋଗେ ବର୍ଷାକାଳ ଛଡ଼ା ଅନ୍ୟ ସମୟରେ କାଠଯୋଡ଼ି ପ୍ରାୟ ଶୁଖିଲା ପଡ଼ିଥାଏ । ମାତ୍ର ସେ ସମୟରେ ବୈଶାଖ ମାସରେ ସୁଦ୍ଧା ମୁଣ୍ଡମୁହାଣଠାରୁ କଟକ ପଥରବନ୍ଧ ପର୍ଯ୍ୟନ୍ତ ମଣିଷବୁଡ଼ା ପାଣି ଲାଗି ରହୁଥିଲା । ଦେବାନ ଯେ ଘୋଡ଼ା ଚଢ଼ିଯାଇ କଟକରେ ଶୀଘ୍ର ପହଞ୍ଚିଯିବେ ବୋଲି ଭାବିଥିଲେ, ତାହା ଅସମ୍ଭବ ହୋଇପଡ଼ିଲା । ଘାଟ ନାଆ କୂଳରେ ନ ଥିଲା; ସକାଳୁ କଟକ ଯାଇ, କଟକପଟୁ ଫେରୁଥିଲା । ଅପେକ୍ଷା କଲେ ବିଳମ୍ବ ହେବ ଭାବି, ଦେବାନ ଅନ୍ୟ ନୌକା ଖୋଜିଲେ-। ନୌକା ମିଳିଲା ନାହିଁ । ଶେଷରେ ଜଣେ ଲୋକ ଗୋଟାଏ ଭଙ୍ଗା ସାପୁଆ ଡଙ୍ଗା ଆଣି ଦୋବାନଙ୍କ ଗରଜ ବୁଝି, ଦର ବଢ଼ାଇ କହିଲା, ‘‘ଦଶଟଙ୍କା ଦେଲେ ପାର କରିଦେବି ।’’ ଦେବାନ ତା ହାତକୁ ଦଶଟଙ୍କା ପକାଇଦେଇ, ଘୋଡ଼ାଛାଡ଼ି ଡଙ୍ଗାରେ ବସିଲେ । ଡଙ୍ଗା ସାଇଁସାଇଁ ଚାଲିଲା । ଦେବାନ ଆଶାକଲେ ଯେ ସେ ଠିକ୍‌ ସମୟରେ ଯାଇ କଚେରିରେ ପହଞ୍ଚିବେ । ମାତ୍ର ଡଙ୍ଗାଟି ହଠାତ୍‌ ଲେଉଟି ବୁଡ଼ିଗଲା । ଦେବାନ ପହଁରିବାକୁ ଲାଗିଲେ ।

 

ମନୁଷ୍ୟ ଯେତେବେଳେ କୌଣସି କାର୍ଯ୍ୟ କରିବାକୁ ଦୃଢ଼ପ୍ରତିଜ୍ଞ ହୋଇ ବସେ, ସଂସାରର ଘଟଣାଚକ୍ର ତାର ଇଚ୍ଛା ନିକଟରେ ମୁଣ୍ଡ ନୁଆଇଁ ତାକୁ ସାହାଯ୍ୟ କରିବାକୁ ଲାଗେ । ଦେବାନ ପହଁରି ପହଁରି ଥକିଗଲା ବେଳକୁ ଗୋଟାଏ କାଠଗଡ଼ ଭାସିଆସି ତାଙ୍କ ନିକଟରେ ପହଞ୍ଚିଗଲା । ସେ ତାକୁ ଆଶ୍ରୟ କରି ଚାଲିବାରେ ଲାଗିଲେ । ବାଟରେ କଟକ ଆଡ଼ୁ ଫେରି ଘାଟ ନାଆ ଆସି ପହଞ୍ଚିଲା । ନାଆରେ ଲୋକେ କହିଲେ, ‘‘ଆରେ ଚଣ୍ଡାଳ, କାଠଗଡ଼ଟା ଧରି ଏପରି ଯାଆନା; କିମ୍ଭୀର ଖାଇଯିବେ ।’’ ଶୁଣି, ଦେବାନ ମନକୁ ମନ କହିଲେ, ‘‘ନା, ପାଣୁ ନାଏକ କିମ୍ଭୀର ପେଟରେ ପଡ଼ିବାର ଜନ୍ତୁ ନୁହେଁ ।’’ କିନ୍ତୁ ନାଆ ଆସି ପାଖରେ ପହଞ୍ଚିବାରୁ ତହିଁରେ ବସିପଡ଼ିଲେ । ନାଉରୀକି ପଚାରିଲେ, ‘‘କେତେ ଟଙ୍କା ପାଇଲେ, ତୁ ଏହିଠାରୁ କଟକ ଫେରେଇ ନବୁ ?’’ ଯାତ୍ରୀମାନେ ଏକ ସ୍ୱରରେ କହିଲେ, ‘‘ନା, ଆମକୁ ଆଗ ପାରିକରି ଦେ ।’’ କିନ୍ତୁ ଦେବାନ ହାତ ଯୋଡ଼ି ସେମାନଙ୍କୁ ଅନୁରୋଧ କଲେ, ‘‘ମୋର କଚେରିରେ ଭାରି ଜରୋରି କାମ ଅଛି । ମୋତେ ଟିକିଏ ଆଗ ପହଞ୍ଚେଇଦେବା ଦରକାର ।’’ ନାଉରୀ ପନ୍ଦର ଟଙ୍କା ନେଇ ନାଆ ଫେରାଇଲା । ମାତ୍ର ନାଆ ଯେ କଚେରି ଘାଟରୁ ଛାଡ଼ିଥିଲା, ଲାଗିଲା ବେଳକୁ କୋଶେ ଦୂରେ ଯାଇ ଖାନନଗର ପାଖେ ଲାଗିଲା । ଦେବାନ୍‌ ଓହ୍ଲାଇ ପଡ଼ି ଧାଇଁବାରେ ଲାଗିଲେ । ବାଟରେ ନୂଆ ଲୁଗା କିଣି, ଓଦା ଲୁଗା ବଦଳାଇ, କଚେରି ଆଡ଼କୁ ଧାଇଁଲେ । ରାସ୍ତାରେ ଜଣକୁ ପଚାରିଲେ, ‘‘କଚେରି କଣ ଭାଜିଲାଣି ?’’

 

‘‘ନା, ଆଜି ଗୋଟାଏ ବଡ଼ ମକଦ୍ଦମା ପଡ଼ିଚି । ସେଇ ତ ଚାଲିଚି ସକାଳୁ ଏ ପର୍ଯ୍ୟନ୍ତ । ତେବେ ସରିଯିବ ହୁଏତ ଏକ୍ଷଣି । ତୁମେ ଯଦି ସେଇ ମକଦ୍ଦମାକୁ ଯାଉଥାଅ, ତେବେ ଧାଅଁ ।’’

Image

 

୧୧

ଆତ୍ମ ପ୍ରକାଶ

 

ଦେବାନ ଆହୁରି ବେଗରେ ଧାଇଁ, ଧଇଁସଇଁ ହୋଇ କଚେରି ଦ୍ୱାରରେ ଯାଇ ପହଞ୍ଚିଲେ-। ପହଞ୍ଚି ଦେଖିଲେ, କଚେରି ଘର ଭିତରେ ଲୋକାରଣ୍ୟ; ପାଦ ପକାଇବାକୁ ସ୍ଥାନ ନାହିଁ-। ସେ ପଶିବାକୁ ଚେଷ୍ଟା କଲାରୁ ଜଗୁଆଳ ତାକୁ ଧକା ମାରି ପେଲିଦେଇ କହିଲା, ‘‘କଣ ମଣିଷ, ନା ଗୋରୁ ? ସୋରିଷ ପକାଇବାକୁ ଜାଗା ଅଛି ଯେ ପଶୁଚ ?’’ ଜଣେ ମୁକ୍ତାର ଚପକନ ପିନ୍ଧି, ମୁଣ୍ଡରେ ପଗଡ଼ି ବାନ୍ଧି ଯାଉଥିଲେ । ପୁଣି ଜଗୁଆଳକୁ କହିଲେ; ‘‘କିରେ ତତେ କଣ ମଣିଷ ଦିଶୁ ନାହିଁ ? ଜାଣି ଜାଣି ଭଦ୍ରଲୋକଟାକୁ ଧକା ଦେଉଚୁ ?’’ ସେ ତା ପରେ ଦେବାନଙ୍କୁ ପଚାରିଲେ, ‘‘ଆପଣ କଣ ଚାହୁଁଛନ୍ତି ?’’

 

‘‘ମୁଁ ଏ ବିଚାର ଶୁଣିବାକୁ ଘର ଭିତରକୁ ଯିବାକୁ ଇଚ୍ଛା କରେ ।’’

 

‘‘ସବୁଆଡ଼ ତ ପୂର୍ଣ୍ଣ ଦେଖୁଚନ୍ତି । ହାକିମଙ୍କ ପଛପଟେ ଅଳପ ଟିକିଏ ଜାଗା ଅଛି । ଆପଣ ତାଙ୍କ ପାଖକୁ ଟିକିଏ ଲେଖିପଠାନ୍ତୁ । ମାତ୍ର ଆଶା କମ୍ । ଖୁବ୍‌ ବଡ଼ବଡ଼ିଆଙ୍କ ଛଡ଼ା ସେଠି କାହାକୁ ଆସନ ମିଳେ ନାହିଁ । ତେବେ ଚେଷ୍ଟା କରି ଦେଖନ୍ତୁ । କାଳେ ବାଜିଯିବ ।’’

 

ମୁକ୍ତାରଙ୍କ ପରାମର୍ଶ ଶୁଣି, ଦେବାନ ‘‘ସାରଙ୍ଗଗଡ଼ ଦେବାନ ଧନଞ୍ଜୟ ରାଏ’’ ଲେଖି, ହାକିମଙ୍କ ନିକଟକୁ ଜଣେ ସିପାହୀ ହାତରେ ଲେଖା ପଠାଇଲେ । ତାଙ୍କ ନାମ ତ କୌଣସିଠାରେ ଛପା ନ ଥିଲା । ହାକିମ ଲେଖା ପାଇଲାକ୍ଷଣି, ନିଜ ପାଖରେ ଗୋଟିଏ ସ୍ଥାନ ଠିକ୍‌ କରି ରଖି, ସିପାହୀକି କହିଲେ, ‘‘ମୋର ସଲାମ ଦେଇ ଡାକିଆଣ ।’’ ସିପାହୀ ଯାଇ ଦେଖିଲା, ଦେବାନ ଯେଉଁଠାରେ ଛିଡ଼ା ହୋଇଥିଲେ, ସେହିଠାରେ ଠିକ୍‌ ସେହିପରି ଭାବରେ ଦଣ୍ଡାୟମାନ ହୋଇ ରହିଛନ୍ତି । ସେ ମନରେ କଣ ଭାବୁଥିଲେ, ବୁଝିବା ଅସମ୍ଭବ । ସିପାହୀ ଆସି ସଲାମ କରି କହିଲା, ‘‘ହଜୁର, ବିଜେ କରନ୍ତୁ ।’’ ସେ ପ୍ରଥମେ ଆସି ପହଞ୍ଚିଲା ବେଳେ ଯେଉଁ ଜଗୁଆଳ ତାଙ୍କୁ ଧକା ମାରିଥିଲା, ସେ ମଧ୍ୟ ପାଦ ପର୍ଯ୍ୟନ୍ତ ମୁଣ୍ଡ ନୁଆଇଁ ସଲାମ କଲା । ଦେବାନ ଭାବିଲେ, ‘‘ଏ ତ ପାଣୁ ନାଏକ ଜୀବନରେ ଶେଷ ସଲାମ ପାଇବ ।’’ ଭାବି, ସିପାହୀ ପଛେ ପଛେ ହାକିମଙ୍କ ଆଡ଼କୁ ଗଲେ-

 

ଦେବାନ ହାକିମଙ୍କ ପଛ ପାଖ ଦ୍ୱାରବାଟେ ଯାଇ ଇଜଲାସରେ ପାଦ ପକାନ୍ତେ, ଲୋକେ ତାଙ୍କ ଆଡ଼କୁ ଅନାଇଲେ । ନିଜେ ହାକିମ ଦେଖି ଅନୁମାନଦ୍ୱାରା ବୁଝିପାରିଲେ ଯେ ସେ ଧନଞ୍ଜୟ ରାଏ । ତହୁଁ ସେ କାର୍ଯ୍ୟ ମଧ୍ୟରେ ଟିକିଏ ହସି, ମୁଣ୍ଡ ନୁଆଇଁ, ଅଭିବାଦନ କରି ବସିବାକୁ ଠାରିଦେଲେ । ଧନଞ୍ଜୟ ରାଏ ବସିଲେ ।

 

ଇଜଲାସ ମଧ୍ୟରେ ଗୋଟାଏ କାଠର ବାଡ଼ା ଭିତରେ ଜଣେ ଲୋକ ବିମର୍ଷ ମୁଖରେ, ନିରାଶ ନେତ୍ରରେ ଠିଆ ହୋଇଥିଲା । ଦର୍ଶକମାନେ ସମସ୍ତେ ତାହରି ଆଡ଼କୁ ଚାହିଁଥିଲେ । ଧନଞ୍ଜୟ ରାଏ ମଧ୍ୟ ତା ଉପରେ ଦୃଷ୍ଟି ନ ପକାଇ ରହିପାରିଲେ ନାହିଁ । ସେ ତାକୁ ଚାହିଁ ମନକୁମନ କହିଲେ, ‘‘ମୋତେ ସେଇଠିକୁ ଯିବାକୁ ହବ ।’’ ତାପରେ ସେ ପୁଣି ଟିକିଏ କଣ ଭାବିଲେ ଏବଂ ଆଉଥରେ ମନକୁ ମନ କହିଲେ, ଆହୁରି କିଛି ହେଇନାହିଁ; ବର୍ତ୍ତମାନ ମଧ୍ୟ ସମୟ ଅଛି । ମୁଁ ସେଇ ପୁରୁଣା ପାଣୁ ନାଏକ ହେବି, ନା ଧନଞ୍ଜୟ ରାଏ ହେଇ ଏଇ ଉଚ୍ଚ ପଦରେ ରହିବି ? ନିଷ୍ପତ୍ତି କରିବାକୁ ଆଉ ବିଳମ୍ବ ନାହିଁ ।’’

 

ଧନଞ୍ଜୟ ରାଏ ଇଜଲାସ ମଧ୍ୟରେ ପ୍ରବେଶ କରିବା ବେଳେ ଅନନ୍ତ ଦାସ ପକ୍ଷର ମୁକ୍ତାର ବକ୍ତୃତା ଆରମ୍ଭ କଲେ । ଅନନ୍ତ ଦାସ ସେତେବେଳେ ମୁହଁକୁ ତଳକୁ ପୋତି ବିଷର୍ଣ୍ଣ ଭାବରେ ଠିଆ ହୋଇଥିଲା । ମୁକ୍ତାର କହିଲେ, ‘‘ହଜୁର, ଦେଖନ୍ତୁ । ଏ ଲୋକ ଯେ ନଡ଼ିଆ ଚୋରି କରିଚି, କୋର୍ଟବାବୁ ତାର କୌଣସି ପ୍ରମାଣ ଦେଇପାରି ନାହାନ୍ତି । ସେ ଅବଶ୍ୟ ଦାଗୀ, ଆଗରୁ ଊଣିଶ ବର୍ଷ ଜେଲ ଖଟିଚି । ଏହି ଗୋଟାକ ବିଷୟ କେବଳ ତା ବିପକ୍ଷରେ ଯାଇପାରେ; କିନ୍ତୁ ତା ମଧ୍ୟ ସେ ନିଜେ ଅସ୍ୱୀକାର କରୁଛି । ହଜୁର ତାହା ଅସ୍ୱୀକାର ଏବଂ ଅବିଶ୍ୱାସ କରୁଛନ୍ତି । ମୁଁ ମଧ୍ୟ ତାକୁ ବାରମ୍ବାର ବୁଝାଇଲି; ମାନିଗଲେ, ଫଳ ଭଲ ହେବ ବୋଲି କହିଲି; ମାତ୍ର ସେ ନିଜକୁ ପାଣୁ ନାଏକ ବୋଲି କହିବାକୁ ଏକାବେଳକେ ନାରାଜ । ବୋଧହୁଏ ମାନି ଯିବାକୁ ତାର ଭୟ ହେଉଛି । ମୁଁ ପ୍ରାର୍ଥନା କରୁଛି, ହଜୁର ତାକୁ ସାମାନ୍ୟ କିଛି ଦଣ୍ଡ ଦେଇ ଛାଡ଼ିଦିଅନ୍ତୁ ।’’

 

ମୁକ୍ତାର କହିସାରିଲାରୁ ସରକାର ପକ୍ଷରୁ କୋର୍ଟବାବୁ ଉଠିଲେ । ଉଠି ଠିଆ ହୁଅନ୍ତେ ହାକିମଙ୍କ ପଛରେ ଦେବାନଙ୍କ ଉପରେ ତାଙ୍କର ଦୃଷ୍ଟି ପଡ଼ିଲା । ଦେବାନଙ୍କୁ ଅନେକ ଘଟଣାରେ ସେ ଆଗରୁ ଜାଣିଥିଲେ । ତାଙ୍କୁ ହଠାତ୍‌ ଦେଖି, ଟିକିଏ ବିସ୍ମିତ ହୋଇ ନମସ୍କାର କଲେ । ଦେବାନ କିନ୍ତୁ ତାଙ୍କ ଆଡ଼କୁ ଚାହିଁପାରିଲେ ନାହିଁ । ତାଙ୍କ ମନର ସେତେବେଳର ଭାବ ବୁଝିବା ଏକାବେଳେକେ ଅସମ୍ଭବ । କୋର୍ଟବାବୁ କିପରି ବା ବୁଝନ୍ତେ ? ସେ ନିଜ କର୍ତ୍ତବ୍ୟ ଅନୁସରଣରେ କହିଲେ, ‘‘ପ୍ରତିବାଦୀ ପକ୍ଷର ମୁକ୍ତାର ଯାହା କହିଗଲେ, ସେଥିରୁ ପରିଷ୍କାର ଜଣାପଡ଼ୁଛି ଯେ ଏହି ଅନନ୍ତ ଦାସ ହିଁ ପାଣୁ ନାଏକ; କିନ୍ତୁ ସେ ପାଣୁ ନାଏକ କିଏ ? ସେ ମନୁଷ୍ୟ ରୂପରେ ଗୋଟାଏ ରାକ୍ଷସ ମାତ୍ର । ମନୁଷ୍ୟ ସମାଜର ରକ୍ତ ଶୋଷଣ କରିବା ତାର କାମ ।’’ ଏହିପରି ଅନେକ କଥା କହି, ସେ ପାଣୁ ନାଏକର ଜୀବନୀ ଆଦ୍ୟ ପ୍ରାନ୍ତ ବର୍ଣ୍ଣନା କରିଗଲେ । କୋର୍ଟବାବୁ ଅଭ୍ୟାସ ଦ୍ୱାରା ନିଜର ବାଗ୍ନିତା ବେଶ୍‌ ବଢ଼ାଇଥିଲେ । ପାଣୁ ନାଏକର ବିବରଣୀ ତାଙ୍କ ମୁହଁରୁ ଶୁଣି ସମସ୍ତେ ଥରିବାକୁ ଲାଗିଲେ ।

 

ତାପରେ କୋର୍ଟବାବୁ ପୁଣି କହିଲେ, ‘‘ଚଣ୍ଡାଳ ପାଣୁ ନାଏକ କଣ କେବଳ ଏତିକି କରିଛି ? ମଧୁ ବୋଲି ଗୋଟାଏ ଟୋକାଠାରୁ ଦୁଇ ଅଣା ଡକାଏତି କରି ନେଇଯାଇଛି । ତାପରେ ପୁଣି ସୁନ୍ଦରପୁର ମଠ ମହନ୍ତ ବର୍ତ୍ତମାନ ମରି ସ୍ୱର୍ଗପୁରରେ ଅଛନ୍ତି, ଦିନେ ଚଣ୍ଡାଳଟାକୁ ଆଶ୍ରୟ ଦେଇଥିଲେ । ମହନ୍ତ ନିତାନ୍ତ ଅମାୟିକ ଲୋକ; ଅବଶ୍ୟ କହିଲେ ଯେ ପାଣୁ ନାଏକ ଚୋରି କରିନାହିଁ; କିନ୍ତୁ ସେ ତାଙ୍କ ମଠରୁ ଗୋଟାଏ ଦୀପରୁଖା ଚୋରେଇ ଆଣିଛି । ତାପରେ ଆଉ ଗୋଟାଏ କଥା ଦେଖନ୍ତୁ, ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ର ୟାକୁ ଚିହ୍ନିଲେ । ୟା ସଙ୍ଗରେ ତିନିଜଣ କଏଦି ମଧ୍ୟ ୟାକୁ ଚିହ୍ନି ସାକ୍ଷ୍ୟ ଦେଲେ । ଏ ପାଣୁ ନାଏକ ନୁହେଁ ବୋଲି ନାସ୍ତି କଲେ କଣ ହେବ ? ହଜୁର ନ୍ୟାୟ ବିଚାର କରନ୍ତୁ, ଉପଯୁକ୍ତ ଦଣ୍ଡ ଦିଅନ୍ତୁ ।’’

 

ବିଚାର ପ୍ରାୟ ଶେଷ ହୋଇ ଆସିଲା । ହାକିମ ଆସାମୀ ଆଡ଼କୁ ଚାହିଁ କହିଲେ, ‘‘ଦେଖ୍‌, ପାଣୁ ନାଏକ, ତୋ ବିରୁଦ୍ଧରେ ବହୁତ ପ୍ରମାଣ ମିଳିଲା । ମୁଁ ଇଚ୍ଛା କଲେ ତତେ କଳାପାଣି ପଠାଇପାରେ । ତୁ ଠିକ୍‌ କରି କହ, ନଡ଼ିଆ କିପରି ଚୋରି କଲୁ ? ଆଉ ତୁ ପାଣୁ ନାଏକ ବୋଲି କାହିଁକି ସ୍ୱୀକାର କରୁନାହୁଁ ?’’ ଶୁଣି, ଆସାମୀ କିଛି ଉତ୍ତର ଦେଲା ନାହିଁ । ତହୁଁ କୋର୍ଟବାବୁ ତାକୁ ଭର୍ତ୍ସନା କରି କହିଲେ; ‘‘ତୁ କେଡ଼େ ଖରାପ ଲୋକ, ହାକିମଙ୍କୁ ଉତ୍ତର ଦେଉନାହୁଁ ।’’

 

କୋର୍ଟବାବୁଙ୍କ କଥା ଶୁଣି ଆସାମୀର ରୁଦ୍ଧକଣ୍ଠ ଏକାବେଳକେ ଫିଟିଗଲା; ସେ କହିଲା, ‘‘ତୁମେ ବଡ଼ ସୟତାନ । ମୁଁ ସେଇ କଥା କହିବାକୁ ଯାଉଥିଲି, ମାତ୍ର ଠିକ୍‌ କହିପାରୁ ନ ଥିଲି । ମୁଁ କିଛି ଚୋରି କରି ନାହିଁ । ମୁଁ ତ ଦିନକେ ଓଳିଏ ଖାଇବା ଲୋକ । ସେଦିନ ସନ୍ଧ୍ୟାରେ ନଡ଼ିଆ ବଗିଚାବାଟେ ଗଲାବେଳେ ଦେଖିଲି ବାଟେ ତିନିଚାରିଟା ନଡ଼ିଆ ପଡ଼ିଥିଲା । ରାତିରେ ଖାଇବାକୁ କିଛି ନ ଥିବାରୁ ସେ ନଡ଼ିଆତକ ନେଇ ଆସିଥିଲି । ସେତେବେଳେ କଣ ଜାଣିଥିଲି ଏ ଦଶା ଘଟିବ-? ଏବେ ତିନି ମାସ ହାଜତରେ ରହିଲିଣି । କିଏ କେତେ ଗାଳି ଦଉଛନ୍ତି । ମୁଁ ସେମାନଙ୍କ ପରି ପଣ୍ଡିତ ନୁହେଁ । ମୁଁ ମୂର୍ଖ, ଦରିଦ୍ର ଜଣେ । ମୁଁ ନଡ଼ିଆତକ ଖାଲି ଗୋଟାଇ ନେଇଥିଲି, ଚୋରି କରି ନାହିଁ । ମାତ୍ର ତୁମ୍ଭେମାନେ ତ ଜ୍ଞାନୀ; ମୋ ବାପ ତ ଯାହା କରି ନ ଥିଲା, ତୁମେ କରୁଛ । ମୋତେ ପାଣୁ ନାଏକ ନାଁ ଦେଉଛ । କିଏ ସେ ପାଣୁ ନାଏକ, ଘର କୋଠି, ଜାତି କଣ- ମୁଁ ପୁଣି ହେଲି ସେହି ପାଣୁ ନାଏକ ! ଛି ଛି ଛି । ତୁମେ ସବୁ କାହିଁକି ମୋ ସାଙ୍ଗରେ ଏମିତି ଲାଗିଛ, କହିଲ ଦେଖି ।’’

 

କୋର୍ଟବାବୁ ଆସାମୀ କଥା ଶୁଣି ହାକିମଙ୍କୁ କହିଲେ, ‘‘ହଜୁର୍‌, ଏ କଣ କହିଲା, ଶୁଣିଲେ ତ । ଏବେ ସାକ୍ଷୀମାନଙ୍କୁ ଆଉଥରେ ଡାକି ପଚାରନ୍ତୁ ଦେଖି । ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ର ଅବଶ୍ୟ ଚାଲିଯାଇଛନ୍ତି । ତେବେ, ସେ ଯାହା କହିଛନ୍ତି ସେଥିରେ ତ ଆଉ କାହାରି ହଲଚଲ ହେବାର ଉପାୟ ନାହିଁ । ସେ କହିଛନ୍ତି ‘‘ଏ ଲୋକର ନାଁ ଅନନ୍ତ ଦାସ ନୁହେ, ପାଣୁ ନାଏକ । ଏ ଊଣିଶ ବର୍ଷ କଇଦି ଖଟିଛି । ଆଉ ମୁଁ ଜାଣେ, ମଧୁଆ ବୋଲି ଗୋଟାଏ ଟୋକାର ଦୋ’ଣି ଚୋରି କରିବା ଛଡ଼ା ସୁନ୍ଦରପୁର ମହନ୍ତଙ୍କ ମଠରୁ ମଧ୍ୟ ଚୋରି କରିଛି । ମୁଁ ତାକୁ ବେଶ୍‌ ଚିହ୍ନି ପାରୁଛି । ଏ ତ ଏପରି କହିଛନ୍ତି । ଏବେ ଆଉ ତିନି ଜଣ ସାକ୍ଷୀଙ୍କି ଡାକି ପଚରାଯାଉ ।’’

 

ସାକ୍ଷୀ ତିନିଜଣ ଜଣ ଜଣ ହୋଇ ଆସି, ପୂର୍ବରୁ ଯେପରି କହିଥିଲେ, ପୁଣି ସେହି କଥା ଅବିକଳ କହିଗଲେ । ସେମାନେ କହିଲେ ଯେ, ତିନି ଜଣଯାକ ସେହି ପାଣୁ ନାଏକକୁ ଭଲରୂପେ ଚିହ୍ନନ୍ତି, ତା ସଙ୍ଗରେ ରହି କାମ କରିଛନ୍ତି ଏବଂ ସେ ଯେ ଅନନ୍ତ ଦାସ ନୁହେଁ, ସେ କଥା ପ୍ରମାଣ କରି କହିପାରିବେ । ତାପରେ ହାକିମ ଆସାମୀକି ପଚାରିଲେ, ‘‘ଶୁଣିଲୁ ତ; ତୋର ଆଉ କଣ କହିବାର ଅଛି ?’’ ଆସାମୀ ପ୍ରଥମେ କିଛି ନ କହି ଠୋ ଠୋ ହସିଲା ଏବଂ ଶେଷରେ କହିଲା, ‘‘ଧର୍ମାବତାର, ଯାହା ବୁଝିଲେ ତୁ ନାଥ ପରମ ଦୟାଳୁ, ବୁଝିବାକୁ ତୁ ଖମ୍ବଆଳୁ ।’’ ହାକିମ ଅସନ୍ତୁଷ୍ଟ ହୋଇ କହିଲେ, ‘‘ଆଚ୍ଛା ଏବେ ରାୟ ଶୁଣ୍‌ ।’’

 

ହଠାତ୍‌ ହାକିମଙ୍କ ନିକଟରେ ଗୋଟାଏ ଖୁଡ଼୍‌ଖାଡ଼୍‌ ଶବ୍ଦ ହେଲା ଏବଂ ଉଚ୍ଚସ୍ୱର ଶୁଣାଗଲା- ‘‘ସାକ୍ଷୀମାନେ ଏଆଡ଼େ ଚାହଁ ।’’ ସ୍ୱର ଯେଉଁଠାରୁ ଶୁଣାଗଲା, ସମସ୍ତଙ୍କ ଦୃଷ୍ଟି ସେହି ଆଡ଼କୁ ଆକୃଷ୍ଟ ହେଲା । ଏପରିକି, ଆସାମୀ ଅନନ୍ତ ଦାସ ମଧ୍ୟ ମୁହଁ ଟେକି ଚାହିଁଲା । ଦେବାନ ଧନଞ୍ଜୟ ରାଏଙ୍କୁ ଯେଉଁମାନେ ଚିହ୍ନିଥିଲେ- ବିସ୍ମିତ ହୋଇ ଏକ ସ୍ୱରରେ କହିଲେ, ‘‘କଣ, ଦେବାନ ସାହେବ ।’’

 

ମୁହୂର୍ତ୍ତକ ମଧ୍ୟରେ ସମସ୍ତଙ୍କ ସନ୍ଦେହ ଭାଜିଗଲା । ସେମାନେ ଦେଖିଲେ ଯେ ପ୍ରକୃତରେ ଦେବାନ ଧନଞ୍ଜୟ ରାଏ ଠିଆ ହୋଇଛନ୍ତି । ତାଙ୍କ ମୁଖମଣ୍ଡଳ ଶାନ୍ତ । ସେ ଯେ ଏପରି ପାଟି କରି ଭୟଙ୍କର ସ୍ୱରରେ କଥା କହିଥିବେ, କାହାରି ବିଶ୍ୱାସ ହେଲାନାହିଁ । କିନ୍ତୁ ମୁହୂର୍ତ୍ତକେ ଅବସ୍ଥା ବଦଳିଗଲା । ଧନଞ୍ଜୟ ରାଏ ସାକ୍ଷୀମାନଙ୍କ ପାଖକୁ ଚାଲିଯାଇ ପଚାରିଲେ, ‘‘ମୋତେ ଚିହ୍ନି ପାରୁଚ-?’’ ସାକ୍ଷୀମାନେ ସ୍ତମ୍ଭୀଭୂତ ହୋଇ ଠିଆ ହେଲେ ଏବଂ ମୁଣ୍ଡ ନାହିଁ କହିଲେ ଯେ ସେମାନେ ତାଙ୍କୁ ଚିହ୍ନନ୍ତି ନାହିଁ । ତହୁଁ ସେ ହାକିମଙ୍କ ଆଡ଼କୁ ଚାହିଁ, ହାତ ଯୋଡ଼ି କହିଲେ, ‘‘ହଜୁର, ସେ ନିର୍ଦ୍ଦୋଷ ଆସାମୀକୁ ଛାଡ଼ି, ମୋତେ ଗିରିଫଦାର କରନ୍ତୁ । ମୁଁ ପାଣୁ ନାଏକ, ସେ ନୁହେଁ ।’’

 

ମୁହୂର୍ତ୍ତକ ପାଇଁ ଇଜଲାସ ଘର ନିଶ୍ଚଳ ନିସ୍ତବ୍‍ଧ ହୋଇ ରହିଲା । ଏପରିକି, ଜଣେ କେହି ନିଃଶ୍ୱାସ ସୁଦ୍ଧା ମାନି ପାରିଲା ନାହିଁ । ଗୋଟାଏ ପ୍ରବଳ ସତ୍ୟ ସମ୍ମୁଖରେ ସମସ୍ତେ ନିଜ ନିଜକୁ ପରାହତ ମଣି ଦାରୁଭୂତ ହୋଇ ଠିଆହେଲେ । କେତେକ ସମୟ ପରେ ହାକିମ ନୀରବତା ଭାଙ୍ଗି କହିଲେ, ‘‘ଦେବନାଙ୍କ ମୁଣ୍ଡ ବିଗିଡ଼ି ଯାଇଚି । ଶୀଘ୍ର ଚିକିତ୍ସକ ଡାକ ।’’

 

‘‘ମୁଁ ପାଗଳ ନୁହେଁ । ମୁଁ ଯାହା କହୁଚି, ଠିକ୍‌ କଥା । ଆପଣ ଗୋଟାଏ ମହାପାପ କରିବାକୁ ଯାଉଥିଲେ, ନିରପରାଧକୁ ଦଣ୍ଡ ଦେବାକୁ ବସିଥିଲେ । ମୁଁ ବର୍ତ୍ତମାନ ସତ୍ୟ କହୁଚି, ଆପଣଙ୍କ ଭ୍ରାନ୍ତ ଧାରଣା ସଂଶୋଧନ କରୁଚି ଏବଂ ମୋର କର୍ତ୍ତବ୍ୟ ପାଳନ କରିବାକୁ ଯାଉଚି, ମୁଁ ପାଣୁ ନାଏକ । ଊଣିଶ ବର୍ଷ କାଳ କଏଦିଖାନାରେ ଥିଲି ମୁଁ । ମୁଁ ମଧୁଆର ଦୋ’ଣି ଚୋରି କରିଥିଲି-। ମୁଁ ସୁନ୍ଦରପୁର ମହନ୍ତଙ୍କର ମଠରୁ ରୂପାର ରୁଖା ଚୋରେଇ ଆଣିଥିଲି । ଯେବେ ସନ୍ଦେହ ହୁଏ; ଯାଇ ସାରଙ୍ଗଗଡ଼ରେ ଦେଖି ଆସିପାରନ୍ତି । ମୁଁ ଦୋଷ ଅପରାଧ ଲୁଚାଇ ନିଜର ଗୌରବ ରକ୍ଷା କରିବାକୁ ଯାଇ, ସେସବୁ ଚୋରି ଜିନିଷ ନିଆଁରେ ପୋଡ଼ିଦେବାକୁ ବସିଥିଲି । ମାତ୍ର ପାପୀର ପାପ କି ଯାଏ ? ନିଆଁ ଲିଭିଗଲା । ସବୁ ପାଉଁଶ ଭିତରେ ପଡ଼ିରହିଚି । ମୁଁ ପ୍ରକୃତରେ ପାଗଳ ନୁହେଁ, ସତ କହୁଚି । ଏ ସାକ୍ଷୀମାନେ ମୋତେ ଚିହ୍ନିପାରୁ ନାହାନ୍ତି, କି ଆଶ୍ଚର୍ଯ୍ୟ କଥା ।’’

 

ଦେବାନ ସାକ୍ଷୀମାନଙ୍କ ଆଡ଼କୁ ମୁହଁ ବୁଲାଇ କହିଲେ, ‘‘ଚାହଁ ଦେଖି, ସାକ୍ଷୀମାନେ, ଭଲକରି । ଚିନ୍ତା, ତୁ ଚିହ୍ନିପାରୁ ନାହୁଁ ? ଗଣେଶା, ତୁ କହୁଚୁ, ମୁଁ ପାଣୁ ନାଏକ ନୁହେଁ ? ହାଡ଼ିଆ, ତୋର ଫେରେ ସନ୍ଦେହ ହୋଇଚି ? ଏତେ ଦିନ ଏକାଠି ରହିଲେ, ଖାଇଲେ, ବସିଲେ, କାମ କଲେ-। କହିଲୁ ହାଡ଼ିଆ, ତୋର ମୋର ଦିନେ ଲଢ଼େଇ କରି ନ ଥିଲେ ? ତୁ ମୋ କାଖକୁ ଗୋଟିଏ ଛୁରୀରେ ଭୁସି ଦେଇ ନ ଥିଲୁ ? ମୁଁ ସିନା ପାଗଳ, ସେ ଘା’ ଚିହ୍ନଟା ମଧ୍ୟ କଣ ପାଗଳ ? ତୁ କହୁଛୁ ଯେ ମୁଁ ପାଣୁ ନାଏକ ନୁହେଁ । ଚିନ୍ତା, ତୋ ଜଙ୍ଘରେ ମୁଁ ନାଁ ଲେଖିଦେଇ ନ ଥିଲି ? ଗଣେଶା, ମୁଁ ତୋ ବାଁ ଗୋଡ଼ କାଣି ଆଙ୍ଗୁଠି କାଟି ଖଣ୍ଡିଆ କରି ଦେଇ ନ ଥିଲି ? ସତ କଥା କହ । ହଜୁର ଆପଣଙ୍କର ଯେବେ ସନ୍ଦେହ ହୁଏ, ଦେଖନ୍ତୁ ଏ ସବୁ ଚିହ୍ନ ଅଛି କି ନା । ପ୍ରମାଣ କରନ୍ତୁ, ମୁଁ ପାଣୁ ନାଏକ କି ନୁହେଁ ।’’

 

ସାକ୍ଷୀମାନେ ଜିଭ କାମୁଡ଼ି, ମୁଣ୍ଡ ପୋତି, ନିଜେ ଅପରାଧୀ ପରି ଠିଆ ହୋଇଥିଲେ । ହାକିମ ପଚାରିଲେ, ‘‘କଣ କହୁଛ, ଏ କଣ ଠିକ୍‌ ପାଣୁ ନାଏକ ?’’ ସେମାନେ ଏକସ୍ୱରରେ ଉତ୍ତର ଦେଲେ, ‘‘ହଁ, ହଜୁର ।’’ ହାକିମ ଚିନ୍ତା ଜଙ୍ଘରେ; ଗଣେଶାର କାଣି ଆଙ୍ଗୁଠିରେ ଓ ଦେବାନଙ୍କର କାଖରେ ନିର୍ଦ୍ଦିଷ୍ଟ ସଙ୍କେତମାନ ପରୀକ୍ଷା କରି ମଧ୍ୟ ଦେଖିଲେ । ତାଙ୍କର ଆଉ ସନ୍ଦେହ ରହିଲା ନାହିଁ-। ସେ ଅନନ୍ତ ଦାସକୁ ଖଲାସ କରି ଦେଲେ ।

 

ପାଣୁ ନାଏକ କହିଲା, ‘‘ମୋର କର୍ତ୍ତବ୍ୟ ସରିଚି । ମୋତେ କେହି ଗିରିଫଦାର କରି ନାହାନ୍ତି । ମୁଁ ଏଠେଇ ଆଉ କାହିଁକି ରହିବି ? ମୁଁ ଯାଉଛି । ମୋର ଅନେକ କାମ ବାକି ଅଛି, ନା, ଗୋଟାଏ ବଡ଼ କାମ । ସେଟା ମୋତେ ସାରିବାକୁ ହେବ । କୋର୍ଟବାବୁ ଜାଣନ୍ତି; ମୁଁ କେଉଁଠିକୁ ଯିବି-। ସେଠୁ ମୋତେ ବାନ୍ଧି ଆଣିପାରିବେ ।’’ କହି ପାଣୁ ନାଏକ ଜନତା ଭେଦ କରି ଚାଲିଗଲା । ଲୋକେ ଘୁଞ୍ଚିଯାଇ ବାଟ ଛାଡ଼ିଦେଲେ ।

Image

 

୧୨

ନ ହେବା କଥା ହେଲା

 

ଦେବାନ ସେଦିନ ସନ୍ଧ୍ୟାରେ ସାରଙ୍ଗଗଡ଼ ଛାଡ଼ି ଚାଲିଯିବା ପରେ ତାଙ୍କୁ କେହି ଖୋଜି ପାଇଲେ ନାହିଁ । ରାଧା ତାଙ୍କୁ ଦେଖିଲେ ଅବଶ୍ୟ ଖୁସି ହୋଇଥାନ୍ତା, କିନ୍ତୁ ନ ଦେଖି ଆହୁରି ଖୁସି ହେଲା । ସେ ମନକୁ ମନ ଭାବିଲା, ‘‘ମୋ ଗଣ୍ଠିଧନକୁ ଆଣି ଆସିବେ ।’’ ସେଥିରେ ତା ହୃଦୟରେ ଆନନ୍ଦ ଉଛୁଳି ଉଠିଲା । ଚିକିତ୍ସକ ନାଡ଼ି ଦେଖି ବୁଝିପାରିଲେ ଯେ, ସେ ଖୁବ୍‌ ସୁସ୍ଥ ଅଛି । ରାଧା ଶେଯରୁ ଉଠିପାରୁ ନ ଥିଲା । ସେ ଉଠିଲା, ବସିଲା, ବୁଲିଲା, ଆନନ୍ଦରେ ଗୀତ ଗାଇଲା । ପ୍ରଥମ ରାତିଟା ସେ ଖୁବ୍‌ ଆଶା ଓ ଆହ୍ଲାଦରେ କଟାଇଦେଲା । ମାତ୍ର ଆରଦିନ ଦିନଯାକ ରମା ଆସି ନ ପହଞ୍ଚିବାରୁ ତା ମନର ଉଦ୍‌ବେଗ ବଢ଼ିବାକୁ ଲାଗିଲା ।

 

ତୃତୀୟ ଦିନ ଅପରାହ୍ନରେ ଚିକିତ୍ସକ କୌଣସି କାମରେ ଲାଗିଥିଲାବେଳେ, ପଛରେ ପାଦ ଶବ୍ଦ ଶୁଣି ହଠାତ୍‌ ବୁଲି ଚାହିଁଲେ । ସେ ବିସ୍ମିତ ହୋଇ କହିଲେ, ‘‘ଦେବାନ ହଜୁର, ଆପଣ ନା କଣ ?’’

 

‘‘ରାଧା କିପରି ଅଛି ?

 

‘‘ଭଲ ଥିଲା ତ ଖୁବ୍‌ । ଆଜି ପୁଣି ରୋଗଟା ଟିକିଏ ବଢ଼ିଚି ।’’ କହି, ସେ ସମସ୍ତ ବୃତ୍ତାନ୍ତ ବର୍ଣ୍ଣନା କଲେ । ଅଥଚ, ଗୋଟାଏ ପ୍ରଶ୍ନ ପଚାରିଦେବାକୁ ତାଙ୍କର ସାହସ ହେଲା ନାହିଁ । ଦେବାନ ଆପେ କହିଲେ; ‘‘ମୁଁ ତା ଝିଅକୁ ଆଣିବାକୁ ଯାଇଥିଲି କହି ଭଲ କରିଚନ୍ତି ।’’

 

‘‘ଏବେ କରାଯିବ କଣ ? ସେ ଆପଣଙ୍କୁ ଦେଖି ତା ଝିଅକୁ ଯେବେ ନ ଦେଖେ, ଆପଣ ତାକୁ କଣ କହି ସାନ୍ତ୍ୱନା ଦେବେ ?’’

 

ଦେବାନ ଟିକିଏ ବିଚାରି କହିଲେ, ‘‘ଆଚ୍ଛା, ଦେଖାଯିବ ।’’ କହି, ସେ ରାଧା ନିକଟକୁ ଯିବାକୁ ଘରୁ ବାହାରକୁ ବାହାରିଲେ । ଆଲୋକରେ ତାଙ୍କ ମୁହଁ ସଫା ଦେଖାଗଲା । ଚିକିତ୍ସକ ଚମକିପଡ଼ି ପଚାରିଲେ, ‘‘ଆପଣଙ୍କର କଣ ହୋଇଥିଲା କି ? ବାଳଗୁଡ଼ାକ ଯେ ଏକାବେଳକେ ପାଚିଗଲା; ମୁହଁ ମଧ୍ୟ କଳା ପଡ଼ିଯାଇଚି ।’’

 

‘‘କାହିଁ, କିଛି ନାହିଁ ତ,’’ କହି ଦେବାନ ଆଗକୁ ଗୋଡ଼ ପକାଇଲେ । ଚିକିତ୍ସକ ପଚାରିଲେ, ‘‘ତା ଝିଅ କଣ ନ ଆସିବାର ହେଲା ?’’

 

‘‘ନା, ଆସିବ ! ମାତ୍ର ଦୁଇ ତିନି ଦିନ ଲାଗିବ ।’’

 

‘‘ତେବେ, ଆପଣ ତା ପାଖକୁ ଯାଆନ୍ତୁ ନାହିଁ । ମୁଁ କହିବି ଯେ ଆପଣ ଫେରି ନାହାନ୍ତି । ଏ କଥା ଆଉ ମିଛ କଣ ? ଆମେ ବୈଦ୍ୟମାନେ ରୋଗୀକୁ ସାନ୍ତ୍ୱନା ଦବା ପାଇଁ ଏପରି କରିଥାଉଁ-।’’

 

‘‘ନା, ମୁଁ ତାକୁ ଦେଖିବାକୁ ଯିବି । ବିଳମ୍ବ ହେଲେ, ତା ସହିତ ମୋର ହୁଏତ ଏକାବେଳକେ ଦେଖା ହବ ନାହିଁ ।’’ କହି, ଦେବାନ ରାଧାର ଶେଯ ପାଖରେ ଯାଇ ଠିଆ ହେଲେ । ରାଧା ନିତାନ୍ତ ଦୁର୍ବଳ ହୋଇ ଶେଯରେ ପଡ଼ିଥିଲା । ଦେବାନ କେତେକ ସମୟ ନିଶ୍ଚଳ ଭାବରେ ଠିଆହେବା ପରେ, ସେ ଆଖି ଫିଟାଇ ତାଙ୍କୁ ଦେଖିଲା ଏବଂ ଟିକିଏ ସାମାନ୍ୟ ହସି ପଚାରିଲା, ‘‘ଆଉ ରମା ?’’ ପ୍ରଶ୍ନଟା ସେ ଏପରି ସ୍ୱରରେ ପଚାରିଲା ଯେ ତହିଁରୁ ବୋଧ ହେଲା, ଦେବାନ ରମାକୁ ସଙ୍ଗରେ ଆଣି ଫେରିଛନ୍ତି ବୋଲି ସେ ନିଶ୍ଚିତ ରୂପେ ଜାଣିଥିଲା । ଦେବାନ ଅପରାଧୀ ପରି ମୁଣ୍ଡ ନୁଆଇଁ ଠିଆ ହେଲେ ମାତ୍ର । ତହୁଁ ସେ ପୁଣି କହିଲା, ‘‘ତାକୁ ଆଣି ମୋ ପାଖେ ଟିକିଏ ଶୁଆଇ ଦେଲ ନାହିଁ ।’’

 

ଦେବାନ ଅବଶ୍ୟ ଚିତ୍ରପତ୍ରିମା ପରି ଠିଆ ହୋଇ ଦୁଇ ଚାରି କଥା କଣ କହିଲେ । ମାତ୍ର ତାହା ରାଧା ବୁଝିପାରିଲା ନାହିଁ କି ଦେବାନ ମଧ୍ୟ ନିଜେ କହିସାରିଲା ପରେ ମନେ ରଖିପାରିଲେ ନାହିଁ । ସେ ଅବସ୍ଥା ଦେଖି ଚିକିତ୍ସକ କହିଲେ, ‘‘ତୁମେ ପିଲାକୁ ଦେଖିବାକୁ ଅଧୀର ହୁଅ ନାହିଁ ରାଧା-! ତାକୁ ହଠାତ୍‌ ଦେଖିଲେ, ତୁମ ଦେହ ବେଶି ଖରାପ ହେବ ।’’ ଶୁଣି ରାଧାର ଆଖି ଉଜ୍ଜ୍ୱଳ ହୋଇଆସିଲା, ମୁଖମଣ୍ଡଳରେ ଆହ୍ଲାଦର ଆଭା ଜାଜ୍ଜ୍ୱଲ୍ୟମାନ ଦେଖାଗଲା । ସେ ହାତ ଯୋଡ଼ି କହିଲା, ‘‘ନା, ଏଠୁକୁ ଟିକିଏ ଆଣ ।’’

 

‘‘ନା, ତୁମ ଦେହ ଆଗ ଭଲ ହେଉ ।’’

‘‘ମୋ ଦେହ ତ ଭଲ ହୋଇଗଲାଣି । ତାକୁ ଦେଖିଲେ ବଞ୍ଚିବି ।’’

 

‘‘ଏଇ ତ ତୁମର ଦୁଷ୍ଟାମି । ମୁଁ ତୁମକୁ ଠିକ୍‌ କହିଦେଇଚି, ମୁଁ ଯେତେବେଳେ ଜାଣିମି ଯେ ତୁମ ଦେହ ଭଲ ହେଲାଣି ମୁହୂର୍ତ୍ତେ ବିଳମ୍ବ ନ କରି, ରମାକୁ ଆଣି ତୁମ ପାଖେ ଛାଡ଼ିଦେବି । ଆଉ ଗୋଳମାଳ କର ନାହିଁ । କଲେ, ଫଳ ଭଲ ହେବ ନାହିଁ ।’’

 

ଚିକିତ୍ସକଙ୍କ କଥା ଶୁଣି, ରାଧା ତୁନି ହୋଇ ରହିବାକୁ ଚେଷ୍ଟା କଲା, ମାତ୍ର ତାର ସେ ଚେଷ୍ଟା ବିଫଳ ହୋଇଗଲା । ସେ ଦେବାନଙ୍କୁ ନାନା ପ୍ରକାର ପ୍ରଶ୍ନ ପଚାରିବାରେ ଲାଗିଲା, ଆପଣ କେତେବେଳେ ଯାଇ ପହଞ୍ଚିଲେ ? ବାଟରେ ତ କିଛି ଅସୁବିଧା ହୋଇ ନାହିଁ ? ଦୀନା ସାହୁ କଣ କହିଲା ? ରମାକୁ ଛାଡ଼ିଲାବେଳେ ଆଉ କଣ କହୁଥିଲା ? ରମା ମୋର ସେମିତି ମୋଟାମୋଟି ଅଛି ନା ? ବାଟରେ କାନ୍ଦି ନାହିଁ ? ତାର ମା କଥା ପାସୋରି ଯାଇ ନାହିଁ ତ ? ଆଚ୍ଛା, ଭଲ ଦିଶୁଚି କି ନାହିଁ କହନ୍ତୁ ତ ? ତାକୁ ଟିକିଏ ମୋ ପାଖକୁ ଆଣିମ ନାହିଁ ? ଆପଣ ତ ଦେବାନ, ଏ ସବୁର ମାଲିକ । ଆପଣ ଇଚ୍ଛା କଲେ କଣ ସେ ଆସିପାରିବ ନାହିଁ ?’’

 

ଦେବାନ ରାଧା ତୁଣ୍ଡରେ ହାତ ଦେଇ କହିଲେ, ‘‘ତୁମେ ତୁନି ହୁଅ । ରମା ଭଲ ଅଛି, କିଛି ସମୟ ଗଲେ ତାକୁ ଦେଖିବ । ବର୍ତ୍ତମାନ ପାଟି କର ନାହିଁ । ପାଟି କଲେ କାଶ ହେବ ।’’ ସତକୁ ସତ ହଠାତ୍‌ ରାଧା କାଶିଉଠିଲା । ବାହାରେ ଅଗଣାରେ ଜଣେ ଶ୍ରମିକର ଝିଅ ଝୁଣୁ ଝୁଣୁ ହୋଇ ଯିବାଆସିବା କରୁଥିଲା । ସେ ଶବ୍ଦ ଶୁଣି ରାଧା ଖୁସି ହୋଇ କହିଲା, ‘‘ମୋ ରମା ତେବେ ନିଶ୍ଚୟ ଆସିଛି । ଏଥର ମୋ ଦେହ ଭଲ ହେଇଯିବ, ମୁଁ ତାକୁ ଧରି ଆନନ୍ଦରେ ଘର କରିବି ।’’

 

ରାଧା ଆଉ କଣ କହିଥାନ୍ତା, କିନ୍ତୁ ହଠାତ୍‌ ବନ୍ଦ ହୋଇଗଲା । ତା ମୁହଁ କଳା ପଡ଼ିଗଲା-। ସେ ଦ୍ୱାରଆଡ଼କୁ ଏକ ଦୃଷ୍ଟିରେ ନିତାନ୍ତ ଭୟରେ ଚାହିଁ ରହିଲା । ଦେଖି ଦେବାନ ପଚାରିଲେ, ‘‘କଣ ହେଉଚି ରାଧା ?’’ ‘‘ରାଧା ଉତ୍ତର ଦେଲା ନାହିଁ, କିନ୍ତୁ ଦେବାନଙ୍କୁ ହାତ ଠାରି ଦ୍ୱାରଆଡ଼କୁ ଦେଖାଇଦେଲା । ଦେବାନ ମୁହଁ ବୁଲାଇ ଦେଖିଲେ ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ର ଠିଆ ହୋଇଛନ୍ତି ।

 

ଦେବାନ କଟକ ଫୌଜଦାରି ଅଦାଲତ ଇଜଲାସରେ ପହଞ୍ଚିବା ପୂର୍ବରୁ ସର୍ଦ୍ଦାର ମହାପାତ୍ରେ ସାକ୍ଷ୍ୟ ଦେଇ ଫେରି ଆସିଥିଲେ । ସୁତରାଂ, ସେ ଚାଲିଆସିବା ପରେ ଅଦାଲତରେ ଯେଉଁ ଅଭିନବ ଘଟଣା ଘଟିଥିଲା, ତାର ସନ୍ଧାନ ସେ ପାଇ ନ ଥିଲେ । କୋର୍ଟବାବୁ ଅଦାଲତରେ ବସି ଯେତେବେଳେ ଦେଖିଲେ ଯେ ଅନନ୍ତ ଦାସ ଖଲାସ ହୋଇଗଲା, ସେତେବେଳେ ସେ ଆଉ ଆସାମୀ ଖୋଜି ପାଇଲେ ନାହିଁ । ସୁତରାଂ, ହାକିମଙ୍କ ଅନୁମତି କ୍ରମେ ସେ ପ୍ରକୃତ ପାଣୁ ନାଏକ, ସାରଙ୍ଗଗଡ଼ ଦେବାନଙ୍କ ଉପରେ ଓ୍ୱାରଣ୍ଟ ବାହାର କଲେ । ଓ୍ୱାରଣ୍ଟ ଜାରି କରିବା ନିମନ୍ତେ ସ୍ଥାନୀୟ ପୋଲିସ୍‌ ବିଭାଗର ହାକିମ ସର୍ଦ୍ଦାରଙ୍କ ନିକଟକୁ ଲେଖିଲେ, ‘‘ସାରଙ୍ଗଗଡ଼ ଦେବାନ ଧନଞ୍ଜୟ ରାଏ ଜେଲଖାନାରୁ ଖଲାସ ହୋଇଥିବା କଏଦୀ ପାଣୁ ନାଏକ ବୋଲି ଆଜି କଚେରିରେ ସାବ୍ୟସ୍ତ ହୋଇଅଛି । ତାଙ୍କୁ ଗିରଫଦାର କରନ୍ତୁ ।’’ ସେହି ଚିଠି ଦେବାନଙ୍କ ପଛେ ପଛେ କଟକରୁ ଆସି ସର୍ଦ୍ଦାରଙ୍କ ହାତରେ ପଡ଼ିଲା । ସେ ସବୁ ଘଟଣା ଜଣାଇଥିବା ସ୍ଥଳେ, ସର୍ଦ୍ଦାର ଚିକିତ୍ସାଳୟକୁ ଆସିବାର ଅଭିପ୍ରାୟ ଘେନି କାହା ମନକୁ ସନ୍ଦେହ ଛୁଇଁବ କାହିଁକି ?

 

ଧନଞ୍ଜୟ ରାଏଙ୍କ ପ୍ରତି ସର୍ଦ୍ଦାରଙ୍କ ହୃଦୟରେ କି ଭାବ ଥିଲା, ତାହା କଥାରେ କହିବା ନିଷ୍ପ୍ରୟୋଜନ । ଗୋଳିଆପାଣି କିଛି ସମୟ ରହିଗଲେ, ମଇଳା ତଳେ ବସିଯାଇ ଉପର ପାଣି ପରିଷ୍କାର ଦିଶେ । ଦେବାନଙ୍କ ପ୍ରତି ସର୍ଦ୍ଦାରଙ୍କର ସେହି ପରିଷ୍କାର ପାଣି ପରି ସ୍ୱଚ୍ଛ ବ୍ୟବହାର ରହିଥିଲା । ମାତ୍ର ଦେବାନ ଯେତେବେଳେ ତାଙ୍କ ପୁରୁଣା ବେଶରେ ପ୍ରକାଶ ପାଇଲେ, ସର୍ଦ୍ଦାରଙ୍କର ହୃଦୟ ଚହଲିବାକୁ ଲାଗିଲା । ସେଥିରେ ତଳ ପଙ୍କ ଆସି ଉପର ପାଣିରେ ମିଶିଗଲା । ଯେଉଁ ଦେବାନଙ୍କୁ ସେ ଏତେ କାଳ ସନ୍ଦେହ କରି ଆସୁଥିଲେ; ଆଜି ତାଙ୍କୁ ଧରିବାର ସୁଯୋଗ ପାଇ ତାଙ୍କ ଆନନ୍ଦର ସୀମା ରହିଲା ନାହିଁ ।

 

ଦେବାନ ଯେଉଁ ଦିନ ତାକୁ ଫାଣ୍ଡିରୁ ଖଲାସ କରି ଆଣିଥିଲେ; ସେହି ଦିନୁଁ ରାଧା ସର୍ଦ୍ଦାରଙ୍କୁ ଦେଖି ନ ଥିଲା । ବର୍ତ୍ତମାନ ଦେଖି ସେ ଭାବିଲା ଯେ ତାକୁ ଧରିନେବା ଛଡ଼ା ତାଙ୍କ ଆସିବାର ଆଉ କୌଣସି ଅଭିପ୍ରାୟ ନାହିଁ । ସେଥିପାଇଁ ସେ ଭୟରେ ମୁହଁ ପୋତିଦେଇ କହିଲା, ‘‘ଦେବାନ୍‌ ବାହାଦୁର, ମୋତେ ରଖନ୍ତୁ ।’’ ଦେବାନ କହିଲେ, ‘‘ଭୟ କରନା ରାଧା ସେ ତୁମକୁ ନେବାକୁ ଆସି ନାହାନ୍ତି’’ ଏବଂ ସର୍ଦ୍ଦାରଙ୍କୁ ଚାହିଁ କହିଲେ, ‘‘ମୁଁ ଜାଣେ ଆପଣ କାହିଁକି ଆସିଚନ୍ତି ।’’

‘‘ଆ, ଜଲ୍‌ଦି ଆ’’ -କହି, ସର୍ଦ୍ଦାର ଏକ ଦୃଷ୍ଟିରେ ଘର ଭିତରକୁ ଚାହିଁ ରହିଲେ । ତାଙ୍କ ଆଖି ଦିଇଟା ଦେଖି ରାଧା ଭୟରେ ଥରିବାକୁ ଲାଗିଲା । ସର୍ଦ୍ଦାର ଘର ଭିତରେ ପଶି ବଡ଼ ପାଟିରେ କହିଲେ; ‘‘ଆବେ, ଆସୁଚୁ; ନା ଠିଆ ହୋଇ ରହିଥିବୁ ?’’

ରାଧା ଚାରିଆଡ଼କୁ ଚାହିଁ ଦେଖିଲା କେବଳ ଦେବାନ ଓ ଚିକିତ୍ସାଳୟର ଜଣେ ବୁଢ଼ୀ ଧାଈ ଠିଆ ହୋଇଥିଲେ । ସେ ଦୁହିଁଙ୍କ ଭିତରୁ କାହାକୁ ତ ସର୍ଦ୍ଦାର ସେପରି କର୍କଶ ସ୍ୱରରେ କହିପାରିଲେ ନାହିଁ । ସୁତରାଂ, ସେ ଧରିନେଲା ଯେ ସେ ତାକୁ ହିଁ ଡାକିଲେ । ସେଥିରେ ତା କଲିଜା ପାଣି ହୋଇଗଲା । କିନ୍ତୁ ମୁହୂର୍ତ୍ତକ ମଧ୍ୟରେ ସେ ଆଖି ଆଗରେ ଗୋଟାଏ ଏପରି ଦୃଶ୍ୟ ଦେଖିଲା, ଯାହାକି ସେ ସ୍ୱପ୍ନରେ ଦେଖିଲେ ମଧ୍ୟ ବିଶ୍ୱାସ କରନ୍ତା ନାହିଁ । ସର୍ଦ୍ଦାର ଦେବାନଙ୍କୁ ତଣ୍ଟିଆ ମାରି, ବାହାରକୁ ନେବାକୁ ଚେଷ୍ଟା କଲେ । ସଂସାରରେ ପ୍ରଳୟ ଘଟିଲା ବୋଲି ରାଧା ମନେକଲା । କହିଲା, ‘‘ଦେବାନ ହଜୁର ।’’

ଶୁଣି, ସର୍ଦ୍ଦାର ବିକଟ ହାସ୍ୟରେ କହିଲେ, ‘‘ଏଠି ଦେବାନ ହଜୁର କେହି ନାହାନ୍ତି । ସକ ସକ ହୋଇ କାହାକୁ ଡାକୁଚୁ ? ଏଟା ପାଣୁ ନାଏକ, ଗୋଟାଏ ପୁରୁଣା ଚୋର; ଦାଗୀ, ଖଣ୍ଟ ବଦମାସ ।’’

ପାଣୁ ନାଏକ ସର୍ଦ୍ଦାରଙ୍କ ହାତ ତା ବେକରୁ ବାହାର କରିବାକୁ ଚେଷ୍ଟା ନ କରି, କହିଲା, ‘‘ମହାପାତ୍ରେ !’’

 

‘‘ଆବେ, ମହାପାତ୍ରେ କଣ ? ପାଜି, ଆଗ କଥା କରି ପାଇଛୁ ? କହ; ହଜୁର ସର୍ଦ୍ଦାର ସାହେବ ।’’

 

‘‘ସର୍ଦ୍ଦାର ସାହେବ, ମୁଁ ଏକାନ୍ତରେ ପଦେ କଥା କହିବି ।’’

 

‘‘କହ, ଯାହା କହିବୁ ପାଟି କରି । ମୋ ସାଙ୍ଗରେ କେହି ଏକାନ୍ତରେ କଥାବାର୍ତ୍ତା ହୁଅନ୍ତି ନାହିଁ ।’’

 

‘‘ମୋର ଗୋଟିଏ ମାତ୍ର ଅନୁରୋଧ ଅଛି ।’’

‘‘ମୁଁ ସେ ସବୁ କିଛି ଶୁଣି ପାରିବିନାହିଁ ।’’

 

‘‘ନ, ଶୁଣନ୍ତୁ । ମୋତେ ତିନି ଦିନ ସମୟ ଦିଅନ୍ତୁ । ମୁଁ ଯାଇ ଏ ହତଭାଗିନୀର ପିଲାଟିକି ଆଣିଦେବି । ଆପଣ ଯାହା କହିବେ, ଦବାକୁ ରାଜି ଅଛି । ଆପଣ ଇଚ୍ଛାକଲେ ମୋ ସାଥିରେ ଯାଇ ମଧ୍ୟ ପାରନ୍ତି ।’’

 

‘‘ଏ କଣ ଥଟ୍ଟା କରୁଚୁ, ନା କଣ ? ଖସି ପଳେଇଯିବାର ଗୋଟାଏ ଫନ୍ଦି ନା ? ଏ ଫନ୍ଦି ଆଉ କାହାକୁ ଦେଖେଇବୁ ?’’

 

ରାଧା ଚମକି ପଡ଼ିଲା । କହିଲା, ‘‘ମୋ ପିଲାକୁ ଆଣିବାକୁ ଯିବେ ? ତେବେ ସେ କଣ ଆସିନାହିଁ । ନା, ପିଲାକୁ ମୋ ପାଖକୁ ବେଗେ ଆଣନ୍ତୁ । ନୋହିଲେ ମୁଁ ମଲି ।’’ ଶୁଣି ସର୍ଦ୍ଦାର ରାଗି, ତଳେ ଗୋଇଠା ମାରି କହିଲେ, ‘‘ଚୁପ୍‌, ରାଣ୍ତୀ । ଏ ଗୋଟାଏ ଅଧମ ରାଜ୍ୟ, ଯେଉଁଠି କଏଦୀ ଆସି ଦେବାନ ହେଉଛନ୍ତି, ଆଉ ବଜାରୁଣୀ ଗୁଡ଼ାକ ରାଜା ଝିଅ ପରି ଭୋଗରେ ରହୁଚନ୍ତି । ସବୁ ଭାଙ୍ଗି ଦେଉଛି ମୁଁ ।’’ କହି ସେ ରାଗରେ ଜଳି, ଠିଆ ହେଲେ ।

 

ରାଧା ଶେଯରୁ ଉଠିଲା । ସେ ପାଣୁ ନାଏକ, ସର୍ଦ୍ଦାର ଓ ଧାଈ, ତିନିଙ୍କୁ ଥର ଥର କରି ଚାହିଁଲା, କିନ୍ତୁ କଣ କହିବାକୁ ଇଚ୍ଛା କରି, କହିପାରିଲା ନାହିଁ । ମୁହୂର୍ତ୍ତକ ମଧ୍ୟରେ ସେ ପୁଣି ପଡ଼ିଗଲା । ତା ମୁଣ୍ତ ତଳେ ବାଜି ଠକ୍‌ କରି ଗୋଟାଏ ଶବ୍ଦ ହେଲା, ପାଟି ଆଁ ହୋଇଗଲା; ଆଖି ଆଉ ବୁଜି ହେଲା ନାହିଁ । ପାଣୁ ନାଏକ ସର୍ଦ୍ଦାରଙ୍କ ହାତ ତା ନିଜ ବେକରୁ ଭିଡ଼ି ବାହାର କରିଦେଇ କହିଲା, ‘‘ଆପଣଙ୍କ ଯୋଗେ ଏ ସ୍ତ୍ରୀ ଲୋକଟି ମଲା ।’’

 

‘‘ତୋ ଚାଲାକି ବହୁତ ଦେଖିଲିଣି । ଆସିବୁ ତ, ଚାଲିଆ । ନୋହିଲେ ସିପାହୀମାନଙ୍କୁ ଡାକିବି । ଧକ୍‌କା ଦେଇ ନେବେ ।’’ ସର୍ଦ୍ଦାରଙ୍କ ସହିତ ଫାଣ୍ତିରୁ ଚାରି ଜଣ ସିପାହୀ ଆସିଥିଲେ । ତାଙ୍କ କଥା ଶୁଣି ପାଣୁ ନାଏକ ଝରକାରୁ ଗୋଟାଏ ମୋଟା ଲୁହାଛଡ଼ ଭିଡ଼ି ବାହାର କରି, ଧୀରେ ଧୀରେ କହିଲା, ଆପଣ ଆଉ ପାଟି ନ କରି ଚାଲିଯାନ୍ତୁ ।’’ ସର୍ଦ୍ଦାର ଭୟରେ ଥରିଲେ । ଭାବିଲେ, ଯାଇ ସିପାହୀମାନଙ୍କୁ ଡାକିଆଣିବେ । କିନ୍ତୁ ସେ ଅବସରରେ କାଳେ ପାଣୁ ନାଏକ ଖସି ଚାଲିଯିବ, ସେଥିପାଇଁ ଘର ଭିତରୁ ଯାଇ ଦ୍ୱାର ପାଖେ ଜଗି ଠିଆ ହେଲେ । ପାଣୁ ନାଏକ ଦୁଃଖରେ ଅଭିଭୂତ ହୋଇ ରାଧା ପାଖେ ବସି ରହିଲା । କିଛି ସମୟ ପରେ କାନ ପାଖେ ମୁହଁ ଦେଇ କଣ କହିଲା । କିନ୍ତୁ ସେ କଣ କହିଲା କେହି ଶୁଣିପାରିଲେ ନାହିଁ । କିନ୍ତୁ ଧାଈ ନିରୀକ୍ଷଣ କରି ଦେଖିଲେ ଯେ ରାଧାର ପାଣ୍ତୁର ବର୍ଣ୍ଣ ମୁହଁରେ ଟିକିଏ ଆନନ୍ଦର ଦୀପ୍ତି ଦେଖାଗଲା । ମା ସୁପ୍ତ ପିଲା ମୁଣ୍ତ ତଳୁ ଟେକି ନିଜ କୋଳରେ ଥୋଇଲା ପରି ପାଣୁ ନାଏକ ରାଧା ମୁଣ୍ତଟି ତକିଆରେ ଟେକି ରଖିଲା । ମୃତ୍ୟୁର ଦ୍ୱାର ପାରି ହେଲେ, ତେଣିକି କେବଳ ଚିର ଶାନ୍ତି ।

 

ପାଣୁ ନାଏକ ‘‘ନାରାୟଣ, ନାରାୟଣ’’ ଉଚ୍ଚାରଣ କରି ଯାଇ ସର୍ଦ୍ଦାରଙ୍କୁ କହିଲା, ‘‘ମୋ କାମ ସରିଲା; ଚାଲନ୍ତୁ ।’’

 

ସର୍ଦ୍ଦାର ପାଣୁ ନାଏକକୁ ନେଇ ଫାଣ୍ତି ହାଜତରେ ରଖିଲେ । ଦେବାନଙ୍କ ଗିରଫଦାର ହେବା ଖବର ପଲକ ମଧ୍ୟରେ ସାରଙ୍ଗଗଡ଼ ସାରା ବ୍ୟାପିଗଲା । ଜଣେ କେହି ତାଙ୍କୁ ପ୍ରଶଂସା କରିବାକୁ କିମ୍ବା ତାଙ୍କ ଉପକାର ସୁମରି ଝୁରିବାକୁ ରହିଲେ ନାହିଁ । ଶୁଣି, ସମସ୍ତେ ଛି ଛି କଲେ । କଟକ କଚେରିରେ ତାଙ୍କ ସମ୍ପର୍କରେ ଘଟିଥିବା ଘଟଣା ପୂରା ଜଣାପଡ଼ିବାକୁ ଅନେକ ଦିନ ଲାଗିଲା-। ସମଗ୍ର ସାରଙ୍ଗଗଡ଼ରେ ତିନି ଚାରି ଜଣ ମାତ୍ର ଲୋକ ତାଙ୍କ ପ୍ରତି ପୂର୍ବର ଅନୁରାଗ ରଖିଥିବାର ଦେଖାଗଲା । ଜଣେ ତାଙ୍କ ପୋଇଲୀ । ଦେବାନ ଧରା ହୋଇଗଲା ପରେ କାରଖାନା ବନ୍ଦ ହୋଇଗଲା; ଦୁଆରେ ତାଲା ପଡ଼ିଲା; ବାଟଘାଟ ଶୂନ୍ୟ ହେଲା । ଚିକିତ୍ସାଳୟରେ ରାଧାର ଶବ ଜଗି ଧାଈ ଏକା ବସି ରହିଲେ । ତେଣେ ପୋଇଲୀ ଦୁଃଖରେ ମୁହଁ ମାଡ଼ି ଶୋଇପଡ଼ିଲା । ଦେବାନ ସେଦିନ ସନ୍ଧ୍ୟାରେ ସବାରିରେ ବସି ଯେ ଘରୁ ଚାଲି ଯାଇଥିଲେ, ଲେଉଟି ଆଉ ଘରେ ପାଦ ପକାଇ ନ ଥିଲେ ।

 

ସେହି ଘରର ଦ୍ୱାର ହଠାତ୍‌ ଫିଟିଲା । ପୋଇଲି ଚାହିଁ ଦେଖିଲା, ଦେବାନ ନିଜେ ଆସି ହାଜର । ସେତେବେଳକୁ ରାତି ପ୍ରାୟ ଛ’ଘଡ଼ି । ପୋଇଲୀ କହିଲା, ‘‘ମୁଁ ଶୁଣି ବିଚାରିଲି–’’

 

‘‘ତୁ ବିଚାରିଲୁ ଯେ ହାଜତରେ ଅଛି, ନା ? ହଁ, ମୁଁ ହାଜତରେ ଥିଲି । ଗୋଟାଏ ଖିଡ଼ିକି ଭାଙ୍ଗି ପଳେଇ ଆସିଚି । ତୁ ଗୋଟାଏ କାମ କର ତ, ଯାଇ ଚିକିତ୍ସାଳୟରୁ ଧାଈ ମାତାକୁ ଡାକି ଆଣ୍‌ ।’’

 

ଘରର ବାହାର ଦ୍ୱାରା ଭିତରୁ ବନ୍ଦ ଥିଲା । ସେ ଯେ କିପରି ଘର ଭିତରକୁ ଆସିଲେ, ତାହା ବୁଝାଗଲା ନାହିଁ । ସେ ଆସି ଘର ଭିତରେ ଆଲୁଅ ଜାଳି ବସିଲେ । ପାଉଁଶରୁ ମଧୁଆର ଦୋ’ଣିଟି କାଢ଼ି, ଦେଖାଯିବା ଭଳି ସ୍ଥାନରେ ଥୋଇ, ତା ପାଖରେ ଲେଖିଲେ, ‘‘ଏହି ଦୋ’ଣି ଚୋରି କରିଥିବା କଥା ମୁଁ କଚେରିରେ ସ୍ୱୀକାର କରିଚି ।’’ ରୁଖାଟି ମଧ୍ୟ ପାଉଁଶରୁ ଆଣି, ଦୋ’ଣି ପାଖେ ରଖିଲେ ।

 

ହଠାତ୍‌ ବାହାର ଦ୍ୱାରେ ଟିପରେ ଠୁକ୍‌ଠୁକ୍‌ କରି ମାରିବା ଶବ୍ଦ ଶୁଣାଗଲା । ଚିକିତ୍ସାଳୟର ଧାଈ ଥରି ଥରି ଆସି ପହଞ୍ଚିଲେ । ପାଣୁ ନାଏକ ତାଙ୍କ ହାତକୁ ଖଣ୍ତିଏ ଲେଖା ବଢ଼ାଇଦେଇ କହିଲା, ‘‘ଏ ଚିଠି ରଜାଙ୍କୁ ଦେବ ।’’ ଚିଠିରେ ଲେଖା ଥିଲା, ‘‘ମୋର ସବୁ ସ୍ଥାବର ସମ୍ପତ୍ତି ରଜାଙ୍କ ଜିମା ମୁଁ ଦେଇଗଲି । ମକଦ୍ଦମା ଲଢ଼ିବାରେ ଏବଂ ଆଜି ଚିକିତ୍ସାଳରେ ଯେ ସ୍ତ୍ରୀ ଲୋକଟି ମରିଯାଇଛି ତାର ଶୁଦ୍ଧି ଆଦି କ୍ରିୟାରେ ଯାହା ଖର୍ଚ୍ଚ ହେବ, ଏହି ସମ୍ପତ୍ତିରୁ ଦିଆଯିବ । ଅବଶିଷ୍ଟ ସମ୍ପତ୍ତି ଦରିଦ୍ରମାନଙ୍କର ।’’ ଧାଈ ସେ ଲେଖାଟି ପଢ଼ିସାରି ପଚାରିଲେ, ‘‘ଆପଣ କଣ ଆଉ ସେ ବାଳିକାକୁ ଦେଖିବାକୁ ଯିବେ ନାହିଁ ?’’

 

‘‘ଆଉ ଦେଖିବି କଣ ? ଯାହାକୁ ଦେଖନ୍ତି, ସେ ତ ଯାଇସାରିଚି । ତାପରେ ପୁଣି; ମୋ ପିଛା ଲୋକ ଲାଗିଚନ୍ତି । କାମ ସରିବା ପୂର୍ବରୁ ମୁଁ ପୁଣି ଧରା ଦବାକୁ ଇଚ୍ଛା କରେନା ।’’ ପାଣୁ ନାଏକ ଏ କଥା କହିସାରିଲା ବେଳେ ବାହାରେ ଗୋଟାଏ କୋଳାହଳ ଶୁଣାଗଲା । ସେ କୋଳାହଳ ମଧ୍ୟରେ ପୋଇଲୀ କହିଲା, ‘‘ମୋତେ କେତେ ପଚାରୁଚ ? ମୁଁ ତ ଥରେ କହିଲି, ଏଠାକୁ କେହି ଆସି ନାହାନ୍ତି ।’’

 

‘‘ତେବେ, ସେ ଘରେ ଆଲୁଅ ଜଳୁଛି କିପରି ?’’

 

ପାଣୁ ନାଏକ ବାରିଲା, ତାହା ସର୍ଦ୍ଦାରଙ୍କ ପାଟି । ତହିଁ ସେ ଆଲୁଅ ଲିଭାଇଦେଇ ଗୋଟାଏ କବାଟ କଣରେ ଯାଇ ଲୁଚିପଡ଼ିଲା । ଧାଈ ମାତା ବସି ମାଳି ଗଡ଼ାଇବାରେ ଲାଗିଲେ । ସର୍ଦ୍ଦାର ତାଙ୍କୁ ଦେଖି ହଠାତ୍‌ ଟିକିଏ ଗୋଳମାଳରେ ପଡ଼ିଗଲେ । ସେ ମାତାଙ୍କୁ ବଡ଼ ଭକ୍ତି କରୁଥିଲେ । ମାତା ସମୟରେ ସାରଙ୍ଗଗଡ଼ ମହନ୍ତଙ୍କର ପ୍ରଧାନ ଶିଷ୍ୟା ଥିଲେ; କିନ୍ତୁ ଧନଞ୍ଜୟ ରାଏ କାରଖାନାରେ ଚିକିତ୍ସାଳୟ ବସାଇବା ପରେ, ସେ ରୋଗୀଙ୍କ ଶୁଶ୍ରୂଷା ଦ୍ୱାରା ମାନବଜାତିର ସେବା କରିବା ନିମନ୍ତେ ମଠ ଛାଡ଼ି ସେଠାରେ ଆସି ରହିଥିଲେ । ସେ ଯେଉଁଦିନ ସକାଳେ ପହଞ୍ଚିଲେ, ଦେବାନ ଧନଞ୍ଜୟ ରାଏ ପାଣୁ ନାଏକ ରୂପରେ ସେହିଦିନ ଧରା ହେଲେ । ମାତାଙ୍କ ସ୍ୱଭାବ ଅତ୍ୟନ୍ତ ଭଲ । ସେ କେବେ ପଦେ ମିଥ୍ୟା କହିବାର ଶୁଣି ନାହାନ୍ତି । ସେଥିପାଇଁ ସମସ୍ତେ ଏବଂ ବିଶେଷରେ ସତ୍ୟପ୍ରିୟ ସର୍ଦ୍ଦାର ମହାପାତ୍ରେ ତାଙ୍କୁ ହଠାତ୍‌ ପଛଘୁଞ୍ଚା ଦେଇ ଚାଲିଗଲେ । ଖାଲି ପଚାରିଲେ, ‘‘ଏଠି ଆଉ କିଏ ଅଛି ?’’ ମାତା ଆଖି ଫିଟାଇ ମୁଣ୍ତ ଟେକି ଉତ୍ତର ଦେଲେ, ‘‘ମୁଁ ତ ଏକା ଅଛି ।’’

 

‘‘ମୋତେ ମାଫ କରିବେ । ମୁଁ ସେ ପାଜି ପାଣୁ ନାଏକଟାକୁ ଖୋଜି ବୁଲୁଚି । ସେଟା ଏଠାକୁ ଆସି ନାହିଁ ତ ?’’

 

‘‘ନା’’ । ମାତାଙ୍କ ଉତ୍ତରରେ ସର୍ଦ୍ଦାର ନିଃସନ୍ଦେହ ରୂପେ ଧରି ନେଲେ ଯେ ପାଣୁ ନାଏକ ସେ ଘରେ ନାହିଁ । ସୁତରାଂ ସେ ଆସିବା ବେଳେ ଆଲୁଅ କାହିଁକି ଜଳୁଥିଲା ଓ ପରେ ହଠାତ୍‌ କିଏ ଲିଭାଇଲା, ଏ ସବୁ ପ୍ରଶ୍ନ ତାଙ୍କୁ ଦେଖାଗଲା ନାହିଁ । ସେ ଘଟଣାର ଘଡ଼ିକ ବାଦ୍‌ ଜଣେ ଲୋକ ସାରଙ୍ଗଗଡ଼ରୁ ବାହାରି, ଦକ୍ଷିଣ ଦିଗକୁ ମୁହଁ କରି ଯାଉଥିବାର ଲୋକେ ଦେଖିଲେ ।

 

ରାଧାର ଶବ ଚିକିତ୍ସାଳୟରେ ପଡ଼ିଥିଲା । ରାଜା ଭୂତପୂର୍ବ ଦେବାନଙ୍କ ପତ୍ର ପଢ଼ି କହିଲେ, ‘‘ଠିକ୍‌କଥା । ଦେବାନଙ୍କ ବିଷୟ ସମ୍ପତ୍ତି ଆମେ ରକ୍ଷା ନ କଲେ, ଆଉ କରିବ କିଏ ? ସମ୍ପତ୍ତି ତ ସେ ଦରିଦ୍ରଙ୍କ ନିମନ୍ତେ ଦେଇ ଯାଇଚନ୍ତି । ଆମ ରାଜକୋଷର ଧନ ସେଇ ଦରିଦ୍ରଙ୍କର । ଦେବାନଙ୍କ ସମ୍ପତ୍ତି ଏଇ ରାଜକୋଷରେ ରହିଲେ ହିଁ ପ୍ରକୃତ ସତ୍‌କାର୍ଯ୍ୟରେ ଲାଗିବ । ଆଉ ଖର୍ଚ୍ଚ– ଗୋଟିଏ ବଜାରୁଣୀ ମାଇକିନିଆର ପୁଣି ଶୁଦ୍ଧି କାର୍ଯ୍ୟ କଣ ? ସେ କେବଳ କାଠ ଶଗଡ଼କୁ ଅର୍ହ ।’’ ରାଧାର ଶୁଦ୍ଧିକ୍ରିୟା କେବଳ ଦାହରେ ଶେଷ ହେଲା ।

Image

 

୧୩

ଧରିତ୍ରୀ କଣ ମୁକ୍ତ ହେଲା ?

 

ବାଙ୍କି ମେଳିରେ ଅନେକ ଲୋକ ହାଣ ଖାଇଥିଲେ । ଜଙ୍ଗଲ ମଧ୍ୟରେ ଗୋଟାଏ ପଡ଼ିଆରେ ମୃତ ଏବଂ ମୁମୂର୍ଷୁ ସବୁ ପଡ଼ି ସଢ଼ୁଥିଲେ । ରାତି ଅଧ ବେଳେ ଜଣେ ଲୋକ ସେମାନଙ୍କ ମଧ୍ୟରେ ଏଠାକୁ ସେଠା ବୁଲି ବୁଲି ଯାଉଥିଲା । ହାତରେ ଗୋଟାଏ ପ୍ରକାଣ୍ତ ମୁଣି ଝୁଲାଇ ଧରିବା ଛଡ଼ା ତା ବେଶଭୂଷାରେ ଆଉ କିଛି ବିଶେଷତ୍ୱ ନ ଥିଲା । ସେ ବେଳେ ବେଳେ ନଇଁ ପଡ଼ି ତଳୁ ଗୋଟାଏ କିଛି ଗୋଟାଇଆଣି, ମୁଣାରେ ପୂରାଇବାରେ ଲାଗିଥାଏ । ଏହିପରି ଯାଉ ଯାଉ ସେ ଏକ ସ୍ଥାନରେ ପହଞ୍ଚି ଦେଖିଲା, ଜଣେ ଲୋକ ତଳେ ପଡ଼ିଛି ଓ ତା ହାତରେ ଗୋଟିଏ ସୁନା ମୁଦି ରହିଛି । ସେ ନଇଁପଡ଼ି ପୁଣି ସିଧା ଠିଆହେଲା । ତାପରେ ମୁଦି ସେ ଲୋକ ହାତରେ ଆଉ ଦେଖାଗଲା ନାହିଁ । ରାତ୍ରିଚର ସେଠାରୁ ଚାଲି ଯାଉଥିଲା; ମାତ୍ର ତା ଗୋଡ଼କୁ କେହି ଭିଡ଼ି ଧଇଲା । ତହୁଁ ସେ ଚମକି ପଡ଼ି କହିଲା, ‘‘ଏ କଣ ମଣିଷ ନା ଭୂତ ?’’

 

ରାତ୍ରିଚର ନଇଁ ଦେଖିଲା ଯେ ଗୋଟାଏ ମନୁଷ୍ୟ ହାତ ତା ପାଦକୁ ଭିଡ଼ି ଧରିଛି । ମୁଦିଟି ତ ସେ ସେହି ହାତରୁ ନେଇଥିଲା । ତହୁଁ ସେ ପଚାରିଲା, ‘‘ତୁ କଣ ଜୀଇଁଚୁ, ଭାଇ ?’’ ମାତ୍ର ସେ ଉତ୍ତର ପାଇଲା ନାହିଁ । ସେହି ଲୋକ ଉପରେ କେତେଗୁଡ଼ିଏ ଶବ ଗଦା ହୋଇ ରହିଥିଲା । ଶବଗୁଡ଼ିକ ସେ ଘୁଞ୍ଚାଇଲାରୁ ଲୋକଟି କେତେକ ସମୟ ପରେ, ବିଶୁଦ୍ଧ ପବନ ପାଇ, ଚୈତନ୍ୟ ଲାଭ କଲା ଏବଂ କହିଲା, ‘‘ତୋ ଯୋଗେ ଏ ପ୍ରାଣ ରହିବ; ଭାଇ’’ ଶୁଣି; ରାତ୍ରିଚର କିଛି କହିଲା ନାହିଁ; କେବଳ ମୂକ ପରି ମୁଣ୍ତ ନାଡ଼ିଦେଲା । କିଛି ଦୂରରେ ହଠାତ୍‌ କାହାର ପାଦ ଶବ୍ଦ ଶୁଣାଗଲା । ସେ ଶବ୍ଦ ଶୁଣି ରାତ୍ରିଚର ପଳାଇଯିବାକୁ ବସିଲା ବେଳେ ପ୍ରଶ୍ନ ଶୁଣିଲା; ‘‘କିଏ ଜିଣିଲା ?’’

 

ରାତ୍ରିଚର ଉତ୍ତର ଦେଲା, ‘‘ଗୋରାମାନେ’’ । ଅନ୍ୟ ଜଣକ ଗୋଟାଏ ଦୀର୍ଘନିଃଶ୍ୱାସ ପକାଇ କ୍ଷୀଣ କଣ୍ଠରେ କହିଲା, ‘‘ଆମେ ଏତେ ଲୋକ ପ୍ରାଣ ଦେଲୁ; ହେଲେ ମେଳ ନ ଥିବାରୁ ଜିଣିପାରିଲୁ ନାହିଁ । ଜିଣିଲେ ସେଇ ବିଦେଶୀ ଗୋରା । ଯାହା ହେଉ, ମୁଁ ବଞ୍ଚିଲେ, ପୁଣି ଦେଖିବି । ତୁ, ଭାଇ, ମୋ ପ୍ରାଣ ରଖିଲୁ । ମୋ ଗାଞ୍ଜିଆରେ କୋଡ଼ିଏଟି ମୋହର ଅଛି । ତୁ ଗାଞ୍ଜିଆ ଫିଟେଇ ନେଇ ଯା । ମୁଁ ଆଉ କିପରି ତୋ ଉପକାର ଶୁଝିବି ? ଶୁଣି ରାତ୍ରିଚର ଗାଞ୍ଜିଆ ଖୋଜିଲା; ମାତ୍ର ‘‘ତା କିଏ କେତେବେଳେ ନେଇଯାଇଚି ।’’ ରାତ୍ରିଚର ପାଦଶବ୍ଦ ଆହୁରି ନିକଟରେ ଶୁଣି କହିଲା, ‘‘ମୁଁ ଯାଉଚି, ଭାଇ । ଏଣିକି ତୋ ପ୍ରାଣ ତୁ ରଖ୍‌ ।’’

 

‘‘ତୋ ନାଁ କହି ଯା’’ ।

‘‘ନାଁରୁ କଣ ପାଇବୁ ?’’

‘‘ପ୍ରାଣ ଯେ ରଖିଲା; ତା ନାଁ ଜାଣିଲେ; ମନେ ପକୋଉଥିବି ।’’

 

‘‘ଆଚ୍ଛା; ତେବେ ଦୀନା ସାହୁ; ଘର ଜଜାରସିଂହ । ତୋ ପରି ଦରମଲାଙ୍କୁ ସାହାଯ୍ୟ କରିବାକୁ ଆସିଥିଲା । ତୋ ନାଁ ?’’

 

‘‘ଗୋବିନ୍ଦ ସିଂହ, ବାଙ୍କି ରଜାଙ୍କ ସୈନ୍ୟ ଦଳର ପ୍ରଧାନ ନାଏକ ।’’ ଶୁଣି, ଦୀନା ସାହୁ ମୁହୂର୍ତ୍ତେ ଅପେକ୍ଷା ନ କରି, ଚାଲିଯାଇ ଅଦୃଶ୍ୟ ହୋଇଗଲା । ସେ କିଛିଦୂର ଯାଇ, ମୁଣା ଫିଟାଇ, ଗୋଟିଏ ଗାଞ୍ଜିଆ ବାହାର କରି, ଏକ, ଦୁଇ, ତିନି କରି ମୋହର ଗଣିବାରେ ଲାଗିଲା । କୋଡ଼ିଏଟି ଖାଣ୍ଟି ରାମାଭିଷେକ ମୋହର ପାଇ ସେ ଆନନ୍ଦରେ ନାଚିବାକୁ ଲାଗିଲା ଓ କହିଲା, ‘‘ସେ ଗୋବିନ୍ଦା କେଡ଼େ ଓଲୁ ? ସେ ପୁଣି ଫୌଜଦଳର ନାଏକ ! ୟାରିପରି ଲୋକେ ଲଢ଼େଇ କରି ଏ ଦେଶରୁ ଗୋରାଙ୍କୁ ତଡ଼ିଦେବେ ! ଦେଶ ଉଦ୍ଧାର କରି ପକେଇବେ ।’’

 

ଏଟା ଗୋଟାଏ ଘଟଣା ମାତ୍ର । ପାଣୁ ନାଏକ ସାରଙ୍ଗଗଡ଼ ଫାଣ୍ତିରୁ ଯେ ପଳାଇ ଆସିଥିଲା, ପୁଣି ଧରା ପଡ଼ିଲା । ସେ ସମୟରେ ଆଜିକାଲି ପରି ଖବରକାଗଜ ନ ଥିଲା । ମାତ୍ର ସେହି ଘଟଣା ନେଇ ଗୋଟାଏ ଲେଖା ବିଜ୍ଞାପନ ସବୁ ଫାଣ୍ତିମାନଙ୍କରେ ମାରିଦିଆହେଲା । ସେ ଲେଖାଟି ଏହି– ‘‘ପାଣୁ ନାଏକ ନାମରେ ଗୋଟାଏ ବଡ଼ ଚୋର ଊଣିଶ ବର୍ଷ କଏଦିଖାନାରେ ରହିବା ପରେ ଖଲାସ ହୋଇ ସାରଙ୍ଗଗଡ଼ରେ ବ୍ୟବସାୟ ଚଳାଇଲା । ସେଥିରେ ସେ ଟଙ୍କାପଇସା ରୋଜଗାର କଲା । ସେ ତା ପୁରୁଣା ନାମ ବଦଳାଇ, ଧନଞ୍ଜୟ ରାଏ ନାମ ଧଇଲା । ସାରଙ୍ଗଗଡ଼ ରାଜା ତାକୁ ଦେବାନ ପଦରେ ରଖିଲେ । ମାତ୍ର ପୋଲିସ୍‌ ବିଭାଗର ଅକ୍ଳାନ୍ତ ଚେଷ୍ଟାରେ ସେ ଧରା ପଡ଼ିଗଲା । ସେ ଯେଉଁ ଗୋଟାଏ ସ୍ତ୍ରୀ ଲୋକକୁ ରକ୍ଷିତା କରି ରଖିଥିଲା, ସେ ଧରା ପଡ଼ିଲା ବେଳେ ସେହି ସ୍ତ୍ରୀ ଲୋକଟା ଭୟରେ ମରିଗଲା । ପାଣୁ ନାଏକ ଫାଣ୍ତିରୁ ପୁଣି ଖସି ଚାଲିଯାଇ ବାହାରେ ତିନି ଚାରି ଦିନ ରହିଲା । ସାରଙ୍ଗଗଡ଼ ରାଜାଙ୍କ ଖଜଣାଖାନାରେ ତା ନାମରେ ପାଞ୍ଚଲକ୍ଷ ଟଙ୍କା ଜମା ଥିଲା । ସେହି ତିନି ଚାରି ଦିନ ମଧ୍ୟରେ ସେ ସେହି ଟଙ୍କାତକ ଉଠାଇ ନେଇଛି । ବର୍ତ୍ତମାନ ଟଙ୍କାର ପତ୍ତା ମିଳୁନାହିଁ । କେହି କେହି କହୁଛନ୍ତି, ସେ ତାହା କେଉଁଠାରେ ପୋତି ରଖିଛି । ଟଙ୍କା ଯେ ବାହାର କରିଦେବ ତାକୁ ଉପଯୁକ୍ତ ପୁରସ୍କାର ଦିଆଯିବ । ସେ ଦୁର୍ଜୀବ ଏ ମଧ୍ୟରେ ଜଜାରସିଂହ ପାଖେ ବାଟରେ ଧରା ପଡ଼ିଛି । ବିଚାରରେ ତାର ଫାଶୀ ହୁକୁମ ହେଲା । କିନ୍ତୁ କଟକ କମିଶନର ସାହେବ ଦୟା କରି ତା ଫାଶୀ ଦଣ୍ତ କାଟି କଳାପାଣି ଦଣ୍ତ ବିଧାନ କଲେ । ସନ ୧୨୫୬ ସାଲ ସିଂହ ମାସ ୧୧ ଦିନ ।’’ ବିଜ୍ଞାପନରେ ସରକାରୀ ମୋହର ବସିଥିଲା ।

 

କଳାପାଣି ଯିବା ପୂର୍ବରୁ ପାଣୁ ନାଏକ କଟକ ଜେଲଖାନାରେ ୪୩୦ ନମ୍ବର କଏଦି ରୂପେ ରହିଲା । ଏଣେ ସାରଙ୍ଗଗଡ଼ର ପୂର୍ବ ଐଶ୍ୱର୍ଯ୍ୟ ଦିନ କେତେଟା ମଧ୍ୟରେ ଏକାବେଳକେ ଧ୍ୱଂସ ପାଇଗଲା । କାରଖାନା ବନ୍ଦ ହେଲା; ଶ୍ରମିକମାନେ ଛାଡ଼ିପଳାଇଲେ; ଘରଗୁଡ଼ାକ ଶୂନ୍ୟ ପଡ଼ିଲା; ଦାଣ୍ତରାସ୍ତା ନିର୍ଜନ ହୋଇରହିଲା, ଚାରିଆଡ଼ ଗୋଟାଏ ଭୀଷଣ ମରୁଭୂମି ପାଲଟିଗଲା ।

 

ଫାଣ୍ତିମାନଙ୍କରେ ଉପରୋକ୍ତ ବିଜ୍ଞାପନ ବାହାରିବାର କେତେକ ଦିନପରେ; ଜଜାରସିଂହ ଆଖପାଖ ଜଙ୍ଗଲରେ, ଗୋବର୍ଦ୍ଧନ ପଣ୍ତା ଗୋଟାଏ କିଛି ଖୋଜୁଥିଲା ପରି ବରାବର ବୁଲୁଥିବାର ଲୋକେ ଦେଖିଲେ । ତା ସ୍ୱଭାବ ବିଷୟରେ ଅନେକଙ୍କର ଅନେକ ପ୍ରକାର ସନ୍ଦେହ ଥାଏ । ସେ ଚୋରଙ୍କ ଦଳରେ ମିଶେ ବୋଲି କେହି କେହି ଜାଣନ୍ତି । ସେ ଦିନଯାକ ଘରେ ରାତିରେ ପଦାକୁ ବାହାରେ ଏବଂ ଭାଙ୍ଗ, ଅଫିମ, ଗୁଲି ପ୍ରଚୁର ଖାଏ ।

 

ଗୋବର୍ଦ୍ଧନ ପଣ୍ତା ଗୋଟାଏ ଶାବଳ ନେଇ ପ୍ରତିଦିନ ସନ୍ଧ୍ୟାରେ ଭୂତ ପରି ବରୁଣେଇ ପାହାଡ଼ ଆଡ଼କୁ ଯାଇ ଜଙ୍ଗଲ ମଧ୍ୟରେ ପଶେ । ସେ ନାନା ସ୍ଥାନରେ ଗାତ ଖୋଳେ । ତାର ଏପରି କରିବାର କାରଣ କେହି କିଛି ବୁଝିପାରନ୍ତି ନାହିଁ । ଜଜାରସିଂହଯାକ କ୍ରମେ ଚହଳ ପଡ଼ିବାକୁ ଲାଗିଲା । ମାତ୍ର ସବୁଠାରୁ ବେଶି ଚହଳ ପଡ଼ିଲା ଚଟିଘର ମାଲିକ ଦୀନା ସାହୁ ମନରେ । ସେ ମନେ ମନେ ଭାବିଲା, ‘‘କିଛି ଗୋଟାଏ ଲାଭ ନ ଥିଲେ, ଗୋବରା ପଣ୍ତା କଣ ଏଡ଼େ ଓଲୁ ହେଇଚି, ଯେ ରାତିସାରା ବାଘ ଭାଲୁଙ୍କ ଭିତରେ ଯାଇ ବୁଲନ୍ତା ?’’

 

ଗୋବର୍ଦ୍ଧନ ପଣ୍ତା ଯେ ସେପରି କାହିଁକି କରୁଥିଲା, ତାର ଗୋଟାଏ କାରଣ ଅଛି । ଦିନେ ସନ୍ଧ୍ୟାବେଳେ ସେ ଦେଖିଲା, ଜଣେ ଲୋକ ଗୋଟିଏ ମସ୍ତବଡ଼ ସିନ୍ଦୁକ ମୁଣ୍ତରେ ମୁଣ୍ତାଇ, ହାତରେ ଗୋଟାଏ କୋଡ଼ି ଧରି, ଛପିଛପି ବରୁଣେଇ ଠାକୁରାଣୀଙ୍କ ଆଡ଼କୁ ଯାଉଛି । ତାର କୌତୂହଳ ହେବାରୁ, ସେ ସେଲୋକର ପଛେ ପଛେ ଗଲା । ମାତ୍ର ଅପରିଚିତ ଲୋକଟା ହଠାତ୍‌ ବନ ମଧ୍ୟରେ କେଉଁଠାରେ ଅଦୃଶ୍ୟ ହୋଇଗଲା । ଗୋବର୍ଦ୍ଧନ ପଣ୍ତା ଅନେକ ଖୋଜିଲା; କିନ୍ତୁ ତାକୁ ପାଇଲା ନାହିଁ । ରାତ୍ରି ପ୍ରାୟ ଛ’ଘଡ଼ି ବେଳେ ଲୋକଟା ଜଙ୍ଗଲ ମଧ୍ୟରୁ ଫେରିଲା । ସେତେବେଳେ ତା ହାତରେ କୋଡ଼ିଟା ଥିଲା, କିନ୍ତୁ ସିନ୍ଧୁକ ଆଉ ମୁଣ୍ତରେ ନ ଥିଲା । ସିନ୍ଦୁକଟି ଯେ ସେ ବନ ମଧ୍ୟରେ କେଉଁଠାରେ ପୋତି ଦେଇ ଆସିଛି, ଗୋବର୍ଦ୍ଧନ ମନରେ ଆଉ ସନ୍ଦେହ ରହିଲା ନାହିଁ । ସେହିଦିନଠାରୁ ସିନ୍ଧୁକଟି ଖୋଜି ଗୋବର୍ଦ୍ଧନ ପଣ୍ତା ରାତି ତମାମ ଜଙ୍ଗଲରେ ଗୋପନରେ ଯାଇ ବୁଲେ । ସେ ଅନେକ ଦିନ ଏପରି ବୁଲିବାରୁ ସେ ବିଷୟରେ ଲୋକଙ୍କର ଆଉ ଆଗ୍ରହ ରହିଲା ନାହିଁ । କିଏ କହିଲା, ‘‘ଗୋବର୍ଦ୍ଧନିଆ ପାଗଳ ହୋଇଗଲାଣି ।’’ ଆଉ କିଏ କହିଲା, ‘‘ନା, ସେ ପରା ଟଙ୍କା ଗରାଏ ପାଇଲା ।’’

 

ସନ ୧୨୫୬ ସାଲ ସୁନିଆ ସମୟରେ ଧାମରା ବନ୍ଦରରେ ଖଣ୍ତିଏ ଜାହାଜ ଲାଗିଥିଲା-। ଅତିଶୟ ଝଡ଼ ତୋଫାନ ହେବାରୁ ଶୀଘ୍ର ଚାଲିଯିବା ଜାହାଜଟିକୁ କିଛି ଦିନ ଅଟକି ରହିବାକୁ ପଡ଼ିଲା । ଆଖପାଖ ଗ୍ରାମର ଲୋକେ ଜାହାଜ ଦେଖିବାକୁ ପ୍ରାୟ ରୋଜ ସମୁଦ୍ର କୂଳରେ ଯାଇ ରୁଣ୍ତ ହେଉଥିଲେ । ତୋଫାନରେ ଜାହାଜର ମାସ୍ତୁଲ ଭାଜି ପଡ଼ିଥିଲା । ମରାମତ କରିବାକୁ ମିସ୍ତ୍ରୀ ମାସ୍ତୁଲ ଉପରେ ଚଢ଼ିଥିଲା । ହଠାତ୍‌ ଗୋଟାଏ ଦୁର୍ଘଟଣା ଘଟିଗଲା । ମିସ୍ତ୍ରୀ ଯେଉଁ ଦଉଡ଼ି ଧରି କାମ କରୁଥିଲା, ତାହା ଛିଣ୍ତିଯିବାରୁ, ମାସ୍ତୁଲ ଗୋଟାଏ ପାଖକୁ ବଙ୍କା ହୋଇ, ଜାହାଜରୁ ବାହାରି, ସମୁଦ୍ର ଉପରକୁ ଢଳି ରହିଲା । ମିସ୍ତ୍ରୀ ତା ଦଉଡ଼ିରୁ ଖସି, ଆଉ ଗୋଟାଏ ଦଉଡ଼ି ଧରି, ସମୁଦ୍ର ଉପରେ ଶୂନ୍ୟେ ଶୂନ୍ୟେ ଝୁଲିଲା । ଦେଖି ଜାହାଜର ଲୋକେ ଏବଂ କୂଳର ଦର୍ଶକମାନେ ହାହାକାର କରିବାକୁ ଲାଗିଲେ । କିନ୍ତୁ ତାକୁ ସାହାଯ୍ୟ କରିବାକୁ କେହି ବାହାରିଲେ ନାହିଁ । ମିସ୍ତ୍ରୀ ତେଣେ ପାଟି କଲା, ‘‘ମୋ ହାତ ଜଳିଲାଣି । ମୁଁ ଆଉ ଦଉଡ଼ିଟା ମୁଠେଇ ରହିପାରିବି ନାହିଁ । ଛାଡ଼ିଦେଲି । ଛାଡ଼ିଦେଲି ।

 

ଦଳେ କଏଦି କଳାପାଣି ଯିବାପାଇଁ ଜାହାଜର ଗୋଟିଏ ପାଖରେ ଜଗୁଆଳଙ୍କ କଟକଣାରେ ବସି ରହିଥିଲେ । ତାଙ୍କ ମଧ୍ୟରୁ ଜଣେ ମିସ୍ତ୍ରୀର କରୁଣ ଚିତ୍କାର ଶୁଣି ସ୍ଥିର ହୋଇ ରହି ପାରିଲାନାହିଁ । ତା ଗୋଡ଼ରେ ଲୁହା ଶିକୁଳି ବନ୍ଧା ଯାଇଥିଲା । ମାତ୍ର ସେ ମୁହୂର୍ତ୍ତକେ ତାକୁ ଭଡ଼ଭାଡ଼ ଛିଣ୍ତାଇ, ଜଗୁଆଳମାନେ ରୋକି ଧରିବା ପୂର୍ବରୁ ଗୋଟାଏ ଦଉଡ଼ି ଆଶ୍ରାରେ ବିଜୁଳି ଝଟକ ପରି ଯାଇ ମିସ୍ତ୍ରୀ ପାଖେ ପହଞ୍ଚିଲା । ଦେଖିବା ଲୋକଙ୍କ ଆଖି ବୁଜି ହୋଇଗଲା । ସେ ମାସ୍ତୁଲର ଛିଣ୍ତା ଦଉଡ଼ିରେ ଦୋଳି ତିଆରି କରି ସେଥିରେ ମିସ୍ତ୍ରୀକୁ ବସାଇଦେଲା । ମିସ୍ତ୍ରୀ ନିରାପଦ ହେଲା । କଏଦି ଦଳର ଜଗୁଆଳମାନେ ସେ କଏଦିକୁ ଡାକି କହିଲେ, ‘‘ଆବେ, ବଦମାସ, ଆମ ଚାକିରି ନେବୁ ନା କଣ ? ତୁ ଜଲ୍‌ଦି ଚାଲିଆ ।’’ କିନ୍ତୁ ଦର୍ଶକମାନେ କହିଲେ, ‘‘ନା, ଏପରା ଲୋକକୁ ପୁଣି ମିଆଦ-। ଛାଡ଼ିଦିଅ, ଛାଡ଼ିଦିଅ ।’’

 

କଏଦି ମାସ୍ତୁଲରୁ ଓହ୍ଲାଇବାକୁ ବସିଲା । ସେ ମାଙ୍କଡ଼ଙ୍କ ପରି ଓହଳି, ଦଉଡ଼ିରୁ ଦଉଡ଼ିକୁ ଡେଇଁ ଆସିବାରେ ଲାଗିଲା । ସମସ୍ତଙ୍କର ଦୃଷ୍ଟି ତା ଉପରେ ଆବଦ୍ଧ ହୋଇ ରହିଲା । ତେଣେ କ୍ଷଣକ ମଧ୍ୟରେ କଏଦି କେଉଁଆଡ଼େ ଅଦୃଶ୍ୟ ହୋଇଗଲା । ଦର୍ଶକମାନେ କୋଳାହଳ କରି ଉଠିଲେ । ସମୁଦ୍ର ଭିତରେ ମସ୍ତ ପଥର ପଡ଼ିଲା ପରି ଶବ୍ଦ ଶୁଭିଲା ଓ ସଙ୍ଗେ ସଙ୍ଗେ ଗୋଟାଏ ଗୋଲାକାର ଲହରୀ ଚାରିଆଡ଼କୁ ମାଡ଼ି ଚାଲିଲା । ଜଗୁଆଳମାନେ ଡଙ୍ଗାରେ ବସି ସେହି ଲହରୀର କେନ୍ଦ୍ରସ୍ଥଳକୁ ଗଲେ; କିନ୍ତୁ କଏଦିର ଚିହ୍ନବର୍ଣ୍ଣ ଦେଖିଲେ ନାହିଁ । ଦର୍ଶକମାନେ କହିଲେ, ‘‘ମଗର ଖାଇ ଯାଇଥିବ । ଯାହାହେଉ, ସେ କଏଦି ଜୀବନରୁ ପାରି ହୋଇଗଲା ।’’ ତା ପରଦିନ ଆଖପାଖ ଗ୍ରାମମାନଙ୍କରେ ଧେଣ୍ତୁରା ଦିଆହେଲା, ‘‘ପାଣୁ ନାଏକ ନାମରେ ଜଣେ କଏଦି କଳାପାଣି ଯାଉଥିଲା । ସେ ଜାହାଜରୁ ଡେଇଁପଡ଼ି ସମୁଦ୍ର ପହଁରି, କୂଳକୁ ଯାଇ କେଉଁଆଡ଼େ ପଳାଇଛି । ଲୋକଟା ଲମ୍ୱା, ମୋଟା ଓ ବୟସରେ ବୁଢ଼ାଆସିଆ । ତା ଦେହରେ ଭାରି ବଳ । ତାକୁ ଯେ ଧରାଇଦେବ, ଶହେ ଟଙ୍କା ପୁରସ୍କାର ପାଇବ ।’’

 

କେତେ ଦିନ ଚାଲିଗଲା । ପୁରସ୍କାର କେହି ପାଇପାରିଲେ ନାହିଁ । ଅନେକ ଖୋଜିଲା ପରେ ମଧ୍ୟ ପାଣୁ ନାଏକ ମିଳିଲା ନାହିଁ । ତହିଁ ଗୋଟାଏ ଇସ୍ତାହାର ଜାରି କରାଗଲା । ସେଥିରେ ଲେଖାଥିଲା, ‘‘ପାଣୁ ନାଏକ ନାମକ ଜଣେ ଦାଗୀ କଳାପାଣି ଯାଉଥିଲା, ସେ ଜାହାଜରୁ ପଡ଼ି ସମୁଦ୍ରରେ ବୁଡ଼ିମରିଛି । ଧରିତ୍ରୀ ଗୋଟାଏ ମହାପାପୀର ଭାରାରୁ ମୁକ୍ତ ହୋଇଛି । ୧୨୫୬ ସାଲ, ତୁଳ ମାସ ୧୭ ଦିନ ।’’

Image

 

୧୪

କାହା ପିଲାର କଣ ହେଲା

 

ଜଜାରସିଂହ ଗଡ଼ ବରୁଣେଇ ପର୍ବତର ଖୁବ୍‌ ନିକଟରେ ପୂର୍ବ ଦିଗରେ ଅବସ୍ଥିତ ଥିଲା । ବର୍ତ୍ତମାନ ତାହା ଧ୍ୱଂସ ହୋଇଛି । ତା ଶ୍ମଶାନ ଉପରେ ବର୍ତ୍ତମାନ ଖୋରଧା ସହର ଠିଆ ହୋଇଛି । ସେତେବେଳେ ଜଜାରସିଂହ ବାଟୋଇମାନଙ୍କର ଗୋଟାଏ ପ୍ରଧାନ ଆଶ୍ରୟସ୍ଥଳ ଥିଲା । ସନ ୧୨୫୬ ସାଲ ମକର ସମୟରେ ହଟକେଶ୍ୱର ଯାତ୍ରୀମାନେ ଜଜାରସିଂହରେ ରୁଣ୍ତ ହେଲେ । ଦୀନା ସାହୁ ଚଟି ଘରେ ରହିବା ଲୋକଙ୍କ ସଂଖ୍ୟା ଖୁବ୍‌ ବଢ଼ିବାରେ ଲାଗିଲା ।

 

ଜଜାରସିଂହ ଟାଙ୍ଗିମାଟିରେ ପାଣି ସହଜରେ ମିଳେ ନାହିଁ । ଆଜିକାଲି ପରି ସେ ସମୟରେ ଏତେ କୂଅ ନ ଥିଲା । ପ୍ରାୟ ପାଏ ଦୂରରେ ଥିବା ଗୋଟାଏ କୁଣ୍ତରୁ ଚଟିଘରକୁ ପାଣି ବୋହିବାକୁ ପଡ଼େ । ମାଠିଆକୁ ପଇସାଏ ହିସାବରେ ଭାରୁଆମାନେ ପାଣି ଯୋଗାନ୍ତି । ମାତ୍ର ସନ୍ଧ୍ୟାବତୀ ଜଳିବା ପରେ ଭାରୁଆ ଆଉ ଘରୁ ଗୋଡ଼ କାଢ଼ନ୍ତି ନାହିଁ । କାରଣ ସନ୍ଧ୍ୟା ପରେ କୁଣ୍ତରୁ ପାଣି ଆଣିବା ଗୋଟାଏ ଭାରି କଠିନ ବ୍ୟାପାର । ଏକେ କୁଣ୍ତଟା ଗ୍ରାମରୁ ଖଣ୍ତେ ଦୂରରେ, ଜଙ୍ଗଲ ପାଖେ ଶ୍ମଶାନ ମଧ୍ୟରେ ଥିଲା; ତା ପରେ ରାତିରେ ସେଠାକୁ ବାଘ ପାଣି ପିଇବାକୁ ଗଡ଼ନ୍ତି । ସୁତରାଂ; ସନ୍ଧ୍ୟା ପରେ ଚଟିଘରେ ପାଣିର ଅଭାବ ଘଟିଲେ, ପାଣି ଯୋଗାଇବା ଭାର ବିଚାରି ରମା ଉପରେ ପଡ଼େ । ରମା ଯୋଗେ ଦୀନା ସାହୁ ପରିବାରକୁ ଦୁଇଟି ଉପକାର ମିଳୁଥିଲା–ତା’ ମା ଦୀନା ସାହୁ ନିକଟକୁ ଟଙ୍କା ପଠାଉଥିଲା; ଏବଂ ସେ ନିଜେ ଗୋଟାଏ ଚାକରର କାମ ଉଠାଉଥିଲା-। ମା’ ଠାରୁ ଟଙ୍କା ଆସିବା ବନ୍ଦ ହେବା ପରେ, ପ୍ରଥମ ଉପକାର ବାବଦ କ୍ଷତିପୂରଣ ନିମନ୍ତେ ରମାକୁ ଦ୍ୱିତୀୟ ଉପକାରଟି ଦୁଇଗୁଣ ବଢ଼ାଇବାକୁ ପଡ଼ିଲା ।

 

ମକର ସଂକ୍ରାନ୍ତି ପୂର୍ବଦିନ ସନ୍ଧ୍ୟାବେଳେ ରମା ତାର ପ୍ରତିଦିନର ପୋଷାକ ତିନି ଖଣ୍ତି ଭିନ୍ନ ଭିନ୍ନ ଲୁଗାର କନାଗୁଡ଼ିକ ଏକତ୍ର ଗଇଁଠାଇ, ପିନ୍ଧି ନଳା ମୁହଁ ପଥର ଉପରେ ବସିଛି । ଖଣ୍ତେ ଦୂରରେ, ଘର ଭିତରେ, ପ୍ରାୟ ତାରି ବୟସର ବାଳିକା ହୀରା ଏବଂ ଚମ୍ପା ଦୁହେଁ ପରସ୍ପର ସହିତ ହସ ଖେଳରେ ଲାଗିଛନ୍ତି । ଦୀନା ସାହୁର ଗୋଟିଏ ତିନିବର୍ଷ ବୟସର ପୁଅ ମା କୋଳରେ ବସି ‘‘ଧୋ ରେ ବାୟା ଧୋ’’ ଗୀତ ଶୁଣୁଛି । ସେତେବେଳେ ହଠାତ୍‌ ଚାରି ଜଣ ନୂଆ ଯାତ୍ରୀ ଆସି ଚଟିଘରେ ପହଞ୍ଚିଲେ । ପହଞ୍ଚି, ଜଣେ କହିଲା, ‘‘ବାପରେ, ଆଜି କି ଅନ୍ଧାର !’’ ଆଉ ଜଣେ କହିଲା, ‘‘ଭାଇ, ଆମେ ଧାଇଁ ଆସିଲେ ବୋଲି ସିନା, ସେଟା ବାଘ କି ଭାଲୁ କେଜାଣି । କେମିତି ଗଁ ଗଁ ହୋଇ ଗୋଡ଼େଇ ଆସିଲା, ଖାଇ ତ ଯାଇଥାନ୍ତା ।’’ ତୃତୀୟ ବ୍ୟକ୍ତି କହିଲା, ‘‘ଆଉ ସେ ଗଛରୁ ଯେ ଟେକା ପଡ଼ିଲା ସେ ତ ଭୂତ କି ବ୍ରହ୍ମରାକ୍ଷସ କିଏ ହବ ।’’ ଚତୁର୍ଥ ବ୍ୟକ୍ତି ଶେଷରେ କହିଲା, ‘‘ବାପରେ ସେ କୁଣ୍ତ ପାଖରୁ ଗାଁ ମୁଣ୍ତଯାଏ ବାଟଟା କି ଭୟାନକ ହେଇଚି । ଦଶ ଜଣ ଲୋକ ଦିହୁଡ଼ି ମଶାଲ ଧରି ଯାଇପାରିବେ କି ନା ସନ୍ଦେହ ।’’

 

ବାଟୋଇମାନେ ଜିନିଷପତ୍ର ଥୋଇ ଗୋଡ଼ ଧୋଇବାକୁ ପାଣି ମାଗିଲେ । ସେଦିନ ଏତେ ଲୋକ ଚଟିଘରକୁ ଆସିଥିଲେ ଯେ, ଭାରୁଆ ଦେଇଥିବା ପାଣି ଉପରେ ଦାବିର ସୀମା ଟପି ଯାଇଥିଲା । ସାହୁଆଣୀ ନୂଆ ଯାତ୍ରୀଙ୍କ ଗୋଡ଼ ଧୋଇବାକୁ ପାଣି ଦେବା ନିମନ୍ତେ କୁଣ୍ତ ପାଖକୁ ଯାଇ କହିଲା, ‘‘ମଲା, ଏ ପୋଡ଼ପାଡ଼ ଟୋପାଏ ହେଲେ ପାଣି ରଖିନାହିଁ । ଆଲୋ ଡାଙ୍କିନି, ଯାଇ ବେଗେ ପାଣି ଆଣ୍‌ ।’’ କହି ସାହୁଆଣୀ ଗୋଟାଏ ମାଠିଆ ଥୋଇଦେଇ, ଦାଣ୍ତ ଦ୍ୱାର ଫିଟାଇ ଦେଲା ଏବଂ ରମାକୁ କହିଲା, ‘‘ଯା, ପୋଡ଼ାମୁହୀଁ, ବେଗେ; ପାଣି ଧରି ଧାଇଁଆ ।’’

 

ରମା ଗୋଡ଼ଠାରୁ ମୁଣ୍ତ ପର୍ଯ୍ୟନ୍ତ ଥରିବାକୁ ଲାଗିଲା; କିନ୍ତୁ ତାର ଆଉ ଚାରା କଣ ? ସେ ମାଠିଆଟି ମୁଣ୍ତରେ ମୁଣ୍ତାଇ, ଦାଣ୍ତକୁ ବାହାରି ପଡ଼ିଲା । ସାହୁଆଣୀ ପଛରୁ ଡାକି କହିଲା, ‘‘ଆଲୋ ପୋଡ଼ାମୁହୀଁ, ପଳୋଉଛୁ କୁଆଡ଼େ ? ଏଇ ପଇସା ଦିଟା ନେଇଯା ଆସିଲା ବେଳକୁ ଖଡ଼ା ବାଇଗଣ ସାରୁ ଯାହା ପାଇବୁ, ଦି’ ପଇସାର କିଣି ଆଣିମୁ । ନୋହିଲେ, ଏସବୁ ଖାଇବେ କଣ-?’’ କହି, ସେ ରମା ଆଡ଼କୁ ଦୁଇପଇସା ଫିଙ୍ଗି ଦେଲା । ରମା ଗୋଟାଏ ପାଇଲା, କିନ୍ତୁ ଆରଟା ଖୋଜି ପାଇଲା ନାହିଁ । ସାହୁଆଣୀ ପଚାରିଲା, ‘‘କିଲୋ, ପାଇଲୁଟିକି ? ସେ ଭୟରେ ‘‘ହଁ’’ କରିଦେଲା । ସାହୁଆଣୀ ଘର ଭିତରକୁ ଚାଲିଯିବା ପରେ, ରମା ପଇସାଟି ପୁଣି ଖୋଜି ପାଇଲା ଏବଂ ଦୁଇଟିଯାକ ପଇସା ଲୁଗା କାନିରେ ଗଣ୍ଠି ପକାଇ ବାନ୍ଧି ଧଇଲା ।

 

ରମା ମାଠିଆଟି ଧରି ଦାଣ୍ତେଦାଣ୍ତେ ଚାଲିଲା । ଭାରୁଆ ଯେ ଦୁଇଟା ମାଠିଆରେ ପାଣି ଆଣେ, ଏ ମାଠିଆଟି ତାରି ଭିତରୁ ଗୋଟିଏ । ସ୍ତ୍ରୀଲୋକମାନେ ହାତରେ ତେଲ ଲଗାଇ କାଚ ପିନ୍ଧିଲା ପରି, ରମା ଦେହରେ ତେଲ ବୋଳି, ତାକୁ ସେ ମାଠିଆ ମୁହଁବାଟେ ଠେଲି ଭିତରକୁ ପୂରାଇଦେଲେ, ସେ ସେବାଟେ ଚାଲିଯିବା ଅସମ୍ଭବ ନୁହେଁ । ସେହିପରି ଗୋଟାଏ ମାଠିଆ ମୁଣ୍ତରେ ବସାଇ, ରମା ସେହି ଅନ୍ଧାର ରାତିରେ ତା ଚାକିରି ବଜାଏ ରଖିବାକୁ ପାଦକ ପରେ ପାଦେ ଗଣି, ଚାଲିବାକୁ ଲାଗିଲା । ଦୁଇ ଘର ଛାଡ଼ି ଗୋଟାଏ କଣ୍ଢେଇ ଦୋକାନ ପଡ଼ିଲା । ଦୋକାନରେ ଗୋଟିଏ ଦୁଇ ହାତ ଉଚ୍ଚ କଣ୍ଢେଇ, ତିନି ବର୍ଷର ବାଳିକାଟିଏ ପରି, ପାଟ ଲୁଗା ଖଣ୍ତିଏ ପିନ୍ଧି ଠିଆ ହୋଇଥିଲା-। ତାକୁ ଦେଖି ରମା ନିଜର କର୍ତ୍ତବ୍ୟ କ୍ଷଣକ ନିମନ୍ତେ ଭୁଲିଗଲା । କହିଲା, ଆହା, ଏ ଛାର କଣ୍ଢେଇ ହେଇ କେଡ଼େ ସୁନ୍ଦର ଲୁଗା ପିନ୍ଧିଛି । ମୋ ସାଆନ୍ତାଣୀଙ୍କ ଝିଅମାନେ ବି ଏମିତି ଲୁଗା ପାଉ ନାହାନ୍ତି ।’’ କହି ସେ ଦଣ୍ତେ କାଳ ସେ କଣ୍ଢେଇକି ଚାହିଁରହିଲା । ସେତେବେଳେ ଦୀନା ସାହୁ ଦାଣ୍ତ ଦୁଆରୁ ଶୁଣାଗଲା, ‘‘ପୋଡ଼ାମୁହୀଁ, ତୁ ଯାଇନୁ । ସେଠି ଠିଆ ହେଇ କୁ’ ବାପକୁ ଚାହିଁଚୁଲୋ ? ରହ, ମାକଡ଼ୀ ତତେ ଦଉଚି’’, କହି, ସାହୁଆଣୀ ଦୁଇ ପାହୁଣ୍ତ ଚାଲିଗଲା । ଦେଖି, ରମା ମାଠିଆଟି ମୁଣ୍ତାଇ ଧାଇଁଲା ।

 

ଗ୍ରାମ ଭିତରେ ଲୋକଙ୍କ ପାଟିତୁଣ୍ତ ଶୁଣି ଶୁଣି ଯିବାକୁ ରମାକୁ ସେତେ ଭୟ ଲାଗିଲା ନାହିଁ; କିନ୍ତୁ ଗ୍ରାମ ପାର ହେବା ମାତ୍ରେ ତା ଛାତି ପଡ଼ିଲା, ଉଠିଲା । କେତେ ଟେକା ପଥର ପଡ଼ିବାର ତାକୁ ଶୁଣାଗଲା । ଗଛ ବୁଦା ଭିତରୁ ତା ଆଡ଼କୁ କିଏ ଧାଇଁଆସିଲା ପରି ତାକୁ ଲାଗିଲା । ସେ ଭାବିଲା ଯେ ଫେରିଯିବ । କିନ୍ତୁ ସାହୁଆଣୀଙ୍କ ତର୍ଜନ ଗର୍ଜନ ତା କାନରେ ଆସି ପଡ଼ିଯାଏ । ତହିଁ ସେ ପଛକୁ ଫେରିଥିବା ପାଦ ଜୋର କରି ପୁଣି ଆଗକୁ ପକାଏ । ସେ ଠାଏ ଠାଏ ଠିଆ ହୋଇ ଆଖି ବୁଜି, ନଖରେ ମୁଣ୍ତ କୁଣ୍ତାଇବାର ଲାଗେ; କିନ୍ତୁ ପୁଣି ପାଦ ଉଠାଇ ଚାଲେ । କିଛି ବାଟ ପରେ ତାର ଆଗକୁ ସାହସ ପଟିଲା ନାହିଁ । ସେ ଫେରି ପଛକୁ ଶହେ ହାତ ଚାଲିଗଲା । ମାତ୍ର କ୍ଷଣକ ମଧ୍ୟରେ ସାହୁଆଣୀର ମୂର୍ତ୍ତି ତା ଆଖି ଆଗରେ ଆସି ଠିଆ ହେଲା । ସେ ଭୟରେ ଥରି, ମୁହଁ ବୁଲାଇ, ପୁଣି ଚାଲିବାରେ ଲାଗିଲା । ଚାଲିଲେ ଭୟ ହେବାରୁ ସେ କ୍ରମଶଃ ଧାଇଁଲା ଏବଂ ଧାଇଁଲେ ଚାରିଆଡ଼େ ଭୟଙ୍କର ଦେଖାଯିବାରୁ ଆଖି ବୁଜିଦେଲା; ତଥାପି ତା ପାଦ ବାଟ ଛାଡ଼ି ଅନ୍ୟ ଆଡ଼େ ପଡ଼ିଲା ନାହିଁ ।

 

କୁଣ୍ତ ପାଖେ ପହଞ୍ଚି, ରମା ନିଃଶ୍ୱାସ ମାରିବା ପାଇଁ ସୁଦ୍ଧା ଟିକିଏ ଠିଆ ହେଲା ନାହିଁ । ସେ ମାଠିଆଟି ପାଣିରେ ବୁଡ଼ାଇ ଟେକି ମୁଣ୍ତରେ ଥୋଇବାକୁ ବସିଲା । ମାତ୍ର ତାର ବଳ ଅଣ୍ଟିଲା ନାହିଁ । ସାହୁଆଣୀ ଦେଇଥିବା ପଇସା ଦିଓଟି ସେ ଯେ କାନିରେ ବାନ୍ଧି ଆଣିଥିଲା, ଗଣ୍ଠି ସେହିପରି ରହିଛି, ଅଥଚ କାନିର କଣାବାଟେ ତାହା; ସେ ମାଠିଆ ଟେକି ମୁଣ୍ତରେ ଥୋଇବାକୁ ଚେଷ୍ଟା କଲାବେଳେ ତା ଅଗୋଚରରେ, ପାଣି ଭିତରେ ଖସି ପଡ଼ିଗଲା । ମାଠିଆଟି ଟେକିବାକୁ ଅନେକ ଚେଷ୍ଟା କରି ସେ ଶେଷକୁ କ୍ଲାନ୍ତ ହୋଇ ଘାସରେ ଶୋଇପଡ଼ିଲା । ଉପରେ ଆକାଶରେ ଗୋଟାଏ ତାରା ଦେଖିଥିଲେ ହୁଏତ ତା ମନରେ ଟିକିଏ ସାହାସ ହୋଇଥାନ୍ତା; କିନ୍ତୁ ସେଦିନ ଚାରିଆଡ଼େ ଭାରି କୁହୁଡ଼ି । ରମାର ଭୟ କ୍ରମେ କ୍ରମେ ବଢ଼ିବାକୁ ଲାଗିଲା । ଅନନ୍ତ ଅନ୍ଧକାରର ଘୋର ବିଭୀଷିକା ମଧ୍ୟରେ ସେ ଯେପରି ଜୀବନ୍ତ ଆଲୋକର ଗୋଟିଏ କ୍ଷୁଦ୍ର ପରମାଣୁ । ସେ ତତ୍‌କ୍ଷଣାତ୍‌ ସେହିଠାରେ ଲିଭି ଯାଉଅଛି ବୋଲି ବୋଧ କରିବାକୁ ଲାଗିଲା । ସେ ଉଠି ପଳାଇଯିବାକୁ ଇଚ୍ଛା କଲା । ମାତ୍ର ପାଣି ମାଠିଆ ନ ନେଇ ଫେରିଲେ, ତାର ଯେ କି ଦଶା ଘଟିବ ଭାବି ସେ ଯାଇପାରିଲା ନାହିଁ । ମାଠିଆ ସେ କିପରି ଟେକି ମୁଣ୍ତରେ ଥୋଇ ଏତେ ବାଟ ଯିବ, ସେହି ଚିନ୍ତାରେ ଭାଜି ପଡ଼ିବାକୁ ଲାଗିଲା ।

 

ରମା ଥରେ ଶେଷ ଚେଷ୍ଟା କରିବାକୁ ଗଲା । ଆଶ୍ଚର୍ଯ୍ୟର କଥା, ମାଠିଆଟି ଲୋଟାଟିଏ ପରି ତଳୁ ଉଠିଗଲା ଏବଂ ସେ ଦେଖିଲା ବେଳକୁ ତା ନିଜ ମୁଣ୍ତରେ ନ ରହି, ପାଖରେ ଠିଆ ହୋଇଥିବା ଜଣେ ଦୀର୍ଘକାୟ ଲୋକର ହାତରେ ଝୁଲୁଛି । ଦେଖି ତାକୁ ମୂର୍ଚ୍ଛାରେ ପଡ଼ିଗଲା ପରି ଲାଗିଲା । ସେ ବଞ୍ଚିଛି କି ନାହିଁ ବିଡ଼ିବା ନିମନ୍ତେ ପାଟି କରି ଡାକିଲା, ‘‘ମା ବରୁଣେଈ, ମା ଠାକୁରାଣୀ ।’’ ବରୁଣେଈ ଯେପରି ଉତ୍ତର ଦେଲେ, ଶୁଣିଲା, ‘‘ଭୟ କର ନାହିଁ, ପିଲା । ମୁଁ ତୋ ମାଠିଆ ଧରିଚି । ତୁ କୁଆଡ଼େ ଯିବୁ, କହ, ମୁଁ ନେଇ ଛାଡ଼ିଦେଇ ଆସିବି ।’’ ରମା ମନରେ ସାହସ ଜନ୍ମିଲା । ସେ ଚାହିଁ ଦେଖିଲା ସତେ ଯେପରି ତ ବାପା କିମ୍ବା ଗୋସେଇଁ ବାପା, ଜଣେ କିଏ; ତାକୁ ସେ ବିପଦରୁ ଉଦ୍ଧାର କରିବା ନିମନ୍ତେ ସେଠାରେ ଅକସ୍ମାତ୍‌ ଆସି ପହଞ୍ଚିଛନ୍ତି ।

Image

 

୧୫

ଦୁଃଖୀକୁ ଦଇବ ସାହା

 

ଧାମରା ବନ୍ଦରର ସେହି ବିଚିତ୍ର ଘଟଣା ପରେ ମହାନଦୀରେ ଗୋଟାଏ ଭଡ଼ା ନାଆରେ ବସି ଜଣେ ଲୋକ ବାଙ୍କିରେ ଆସି ଓହ୍ଲାଇଲା । ତା କାନ୍ଧରେ ଗୋଟିଏ ବଡ଼ ଥଳି ଏବଂ ହାତରେ ଗୋଟାଏ ପ୍ରକାଣ୍ତ ବାଡ଼ି ଥିଲା । ସେ ଯେ ସେଠାର ବାସିନ୍ଦା ନୁହେଁ, ସହଜରେ ବୁଝାଯାଉଥିଲା । କାରଣ, ସେ ନାଆରୁ ଓହ୍ଲାଇ ପଚାରିଲା, ‘‘ଏଠି ଶଗଡ଼ ଭଡ଼ା ମିଳେ ?’’ ଭଡ଼ା ଶଗଡ଼ ଖୋଜିଲେ ବିଳମ୍ୱ ହେବ ଦେଖି, ସେ ଅପେକ୍ଷା କଲା ନାହିଁ; ନାଆରୁ ଓହ୍ଲାଇ ସିଧା ଦକ୍ଷିଣକୁ ଚାଲିଲା । ଚାହୁଁ ଚାହୁଁ ସେ ଯେ କେଉଁଆଡ଼େ ଉଭେଇଗଲା, କେହି ଜାଣିପାରିଲେ ନାହିଁ ।

 

କିନ୍ତୁ ବାସ୍ତବିକ ସେ ଉଭେଇ ଯାଇ ନ ଥିଲା । ସେ କେଉଁଠାରେ ବିଲବାଟେ କେଉଁଠାରେ ବା ଜଙ୍ଗଲ ଭିତରେ ଚାଲି, ବେଗରେ ପଥ ଅତିକ୍ରମ କରିବାକୁ ଲାଗିଲା । ମକରଯାତ୍ରା ଯୋଗେ ବାଟରେ ଦଳ ଦଳ ହୋଇ ଲୋକେ ଯାତାୟାତ କରୁଥିଲେ । ସେମାନଙ୍କୁ ଦେଖା ନ ଦେବା ତାର ଅଭିପ୍ରାୟ । ସୁତରାଂ, ସେ ନିକଟରେ କାହାରି ପାଟି ଶୁଣିଲା ମାତ୍ରେ ହିଡ଼ ତଳେ, ବୁଦା ଆଢୁଆଳରେ ଲୁଚି ରହୁଥିଲା । ସେଥିପାଇଁ ସେ ଯେତେ ଶୀଘ୍ର ଲକ୍ଷ୍ୟ ସ୍ଥାନରେ ପହଞ୍ଚିବ ବୋଲି ଆଶା କରିଥିଲା, ତା ଅପେକ୍ଷା ତାର ଅନେକ ବିଳମ୍ବ ଘଟିଲା, ଅତଏବ ସେ ବିଚ୍‌ ରାସ୍ତା ଛାଡ଼ି ଜଙ୍ଗଲ ବାଟ ଧଇଲା । ସେ ବାଟେ ଯାଇ ସେ ଅନେକ ସମୟ ପରେ ଏକ ନିବିଡ଼ ଅରଣ୍ୟାନୀ ମଧ୍ୟରେ ପ୍ରବେଶ କଲା । ସ୍ଥାନଟି ତାକୁ ପରିଚିତ ପରି ବୋଧ ହେଲା । ସେଠାରେ ଗୋଟିଏ ନିର୍ଜନ ନିକୁଞ୍ଜ ଥିଲା । ସନ୍ଧ୍ୟାର ଅନ୍ଧକାରରେ ନିକୁଞ୍ଜ ମଧ୍ୟରେ କିଛି ଦେଖା ଯାଉ ନ ଥିଲା । ତଥାପି ସେ ଗୋଡ଼ ଏବଂ ହାତରେ ଅଣ୍ତାଳି, ତଳ ମାଟି ଅଳ୍ପଦିନ ମଧ୍ୟରେ ଖୋଳା ହୋଇଛି କି ନାହିଁ ବାରିଲା । ମାଟି ଖୋଳାହୋଇ ନାହିଁ ଜାଣିପାରି, ସେ ଅରଣ୍ୟ ମଧ୍ୟରୁ ବାହାରି ଚାଲିଗଲା ।

 

ରମାର ମାଠିଆଟି ମୁଣ୍ତ ପାଖେ ତା ହାତରୁ ନେଇ ଯେ ଧରିଲା, ସେ ସେହି ଲୋକ । ତାକୁ ଦେଖି ରମା ମନରେ ସାହସ ଜନ୍ମିଲା । ଆଗନ୍ତୁକ ଧୀର ସ୍ୱରରେ କହିଲା, ‘‘ମା, ତୋ ମାଠିଆଟି ବଡ଼ ଭାରି ହୋଇଚି । ତୁ ଚାଲ, ମୁଁ ଧରି ନେଇଯିବି । ତୋ ବୟସ କେତେ ମା ।’’

 

‘‘ଆଠ ବରଷ ।’’

ତୋ ଘର କଣ ବେଶି ଦୂର ଏଠୁକୁ?

 

‘‘ହଁ, ପାଏ ବାଟ ହବ ।’’ ଶୁଣି ଆଗନ୍ତୁକ ଠିଆ ହୋଇଗଲା । ତା ପରେ ପଚାରିଲେ, ‘‘ତେବେ ତୋ ମା ନାହିଁ ଘରେ ?

 

‘‘ମୁଁ ଜାଣେନା । ଆଉ ଆଉ ପିଲାମାନଙ୍କର ମା’ ମାନେ ଅଛନ୍ତି । କାହିଁ, ମୋର ତ କେହି ମାଆ ନାହାନ୍ତି ।’’ ରମା ଟିକିଏ ତୁନି ହୋଇ ରହି ପୁଣି କହିଲା, ‘‘ମୋର ମା’ କେବେ କେହି ନ ଥିଲେ-।’’ ଶୁଣି ଆଗନ୍ତୁକ ମାଠିଆଟି ତଳେ ଥୋଇଦେଇ ଅନ୍ଧାରରେ ବାଳିକାର ମୁହଁ ଦେଖିବାକୁ ଟିକିଏ ଚେଷ୍ଟା କଲା, ମାତ୍ର ଭଲରୂପେ ଦେଖିପାରିଲା ନାହିଁ । ତହୁଁ ସେ ପଚାରିଲା, ‘‘ଆଚ୍ଛା ତୋ ନାଁ କଣ, କହିଲୁ ।’’

 

‘‘ରମା’’ ।

 

ଆଗନ୍ତୁକ ପ୍ରାଣରେ ହଠାତ୍‌ ଗୋଟାଏ ବିଦ୍ୟୁତ୍‌ର ପ୍ରବାହ ବହିଗଲା । ସେ ରମା ଆଡ଼କୁ କିଛି ସମୟ ସେହି ଅନ୍ଧକାର ମଧ୍ୟରେ ଏକଦୃଷ୍ଟିରେ ଚାହିଁ ରହି; ତା ପରେ ହାତରେ ମାଠିଆଟି ଉଠାଇ କହିଲା, ‘‘ଚାଲ୍‌ ।’’ ଦୁହେଁ ଆଗ ପଛ ହୋଇ ଚାଲିଲେ । ଆଗନ୍ତୁକ ଧୈର୍ଯ୍ୟ ରଖି ନ ପାରି, ପୁଣି ପଚାରିଲା, ‘‘ମା’’ ତୁ କେଉଁଠି ରହିଚୁ ?’’

 

‘‘କାହିଁକି, ଏଇ ଜଜାରସିଂହରେ ।’’

‘‘ଆମେ ଏବେ ତୋରି ଘରକୁ ଯାଉଚେଇଁ ତ ?’’

‘‘ହଁ’’ ।

 

ଆଗନ୍ତୁକ କିଛି ସମୟ ନୀରବରେ ଚାଲି ପୁଣି ପଚାରିଲା, ‘‘ଆଚ୍ଛା ମା’’, ତୋତେ ଏତେ ରାତିରେ ପାଣି ନବାକୁ କିଏ ପଠେଇଚି ?’’

 

‘‘ମୋ ସାଆନ୍ତାଣୀ ?’’

‘‘ସାଆନ୍ତାଣୀ କିଏ ?’’

‘‘କାହିଁକି, ଚଟିଘର ମାଲିକ ଦୀନାସାହୁ ଭାରିଯା ।’’

 

ଆଗନ୍ତୁକ ଶୁଣି ଧୈର୍ଯ୍ୟ ଧରିବାକୁ ଅନେକ ଚେଷ୍ଟା କଲା । ତଥାପି କଥା କହିଲା ବେଳକୁ ତା ସ୍ୱର କମ୍ପି ଉଠିଲା । ସେ କହିଲା, ‘‘ମୁଁ ତ ସେଇ ଚଟିଘରକୁ ଯାଉଚି, ବାୟାଣୀ । ସେଠି ଆଜି ରାତି ରହିବି । ତୋ ସାଙ୍ଗେ ଦେଖା ହେଲା, ଭଲ ହେଲା । ତୁ ମୋତେ ବାଟ କଢ଼େଇ ନେଇଯିବୁ । ଆଚ୍ଛା କହିଲୁ ଦେଖି, ତୋ ସାଆନ୍ତାଣୀ ଚଟିଘରେ କଣ ଚାକର ବାକର କାହାକୁ ରଖି ନାହିଁ ।

 

‘‘ନା, ସାଆନ୍ତାଣୀଙ୍କରତ ଦି ଝିଅ, ଆଉ ଗୋଟିଏ ପୁଅ । ଆଉ ଚାକର କିଏ ଦେଲା ମ-? ଭୂଇଁମୂଳଙ୍କ ଘରେ ସିନା ଚାକର ।’’

 

‘‘ଆଚ୍ଛା ସାଆନ୍ତାଣୀର ପିଲାମାନେ କଣ କରନ୍ତି ?’’

 

କାହିଁକି, ଖେଳନ୍ତି, ବୁଲନ୍ତି, ହସ କଉତୁକ ହୁଅନ୍ତି । ତାଙ୍କର କେଡ଼େ ସୁନ୍ଦର କଣ୍ଢେଇ ସବୁ ଅଛି ।’’

 

‘‘ଆଉ ତୁ କଣ କରୁ ?’’

‘‘କାହିଁକି, ମୁଁ କାମ କରେ ।’’

‘‘ଦିନ ରାତି ସବୁବେଳେ ?’’

 

ବାଳିକା ଟିକିଏ ମୁଣ୍ତ ଟେକି ଚାହିଁଲା । ତା ଦୁଇ ଆଖି ଛଳ ଛଳ ହୋଇଗଲା । ସେ କହିଲା, ‘‘ହଁ ।’’ ତା ପରେ କିଛି ସମୟ ତୁନି ହୋଇ ରହି, ପୁଣି କହିବାକୁ ଲାଗିଲା, ‘‘କାମ ସରିଲେ ମତେ ମଧ୍ୟ ଖେଳିବାକୁ ସାଆନ୍ତାଣୀ ମନା କରନ୍ତି ନାହିଁ ଯେ । ହେଲେ, ମୋର କଣ୍ଢେଇ ନାହିଁ, ଚମ୍ପା ଆଉ ହୀରା ତାଙ୍କ କଣ୍ଢେଇଟିମାନ ମୋତେ ଛୁଆଇଁ ଦେଉ ନାହାନ୍ତି ପରା । ମୋର ଖାଲି ଗୋଟିଏ ସାନ ଛୁରୀ ଅଛି । ହେଇଟି ଚାହଁ, ଏତିକି ଲମ୍ବ ହବ ।’’ ବାଳିକା ତା କାଣି ଆଙ୍ଗୁଠି ଦେଖାଇଲା ।

 

ଏହିପରି କଥାବାର୍ତ୍ତା ହୋଇ ଆଗନ୍ତୁକ ଏବଂ ରମା ଚାଲିବାକୁ ଲାଗିଲେ । ସେମାନେ ବାଟରେ ପରିବା ଦୋକାନଟା ପାରି ହୋଇଗଲେ । ବାଇଗଣ କିଣିବା କଥା ରମାର ମନେ ପଡ଼ିଲା ନାହିଁ । ଚଟିଘର ନିକଟ ହୋଇ ଆସିବାରୁ ରମା ଆଗନ୍ତୁକର ହାତ ଟିକିଏ ଭିଡ଼ିଦେଇ କହିଲା, ‘‘ଆମ ଘର ହୋଇଗଲା । ମାଠିଆଟି ଦିଅ, ମୁଁ ଧରେ ।’’

 

‘‘କାହିଁକି ?’’

 

‘‘ତମେ ପରା ବାଟୋଇ । ତୁମକୁ ମୁଁ ଧରେଇଚି ଦେଖିଲେ, ସାଆନ୍ତାଣୀ ମୋତେ ଆଉ ରଖିବେ ନାହିଁ ।’’ ଶୁଣି, ଆଗନ୍ତୁକ ମାଠିଆଟି ରମା କାଖରେ ଧରାଇଦେଲା । ଅଳ୍ପ କେତେ ପାଦ ଗଲା ପରେ ରମା ଗୋଟାଏ କବାଟରେ ଟିପ ମାଇଲା । କବାଟ ମୁହୂର୍ତ୍ତକ ମଧ୍ୟରେ ଫିଟିଗଲା । ରମା ଶୁଣିଲା, ‘‘ପୋଡ଼ାମୁହୀଁ, ତୁ ପାଣିପାଇଁ ଯାଇ ସେଆଡ଼େ ଖେଳି ବସିଲୁ । ମୋ କୁଣିଆମାନେ ଏଠି ପାଣି ଟୋପାଏ ନ ପାଇ ଚାହିଁ ରହିଚନ୍ତି ।’’

 

‘‘ନା, ସାଆନ୍ତାଣୀ, ମୁଁ ଖେଳୁ ନ ଥିଲି । ଏଇ ଜଣେ ବାଟୋଇଙ୍କି ସାଙ୍ଗରେ ଆଣିଛି ପରା, ସେ ଚଟିଘରେ ରହିବେ ।’’

 

ସାହୁଆଣୀର ବିକଟ ମୁଖ ହଠାତ୍‌ ଭିନ୍ନ ଆକାର ଧାରଣ କଲା । ତାର ଉଠି ଆସୁଥିବା ଫଣା ତଳକୁ ପଡ଼ିଗଲା । ସେ ଅଳ୍ପ ହସି, ଆଗନ୍ତୁକ ଆଡ଼କୁ ଚାହିଁ କହିଲା, ‘‘ଆସ’’ । ଆଗନ୍ତୁକ ଘର ଭିତରକୁ ପାଦ ପକାଇବାରେ, ସାହୁଆଣୀ ତା ଗୋଡ଼ଠାରୁ ମୁଣ୍ତ ପର୍ଯ୍ୟନ୍ତ ଥରେ ଚାହିଁଗଲା । ତା ପରେ ସେ ସ୍ୱାମୀ ସହିତ କଣ କଥାବାର୍ତ୍ତା ହୋଇ ଆସି କହିଲା,’’ ଦେଖ, ଆଜି ଆମ ଚଟିଘରେ ପାଦ ପକେଇବାକୁ ଜାଗା ନାହିଁ ।

 

‘‘ନା, ଥାଉ, ମୁଁ ଅଡ଼ଙ୍ଗରେ କି ଗୁହାଳରେ କେଉଁଠି ଶୋଇପଡ଼ିବି । ନ ଖାଇଲେ ମୋର ଚଳିଯିବ । ମୋତେ ନାହିଁ କର ନାହିଁ । ମୁଁ ଏତେ ରାତିରେ ଆଉ କୁଆଡ଼େ ଯିବି ? ଗୋଟାଏ ବଖରା ଘର ପୂରା ଭଡ଼ା ମୋ’ଠୁ ନିଅ ପଛକେ । ମାତ୍ର ମୋତେ ନାହିଁ କର ନାହିଁ ।

 

‘‘ଆଚ୍ଛା, ଟଙ୍କାଏ ଦବ ?’’

 

‘‘ହଁ, ଦେବି ।’’ ପାଖ ଘରେ ଜଣେ ବାଟୋଇ ଆଉ ଜଣକୁ କହିଲା, ‘‘ଦେଖ, ଆଠଣା ଜାଗାରେ ଟଙ୍କେ ମାଗୁଚି ।’’ ଶୁଣି, ସାହୁଆଣୀ ପାଟି କରି କହିଲା, ‘‘ୟା ପରି ବାଟେରଇ ପାଇଁ ଟଙ୍କାଏ । ସେଥିରୁ କମ୍‌ରେ ମାଗିଖିଆ ଲୋକଙ୍କୁ କିଏ ଘରେ ପୂରେଇବ ମ ?’’ ତେଣୁ ଆଉ ଗୋଟାଏ ଘରୁ ଦୀନା ସାହୁ କହିଲା, ‘‘ଏପରି ଲୋକଗୁଡ଼ାକୁ ଆଣି ରଖିଲେ ତୁମମାନଙ୍କ ପରି ଭଲ ଲୋକେ ଆଉ ଆସିବେଟି କି ?’’

 

ଆଗନ୍ତୁକ କାନ୍ଧରୁ ଥଳିଟି ଓହ୍ଲାଇ ଓ ବାଡ଼ି ଖଣ୍ତି ରଖି, ଘର ଭିତରେ ବସିଯାଇଥିଲା । ସେଦିନ ସକାଳୁ ତା ପାଟିରେ ପାଣି ଟୋପାଏ ପଡ଼ି ନାହିଁ; କିନ୍ତୁ ସେ ଖାଇବାକୁ ଲୋଡ଼ିଲା ନାହିଁ; କେବଳ ରମା ଆଡ଼କୁ ଚାହିଁରହିଲା । ରମାର ରୂପ ଅବଶ୍ୟ କଦର୍ଯ୍ୟ ହୋଇପଡ଼ିଛି; କିନ୍ତୁ ସେ ଖାଇପିଇ ସୁଖରେ ଥିଲେ, ଯେ ଭଲ ଦିଶୁଥାନ୍ତା; ସେଥିରେ ସନ୍ଦେହ ନାହିଁ । ଦିନରାତି ଲୁହ ବୋହିବୋହି ତା ଆଖି ଦିଓଟି ଶୁଖି ଜ୍ୟୋତିଃହୀନ ହୋଇଯାଇଛି । ତା ଗାଲ ପଶିଯାଇଛି । ପିନ୍ଧାକନାର କଣା ଗୁଡ଼ାକ ବାଟେ ଦେହର ହାଡ଼ ଉପରକୁ ବାହାରି ପଡ଼ୁଛି । ମାଡ଼ ଚିହ୍ନମାନ ସ୍ଥାନେ ସ୍ଥାନେ ଦେଖାଯାଉଛି । ତା ଚାଲିବା; ଚାହିଁବା, ବସିବା ସବୁଥିରେ କେବଳ ଗୋଟିଏ ଭାବର ପରିଚୟ ମିଳୁଛି । ସେ ଭାବଟି ଭୟ । ଭୟ ତାର ସାରା ପ୍ରାଣକୁ ଘୋଡ଼ାଇ ରଖିଛି । ସେହି ଭୟ ଯୋଗେ ରମାର ପିନ୍ଧା ଲୁଗା ଓଦା ହୋଇ ଯାଇଥିଲେ ସୁଦ୍ଧା, ସେ ତାହା ନ ବଦଳାଇ ଶୀତରେ ଥୁରୁଥୁରୁ ହୋଇ କାମରେ ଲାଗିଲା । ତେଣୁ ସାହୁଆଣୀ ଡାକି ପଚାରିଲା, ‘‘କିଲୋ ନିଆଁଲାଗି, ବାଇଗଣ କାହିଁ ?’’

 

ରମା ବାଇଗଣ କଥା ଏକାବେଳକେ ଭୁଲିଯାଇଥିଲା । ଭୟ ଯୋଗେ ମିଥ୍ୟାର ଆଶ୍ରୟ ନେଇ କହିଲା, ‘‘ଦୋକାନ ପଡ଼ିଯାଇଥିଲା ।’’

 

‘‘ତୁ ଡାକିଲୁନାହିଁ ?’’

‘‘ମୁଁ ଡାକିଲି ଯେ କେହି ଶୁଣିଲେ ନାହିଁ ।’’

 

‘‘ଆଚ୍ଛା, ମୁଁ କାଲି ପଚାରି ବୁଝିବି । ଯେବେ ମିଛ ହେଇଥିବ, ଦେଖ୍‍ ତୋ ପିଠି ଗୁଣ୍ତା କରିଦେବି ।’’ ଦେ, ପଇସା ଦିଟା ଦେଇପକା ।’’ ଗୋଟାଏ ବଡ଼ ସବଳ କୁକୁରକୁ ଦେଖି ଦୁର୍ବଳ କୁକୁର ଗୋଡ଼ ସନ୍ଧିରେ ଲାଙ୍ଗୁଳ ପୂରାଇ, ଦାନ୍ତ ଲେସିଡ଼ି, ଠିଆ ହେଲା ପରି, ରମା ଠିଆ ହୋଇ ରହିଲା । ପଇସା ଖୋଜି ଦେଖିଲା, ନାହିଁ । ସେ ଭୟରେ ବରଡ଼ାପତ୍ର ପରି କେବଳ ଥରିବାକୁ ଲାଗିଲା । ସାହୁଆଣୀ କହିଲା, ‘‘କିଲୋ, ତୁ ହଜେଇ ସାରିଲୁଣି ନା କଣ ?’’ କହି, ସାହୁଆଣୀ ଘର କଣରେ ଡେରା ହୋଇଥିବା ଖଣ୍ତିଏ ବେତ ହାତରେ ଆଣି ଧଇଲା । ରମା କାନ୍ଦି କାନ୍ଦି କହିଲା, ‘‘ସାଆନ୍ତାଣୀ, ମୁଁ ଏମିତି ଆଉ କେବେ କରିବି ନାହିଁ ।’’

 

ଆଗନ୍ତୁକ ବ୍ୟକ୍ତି ବସି ସବୁ ଦେଖିଥିଲା । ସାହୁଆଣୀ ହାତ ଟେକି, ବେତ ଉଠାଇଲା ବେଳକୁ ସେ କହିଲା, ‘‘ଏଇ ଯେ କଣ ଦିଟା ସେ ପିଲା ଅଣ୍ଟାରୁ ଖସିପଡ଼ିଲା । ଆଲୁଅ ଆଣି ଦେଖିଲ ଦେଖି ।’’ କହି, ସେ ନଇଁ ତଳେ କଣ ଖୋଜିଲା ପରି ହେଲା । ତା ପରେ ଦୁଇଟା ଦୋହରି ପଇସା ଧରି କହିଲା, ଏଇ ତ ମିଳିଚି । ଆଉ ତାକୁ କାହିଁକି ମାରିବ ?’’ ସାହୁଆଣୀ ପଇସା ଦୁଇଟା ହାତରେ ଧରି ଦେଖିଲା ଯେ ବ୍ୟବସାୟରେ ତାର ମୋଟରେ ଶତକଡ଼ା ଶହେ ଲାଭ ହୋଇଅଛି । ସୁତରାଂ ସେ ମନେ ମନେ ଖୁସି ହେଲା । ତଥାପି କହିଲା, ‘‘ଦେଖ୍‌, ଆଉ ଦିନେ ଏପରି ମୁଁ ଯେମିତି ନ ଦେଖେ ।’’

 

ରମା ଧୀରେ ଧୀରେ ପଛେଇ ଖସିଯାଇ, ଗୋଟିଏ କଣରେ ଆଶ୍ରୟ ନେଲା । ସେ ଆଚମ୍ବିତ ହୋଇ ଆଗନ୍ତୁକ ଆଡ଼କୁ ଚାହିଁବାକୁ ଲାଗିଲା । ଚମ୍ପା ଏବଂ ହୀରା ଘର ଭିତରୁ ବାହାରି ଅଗଣାକୁ ଆସିଲେ । ସେମାନେ ଯାତ୍ରା ଦିନର ଭଲ ପେଡ଼ିଲୁଗା ପିନ୍ଧିଚନ୍ତି, ମୁଣ୍ତ କୁଣ୍ତାଇ ସୁନ୍ଥା ପାରିଛନ୍ତି । ଦେହରୁ ଚୁଆ ଗନ୍ଧ ଆସୁଛି, କପାଳରେ ସିନ୍ଦୂର ଟୋପି ଦାଉ ଦାଉ ଜଳୁଛି । ସତେ ଅବା ଦୁହେଁ କୌଣସି ରଜାଙ୍କର ଦୁଇ ଜେମା । ସେମାନେ ପଦାକୁ ଆସିବାର ଦେଖି ସାହୁଆଣୀ ଘର ଭିତରୁ କହିଲା, ‘‘କଣ, ସେ ପୋଡ଼ାମୁହୀଁ ପାଖେ ଯାଇ ଦେହକୁ ଦେହ ଲଗେଇ, ବସିବାକୁ ବାହାରିଲ ପରା ?’’ ଚମ୍ପା ଏବଂ ହୀରା ଅବଶ୍ୟ ଅତି ପିଲାଦିନେ ବେଳେ ବେଳେ ରମା ପାଖେ ବସୁଥିଲେ; କିନ୍ତୁ ମା’ଠାରୁ ବାରମ୍ବାର ମନା ଶୁଣି ସେମାନେ ଶେଷରେ ବୁଝିପାରିଲେ ଯେ ରମା ଯେପରି ଏକ ଅସ୍ପୃଶ୍ୟ ଜାତିର ପିଲା ଓ ତା ଛାଇ ପଡ଼ିଲେ ସେମାନଙ୍କର ଜାତି ଯିବ । ସେଥିପାଇଁ ସେମାନେ ବରାବର ରମାଠାରୁ ଦୂରରେ ରହୁଥିଲେ । କିନ୍ତୁ ସାହୁଆଣୀ ତାହା ଜାଣି ସୁଦ୍ଧା, ‘‘ଅଧିକନ୍ତୁ ନ ଦୋଷାୟ’’ ନୀତିରେ ଝିଅମାନଙ୍କୁ ପ୍ରତିଦିନ ଦୁଇ ଚାରି ଥର ସତର୍କ କରାଇ ଦେଉଥିଲା । ସେ ଜାଣିଥିଲା ଯେ ଗୋଟାଏ ଭଲ କଥା ପିଲାମାନଙ୍କୁ ଯେତେ ଥର କହିଲେ ମଧ୍ୟ ଆହୁରି କହି ରଖିବା ଉଚିତ ।

Image

 

୧୬

ଅଭାଗିନୀ

ମାଗିଖିଆ ନା ଅମିର

 

ରାତିରେ କାମ ଦାମ ସାରି ରମା ବସି କନ୍ଥା ସିଏଁ । ସେ କନ୍ଥାସିଇଁ ବସି ହୀରା ଏବଂ ଚମ୍ପା ଆଡ଼କୁ ବେଳେ ବେଳେ ଚାହୁଁଥିଲା; କିନ୍ତୁ ହୀରା ବା ଚମ୍ପା କେହି ତା ପ୍ରତି ଦୃକ୍‌ପାତ କରୁ ନ ଥିଲେ । ସେମାନେ ଭାବନ୍ତି ରମା ଦାଣ୍ତର ବୁଲା କୁକୁର, ତାଙ୍କ ପନ୍ଦାଡ଼ରେ ଆସି ଆଶ୍ରୟ ନେଇଛି । ସେ ତିନିଗୋଟି ପିଲାଙ୍କ ମଧ୍ୟରେ ସମସ୍ତଙ୍କ ମୋଟ ବୟସ ମିଶି, ସୃଷ୍ଟିର ଅନନ୍ତକାଳରୁ ପଚାଶ ବର୍ଷ ସୁଦ୍ଧା ଅତୀତ ହୋଇନାହିଁ । ତଥାପି ଏକ ପାଖରେ ଅସୀମ ଘୃଣା ଓ ଅନ୍ୟପାଖରେ ଅପରିମେୟ ଈର୍ଷା ପର୍ବତ ଆକାରରେ ଠିଆ ହୋଇରହିଛି । ରମା କ୍ଷଣକ ପାଇଁ ସିଲେଇ ଛାଡ଼ି, ବାଁ ହାତରେ କନ୍ଥା ଓ ଡାହାଣ ହାତରେ ଛୁଞ୍ଚିଟି ଧରି ବସି ରହି, ଚମ୍ପା ଏବଂ ହୀରା ଆଡ଼କୁ ଚାହୁଁଥିଲା । ସାହୁଆଣୀ ହଠାତ୍‌ ଆସି ପାଟିକଲା, ‘‘ତୁ ଗାତପଶି, ଇମିତି କାମ କରୁଚୁ । ରହ, ତୋତେ ଦଉଚି ।’’ ଶୁଣି ଆଗନ୍ତୁକ କହିଲା, ‘‘ମାଲିକିଆଣି, ଖେଳୁ ନା, ପିଲାଟା ଟିକିଏ ।’’

 

କୌଣସି ଥିଲା ଲୋକ ଚଟିଘରେ ରହି ଏପରି ଇଚ୍ଛାପ୍ରକାଶ କରିଥିଲେ, ସାହୁଆଣୀ ହୁଏତ ସହି ନେଇଥାନ୍ତି । କିନ୍ତୁ ଗୋଟାଏ ମାଗିଖିଆ ଲୋକଠାରୁ ଏପ୍ରକାର କଥାଟାଏ ସହିବା ତା କୋଷ୍ଠୀରେ ନ ଥିଲା । ସେଥିପାଇଁ ସେ ଉତ୍ତର ଦେଲା, ‘‘ଉଁ, ଖେଳୁ ନା ଟିକିଏ ! ଖେଳ ଫେଳ ଛଡ଼େଇଦେବି । ମୁଁ ତାକୁ ଖେଳିବା ପାଇଁ ପୋଷିଚି ନା ।’’

 

 

‘‘ଆଚ୍ଛା, ସେ କି କାମ କରୁଚି କି ?’’ ଶୁଣି, ସାହୁଆଣୀ ଫିଙ୍ଗିଲା ପରି ଉତ୍ତର ଦେଲା, ‘‘ମୋ ପିଲେ ତଳେ ଶୋଉଛନ୍ତି । ଏ ଟୋକୀର ଏଡ଼େ ମଗ୍‌ଦୁର ଯେ କନ୍ଥା ସିଇଁ ବସି ଏଆଡ଼େ ସେଆଡ଼େ ଚାହୁଁଛି ।’’

 

‘‘ଆଚ୍ଛା ସେପରି କନ୍ଥା ଖଣ୍ତିଏ କିଣିଲେ କେତେ ପଡ଼ିବ ?’’

 

ଘୃଣା ମିଶ୍ରିତ ସ୍ୱରରେ ସାହୁଆଣୀ ଉତ୍ତର ଦେଲା, ‘‘କିଣିଲେ ଦି ଟଙ୍କା କି ନ’’ ସିଉକା ହବ-।’’

 

‘‘ଆଚ୍ଛା, ତୁମ ଏ ପିଲା ଯେ କନ୍ଥା ଖଣ୍ତି ସିଉଁଚି, ମୋତେ ବିକି ଦିଅନା । ମୁଁ ନ ସିଉକା କାହିଁକି, ନ ଟଙ୍କା ଦଉଛି ନିଅ ।’’ ତାହା ଶୁଣି ଦୀନା ସାହୁ ନିଜେ ପାଟି ଫିଟାଇବା କର୍ତ୍ତବ୍ୟ ବୋଲି ମନେ କଲା । ସେ କହିଲା, ‘‘ବାଟୋଇମାନେ ଯାହା ଯେତେବେଳେ କହିବେ, ଆମେ କଣ ନାହିଁ କରିପାରିବୁ ? ନବ ଯଦି, ନିଅ ନଅ ଟଙ୍କାକୁ । ଆଉ ସେଥିରୁ କମ୍‌ରେ ହବନାହିଁ ।’’

 

ସାହୁଆଣୀ ପଚାରିଲା, ‘‘ନଗଦ ଦବନା ?’’ ଶୁଣୁ ଶୁଣୁ, ଆଗନ୍ତୁକ ଅଣ୍ଟାରୁ ନଅ ଟଙ୍କା କାଢ଼ି ଗଣିଦେଲା । ତାପରେ ସେ ରମାକୁ କହିଲା, ‘‘ଯାଅ ଲୋ ମା, ଟିକିଏ ଖେଳ୍‌ ଯା ।’’ ଦୀନା ସାହୁ ଟଙ୍କା ଗଣିନେଲା । ସାହୁଆଣୀ ଖୁସି ଅବଶ୍ୟ ହେଲା; କିନ୍ତୁ ରମା ଯେ ତା ନିଜ ପିଲାଙ୍କ ପରି ଖେଳିବାକୁ ସୁବିଧା ପାଇଲା, ସେଥିରେ ତା ହୃଦୟ ଜଳିଉଠିଲା । ରମା ଆଗନ୍ତୁକ କଥା ଅନୁସାରେ ଖେଳିବାକୁ ନ ଯାଇ ଥରି ଥରି ସାହୁଆଣୀକି ଯାଇ ପଚାରିଲା, ‘‘ସାଆନ୍ତାଣୀ, ସତେ କଣ ମୁଁ ଖେଳିବାକୁ ଯିବି ?’’ ସାହୁଆଣୀ ଦାନ୍ତ ଚୋବାଇ ଉତ୍ତର ଦେଲା; ‘‘ଖେଳ୍‌ ।’’

 

ରମା କାମରୁ ମୁକ୍ତି ପାଇ ଖେଳିବାକୁ ଗଲା । ସାହୁଆଣୀ ଦୀନା ସାହୁ କାନରେ କହିଲା, ‘‘ଏ ମାଗିଖିଆଟା କଣ ଅମିର ପରି ଟଙ୍କା ଦଉଚି ?’’ ଶୁଣି, ଦୀନା ସାହୁ ଉତ୍ତର ଦେଲା, ‘‘ହଁ, ଇମିତି ଅନେକ ଲୋକ ଅଛନ୍ତି । ନ ଖାଇ, ନ ପିଇ, ଖର୍ଚ୍ଚ ନ କରି, ଟଙ୍କା ଜମେଇ ରଖିଥାନ୍ତି ।’’ ଚମ୍ପା ଏବଂ ହୀରା ଖେଳରେ ଲାଗିଥିଲେ । ସେମାନେ ଯୋଡ଼ିଏ କଣ୍ଢେଇକି ବର ଭାର୍ଯ୍ୟା କରି ବିବାହ କରାଉଥିଲେ; ତାକୁ ଲୁଗା ପିନ୍ଧାଉଥିଲେ, ବସାଉଥିଲେ, ଉଠାଉଥିଲେ, ଶେଯରେ ଶୁଆଉଥିଲେ; ପୁଣି ଉଠାଇ ଖୁଆଉଥିଲେ, କେତେବେଳେ ଗମ୍ଭୀର ଭାବରେ କି ପ୍ରଶ୍ନ ପଚାରୁଥିଲେ, କେତେବେଳେ ବା ଠୋ ଠୋ ହସି ଗଡ଼ିଯାଉଥିଲେ । ଛୋଟ ପିଲାଙ୍କର କଣ୍ଢେଇ ନ ଥିଲେ ସେମାନେ ନିଜକୁ ବଡ଼ ହତଭାଗ୍ୟ ମଣନ୍ତି । ରମା ସେଥିପାଇଁ ତା ଛୋଟ ଛୁରୀଟିକି କଣ୍ଢେଇ କରିଥିଲା । କାମରୁ ମୁକ୍ତି ପାଇ ସେ ଛୁରୀ ଧରି ଖେଳିବାକୁ ଲାଗିଲା ।

 

ରମାକୁ ଖେଳିବାର ଦେଖି ସାହୁଆଣୀ ଦେହ ସହିଲା ନାହିଁ । ସେ ଆଗନ୍ତୁକ ନିକଟକୁ ଆସି କହିଲା, ‘‘ମହାଜନ, ତୁମେ ରମାକୁ ଖେଳିବାକୁ ତ କହିଲ । ହେଲେ, ସେ କାମ ନ କଲେ ଖାଇବ କଣ ?’’

 

‘‘ତେବେ, ସେ ତୁମ ଝିଅ ନୁହେଁ ?’’

 

ସାହୁଆଣୀ ଜିଭ କାମୁଡ଼ି କହିଲା, ‘‘ଏ ମା, ସେ ମୋ ଝିଅ କାହିଁକି ହୁଅନ୍ତା ମ ? ମାଗିଖିଆ ପିଲାଟାଏ ସିନା ଆସି ଆମ ଘରେ ରହିଚି । ଆମେ ତାକୁ ଖୁଆଇ ପିଆଇ ରଖିଚୁ । ସେଥିରେ ତୁମେ କହୁଛ କଣ ନା ସେ ମୋ ଝିଅ ! ତୁମ ପସନ୍ଦକୁ ଏ କଥା ଦିଶିଲା ?’’

 

ଆଗନ୍ତୁକ ଓ ସାହୁଆଣୀ କଥାବାର୍ତ୍ତା ହେଉଥିବାବେଳେ ରମା କାନ ପାରି ଶୁଣୁଥିଲା । ସେ ଅବଶ୍ୟ ସବୁ କଥା ବୁଝିପାରିଲା ନାହିଁ । ସେତେବେଳେ ହୀରା ଏବଂ ଚମ୍ପାଙ୍କ କଣ୍ଢେଇଟିଏ ଦେଖି ସେ ତାକୁ ହାତରେ ଧରିଲା । କଣ୍ଢେଇ ଧରି, ରମା ଆନନ୍ଦରେ ବିହ୍ୱଳ ହୋଇପଡ଼ିଲା । ସେ ତାକୁ ଲୁଗା ଭିତରେ ପୂରାଇ ଛାତିରେ ଜାକିଧରିଲା, ଯେପରିକି ସେ ନିଜେ ଗୋଟିଏ ପିଲା ଜନ୍ମ କରିଛି । ଲୁଗାର କଣାବାଟେ କଣ୍ଢେଇର ଗୋଟାଏ ଗୋଡ଼ ବାହାରକୁ ବାହାରି ପଡ଼ିଥିଲା । ତାହା ଦେଖି ଚମ୍ପା ହୀରାକୁ କହିଲା, ‘‘ଦେଖ ମ, ଟୋକୀର କେଡ଼େ ସାହସ । ଆମ କଣ୍ଢେଇ ନେଇ ଧରିଲାଣି । ଶୁଣି, ସାହୁଆଣୀ ଆଗନ୍ତୁକ ସହିତ କଥାବାର୍ତ୍ତା ହେବା ଛାଡ଼ିଦେଇ, ପ୍ରଚଣ୍ଡ ପାଟି କରି କହିଲା, ‘‘ରମା !’’

 

ରମା ଚମକି ପଡ଼ିଲା; ସତେ ଅବା ତା ପାଦତଳେ ସମଗ୍ର ପୃଥିବୀଟା ମୁହୂର୍ତ୍ତକ ପାଇଁ ଭାଜି ଗୁଣ୍ଡ ହୋଇଗଲା । ସେ କଣ୍ଢେଇଟି ତଳେ ଥୋଇଦେଇ, ଆଖି ମନ୍ଥି, କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା । ଶୁଣି, ଆଗନ୍ତୁକ ପଚାରିଲା, ‘‘ହେଲା କଣ ?’’ ରମା ପକ୍ଷରୁ ସାହୁଆଣି ଉତ୍ତର ଦେଲା, ‘‘ମୁହଁ ବଢ଼ିଯାଉଚି । ମୋ ପିଲାଙ୍କ କଣ୍ଢେଇ ପୁଣି ଏ କାଳିକାନୀ ହାତରେ ଛୁଇଁମ । ମଲୁ ନାହିଁ ଲୋ ତୁ !’’

 

ଆଗନ୍ତୁକ ପଦେ କଥା ନ କହି, ଦାଣ୍ଡ ଦ୍ୱାର ଫିଟାଇ ବାହାରକୁ ଚାଲିଗଲା । ତା ଅନୁପସ୍ଥିତିରେ ସାହୁଆଣୀ ରମା ପିଠିକି ଗୋଇଠାଏ ମାଇଲା । ରମା ଆହୁରି ଚିତ୍କାର କରି କାନ୍ଦିଲା-। ଦାଣ୍ଡଦ୍ୱାର ପୁଣି ଫିଟିଲା । ଆଗନ୍ତୁକ ପାଖ ଦୋକାନରୁ ସବୁଠାରୁ ଭଲ କଣ୍ଢେଇଟିଏ ଆଣି ରମା ଆଗରେ ଠିଆ କରାଇ, କହିଲା, ‘‘ଏଇ ନେ । ତୋର ଏ କଣ୍ଢେଇଟି ।’’ ରମା କଣ୍ଢେଇଟି ଦେଖି ପଛକୁ ଘୁଞ୍ଚିଗଲା ଏବଂ କଣରେ ଯାଇ ଲୁଚିଲା । ସେ କାନ୍ଦିଲା ନାହିଁ, କି କଥା କହିଲା ନାହିଁ । ଏପରିକି, ସେତେବେଳେ ସେ ନିଃଶ୍ୱାସ ମାରୁଥିଲା କି ନା ତାହା ବୁଝାଯାଉ ନ ଥିଲା । ସାହୁଆଣୀ ମଧ୍ୟ ସ୍ତମ୍ଭୀଭୂତ ହୋଇ ଠିଆ ହୋଇଥିଲା । ସେ ମନେ ମନେ ଭାବିଲା, ‘‘ଏ କଣ ମାଗିଖିଆ ନା କୋଟିପତି ? ନା, ଏ ଦୁଇଟାରୁ କିଛି ନୁହେଁ; ଗୋଟାଏ ଡକାଇତ ହେବ ।’’

 

ସେତେବେଳେ ଦୀନା ସାହୁ ଖଣ୍ଡେ ଦୂରରୁ ଚାହିଁ, ଭାର୍ଯ୍ୟା ପାଖକୁ ଧାଇଁଆସି, ତା କାନରେ କହିଲା, ‘‘ଏ କଣ୍ଢେଇଟା ଦାମ ଚାରି ଟଙ୍କାରୁ ଊଣା ହବ ନାହିଁ । ତୁ ରାଗୁଚୁ କଣ ? ତା ଗୋଡ଼ତଳେ ମୁଣ୍ଡିଆ ମାର୍ ।’’ ଶୁଣି ସାହୁଆଣୀ ବୁଲିପଡ଼ି କହିଲା, ‘‘ମୋ ରମା, ତୋ ପାଇଁ ମହାଜନ କଣ୍ଢେଇ ଆଣି ଦେଇଚନ୍ତି ପରା । ତୁ ନେଇ ରଖ୍‌ ।’’ ବର୍ଷ ପରେ ଆକାଶରେ ଇନ୍ଦ୍ରଧନୁ ପରି, ରମାର ଅଶ୍ରୁସିକ୍ତ ଅଧରରେ ହସର ଗୋଟିଏ କ୍ଷୀଣ ରେଖା ବିକଶି ଉଠିଲା । ସେ ଆନନ୍ଦରେ ବିହ୍ୱଳ ହୋଇ ପଚାରିଲା, ‘‘ମୁଁ ନେବି, ସାଆନ୍ତାଣୀ ?’’

 

ସେ କରୁଣ ଦୃଶ୍ୟରେ, ଆଗନ୍ତୁକ ହୃଦୟର ଦୁଃଖ ଓ ସମବେଦନାରେ ତରଳି ଯାଇଥିଲା-। ସେ ଭାବର ଏପରି ଏକ ସୋପାନ ଆସି ପହଞ୍ଚିଥିଲା, ଯେଉଁଠାରେ କି ମନୁଷ୍ୟ, ପ୍ରାଣର କୋହ ଦବାଇ ରଖିବା ନିମନ୍ତେ କଥା ନ କହି, ନୀରବ ରହେ । ସୁତରାଂ ସାହୁଆଣୀକି ରମା ଯାହା ପଚାରିଥିଲା, ତାର ଉତ୍ତରରେ ସାହୁଆଣୀ କିଛି କହିବା ପୂର୍ବରୁ, ସେ ନିଜେ ମୁଣ୍ଡଠାରି ସମ୍ମତି ଜଣାଇଲା । ରମା କଣ୍ଢେଇଟି ଧରି କହିଲା, ‘‘ମୋ କୁନି ନାଁ ରାଣୀ’’ । ରମାର ଛିଣ୍ଡା କନା ଭିତରୁ ତା ‘‘ରାଣୀ’’ର ଶୋଭା ବିକଶି ଉଠିଲା ।

 

ସାହୁଆଣୀର ସଂଯମମୟ ଶାସନ ମଧ୍ୟରୁ ଖସି, ରମା ଯେ ହଠାତ୍‌ ଏତେ ସ୍ୱାଧୀନତା ଲାଭ କରିବ, ତାହା କେହି ସ୍ୱପ୍ନରେ ମନେ କରି ନ ଥିଲା । ଆଉ ଯାହା କଥା ଯାହାହେଉ, ନିଜେ ସାହୁଆଣୀ ତା କେବେ କଳ୍ପନାରେ ଭାବି ନ ଥିଲା । ଆଗନ୍ତୁକ ପ୍ରତି ଘୃଣାରେ ତା ହୃଦୟ ଜଳିବାକୁ ଲାଗିଲା । କିନ୍ତୁ ହୃଦୟର ବହ୍ନି ତାକୁ ହୃଦୟ ମଧ୍ୟରେ କୁହୁଳାଇ ରଖିବାକୁ ହେଲା । ସେ ଚମ୍ପା ଏବଂ ହୀରା ଦୁହିଁଙ୍କୁ ଶୋଇବାକୁ ପଠାଇ ଦେଇ, ଆଗନ୍ତୁକକୁ ଆସି କହିଲା, ‘‘ରମାଟି ଦିନଯାକ ଖଟି ଖଟି ଥକି ଯାଇଥିବ । ଏତେବେଳ ତ ଖେଳିଲାଣି ଏବେ ଯାଇ ଶୋଉ ।’’ ରମା ସାହୁଆଣୀଙ୍କ କଥା ମାତ୍ର ଶୁଣି, ଆଦେଶ ପାଇବାକୁ ଅପେକ୍ଷା ନ କରି ଶୋଇବାକୁ ଚାଲିଗଲା ଏବଂ ତା ରାଣୀଟିକି ବୁକୁରେ ଧରି ଶୋଇପଡ଼ିଲା ।

 

ଆଗନ୍ତୁକ ଯେଉଁ ଘରେ ଯେପରି ଭାବରେ ବସିଥିଲା, ସେହିଠାରେ ସେହିପରି ବସିରହିଲା । ପିଲାମାନେ ଶୋଇପଡ଼ିଲେ; ବାଟୋଇମାନେ ଦିବସର ପରିଶ୍ରମ ପରେ ନିଦ୍ରାଦେବୀଙ୍କ କୋଳରେ ଆଶ୍ରୟ ନେଲେ । କିନ୍ତୁ ତାର ନିଦ୍ରା ନାହିଁ । ସେ ବସିଥିବାରୁ ଦୀନା ସାହୁ ଓ ସାହୁଆଣୀ ମଧ୍ୟ ଶୋଇପାରିଲେ ନାହିଁ । ଘଡ଼ିଘଡ଼ି ହୋଇ ରାତି ବିତିବାକୁ ଲାଗିଲା । କ୍ରମେ ନିଶା ଗର୍ଜିଲା । ଶେଷରେ ଯେତେବେଳେ ଖୋରଧାର ନୂଆ କଚେରି ଘଣ୍ଟାରେ ଦୁଇଟା ବାଜିଲା, ସାହୁଆଣୀ ପରାଜୟ ସ୍ୱୀକାର କରି ସ୍ୱାମୀକୁ କହିଲା, ‘‘ମୁଁ ଶୋଇବାକୁ ଗଲି । ତୁମେ ବସିଥିବ ତ ବସିଥାଅ ।’’ ଦୀନା ସାହୁ ତାପରେ କେତେକ ସମୟ ବସିରହିଲା । ମାତ୍ର ସେ ମଧ୍ୟ କ୍ଲାନ୍ତ ହୋଇ ଆଗନ୍ତୁକକୁ ଯାଇ ପଚାରିଲା, ‘‘ମହାଜନ, ଆପଣ କଣ ଟିକିଏ ଶୋଇବେ ନାହିଁ ?’’

 

‘‘ହଁ, ଶୋଇବି । କେଉଁଠି ତୁମ ଗୁହାଳ, ଟିକିଏ ଦେଖେଇ ଦେଲ ।’’ ଦୀନା ସାହୁ ହସି ଉତ୍ତର ଦେଲା, ‘‘ଆସ ମୋ ସାଥିରେ ।’’ ସେ ପୋଲାଙ୍ଗ ବଳିତା ଧରି ଆଗେ ଆଗେ ଚାଲିଲା । ଆଗନ୍ତୁକ ନିଜ ଥଳି ଏବଂ ବାଡ଼ି ଖଣ୍ଡେ ନେଇ ପଛେ ପଛେ ଗଲା । ଯାଇ ଗୋଟିଏ ଘର ଭିତରେ ପହଞ୍ଚି, ଆଗନ୍ତୁକ ପଚାରିଲା, ‘‘ଏ କି ଘର ?’’

 

‘‘ଏ ଟା ହଳଦିଆ ସାଆନ୍ତଙ୍କ ବସା । ସେ ଆସିଲେ ଏ ଘରେ ରହନ୍ତି । ତାଙ୍କର ହୁକୁମ ଅଛି ଯେ ଏଠେଇ ମୁଁ ଆଉ କାହାକୁ ରଖିପାରିବି ନାହିଁ । ସେ ବରଷକେ ଦିନେ ରହନ୍ତୁ, ଦି’’ ଦିନ ରହନ୍ତୁ କି ନ ରହନ୍ତୁ, ମତେ ବରଷକ ଭଡ଼ା ଚଉରାଶୀ ଟଙ୍କା ଦେଇ ଦିଅନ୍ତି ।’’

 

‘‘ମୁଁ ଏଡ଼େ ବଡ଼ ଘରଟାରେ କାହିଁକି ଶୋଇବି ? ମୁଁ ତ ଗୁହାଳରେ ଶୋଇବା ଲାଏକ ଲୋକ ।’’ ଦୀନା ସାହୁ ଶୁଣି ନ ଶୁଣିଲା ପରି ହୋଇ, ଆଗନ୍ତୁକକୁ ସେହି ଘରେ ଛାଡ଼ି ଚାଲିଗଲା ।

Image

 

୧୭

ଏ ସେ ନୁହେଁ

 

ଦୀନା ସାହୁ ଓ ତା ଭାର୍ଯ୍ୟା ବିଷୟରେ ଏ ପର୍ଯ୍ୟନ୍ତ ଯେଉଁ ବିବରଣ ଦିଆଯାଇଛି, ତାହା ବାସ୍ତବିକ୍‌ ନିତାନ୍ତ ଆଂଶିକ ମାତ୍ର । ସାହୁଆଣୀ ଆକୃତିରେ ଯେ ଗୋଟାଏ ଅସୁରୁଣୀ ଜାତୀୟ ଜୀବ, ତାର କେବଳ ସୂଚନା ମିଳିଛି । ସେ ଘରର ଯାବତୀୟ କାର୍ଯ୍ୟ କରୁଥିଲା । ଘର ଓଳାଇବା, ରୋଷେଇ କରିବା, ବାସନ ମାଜିବା ଆଦି କୌଣସି କାମକୁ ସେ ପଛଉ ନ ଥିଲା । ଏ ସବୁ କାର୍ଯ୍ୟରେ ତାକୁ ସାହାଯ୍ୟ କରିବା ନିମନ୍ତେ ଥିଲା ଏକମାତ୍ର ରମା । ବିଧାତା ସେ ଘର ମଧ୍ୟରେ ହାତୀର ସେବା କରିବା ନିମନ୍ତେ ସତେ ଯେପରି ଗୋଟାଏ ମୂଷା ସୃଷ୍ଟି କରିଥିଲା । ସାହୁଆଣୀ ପାଟି ଶୁଣିଲେ କେବଳ ରମା କାହିଁକି, ଘରର କାନ୍ଥ ବାଡ଼ ପର୍ଯ୍ୟନ୍ତ ଥରୁଥିଲେ । ତାର ନିଶ ଦିପଟା ଦେଖି, ନ ଜାଣିଥିବା ଲୋକେ ତାକୁ ପୁରୁଷ ବୋଲି ମନେ କରୁଥିଲେ । କଥା କହିଲାବେଳେ ତାର ରାଣ ନିୟମ ପକାଇବାର ସୀମା ରହେ ନାହିଁ । ତା ଖାଇବା ଦେଖିଲେ ଲୋକେ କହନ୍ତି, ‘‘ଏ ଗୋଟାଏ ଅସୁରୁଣୀ’’, ରାଗିବା ଦେଖି କହନ୍ତି ‘‘ଏ ଗୋଟାଏ ବାଘୁଣୀ’’ ଏବଂ ରମା ପ୍ରତି ତା ବ୍ୟବହାର ଲକ୍ଷ୍ୟ କରି ମତ ଦିଅନ୍ତି, ‘‘ଏ ନିଶ୍ଚୟ ଯମଙ୍କ ଭାରିଯା ।’’

 

ଦୀନା ସାହୁ ବାଙ୍ଗର ଲୋକ । ସେ ସବୁବେଳେ ହସି ହସି କଥା କହେ । ବାଟୋଇମାନଙ୍କ ସହିତ ଚିଲମ ଟାଣି, ଅନେକ ସମୟରେ ଆଖି ଟୁଳୁଟୁଳୁ କରି ଢୋଳାଉଥାଏ । ସେତେବେଳେ ସେ ଥୋଡ଼ିଆ ବଳଦ ଉପରେ ଜିନିଷ ଲଦି, ଗାଁ ଗାଁ ବୁଲୁଥିଲା । ତାକୁ ଦେଖିଲେ ଲୋକେ ଆତଙ୍କରେ କହୁଥିଲେ, ‘‘ଏଇ ଦୀନା ଡକେଇତ ଆସିଲାଣି, ପଇସାକ ମାଲ୍‌ ଦେଇ ସିଉକାଏ ନବ ।’’ ତା ଦୁଇ କାନରେ ଦୁଇଟା ନୋଳି ଝୁଲୁଥାଏ । ତା ଡାହାଣ ହାତ ଅନାମିକା ଆଙ୍ଗୁଠିରେ ପିଲାଦିନେ ଯେ ସୁନାମୁଦି ଥିଲା, ତାର କ୍ଷୟାବଶେଷ ବର୍ତ୍ତମାନ କାଣି ଆଙ୍ଗୁଠିରେ ଯାଇ ରହିଛି । ଧନ ଉପାର୍ଜନ ଛଡ଼ା ଅନ୍ୟ କୌଣସି ପ୍ରକାର ଚିନ୍ତାକୁ ସେ ମନ ମଧ୍ୟରେ ସ୍ଥାନ ଦେଉ ନ ଥିଲା । ସେଥିପାଇଁ ସେ ଯେ କେତେ ପ୍ରକାର ବ୍ୟବସାୟ ଜୀବନରେ କରିଛି, ତାର ସଂଖ୍ୟା ନାହିଁ । ତା ମଧ୍ୟରୁ ଗୋଟାଏ ପ୍ରଧାନ ବ୍ୟବସାୟ ବାଟୋଇମାନଙ୍କ ସାଙ୍ଗେ ପଶା ଖେଳିବା । ସେହି ବ୍ୟବସାୟରେ ସେ ଧନବାନ୍‌ ହେବାକୁ ବଡ଼ ଆଶା ପୋଷିଥିଲା । ସେ କହୁଥିଲା, ‘‘ଯୁଧିଷ୍ଠିରଙ୍କୁ ପଶାଖେଳରେ ହରେଇ, ଦୁର୍ଯ୍ୟୋଧନ ରାଜ୍ୟଶ୍ରୀ ପାଇଲା । ମୋ ଭାଗ୍ୟରେ କଣ କିଛି ନ ଥିବ ?’’

 

ଯେ ଆଗନ୍ତୁକ ବ୍ୟକ୍ତି ହଠାତ୍‌ ଚଟିଘରେ ପହଞ୍ଚି ରମା ପରି ଅଭାଗିନୀ ଉପରେ ଏତେ ଟଙ୍କା ଅକାତରେ ଢାଳିଦେଉଛି, ଆର ଦିନ ସକାଳୁ ଉଠି ତା ସଙ୍ଗରେ ପଶା ଖେଳିବା ଦୀନା ସାହୁର ସେ ରାତ୍ରିର ଏକମାତ୍ର ଭାବନାର ବିଷୟ ହେଲା । ସେହି ଭାବନାର ସେ ନାନା କଳ୍ପନା ଜଳ୍ପନା କରି ଆନନ୍ଦରେ ଶୋଇପଡ଼ିଲା; କିନ୍ତୁ ଆଗନ୍ତୁକର ନିଦ ହେଲା ନାହିଁ । ସବୁଆଡ଼ ନିର୍ଜନ ହେଲା ପରେ ସେ ଗୋଟିଏ ବଳିତା ଲଗାଇ ରମାକୁ ଖୋଜିବାକୁ ଗଲା । ସେ ଖୋଜି ଖୋଜି ଯାଇ ଦେଖିଲା, ରାମା ଚୁଲିମୁଣ୍ଡେ ବିରାଡ଼ି ପିଲାଟି ପରି ଜାକିଜୁକି ହୋଇ ଶୋଇଛି; କିନ୍ତୁ ରାଣୀକୁ ଛାତିରୁ ତଳକୁ ପକାଇଦେଇ ନାହିଁ । ଆଲୁଅରେ ସେ ନିଦ୍ରିତା ରମାକୁ ଭଳରୂପେ ଦେଖି, ତା ମୁଣ୍ଡ ଟିକିଏ ଆଉଁଷି, ତା ମା ରାଧା କଥା ସ୍ମରଣ କରି, ଦୁଇ ଆଖିରୁ ଦୁଇ ଟୋପା ଲୁହ ଗଡ଼ାଇ, ନିଜ ଶୋଇବା ଘରକୁ ଫେରିଗଲା ।

 

ଆଗନ୍ତୁକ ଆର ଦିନ କାଳୀ ଅନ୍ଧାରରୁ ଉଠିବାରେ ସାହୁଆଣୀ ପଚାରିଲା, ‘‘କଣ, ଏଇ ଭୋରରୁ ଚାଲିଯିବ ?’’

 

‘‘ହଁ, ତୁମର କେତେ ହେଲା କହ ତ ।’’ ସାହୁଆଣୀ ଗମ୍ଭୀର ସ୍ୱରରେ କହିଲା, ‘‘ପାଞ୍ଚଟଙ୍କା-।’’ ଆଗନ୍ତୁକ ଟଙ୍କା କାଢ଼ୁକାଢ଼ୁ ପଚାରିଲା, ‘‘ତୁମ ବ୍ୟବସାୟ ବେଶ୍‌ ଚଳୁଚି, ନା ?’’ ସାହୁଆଣୀ ଉତ୍ତର ଦେଲା, ‘‘ଏକ ପ୍ରକାର । ହେଲେ, ଆଉ ତୁମ ପରି ଭଲ ଭଲ ଲୋକ ଆସୁ ନାହାନ୍ତି । ଖର୍ଚ୍ଚ ତ ବଢ଼ିଲାଣି । ଜିନିଷପତ୍ର ବଡ଼ ମହଙ୍ଗା । ତା ପରେ ପୁଣି ପର ପିଲାଟିଏ ରଖି ପୋଷିବାକୁ ପଡ଼ୁଚି । ‘‘

 

ଆଗନ୍ତୁକ ଉଦାସ ସ୍ୱରରେ କହିଲେ, ‘‘ସେ ତୁମ ଘରେ ନ ରହିଲେ ତୁମେ ତେବେ ନିଶ୍ଚିତ ହୁଅନ୍ତ ?’’ ଶୁଣି, ସାହୁଆଣୀ ଆଗ୍ରହରେ କହିଲା, ‘‘ସେ କଥା କି ଆଉ ପଚାରିବାକୁ ଅଛି ନା-? ତୁମେ ତ ତାକୁ ଦେଖିପାରୁଚ, ନେଇଯିବ ? ଖୁଆଇବ ପିଆଇବ, ପାଖରେ ରଖିବ ?’’

 

‘‘ଆଚ୍ଛା, ଡାକ ତାକୁ ।’’

 

‘‘ରମା’’ ବୋଲି ସାହୁଆଣୀ ପାଟି କରି ଡାକିଲା । ରମା ଆସି ପହଞ୍ଚିବା ପୂର୍ବରୁ ଆଗନ୍ତୁକ ପଚାରିଲା, ‘‘ଆଚ୍ଛା, ତା ବାବଦରେ ମତେ କେତେ ଟଙ୍କା ଦବାକୁ ହବ କହିଲ ଦେଖି ।’’

 

‘‘କୋଡ଼ିଏ ତିନି ଟଙ୍କା ।’’ ଶୁଣି, ଆଗନ୍ତୁକ ପଚିଶ ଟଙ୍କା ଗଣିଦେଇ କହିଲା, ‘‘ଯାଅ, ତାକୁ ନେଇଆସ ।’’ ସେତେବେଳେ ଦୀନା ସାହୁ ଆସି ଭାର୍ଯ୍ୟାକୁ କହିଲା, ‘‘ମୋର ମହାଜନଙ୍କ ସାଙ୍ଗେ କଥାବାର୍ତ୍ତା ଅଛି । ତୁ ଟିକିଏ ଆଡ଼େଇ ହେଇଯା ।’’ ସାହୁଆଣୀ, ଚାଲିଯିବା ପରେ ପରେ ଦୀନା ସାହୁ କହିଲା ‘‘ଦେଖ, ମହାଜନ, ମୁଁ ରାମାକୁ ବଡ଼ ସ୍ନେହ କରେ । ମୁଁ ତାକୁ ଛାଡ଼ିପାରିବି ନାହିଁ-। ତାକୁ ମୁଁ ନିଜ ଝିଅ ପରି ପାଳି ଆଣିଚି । ସେ ଚାଲିଗଲେ ମୋ ଘର ଅନ୍ଧାର ହେଇଯିବ । ସେଉଟା ସିନା ତା ଉପରେ ରାଗୁଚି; ମୁଁ ତାକୁ ଛାଡ଼ି ପାରିବି ? ନିଜ ପିଲାକୁ କିଏ କାହାକୁ ଦେଲାଣି-? କିଏ ଜାଣିଚି, ତା ମା ଦିନେ ପହଞ୍ଚି ପିଲାକୁ ନବାକୁ ନ କହିବ ! ମୁଁ ତୁମକୁ ଚିହ୍ନେନା, ତୁମ ନାଁ ଗାଁ ଜାଣେ ନାହିଁ । ମୁଁ କିମିତି ତୁମ ସାଙ୍ଗେ ଛାଡ଼ିଦେବି ? ସେ କଥା ହବ ନାହିଁ ।’’

 

ଆଗନ୍ତୁକ ଅବାକ୍‌ ହୋଇ ଚାହିଁଥିଲା; ଦୀନା ସାହୁ କହିସାରିଲା ପରେ କହିଲା, ‘‘ତୁମେ ମୋ ନାଁ ଗାଁ ପରିଚୟ କିଛି ଜାଣିବା ଦରକାର ନାହିଁ । ମୁଁ ତାକୁ ନେଇଗଲା ପରେ ସେ ଯେ ଆଉଥରେ ଏଠା ମାଡ଼ିବ, ତା ମଧ୍ୟ ନୁହେଁ । କହ, କଣ କହୁଛ, ହଁ କି ନାହିଁ ?’’

 

ଦୀନା ସାହୁ ଦେଖିଲା ଯେ ଗତ ରାତିରେ ସେ ଯେଉଁ ଆଗନ୍ତୁକ ସହିତ କଥାବାର୍ତ୍ତା କରୁଥିଲା, ଏ ବ୍ୟକ୍ତି ସେ ନୁହେଁ । ସେ ଆଗନ୍ତୁକ ଆସିଥିଲା, ଆଶ୍ରୟ ନେଇ ରାତିକ କଟାଇବାକୁ । ଏ ବର୍ତ୍ତମାନ ଦୀନା ସାହୁର ଗୋଟାଏ ପ୍ରଧାନ ରୋଜଗାରର ଉପାୟ ରମାକୁ ତା ଘରୁ ନେଇଯିବା ପାଇଁ ଦୃଢ଼ପ୍ରତିଜ୍ଞା ହୋଇ ଠିଆ ହୋଇଛି । ଦୀନା ସାହୁ ପଶା ଖେଳରେ ଲାଭବାନ୍‌ ହେବ ବୋଲି ଯେ ଆଶା କରିଥିଲା, ତାର ସେ ଆଶା ବୃଥା ହେଲାଣି । ଆଗନ୍ତୁକ ବିଷୟରେ ସେ ମନକୁମନ ନାନା ପ୍ରଶ୍ନ ପଚାରିଲା । କୌଣସି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ନିଜେ ଦେଇ ନ ପାରି, ନିଜ ଉପରେ ରାଗିବାକୁ ଲାଗିଲା । ଶେଷରେ ସେ କହିଲା, ‘‘ଦେଢ଼ ହଜାର ଦବ ତ, ଛାଡ଼ିଦେବି ।’’

 

ଆଗନ୍ତୁକ ଦେଢ଼ହଜାର ଟଙ୍କାର ଦୁଇଖଣ୍ଡ ନୋଟ କାଗଜ ଥଳି ଭିତରୁ କାଢ଼ି ଦୀନା ସାହୁ ହାତରେ ଧରାଇଦେଇ କହିଲା, ‘‘ଯାଅ, ଘେନିଆସ ରମାକୁ ।’’ ରମା ଆସି ପହଞ୍ଚିବାରେ ସେ ଥଳିରୁ କାଢ଼ି ତାକୁ ଖଣ୍ଡିଏ ଛୋଟିଆ ସୁନ୍ଦର ପାଟଲୁଗା ପିନ୍ଧିବାକୁ ଦେଲା ।

Image

 

୧୮

ବାଘ ହାତେ ମିରିଗ

ସକାଳେ ଜଜାରସିଂହ ଲୋକେ ଦୁଆର ଫିଟାଇ ଘରୁ ବାହାରି ଦେଖିଲେ ଯେ ଗୋଟାଏ ଲମ୍ବା କାଳିଆ ବୁଢ଼ା ସଙ୍ଗରେ ଗୋଟିଏ ଅଳ୍ପ ବୟସର ବାଳିକା, କାଖରେ ବଡ଼ କୁଣ୍ଢାଇଟିଏ ଧରି, ଚାଲିଛି । ବୁଢ଼ାକୁ କେହି ତ ଚିହ୍ନିଲେ ନାହିଁ, ବାଳିକାକୁ ମଧ୍ୟ ତା ନୂଆ ବେଶରେ ଅତି ଅଳ୍ପ ଲୋକ ଚିହ୍ନିଲେ । ଯେ ଚିହ୍ନିଲା କହିଲା, ‘‘ଆଜି ପୂର୍ବ ଦିନରେ କୁକୁଡ଼ା ପାଟ ପିନ୍ଧି କୁଆଡ଼େ ଚାଲିଚି ?’’

ଆଗନ୍ତୁକ ସହିତ ରମା ଚାଲିଯିବାର କିଛି ସମୟ ପରେ, ତେଣେ ଚଟିଘର ଭିତରେ ଦୀନା ସାହୁ ଭାର୍ଯ୍ୟାକୁ ଡାକି ନୋଟ୍‌ କାଗଜ ଦୁଇଖଣ୍ଡି ଦେଖାଇ କହିଲା ‘‘ଏଇ ଦେଖ୍‌, ଦେଢ଼ ହଜାର ଟଙ୍କା । ସେ ଭାର୍ଯ୍ୟାଠାରୁ ପ୍ରଶଂସା ପାଇବ ବୋଲି ଯେ ଆଶା କରିଥିଲା, ପାଇଲା ନାହିଁ । ବରଂ ସାହୁଆଣୀ ମୁହଁ ଶୁଖାଇ କହିଲା, ‘‘ଏତିକି ?’’ ସାହୁ ସାହୁଆଣୀ ଦୁହେଁ ହାତ ଧରାଧରି ହେଲା ଦିନୁଁ ସାହୁଆଣୀ ସ୍ୱାମୀର କାର୍ଯ୍ୟ ଏହି ପ୍ରଥମଥର ନାପସନ୍ଦ କଲା । ପ୍ରେୟସୀର କଥାରେ ବିବ୍ରତ ହୋଇ ଦୀନା ସାହୁ କହିଲା, ‘‘ତୁ ଠିକ୍‌ କହିଚୁ । ମୁଁ ଗୋଟାଏ ଗଧ । ଆଣ, ମୋ ବାଡ଼ିଖଣ୍ଡ ଦେ ।’’ ଦୀନା ସାହୁ ଘରୁ ବାହାରିପଡ଼ିଲା । ବାଟରେ ଗଲାବେଳେ ସେ ମନକୁ ମନ କହିଲା, ‘‘ସେ ନିଶ୍ଚୟ ଗୋଟାଏ କୋଟିପତି, ଆଉ ମୁଁ ବଳଦ । ଆଖିରେ ଦେଖିଲି, ଲୋକଟା କଥା ପଦକେ ପ୍ରଥମେ ଟଙ୍କାଏ, ତା ପରେ ନ ଟଙ୍କା, ତା ପରେ ପୁଣି ପନ୍ଦରଶହ ଟଙ୍କା ଗଣିଦେଲା । ମୁଁ ଧରିଥିଲେ କଣ ପନ୍ଦରହଜାର ଦେଇ ନ ଥାନ୍ତା ? ଯାହା ହେଉ, ଏବେ କଣ ଛାଡ଼ୁଚି ?’’

ସେ ଅନେକ ବାଟ ଚାଲିଲା, କିନ୍ତୁ ରମା ବା ସେ ବୁଢ଼ାର ଭେଟ ପାଇଲା ନାହିଁ; ତହୁଁ ସେ ଧାଇଁବାକୁ ଲାଗିଲା । ଧାଇଁ ଧାଇଁ ଥକିଲାବେଳକୁ ଦେଖିଲା, ଖଣ୍ଡେ ଦୂରରେ ଦୁହେଁଯାକ ବସିଛନ୍ତି । ସେ ପାଖକୁ ଯାଇ କହିଲା, ‘‘ମୋତେ ମାଫ୍‌ କରିବ, ମହାଜନ ଭାଇ ! ଏଇ ତୁମ ଦେଢ଼ହଜାର ଟଙ୍କା ଫେରସ୍ତ ନିଅ ।’’ ବୁଢ଼ା ଟିକିଏ ମୁଣ୍ଡ ଟେକି ଚାହିଁ ପଚରିଲା, ‘‘କଥା କଣ ?’’

‘‘କଥା ଏଇ ଯେ ମୁଁ ରମାକୁ ଫେରେଇ ନେଇଯିବି ।’’ ଶୁଣି, ରମା ଚମକି ପଡ଼ିଲା, ବୁଢ଼ାକୁ ଜାକି ଧଇଲା ଏବଂ ବିକଳ ସ୍ୱରରେ କାନ୍ଦିବାକୁ ଲାଗିଲା । ବୁଢ଼ା ପଚାରିଲା, ‘‘ତୁମେ ୟାକୁ ନବାକୁ ଆସିଚ ?’’

‘‘ହଁ । ପନ୍ଦର ଶହ କଣ ପନ୍ଦର ଲକ୍ଷ ପାଇଲେ ମଧ୍ୟ, ମୁଁ ୟାକୁ ଛାଡ଼ିପାରିବି ନାହିଁ । ୟା ମା ୟାକୁ ମୋ ହାତେ ସମ୍ପିଦେଇ ଯାଇଚି । ତୁମେ ହୁଏତ କହିବ ଯେ ସେ ମରିଗଲାଣି । ହଉ, ତେବେ ମା ହାତ ଲେଖା ଟିକିଏ ମୋତେ ଦେଖାଅ । ସେ ଯଦି ଲେଖି ଦେଇଥିବ, ମୁଁ କାହିଁକି ମନା କରିବି ? ସେତିକି ହେଲେ ହେଲା ।’’

ବୁଢ଼ା କିଛି ନ କହି ଥଳି ଭିତରେ ହାତ ପୂରାଇଲା । ଥଳି ଭିତରୁ ନୋଟ କାଗଜ ବିଡ଼ାଏ ଦେଖାଗଲା । ଟଙ୍କା ମୋହର ମଧ୍ୟ ଝଣଝଣ ହୋଇ ବାଜିଲା । ଦୀନା ସାହୁ ଖୁସି ହୋଇ ମନକୁ ମନ କହିଲା, ‘‘ଆଉ ମୁଠାଏ ନିଶ୍ଚୟ ମିଳିବ । ଏ ମୋତେ ଲାଞ୍ଚ ଦେଇ ରମାକୁ ନେଇଯିବାକୁ ବସିଚି-। ଯାହା ପାରିବି, ଛାଟିନବା ଦରକାର ।’’

ବାଟୋଇ ବୁଢ଼ା ଥଳି ଭିତର କିଛି ସମୟ ଖୋଜି, ଖଣ୍ଡିଏ ଛୋଟିଆ କାଗଜ ବାହାରକରି ଆଣିଲା । ତାକୁ ଦୀନା ସାହୁ ହାତରେ ଦେଇ କହିଲା, ‘‘ଠିକ୍‌ କଥା କହୁଚ, ପଢ଼ ।’’ ଦୀନା ସାହୁ କାଗଜ ଧରି ପଢ଼ିଲା ।

‘‘ଜଜାରସିଂହ ଚଟିଘର ମାଲିକ ଦୀନା ସାହୁ ଜାଣିବ, ଏ ପତ୍ରବାହକ ସଙ୍ଗେ ରମାକୁ ଛାଡ଼ିଦେବ । ୟାଙ୍କଠାରୁ ତୁମର ପାଉଣା ପତ୍ର ସବୁ ବୁଝିନେବ ।’’

ତୁମର

ଶ୍ରୀମତୀ ରାଧା ଦେବୀ

 

ବୁଢ଼ା ପଚାରିଲା, ‘‘ଦସ୍ତଖତ ଚିହ୍ନିପାରୁଚ ?’’ ଦୀନା ସାହୁ ନିରୁତ୍ତର ହୋଇ ରହିଲା । ତହୁଁ ବୁଢ଼ା ପୁଣି କହିଲା, ‘‘କାଗଜ ଖଣ୍ଡିକ ପାଖରେ ରଖ । ଯେବେ ପିଲାର ମା’’ ଆସେ ତାକୁ ଦେଖେଇବ ।’’ ଶୁଣି, ଦୀନା ସାହୁ କହିଲା, ‘‘ଦସ୍ତଖତଟା ବେଶ୍‌ ଜାଲ କରି ଆଣିଚ । ହେଲେ, ସେଥିରେ ମୋର କଣ ଅଛି ? ମୋ ପାଉଣା ପାଇଲେ ମୁଁ ତୁନି ହୋଇ ରହିବି ।’’ ଶୁଣି ବୁଢ଼ା ବସିବା ସ୍ଥାନରୁ ଉଠି ଠିଆ ହେଲେ ଏବଂ ଗୁରୁ ଗମ୍ଭୀର ସ୍ୱରରେ କହିଲା, ‘‘ଦୀନା ସାହୁ, ତୁମେ ଗୋଟାଏ ପ୍ରଧାନ ଠକ-। ତୁମେ ଯେତେବେଳେ ଯେତେ ଟଙ୍କା ପାଇଁ ଚିଠି ଲେଖିଚ, ତାଠୋଉ ବରାବର ବେଶି ପାଇଚ । ତା ପରେ ମୁଁ ଆଜି ପୁଣି ତୁମକୁ ପନ୍ଦର ଶହ ଦେଲି । ଫେରେ ତୁମର ଆହୁରି ପାଉଣା ଅଛି ? ଲାଜ ନାହିଁ ମୁହଁକୁ ।’’

 

ଗଧିଆ ଜାଲରେ ପଡ଼ିଲେ ଯେପରି ବ୍ୟତିବ୍ୟସ୍ତ ହୁଏ, ଦୀନା ସାହୁ ସେହିପରି ହେଲା । ତଥାପି ଲୋଭ ଏଡ଼ି ନ ପାରି ସେ କହିଲା, ‘‘ମହାଜନ, ରାଗୁଛ କାହିଁକି ? ଯାହା ନ୍ୟାୟ ତା ତ କରିବ । ଦେଢ଼ ହଜାର ଦେଇଚ ବାକି ତିନି ହଜାର ଦେଇଦିଅ, ରମାକୁ ନେଇଯାଅ ।’’

 

ବାଟୋଇ ବୁଢ଼ା ପଦେ କଥା କାହିଲା ନାହିଁ, ନିଜ ଥଳିଟି କାନ୍ଧରେ ଧରି ଠିଆ ହେଲା ଏବଂ ବାଡ଼ି ଉଠାଇ ଦୀନା ସାହୁ ଆଡ଼କୁ କଟମଟ କରି ଚାହିଁଲା । ରମାକୁ କହିଲା, ‘‘ଚାଲ ମା’, ଆଗରେ ।’’ ସେ ନିର୍ଜନ ସ୍ଥାନରେ ବୁଢ଼ା ହାତର ପ୍ରକାଣ୍ଡ ବାଡ଼ିଟା ଦେଖି, ଦୀନା ସାହୁ ଥରଥର ହେଲା । ତା ଆଖି ଆଗରେ ବାଟୋଇ ରମାକୁ ଧରି ଚାଲିଗଲା । ତହୁଁ ସେ କହିଲା, ‘‘ମୁଁ କେଡ଼େ ମୂର୍ଖ । ଆସିଲି ତ, ନଳିଟା ନ ଆଣିଲି କାହିଁକି ? ଆଚ୍ଛା, ମୁଁ କଣ ଛାଡ଼ୁଛି ? କିଛି ନୋହିଲେ ସେ କୁଆଡ଼େ ଯାଉଚି, ଜାଣି ରଖିବି; ଦିନେ ହେଲେ କେବେ ଆଦାୟ କରି ନେବି’’ ଗୁଣେ ନୁହେ, ଦଶ ଗୁଣ କରି ।’’

 

ଦୀନା ସାହୁ ଖଣ୍ଡେ ଦୂରରେ ବାଟୋଇ ଓ ରମାକୁ ଅନୁସରଣ କରି ଲୁଚି ଚାଲିବାରେ ଲାଗିଲା । କିନ୍ତୁ ବାଟୋଇ ଅଳ୍ପ ସମୟ ପରେ ତାକୁ ଦେଖି ପକାଇଲା । ତହୁଁ ସେ ରାଗି ଏପରି ଜୋରରେ ବାଡ଼ି ଟେକିଲା ଯେ ଦୀନା ସାହୁ ପିଣ୍ଡରୁ ପ୍ରାଣ ଚାଲିଯିବା ଉପରେ ବସିଲା । ଦୀନା ସାହୁ ମନେ ମନେ ଭାବିଲା, ‘‘ଏ ଚୋରଟା ପଛରେ ଆଉ ଗୋଡ଼େଇଲେ, ଏଣିକି ବିପତ୍ତି ସିନା, ଲାଭ କିଛି ନାହିଁ ।’’

 

ସୂର୍ଯ୍ୟାସ୍ତ ପରେ ବେଳ ବୁଡ଼ି ଅନ୍ଧାର ଘୋଟି ଆସୁଅଛି, ସେପରି ସମୟରେ ପାଣୁ ନାଏକ ରମାକୁ ଧରି କଟକ ସହରରେ ଯାଇ ପାଦ ପକାଇଲା । ଦିନଯାକ ଖିଆପିଆ ଠିକ୍‌ ନାହିଁ । ସୁତରାଂ ରମା ଥକି ପଡ଼ିଥିଲା । ସେ ଚାଲି ନ ପାରିବାରୁ ପାଣୁ ନାଏକ ତାକୁ ପିଠିରେ ପକାଇ ଗଳି ଗଳି ହୋଇ ଚାଲିବାକୁ ଲାଗିଲା ।

 

ରାତି ପ୍ରାୟେ ଦୁଇ ଘଡ଼ି, ବେଳେ ପାଣୁ ନାଏକ ନିଦ୍ରିତା ରମାକୁ ପିଠିରେ ଧରି ଗୋଟିଏ ଛୋଟିଆ ପକାଘର ଆଗରେ ଯାଇ ଠିଆ ହେଲା । ସେ ଘରଟି ମଙ୍ଗଳାବାଗରେ ଗୋଟିଏ ନିତାନ୍ତ ସଂକୀର୍ଣ୍ଣ ମଇଳା ଗଳି ମଧ୍ୟରେ; ଲୋକ ଦୃଷ୍ଟିରୁ କିଛି ଦୂରରେ । ଘରଟି ଆଗେ ଜଗନ୍ନାଥ ସଡ଼କ ଉପରେ ଚଟିଘର ରୂପେ ବ୍ୟବହୃତ ହେଉଥିଲା; କିନ୍ତୁ ଘରର ମାଲିକ ମରିଯିବାରୁ ତାହା ପ୍ରାୟ ଦଶ ପନ୍ଦର ବର୍ଷ କାଳ ତାଲା ବନ୍ଦ ହୋଇ ପଡ଼ିଥିଲା । ଏକ ସମୟରେ ସେଥିରେ ଜଣେ ଦର୍ଜି ରହୁଥିଲା-। ସେଥିପାଇଁ ତାକୁ ଲୋକେ ‘‘ଦର୍ଜି କୋଠା’’ ବୋଲି କହନ୍ତି । ଘରଟି ବେମରାମତି ଅବସ୍ଥାରେ ଥିଲା-। ତା କରବାଟେ ଉପରକୁ ଗୋଟିଏ ଶିଡ଼ି ଲାଗିଥିଲା । ସେହି ଶିଡ଼ି ବାଟେ ଉପର ମହଲାକୁ ଯିବାଆସିବା ହୁଏ । ଉପର ମହଲାରେ ଘରର ମାଲିକିଆଣୀ ନିଜେ ରହୁଥିଲେ । ଘରଟିର ଦୁଇ ପାଖେ କିଛି ଦୂରରେ ଆଉ କେତେଗୁଡ଼ିଏ ଛୋଟିଆ ପୁରଣା ପକାଘର ଥିଲା । ସେ ସବୁ ଏକ ସମୟରେ ଚଟିଘର ହୋଇଥିଲା । ବର୍ତ୍ତମାନ ଚଟିଘର ଖଣ୍ଡେ ଦୂରକୁ ଉଠିଯାଇ ସେ ଘରଗୁଡ଼ିକ ଅନ୍ୟ କାର୍ଯ୍ୟରେ ଲାଗୁଛି । ବେଶି ଦିନ ରହିବା ଲୋକେ ସେ ମଧ୍ୟରୁ କୌଣସି କୌଣସି ଘର ଭଡ଼ା ନେଇ ରହୁଛନ୍ତି ।

 

ପାଣୁ ନାଏକ ଦୁଆରେ ପହଞ୍ଚି, ଅଣ୍ଟାରୁ କୁଞ୍ଚିକାଠି କାଢ଼ି, ତାଲା ଫିଟାଇ, ଘର ଭିତରେ ପଶିଲା । ଘର ଭିତରେ ଖଣ୍ଡିଏ ପୁରୁଣା ଖଟ ପଡ଼ିଥିଲା । ସେ ରମାକୁ ଧୀରେ ଧୀରେ ପିଠିରୁ ଓହ୍ଲାଇ, ଅତି ଯତ୍ନରେ ସେହି ଖଟରେ ଶୁଆଇଦେଲା । ରମାର ନିଦ ଭାଜିଲା ନାହିଁ । ପାଣୁ ନାଏକ ଦୀପ ଜାଳି ଆଲୁଅରେ ରମାକୁ ଟିକିଏ ଦେଖିଲା । ଦେଖୁ ଦେଖୁ ଆହ୍ଳାଦରେ ସେ ରମା କପାଳରେ ଗୋଟିଏ ଚୁମ୍ବନ ଦେଲା । ନ ମାସ ପୂର୍ବେ ତା ମା ରୋଗଶଯ୍ୟାରେ ଶୋଇଥିଲାବେଳେ ସେ ଦିନେ ସେହିପରି ତା କପାଳରେ ମଧ୍ୟ ଗୋଟିଏ ଚୁମ୍ବନ ଦେଇଥିଲା । ଆଜି ରାଧା କଥା ମନେ ପକାଇ ସେ ଦୁଃଖରେ ଅଭିଭୂତ ହେଲା, ଦୀର୍ଘନିଃଶ୍ୱାସ ପକାଇଲା, ଶୁଖିଲା ଆଖିରୁ ଲୁହ ଗଡ଼ାଇଲା । ରମା ନିଦରେ ଶୋଇରହି ସେ ସବୁ କିଛି ଜାଣିପାରିଲା ନାହିଁ ।

 

ସେଦିନ ରାତି ରମା ନିଦରେ ଶୋଇରହି ତ କିଛି ଖାଇଲା ନାହିଁ; ପାଣୁ ନାଏକ ତାକୁ ଖାଇବାକୁ ନ ଉଠାଇ, ନିଜେ ଉପବାସରେ ରହିଲା । ଆରଦିନ ସକାଳେ ସୂର୍ଯ୍ୟ ଉଦୟ ହେବାର ଅନେକ ସମୟ ପରେ ରମାର ନିଦ ଭାଜିଲା । ରମା ଉଠି ଚମକିପଡ଼ି କହିଲା, ‘‘ସାଆନ୍ତାଣୀ, ମୁଁ ଯାଉଚି କାମ କରିବାକୁ ।’’ କହି, ସେ ଆଖି ଫିଟାଇବା ପୂର୍ବରୁ ଖଟ ଉପରୁ ଡେଇଁପଡ଼ିଲା । ଫଳରେ ସେ ତଳେ ପିଟି ହୋଇ ପଡ଼ିଗଲା । ପଡ଼ିବା ମାତ୍ରେ ସେ ଆଖି ଫିଟାଇ ଚାହିଁଲା ଛାଞ୍ଚୁଣୀ କାହିଁ ? ମାତ୍ର ସେ ଆଖି ଫିଟାଇ ଚାହିଁଲା ବେଳକୁ ଦେଖିଲା ପାଣୁ ନାଏକ ତାକୁ କୋଳରେ ଧରି ବସି ତା ମୁଣ୍ଡ ଆଉଁଷୁଚି । ଦେଖି, ରମା କହିଲା, ‘‘ବାପା, ଆମେ ଆଉ ଜଜାରସିଂହରେ ନାହେଁ, ନା-?’’

 

ପିଲାମାନେ ଟିକିଏ ଆଦର ପାଇଲେ ପରକୁ ନିଜର କରିନିଅନ୍ତି । ତାହା ବାସ୍ତବରେ ଆଶ୍ଚର୍ଯ୍ୟର ବିଷୟ । ରମା ପାଣୁ ନାଏକକୁ ଯେ ସେଦିନ ବାପା ବୋଲି ଡାକିଲା, ସେହି ବାପା ଡାକ ପାଇଁ କଣ ପ୍ରକୃତି ରମାର ତୁଣ୍ଡ ବା ପାଣୁ ନାଏକର କାନ ଗଢ଼ି ରଖିଥିଲା ? ରମା ତା ଜୀବନର ପ୍ରଥମ ବାପା ପାଣୁ ନାଏକ କୋଳରୁ ଓହ୍ଲାଇ ତା ରାଣୀକି ଧରି ଖେଳିବାକୁ ଗଲା । ସେ କିଛି ସମୟ ଖେଳିସାରି ପାଣୁ ନାଏକକୁ ନାନା ପ୍ରଶ୍ନ ପଚାରିବାରେ ଲାଗିଲା–ଏଟା କୋଉଠା ? କଟକ ବଡ଼ ନା ଜଜାରସିଂହ ବଡ଼ ? ସାହୁଆଣୀଙ୍କ ଚଟିଘର ଏଠୁକୁ କେତେ ବାଟ ? ସାହୁଆଣୀ ଏଠୁକୁ ଆସିବେ ନାହିଁ ? ମୁଁ ସାହୁଆଣୀଙ୍କ ଘରକୁ ଯିବି ନାହିଁ ? ଏହିପରି ଅନେକ ପ୍ରଶ୍ନ ସେ ମୁହୂର୍ତ୍ତକ ମଧ୍ୟରେ ପଚାରିଲା । ଶେଷରେ ସେ କହିଲା, ‘‘ଆହା, ଏ ଘରଟି କେଡ଼େ ସୁନ୍ଦର ହେଇଚି କି !’’ କିନ୍ତୁ ବାସ୍ତବରେ ସେ ଘରଟାର ଆଦୌ କୌଣସି ସୌନ୍ଦର୍ଯ୍ୟ ନ ଥିଲା । ଯାହାହେଉ, ରମା ଆଖିକୁ ତାହା ସୁନ୍ଦର ଦିଶିଲା । ରମା କେତକ ସମୟ ପରେ ପଚାରିଲା, ‘‘ମୁଁ ଝାଡ଼ୁ ଦେବି ନା ?’’

 

‘‘ନା, ଖେଳ ।’’ ସେ ଦିନଟା ରମା ଖେଳରେ କଟାଇଦେଲା । ସେ ଯେ କେଉଁଠାରେ କାହିଁକି ଆସି ରହିଛି, କିଛି ବୁଝିପାରିଲା ନାହିଁ । ତଥାପି ସେ ବେଶ୍‌ ଖୁସିବାସିରେ ରହିଲା ।

Image

 

୧୯

ବାଘଟା ବାପ ପାଲଟିଲା

 

ପାଣୁ ନାଏକ ରମାକୁ ଧରି ଯେଉଁ ଘରେ ବସା କଲା, ସେଠାରେ ତାର କୌଣସି ଅସୁବିଧା ଘଟିଲା ନାହିଁ । ପଡ଼ୋଶୀମାନଙ୍କ ସହିତ ତାର କୌଣସି ସମ୍ପର୍କ ନ ଥିଲା । ଉପର ମହଲାରେ ଥିବା ଘରର ମାଲିକିଆଣୀଙ୍କ ସଙ୍ଗେ କେବଳ ତାର ବେଳେ ବେଳେ ଦେଖାସାକ୍ଷାତ୍‌ ହୁଏ-। ବାକି ସବୁବେଳେ ସେ ଦ୍ୱାର ବନ୍ଦ କରି ରମାକୁ ଧରି ଘର ଭିତରେ ଥାଏ । ସେ ପୂର୍ବେ ସରକାରୀ ଚାକିରି କରୁଥିଲା ଏବଂ ପେନ୍‌ସନ୍‌ରେ ଚଳେ ବୋଲି ବାହାରକୁ ପ୍ରକାଶ ପାଇଲା । ଘରର ମାଲିକିଆଣୀ ତାଠାରୁ ଛ’ ମାସର ଭଡ଼ା ଆଗତୁରା ନେଇନେଲେ । ପାଣୁ ନାଏକ ଝିଅ ସହିତ ସେହି ଘରେ ଆଜୀବନ କଟାଇବ ବୋଲି କହିଲା ।

 

କାଳସ୍ରୋତରେ କେତେ ସପ୍ତାହ ବିତିଗଲା । ସେ ଘରେ ପାଣୁ ନାଏକ ଓ ରମା ଆନନ୍ଦରେ କାଳ କଟାଇଲେ । ରମାକୁ ପାଠ ପଢ଼ାଇବା ଏବଂ ଖେଳାଇବା ପାଣୁ ନାଏକର ପ୍ରଧାନ କାର୍ଯ୍ୟ ହେଲା । ରମା ଖେଳିଲାବେଳେ ପାଣୁ ନାଏକ ଖୁବ୍‌ ଖୁସିରେ ତା ପାଖେ ବସି ଚାହିଁଥାଏ । ବାସ୍ତବରେ ରମାକୁ ପାଇଲା ଦିନଠାରୁ ସେ ତା ଜୀବନର ଗୋଟାଏ ମୂଲ୍ୟ ପ୍ରଥମେ ଅନୁଭବ କରି ଶିଖିଲା ।

 

ପାଣୁ ନାଏକ ଘର ଭିତରୁ ଦିନବେଳେ କେବେ ପଦାକୁ ବାହାରେ ନାହିଁ । ସନ୍ଧ୍ୟା ହେଲା ପରେ, ସେ ରମାକୁ ସଙ୍ଗରେ ଧରି, ଜନାକୀର୍ଣ୍ଣ ଗଳିମାନ ଛାଡ଼ି ବାହାରକୁ ବୁଲିବାକୁ ଯାଏ । ଘର ମାଲିକିଆଣୀଙ୍କ ପୋଇଲି ପାଣୁ ନାଏକ ଠାରୁ କିଛି ବକ୍‍ସିସ୍‌ ପାଇ ତା ଘର ଓଳେଇବା, ରୋଷେଇ କରିବା, ଖାଇବାକୁ ଦେବା ଆଦି କାମ କରିଦିଏ । ପାଣୁ ନାଏକ ନିତାନ୍ତ ଦରିଦ୍ର ଲୋକ ପରି ଚଳେ; ଛୋଟ ଲୁଗା ପିନ୍ଧେ, କନ୍ଥାରେ କୁରୁତା ତିଆରି କରାଇ ଦେହରେ ଦିଏ । ସେ ବୁଲିଗଲା ବେଳେ ଲୋକେ ତାକୁ ଭିକାରୀ ମନେ କରି, ତା ହାତରେ ପଇସାଏ, ଅଧଲାଏ ଦିଅନ୍ତି । ସେ ମଧ୍ୟ ଆଗ୍ରହରେ ତାହା ଗ୍ରହଣ କରେ । ତଥାପି ସେ ନିଜେ ଭିକାରୀଙ୍କୁ ଭିକ ଦେବାରେ ବିମୁଖ ହୁଏ ନାହିଁ-। ଦୁଃଖୀ ଲୋକଙ୍କୁ ଦେଖିଲେ, ଚାରିଆଡ଼କୁ ଚାହିଁ, କେହି ନ ଦେଖିଲା ବେଳେ, ସେ ଟଙ୍କାଏ ମସାଏ ଦାନ କରେ; କିନ୍ତୁ ତାର ଏ ଦାନ ବିଷୟ ବେଶି ଦିନ ଛପି ରହିଲା ନାହିଁ । ଫଳରେ ତାର ‘‘ଭିକାରୀ ଦାତା’’ ନାମ ହୋଇଗଲା ।

 

ଘରର ମାଲିକିଆଣୀ ପାଣୁ ନାଏକକୁ ସର୍ବଦା ସନ୍ଦେହ ଚକ୍ଷୁରେ ଦେଖୁଥିଲେ । ସେଥିପାଇଁ ସେ ବେଳେ ବେଳେ କବାଟ ଫାଟବାଟେ ପାଣୁ ନାଏକ ଘର ଭିତରକୁ ଚାହାନ୍ତି । ଦିନେ ସେ ଚାହିଁ ଦେଖିଲେ, ପାଣୁ ନାଏକ ତା କୁରୁତା ପକେଟରୁ ଗୋଟିଏ କତୁରୀ ବାହାର କରି, କୁରୁତା ମଝିରେ ଗୋଟିଏ କଣା କଲା ଏବଂ ସେହି କଣା ବାଟେ ଖଣ୍ଡିଏ ନୋଟ କାଗଜ କାଢ଼ିଆଣି, ପୁଣି କୁରୁତା ସିଲେଇ କରିଦେଲା । ମାଲିକିଆଣୀ ଚିହ୍ନିଲେ ଯେ କାଗଜ ଖଣ୍ଡିଏ ଗୋଟିଏ ହଜାର ଟଙ୍କିଆ ନୋଟ । ତାଙ୍କ ସ୍ୱାମୀ କାଠ ବ୍ୟବସାୟ କଲାବେଳେ ସେ ଥରେ ଦୁଇଥର ହଜାର ଟଙ୍କିଆ ନୋଟ ଆଖିରେ ଦେଖିଥିଲେ । ସେ ପାଣୁ ନାଏକ ହାତରେ ନୋଟ ଖଣ୍ଡିକ ଦେଖି ଚମକି ପଡ଼ିଲେ । ପାଣୁ ନାଏକ ବୁଝିପାରିଲା ଯେ ସେ ଧରା ପଡ଼ିଯାଇଛି । ତହୁଁ ସେ ନୋଟ ଖଣ୍ଡ ଭଙ୍ଗାଇବାକୁ ନେଇ ସେହି ମାଲିକିଆଣୀଙ୍କ ପାଖକୁ ଗଲା ଏବଂ କହିଲା, ‘‘ଏ ହଜାରଟି ଟଙ୍କା ମୋ ଜୀବନଯାକର ସଞ୍ଚୟ ।’’ ତାର ସେ ଟଙ୍କା ବିଷୟ କିଛି ଦିନ ପରେ ସାହି ତମାମ ରାଷ୍ଟ୍ର ହୋଇଗଲା ।

 

ଦିନେ ବାରିପଟେ ଖରାରେ ବସି ରମା ଖେଳୁଛି, ପାଣୁ ନାଏକ ତା ଖେଳ ଦେଖୁଛି ଏବଂ ପୋଇଲୀ ଘର ଭିତର ଓଳାଉଛି, ମାଲିକିଆଣୀ ଆସି ପାଣୁ ନାଏକ କୋଠରୀରେ ପହଞ୍ଚିଲେ-। ସେ ଦେଖିଲେ, ତା କୁରୁତାଟି ଗୋଟିଏ କାଠିରେ ଝୁଲୁଛି । ସେ ପୋଇଲୀକୁ ଗୋପନରେ ଅନ୍ୟଠାକୁ ପଠାଇଦେଇ, କୁରୁତା ପରୀକ୍ଷା କରିବାରେ ଲାଗିଲେ । କୁରୁତା ଭିତରେ ସିଲେଇ ହୋଇ ଯେ ଅନେକଗୁଡ଼ିଏ କାଗଜ ରହିଥିଲା, ତାହା ସେ ହାତରେ ଛୁଇଁ ଜାଣିପାରିଲେ । ସେ କାଗଜ ଛଡ଼ା, କୁରୁତା ପକେଟରେ ଛୁରି କତୁରି ଛୁଞ୍ଚି ସୂତା ଆଦି ଅନେକ ପଦାର୍ଥ ଥିଲା । ମାଲିକିଆଣୀ ଦେଖିସାରି ଛପି ଖସି ଚାଲିଗଲେ ।

 

ମଙ୍ଗଳବାଗ ଅଞ୍ଚଳରେ ଜଣେ ନିତାନ୍ତ ଦରିଦ୍ର ଲୋକ ଥିଲା । ସେ ପ୍ରତିଦିନ ଗୋଟାଏ କୂଅ ମୂଳେ ବସି ମାଳି ଜପେ ଏବଂ ଭିକ ମାଗେ । ଲୋକେ କହନ୍ତି, ସେ ଆଗେ ପୋଲିସ୍‌ ବିଭାଗରେ କାର୍ଯ୍ୟ କରୁଥିଲା ଏବଂ ଅବସର ନେବା ପରେ ବାବାଜୀ ହୋଇଛି । ଦିନେ ପାଣୁ ନାଏକ ତାକୁ ଭିକ ଦେବା ସମୟରେ, ସେ ମୁଣ୍ଡ ଟେକି ଥରେ ପାଣୁ ନାଏକ ଆଡ଼କୁ ଚାହିଁ, ପୁଣି ମୁଣ୍ଡ ପୋତିଦେଲା । ଦେଖି, ପାଣୁ ନାଏକ ଚମକି ପଡ଼ିଲା । ସେ ସେହି ମୁହଁ ଆଗରୁ କେଉଁଠାରେ ଦେଖିଛି ବୋଲି ଭାବିବାକୁ ଲାଗିଲା । ସେ କଥା ସେ ଯେତିକି ଭାବିଲା, ତା ଭୟ ସେତିକି ବଢ଼ିଲା । ବେଳେ ବେଳେ ସାହସ ବାନ୍ଧି ସେ ମନକୁ ମନ କହିଲା, ‘‘ମୁଁ କି ମୂର୍ଖ । ତା କଣ ସମ୍ଭବ ହୋଇପାରେ ? ତଥାପି ତା ମନ ମାନିଲା ନାହିଁ । ସେ ଯେ ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ରଙ୍କ ମୁହଁ, ତାହା ସେ ମୂହର୍ତ୍ତେ ଭାବି; ପୁଣି ଆର ମୁହୂର୍ତ୍ତକୁ ବିଶ୍ୱାସ କଲା ନାହିଁ । ସନ୍ଦେହ ଦୂର କରିବା ନିମନ୍ତେ ସେ ଆର ଦିନ ଭିକ୍ଷା ଧରି ପୁଣି ତା ପାଖକୁ ଗଲା । ଭିକ ପାଇ, ଭିକାରୀ ମୁହଁ ଟେକି ଚାହିଁଲା । ସେତେବେଳେ ପାଣୁ ନାଏକ ନିଶ୍ଚିତ ହୋଇ କହିଲା, ‘‘ମୋ ପରି ବୋକା ସଂସାରରେ ନ ଥିବେ । ମୁଁ ମିଛରେ ୟାକୁ ସେ ବୋଲି ଭାବି ଭୟରେ ଥରି ମରୁଚି ।’’

 

ସେ ଘଟଣାର କେତକ ଦିନ ପରେ, ଦିନେ ପାଣୁ ନାଏକ କୋଠରୀ ଭିତରେ ସନ୍ଧ୍ୟା ଆଠଟା ବେଳେ ରମାକୁ ଧରି ବସିଥିଲା, ହଠାତ୍‌ ବାହାରେ ପାଦ ଶବ୍ଦ ଶୁଣାଗଲା । ରାତିରେ ଆଲୁଅ ଜାଳିବା ଖର୍ଚ୍ଚରୁ ରକ୍ଷା ପାଇବା ନିମନ୍ତେ ଉପର ମହଲରେ ମାଲିକିଆଣୀ ସନ୍ଧ୍ୟା ହେବା ସଙ୍ଗେ ସଙ୍ଗେ ଶୋଇପଡ଼ନ୍ତି । ପୋଇଲୀ ମଧ୍ୟ ସେତେବେଳେ ବାହାରକୁ ବାହାରେ ନାହିଁ । ସୁତଂରା ସନ୍ଧ୍ୟା ପରେ ଦୁଆରେ ପାଦ ଶବ୍ଦ ଶୁଣି ପାଣୁ ନାଏକ ମନରେ ଟିକିଏ ଆଶଙ୍କା ଘୋଟିଲା । ସେ କବାଟ ପାଖକୁ ଯାଇ ଫାଟ ବାଟେ ଦେଖିଲା, ବାହାରେ କିଏ ଜହ୍ନ ପକ୍ଷରେ ସୁଦ୍ଧା; ଆଲୁଅଟାଏ ଧରି ଠିଆ ହୋଇଛି । ଚାହୁଁ ଚାହୁଁ ଆଲୁଅଟି ଅଦୃଶ୍ୟ ହୋଇଗଲା । ଅଥଚ ଦୁଆର ପାଖରୁ କେହି ଚାଲିଯିବାର ପାଦ ଶବ୍ଦ ଶୁଣାଗଲା ନାହିଁ । ପାଣୁ ନାଏକ ରାତି ସାରା ଶେଯରେ ପଡ଼ିରହି ଅନିଦ୍ରାରେ କଟାଇଲା । ପୁଣି ଖୁବ୍‌ ବଡ଼ିସକାଳୁ ଦୁଆରେ ଆଉଥରେ ପାଦ ଶବ୍ଦ ଶୁଣାଗଲା । କବାଟ ଫାଟବାଟେ ପାଣୁ ନାଏକ ଚାହିଁ ଦେଖିଲା, ଗୋଟାଏ ଲମ୍ବା ଚପକନ ପିନ୍ଧି, ମୁଣ୍ଡରେ ପଗଡ଼ି ବାନ୍ଧି, ଜଣେ ବୟସ୍କ ଲୋକ ଠିଆ ହୋଇଛି ଏବଂ ସାକ୍ଷାତ୍‌ ସର୍ଦ୍ଦାର ମହାପାତ୍ରଙ୍କ ପରି ଦିଶୁଛି; କିନ୍ତୁ ଲୋକଟି ବେଶି ସମୟ ରହିଲା ନାହିଁ ।

 

ସକାଳେ ପୋଇଲୀ କାମ କରିବାକୁ ଆସି ପଚାରିଲା, ‘‘କାଲି ରାତିରେ କିଏ ଜଣେ ଆସିଥିଲା, ତୁମେ ଜାଣିଚ ?’’ ପାଣୁ ନାଏକ ଖୁବ୍‌ ଧୈର୍ଯ୍ୟରେ କହିଲା ପରି ଉତ୍ତର ଦେଲା, ‘‘ଆସିଥିବ କିଏ ସେ ।’’

 

‘‘ପଡ଼ିଶାଘରେ ରହିବାକୁ ଜଣେ କିଏ ଆସିଚି ପରା ।’’

‘‘ତା ନାଁ ?

 

‘‘ମୁଁ କଣ ନାଁ ଫାଁ ଜାଣେ ?’’ ତେବେ ଏତିକି ଶୁଣିଚି ଯେ କଣ ଚାକିରି କରୁଥିଲା; ଆଉ ତୁମରି ପରି ପେନ୍‌ସନ୍‌ ପାଇ ଚଳୁଚି ।’’

 

ସେ କଥାରେ ଯେ ଗୋଟାଏ କିଛି ଅର୍ଥ ଅଛି, ପାଣୁ ନାଏକ ବେଶ୍‌ ବୁଝିପାରିଲା । ପୋଇଲୀ ଚାଲିଗଲା ପରେ ସେ ଗୋଛାଏ ନୋଟ୍‌ କାଗଜ ବାକ୍‌ସରୁ ବାହାରକରି ଏକତ୍ର ଗୁଡ଼ାଇ କୁରୁତା ପକେଟରେ ରଖିଲା । ସେ ଯେତେ ସାବଧାନ ହେବାକୁ ଚେଷ୍ଟା କଲା, ତା ନିଜ ହାତ ତାକୁ ସେତିକି ଧରା ପକାଇବାକୁ ବସିଲା । ତା ଅଣ୍ଟାରୁ ଗୋଟାଏ ମୋହର ଠଣ୍‌ କିନି ତଳେ ପଡ଼ି ଟଣଟଣ ଗଡ଼ି ଗଡ଼ି ଚାଲିଲା ।

 

ସେ ଦିନ ସନ୍ଧ୍ୟାରେ ଦାଣ୍ଡରେ କେହି ନ ଥିବା ସମୟରେ ପାଣୁ ନାଏକ ରମାକୁ କହିଲା, ‘‘ଆ’’ । ଦୁହେଁ ଏକ ସଙ୍ଗେ ଘରୁ ବାହାରିଗଲେ । ପାଣୁ ନାଏକ ସଦର ରାସ୍ତା ଛାଡ଼ି ଗଳି ଭିତରେ ପଶି ଚାଲିଲା । କୃଷ୍ଣପକ୍ଷ ପ୍ରତିପଦା ଚନ୍ଦ୍ର ଗଳିରେ ଗୋଟାଏ ପାଖ ଛାଇ କରି ଆର ପାଖେ ପଡ଼ିଥିଲା । ପାଣୁ ନାଏକ ରମାକୁ ଧରି ସେହି ଛାଇରେ ଛାଇରେ ଚାଲିଲା । ମଙ୍ଗଳାବାଗର ସେ ଘରକୁ ସେ ଆଉ ଫେରିବ ନାହିଁ ବୋଲି ସ୍ଥିର କରି ବାହାରି ଆସିଥିଲା । ବିଲୁଆ ଯେପରି ନିଜ ଗାତରୁ ବାହାରିଯାଇ, ବାଟରେ ବାଘ ହାବୁଡ଼େ ପଡ଼ିବା ଭୟରେ ଆଉ ଗୋଟାଏ ଗାତ ଖୋଜେ, ପାଣୁ ନାଏକ ସେହିପରି ଅନ୍ୟଠାରେ ଖଣ୍ଡିଏ କୁଡ଼ିଆ ଖୋଜି ଲାଗିଲା । ସେ ଯେଉଁ ଅଞ୍ଚଳରେ ଖୋଜି ବୁଲୁଥିଲା, ସେଠାରେ ଯେ ବସାଘର ନ ଥିଲା, ନୁହେଁ । କିନ୍ତୁ କୌଣସି ଘରେ ଆଶ୍ରୟ ନେବାକୁ ତାର ସାହସ ହେଲା ନାହିଁ । କାଳେ ପଛେ ପଛେ କେହି ଅନୁସରଣ କରି ଆସୁଥିବ ବୋଲି ସେ ଆଶଙ୍କା କରୁଥିଲା ।

 

କିଛି ବାଟ ଗଲା ପରେ, ସେ ଗଳିର ଅନ୍ଧାର ପାଖରେ, ରାତି ପ୍ରାୟ ଏଗାରଟା ବେଳେ ଦେଖିଲା, ତିନିଜଣ ଲୋକ ତା ପିଛା ଧରି ଆସୁଚନ୍ତି । ତାହା ଦେଖି ସେ ବାଟ କାଟି ଅନ୍ୟ ଏକ ଆଡ଼େ ଚାଲିଯାଇ, ଗୋଟାଏ ସୁବିଧାଜନକ ଜାଗାରେ ଲୁଚି ରହିଲା । ଖଣ୍ଡେ ଦୂରରେ ଜହ୍ନ ଆଲୁଅରେ ଚାରିଜଣ ଲୋକ ଠିଆ ହୋଇ ନିଜ ନିଜ ମଧ୍ୟରେ ଯୁକ୍ତି କରିବାକୁ ଲାଗିଲେ । ଜଣେ ପାଣୁ ନାଏକର ଲୁଚି ରହିଥିବା ସ୍ଥାନ ଆଡ଼କୁ ହାତ ଦେଖାଇଲା । ଆଉ ଜଣେ ତାର ଠିକ୍‌ ବିପରୀତ ଦିଗରେ ଯିବାକୁ ବସିଲା । ପ୍ରଥମ ଜଣକ ଯେତେବେଳେ ଆଲୁଅକୁ ମୁହଁ ଦେଖାଇ ଠିଆ ହେଲା, ପାଣୁ ନାଏକ ଦୂରରୁ ଦେଖି ଚିହ୍ନିଲା, ସେ ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ର ଛଡ଼ା ଆଉ କେହି ନୁହେଁ ।

 

ପାଣୁ ନାଏକର ସନ୍ଦେହ ଏକାବେଳକେ ଦୂର ହୋଇଗଲା । କିନ୍ତୁ ତା’ ସୌଭାଗ୍ୟକୁ ଅନୁସରଣକାରୀମାନେ ଆଗ ଅପେକ୍ଷା ଅଧିକ ସନ୍ଦେହରେ ପଡ଼ିଲେ । ସେମାନେ ସନ୍ଦେହରେ ପଡ଼ି ଯୁକ୍ତିତର୍କ କରୁଥିବା ସମୟରେ ପାଣୁ ନାଏକ କ୍ଳାନ୍ତ ଶ୍ରାନ୍ତ ରମାକୁ ପିଠିରେ ପକାଇ, ଲୁଚିଥିବା ସ୍ଥାନରୁ ଉଠି, ଖସି ଚାଲିଗଲା । ବାଟରେ ଗୋଟାଏ ଶଙ୍ଖ ପଡ଼ିଲା । ସେ ଶଙ୍ଖ ତିଆରି ଖର୍ଚ୍ଚ ଉଠାଇବା ନିମନ୍ତେ ଯାତାୟାତ କରୁଥିବା ଲୋକଙ୍କଠାରୁ ଜଣ ପ୍ରତି ପଇସାଏ କରି ମାସୁଲ ଅସୁଲ ହେଉଥିଲା । ପାଣୁ ନାଏକ ଜଗୁଆଳି ହାତରେ ପଇସାଏ ଦେଇ ଚାଲିଯିବାକୁ ବାହାରିଲା । ଜଗୁଆଳ କହିଲା, ‘‘ଦି ଜଣକୁ ପଇସାଏ କଣ ?’’ ଏ ଯେ ପିଲାକୁ ନେଉଚ; ତା ପାଇଁ ମଧ୍ୟ ମାସୁଲ ଦବାକୁ ହବ ।’’

 

ପାଣୁ ନାଏକ ଆଉ ଗୋଟାଏ ପଇସା ତରତରରେ ପକାଇଦେଇ ଗୋଟାଏ ଚାଲନ୍ତା ଶଗଡ଼ର ଛାଇ ଆଶ୍ରୟ କରି, ଶଙ୍ଖ ପାର ହୋଇଗଲା । ସେତେବେଳେ ରମା କହିଲା, ‘‘ମୋ ହାତ ଝିମ୍‌ଝିମ୍‌ ହେଇଗଲାଣି । ମୁଁ ଟିକିଏ, ଓହ୍ଲେଇବି ।’’ ପାଣୁ ନାଏକ ରମାକୁ ଓହ୍ଲାଇ, ଟିକିଏ ତଳେ ଠିଆ କରି ପୁଣି ଟେକି କାନ୍ଧରେ ବସାଇ, ଅଗ୍ରସର ହେବାକୁ ଲାଗିଲା । କିଛି ଦୂର ଯାଇ ସେ ଗୋଟାଏ ନିର୍ଜନ ଗଳିରେ ପହଞ୍ଚିଲା । ସେଠାରେ ଗୁଡ଼ାଏ ନୂଆ ଘର ତିଆରି ହେଉଥିଲା । ସେଥିପାଇଁ ଇଟା କାଠ ଆଦି ଗଦା ମରାହୋଇ ରହିଥିଲା । ସେହି ଗଳି ମୁଣ୍ଡେ ପହଞ୍ଚି, ପାଣୁ ନାଏକ ଥରେ ପଛକୁ ମୁହଁ ବୁଲାଇ ଚାହିଁଲା । ଦେଖିଲା, ଅନେକ ଦୂରରେ ଜହ୍ନ ଆଲୁଅରେ ଚାରିଜଣ ଲୋକ ଆସୁଛନ୍ତି । ସେ ଭୟରେ ଥରିଗଲା । କିନ୍ତୁ ସେହି ଗଳିରେ ଯାଇ ଆଶ୍ରୟ ନେଇପାରିଲେ, ସେ ନିରାପଦ ହେବ ବୋଲି ଆଶା କରିବାକୁ ଲାଗିଲା ।

 

ଗଳିରେ ପଶି, ପାଣୁ ନାଏକ ପ୍ରାୟ ଚାରି ଶହ ହାତ ଯିବା ପରେ ଗୋଟାଏ ଦୋବାଟି ପଡ଼ିଲା । ଯେଉଁ ବାଟେ ଗଲେ ଘର ଦୋକାନ ବଜାର ପଡ଼ିବ ନାହିଁ, ସେ ସେହି ବାଟ ଧଇଲା । କିନ୍ତୁ ରମା ପୁଣି କହିଲା, ‘‘ମୁଁ ଟିକିଏ ଓହ୍ଲେଇବି; ମୋ ପିଚା ପୋଡ଼ିଲାଣି ।’’ ସେ ମୁହୂର୍ତ୍ତରେ ଠିଆ ହେବାକୁ ସମୟ ନ ଥିଲା । ପାଣୁ ନାଏକ ରମାକୁ କାନ୍ଧରୁ ଖସାଇ, ପିଠିରେ ଧରି, ପୁଣି ଦ୍ରୁତ ଗତିରେ ଚାଲିବାକୁ ଲାଗିଲା । ରମା ପାଟି ଫିଟାଇଲା ନାହିଁ । ପାଣୁ ନାଏକ ବାରାମ୍ବାର ପଛକୁ ଚାହୁଁଥାଏ । ଅନେକ ସମୟ ପର୍ଯ୍ୟନ୍ତ ସେ କାହାରିକୁ ଦେଖିଲା ନାହିଁ, କିନ୍ତୁ କେତକ ସମୟ ପରେ ଅଳ୍ପ ଦୂରରେ କେହି ଜଣେ ଆସିବାର ଦେଖାଗଲା । ତହୁଁ ସେ ଧାଇଁବାକୁ ଲାଗିଲା । ଆଗରେ ଗୋଟାଏ ପ୍ରକାଣ୍ଡ ପାଚିରୀ ପଡ଼ିଲା । ସେ ନିରାଶ ହୋଇ ପଡ଼ୁଥିଲା, ମାତ୍ର ପାଚିରୀ ତଳେ ତଳେ ଦୁଇ ଆଡ଼େ ଦୁଇଟି ବାଟ ପଡ଼ିଥିବାର ଦେଖିଲା । ପ୍ରଥମେ ଡାହାଣଆଡ଼େ ନିରୀକ୍ଷଣ କରି ଚାହିଁଲା । ଦେଖିଲା ଖଣ୍ଡେ ଦୂର ଯାଇ ସେ ବାଟ ବନ୍ଦ । ତହୁଁ ମୁହୂର୍ତ୍ତେ ବିଳମ୍ବ ନ କରି ବାଁ ଆଡ଼କୁ ଚାଲିଲା; କିନ୍ତୁ କିଛି ବାଟ ଯାଇ ଦେଖିଲା ଯେ ଆଗରେ ଜଣେ ସିପାହୀ ଠିଆ ହୋଇଛି । ତହୁଁ ସେ ଯେଉଁ ପାଦ ଆଗକୁ ପକାଇଥିଲା ତାକୁ ଫେରାଇବାକୁ ବାଧ୍ୟ ହେଲା । ମାତ୍ର ପଛକୁ ଫେରିଲେ ଯେ ନିଷ୍କୃତି ଅଛି, ତା ମଧ୍ୟ ନୁହେଁ, କାରଣ ପଛରୁ ଯେଉଁମାନେ ଆସୁଥିଲେ, ସେମାନେ ଆସି ପହଞ୍ଚିବାକୁ ବେଶି ବିଳମ୍ବ ନ ଥିଲା ।

 

କିଛି ଉପାୟ ନ ପାଇ, ପାଣୁ ନାଏକ ଗୋଟିଏ ମେଲା ଡିହ ଭିତରେ ପଶିଗଲା । ସେଠାରେ ସେ ଲୁଚିରହି ଅନୁସରଣକାରୀମାନଙ୍କ ଦୃଷ୍ଟି ଏଡ଼ିପାରିବ, ତାର ସେ ଆଶା ଆଦୌ ନ ଥିଲା । ସେ ମେଲା ଡିହକୁ ଲାଗି ଗୋଟାଏ ପ୍ରକାଣ୍ଡ ପାଚିରୀ ଥିଲା । ପାଚିରୀ ଆର ପାଖେ ଗୋଟାଏ ଆମ୍ବଗଛ ଏବଂ ଏ ପାଖେ ଦୁଇ ତିନିଟା ଛୋଟିଆ ବୁଦା । ସେ ଯାଇ ସେ ବୁଦା ଭିତରେ ଆଶ୍ରୟ ନେଲା । କିନ୍ତୁ ସେଠାରେ ଯେ ନିରାପଦରେ ରହିପାରିବ, ତାର ସମ୍ଭାବନା ତାକୁ ଦେଖାଗଲା ନାହିଁ-। ଦୁଇ ଜଣ ସିପାହୀ ସେହି ବାଟେ ରାସ୍ତାରେ କଥାବାର୍ତ୍ତା ହୋଇଗଲେ । ଜଣେ ଆରଜଣକୁ କହିଲା, ‘‘ଭାଇ, ଏ ଦଉଡ଼ିଟା କାହିଁକି ବୋହିବୋହି ନେବି ? ଏଟା ଏଇଠେଇ ଥାଉ । ଆଗେ ଖୋଜି ବାହାର କରିବା, ବାନ୍ଧିବା ତ ପରର କଥା ।’’ କହି, ସେ ଆର ସିପାହୀ ସଙ୍ଗେ ତା ଖୋଜିବା କାର୍ଯ୍ୟରେ ଚାଲିଗଲା ।

 

ପାଣୁ ନାଏକ ବୁଝିଲା ଯେ ସିପାହୀମାନେ ଆଉ ଥରେ ସେଠାକୁ ଫେରିଆସିଲାବେଳେ ସେ ବୁଦା ମୂଳ ନ ଖୋଜି ଛାଡ଼ିବେ ନାହିଁ । ତା ଛାତି ପଡ଼ିଲା ଉଠିଲା । ପାଚିରୀ ଉପରେ କୌଣସି ପ୍ରକାରେ ଚଢ଼ିପାରିଲେ, ସେ ଆମ୍ବଗଛ ଡାଳ ଧରି ଯେ ଆର ପାଖେ ତଳକୁ ଓହ୍ଲାଇ ଯାଇପାରନ୍ତା, ସେ ଚିତ୍ର ସେ କଳ୍ପନାରେ ବେଶ୍‌ ଦେଖିଲା । ପାଚିରୀ ଚଢ଼ିବା ଅଭ୍ୟାସ ଯେ ତାର ନାହିଁ, ତା ନୁହେଁ । ସେ ଜେଲଖାନାର ପନ୍ଦର କୋଡ଼ିଏ ହାତ ଉଚ୍ଚ ପାଚିରୀମାନ ଡେଇଁ ଚାଲି ଆସିଛି । ସେ ପାଚିରୀଟା ଦଶ ହାତ ଖଣ୍ଡେ ଉଚ୍ଚ । ସେଟା ଡେଇଁ ଚାଲିବା ତା ପକ୍ଷେ ଆଦୌ କଷ୍ଟକର ନୁହେଁ; କିନ୍ତୁ ସେ ଯେ ରମାକୁ ଲାଞ୍ଜରେ ବାନ୍ଧିଛି; ତାକୁ ଧରି ପାଚିରୀ ଡେଇଁବ କିପରି ? ଗୋଟାଏ ଦଉଡ଼ି ପାଇଲେ, ପାଚିରୀ ଡେଇଁବା ଯେ ଅତି ସହଜ ହେବ, ସେ ବୁଝିପାରିଲା । ପାଣୁ ନାଏକ ଯଦି ଗୋଟାଏ ରାଜ୍ୟର ରାଜା ହୋଇଥାନ୍ତା, ସେ ମୁହୂର୍ତ୍ତରେ ଗୋଟିଏ ସାମାନ୍ୟ ଦଉଡ଼ି ସହିତ ରାଜ୍ୟଟି ବଦଳ କରି ନେଇଥାନ୍ତା ।

 

ସିପାହୀ ତା ସାଥୀ ସିପାହୀକୁ କହିଥିବା କଥା ପଦମାନ ପାଣୁ ନାଏକ କାନରେ ଟାଇଁଟାଇଁ ବାଜୁଥିଲା । ତହୁଁ ସେ ମନକୁ ମନ କହିଲା, ‘‘ଆଚ୍ଛା, ଥରେ ଶେଷ ଚେଷ୍ଟା କରେଁ ।’’ କହି ରମାକୁ ବୁଦା ଭିତରେ ଏକା ଛାଡ଼ି, ଗଳିକୁ ବାହାରିପଡ଼ିଲା । ସିପାହୀମାନେ ଖଣ୍ଡେ ଦୂରରେ ଘରକୁ ଘର ଖୋଜି ଆସୁଥିଲେ ଏବଂ ସେମାନଙ୍କ ଆଗରେ ସର୍ଦ୍ଦାରଙ୍କ ମୁଣ୍ଡ ଚାଖଣ୍ଡେ ଉପରକୁ ବଳି ଦେଖା ଯାଉଥିଲା । ସେମାନେ ଯେପରି ଗତିରେ ଆସୁଥିଲେ, ସେ ମେଲା ଡିହ ପାଖେ ପହଞ୍ଚିବାକୁ ତାଙ୍କୁ ପନ୍ଦର ମିନିଟ୍‌ରୁ ଊଣା ଲାଗିବ ନାହିଁ ବୋଲିପାଣୁ ନାଏକ ବୁଝିପାରିଲା । ସେ ବାଟରେ ଚାହିଁ ଦେଖିଲା, ଗୋଟାଏ ଝୋଟ ଦଉଡ଼ି ଗୋଲାକାରରେ ଗୁଡ଼ିଆହୋଇ ଚନ୍ଦ୍ର କିରଣରେ ପଡ଼ି ଦାଉ ଦାଉ ଦିଶୁଛି । ଚେରଟି ପରି ଗୁରୁଣ୍ଡି ଗୁରୁଣ୍ଡି, ସେହି ଦଉଡ଼ିଟି ଘେନି, ଧଇଁସଇଁ ହୋଇ ସେ ବୁଦା ମୂଳେ ରମା ପାଖେ ଆସି ପହଞ୍ଚିଲା । ତେବେ ସିପାହୀମାନେ ଘରକୁ ଘର ଖୋଜି ପାଟି କୋଳାହଳ କରୁଥିଲେ । ରମା ଭୟରେ ଥରି ଥରି କହିଲା, ‘‘ବାପା, ମୋତେ ଭାରି ଡର ଲାଗୁଚି । ସେ କିଏ ଆସୁଛି ?’’

 

‘‘ତୁନି ହୁଅ; ସେ ଦୀନା ସାହୁଆଣୀ ।’’ ରମା ଆହୁରି ଥରିବାକୁ ଲାଗିଲା । ପାଣୁ ନାଏକ କହିଲା, ‘‘ପାଟି ଫିଟେଇବୁ ନାହିଁ, ଝିଅ ତୋ ତୁଣ୍ଡ ଶୁଣିଲେ, ଆସି ତୋତେ ଧରି ନେଇଯିବ ।’’

 

ରମା ଭୟରେ ଥରହର ହେଉଛି; ପାଟିକରି କାନ୍ଦିଲେ ଯେ ସାନ୍ତ୍ୱନା ପାଆନ୍ତା; ସେ କାନ୍ଦକୁ ଚାପିରଖି ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ କମ୍ପୁଛି; ଅବାକ୍ ହୋଇ ବାପଆଡ଼କୁ ଚାହିଁ ରହିଛି; ପାଣୁ ନାଏକ ଦଉଡ଼ିକୁ ଫିଟାଇ, ତାର ଗୋଟାଏ ମୁଣ୍ଡ ଦାନ୍ତରେ କାମୁଡ଼ିଧରି, ହାତ ଏବଂ ଗୋଡ଼ରେ ଠେସଦେଇ ନିଶୁଣିରେ ଉଠିଲା ପରି ଉଠିଯାଇ, ମୁହୂର୍ତ୍ତକ ମଧ୍ୟରେ ପାଚିରୀ ଉପରେ ବସିଲା । ଆମ୍ବ ଗଛ ଡାଳରେ ଦଉଡ଼ି ଅଗଟି ବାନ୍ଧି ସେ ପୁଣି କ୍ଷଣକ ମଧ୍ୟରେ ତଳକୁ ଓହ୍ଲାଇ ଆସିଲା । ରମାକୁ କହିଲା, ‘‘କାନ୍ଦିବୁ ନାହିଁ । ମୋ ପିଠିରେ ଲାଉ ହ ।’’

 

ରମାକୁ ପିଠିରେ ପକାଇ ଏବଂ ତା ଦୁଇ ହାତ ନିଜ ଗଳା ପାଖେ ବାଁ ହାତରେ ଏକତ୍ର ଭିଡ଼ିଧରି, ପାଣୁ ନାଏକ ଡାହାଣ ହାତରେ ଗଛରୁ ଝୁଲୁଥିବା ଦଉଡ଼ିଟିକ ମୁଠାଇ ଧଇଲା । ତା ପରେ ଗୋଡ଼ରେ ଠେସ ଦେଇ ଏବଂ ଦଉଡ଼ିଟିକି ବଳେ ବଳେ କାଖରେ ଚିପି ଧରି ସେ କ୍ରମେ କ୍ରମେ ଉଠିବାକୁ ଲାଗିଲା । ରମା ଦୀନା ସାହୁଆଣୀ ନାମ ଶୁଣି ଭୟରେ ବରଫ ହୋଇ ରହିଥିଲା । ସୁତରାଂ ତାର କାନ୍ଦିବାର କିମ୍ବା ଡରିବାର ଶକ୍ତି ନ ଥିଲା । ପାଚିରୀ ଉପରକୁ ଯିବାପାଇଁ ପାଣୁ ନାଏକକୁ ପ୍ରାୟ ପାଞ୍ଚ ମିନିଟ୍‌ ଲାଗିଗଲା । ସିପାହୀମାନଙ୍କ ସ୍ୱର କ୍ରମେ ନିକଟବର୍ତ୍ତୀ ହେଲା । ପାଣୁ ନାଏକ ଅବିଳମ୍ବେ ଦଉଡ଼ିଟା ଟେକିଆଣି, ଗଛରୁ ଫିଟାଇ, ପାଚିରୀ ଭିତର ପାଖକୁ ପକାଇଦେଲା ଏବଂ ନିଜେ ରମାକୁ ପିଠିରେ ବହି ଗଛଡାଳ ଧରି ଧରି ତଳେ ଯାଇ ଠିଆ ହେଲା । ଠିକ୍‌ ସେହି ସମୟରେ, ପାଚିରୀ ଆର ପାଖେ, ବାଟରେ ସର୍ଦ୍ଦାର ମହାପାତ୍ରଙ୍କ ପାଟି ଶୁଣାଗଲା, ‘‘ଖୋଜ ସେଇ ବୁଦା ମୂଳ । ଆଉ ଯାଆନ୍ତା କୁଆଡ଼େ ? ସବୁଆଡ଼େ ତ ଜଗୁଆଳ ଜଗିଚନ୍ତି, ଯେତେ ବାଟ ସବୁ ଛକି ଘେରୋଉ କରିଛନ୍ତି ।’’

Image

 

୨୦

ଦେଉଳ ବେଢ଼ାରେ ଦୈତ୍ୟ

 

ପାଣୁ ନାଏକ ପାଚେରୀରୁ ଓହ୍ଲାଇ ଯେଉଁଠାରେ ପାଦ ପକାଇଲା, ତାହା ଗୋଟାଏ ବିସ୍ତୀର୍ଣ୍ଣ ବଗିଚାର ସଂକୀର୍ଣ୍ଣ କୋଣ ମାତ୍ର । ଜହ୍ନ ଆଲୁଅରେ ସେ ଦେଖିପାରିଲା ଯେ ସେହି ବଗିଚା ଭିତରେ ଖଣ୍ଡେ ଦୂରରେ ଅନେକଗୁଡ଼ିଏ ଘର ଅଛି । ସେ ଘରେ ଗୋଟିଏ ଆଲୁଅ ଜଳିବାର ମଧ୍ୟ ତାକୁ ଦେଖାଗଲା । ସେ ସ୍ଥାନଟା କଣ ଓ ସେ ଘର କାହାର, ସେ ଭାବି କିଛି ଠିକ୍‌ କରିପାରିଲା ନାହିଁ । ରମା ଘଟଣା କିଛି ବୁଝି ନ ପାରି କେବଳ ଭୟରେ ବାପାକୁ ଭିଡ଼ି ଧରିବାରେ ଲାଗିଛି । ତେଣେ ପାଚିରୀ ସେ ପାଖେ ସିପାହୀମାନେ ଅନୁସନ୍ଧାନରେ ବିଫଳ ହୋଇ ନିଜ ନିଜ ମଧ୍ୟରେ ପାଟି ଓ ଗଣ୍ଡଗୋଳ କରିବାରେ ବ୍ୟସ୍ତ ଅଛନ୍ତି । କେହି କେହି, ପାଣୁ ନାଏକ ଧରା ପଡ଼ିଲେ, ତାକୁ ବାନ୍ଧି ନେଇଯିବା ନିମନ୍ତେ ଯେଉଁ ଦଉଡ଼ିଟା ଆଣିଥିଲେ, ତାକୁ ଖୋଜିବାରେ ଲାଗିଛନ୍ତି । ଦଉଡ଼ି ଯାହା ହାତରେ ଥିଲା ସେ କହିଲା, ‘‘ମୁଁ ଏଇଠି ରଖିଦେଇ ଗଲି ।’’ ତା ସଙ୍ଗରେ ଦ୍ୱିତୀୟ ସିପାହୀ ଆସିଥିଲା ସେ କହିଲା, ‘‘ହଁ, ହଜୁର, ମୁଁ ଦେଖିଚି, ସେ ଠିକ୍‌ ଏଇଠି ଥୋଇଦେଇ ଗଲା ।’’ ଶୁଣି ମହାପାତ୍ରେ ବିରକ୍ତ ହୋଇ କହିଲେ, ‘‘ତେବେ ତା ଛଡ଼ା ଆଉ କେହି ନୁହେଁ । ସେଇ ପାଣୁଆ ଦଉଡ଼ିଟା ନେଇ ଚାଲିଯାଇଚି । ଖୋଜ ଭଲ କରି ଦେଖ । ସେ ଏଇଠି କୋଉଠି ଅଛି ।’’

 

ଏଣେ ବଗିଚା ଭିତର ଘରୁ ବିପରୀତ ପ୍ରକାର ସ୍ୱର ଶୁଣାଗଲା । ସତେ ଅବା ସ୍ୱର୍ଗରୁ ଅମୃତ ଝରିଆସିଲା; ନାରୀ କଣ୍ଠର ସଙ୍ଗୀତ ଧ୍ୱନି ଶୁଭିଲା; ଉପାସନା ମନ୍ତ୍ର ପଦ ପଦ ହୋଇ ଆସି ପାଣୁ ନାଏକ କର୍ଣ୍ଣ କୁହରରେ ପ୍ରବେଶ କରିବାକୁ ଲାଗିଲା । କ୍ଷଣକ ନିମନ୍ତେ ପାଣୁ ନାଏକ ଅନୁଭବ କଲା, ଯେପରି ତା ରମାକୁ ଉଦ୍ଧାର କରିନେବା ନିମନ୍ତେ ସ୍ୱର୍ଗରୁ ଅପ୍‌ସରାମାନେ ଗୀତ ଗାଇ ଓହ୍ଲାଇ ଆସୁଛନ୍ତି । ସୁତରାଂ ସେ ନିଜେ ବିଭୁ ସଙ୍ଗୀତରୁ ପଦେ ରୁକ୍ଷ କଣ୍ଠରେ ଅତି କ୍ଷୀଣ ସ୍ୱରରେ ଗାଇ ବସିଲା । ରମା ଭୟରେ ଥରିଥରି ସେଥିରେ ନିଜ କ୍ଷୀଣ କମ୍ପିତ ସ୍ୱରଟି ମିଶାଇଲା ।

 

କିଛି ସମୟ ପରେ ପୁଣି ସବୁ ନିସ୍ତବ୍‍ଧ ହୋଇ ରହିଲା; ବଗିଚା ଭିତର ସଙ୍ଗୀତ ଧ୍ୱନି ବନ୍ଦ ହୋଇଗଲା ଓ ବାହାରେ ସିପାହୀମାନଙ୍କ କୋଳାହଳ ଆଉ ଶୁଣାଗଲା ନାହିଁ । ପାଣୁ ନାଏକ ଦେହରୁ କୁରୁତାଟି ବାହାର କରି ରମାକୁ ଘୋଡ଼ାଇ ଦେଲା । ଶୀତଳ ପବନ ସୁଲୁସୁଲୁ ବହୁଥିଲା ଏବଂ ଭୟତ୍ରସ୍ତ ରମା ଦେହକୁ ଆହୁରି କମ୍ପାଉଥିଲା । ପାଣୁ ନାଏକ କହିଲା, ‘‘ମା’ ତୁ ଏଠେଇ ଟିକିଏ ରହ କି, ମୁଁ ଏଇ କ୍ଷଣକ ଭିତରେ ଯାଇ ଫେରିଆସୁଛି ।’’

 

କୌଣସି ଏକ ଆଶ୍ରୟ ପାଇଲେ ରମାକୁ ଟିକିଏ ଶୁଆଇ ଦେବ ମନେକରି, ପାଣୁ ନାଏକ ସ୍ଥାନ ଖୋଜିବାକୁ ବାହାରିଲା । ସୁତରାଂ ସେ ବଗିଚା ଭିତରର ସେହି ଘର ନିକଟକୁ ଗଲା । ସେ ଯାଇ ପଞ୍ଜର ବାଟେ ଦେଖିଲା, ଘର ଭିତରେ ଖଣ୍ଡିଏ ପୁରୁଣା ଖଟ ପଡ଼ିଛି ଓ ତହିଁରେ ଜଣେ ଲୋକ ମୁହଁ ମାଡ଼ି ଶୋଇରହିଛି; ଉପରେ ଖଣ୍ଡିଏ ଧଳା ଲୁଗା ତା ଦେହକୁ ଘୋଡ଼ାଇ ରଖିଛି; ପାଖରେ ଗୋଟିଏ ଦୀପ ମିଞ୍ଜିମିଞ୍ଜି ଜଳୁଛି; ଘର ଭିତରେ ଆଉ ଜନପ୍ରାଣୀ କେହି ନାହାନ୍ତି । ପାଣୁ ନାଏକ ମନରେ ଭୟ ଜନ୍ମିଲା । ଶୋଇଥିବା ଲୋକଟି ବଞ୍ଚିଛି କି ମରିଛି, ସେ ବୁଝିପାରିଲା ନାହିଁ ।

 

ପାଣୁ ନାଏକ ସେଠାରେ ରହିବାକୁ ସାହସ କଲା ନାହିଁ । ତହୁଁ ସେ ଧାଇଁ ରମା ବସିଥିବା ସ୍ଥାନକୁ ଫେରିଆସିଲା । କିନ୍ତୁ ସେ ଠିଆ ହୋଇପାରିଲା ନାହିଁ, ପଡ଼ିଗଲା । ତା ଦେହ ତମାମ ଝାଳରେ ତିନ୍ତିଗଲା । ସେ ମନେ ମନେ ଭାବିବାକୁ ଲାଗିଲା, ‘‘ଏଟା କି ଘର ? ମୁଁ କଣ ସତେ ସର୍ଦ୍ଦାର ହାବୁଡ଼ରୁ ବର୍ତ୍ତିଆସିଚି ନା ଏ ସବୁ କେବଳ ସ୍ୱପ୍ନ ?’’ ଏହିପରି ଭାବି ଭାବି, ଦୁଃଖ ଓ ନୈରାଶରେ ଶେଷ ସୀମାରେ ସେ ଯେତେବେଳେ ପହଞ୍ଚିଲା, ପର୍ବତ ଉପରେ ଚଢ଼ି ପୁଣି ଆର ପାଖେ ତଳକୁ ଓହ୍ଲାଇଗଲା ପରି, ପାଣୁ ନାଏକ ଟିକିଏ ଶାନ୍ତି ଲାଭ କଲା । ରମା ଶୋଇପଡ଼ିଥିଲା । ସେ ବସି ତା ମୁଣ୍ଡ ଆଉଁଷି କହିଲା, ‘‘ଆହା କି ଦୁଃଖ ନ ପାଇଲୁ ।’’ କହି, ତା ଖଦଡ଼ା ହାତରେ ଆଖି ପୋଛିବାକୁ ଲାଗିଲା ।

 

ପାଣୁ ନାଏକ ଆଖି ପୋଛିସାରି ଚାହିଁ ଶୁଣିଲା ଖଣ୍ଡେ ଦୂରରେ ଘଣ୍ଟି ବାଜୁଛି । ବଗିଚା ଭିତରେ ଜଣେ ଲୋକ ଚାଲିବାର ଦେଖାଗଲା । ମୁହୂର୍ତ୍ତକ ପୂର୍ବେ ସେଠାରେ ସେ ମନୁଷ୍ୟର ଚିହ୍ନ ନ ଦେଖି ଭୀତ ହେଉଥିଲା । ବର୍ତ୍ତମାନ ମନୁଷ୍ୟ ଦେଖି, ଭୟ ଦୂର କରିବା ପରିବର୍ତ୍ତେ, ସେ ଆହୁରି ଅଧିକ ଭୀତ ହୋଇପଡ଼ିଲା । ସେ ମନେ ମନେ ଭାବିଲା, ‘‘ସର୍ଦ୍ଦାର ମହାପାତ୍ର ପାଚିରୀ ସେ ପଟେ ବାଘ ଛକିବସିଲା ପରି ବସିଥିବ । ଏ ଲୋକ ଏଠେଇ ମତେ ଦେଖି ହଲା କଲେ, ଧରା ପଡ଼ିଯିବା ଛଡ଼ା ଆଉ ଅନ୍ୟ ଗତି ନାହିଁ ।’’ ତହୁଁ ସେ ଲୋକଟାକୁ ନିରୀକ୍ଷଣ କରି ଚାହିଁବାକୁ ଲାଗିଲା । ଦେଖିଲା, ତା ପାଦ ଯେପରି ପଡ଼ୁଛି ଉଠୁଛି, ଘଣ୍ଟି ମଧ୍ୟ ସେହି ଅନୁକ୍ରମେ ବାଜୁଛି । ସେ ବୁଝିପାରିଲା ଯେ ଘଣ୍ଟାଟା ସେ ଲୋକର ଗୋଡ଼ରେ ବନ୍ଧା ହୋଇଛି । କିନ୍ତୁ ରାତି ଅଧରେ ଗୋଟାଏ ନିର୍ଜନ ବଗିଚା ମଧ୍ୟରେ ଜାନୁଘଣ୍ଟିଆ ଯେ କାହିଁକି ଆସି ବୁଲିବ ସେ ଭାବି ସ୍ଥିର କରିପାରିଲା ନାହିଁ । ଲୋକଟା କ୍ରମେ ତା ଆଡ଼କୁ ଅଗ୍ରସର ହେଲା । ହଠାତ୍‌ ଧରାପଡ଼ିବା ପରିବର୍ତ୍ତେ ସେ ସେଠାରୁ ଖସି ପଳାଇବା ଆପାତତଃ ସଙ୍ଗତବୋଧ ହେଲା । ରମାକୁ ଉଠାଇବାକୁ ତା ଦେହରେ ହାତ ଛୁଆଁଇ ଦେଖିଲା, ବିଲ୍‌କୁଲ୍‌ କାକର ହୋଇ ରହିଛି ।

 

ସେ ରମାକୁ ନାମ ଧରି ଡାକିଲା । ରମା ଉତ୍ତର ଦେଲା ନାହିଁ କି ଆଖି ଫିଟାଇ ଚାହିଁଲା ନାହିଁ । ତହୁଁ ସେ ତାକୁ ଝଙ୍କି ଉଠାଇବାକୁ ଚେଷ୍ଟା କଲା ତଥାପି ସେ ଚାହିଁଲା ନାହିଁ । ପାଣୁ ନାଏକର କଲିଜା ପାଣି ଫାଟିଗଲା । ସେ ମନକୁ ମନ କହିଲା, ‘‘କଣ, ଏ ଦୃଶ୍ୟର ଶେଷ ଏଇଠେଇ ? ମରିଯାଇଚି ?’’

 

ସେ ରମା ନାକ ପାଖେ ହାତ ଦେଇ ଦେଖିଲା, ନିଃଶ୍ୱାସ ଯିବାଆସିବା କରୁଛି; ନାଡ଼ି ଛୁଇଁ ବୁଝିଲା, ଚାଲୁଚି; କିନ୍ତୁ ତା ହାତ ଗୋଡ଼ ଥଣ୍ଡା ହୋଇଯାଇଥିଲା । ତାର ସନ୍ନିପାତ ହେଲା ବୋଲି ପାଣୁ ନାଏକର ଆଶଙ୍କା ହେଲା । ନିଆଁ ଜାଳି ତାକୁ ନ ସେକିଲେ ସେ ବଞ୍ଚିପାରିବ ନାହିଁ, ପାଣୁ ନାଏକ ସ୍ପଷ୍ଟ ଜାଣିପାରିଲା । ସୁତରାଂ ତା ନିଜ ଜୀବନ ପଛକେ ଯାଉ, ସେ ରମାର ଜୀବନ ରକ୍ଷା କରିବା ନିମନ୍ତେ ସେ ଲୋକଟି ପାଖକୁ ଧାଇଁଯାଇଁ କହିଲା, ‘‘ଶହେ ଟଙ୍କା ଦେବି, ମୋତେ ରାତିଟା ରହିବାକୁ ସ୍ଥାନ ଖଣ୍ଡିଏ ଦିଅ ।’’ ଚନ୍ଦ୍ର-କିରଣରେ ପାଣୁ ନାଏକର ମୁହଁ ସଫା ଦେଖାଗଲା । ଲୋକଟି ଚମକିପଡ଼ି କହିଲା, ‘‘ଦେବାନ ଆଜ୍ଞା, ତୁମେ ଯେ ଏଠେଇ ?’’

 

ପାଣୁ ନାଏକ ଏତେ ଦିନ ଯେଉଁ ନାମଟାକୁ ଘୃଣା ଓ ଭୟ କରୁଥିଲା, ହଠାତ୍‌ ଅଚିହ୍ନା ମୁହଁରେ ନିଜର ସେ ନାମ ଶୁଣି, ପଛକୁ ହଟିଗଲା । ସେ ବୁଝିପାରିଲା ଯେ ଧରାପଡ଼ିଛି; ଆଉ ଉପାୟ ନାହିଁ । ତଥାପି ସେ ସାହସ ବାନ୍ଧି ପଚାରିଲା, ‘‘ତୁମେ କିଏ ? ଏଟା କି ଘର ?’’

 

‘‘ତୁମେ ଆପଣ କଣ ଜାଣି ନାହଁ ? ମୋତେ ଚିହ୍ନିପାରୁ ନାହଁ, ମୋ ପ୍ରାଣ ପରା ରଖିଥିଲ-? ମୋତେ ପରା ଚିଠି ଲେଖି ଏଇ ଚାକିରିରେ ରଖେଇ ଦେଇଥିଲେ ?’’ ପାଣୁ ନାଏକ ଚିହ୍ନିଲା, ସେ ବୁଢ଼ା ବାସୁଦାସ । ସେହି ବାସୁଦାସକୁ ସାରଙ୍ଗଗଡ଼ର ଦେବାନ ଧନଞ୍ଜୟ ରାଏ ଦିନେ ଶଗଡ଼ ତଳୁ କାଢ଼ି ବଞ୍ଚାଇଥିଲେ । ତାକୁ ଚିହ୍ନିଲା ପରେ ପାଣୁ ନାଏକ କହିଲା, ‘‘ଦାସେ, ଏଠେଇ କି କାମ କର ତୁମେ ?’’

 

‘‘ମାଳୀ କାମ କରେ ପରା । ଆଉ ଆପଣ କିମିତି ଆସିଲ, ଏ ଭିତରକୁ ?’’ ଉତ୍ତର ନ ଦେଇ ପାଣୁ ନାଏକ ନାନା ପ୍ରଶ୍ନ ପଚାରିବାକୁ ଲାଗିଲା । ସେ ସବୁ ପ୍ରଶ୍ନର ଉତ୍ତରରେ ବାସୁଦାସ ଯାହା କହିଲା ତାର ସାରାଂଶ ଏହି- ‘‘ଏଟା ଗୋଟାଏ ବଡ଼ ମଠ । ଏ ମଠରେ ବାବାଜୀ ନାହାନ୍ତି କି କେବେ ବାବାଜୀଙ୍କ ଛାଇ ପଡ଼େ ନାହିଁ । ଏଠେଇ ଖାଲି ମାତାମାନେ ରହନ୍ତି । ସେମାନେ ପୁରୁଷର ମୁହଁ ଚାହାନ୍ତି ନାହିଁ । ସେଥିପାଇଁ ମୁଁ ଗୋଡ଼ରେ ଘଣ୍ଟି ବାନ୍ଧିଚି । ଘଣ୍ଟି ଶବ୍ଦ ଶୁଣିଲେ, ମୁଁ ଯାଉଚି ବୋଲି ଜାଣି, ସେମାନେ ଆଡ଼େଇ ହେଇଯାଆନ୍ତି । ତୁମେ ତ ମୋତେ ରଖେଇ ଦେଇଥିଲ । କଣ ପାସୋରି ଦେଲଣି ?’’ ସେ ସବୁ ବର୍ଣ୍ଣନା ଶୁଣିବାରେ ପାଣୁ ନାଏକର ପୂର୍ବ କଥାମାନ ଧୀରେ ଧୀରେ ମନେ ପଡ଼ିଲା; ସେ ଯେ ଦୁଇ ବର୍ଷ ପୂର୍ବେ ବାସୁଦାସକୁ କଟକ ମାତା ମଠରେ ମାଳୀ କାମରେ ରଖାଇ ଦେଇଥିଲା, ତାର ସ୍ମରଣ ହେଲା ।

 

ବାସୁଦାସ ପଚାରିଲା, ‘‘ଦେବାନ ମହାରାଜ, ଆପଣ ଏ ଭିତରକୁ ଆସିଲ କିମିତି ? କେହି ତ ଜାଣିଶୁଣି କେବେ ଛାଡ଼ି ନ ଥିବେ ।’’

 

‘‘ସେ କଥା ପରେ ଶୁଣିମ । ଦେଖ, ଦିନେ ମୁଁ ତୁମ ପ୍ରାଣ ରଖିଥିଲି । ତୁମେ ବର୍ତ୍ତମାନ ମୋ ପ୍ରାଣ ରଖ ।’’

 

‘‘ତୁମେ ମୋର ଯେ ଉପକାର କରିଚ ମୁଁ କଣ ଏ ଜନ୍ମରେ ଶୁଝିପାରିବି ? ହେଲେ ଯାହା କହିବ, କରିବି । କଣ କହୁଚ, କହ ।’’

 

‘‘ତୁମେ କେଉଁଠି ରହୁଚ ?’’

 

ବଗିଚା ଭିତରେ ମୋର ଗୋଟିଏ ଛୋଟିଆ କୁଡ଼ିଆ ଘର ଅଛି । ତିନି ବଖରାକୁ ଜଣେ ଏକା ମୁଁ ।’’ ଶୁଣି ପାଣୁ ନାଏକ ଧୀରେ ଧୀରେ କହିଲା, ‘‘ବେଶ୍‌ । ଶୁଣ, ଦୁଇଟି କଥା ମନେ ରଖ । ଗୋଟିଏ, ତୁମେ ମୋ ବିଷୟ କିଛି କାହାକୁ କହିବ ନାହିଁ; ଆରଟି, ମୋ ବିଷୟରେ ଯାହା ଜାଣିଚ, ତାଠୁ ଅଧିକ କିଛି ମୋତେ ପଚାରିବ ନାହିଁ ।’’

 

‘‘ହଉ, ଆପଣ ମହତ୍‌ ଲୋକ, ମୁନିଋଷିଙ୍କ ସଙ୍ଗେ ସମାନ । ଆପଣ କଣ କିଛି ଅନ୍ୟାୟ କରିବେ ? ତା’ ପରେ ତୁମେ ପୁଣି ମୋତେ ଏ ଚାକିରିରେ ରଖେଇ ଦେଇଚ । ତୁମେ ଯାହା କହିବ, ମୁଁ କରିବି ।’’

 

‘‘ଆଚ୍ଛା ତେବେ ଆସ; ମୋ ପିଲାଟିକି ଘେନି ଆସିବା ।’’

 

‘‘ଆଁ, ଆଉ କଣ ଫେରେ ପିଲାଟିଏ ଅଛି, ନା କଣ ?’’ ବିସ୍ମୟ ସେତିକିରେ ପ୍ରକାଶ କରି, ଆଉ କିଛି ନ କହି, ବାସୁଦାସ ପାଣୁ ନାଏକ ପଛେପଛେ ତା ବେତନଭୋଗୀ ଭୃତ୍ୟ ପରି ଅନୁସରଣ କରି ଚାଲିଲା । କେତକ ସମୟ ପରେ ମାଳୀ ଶେଯରେ ଶୋଇ ରମା ପୁଣି ଆନନ୍ଦରେ ସ୍ୱପ୍ନ ଦେଖିବାକୁ ଲାଗିଲା । ମାଳୀ ପାଣୁ ନାଏକ ଶୋଇବା ନିମନ୍ତେ ତଳେ କିଛି ପାଳ ବିଛାଇ ଦେଲା ଓ ନିଜେ ମଧ୍ୟ ପାଳ ବିଛାଇ ତା ପାଖେ ଶୋଇଲା । ନିଦ ହେବା ପୂର୍ବରୁ ମାଳୀ ଯାହା ଯାହା କହିଲା, ତାର ସାରାଂଶ- ‘‘ଦେବାନ ମହାରାଜ, ଆପଣ ମୋତେ ଦେଖିଲାକ୍ଷଣି ଚିହ୍ନି ପାରିଲେ ନାହିଁ-। ତୁମେ ଲୋକଙ୍କ ପ୍ରାଣ ରଖୁଚ; ପରେ ପୁଣି ତାଙ୍କୁ ଭୁଲି ଯାଉଚ । ଏଟା ଭାରି ଅନ୍ୟାୟ ।’’

Image

 

୨୧

ପୁଣି ଖୋଜା ତନଖା ଚାଲିଲା

 

ଏ ପର୍ଯ୍ୟନ୍ତ ଚିତ୍ରର କେବଳ ଗୋଟାଏ ପାଖ ଦେଖାଗଲା । ରାଧାର ମୃତ୍ୟୁଶଯ୍ୟା ନିକଟରୁ ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ର ଯେଉଁଦିନ ପାଣୁ ନାଏକକୁ ଧରିନେଲେ, ପାଣୁ ନାଏକ ଜେଲଖାନାକୁ ଯାଇ ସେଠାରୁ ଖସି ପଳାଇଗଲା । ପୋଲିସ୍‌ ବିଭାଗ କର୍ମଚାରୀମାନେ ମନେ କଲେ ଯେ ସେ କଟକ ଯାଇଥିବ । ସେଥିପାଇଁ ସର୍ଦ୍ଦାର ମହାପାତ୍ର କଟକ ଯାଇ ତାକୁ ଖୋଜାଇବାରେ ଲାଗିଲେ । ସେ ଖୋଜିବାଟା ଅବଶ୍ୟ ବିଫଳ ହେଲା । କିନ୍ତୁ ତାଙ୍କ ଦକ୍ଷତା ଦେଖି, କଟୁଆଳ ବିଭାଗର ବଡ଼ କର୍ମଚାରୀ ତାଙ୍କୁ କଟକ ସହରରେ ରଖିନେଲେ । କଟକରେ ନୂତନ କର୍ମକ୍ଷେତ୍ର ପାଇ ସର୍ଦ୍ଦାର ମହାପାତ୍ର ପାଣୁ ନାଏକ କଥା ଏକାବେଳକେ ଭୁଲିଗଲେ । ତା ପରେ ୧୨୫୬ ସାଲ ଶୀତକାଳ ଆରମ୍ଭରେ ସେ ଯେତେବେଳେ ଶୁଣିଲେ ଯେ ପାଣୁ ନାଏକ ଧାମରା ବନ୍ଦରଠାରେ ଜାହାଜରୁ ପଡ଼ି ପାଣିରେ ବୁଡ଼ି ମରିଗଲା ଏବଂ ସେ ମର୍ମରେ ଏକ ସରକାରୀ ଇସ୍ତାହାର ମଧ୍ୟ ସ୍ୱଚକ୍ଷୁରେ ଦେଖିଲେ, ସେ କହିଲେ, ‘‘କଟୁଆଳ ହାତରୁ ରକ୍ଷା ପାଇବାର ଏକ ଶ୍ରେଷ୍ଠ ଉପାୟ ।’’

 

କିନ୍ତୁ କିଛିଦିନ ପରେ ଜଜାରସିଂହ ଦୀନା ସାହୁ ଘରୁ କେହି ଜଣେ ଲୋକ ତା ପାଳିତା କନ୍ୟା ରମାକୁ ଘେନି ପଳାଇବା ସମ୍ବାଦ କଟୁଆଳ ବିଭାଗ କର୍ମଚାରୀଙ୍କ ପାଖେ ପହଞ୍ଚିଲା । ତା ଜନ୍ମକଲା ମା’ ରାଧା ଯେ କୌଣସିଠାରେ ଚିକିତ୍ସାଳୟରେ ମରିଥିଲା, ସେ ସମ୍ବାଦ ଜଣାଥିଲା । ଖବର ସବୁ ଏକତ୍ର ହୋଇ ଯେତେବେଳେ ସର୍ଦ୍ଦାରଙ୍କ ଆଗରେ ଥୁଆଗଲା, ସେ ଗଭୀର ଚିନ୍ତାରେ ବୁଡ଼ି ବସି ରହିଲେ । ସେ ରାଧାର ନାମ ଜାଣିଥିଲେ । ପାଣୁ ନାଏକ ତା ପିଲାକୁ ଆଣିବ ବୋଲି ଯେ ତିନିଦିନ ସମୟ ମାଗୁଥିଲା, ତାଙ୍କ ମନେ ପଡ଼ିଗଲା । କଟକରୁ ଜଜାରସିଂହ ଆଡ଼କୁ ଯିବା ବାଟରେ ଥରେ ପାଣୁ ନାଏକ ଧରା ହୋଇଥିଲା । ସର୍ଦ୍ଦାର ସବୁ ବିଷୟ ଏକାଠି ଗୁନ୍ଥି ଠିକ୍‌ କଲେ ଯେ ରାଧା ଝିଅ ରମା ଦୀନା ସାହୁ ଘରେ ଜଜାରସିଂହରେ ଥିଲା । ତାକୁ ପାଣୁ ନାଏକ ଚୋରାଇ ଆଣିଥିବା ସମ୍ଭବପର; କିନ୍ତୁ ପାଣୁ ନାଏକ ପରା ମରିଯାଇଥିଲା । ତଥାପି ସେ ମୁହୂର୍ତ୍ତେ ସମୟ ନଷ୍ଟ ନ କରି ଜଜାରସିଂହ ଚାଲିଗଲେ । ସେଠାରେ ଯେତେ ତଦନ୍ତ କଲେ ତାଙ୍କର ସନ୍ଦେହ ଦୂର ହେଲା ନାହିଁ । ରମାକୁ କିଏ ଚୋରାଇନେଇଛି କହିଲେ, ନିଜ ଉପରକୁ ଦୋଷ ଆସିବ ଜାଣି, ଦୀନା ସାହୁ କହିଲା, ‘‘ରମାକୁ ତ ଅଜା ଆସି ନେଇ ଯାଇଚି ।’’ ଶୁଣି, ସର୍ଦ୍ଦାର ମହାପାତ୍ର ମନକୁ ମନ କହିଲା, ‘‘ନା, ଏଟାପାଣୁ ନାଏକ ନୁହେଁ । ସେ ନିଶ୍ଚୟ ମରିଯାଇଚି । ମୁଁ ଗୋଟାଏ ବଳଦ । ବୃଥା ଏତେ ଭୁଆଁ ବୁଲିଲି ।’’

 

ବର୍ଷକ ମଧ୍ୟରେ ପାଣୁ ନାଏକ ବିଷୟରେ ସମସ୍ତ କଥା ପ୍ରାୟ ପାସୋରିଦେଲା ବେଳକୁ, ସେ କଟକ ମଙ୍ଗଳବାଗର ସେହି ‘‘ଭିକାରୀ ଦାତା’’ କଥା ଦିନେ ହଠାତ୍‌ ଶୁଣିଲେ । ସେ ଆହୁରି ମଧ୍ୟ ଶୁଣିଲେ ଯେ ତା ସାଙ୍ଗରେ ଆଠ ବର୍ଷର ଗୋଟିଏ ବାଳିକା ଅଛି ଏବଂ ସେ ବାଳିକା ଜଜାରସିଂହରୁ ଆସିଛି । ସେହି ଭିକାରୀ ଦାତା ହାତରେ ଲକ୍ଷ ଲକ୍ଷ ଟଙ୍କା ଅଛି ବୋଲି ମଧ୍ୟ ତାଙ୍କୁ ଖବର ମିଳିଲା । ସେ ସମୟ ନଷ୍ଟ ନ କରି, ଛିଣ୍ଡା ନେଙ୍କଡ଼ା କନା ପିନ୍ଧି, ଭିକାରୀ ବେଶରେ, ମଙ୍ଗଳବାଗର ଗୋଟିଏ କୂଅ ପାଖରେ ଯାଇ ବସିଲେ । ସେହିଠାରେ ପାଣୁ ନାଏକ ତାଙ୍କୁ ଭିକ ଦେବାକୁ ଗଲା । ସେତେବେଳେ ପାଣୁ ନାଏକ ତାଙ୍କୁ ଦେଖି ଯେପରି ସନ୍ଦେହରେ ଚମକି ପଡ଼ିଲା, ସେ ମଧ୍ୟ ପାଣୁ ନାଏକକୁ ଦେଖି ଚିହ୍ନିପାରି, ହଠାତ୍‌ ଚମକି ପଡ଼ିଲେ; କିନ୍ତୁ ସେତିକିରେ ସର୍ଦ୍ଦାରଙ୍କ ସନ୍ଦେହ ମୋଚନ ହେଲା ନାହିଁ । ସେ ତାକୁ ସୁବିଧାରେ ଛକିବା ନିମନ୍ତେ ତା ବସା ପାଖେ ଖଣ୍ଡିଏ ବସାଘର ନେଇ ରହିବାକୁ ଗଲେ । ପ୍ରଥମ ଦିନ ସନ୍ଧ୍ୟାବେଳେ ସେ ଗୋଟିଏ ଆଲୁଅ ଧରି ଯେତେବେଳେ ପାଣୁ ନାଏକ ଦ୍ୱାରେ ପହଞ୍ଚିଲେ, ପାଣୁ ନାଏକ ଫାଟବାଟେ ତାଙ୍କୁ ଦେଖି ଏକ ମହା ସଙ୍କଟରେ ପଡ଼ିଗଲା-

 

ପାଣୁ ନାଏକ ମଙ୍ଗଳବାଗ ବସାଘର ଛାଡ଼ି ଯେଉଁଦିନ ରାତିରେ ପଳାଇ ଆସିଲା, ସର୍ଦ୍ଦାର ମହାପାତ୍ର ଦୁଇଜଣ ଲୋକ ନେଇ ତା ଘର ପାଖେ ଜଗିଥିଲେ, ସୁତରାଂ ସେ ପଳାଇ ଆସିବା ସଙ୍ଗେ ସଙ୍ଗେ ତାକୁ ଅନୁସରଣ କରିବାରେ ଲାଗିଲେ । ଅଥଚ ସେ ପାଣୁ ନାଏକକୁ ସେହିଠାରେ ଧରି ବନ୍ଦୀ କଲେ ନାହିଁ । ସେ ଜଣେ ଧର୍ମପରାୟଣ ବ୍ୟକ୍ତି । ଅନ୍ୟାୟରେ ନିରପରାଧୀକୁ ବନ୍ଦୀ କରିବା ତାଙ୍କର କାର୍ଯ୍ୟ ନୁହେଁ । ସେଥିପାଇଁ ସେ ଠିକ୍‌ ରୂପେ ଚିହ୍ନିଲା ପର୍ଯ୍ୟନ୍ତ ଅପେକ୍ଷା କରି ରହି, କେବଳ ଅନୁସରଣ କରିବାରେ ଲାଗିଲେ । ମାତାମଠ ପାଖ ଗଳିରେ ପାଣୁ ନାଏକ ମେଲା ଡିହରେ ଠିକ୍‌ ପଶିବା ବେଳେ, ସେ ଖଣ୍ଡେ ଦୂରରୁ ତାକୁ ଚନ୍ଦ୍ର କିରଣରେ ସ୍ପଷ୍ଟ ରୂପେ ଦେଖି ନିଃସନ୍ଦେହ ଭାବରେ ଚିହ୍ନି ପକାଇଲେ । ମାତ୍ର ସିପାହୀମାନେ ସଙ୍ଗରେ ନ ଥିବାରୁ ସେମାନଙ୍କୁ ଡାକିବାକୁ ସେ ଯେତେବେଳେ ପଛକୁ ମୁହଁ ବୁଲାଇଲେ, ସେହି ଅବସରରେ ପାଣୁ ନାଏକ ଅଦୃଶ୍ୟ ହୋଇଗଲା ।

 

ପାଣୁ ନାଏକ ଖସି ଚାଲିଯିବାର ଦେଖି ସର୍ଦ୍ଦାର ମର୍ମାହତ ହୋଇପଡ଼ିଲେ । କିନ୍ତୁ ସେ ଯେ ବେଶି ଦୂର ଯାଇନାହିଁ, ସର୍ଦ୍ଦାର ସ୍ପଷ୍ଟ ବୁଝିପାରିଲେ । ସେ ଏଘର ସେଘର ଏଗଳି ସେଗଳି ଖୋଜି ବୁଲିବାକୁ ଲାଗିଲେ । ସତେ ଯେପରି ସେ ଗୋଟାଏ ହଜିଲା ଛୁଞ୍ଚି ଖୋଜୁଛନ୍ତି, ସେହିପରି ଭାବରେ ଚାରିଆଡ଼େ ନିରୀକ୍ଷଣ କରିଗଲେ । ଖୋଜୁଖୋଜୁ ରାତି ପାହିଯିବାରୁ ଦୁଇ ଜଣ ସିପାହୀ ବସାଇଦେଇ, ନିଜେ ମୁଣ୍ଡ ପୋତି ଚୋରଟି ପରି, ଛାତିଫଟା ଦୁଃଖରେ ଫାଣ୍ଡିକି ଫେରିଲେ ।

Image

 

୨୨

ମୁଁ ପାରିବି ନାହିଁ

 

କଟକରେ ବର୍ତ୍ତମାନ ଯେଉଁଠାରେ ଗୋପାଳଜୀ ମଠ ଅଛି, ସେଠାରୁ କିଛି ଦୂର ଦକ୍ଷିଣକୁ, ପ୍ରାୟ ଅଶୀ ନବେ ବର୍ଷ ପୂର୍ବେ ଗୋଟିଏ ପ୍ରକାଣ୍ଡ ବଗିଚା ଥିଲା ଓ ତା ମଧ୍ୟରେ ଗୋଟିଏ ବହୁକାଳରେ ପୁରୁଣା ଭଙ୍ଗୋନ୍ମୁଖ ମଠ ରହିଥିଲା । ମଠଟିରେ ବାବାଜୀ ରହୁ ନ ଥିଲେ, ଥିଲେ କେବଳ ମାତାମାନେ । ଚୈତନ୍ୟ ଦେବଙ୍କ ସହାୟତାରେ ପ୍ରତାପରୁଦ୍ର ଦେବ ବୈଷ୍ଣବ ଧର୍ମର ପତାକା ଓଡ଼ିଶାରେ ଉଡ଼ାଇଲା ଦିନୁ, ବୈଷ୍ଣବମାନଙ୍କ ନିମନ୍ତେ ସ୍ଥାନେ ସ୍ଥାନେ ଯେପରି ମଠମାନ ରହିଥିଲା, କେବଳ ମାତାମାନେ ପୂଜା ଧ୍ୟାନରେ ସମୟ କଟାଇବା ଲାଗି କଟକ ସହରରେ ଓ ପୁରୀଧାମରେ ସେହିପରି ଦୁଇଟି ମାତାମଠ ସ୍ଥାପିତ ହୋଇଥିଲା । ପୁରୀ ମାତାମଠ ବର୍ତ୍ତମାନ ନାମରେ ମାତ୍ର ପଡ଼ିରହିଛି ଏବଂ ମାତା ପରିବର୍ତ୍ତେ ବାବାଜୀମାନଙ୍କ ଆଶ୍ରୟସ୍ଥଳରେ ପରିଣତ ହୋଇଛି । କିନ୍ତୁ କଟକ ମାତାମଠରଅସ୍ତିତ୍ୱ ଏକାବେଳକେ ଲୋପ ପାଇଯାଇଛି କହିଲେ ଚଳେ ।

 

କଟକ ମାତାମଠ ଥିଲାବେଳେ ସେଠାରେ ଅଳ୍ପ ବୟସର ବାଳିକାମାନଙ୍କୁ ବାଛି ଗ୍ରହଣ କରାଯାଉଥିଲା । ଚିର ଜୀବନ ଅବିବାହିତ ରହି ଯେଉଁମାନେ ଧର୍ମରେ ମନ ଦେବାକୁ ଇଚ୍ଛା କରୁଥିଲେ, ସେହିମାନେ ହିଁ ଅତି ବାଲ୍ୟ ବୟସରୁ ସେଠାରେ ସ୍ଥାନ ପାଉଥିଲେ । ଅନେକ ବାଳବିଧବା ଘରେ ସଂସାରର ସୁଖବିଳାସ ଭିତରେ ନ ରହି, ମଠରେ ଯାଇ ଭଗବାନ୍‌ଙ୍କ ଆରାଧନାରେ କାଳ କଟାଇବାକୁ ପସନ୍ଦ କରୁଥିଲେ । ମଠରେ ପୁରୁଷମାନଙ୍କ ପାଦ ତ ଦୂରର କଥା, ଛାଇ ମଧ୍ୟ ପଡ଼ିବାକୁ ବିଶେଷ ଭାବରେ ମନା ଥିଲା । କେବଳ ବଗିଚା ମାଳୀ ବିଷୟରେ ଏ କଠୋର ନିୟମର ଏକ ସାମାନ୍ୟ ଅତିରିକ୍ତ ରୂପେ ସ୍ୱତନ୍ତ୍ର ବିଧାନ କରାଯାଇଥିଲା ।

 

ମଠର ସଦର ଦ୍ୱାର ଗୋଟିଏ ଗଳିଆଡ଼କୁ ଥିଲା । କେହି ମଠରେ ପ୍ରବେଶ କରିବାକୁ ଇଚ୍ଛା କଲେ. ସଦରଦ୍ୱାର ପାଖେ ତାକୁ ଗୋଟିଏ ଘଣ୍ଟିରେ ହାତ ମାରି ବଜାଇବାକୁ ହୁଏ । ଘଣ୍ଟି ବାଜିଲା ମାତ୍ରେ ଭିତରୁ ଗୋଟିଏ କୋମଳ ନାରୀ କଣ୍ଠର ସ୍ୱର ଶୁଣାଯାଏ, ‘‘କିଏ’’ ? ମଠ ଭିତରକୁ ଯିବା ନିମନ୍ତେ ଗୋଟିଏ ଗୁପ୍ତ ଠାର ଥାଏ । ଘଣ୍ଟି ବଜାଇବା ଲୋକର ପରିଚୟ ଅନୁସାରେ ଭିତରୁ ପୁଣି ସ୍ୱର ଶୁଣାଯାଏ, ‘‘ଡାହାଣ ଆଡ଼କୁ ଯାଇ ଚୋରି ଦୁଆର ବାଟେ ଆସ ।’’ ଚୋରିଦ୍ୱାର ବାଟେ ଭିତରକୁ ଗଲେ, ଗୋଟାଏ ନିତାନ୍ତ ଅନ୍ଧାର ଘରେ ପଶିବାକୁ ହୁଏ । ସେ ଅନ୍ଧାରଘର ଭିତରୁ ମଠ ଅଗଣାକୁ କେତେଗୁଡ଼ିଏ ନିତାନ୍ତ ଛୋଟ ଛୋଟ କଣା କାନ୍ଥରେ ରହିଥାଏ । ସେ କଣାବାଟେ କଥା କହି ନିଜର ପରିଚୟ ଦେଲେ, ଭିତର ପାଖୁ ଗୋଟିଏ ଦ୍ୱାର ଫିଟେ । ସେହି ଦ୍ୱାର ବାଟେ ସେ ଅନ୍ଧାର ଘର ମଧ୍ୟରୁ ମଠର ଅଗଣାକୁ ଯିବାକୁ ହୁଏ ।

 

ମଠରେ ଚଳିବା ନିମନ୍ତେ ଅନେକଗୁଡ଼ିଏ ନିୟମ ଲିପିବଦ୍ଧ ହୋଇ ରହିଥାଏ । ବାଳିକାମାନେ ପଢ଼ାଶୁଣା କରି ଜ୍ଞାନ ଉପାର୍ଜନ କଲା ପରେ ଦୀକ୍ଷା ଗ୍ରହଣ କରି ମାତା ହୁଅନ୍ତି । ମାତା ହେଲା ପରେ ସେମାନଙ୍କୁ ଗେରୁଆ ଲୁଗା ପିନ୍ଧିବାକୁ ହୁଏ । ମାତାମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହେଲେ, ଈଶ୍ୱର ଆରାଧନାରେ କାଳେ ଅନ୍ୟମନସ୍କ ହେବେ, ସେଥିପାଇଁ ସେମାନେ କଥା କହନ୍ତି ନାହିଁ; କେବଳ ଠାରରେ ମନୋଭାବ ବ୍ୟକ୍ତ କରନ୍ତି । ବାଳିକାମାନେ ପାଠ ପଢ଼ନ୍ତି, ଗୀତ ଗାଆନ୍ତି, ଆବଶ୍ୟକ ବେଳେ ହସ କୌତୁକରେ ଯୋଗ ଦିଅନ୍ତି, ସଫା ଧୋବା ଲୁଗା ପିନ୍ଧିବାକୁ ପାଆନ୍ତି । ସମସ୍ତେ ନିରାମିଷ ଖାଆନ୍ତି । ମଠର ବ୍ୟୟ ନିମନ୍ତେ ଜମି ଖଞ୍ଜା ଥାଏ । ରାଣୀମାତା ବାଳିକାମାନଙ୍କୁ ପଢ଼ାନ୍ତି ଓ ମଠ ପରିଚାଳନା ବୁଝନ୍ତି । ସେ ଏକା ସବୁବେଳେ କଥା କହିପାରନ୍ତି । ପୁରୁଷ ଲୋକଙ୍କ ସଙ୍ଗେ ଦେଖା ସାକ୍ଷାତ୍‌ ଓ କଥାବାର୍ତ୍ତା କରିବାକୁ ମଠ ମଧ୍ୟରେ ଏକମାତ୍ର ତାଙ୍କରି ଅଧିକାର ଥାଏ ।

 

ସେହି ମଠର ବଗିଚା ଭିତରେ ଘଟଣାଚକ୍ରରେ ପାଣୁ ନାଏକକୁ ହଠାତ୍‌ ଆସି ଉପସ୍ଥିତ ହେବାକୁ ପଡ଼ିଲା । ବଗିଚାରେ ପାଦ ପକାଇବା ମାତ୍ରେ ସେ ଯେଉଁ ସଙ୍ଗୀତ ଶୁଣିଲା, ତାହା ଛାତ୍ରୀମାନଙ୍କ ଉପାସନା ଧ୍ୱନି । ସେ ଘର ଭିତରେ ଯେଉଁ ଲୋକ ଶୋଇବାର ଦେଖି, ବଞ୍ଚିଛି କି ମରିଯାଇଛି ବୋଲି ସନ୍ଦେହରେ ପଡ଼ିଥିଲା, ସେ ଲୋକ ପ୍ରକୃତରେ ଜୀବନ୍ତ ମାନବ ନୁହେଁ । ମାତାମାନଙ୍କୁ ମୃତ୍ୟୁ ବିଷୟରେ ସର୍ବଦା ସ୍ମରଣ କରାଇବା ନିମନ୍ତେ ମୃତ ବ୍ୟକ୍ତିର ଏକ ପଥର ନିର୍ମିତ ମୂର୍ତ୍ତି ମଠ ମଧ୍ୟରେ ରଖାଯାଇଥାଏ । ମଠର ପ୍ରତ୍ୟେକ ମାତା ଏବଂ ଛାତ୍ରୀ ପ୍ରତିଦିନ ସେ ମୂର୍ତ୍ତି ଦର୍ଶନ କରନ୍ତି ।

 

ବାସୁଦେବ ସଙ୍ଗେ ତାର ଚିହ୍ନାଚିହ୍ନି ହୋଇଯିବା ପରେ, ପାଣୁ ନାଏକ କହିଲା, ‘‘ମୁଁ ଏଣିକି ଏଇଠେଇ ରହିଯିବି । ଏଠାରୁ ଆଉ ସୁବିଧା ଥାନ ମତେ ମିଳିବ ନାହିଁ ।’’ ବାସ୍ତବରେ ପାଣୁ ନାଏକ ପରି ଅବସ୍ଥାରେ ପଡ଼ିଥିବା ଲୋକ ପକ୍ଷେ ସେପରି ଗୋଟାଏ ମଠ ଛଡ଼ା ଅନ୍ୟ କୌଣସିଠାରେ ନିରାପଦ ସ୍ଥାନ ମିଳିବା ସମ୍ଭବପର ନୁହେଁ; କିନ୍ତୁ ତାହାହିଁ ବାସୁଦେବ ପକ୍ଷେ ଭାବନାର ବିଷୟ ହୋଇପଡ଼ିଲା । ସେ ରାତିଯାକ ନ ଶୋଇ ପୂର୍ବ ପରିଚିତ ଦେବାନଙ୍କ ବିଷୟରେ ନାନା କଥା ଚିନ୍ତା କରିବାରେ ଲାଗିଲା । ସେ ଭାବିଲା, ‘‘ଦେବାନ କିପରି ଏ ଭିତରକୁ ଆସିଲେ ? ଏ ପିଲାଟି କିଏ ?’’ ରାତିଯାକ ନାନାପ୍ରଶ୍ନ ତା ମନରେ ଉଦୟ ହେଲା; କିନ୍ତୁ କୌଣସିଟାରେ ସନ୍ତୋଷଜନକ ଉତ୍ତର ତାକୁ ମିଳିଲା ନାହିଁ । ତହୁଁ ସେ ଶେଷରେ କହିଲା, ‘‘ଯାହାହେଉ, ଦେବାନ ତ ମୋ ଜୀବନ ରଖିଚନ୍ତି, ବର୍ତ୍ତମାନ ମୋ ପାଳି ।’’

 

ବାସୁଦେବ ଜୀବନ ସାରା ନିଜ ସ୍ୱାର୍ଥଛଡ଼ା ଆଉ କିଛି କେବେ ବୁଝି ନାହିଁ, ସାରା ଜୀବନରେ ପାହୁଲାଟିଏ କେବେ ଦାନ କରି ନାହିଁ, ସତ କଥା ପଦେ କେବେହେଁ କହିନାହିଁ; କିନ୍ତୁ ଦୁଇବର୍ଷ କାଳ ମଠରେ ରହି, ଧର୍ମପ୍ରାଣା ମାତାମାନଙ୍କୁ ଦେଖି ତା ଜୀବନର ଗତି କେତକ ପରିମାଣରେ ବଦଳିଥିଲା ପରି ବୋଧହୁଏ । ସୁତରାଂ ସେ ପାଣୁ ନାଏକକୁ ଦେଖି, ଦେବାନଙ୍କ ପୂର୍ବ ଋଣ ଶୁଝାଇବ ବୋଲି ମନେ ମନେ ସ୍ଥିର କଲା । ସେ ସକାଳେ ଶେଯରୁ ଉଠି ପ୍ରଥମ ପ୍ରଶ୍ନ ପଚାରିଲା, ଆଚ୍ଛା, କହ ଦେଖି, ଦେବାନ ମହାରଜା, ଏଠି ତୁମେ କିପରି ଚଳିବ ବୋଲି ଭାବିଚ ?’’ ତା ପରେ ଉଭୟଙ୍କ ମଧ୍ୟରେ ଅନେକ କଥାବାର୍ତ୍ତା ହେଲା । ଶେଷରେ ବାସୁଦେବ କହିଲା, ‘‘ତୁମେ, କି ତୁମର ପିଲାଟି ଘରୁ ବାହାରି ପଦାରେ ପାଦ ପକେଇବ ନାହିଁ । ପଦାକୁ ବାହାରିଲେଇ ବିପତ୍ତି । ବିପତ୍ତି ତ ଘଟି ସାରନ୍ତାଣି । ତୁମେ ଭାରି ସୁବିଧା ସମୟରେ ଆସି ଯାଇଚ । ଜଣେ ବଡ଼ମାତାଙ୍କ ଦେହ ଖୁବ୍‌ ଖରାପ ଅଛି, ବଞ୍ଚିଲେ ବଞ୍ଚିଲା ପରି । ସେଥିରେ ଆଉ ସମସ୍ତେ ବ୍ୟସ୍ତ ଅଛନ୍ତି । ନୋହିଲେ, କି ତୁମେ ଆଜି ଧରା ନ ପଡ଼ିଥାନ୍ତ ? ଆଜି ଦିନଟା ଏମିତି ଯିବ । କାଲିକି କଣ ହେଉଛି ଦେଖ ।’’

 

‘‘ତୁମ ଏ କୁଡ଼ିଆଟି ତ ଏକେ ଅନେକ ଦୂରରେ; ତା ପରେ ପୁଣି ଗଛ ଆଢ଼ୁଆଳରେ ଅଛି-। ମଠକୁ ଏଠା ଦେଖାଯାଉ ନଥିବ ?

 

‘‘ନା; ହେଲେ ସାନ ସାନ ପିଲାମାନେ ଯେ ଅଛନ୍ତି ରାଣୀମାତା କହନ୍ତି, ସେମାନେ ସବୁ ବାରୁଦ, ଟିକିକେ ଜଳି ଉଠିବେ ।’’

 

‘‘ସେମାନେ ପୁଣି କିଏ ?’’ ବାସୁଦେବ ଉତ୍ତର ଦେବାକୁ ପାଟି ଫିଟାଉଥିଲା । ହଠାତ୍‌ ମଠରେ କୋଳାହଳ ଶୁଣାଗଲା । ତହୁଁ ସେ କହିଲା, ‘‘ଏଇ, ମରିଗଲେ ପରା । ସେଇଥିପାଇଁ ମଠର ଛୋଟ ମାତାମାନେ ହରି ସଂକୀର୍ତ୍ତନ ଆରମ୍ଭ କଲେ । ଶୁଣ, ଶୁଭୁଚି ନା ? ହୁଏତ ସାନ ପିଲାମାନେ ମଠ ଭିତରୁ ଏ ଆଡ଼େ ବୁଲିଆସିବେ । ଆସିଲେଇ ତ ତୁମକୁ ଦେଖି ପକେଇବେ । ତାଙ୍କ ପାଟିରେ କିଏ ବାଡ଼ ବତା ଦବ ? ହଲା କରି କହିବେ, ‘‘ଏ ଗୋଟାଏ ପୁରୁଷ ଲୋକ’’ । ଆଜି ହୁଏତ ନ ଆସି ପାରନ୍ତି । କାହିଁକି ନା, ଆଜି ସମସ୍ତେ ହରି ସଂକୀର୍ତ୍ତନରେ ଲାଗିବେ; ମାତ୍ର କାଲିକି କିଏ, ତାଙ୍କୁ ରୋକି ପାରିବ ?’’

 

‘‘ଦାସେ, ଏଠି ବାଳିକାମାନେ ପଢ଼ନ୍ତି ନା ?’’

 

‘‘ହଁ । ଶୁଣି, ପାଣୁ ନାଏକ ମନେ ମନେ ଭାବିଲା, ‘‘ରମା ପାଇଁ ତାହାହେଲେ ଗୋଟାଏ ପାଠଶାଳା ସୁବିଧାରେ ମିଳିଯିବ । ଏଇ ମଠହିଁ ଆମକୁ ରକ୍ଷା କରିବ, ଦେଖୁଚି ।’’ ପାଣୁ ନାଏକକୁ ମନେ ମନେ କଣ ଭାବିବାର ଦେଖି ବାସୁଦାସ ପଚାରିଲା, ‘‘ଦେବାନ, କଣ ଭାବୁଚ ?’’

 

‘‘ଭାବୁଚି ଏଠେଇ ରହିବା ଟିକିଏ କଷ୍ଟ କଥା ।’’

 

‘‘ନା, ବାହାରିବା । ବର୍ତ୍ତମାନ ଏଠୁକୁ ଆସିବାକୁ ହେଲେ, ତୁମକୁ ଆଗେ ବାହାରିଯିବାକୁ ହବ । ସଦର ଦରଜାବାଟେ ନ ଆସିଲେ ଏଠି ତୁମର ଥାନ ନାହିଁ । ତୁମେ ଯେ ବାଟେ ଆସିଥିଲ, ସେ ବାଟେ ଯାଇପାରିବ ନାହିଁ ? କହିଲ ଦେଖି, କୋଉ ବାଟେ ଆସିଲ ?

 

ପାଣୁ ନାଏକ କଳା ପଡ଼ିଗଲା । ମଠରୁ ବାହାରି ସେହି ଗଳିକୁ ପୁଣି ଯିବା ଭାବନାରେ ସେ ଅସ୍ଥିର ହୋଇପଡ଼ିଲା । ସର୍ଦ୍ଦାର ମହାପାତ୍ର ଓ ତାଙ୍କ ସିପାହୀମାନଙ୍କ ଚିତ୍ର ତା ଆଖି ଆଗରେ ସ୍ପଷ୍ଟ ନାଚିଗଲା । ସେ କହିଲା, ‘‘ଦାସେ, ଧର ମୁଁ ଆକାଶରୁ ଖସି ପଡ଼ିଲି ।’’ ଶୁଣି, ବାସୁଦେବ କହିଲା, ମୁଁ ସିନା ବୁଝୁଚି ସେ କଥା; ସେ ରାଣ୍ଡୀଏ କଣ ବୁଝିବେ କି ? ତୁମ ଝିଅଟି ବେଶ୍‌ ନିଦରେ ଶୋଇଚି । ଆଚ୍ଛା, ୟା ନାଁ କଣ ?’’

 

‘‘ରମା ।’’

‘‘ଏ ତୁମ ଝିଅ ?’’ ନା; ମୁଁ ପଚାରୁଛି, ତୁମେ ତା ଅଜା, ନା ?’’

‘‘ହଁ ।’’

 

‘‘ଝିଅ ! ୟାକୁ ବାହାରକୁ ନବା ସହଜ । ମୁଁ ମୋ ଟୋକେଇରେ ପୂରେଇ ମୁଣ୍ଡେଇ ନେଇଯାଇପାରେ । ତୁମେ ମନା କରିଦେଇଥିବ । ପାଟିତୁଣ୍ଡ କରିବ ନାହିଁ । ମୋର ଜଣେ ଆପଣାର ଲୋକ ଏ ସହରରେ ଅଛି । ମୁଁ ଏ ପିଲାକୁ ନେଇ ତା ପାଖେ ଛାଡ଼ି ଦେଇଥିବି । ତୁମେ କାଲି ଆସିଲାବେଳେ ଏ ତୁମ ସାଥିରେ ଆସିବ । ତୁମେ ଆଜି ଯାଅ କି, ମୁଁ କାଲି ତୁମକୁ ପୁଣି ଘେନିଆସିବି । ତେବେ କଥା ହେଉଚି, ତୁମେ ଯିବ କିପରି ?’’ ଶୁଣି ପାଣୁ ନାଏକ କେବଳ ଥରେ ମୁଣ୍ଡ ହଲାଇଲା, ଯେପରିକି ଲୋକେ ମହାଚିନ୍ତାରେ ପଡ଼ି କୌଣସି କଥା ସ୍ଥିର ନ କରିପାରିବା ବେଳେ କରିଥାନ୍ତି ।

 

ତେଣେ ସଂକୀର୍ତ୍ତନ ମୁହୂର୍ତ୍ତକ ନିମନ୍ତେ ବନ୍ଦ ହେଲା । ବାସୁଦେବ କହିଲା, ‘‘ଆମ ଏଠି ମାତାମାନେ ପୋଡ଼ା ହୁଅନ୍ତି ନାହିଁ । ମାତା ଜଣେ ମରିଗଲେ, ପୋଲିସ୍‌ଙ୍କ ଦରିଆରେ ମଠର ଖଞ୍ଜା ସମ୍ପତ୍ତିରୁ ଗୋଟିଏ ବଡ଼ ସିନ୍ଦୁକ ଆସେ । ମାତାଙ୍କୁ ସେ ସିନ୍ଦୁକରେ ପୂରାଇବାକୁ ହୁଏ । ତାପରେ ମୁଁ ମାଳୀ କି ନା, ସିନ୍ଦୁକରେ କଣ୍ଟା ମାରି ବନ୍ଦ କରିବା କାମ ମୋ ଦେହାତି । ଯୋଉ ଘରେ ଏ ସବୁ କାମ ହୁଏ, ସେଠେଇ ରାଣୀମାତାଙ୍କ ଛଡ଼ା ଆଉ କେହି ରହନ୍ତି ନାହିଁ । ମୁଁ ଅବଶ୍ୟ ରହେ, ଆଉ ସିନ୍ଦୁକ-ବୁହାଳିମାନେ ରହନ୍ତି । ତେବେ ଆମେଗୁଡ଼ାକ କୋଉ ମଣିଷରେ ଲେଖା ? ସିନ୍ଦୁକଟା ଆସିଲାବେଳକୁ ଖାଲି ଆସେ; ମାତ୍ର ଏଣୁ ଗଲାବେଳକୁ ଗୋଟିଏ ମଡ଼ା ଭର୍ତ୍ତି ହୋଇଯାଏ । ଯାଇ ତ ମାଟି ଭିତରେ ପୋତା ହୁଏ । ସେଠି ଯେ ପୋତିବାଲୋକ ଅଛି, ତା ସାଥିରେ ମୋର ମନ ମିଳେ । ତା ନାଁ ଜଗନାଥିଆ । ଦେଖାଯାଉ, କଣ ହେଉଚି; କାଲିଠୁ ତ ଏ ମଠରେ ଏକ ନ ହେବା କଥା ହେଇଛି, ଦେବାନ–।’’ ମାତା ମରିଚନ୍ତି ଆଉ ସେହି ସମୟକୁ ବାସୁଦାସ କହି ନ ସାରୁଣୁ ତା ତୁଣ୍ଡରୁ କଥା ଛଡ଼ାଇନେଇ, ପାଣୁ ନାଏକ ଟିକିଏ ହସି କହିଲା, ‘‘ପୋତା ହେବେ ।’’

 

ଶୁଣି ବାସୁଦାସ ଉତ୍ତର ଦେଲା, ‘‘ଏଠି ରହିବା, ଦେବାନ ହଜୁର, ପୋତାହବାଠୁ କିଛି କମ୍‌ନୁହେଁ ।’’ ତେଣେ ମଠରେ ଘଣ୍ଟା ବାଜିଲା । ବାସୁଦାସ, ‘‘ଏଟା ମୋ ପାଇଁ । ମୋତେ ଡାକରା ପଡ଼ିଲା । ମତେ କଣ ବରାଦ କରିବେ । ଦେବାନ ଆପଣେ, ତୁମେ ଘରୁ ବାହାରିବ ନାହିଁଟି । ଶିକାରେ ମୁଢ଼ି ଊଖୁଡ଼ା ପୁଞ୍ଜିଏ ଅଛି, ଖାଇବ । ମୁଁ ଯାଉଚି ।’’ କହି, ବାସୁଦେବ ଘଣ୍ଟି ଠନ୍‌ଠନ୍‌ ଶବ୍ଦରେ ମାତାମାନଙ୍କୁ ଗୋରୁପଲ ପରି ତଡ଼ିନେଇ ମଠ ଭିତରେ ଯାଇ ହାଜର ହେଲା । ରାଣୀମାତା ଗାଦିରେ ବାଘଛାଲ ଉପରେ ବସିଥିଲେ । ମାଳୀ ଯାଇ ଗୋଡ଼ତଳେ ମୁଣ୍ଡିଆ ମାରି ହାତ ଯୋଡ଼ି ଠିଆହେଲା । ମାତା ଆଖି ବୁଜି ମାଳି ଗଡ଼ାଉଥିଲେ, ବାସୁଦାସ କାଶି ନିଜର ଉପସ୍ଥିତି ଜଣାଇବାରେ ମୁଣ୍ଡ ଟେକି ଚାହିଁଲେ । କହିଲେ, ‘‘ବାସୁ ମୁଁ ତୋତେ ଗୋଟାଏ କଥା କହିବାକୁ ଡାକିଲି-।’’

 

ବାସୁଦାସ କହିଲା, ‘‘ମଣିମା, ମୋର ମଧ୍ୟ ଗୋଟିଏ କଥା ହଜୁରରେ ଜଣାଇବାକୁ ଅଛି-।’’ କହିସାରି, ବାସୁଦାସ ଥରିବାକୁ ଲାଗିଲା । ରାଣୀମାତା ଦେଖି କହିଲେ, ‘‘ଡର ନା, ବାସୁ । ଯାହା କହିବୁ, କହନା ।’’ ବାସୁ ସାହସ ପାଇ କହିବାକୁ ଲାଗିଲା, ‘‘ମଣିମା, ମୁଁ ହଜୁରଙ୍କ ଦାନା ଖାଇ ଏଇ ମଠ ଭିତରେ ଦି’ ବର୍ଷ ହେଲା କାମ ଚଳେଇ ଆସିଲି । ଏଣିକି ବୁଢ଼ା ହେଇଗଲି; ପାଦ ଥକିଗଲାଣି, ଦେହରେ ଆଉ ବଳ ନାହିଁ । ଦିନରାତି କାମକୁ ମୁଁ ପାରୁ ନାହିଁ । କାଲି ରାତିସାରା ମୋତେ ବଗିଚାରେ ପାଣି ଦବାକୁ ପଡ଼ିଲା । ମଣିମା ଯେବେ ହୁକୁମ ଦିଅନ୍ତେ, ମୋର ଜଣେ ଭାଇ ଅଛି, କିଛି ଟୋକା ଭେଣ୍ଡା ନୁହେଁ, ମୋରି ବୁଢ଼ା; ମୁଁ ତାକୁ ଆଣି ମୋ ସାଥିରେ ରଖନ୍ତି । ସେ ବଗିଚା କାମ ମୋ’ଠୋଉଁ ଦିଗୁଣ ଜାଣେ । ଆଉ ତାର ଗୋଟିଏ ଝିଅ ଅଛି । ସେ ମଧ୍ୟ ଏଠେଇ ପିଲାମାନଙ୍କ ସାଥିରେ ମାତା ହୋଇ ରହିଯିବ ।’’

 

ବାସୁଦାସ ଭାଇ କଥା କହିଲାବେଳେ ରାଣୀମାତା ଗୋଟାଏ ପୁରୁଷ ବିଷୟ ଶୁଣି ଚମକି ପଡ଼ିଥିଲେ । ସେ ତା ବକ୍ତବ୍ୟ କହି ଶେଷ କଲା । ତାହା ନ ଶୁଣିଲାପରି ରହି ରାଣୀମାତା କହିଲେ, ‘‘ବାସୁ, ତତେ ଆମ ବଗିଚା ଭିତରେ ଗୋଟିଏ ଗାତ ଖୋଳିବାକୁ ହବ ।’’

 

‘‘କାହିଁକି, ମଣିମା ? ଆଃ ମୋ ଭାଇ କି ଗାତଖୋଳି ଜାଣେ କି !’’

 

‘‘ଆଜି ମାତା କୃଷ୍ଣପ୍ରିୟା ଦେହ ଛାଡ଼ିଚନ୍ତି, ଜାଣିଚୁ ତ ? ତାଙ୍କ ସମାଧି ଏଇ ମଠଭିତରେ କରିବାକୁ ଭାବୁଚି ।’’

 

‘‘କୋମ୍ପାନୀଘର ଛତରା ହାକିମଗୁଡ଼ାକ କଣ ସେ କଥା କେବେ କରେଇ ଦେବେ ? କେଡ଼େ ଭଲ ହୁଅନ୍ତା କି । ଆହା, ମାତା ଚାଲିଗଲେ ।’’

 

‘‘ତୁ ଜାଣିନୁ ?’’

 

‘‘ନା, ମାଣିମା । ମୁଁ ତ ଗୋଟାଏ କଣରେ ସେଆଡ଼େ ଯାଇ ପଡ଼ିଚି । ମୁଁ କାହିଁକି ଜାଣିମି ଏଠେଇ କଣ ହେଉଚି, ନ ହେଉଚି ?’’

 

‘‘ତୁ ସଂକୀର୍ତ୍ତନ ଶୁଣି ନାହୁଁ ? ଯାହାହେଉ, ତାଙ୍କ ସମାଧି ଏଇଠି କରିବାକୁ ହବ । ସରକାରୀ ହାକିମମାନେ ଯାହା କହନ୍ତୁ ପଛକେ, ମାତାଙ୍କ କଥା ରଖିବାକୁ ହବ । ସେ ଏଇ ମଠ ଭିତରେ ଅଶ୍ୱତ୍‌ଥ ଗଛମୂଳେ ସମାଧି ଘେନିବାକୁ ଥରକୁ ଥର କହି ଯାଇଚନ୍ତି ।’’

 

‘‘ତାଙ୍କ ପରି ମାତା ଜଣେ ଆଉ କଣ କିଏ ହବ ? ମୁଁ ହୀନକପାଳିଆ; ତାଙ୍କ ଦର୍ଶନ ପାଇବି ପାଇବି ବିଚାରୁ ବିଚାରୁ ସେ ସ୍ୱର୍ଗକୁ ଚାଲିଗଲେ, ମୁଁ ପାଇପାରିଲି ନାହିଁ । ସେ ବଞ୍ଚି ଥାଉ ଥାଉ ମୋତେ ଟିକିଏ ଫୁଙ୍କି ଦେଇଥିଲେ, କଣ ମୋ ଏ ଛୋଟାଗୋଡ଼ ଆଉ ଏମିତି ରହିଥାନ୍ତା ? ଶହ ଶହ ଲୋକ ତାଙ୍କ ହାତେ ତରିଚନ୍ତି ପରା ।’’

 

ରାଣୀମାତା ମାଳି ଗଡ଼ାଇବାରେ ଲାଗିଥିଲେ । ବାସୁଦାସ କହିସାରିବା ପରେ ସେ କହିଲେ, ‘‘କୃଷ୍ଣପ୍ରିୟା ଯୋଉ ଖଟରେ କୋଡ଼ିଏବର୍ଷ କାଳ ଶୋଇଚନ୍ତି, ସେହି ଖଟ ସହିତ ତାଙ୍କୁ ସମାଧି ଦବାକୁ କହି ଯାଇଛନ୍ତି । ଆଜି ସମାଧି ହବ ନାହିଁ । ସେ କହିଚନ୍ତି, ଆଜିକାଲି ଦି ଦିନ ଅଷ୍ଟପ୍ରହରୀ ହେଲା ପରେ ପରଦିନକୁ ସମାଧି ହବ । ତୁ ମାଟିରେ ଗୋଟିଏ ବଡ଼ ଗାତ ଖୋଳି ରଖ-।’’

 

‘‘ଖୋଳିବି ମଣିମା ! ହଜୁର ହୁକୁମ ଦେଲେ, କାଲିକି ମୋ ଭାଇ ମଧ୍ୟ ଆସିଯିବ । ଦିହେଁ ମିଶିଲେ ଗାତ ଖଣ୍ଡେ କଣ, ଅଧା ପୋଖରୀଟାଏ ଖୋଳି ପକେଇବୁ । ଆଚ୍ଛା, ଭଲ କଥା ମନେ ପଡ଼ିଲା । ତେଣୁ ଯେ ସିନ୍ଦୁକ ଆସିବ, କଣ ୱାପସ ଚାଲିଯିବ ?’’

 

‘‘ନା, ତା କୋଉଠେଇ ହବ ? ସେଟାକୁ ସମାଧି ସ୍ଥାନରେ ବିଧିମତେ ନେଇ ପୋତିବାକୁ ପଡ଼ିବ ପରା । ନ ହେଲେ ଧରିବ ଯେ ।’’

 

‘‘କଣ ଖାଲି ସିନ୍ଦୁକଟା ?’’

 

‘‘ହଁ, ମାତାଙ୍କ ସମାଧି ତ ଏ ଭିତରେ ହବ ନା’’ ଖାଲି ସିନ୍ଦୁକ ନୁହେଁ ତ ଆଉ କଣ ? କଣ ହୋଇପାରିବ ନାହିଁ ?’’

 

‘‘ଉଶ୍ୱାସ ହେଲେ ଯେ ଜଣା ପଡ଼ିଯିବ । ବୁହାଳିମାନେ କଥା ଫିଟେଇ ଦେବେନାହିଁ ? କାହା ତୁଣ୍ଡରେ କେତେ ହାତ ଦବା ?’’

 

‘‘ସତ କଥା, ତା ତ ଦେଇପାରନ୍ତି; ମାତ୍ର ଉପାୟ କଣ ?’’

‘‘ମଣିମା, ମୁଁ ସିନ୍ଦୁକରେ ମାଟି ଭରତି କରିଦେବି ।’’

 

‘‘ଠିକ୍‌ କଥା । ମାଟି ଓଜନ ମଣିଷ ଓଜନ ସାଙ୍ଗେ ପ୍ରାୟ ସମାନ । ତା ପରେ ପୁଣି ଏଇ ମଣିଷ ତ ମାଟି ହେଉଚି । ଏ ଉପାୟଟା ବେଶ୍‌ । କୃଷ୍ଣପ୍ରିୟାଙ୍କୁ ମୁଁ ଭାରି ସ୍ନେହ କରୁଥିଲି, ବାସୁ । ସେପରି ଆଉ ଜଣେ କାହୁଁ ପାଇବି ?’’ କହୁଁ କହୁଁ ରାଣୀମାତାଙ୍କ ଦୁଇ ଆଖିରୁ ଟୋପା ଲୁହ ଗଡ଼ିପଡ଼ିଲା । ସେ ହଠାତ୍‌ ତାହା ପୋଛି ପକାଇ କହିଲେ, ‘‘ଆହା, ମୋ ଆଖିରୁ ଗଙ୍ଗାଜଳ ଝରି ପଡ଼ୁଚି ।’’ ମାତାମଠରେ ମାତାମାନେ ମଠର ନିୟମ ଅନୁସାରେ କାନ୍ଦିବାକୁ ମନା ଥାଏ । ଦୁଃଖରେ କାନ୍ଦିବା ଯେପରି, ସମ୍ପଦରେ ହସିବା ମଧ୍ୟ ସେହିପରି ଦୁର୍ବଳତା ବୋଲି ସେମାନେ ସ୍ଥିର କରିଥିଲେ-। ବାସୁଦାସ ରାଣୀମାତାଙ୍କ ନିକଟକୁ ଆସି ପହଞ୍ଚିବାବେଳେ ତାଙ୍କ ମୁଖମଣ୍ଡଳରେ ଯେଉଁ ବିଷାଦର ଛାୟା ଦେଖିଥିଲା, ତାହା ଆଉ ରହିଲା ନାହିଁ । କୃଷ୍ଣପ୍ରିୟାଙ୍କୁ ମଠର ସାଧାରଣ ସମାଧି ଭୂମିରେ ବିସର୍ଜନ ନ କରି ମଠ ଭିତରେ କିପରି ସମାଧି ଦେବାକୁ ହେବ, ଅଥଚ ସେ କଥା ସରକାରୀ କର୍ମଚାରୀମାନଙ୍କୁ ଜଣାପଡ଼ିବ ନାହିଁ, ତାହା ସେ ବୁଝିପାରୁ ନ ଥିଲେ । ବାସୁଦେବ କଥା ଶୁଣିବା ପରେ ତାଙ୍କୁ ବାଟ ପରିଷ୍କାର ଦେଖାଗଲା । ସୁତରାଂ ବାସୁଦାସ ଫେରିଯିବା ବେଳେ ସେ କହିଲେ, ‘‘ବାସୁ, ମୁଁ ତୋଠେଇ ବଡ଼ ପ୍ରସନ୍ନ ହେଲି । ଆଜି ତୋ ଭାଇକି ଆଣ୍‌ । ଆଉ ତା ଝିଅ ମଧ୍ୟ ଆସୁ ।’’

 

ବାଟଯାକ ଚିନ୍ତାଗ୍ରସ୍ତ ହୋଇ, ଧୀରେ ଧୀରେ ଚାଲି ବାସୁଦେବ ପ୍ରାୟ ଘଡ଼ିକ ପରେ ବସାରେ ଯାଇ ପହଞ୍ଚିଲା । ରମା ନିଦରୁ ଉଠି ବସିଥିଲା । ପାଣୁ ନାଏକ ତାକୁ କହୁଥିଲା, ‘‘ମା’ ରମା, ଶୁଣ୍‌, ଆଜି ଆମକୁ ଏଠୋଉ ଚାଲି ଯିବାକୁ ହବ । ତେବେ, ଯାଇ ଆମେ ଫେରେ ଆସିବା-। ଆସିଲେ ଏଠେଇ ଖୁବ୍‌ ସୁଖରେ ରହିବା । ତୋର ଏ ମଉସା ତୋତେ ତାଙ୍କ ଟୋକେଇରେ ବସେଇ ଘେନିଯିବେ । ମୁଁ ପଛେ ଯାଇ ପହଞ୍ଚିବି । ତୁ କାନ୍ଦିବୁ ନାହିଁ, କି ପାଟିତୁଣ୍ଡ କିଛି କରିବୁ ନାହିଁ-। କଲେ, ବୁଝିଥା, ସାଉଆଣୀ ଆସିବଟି ।’’ ରମା ମୁଣ୍ଡ ନାଡ଼ି ସମ୍ମତି ଜଣାଇଲା ।

 

ଦ୍ୱାର ଫିଟାଇ ବାସୁଦାସ ଘର ମଧ୍ୟରେ ଗୋଡ଼ ପକାଇଲା ଦେଖି, ପାଣୁ ନାଏକ ଆଗ୍ରହରେ ପଚାରିଲା, ‘‘କଣହେଲା ?’’ ‘‘ସବୁ ଠିକ୍‌ ହୋଇଗଲା । ମୁଁ ତୁମକୁ ଆଣିବାକୁ ରାଣୀମାତା ହଁ କଲେ । ତେବେ କଥା ହେଉଚି, ତୁମେ ବାହାରକୁ ଯାଉଚ କିମିତି ? ଏ ପିଲା ତ ଚାଲିଯିବ । ତୁମ କଥା ପଡ଼ିଚି ଭାବନା । ସବୁ ପୁଣି ଆଜି ଭିତରେ ହବା ଦରକାର । ତୁମର ଏ ଝିଆରୀ ନା ନାତୁଣୀ, କଣଟି ତୁମର ? ରାଣୀମା ରମାକୁ ଆଜି ନେଇ ଆସିବାକୁ ହୁକୁମ ଦେଇଛନ୍ତି ।’’ କହିସାରି, ବାସୁଦାସ ରାଣୀମାତାଙ୍କଠାରୁ ଶୁଣିଥିବା ସମସ୍ତ ବୃତ୍ତାନ୍ତ ପାଣୁ ନାଏକକୁ ଗୋଟିଗୋଟି କରି କହିଗଲା, କିଛି ଲୁଚାଇଲା ନାହିଁ । ତା ପରେ ସେ କହିଲା, ‘‘ବାହାରକୁ ଯେ ସିନ୍ଦୁକ ଯିବ, ମତେ ତା ସାଥିରେ ଯିବାକୁ ପଡ଼ିବ । ସେଠି ଯେ ଲୋକ ମାଟି ପୋତେ; ତା ସହିତ ମତେ ରହିବାକୁ ହବ । ପୋତା ସରିଲେ ମୁଁ ପୁଣି ଫେରିଆସିବି । ଖାଲି ଗୋଟାଏ କଥା ସିନ୍ଦୂକଟା ଯେ ଖାଲି ରହିବ, କାଳେ କିଏ କୁଆଡ଼େ ସୁରାଖ ପାଇଯିବ କେଜାଣି ?’’

 

‘‘ଖାଲି କାହିଁକି ରହିବ ? ସେଥିରେ ଯାହା ରହିବା କଥା, ରଖିବ ନାହିଁ କାହିଁକି ? ଖାଲି ରଖିଲେଇ ତ ଗଣ୍ଡଗୋଳ ଭିଆଇବ ?’’

 

‘‘ରଖିବା କଥା ମଡ଼ା ? ମଡ଼ାଟାଏ ପୁଣି କୋ’ଠୁ ପାଇବି ?’’

‘‘ତାହାହେଲେ ଜୀଅନ୍ତା ଲୋକଟାଏ ରଖ ।’’

‘‘ଜୀଅନ୍ତା ! କାହାକୁ ?’’ ବାସୁଦାସ ଜିଭ କାମୁଡ଼ିଦେଲା ।

 

ପାଣୁ ନାଏକ ଗମ୍ଭୀର ସ୍ୱରରେ ଉତ୍ତର ଦେଲା, ‘‘କାହିଁକି, ମୋତେ ।’’ ଶୁଣି ବାସୁଦାସ କହିଲା, ‘‘ଦେବାନ୍‌ ଆପଣ, ତୁମେ ମୋ ସାଙ୍ଗେ ପରିହାସ କରୁଚ । କଣ ବାଟ ଅଛି, ଠିକ୍‌ କହ ନା-।’’

 

‘‘ନା, ଠକ୍‌ କଥ କହଚି, ପରିହାସ ନହେ । ମୋତେ ତ ଫେରେ ଏଠୋଉ ବହାରି ପଦାକ ଯିବାକୁ ହବ ?’’

 

‘‘ହଁ ସେ କଥା ଠିକ୍‌ ।’’

‘‘କେହି ନ ଜାଣି ତ ଯିବି । ଆଚ୍ଛା; ସିନ୍ଦୁକ ଅଛି କୋଉଠି ?’’

‘‘ନାହିଁ; ଆସିବ । ଆସି ଦେଉଳ ଆଗେ ସମାଧି ଘରେ ରହିବ ।’’

‘‘ସିନ୍ଦୁକଟା କେତେ ବଡ଼, କହ ଦେଖି ।’’

‘‘ଚାରି ହାତ ଲମ୍ବା ହେବ ।’’

‘‘ଦେଉଳ କେଉଁଠି ?’’

‘‘ଏଇ ପାଖରେ, ଏ ବଗିଚା ଭିତରେ ନିର୍ଜନ ସ୍ଥାନରେ ।’’

‘‘ସିନ୍ଦୁକ କେତେବେଳେ ଆସିବ ?’’

‘‘ଆସିବ ଠିକ୍‌ ତିନିଟା ବାଜିଲାବେଳେ ।’’

‘‘ଆଚ୍ଛା, ମୁଁ ସମାଧି ଘରକୁ କିପରି ଯାଇ ପାରିବି ?’’

 

‘‘ଯିବାର କିଛି ଉପାୟ ନାହିଁ । ସିନ୍ଦୁକ ଆସି ପହଞ୍ଚିଲା ସାଙ୍ଗେ ସାଙ୍ଗେ ସେଠି ଲୋକାରଣ୍ୟ ହବ । ମୁଁ ତା ପୂର୍ବରୁ ସମାଧି ଘର ଭିତରେ ଯାଇ ବନ୍ଦ ହେଇ ରହିଥିବି । ତୁମେ ଆଉ ଯିବ କିପରି ?’’

 

‘‘ନା, ସିନ୍ଦୁକ ପହଞ୍ଚିବା ଆଗରୁ, କେହି ଆସି ନ ଥିବାବେଳେ, ମୋତେ ସେଠାକୁ ନେଇଯାଅ । ତେବେ ତ କାମ ଫତେ ।’’

 

‘‘ଏଇ ଦିନବେଳେ ? ଆଉ ମୁଁ ଗୋଟାଏ ପୁରୁଷ ଲୋକକୁ ସାଥିରେ ଧରି ଯିବି ? ପୁଣି କୋଉଠୁକୁ, ନା ମଠ ଭିତରକୁ ?’’

 

‘‘ନା, ସ୍ତ୍ରୀ ଲୋକ, ପୁରୁଷ ନୁହେଁ ।’’

‘‘ସ୍ତ୍ରୀ ଲୋକ ! କିମିତି ?’’

‘‘ସେ ଠିକ୍‌ ହବ, କାମବେଳେ ଦେଖାଯିବ ।’’

 

ଘଣ୍ଟାରେ ଦୁଇଟା ବାଜିଲା ପୂର୍ବରୁ ପାଣୁ ନାଏକ ତା ଛୋଟିଆ ବାକ୍‌ସଟି ଭିତରୁ ଖଣ୍ଡିଏ ଛିଣ୍ଡା ଗଇଣ୍ଠା କନା ବାହାରକଲା ସେ କନା ଖଣ୍ଡି ପାଲଟାଇ ସଙ୍ଗରେ ନେଇଆସି ଥିଲା । ତାହା ସେ ଗୋଟାଏ ଛୋଟିଆ ବାକ୍ସରେ ବନ୍ଦ କରି କୁଞ୍ଚି ପକାଇ ରଖିଥିଲା । ଦର୍ଜି କୋଠାରୁ ପାଣୁ ନାଏକ ତାକୁ ଧରି ଚାଲିଆସିଲାବେଳେ ସେ ବାକ୍‌ସଟି ଥଳିରେ ପୂରାଇବାର ଦେଖି ରମା ପଚାରିଥିଲା, ‘‘ବାପା, ଏଇଟା କାହିଁକି ବୋହୁଚ ? ଇଥେରେ କଣ ଅଛି ?’’ ବାପା ଉତ୍ତର ନ ଦେଇ, ତାକୁ ସାଥିରେ ଧରିବାର ଦେଖି ରମା ମନକୁ ମନ କହିଥିଲା, ‘‘ଏଟା ଅଛଡ଼ା, ୟାକୁ ପାଖରୁ ଛାଡ଼ିବାକୁ ହବ ନାହିଁ ।’’ ସେହି ‘‘ଅଛଡ଼ା’’ ଭିତରୁ ପାଣୁ ନାଏକ ରମାର ପୂର୍ବର ଛିଣ୍ଡା ପରିଧେୟ କାଢ଼ି ତାକୁ ପିନ୍ଧିବାକୁ ଦେଲା ଏବଂ ନିଜେ ତା ଛୋଟିଆ ପାଟଖଣ୍ଡି ପିନ୍ଧି, ବାସୁଦାସକୁ ପଚାରିଲେ, ‘‘ଦାସେ, ଦେଖିଲ, ଏଥର ଚଳିବ ତ ?’’

 

ଦେଖି, ବାସୁଦାସ କହିଲା, ‘‘ଦେବାନ୍‌ ଆପଣେ, ତୁମେ ପକା କଡ଼ାଏ ଏକା, ଦେଖିଲି । ନୋହିଲେ କି ତୁମେ ଦେବାନ ହେଇଥାନ୍ତେ, ଆଉ ମୁଁ ମାଳୀ ହୋଇ ପଡ଼ିଥାନ୍ତି ? ହେଲେ, ଏ ନାଲିଆ ପାଟ ଚଳିବ ନାହିଁ । ଏଠେଇ କେହି ନାଲିଆ, କଳା କି ଛିଟ ଲୁଗା ପିନ୍ଧନ୍ତି ନାହିଁ ପରା । ଦେଖିଲା ମାତ୍ରେ ଆଖି ପଡ଼ିଯିବ । କିଏ ଅବଶ୍ୟ ଦେଖୁଚି ଅବା ? ତେବେ ସତର୍କ ହେଇ କାମ କରିବା ଭଲ । ଏଟା ଚଳିବ ନାହିଁ ।’’

 

ବାସୁଦାସ ଚୂନପତ୍ର ଖାଏ । ମଠ ମଧ୍ୟରେ ରୋଜ ଚୂନ ଖୋଜିବା ଧନ୍ଦାରୁ ମୁକ୍ତି ପାଇବା ନିମନ୍ତେ, ସେ ପୁରୀକୁ ମଠକୁ ମହାପ୍ରସାଦ ଅଣାହେଲାବେଳେ କୁଡ଼ୁଆଏ କଲିଚୂନ ଅଣାଇ ରଖିଥାଏ । ପାଣୁ ନାଏକ ଆଖି କଲିଚୂନ କୁଡ଼ୁଆ ଉପରେ ପଡ଼ିଲା । ସେ ପାଟ ଖଣ୍ଡି ପାଲଟି, ଚୂନପାଣିରେ ବୁଡ଼ାଇ, ଧଳା କରିନେଲା । ଦେଖି, ବାସୁଦାସ କହିଲା; ଏଥର ଚମତ୍କାର । ବୁଦ୍ଧିକି ପରା କେହି ପାଏ ନାହିଁ, ଦେବାନେ ।’’ କହି, ସେ ପାଣୁ ନାଏକକୁ ଧରି, ଛପି ଛପି ସମାଧି ଘରକୁ ଚାଲିଗଲା । ସମାଧିଘର ଗୋଟିଏ ନିତାନ୍ତ ଅନ୍ଧାରିଆ ସ୍ଥାନ । ସେ ଘରେ ଦିନବେଳେ ସୁଦ୍ଧା ଦୀପ ଜାଳି ସିନ୍ଦୁକରେ କଣ୍ଟା ମାରିବାକୁ ହୁଏ । ସେଠାରେ ପହଞ୍ଚି, ପାଣୁ ନାଏକ ଗୋଟାଏ କଣରେ ଯାଇ ଲୁଚି ରହିଲା । ବାସୁଦାସକୁ କହିଲା, ‘‘ସିନ୍ଦୁକ ଆସି ପହଞ୍ଚିଲା ମାତ୍ରେ ମୁଁ ସେଥିରେ ପଶି ଶୋଇପଡ଼ିବି । ତୁମେ ସାଙ୍ଗେ ସାଙ୍ଗେ କଣ୍ଟା ମାରିଦବଟି ।’’

 

‘‘ନା, ଦେବାନେ, ମୁଁ ପାରିବି ନାହିଁ । ମୋତେ ଯେ ବଞ୍ଚାଇଚି ତାକୁ ଜାଣୁ ଜାଣୁ ମାରିଦେବି-? ଏଟା ହବା କଥା ନୁହେଁ ।’’

Image

 

୨୩

ଆର ଦାସ କବରରୁ ଉଠିଲା

 

ବାସୁଦାସକୁ ଯାହା ଅସମ୍ଭବ ଜଣାପଡ଼ିଲା, ପାଣୁ ନାଏକ ଜାଣିଲା ମାତ୍ରେ ବୁଝିନେଲା ଯେ ତାହା ଅତି ସହଜ କଥା । ଯେ କଏଦିଖାନାରେ ଊଣିଶ ବର୍ଷ ରହିଆସିଛି, ତା ପ୍ରତି ସଂସାରର କୌଣସି ଅସାଧ୍ୟ କାର୍ଯ୍ୟ ଅସାଧ୍ୟ ନୁହେଁ । ସୁତରାଂ ସିନ୍ଦୁକରେ ବନ୍ଦହୋଇ ମଡ଼ା ପରି ଯାଇ ମାଟିରେ ପୋତା ହେବା ପରେ ପୁଣି ବଞ୍ଚିବାକୁ ଆଶା କରିବା, ତା ପକ୍ଷେ ଗୋଟାଏ ନିତାନ୍ତ ସହଜ କଥା; କିନ୍ତୁ ବାସୁଦାସ ପଚାରିଲେ, ‘‘ତୁମେ ନିଃଶ୍ୱାସ ନବ କିମିତି ?’’

 

ସେ ଅତି ସହଜ କଥା । ତୁମେ ଗିରିମିଟ୍‌ରେ ସିନ୍ଦୁକରେ ଦୁଇ ଚାରିଟା କଣା କରିଦିଅ ନା ମୋର ଭୟ ଏଥିକି ନୁହେଁ । ମୁଁ ଖାଲି ଭାବୁଚି ମାଟିରେ ପୋତିଦେଲା ପରେ ସେଠୁ କିପରି ବାହାରିବି ? ଯେପରି ହେଉ, ମତେ ବର୍ତ୍ତମାନ ଏଠୁ ଏଇ ସିନ୍ଦୁକରେ ଭର୍ତ୍ତିହୋଇ ଯିବାକୁ ହବ । ଆଉ କିଛି ଉପାୟ ନାହିଁ, ବାସୁ ଭାଇ ।’’

 

‘‘ଦେବାନେ, ତୁମେ ଯା ଭାବୁଚ, ମୁଁ ତା ଭାବୁ ନାହିଁ । ତୁମେ ଯଦି ବଞ୍ଚିଥାଇ, ସିନ୍ଦୁକ ଭିତରେ ରହି, ସମାଧି ସ୍ଥାନ ପର୍ଯ୍ୟନ୍ତ ଯାଇପାରିବ, ତେଣିକି ଉଠେଇଆଣିବା କଥା ମୋ ଦେହାତି । ସମାଧି ଖୋଳିବାବାଲା ଜଗନ୍ନାଥିଆ ମୋର ଆପଣାର ଲୋକ, ଭାଙ୍ଗ ଚିଲମ ନିଶାରେ ଟୁଳଟୁଳ ହୋଉଥାଏ । ମୁଁ ତ ସାଙ୍ଗେ ସାଙ୍ଗେ ଯିବିନା । ପୁରୋହିତ ତ ମନ୍ତ୍ର ପଢ଼ି ଚାଲିଆସିବେ, ମୁଁ ଜଗନ୍ନାଥିଆ ସାଙ୍ଗେ ରହିଯିବି । ତାକୁ ଚିଲମ ପୁଳାଏ ଧରେଇଦେଲେ ସେ ନିଶାରେ ଢଳିପଡ଼ିବ । ତୁମେ ସିନ୍ଦୁକରୁ ଉଠି ବାହାରିଆସିଲା ପରେ ମୁଁ ମାଟି ପକେଇ ପୋତିଦେବି । ଜଗନ୍ନାଥିଆ ଉଠି ଦେଖିବ, ସବୁ ସରିଚି । ହେଲେ, ସିନ୍ଦୁକରେ ତ ମୁଁ କଣ୍ଟା ମାରିଦେବି । ତୁମେ ସେ ଭିତରୁ ବାହାରିବ କିମିତି ?’’

 

‘‘ଆଃ; ଏଇ କଥା ତ । ଏତେବେଳ ଯାଏଁ ବୁଝିଲ ନାହିଁ, ଦାସେ ? ବେଶି କଣ୍ଟା ପିଟିବ ନାହିଁ, କି ଜୋରରେ ପିଟିବ ନାହିଁ । ଉପର ଘୋଡ଼ଣି ଉଠି ନ ଗଲା ଭଳି ଦି ତିନିଟା କଣ୍ଟା ଖାଲି ଠୁକେଇ ରଖି ଦେଇଥିବ । ମୋତେ ଡାକିଦେଲେ, ମୁଁ ତଳୁ ଠେସି, ଘୋଡ଼ଣୀ ଫିଟେଇ ଉଠି ପଡ଼ିବି-।’’ ଶୁଣି, ବାସୁଦାସ ଜିଭ କାମୁଡ଼ି ପାଣୁ ନାଏକ ହାତ ଧରି ପକାଇଲା । କହିଲା, ‘‘ଓଃ, କି ସାହସ ତୁମର, ଦେବାନେ । ଏ ତ ମରି ପୁଣି ଜନ୍ମ ହବା କଥା ।’’

 

‘‘ଭୟ କର ନାହିଁ ଦାସେ । ସବୁ ଠିକ୍‌ଠାକ୍‌ ହେଇଯିବ ।’’

 

ସେ ଦିନ ଅପରାହ୍ନ ପ୍ରାୟ ପାଞ୍ଚ ଘଣ୍ଟାବେଳେ ସିନ୍ଦୁକଟି ଗୋଟାଏ ପ୍ରକାଣ୍ଡ କୋକେଇ ଉପରେ ରଖି, ଆଠ ଜଣ ବୁହାଳୀ ଧରି ବାଟରେ ଚାଲିଛନ୍ତି । ସିନ୍ଦୁକ ଉପରେ ଫୁଲଚନ୍ଦନ ଅସୁମାରି ପଡ଼ିଛି; ଧୂପ ଦୀପ ରଖାଯାଇଛି; ପୁରୋହିତ ଆଗେ ଆଗେ ମନ୍ତ୍ର ପଢ଼ି ଚାଲିଛନ୍ତି । ମଠରେ ସାନ ସାନ ବାଳିକାମାନଙ୍କ କୀର୍ତ୍ତନ ଧ୍ୱନିରେ ଆକାଶ ମର୍ତ୍ତ୍ୟ ପୂରି ଉଠୁଛି । ଦେଖି, ସର୍ଦ୍ଦାର ମହାପାତ୍ର କହିଲେ, ‘‘ଏ ମାତା କୃଷ୍ଣପ୍ରିୟା ଯାଉଚନ୍ତି ପରା ।’’ ତହୁଁ ସେ ଗୋଟାଏ ଦୀର୍ଘନିଃଶ୍ୱାସ ପକାଇ, ଆଖି ଛଳ ଛଳ କରି, ଭୂଇଁରେ ମୁଣ୍ଡ ଲଗାଇ ଗୋଟିଏ ମୁଣ୍ଡିଆ ମାଇଲେ ଏବଂ ଉଠି ମୁଣ୍ଡ ଧୂଳି ଝାଡ଼ି କହିଲେ ‘‘ଦୁନିଆଟା ତ ଏଇଆ ।’’ କିଏ ଏ ସଂସାରେ ଚିରଞ୍ଜିବୀ ହେଇ ରହୁଚି ?’’ କହିସାରି, ସେ ନିଜ ସ୍ଥାନରେ ଯାଇ ଠିଆ ହେଲେ । ପାଣୁ ନାଏକକୁ ସେ ରାତିରେ ପୁଣି ଜଗିବାର ବ୍ୟବସ୍ଥା କରିବା ପାଇଁ ସେ ସେଠାକୁ ଆସିଥିଲେ ।

 

ସିନ୍ଦୁକ ଯେତେବେଳେ ସମାଧି ସ୍ଥାନ ଦ୍ୱାରେ ପହଞ୍ଚିଲା, କୀର୍ତ୍ତନ ବନ୍ଦ ହେଲା । ସମାଧି ସ୍ଥାନଟି ଗୋଟିଏ ବିଚିତ୍ର ରକମର । ତା ଚାରିଆଡ଼େ ଗୋଟାଏ ପ୍ରକାଣ୍ଡ ପାଚେରୀ । ଭିତରକୁ ଯିବା ଆସିବା ପାଇଁ ଗୋଟିଏ ମାତ୍ର ଦ୍ୱାର । ସେ ଦ୍ୱାରରେ ଗୋଟାଏ ଖୁବ୍‌ ବଡ଼ ଲୁହା କବାଟ ଲାଗିଥିଲା, ସତେ ସବୁ ଯେପରି ମୃତ ମାତାମାନଙ୍କ ପ୍ରେତାତ୍ମା ବାହାରକୁ ଛାଡ଼ି ନ ଦେବାକୁ ତିଆରି କରାଯାଇଥିଲା । କବାଟରେ ମସ୍ତବଡ଼ କୋଲପ । ସେ ଭିତରକୁ ସମସ୍ତେ ଯାଇପାରନ୍ତି ନାହିଁ; କେବଳ ସମାଧି ଦିନ ମଠର ବାଳିକାମାନେ, ପୁରୋହିତ ଓ ମାଳୀ ଯାଆନ୍ତି । ସମାଧି ଖୋଳିବା ଲୋକ ମଧ୍ୟ ଯାଏ । ନିଯୁକ୍ତିବେଳେ ତାକୁ ଖଣ୍ଡିଏ ତମ୍ବାପଟା ସନନ୍ଦ ଦିଆଯାଇଥାଏ । ସନନ୍ଦ ହାତରେ ନ ଧରି, ସେ ସମାଧି ପାଚିରୀ ଭିତରେ ପାଦ ପକାଇଲେ, ତାକୁ ପନ୍ଦର ଟଙ୍କା ତଣ୍ଡ ଦେବାକୁ ହୁଏ । ଯେଉଁ ଜଗୁଆଳ ପାଖେ ଦୁଆର ତାଲାର କୁଞ୍ଚିକାଠି ଥାଏ, ତାକୁ ସୁଦ୍ଧା ଭିତରେ ପାଦ ପକାଇବା ପାଇଁ ମନା । ସମାଧି ସ୍ଥାନ ପୂଣ୍ୟ ସ୍ଥାନ । ସେଥିରେ ସଂସାରୀ ଲୋକଙ୍କ ପାଦରଜ ପଡ଼ିଲେ, ମାତାମାନଙ୍କ ସ୍ୱର୍ଗକୁ ଯିବା ବାଟ ପଙ୍କିଳ ହୋଇଯିବ ବୋଲି ରାଣୀ ମାତାଙ୍କ ବିଶ୍ୱାସ । ସେଥିପାଇଁ ଏତେ କାଣ୍ଡ । କେବଳ ସମାଧି ଖୋଳି ମାଟି ଘୋଡ଼ାଇବାପାଇଁ ଯେ ଗୋଟିଏ ଲୋକ ଦରକାର ହୁଏ, ସେ ନ ଗଲେ ନ ଚଳେ ବୋଲି ତା ଯିବାର ବିଧାନ ରଖାଯାଇଥାଏ । ସେ ମଧ୍ୟ ଖାଲି ପାଦରେ ଯାଏ ନାହିଁ । ତାକୁ ରଜ ସମୟରେ କୁମାରୀମାନେ କଲା ପରି, ପାଦରେ ଗୁଆ ଖୋଳପି ବାନ୍ଧିବାକୁ ହୁଏ ।

 

ସିନ୍ଦୁକ ସମାଧି-ଭୂମି ଦ୍ୱାରେ ପହଞ୍ଚିବାରେ କବାଟ ଯେତେବେଳେ କଣକଣ ଡାକି ଫିଟିଲା, ପାଣୁ ନାଏକ କେଉଁଠାରେ ପହଞ୍ଚିଛି, ବୁଝିପାରିଲା । ବାସୁଦାସ ସଙ୍ଗେ ସଙ୍ଗେ ଛୋଟେଇ ଛୋଟେଇ ଚାଲିଛି । ତା ବୁକୁ ଭିତରେ ହୃତ୍‌ପିଣ୍ଡଟା ଦୁମ୍‌ଦୁମ୍‌ ପଡ଼ୁଥାଏ । ତଥାପି ତା ମନରେ ଅପୂର୍ବ ଆନନ୍ଦ ଲହରି ଖେଳୁଥିଲା । ସେ ରମାକୁ ବାହାରକୁ ଆଣି ଛାଡ଼ିଦେଇ ପାରିଛି ଓ ବର୍ତ୍ତମାନ ଦେବାନଙ୍କ ମୁକ୍ତିର ଚାବି ନିଜ ହାତରେ ରଖି ଚାଲିଛି । ସୁତରାଂ ତା ମନରେ ତିଳେ ମାତ୍ର ଚିନ୍ତା ନାହିଁ ।

 

ସମାଧି-ଭୂମିରେ ଆଗରୁ ଗାତ ଖୋଳା ହୋଇ ରଖାଯାଇଥିଲା । ସିନ୍ଦୁକଟି ଯେତେବେଳେ ସେହି ଗାତ ପାଖେ ଭୂଇଁରେ ଥୁଆହେଲା, ପାଣୁ ନାଏକ ସେ କଥା ବୁଝିପାରିଲା । ତା ପରେ ବାଳିକାମାନେ ସଂକୀର୍ତ୍ତନ କଲେ । ସଂକୀର୍ତ୍ତନ ପରେ ପୁରୋହିତ ମନ୍ତ୍ର ପଢ଼ିଲେ । ସେତେବେଳେ ବାସୁଦାସ ଦେଖିଲା, ଜଣେ ଅପରିଚିତ ଲୋକ ହାତରେ ଗୋଟାଏ ମସ୍ତ କୋଦାଳ ଧରି ଠିଆ ହୋଇଛି । ପଚାରିଲା, ‘‘ତୁ କିଏ ?’’

 

‘‘ମୁଁ ସମାଧି ଖୋଳିବା ବାଲା ।’’ ସେ ଶବ୍ଦଟା ଗୋଟାଏ ବଜ୍ରନାଦ ପରି ବାସୁଦାସ କାନରେ ଆସି ପଡ଼ିଲା । ସେ କହିଲା, ‘‘ନା, ଜଗନ୍ନାଥିଆ ତ ଖୋଳିବା ବାଲା, ତୁ କିଏ ?’’

 

‘‘ସେ ମଲାଣି ।’’ ବାସୁଦାସ ଏପରି ଉତ୍ତର ପଦେ କାନରେ ଶୁଣିବା ଲାଗି ନିଜକୁ ଆଦୌ ପ୍ରସ୍ତୁତ କରି ନ ଥିଲା । ସମାଧି ଖୋଳିବାବାଲାର ପୁଣି ମୃତ୍ୟୁ କଣ ? କିନ୍ତୁ ଜଗତର ନୀତି, ଯେ ଅପର ଲୋକଙ୍କ ପାଇଁ ସମାଧି ଖୋଳେ, ସେ ମଧ୍ୟ ନିଜ ପାଇଁ ଗୋଟିଏ ଗାତ ଖୋଳି ରଖିଥାଏ-। ବାସୁଦାସ ପାଟି ଫିଟାଇ ଆଁ କରି, ନିତାନ୍ତ ଓଲା ଲୋକ ପରି ଠିଆହେଲା । ତା ପରେ ସେ ଖନେଇ ଖନେଇ କହିଲା, ‘‘ନା ତୋତେ ମୁଁ ଚିହ୍ନେନା । ଜଗନ୍ନାଥିଆ ଜଣେ ସମାଧି ଖୋଳିବାବାଲା-।’’

 

‘‘କି ବୋକା ତୁ ଲୋକଟା । ଆରେ ମୁକୁନ୍ଦ ଦେବ ପରେ ରାମଚନ୍ଦ୍ର ଦେବ । ସେହିପରି ଜଗନ୍ନାଥିଆ ପରେ ନାରାୟଣ । ମୋ ନାଁ ନାରାୟଣ, ମନେ ରଖ ।’’ ବାସୁଦାସର ଅନ୍ତରାତ୍ମା କାନ୍ଦୁଥିଲା । ତଥାପି ସେ ଉପରେ ହସି କହିଲା, ‘‘ଆଚ୍ଛା, ଗଲା ପାପ ଯାଇଚି । ତୁ ହେଇଚୁ, ଭଲ କଥା ତା ସାଙ୍ଗେ ମୋର ଯେପରି ଭାବ ଥିଲା, ତୋ ସାଙ୍ଗେ ଆହୁରି ବେଶି ଭାବ ହବ । ସାଙ୍ଗ ହେଇ ଚିଲମ ଭିଡ଼ିବା । ଦୁନିଆର ସ୍ନେହ ପ୍ରୀତି ତ ସବୁ ଚିଲମ ଉପରେ, ରେ ଭାଇ ।’’

 

‘‘ଦୂର୍‌, ମୁଁ ଚିଲମ ଖାଏନା ।’’

 

ପୁରୋହିତ ତାଙ୍କର ଶେଷ ମନ୍ତ୍ର ଉଚ୍ଚାରଣ କରିବାକୁ ଲାଗିଲେ । ସମୟ ହୋଇଆସିଲା-। ବାସୁଦାସ କହିଲା, ନାରାୟଣ ଭାଇ, ମୁଁ ପରା ମଠର ମାଳୀ । ଆମେ ଦିହେଁ ଚିହ୍ନାଚିହ୍ନି ହବାନାହିଁ-?

 

‘‘ହେଇ ତ ସାରିଲେଣି । ତୁ ମଫସଲର ମରହଟି ଓଲା ଲୋକ, ମୁଁ କଟକ ସହରୀ । ଆଉ ଚିହ୍ନା ଚିହ୍ନି କଣ ଫେରେ ?’’

 

ଯାଃ, ଏକାଠି ଚିଲମ ନ ଟାଣିଲାଯାଏ କି ଚିହ୍ନା ? ତୁ ଚିଲମ କେବେ ଖାଇ ନ ଥିଲେ, ଆଜି ଖାଇ ଦେଖିବୁ, କି ମଜା ! ନାହିଁ କରନା ।’’

 

‘‘ନା ଭାଇ, ଆଗେ କାମ’’ । ଶୁଣି, ବାସୁଦାସ କଳାକାଠ ପଡ଼ିଗଲା । ସେ ମନକୁ ମନ ଭାବିଲା, ‘‘ମୋ କଥା ସରିଲା ତେବେ ।’’

 

ପୁରୋହିତ ମନ୍ତ୍ର ପଢ଼ିସାରିଲେ, ସିନ୍ଦୁକ ଉପରେ ପୁଣି ଫୁଲଚନ୍ଦନ ବୃଷ୍ଟି ହେଲା । ତାକୁ ଧୀରେ ଧୀରେ ଗାତ ଭିତରକୁ ଦଉଡ଼ିରେ ଓହ୍ଲାଇ ଦିଆଗଲା । ଭିତରେ ଥାଇ ପାଣୁ ନାଏକ ଅନୁଭବ କଲା, ସତେ ଅବା ଲୋକେ ଭୁଲ୍‌ରେ ସିନ୍ଦୁକଟାକୁ ଓଲଟାଇ ତଳ ପଟ ଉପରକୁ ଓ ଉପର ପଟ ତଳକୁ କରି ଦୁମ୍‌କିନି ଗାତ ଭିତରକୁ ଫିଙ୍ଗିଦେଲେ । ମୁହୂର୍ତ୍ତକ ପାଇଁ ତା ଚେତା ବୁଡ଼ିଗଲା । ଚେତା ହେଲାରୁ ସେ ଦେଖିଲା, ସିନ୍ଦୁକଟି ଠିକ୍‌ ଅଛି ଏବଂ ସେ ପୂର୍ବ ପରି ସିଧା ଶୋଇ ରହିଛି । ତଥାପି ତା ଦେହ ଥରିଆସିଲା । ଉପରେ ‘‘ହରିବୋଲ’’ ଶବ୍ଦ ଶୁଣାଗଲା । ତୃତୀୟ ଥର ‘‘ହରିବୋଲ’’ ପଡ଼ିଲା ପରେ ଲୋକେ ଚାଲିଯିବାର ପାଦ ଶବ୍ଦ ସେ ଅସ୍ପଷ୍ଟ ଭାବରେ ଶୁଣିପାରିଲି । ସେ ମନେ ମନେ ଭାବିଲା, ‘‘ସମସ୍ତେ ତ ଗଲେ, ଏଠେଇ ରହିଲି ମୁଁ ଏକା, ଆଉ ଉପରେ ରହିଲେ ବାସୁଦାସ ଏବଂ ଜଗନ୍ନାଥିଆ । ଏଇ ମୁହୂର୍ତ୍ତକ ପରେ ବାସୁଦାସ ମୋତେ ଉଦ୍ଧାର କରିନବ । କଣ ପାରିବ ନାହିଁ ?’’

 

ହଠାତ୍‌ ଉପରୁ ଗୋଟାଏ ବଜ୍ରନାଦ ସମାଧି ଭିତରକୁ ଶୁଣାଗଲା । ନାରାୟଣ କୋଡ଼ିଏ ମାଟି ଖୋଳି ଭିତରକୁ ପକାଇଦେଲା । ତା ଉପରେ ଆଉ କୋଡ଼ିଏ ପଡ଼ିଲା । ନାରାୟଣ ନଇଁପଡ଼ି ପୁଣି କୋଡ଼ି ଭର୍ତ୍ତି କଲାବେଳେ ବାସୁଦାସ ତାକୁ ହାତ ଯୋଡ଼ି କହିଲା, ‘‘ଭାଇ ରହ ରହ, ପୁଳାଏ ଚିଲମ ଆଗେ ଖାଇନେ । ତାପରେ ଦିହେଁ ତ ଧମାଧମ କାମରେ ଲାଗିଯିବା । ତୁ ଖୋଳିବୁ, ମୁଁ ବୋହିବି । ଆଗ ଆ; ଚିଲମ ଧର । କହି, ବାସୁଦାସ ଅଣ୍ଟିରୁ ଚିଲମ ବାହାର କଲା । ସେ ନିଜେ ଚିଲମ ଟାଣେ ବୋଲି ଯେ ଚିଲମଟି ଆଣିଥିଲା, ତା ନୁହେଁ । ଆଣିଥିଲା ଜଗନ୍ନାଥିଆ ପାଇଁ । ଚିଲମର ଆପାତ ଅଭିପ୍ରାୟ ସିଦ୍ଧ କରିବା ନିମନ୍ତେ ନାରାୟଣକୁ ଡାକିଲା, ‘‘ଆ ଭାଇ, ଆ ।

 

‘‘ତୋ ଚିଲମ ଫିଲମ ରଖ, ଭାଇ ମୁଁ ଆଗେ କାମ ସାରେ ।’’ ବାସୁଦାସକୁ ବୁଦ୍ଧି ଦିଶିଲା ନାହିଁ; ମୁହୂର୍ତ୍ତକ ପାଇଁ ସବୁ ଅନ୍ଧାର ହୋଇଗଲା । ନାରାୟଣ ତିନି ଚାରି କୋଡ଼ି ମାଟି ସିନ୍ଦୁକ ଉପରେ ପକାଇଦେଲା । ସିନ୍ଦୁକ ଘୋଡ଼ଣି ଉପର କଣା ବନ୍ଦ ହୋଇଆସିଲା । ନାରାୟଣ ନଇଁପଡ଼ି କୋଦାଳରେ ମାଟି ଖୋଳିଲାବେଳେ ତା ତମ୍ବାପଟା ସନନ୍ଦଟି ଦଉଡ଼ିରେ ପିଚା ପାଖେ ଝୁଲୁଥିଲା-। ବାସୁଦାସର ଦୃଷ୍ଟି ତହିଁରେ ପଡ଼ିଲା । ସେ ଧୀରେ ଧୀରେ ଯାଇ ଦଉଡ଼ିଟି କାଟି ପକାଇ, ତମ୍ବାପଟା ଖଣ୍ଡି ଲୁଚାଇ ନେଇଗଲା । ନାରାୟଣ କାମରେ ବ୍ୟସ୍ତ ରହି ଟେର ପାଇଲା ନାହିଁ । ତା ପରେ ବାସୁଦାସ ଖଣ୍ଡେ ଦୂରକୁ ଘୁଞ୍ଚିଯାଇ କହିଲା, ‘‘ନାରାୟଣ ଭାଇ, ସୂର୍ଯ୍ୟ ତ ଆସି ବୁଡ଼ିବା ଉପରେ । ଖୁବ୍‌ ଫୂର୍ତ୍ତିରେ କାମ କରିବା ଦରକାର । ଚିଲମ ପୁଳାଏ ଟାଣିଥିଲେ ସିନା ସବୁ ଫୂର୍ତ୍ତି । ଆଚ୍ଛା, ତୁ ତୋ ସନନ୍ଦପଟା ଆଣିଚୁଟିକି ?’’

 

ନାରାୟଣ କୋଦାଳ ଥୋଇଦେଇ, ବାଁ ହାତରେ ପିଚା ପାଖ ଦରାଣ୍ଡି କହିଲା, ‘‘ଆଁ ମୁଁ କଣ ଆଣି ନାହିଁ ? ଆଣିଥିଲେ ଯାଆନ୍ତା କୁଆଡ଼େ ? ଘରେ ଛାଡ଼ି ଆସିଥିବି ତ ।’’

 

‘‘ପନ୍ଦର ଟଙ୍କା ଜୋରିମାନା, ଜାଣିଚୁଟିକି ?’’

 

‘‘ଜାଣିଚି ତ । ଦେବି କୁଆଡୁ ?’’ କହି ନାରାୟଣ ନିତାନ୍ତ ବ୍ୟସ୍ତ ହୋଇପଡ଼ିଲା । ତା ହାତରୁ କୋଦାଳଟା ଖସି ତଳେ ପଡ଼ିଗଲା । ଦେଖି ବାସୁଦାସ କହିଲା, ‘‘କିରେ, ଟଙ୍କା ପନ୍ଦରଟା ପାଇଁ ଆତ୍ମହତ୍ୟା କରିବୁ, ନା କ’ଣ ? ଯା, ଦଉଡ଼ିଯା, ଘରୁ ଧରି ଚାଲିଆସିବୁ । ମୁଁ ତୋ କାମ ଏଠି କରିଦେଉଛି । ଆସିଲେ, ସାଥି ହେଇଯିବା ।’’ ନାରାୟଣ କହିଲା, ‘‘ମାଳୀ ଭାଇ, ତୋ ୠଣ ମୁଁ ଜୀବନରେ ଶୁଝିପାରିବି ନାହିଁ । ଏଇ ମୋ କୋଦାଳ ରହିଲା । ପୁଞ୍ଜିଏ ପୁଞ୍ଜିଏ ମାଟି ପକୋଉଥିବୁ । ମୁଁ ଏଇ ଦଉଡ଼ିଯାଇ ଦଉଡ଼ି ଚାଲିଆସିବି ।’’ କହି ନାରାୟଣ ଊର୍ଦ୍ଧ୍ୱଶ୍ୱାସରେ ଧାଇଁ ଚାଲିଗଲା ।

 

ନାରାୟଣ ଅଦୃଶ୍ୟ ହୋଇଯିବା ପରେ ବାସୁଦାସ ସମାଧି ଗାତ ଭିତରକୁ ଯାଇ ଧୀର ସ୍ୱରରେ ଡାକିଲା, ‘‘ଦେବାନ ହଜୁର ।’’ କିନ୍ତୁ କିଛି ଉତ୍ତର ମିଳିଲା ନାହିଁ । ବାସୁଦାସର ଆପାଦ ମସ୍ତକ ଥରିଗଲା । ସେ ସିନ୍ଦୁକ ଉପରେ ପଡ଼ିଥିବା ମାଟି ଆଡ଼େଇ ଘୋଡ଼ଣି ଟେକି ବସିଲା; କିନ୍ତୁ ପାରିଲା ନାହିଁ । ତହୁଁ ସେ ନିଜେ ଆଣିଥିବା ନିହାଣ ଓ ନାରାୟଣର କୋଦାଳ ବେଣ୍ଟ ଠେସ ଦେଇ ଘୋଡ଼ଣି ଫିଟାଇ ପକାଇଲା । ପାଣୁ ନାଏକ ଆଖି ବୁଜି ଶୋଇ ରହିଥିଲା ଓ ଝାଙ୍କିଲେ ମଧ୍ୟ ଉଠିଲା ନାହିଁ । ବାସୁଦାସ ଗୋଟାଏ ଦୀର୍ଘନିଃଶ୍ୱାସ ପକାଇ କହିଲା, ‘‘ଚାଲିଗଲେ !’’ ତାପରେ କଣ ଘଟିଲା ସେ ଜାଣେ ନାହିଁ । କେତେକ ସମୟ ପରେ ତାକୁ କିଏ ହଲାଇ ଉଠାଇବାରେ ସେ ଉଠି ଚାହିଁଲା; ପାଣୁ ନାଏକ ଆଗରେ ଠିଆ ହୋଇଛି । ସେ ଉଠି ଚମକି ପଡ଼ିଲା ।

 

ପାଣୁ ନାଏକ ସଂଜ୍ଞାହୀନ ହୋଇ ପଡ଼ିଥିଲା । ଏକେ ସିନ୍ଦୁକର କଣା ସବୁ ମାଟି ପଡ଼ି ବନ୍ଦ ହୋଇଗଲା । ତାପରେ ପୁଣି, ଭୟ । ସେଥିରେ କାହାର ସଂଜ୍ଞା ନ ତୁଟିବ ? ପୁଣି ନିର୍ମଳ ବାୟୁ ପାଇ ସେ ସଚେତ ହୋଇଉଠିଲା । ପାଣୁ ନାଏକ ଓ ବାସୁଦେବ, ଦୁହେଁ ଲାଗି ମାଟି ପକାଇ, ଗାତ ମୁହଁ ବୁଜିଦେଲେ । ସଙ୍ଗେ ସଙ୍ଗେ ସେମାନେ ଫେରିବାକୁ ବସିଲେ । ନାରାୟଣର ତମ୍ବା ପଟାଖଣ୍ଡି ଦେଖାଇ ପାଣୁ ନାଏକ ଫାଟକ ବାଟେ ଖସିଆସିଲା । ସେ ତା କୋଦାଳଟି ମଧ୍ୟ ଧଇଲା । ଦେଖି, ଜଗୁଆଳ ମନେ ମନେ ଭାବିଲା, ‘‘ଏ କଣ ? ସେ ଲୋକଟା ମତେ ନିହାତି ଓଲୁ ବନେଇଦେଇ ଚାଲିଗଲା ତେବେ । କହିଲା, ‘‘ମୁଁ ନାରାୟଣ, ଖେଳାଳୀ ।’ ଖେଳାଳୀ ତ ଏ ସନନ୍ଦ ତ, ୟା ହାତରେ, ସେ ପଟି ମାରି ଚାଲିଗଲା ।’’ ମାତ୍ର କଥାଟା ଜଣାପଡ଼ିଲେ, କାଳେ ଚାକିରି ଯିବ, ସେଥିପାଇଁ ସେ ମୁହଁ ବୁଜି ରହିଲା । ପାଣୁ ନାଏକ ଓ ବାସୁଦାସ ଅବାଧରେ ବାହାରକୁ ଚାଲିଗଲେ-। ଫାଟକ ଦ୍ୱାର ପୁଣି କଣ କଣ ଡାକି ବନ୍ଦ ହେଲା ଏବଂ ତାଲା ପଡ଼ିଲା । ସେତେବେଳେକୁ ସନ୍ଧ୍ୟାର ଅନ୍ଧକାର ଘୋଟିଗଲାଣି, ଜହ୍ନ ପଡ଼ିବାକୁ ବିଳମ୍ବ ଅଛି ।

 

ଆର ଦିନ ସକାଳେ ମଠ ପଞ୍ଜରବାଟେ ମାତାମାନେ ଘର ଭିତରୁ ଚାହିଁ ଦେଖିଲେ, କୃଷ୍ଣପ୍ରିୟା ସମାଧି ଲାଗି ବାସୁଦାସ ଓ ତା ଭାଇ ଅଭୟ ଦାସ ମାଟି ଖୋଳିବାରେ ଲାଗିଛନ୍ତି । ମଠରେ ପାଣୁ ନାଏକକୁ କେହି ‘‘ଅଭୟ ଦାସ’’ ନାମରେ ନ ଡାକି ସୁବିଧାରେ କହିବା ପାଇଁ ‘‘ଆର ଦାସ’’ ବୋଲି ଡାକିଲେ । ରମା ମଠ ବାଳିକାମାନଙ୍କ ସଙ୍ଗେ ରହି ପାଠ ପଢ଼ିବାକୁ ଲାଗିଲା । ତା ନିମନ୍ତେ ମଠ ନିୟମ ଟିକିଏ ଶିଥିଳ କରାଯାଇ ଏହି ବ୍ୟବସ୍ଥା ହେଲା ଯେ ସେ ପ୍ରତିଦିନ ଘଣ୍ଟାକପାଇଁ ବିଶ୍ରାମ ସମୟରେ ଅଜା ପାଖକୁ ଯାଇପାରିବ । ସେ ମଠର ଲୁଗାପଟା ପିନ୍ଧି ଏବଂ ଅରୁଆ ପ୍ରସାଦ ଖାଇ, ଖୁସିରେ ରହିବାକୁ ଲାଗିଲା । ପାଣୁ ନାଏକ ତାକୁ ଯେଉଁ ଶାଢ଼ୀ ପିନ୍ଧାଇ ଦୀନା ସାହୁ ଘରୁ ଆଣିଥିଲେ, ସେ ଶାଢ଼ୀ ଓ ସେ ଦୀନା ସାହୁ ଘରେ ଯେଉଁ ଛିଣ୍ଡା କନା ପିନ୍ଧୁଥିଲା, ସବୁ ଏକାଠି ସେହି ଛୋଟିଆ ସିନ୍ଦୁକ ମଧ୍ୟରେ ରଖି ନିଜ ମୁଣ୍ଡ ପାଖେ ଥୋଇଲା ।

Image

 

୨୪

କିଏ କଣ ?

ଆଠ ନଅ ବର୍ଷ ଚାଲିଗଲା । କଟକ ତେଲେଙ୍ଗାବଜାର ଅଞ୍ଚଳରେ ଗୋଟିଏ ଏଗାର ବାର ବର୍ଷ ବୟସର ବାଳକ ଅନେକ ସମୟରେ ଦେଖାଯାଉଥିଲା । ତା ପିନ୍ଧା ଲୁଗାଖଣ୍ଡ ଗୋଟାଏ ପ୍ରକାଣ୍ଡ ଶାଢ଼ୀ । ସେ ଶାଢ଼ୀ ସେ ତା ମା’ଠାରୁ ପାଇ ନ ଥିଲା । ସେ ଯେଉଁ କୁରୁତାଟି ପିନ୍ଧୁଥିଲା, ତାହା ତା ପାଦ ପର୍ଯ୍ୟନ୍ତ ପଡ଼ୁଥିଲା । ଅଥଚ ସେ କୁରୁତା ତା ବାପର ନୁହେଁ । ଲୋକେ ତାକୁ ଦୟା କରି ଯେ ଯାହା ଲୁଗାପଟା ଦେଉଥିଲେ । ସେ କେତେବେଳେ ଲଜ୍ଜା ନିବାରଣ ପାଇଁ କେତେବେଳେ ବା ଶୀତରୁ ପରିତ୍ରାଣ ପାଇବା ନିମନ୍ତେ ତାହା ଆଗ୍ରହରେ ପନ୍ଧୁଥିଲା । ତା ବାପା ମା’ ଯେ ନ ଥିଲେ ତା ନୁହେଁ; ସେମାନେ ତାକୁ ପଚାରୁ ନ ଥିଲେ । ବାପା ମା’ ଥାଇ ସୁଦ୍ଧା ସଂସାରରେ ଯେଉଁ କେତେଗୋଟି ଛେଉଣ୍ଡ ପିଲା ଅଛନ୍ତି; ସେମାନଙ୍କ ମଧ୍ୟରେ ପରିଗଣିତ ହେବାପାଇଁ ତାର ପୂରା ଦାବି ରହିଥିଲା ।

ସେ ପିଲା ଯେଉଁଠାରେ ଯାହା ପାଉଥିଲା, ଖାଉଥିଲା । କେଉଁ ଦିନ କାହା ପନ୍ଦାଡ଼ରେ ଶୋଉଥିଲା, ଲୋକଙ୍କଠାରୁ ଗାଳି ମାଡ଼ ସହୁଥିଲା । ସେ ସବୁ ବୋଧହୁଏ ତା ମା’ର ହୃଦୟ ଅପେକ୍ଷା ତାକୁ ଅଧିକ କୋମଳ ବୋଧ ହେଉଥିଲା । ତଥାପି ସେ ବେଳେ ବେଳେ କହୁଥିଲା; ‘‘ଆଜି ମୁଁ ମା’କୁ ଦେଖିବାକୁ ଯିବି ।’’ କହି, ସେ ତେଲେଙ୍ଗାବଜାର ଅଞ୍ଚଳ ଛାଡ଼ି, ମଙ୍ଗଳାବାଗର ସେହି ‘‘ଦରଜି କୋଠା’’ ତଳ ମହଲା ଘରକୁ ଚାଲିଯାଏ । ସେ ସମୟରେ ଦରଜିକୋଠାର ଭଙ୍ଗା କାନ୍ଥଟି କେତେଗୁଡ଼ିଏ ଖଡ଼ି ଚିହ୍ନରେ ସୁସଜ୍ଜିତ ହୋଇ ରହିଥିଲା । ସେ ଚିହ୍ନଗୁଡ଼ିକ ମିଶାଇ ଦେଖିଲେ ପଢ଼ି ହୁଏ, ‘‘ଘର ଭଡ଼ା ଦିଆଯିବ ।’’ ତଥାପି ସେ ଘରେ କେତେଗୁଡ଼ିଏ ଲୋକ ରହୁଥିଲେ । ସେମାନେ ଯେ କିଏ ଏବଂ କାହିଁକି ରହୁଥିଲେ, ତାହା ଜାଣିବା ଦୁଷ୍କର । ସେମାନେ ନିଜେ ମଧ୍ୟ ତାହା ଜାଣିଥିଲେ କି ନାହିଁ ସନ୍ଦେହ । ତେବେ ଏତିକି କୁହାଯାଇପାରେ ଯେ ସେମାନେ ଚାରିଜଣ ଲୋକ ଏକତ୍ର ଗୋଟିଏ ପରିବାର ଗଢ଼ି ରହିଥିଲେ । ସେ ମଧ୍ୟରୁ ଦୁଇ ଜଣ ଚଉଦ ପନ୍ଦର ବର୍ଷର ବାଳିକା ଏବଂ ଆର ଦୁଇ ଜଣ ତାଙ୍କ ବାପ ମା ।

ବାପ ନିଜକୁ ଅଗାଧୁ ବେହେରା ନାମରେ ଚିହ୍ନାଉଥିଲା । ବାଳକଟି ଅଗାଧୁ ବେହେରା ପୁଅ । ଅଗାଧୁ ବେହେରା ଘରେ ପୁଅ ମୁଠାଏ ଖାଇବାକୁ ପାଏ ନାହିଁ କି କଅଁଳ କଥା ପଦେ ଶୁଣେ ନାହିଁ । ସେ ଘରକୁ ଆସିଲେ, ଭଉଣୀମାନେ ପଚାରନ୍ତି, ‘‘ତୁ କୋଉଠୁ ଆସିଲୁ ?’’ ସେ ଉତ୍ତର ଦିଏ, ‘‘ଦାଣ୍ଡରୁ ।’’ ପୁଣି ଯେତେବେଳେ ସେ ଚାଲିଯାଏ, ସେମାନେ ପଚାରନ୍ତି, ‘‘ତୁ କୁଆଡ଼େ ଯାଉଚୁ-?’’ ସେ ଉତ୍ତର ଦେଇ କହେ ‘‘ଦାଣ୍ଡକୁ’’ । ଦାଣ୍ଡ ଲୋକେ ତାକୁ ‘‘ହରିଆ’’ ବୋଲିଡାକିନ୍ତି । ହରିଆ ଦର୍ଜି କୋଠାରେ ପାଦ ପକାଇବା ମାତ୍ରେ ଘରଟାଯାକ ଘଡ଼ଘଡ଼ି ଶବ୍ଦରେ ପୂରିଉଠେ । ସେ ଶବ୍ଦରେ ହରିଆର କାନ ତାବଦା ପଡ଼ିଯାଏ । ସେ ବରାବର ଶୁଣେ, ‘‘ଅଳପେଇଷ, ପଳା, ବାହାର୍‌, ନିକାଲ୍‌-। ମୋ ପେଟ ଛିଡ଼ିପଡ଼ିଲା ନାହିଁ, ତୁ କାଳିକନା ଜନ୍ମ ହବାକୁ ଥିଲୁ । ମରୁନାହୁଁ ବାଡ଼ିପଡ଼ା, ପଳା ।’’ ଶୁଣି, ହରିଆ ଦର୍ଜିକୋଠାରେ ମୁହୂର୍ତ୍ତେ ରହିପାରେ ନାହିଁ । ଉପର ମହଲାରେ ଘରର ମାଲିକିଆଣୀ ଆଗେ ରହୁଥିଲେ; କିନ୍ତୁ କ୍ରମେ ଲକ୍ଷ୍ମୀଙ୍କ ପରାମର୍ଶ ଅନୁସାରେ ସେ ତାକୁ ଭଡ଼ା ଲଗାଇ ନିକଟରେ ଖଣ୍ଡିଏ ଛୋଟିଆ ଚାଳଘରେ ନିଜର ବାସସ୍ଥାନ ଗଢ଼ିନେଲେ । ଦୋମହଲା ଘରଟି ଭଡ଼ା ନେଇ ବନମାଳୀ ରାଏ ନାମକ ଜଣେ ନିତାନ୍ତ ଦରିଦ୍ର ଯୁବକ ରହୁଥିଲା । ସେ ବନମାଳୀ ରାଏ କିଏ, ଜାଣିବାକୁ ହେଲେ ଟିକିଏ ଅନୁସନ୍ଧାନ କରି ଦେଖିବାକୁ ହେବ ।

Image

 

୨୫

ଅଭାଗିନୀ

ଏ ଓ ସେ

 

ବାଙ୍କର ଯେଉଁ ବୁଢ଼ା ବୁଢ଼ା ଲୋକ ଗତ ତିରିଶ ବର୍ଷ ମଧ୍ୟରେ ମରିଯାଇଛନ୍ତି, ସେମାନେ ଶ୍ରୀନିବାସ ଚମ୍ପତିରାଏ ନାମ ସହିତ ବେଶ୍‌ ପରିଚିତ ଥିଲେ । ଶ୍ରୀନିବାସ ବାଙ୍କିର ବିତାଡ଼ିତ ରାଜାଙ୍କ କକେଇ ପୁଅ ଭାଇ । ସନ ୧୨୫୮ ସାଲରେ ତାଙ୍କ ବୟସ ପ୍ରାୟ ଅଶୀ ବର୍ଷ ହୋଇଥିଲା । ତଥାପି ସେ ସିଧା ଚାଲୁଥିଲେ, ବିନା ପ୍ରଚକ୍ଷୁରେ ପଢ଼ିପାରୁଥିଲେ, ନଡ଼ିଆ ମୁଗଭଜା ଇତ୍ୟାଦି ଚୋବାଇ ପାରୁଥିଲେ ଏବଂ ଖୁବ୍‌ ପାଟିକରି କଥା କହିପାରୁଥିଲେ । ତାଙ୍କର ବତିଶଟି ଦାନ୍ତରୁ ଗୋଟିଏ ସୁଦ୍ଧା ପଡ଼ି ନ ଥିଲା । ବିଷୟ ସମ୍ପତ୍ତି ଯାହା ଥିଲା, ସେଥିରୁ ବର୍ଷକେ ପ୍ରାୟ ଦଶହଜାର ଟଙ୍କା ଆଦାୟ ହେଉଥିଲା । ତାକୁ ବାର୍ଷିକ ଲକ୍ଷେ ଟଙ୍କାକୁ ବଢ଼ାଇବାକୁ ସେ ସର୍ବଦା କଳ୍ପନା କରୁଥିୂଲେ ଏବଂ ସେଥିରୁ ପଚାଶ ହଜାର ଟଙ୍କା ଖର୍ଚ୍ଚ କରି, ଅନ୍ତତଃ ପଚାଶ ଜଣ ପୋଇଲୀ ରଖିବାକୁ ଭାବୁଥିଲେ; କିନ୍ତୁ ସେ ଭାବନା କଦାପି ପୂର୍ଣ୍ଣ ହୋଇପାରିଲା ନାହିଁ ।

 

ଶ୍ରୀନିବାସ ଚମ୍ପତିରାଏଙ୍କର ଗୁଣ ଯେପରି ଥିଲା, ଦୋଷ ମଧ୍ୟ ସେହିପରି ଥିଲା । ସେ ଅତି ଅଳ୍ପକେ ରାଗି ଯାଉଥିଲେ ଏବଂ ରାଗିଲା ମାତ୍ରେ ଠେଙ୍ଗାଧରି ଉଠୁଥିଲେ । ଉତ୍ତରାଧିକାରୀ ସୂତ୍ରେ ଗୋଟାଏ ବଡ଼ ସମ୍ପତ୍ତି ଛାଡ଼ି ଯିବାପାଇଁ ତାଙ୍କର ଏକାନ୍ତ ଇଚ୍ଛା ଥିଲା । ସେଥିପାଇଁ ରାଜାଙ୍କ ସଙ୍ଗେ ତାଙ୍କର ମନ ମିଳୁ ନ ଥିଲା । ତାଙ୍କର ଦୁଇଟି କନ୍ୟା ମଧ୍ୟରୁ ବଡ଼ ପାର୍ବତୀ, ବିଧବା ହୋଇ ପତିଗୃହ ଛାଡ଼ି, ପିତାଙ୍କ ନିକଟରେ ରହୁଥିଲେ । ପାର୍ବତୀଙ୍କ ବୟସ ପଚାଶ ବର୍ଷ; କିନ୍ତୁ ଶ୍ରୀନିବାସ ତାଙ୍କୁ ଗୋଟିଏ ପାଞ୍ଚ ବର୍ଷର ପିଲା ପରି ମଣୁଥିଲେ ଏବଂ ସେହି ଅନୁସାରେ ଶାସନରେ ରଖିଥିଲେ-

 

ରାଜାଙ୍କ ସଙ୍ଗେ ମନ ନ ମିଳିବାରୁ ସେ ବାଙ୍କି ଛାଡ଼ି ଆସି କଟକରେ ତୁଳସୀପୁରରେ ଘର ତୋଳି ରହିଥିଲେ । ତାଙ୍କ ତୁଳସୀପୁର ଘରଖଣ୍ଡି ରାଜା ଉଆସ କହିଲେ ଚଳେ । ବାସ୍ତବରେ ସେ ବାଙ୍କି ଛାଡ଼ି ଆସିବାବେଳେ କହି ଆସିଥିଲେ, ‘‘ଏ ଛାର ବାଙ୍କିରେ କିଏ ରହେ ? ରାଜା ହେଇ ରହିବୁ ତ କଟକ ସହରରେ ଆମେ ରହିବୁ ।’’ ସେଥିପାଇଁ ଶ୍ରୀନିବାସ କଟକରେ ରାଜା ଆଡ଼ାରେ ରହିବାକୁ ବରାବର ଚେଷ୍ଟା କରୁଥିଲେ । ଦାସୀ ପଦ୍ମାର ଦୁଇଟି ପୁଅଙ୍କ ପ୍ରତିପୋଷଣ ନିମନ୍ତେ ମାସକୁ ଷାଠିଏ ଟଙ୍କା ଲେଖାଏଁ ତହବିଲରୁ ଯାଉଥିଲା ।

 

ଶ୍ରୀନୀବାସଙ୍କ ଉଆସରେ ଗୋଟିଏ ଛୋଟିଆ ପିଲା ଥିଲା । ତାଙ୍କ ଆଗରେ ସେ ସବୁବେଳେ ଥରୁଥାଏ ଏବଂ ମୂକଙ୍କ ପରି କଥା ନ କହି ରହେ । ଶ୍ରୀନିବାସ ମଧ୍ୟ ତାକୁ କେବେ କଥା କହନ୍ତି ନାହିଁ । କଥା କହିବାର କୌଣସି ଆବଶ୍ୟକତା ପଡ଼ିଲେ ସେ ନିଜ ବେତ ଖଣ୍ଡିକ ଉପରେ ସେ ଭାର ଅର୍ପଣ କରିଦିଅନ୍ତି । ସେ ପିଲାଟିକି ବଡ଼ ଘୃଣା କରୁଥିଲେ । ସେ ଯେ ପର ପିଲା, ତା ନୁହେଁ; ସେ ତାଙ୍କ ନିଜ ନାତି; କିନ୍ତୁ ସେ ତାକୁ ନାତି ବୋଲି ଡାକିବାକୁ ପଶ୍ଚାତ୍ପଦ ଦେଉଥିଲେ । କେବଳ ସେତିକି ନୁହେଁ, ପିଲାଟି ତାଙ୍କୁ ଅଜା ବୋଲୁଛି ଜାଣିପାରିଲେ ସେ ଖଡ଼୍‌ଗହସ୍ତ ହୋଇ ଉଠୁଥିଲେ । ପିଲାଟି ବିଶ୍ୱେଶ୍ୱର ସହିତ ନିଜକୁ ତୁଳନା କରି, ସର୍ବଦା ସଂକୁଚିତ ହୋଇ ରହେ । ବିଶ୍ୱେଶ୍ୱରର ବୟସ ପ୍ରାୟ ନ ବର୍ଷ । ଶ୍ରୀନିବାସଙ୍କ ଉଆସରେ ସୋହାଗ ସମ୍ପଦ ତା ଉପରେ ଭାଜିପଡ଼ୁଥିଲା । ସେ ଶ୍ରୀନିବାସଙ୍କ ନାତି, ତାଙ୍କ ପୁତୁରାର ପୁଅ । ସେ ବାଙ୍କିରେ ରହୁଥଲା-। ଶ୍ରୀନିବାସ ଏବଂ ପାର୍ବତୀ ତା ନିକଟକୁ ଥରକୁ ଥର ଉପହାରମାନ ପଠାଉଥିଲେ ।

Image

 

୨୬

ବାପାଙ୍କ ଚିଠି

 

କଟକରୁ ଚାଲି ପୁରୀ ଆଡ଼କୁ ଯେଉଁମାନେ ଯାଉଥିଲେ, ବାଲିଅନ୍ତା ନିକଟରେ, କୁଆଖାଇ ପଠା ଉପରେ ଗୋଟିଏ ସୁନ୍ଦର ଛୋଟିଆ ବଗିଚା ସେମାନଙ୍କ ଦୃଷ୍ଟିରେ ପଡ଼ୁଥିଲା । ବଗିଚାରେ ଜଣେ ପଚାଶ ବର୍ଷର ବ୍ୟକ୍ତି ଗୋଟିଏ ଛୋଟିଆ କୁଡ଼ିଆ ଘରେ ବାସ କରୁଥିଲେ । ସେ ଦିନଯାକ ବଗିଚାରେ କୋଡ଼ି ହାଣିବା, ଗଛ ପୋତିବା, ପାଣିଦେବା, ଘାସ ବାଛିବା ଆଦି କାର୍ଯ୍ୟ ନିଜ ହାତରେ କରନ୍ତି ଏବଂ ସନ୍ଧ୍ୟାପରେ ଘର ଭିତରେ ନ ରହି ବଗିଚାର ସୌନ୍ଦର୍ଯ୍ୟ ଦେଖି ଏ ଗଛ ମୂଳରୁ ସେ ଗଛ ମୂଳକୁ ଯିବାଆସିବା କରୁଥାନ୍ତି । ତାଙ୍କର ବେଶଭୂଷାରେ ପରିପାଟୀ ନ ଥାଏ-। ସେ ଖୁବ୍‌ ମୋଟା ଲୁଗା ପିନ୍ଧନ୍ତି, ଚଷା ଗଉଡ଼ଙ୍କ ପରି ମୋଟାବଗଡ଼ା ଖାଆନ୍ତି । ତାଙ୍କ ମୁଣ୍ଡରେ ଗୋଟାଏ ବଡ଼ ଘା’ ଚିହ୍ନ ଦେଖି ଲୋକେ କହନ୍ତି, ‘‘ଏଡ଼େବଡ଼ ଘା’’ରୁ ଏ ବର୍ତ୍ତିଗଲେ, କେବଳ କପାଳ ଭଲ ଥିବା ଯୋଗେ ।’’ ବାସ୍ତବରେ ତାଙ୍କ କପାଳଟା ଖୁବ୍‌ ଉନ୍ନତ ଏବଂ ସୁନ୍ଦର; ଜୀର୍ଣ୍ଣ ଶୀର୍ଣ୍ଣ ଦେହ ଉପରେ ଗୋଟାଏ ମାଗିଆଣିଲା ଜିନିଷ ପରି ଥୁଆହୋଇ ରହିଥାଏ । ଜଣେ ବୁଢ଼ୀ ଚାକିରିଆଣୀ ଘର ଓଳାଇବା ଓ ରୋଷେଇ କରିବା ଆଦି କାମ କରେ । ଲୋକେ ତାଙ୍କ ଫୁଲ ବଗିଚା ଦେଖିବାକୁ ବେଳେ ବେଳେ ରୁଣ୍ଡ ହୁଅନ୍ତି । କେତେବେଳେ ସେମାନେ ଦେଖନ୍ତି ଯେ ସେ ଦୀର୍ଘନିଃଶ୍ୱାସ ପକାଉଛନ୍ତି, କେତେବେଳେ ବା ମନରେ କଣ ଭାବି ଟିକିଏ ହସୁଛନ୍ତି, ଦର୍ଶକମାନଙ୍କୁ ସେ ଗଛରୁ ଫୁଲ ଛିଣ୍ଡାଇ ଦିଅନ୍ତି, ନିଜ ଶକ୍ତି ଅନୁସାରେ ଖୁଆଇ ପିଆଇ ଅଭ୍ୟର୍ଥନା କରନ୍ତି । ଅଭ୍ୟର୍ଥିତ ଲୋକେ କହନ୍ତି, ‘‘ଗୋବିନ୍ଦ ସିଂହ ଦରିଦ୍ର ସିନା, ଭାରି ଉଦାର ।’’

 

ବାଙ୍କି ରାଜ୍ୟର ଇତିହାସ ଲେଖାଯାଇ ନାହିଁ । ତେବେ ସେ ସମୟର ଘଟଣାବଳୀର ଅନୁଧାବନ କରି ଦେଖିଲେ ଦେଖାଯିବ ଯେ ସନ ୧୨୪୭ ସାଲରେ ବାଙ୍କି ରାଜାଙ୍କ ସହିତ ଇଂରେଜଙ୍କର ଯେଉଁ ଯୁଦ୍ଧ ହୋଇଥିଲା, ସେଥିରେ ଗୋବିନ୍ଦ ସିଂହ ପ୍ରଧାନ ସେନାନାଏକ ଥିଲେ । ରାଜ୍ୟର ସ୍ୱାଧୀନତା ରକ୍ଷା କରିବା ନିମନ୍ତେ ସେ ଅସ୍ତ୍ରଧାରଣ କରିଥିଲେ । ସେ ଯୁଦ୍ଧରେ ଇଂରେଜମାନେ ଜୟୀ ହେବାରୁ ବାଙ୍କି ଖାସ୍‌ହେଲା । ଗୋବିନ୍ଦ ସିଂହ ବାଙ୍କିରୁ ବିତାଡ଼ିତ ହେଲେ । ସେ ଯେଉଁଦିନ ବାଙ୍କି ଛାଡ଼ି ଯାଆନ୍ତି, ବଞ୍ଚିବେ କି ମରିବେ କିଛି ସ୍ଥିର ନ ଥିଲା । ଯେଉଁ ଯୁଦ୍ଧଭୂମିରେ ବାଙ୍କିର ଦେଢ଼ହଜାର ସୈନିକ ଆତ୍ମବଳି ଦେଲେ, ସେନାନାଏକ ଗୋବିନ୍ଦ ସିଂହ ସେହିଠାରେ ନିଜର ପ୍ରାଣାଧିକ ସୈନିକବର୍ଗଙ୍କ ଶବରାଶି ମଧ୍ୟରେ ନିଜେ ମୃତପ୍ରାୟ ପଡ଼ିଥିଲେ । ହଠାତ୍‌ କିଏ ଯେପରି ସ୍ୱର୍ଗରୁ ଦେବତା ପରି ଆସି ତାଙ୍କୁ ଶବରାଶି ମଧ୍ୟରୁ କାଢ଼ି ଉଦ୍ଧାର କଲା । ସେ ପ୍ରଥମେ ଜଣେ ସାଧାରଣ ସୈନିକ ଥିଲେ; କିନ୍ତୁ ଇଂରେଜ ବିରୋଧରେ ଅସ୍ତ୍ର ଧାରଣ କରି ଯୁଦ୍ଧଭୂମିକୁ ଗଲାବେଳେ ରାଜା ନିଜ ହାତରେ ତାଙ୍କ ମୁଣ୍ଡରେ ସିନ୍ଦୂର ଟୋପା ଦେଇ କହିଲେ, ‘‘ଗୋବିନ୍ଦ ସିଂହ, ତୁମେ ଆଜି ବାଙ୍କିର ସେନାପତି ।’’

 

ଗୋବିନ୍ଦ ସିଂହଙ୍କ ପତ୍ନୀ ସନ ୧୯୪୨ ସାଲରେ ଗୋଟିଏ ପୁତ୍ର ଜନ୍ମକରି ନିଜେ ମୃତ୍ୟୁମୁଖରେ ପଡ଼ିଥିଲେ । ପୁଅଟି ଗୋବିନ୍ଦ ସିଂହଙ୍କ ଜୀବନର ଏକମାତ୍ର ସାନ୍ତ୍ୱନାର ବିଷୟ ହୋଇଥାନ୍ତା; କିନ୍ତୁ ସେ ଜନ୍ମ ହେଲା ଦିନଠାରୁ ଅଜାଘରେ ଯାଇ ରହିଲା । ସୁତରାଂ ବାପାଙ୍କ ସଙ୍ଗେ ତାର କେବେ ଦେଖା ହେଲା ନାହିଁ । ଅଜା ସ୍ପଷ୍ଟ କହିଲେ, ‘‘ସେ ଯଦି ବାପା ପାଖକୁ ଯାଏ କିମ୍ବା ବାପ ପ୍ରତି ସ୍ନେହ ମମତା ଭକ୍ତି ମନରେ ରଖେ, ତେବେ ତାକୁ ସମ୍ପତ୍ତିରୁ ମୁଁ ପାହୁଲାଟାଏ ଦେବି ନାହିଁ ।’’ ତାଙ୍କର ସେ କଠୋର ପ୍ରତିଜ୍ଞା ପରେ, ପୁଅର କଲ୍ୟାଣ ଦୃଷ୍ଟିରୁ ଗୋବିନ୍ଦ ସିଂହ ତା ସହିତ ପ୍ରତ୍ୟକ୍ଷ ସମ୍ପର୍କ ସବୁ ତୁଟାଇଦେଇ, ପାତ୍ର ଅଭାବରେ ବ୍ୟର୍ଥ ହେଉଥିବା ଅପତ୍ୟ ସ୍ନେହ ବଗିଚାର ଗଛ ପତ୍ର ଫୁଲଠାରେ ଅର୍ପିବାରେ ଲାଗିଲେ ।

 

ଶ୍ରୀନିବାସ ବିଧବା ଝିଅଟି ସହିତ ତୁଳସୀପୁର ଉଆସରେ କାଳ କଟାଉଥିବା ଅବସ୍ଥାରେ ଅନେକ ସମୟରେ କହନ୍ତି, ‘‘ଦେଖ୍‌ ପାର୍ବତୀ । ଉମାକୁ ମୁଁ ଯେ ସ୍ନେହ କରୁ ନ ଥିଲି, ତା ନୁହେଁ; କିନ୍ତୁ ସେ ଯେଉଁଦିନ ସେ ଡକାୟତର ହାତ ଧଇଲା, ସେଦିନୁଁ ମୁଁ ତାକୁ ବିଷ ଦୃଷ୍ଟିରେ ଦେଖିଲି । ଭାଗ୍ୟକୁ ସେ ଚାଲିଯାଇଛି । ତା ସ୍ୱାମୀ ଡକାୟତି ବୃତ୍ତି କଲା । ମୁଁ ତାକୁ ଯେତେ ମନାକଲି ଶୁଣିଲା ନାହିଁ । ଯେ ମୋର ଶତ୍ରୁ ସେ ତାରି ସାହାଯ୍ୟରେ ରହିଲା । ମୁଁ କହିଲି, ଏ ଗୋରାମାନେ ଦେଶତମାମ ତ ନେଇ ସାରିଲେଣି । ଆଉ ଏ ଛାର ବାଙ୍କି ରାଜା ତାଙ୍କୁ କି ହଟେଇ ପାରିବେ ? ବାଙ୍କିରାଜା ଯେପରି ଗୋଟାଏ ବଳଦ, ଏ ଗୋବିନ୍ଦ ମଧ୍ୟ ସେହିପରି ଗୋଟାଏ ବଳଦ । ଦୁଇଟାଯାକ ମିଶି ବାଙ୍କିର ପଡ଼ିଆଗୁଡ଼ାକ ଦିନେ ଦୁଇଦିନ କାଳ ଚଷିଗଲେ । ଶେଷରେ ବାଙ୍କିରାଜା ଯେପରି ତଡ଼ା ଖାଇଗଲା, ଏ ଗୋବିନ୍ଦ ମଧ୍ୟ ସେହିପରି ତଡ଼ା ଖାଇଲା । ଏବେ ଯାଇ ଚଷାଙ୍କ ପରି ଲଙ୍ଗଳ ଧରି ଚାଷ କରୁଚି-। କି ବଡ଼ପଣିଆ ନୁହେଁ କି ? ଛି ଛି ଛି ।’’

 

ବନମାଳୀ କେବଳ ଅଜାଙ୍କ ସାମାନ୍ୟ ସମ୍ପତ୍ତି ଭୋଗ କରିବ ବୋଲି ଯେ ଗୋବିନ୍ଦ ସିଂହ ଅନବରତ ପୁତ୍ର ବିଚ୍ଛେଦ ବହ୍ନିରେ ଜଳି ତାକୁ ପରିତ୍ୟାଗ କରି ରହିଥିଲେ, ତା ନୁହେଁ । ପାର୍ବତୀ ଜଣେ ବିଶେଷ ଧନଶାଳୀ ରାଜାଙ୍କ ହାତ ଧରିଥିଲେ, କିନ୍ତୁ ବିହାରର ଅଳ୍ପ କାଳ ପରେ ତାଙ୍କୁ ବିଧବା ହେବାକୁ ପଡ଼ିଲା । ତାଙ୍କର ସନ୍ତାନ ନ ଥିବାରୁ ସେ ପତିଙ୍କ ସମୁଦାୟ ସମ୍ପତ୍ତିର ଏକମାତ୍ର ଉତ୍ତରାଧିକାରିଣୀ ହେଲେ; କିନ୍ତୁ ଶ୍ରୀନିବାସ ତାଙ୍କୁ ଏକୁଟିଆ ପତିଗୃହରେ ଛାଡ଼ି ନ ଦେଇ ନିଜ ପାଖେ ରଖିଲେ । ପାର୍ବତୀଙ୍କର ବିପୁଳ ସମ୍ପତ୍ତି ସେ ପରକୁ ନ ଦେଇ; ନିଜ ଉତ୍ତରାଧିକାରୀ ହାତେ ଅର୍ପଣ କରିବାକୁ ସ୍ଥିର କରିଥିଲେ । ବିଶ୍ୱେଶ୍ୱରକୁ ପୋଷ୍ୟ ପୁତ୍ର କରିବା ଲାଗି ପାର୍ବତୀଙ୍କର ଯେ ପ୍ରବଳ ଇଚ୍ଛା ଥିଲା; ଶ୍ରୀନିବାସ ନାନା ମନ୍ତ୍ରଣାଦ୍ୱାରା ତାହା ଚୂର୍ଣ୍ଣ କରି ପକାଇଲେ । ଶେଷରେ ସ୍ଥିର ହେଲା ଯେ ବାପା ଯାହାକୁ ନିଜର ପୋଷ୍ୟପୁତ୍ର ରୂପେ ଗ୍ରହଣ କରିବେ, ପାର୍ବତୀଙ୍କ ସମ୍ପତ୍ତି ତାହାରି ହସ୍ତରେ ଅର୍ପଣ କରାଯିବ । ଶ୍ରୀନିବାସ ବନମାଳୀକୁ ଅତି ଶିଶୁ ବୟସରୁ ନିଜ ଘରେ ରଖି, ପାଳି ତାହାକୁ ହିଁ ପୋଷ୍ୟପୁତ୍ର କରିବାକୁ ଠିକ୍‌ କରିଥିଲେ ଓ ନିଜ ବଂଶର ଉପାଧିରେ ତା ପୈତୃକ ନାମକୁ ବିମଣ୍ଡିତ କରି ରଖି୍ଥିଲେ । ନିଜର ଛେଉଣ୍ଡ ପୁଅ ବନମାଳୀ ଅଜା ଓ ମାଉସୀ ଉଭୟଙ୍କ ବିପୁଳ ସମ୍ପତ୍ତି ଭୋଗ କରି ସୁଖରେ ରହିପାରିବ ଭାବି, ଗୋବିନ୍ଦ ସିଂହ ଶ୍ରୀନିବାସଙ୍କ ଇଚ୍ଛା ବିରୋଧରେ କେବେ କାର୍ଯ୍ୟ କରି ନାହାନ୍ତି; ବନମାଳୀକୁ ପାଖରେ ରଖିବାକୁ ଚେଷ୍ଟିତ ହୋଇ ନାହାନ୍ତି, ଏପରିକି ପ୍ରକାଶ୍ୟରେ ତାକୁ ଥରେ ହେଲେ ଆଖିରେ ଦେଖି ନାହାନ୍ତି ।

 

ବନମାଳୀ ନିଜ ବାପାଙ୍କ ପାଖକୁ ଯିବାଆସିବା କରୁ, ପାର୍ବତୀ ବରାବର କାମନା କରୁଥିଲେ । କେବଳ ସେତିକି ନୁହେଁ, ରାଜ୍ୟ ଓ ସମ୍ପତ୍ତିରୁ ବିତାଡ଼ିତ ଗୋବିନ୍ଦ ସିଂହ ମଧ୍ୟ ଆସି ଶ୍ୱଶୁରଘରେ ରହନ୍ତୁ ବୋଲି ତାଙ୍କର ଇଚ୍ଛା ଥିଲା । ବାପାଙ୍କ ନିକଟରେ ସେହି ଇଚ୍ଛା ପ୍ରକାଶକରି ସେ କେତେଥର ଗାଳି ମଧ୍ୟ ଖାଇଛନ୍ତି । ଗୋବିନ୍ଦ ସିଂହ ଉମାର ପାଣିଗ୍ରହଣ କଲାବେଳେ ଶ୍ରୀନିବାସ କହିଥିଲେ, ‘‘ଏ ସତ୍‌ବ୍ରାହ୍ମଣ ହାତରେ ସୁବର୍ଣ୍ଣ ଦାନ;’’ କିନ୍ତୁ ବିବାହର ଠିକ୍‌ ପରେ ଗୋବିନ୍ଦ ସିଂହ ବାଙ୍କି ରାଜାଙ୍କ ସୈନ୍ୟ ଦଳରେ ଭୁକ୍ତ ହେଲେ । ସେହି ଯୋଗେ ତାଙ୍କୁ ଶ୍ରୀନିବାସ ବିଷଦୃଷ୍ଟିରେ ପଡ଼ିବାକୁ ହେଲା ।

 

ବାଲିଅନ୍ତା ଗୋପୀନାଥଙ୍କ ଦେଉଳ ପୂଜାରୀ ଗଙ୍ଗାଧର ଗୋବିନ୍ଦ ସିଂହଙ୍କ ବଗିଚାରୁ ଠାକୁରଙ୍କ ନିମନ୍ତେ ଫୁଲ ଆଣିବା ସମ୍ପର୍କରେ ପ୍ରଥମେ ତାଙ୍କ ସଙ୍ଗେ ପରିଚୟ କରିଥିଲା । ସେ ପରିଚୟ କ୍ରମେ ଘନିଷ୍ଠତାରେ ପରିଣତ ହେଲା । ଗଙ୍ଗାଧରର ସାନଭାଇ ବିମ୍ବାଧର କଟକଚଣ୍ଡୀ ଦେଉଳରେ ଯାଇ କାମ କରେ । ଦିନେ ବିମ୍ବାଧରକୁ ଧରି ଗଙ୍ଗାଧର ଗୋବିନ୍ଦ ସିଂହଙ୍କ ନିକଟକୁ ଯାଇଥିଲା । ବିମ୍ବାଧର କଥା ପ୍ରସଙ୍ଗରେ କହିବସିଲା, ‘‘ମୋ ଦେଉଳ କାମ ଅବଶ୍ୟ ଅନେକ, ହେଲେ ରୋଜଗାର ମଧ୍ୟ ସେଇପରି ହୁଏ । ପ୍ରତିଦିନ ଶହ ଶହ ଲୋକ ଦର୍ଶନ କରିବାକୁ ଆସନ୍ତି । ପଇସାଏ ହେଲେ ତ ମୋର ଶହେ ପଇସା ଟଙ୍କେ ନ ଅଣା ଦିନକୁ ଥୁଆ । ତାପରେ ପ୍ରତି ମଙ୍ଗଳବାର ଦିନ ବାଙ୍କି ରାଜାଙ୍କ ବଂଶରେ ଜଣେ ଜେମା ସାଥିରେ ଗୋଟିଏ ପିଲା ଧରି ଦର୍ଶନ କରିବାକୁ ଆସି ମୋତେ ଟଙ୍କେ ମସାଏ ଦେଇଯାଆନ୍ତି ।’’

 

ବିମ୍ବାଧର ଏତିକି କହିଛି, ଗୋବିନ୍ଦ ସିଂହ ଭୋ ଭୋ କାନ୍ଦି ପକାଇଲେ । ଗଙ୍ଗାଧର କାରଣ ନ ବୁଝିପାରି ବାରମ୍ବାର ପଚାରିବାକୁ ଲାଗିଲା । ତହୁଁ ଗୋବିନ୍ଦ ସିଂହ ନିଜ ପୁଅର ଯାବତୀୟ ବୃତ୍ତାନ୍ତ ବର୍ଣ୍ଣନା କରି ଶେଷରେ କହିଲେ, ‘‘ଗଙ୍ଗାଧର, ମୁଁ ଯାହା କଷ୍ଟ ପାଉଚି ପାଏ । ମୋ ବନୁ ଟଙ୍କା ପଇସା ପାଇ ସୁଖରେ ରହିଲେ ହେଲା । ତାରି ଲାଗି ତ ମୁଁ ଏ ଦଶା ଭୋଗୁଚି, ଛାତି ଫାଟିଯାଉଚି’’ କହି, ସେ ପୁଣି ଅନେକ ସମୟ କାନ୍ଦିଲେ । ସେହିଦିନଠାରୁ ଗୋବିନ୍ଦ ସିଂହଙ୍କୁ ଗଙ୍ଗାଧର ଓ ବିମ୍ବାଧର ବେଶି ଆପଣାର କଲେ ।

 

ବନମାଳୀ ପିଲାଦିନୁ ମାଉସୀ ପାର୍ବତୀଙ୍କ କଟକଣାରେ ରହି ପଢ଼ାପଢ଼ି କଲା । ତାର ଯେତିକି ଜ୍ଞାନର ପରିସର ବଢ଼ିଲା, ଅଜାଙ୍କ କାର୍ଯ୍ୟକଳାପ ପ୍ରତି ତାର ସେତିକି ବିରାଗ ଜନ୍ମିବାକୁ ଲାଗିଲା । ଷୋଳବର୍ଷ ବୟସବେଳେ ଦିନେ ସେ ପଢ଼ିସାରି ଘରକୁ ଫେରିବାବେଳେ ହଠାତ୍‌ ଅଜାଙ୍କ ହାବୁଡ଼େ ପଡ଼ିଲା । ଅଜା କହିଲେ, ‘‘ଦେଖ୍‌ ଟୋକା, ତୁ କାଲି ସକାଳେ ବାଲିଅନ୍ତା ଯା ।’’ ଶୁଣି ବନମାଳୀ ଭୟତ୍ରସ୍ତ ସ୍ୱରରେ ପଚାରିଲା, ‘‘କାହିଁକି ?’’ ଅଜା ଉତ୍ତର ଦେଲେ, ତୋ ବାପା ଡକେଇଚି-।’’ ବନମାଳୀ ଏକେ ଅଜାଙ୍କୁ ଦେଖି ତ ଥରୁଥିଲା; ତାଙ୍କ କଥା ଶୁଣି ଆପଦମସ୍ତକ କମ୍ପିବାକୁ ଲାଗିଲା । ବାପାଙ୍କୁ ଦେଖିବାକୁ ଯେ ତାକୁ ଦିନେ ଯିବାକୁ ପଡ଼ିବ, ସେଥିପାଇଁ ସେ ନିଜକୁ କେବେ ପ୍ରସ୍ତୁତ କରି ନ ଥିଲା । ସେ ଅଜାଙ୍କଠାରୁ ଶୁଣି ଶୁଣି ସ୍ଥିରରୂପେ ଜାଣିଛି ଯେ ତା ବାପା ଗୋଟାଏ ଡକାୟତ ଏବଂ ଦାଣ୍ଡର ଭିକାରୀ । ବାପା ଏତେ ବର୍ଷ ମଧ୍ୟରେ ତାକୁ ଦିନେ ନ ପଚାରିବାରୁ ତାର ସେ ବିଶ୍ୱାସ ବଦ୍ଧମୂଳ ହୋଇଛି । ଆଜି ବାପାଙ୍କୁ ଦେଖିବାକୁ ଯିବା ନିମନ୍ତେ ଅଜାଙ୍କଠାରୁ ହୁକୁମପାଇ ବନମାଳୀ ମୁହୂର୍ତ୍ତକେ ମଧ୍ୟରେ ବ୍ୟତିବ୍ୟସ୍ତ ହୋଇପଡ଼ିଲା । ଦେଖି, ମାଉସୀ କହିଲେ, ‘‘ତାଙ୍କ ଦେହ ବ୍ୟସ୍ତ ହେଇଚି; ତୁ ଗଲେ ଟିକିଏ ଦେଖିବେ ପରା ।’’

 

ପରଦିନ ସନ୍ଧ୍ୟାରେ ବନମାଳୀ ବାଲିଅନ୍ତା ଯାଇ ବାପାଙ୍କ ବଗିଚାରେ ପହଞ୍ଚିଲା । ଜଣେ ବୁଢ଼ୀ ବଗିଚା କୁଡ଼ିଆ ଘରଦ୍ୱାରେ ବିମର୍ଷ ମୁଖରେ ବସିଥିଲା । ବନମାଳୀ ତାକୁ ପଚାରିଲା, ‘‘ଏ କଣ ଗୋବିନ୍ଦ ସିଂହଙ୍କ ଘର ?’’ ବୁଢ଼ୀ ମୁଣ୍ଡ ଠାରି ‘‘ହଁ’’ କଲା । ବନମାଳୀ ପୁଣି ପଚାରିଲା, ‘‘ତାଙ୍କ ସାଙ୍ଗେ ଦେଖା ହେଇପାରିବ ?’’ ବୁଢ଼ୀ ପୁଣି ମୁଣ୍ଡ ଠାରିଲା, ମାତ୍ର ଏଥର ନାହିଁ କଲା । ଦେଖି ବନମାଳୀ କହିଲା, ‘‘ମୁଁ ତାଙ୍କ ପୁଅ, ସେ ମୋତେ ଡକେଇଥିଲେ ।’’ ତହୁଁ ବୁଢ଼ୀ ପାଟି ଫିଟାଇ କହିଲା, ‘‘ଆଉ ଦେଖିପାରିବେ ନାହିଁରେ ବାପା !’’

 

ବନମାଳୀ ଦେଖିଲା, ବୁଢ଼ୀ ଆଖିରୁ ଝରଝର ଲୁହ ବୋହୁଛି । କିଛି କାରଣ ବୁଝି ନ ପାରି ସେ ଘର ଭିତରେ ପାଦ ପକାଇଲା । ସେଠାରେ ତିନିଜଣ ଲୋକ ଥିଲେ । ଜଣେ ଠିଆ ହୋଇଥିଲା, ଜଣେ ବସି କାନ୍ଦୁଥିଲା, ଆଉ ଜଣେ ଚିତ୍‌ ହୋଇ ଶୋଇ ରହିଥିଲା । ଯେ ଶୋଇ ରହିଥିଲା, ସେ ଗୋବିନ୍ଦ ସିଂହ । ଠିଆ ହେବା ଲୋକଟି ବୈଦ୍ୟ ଏବଂ ବସି କାନ୍ଦୁଥିବା ଲୋକଟି ଗଙ୍ଗାଧର । ବୈଦ୍ୟ ବିଫଳ ହୋଇ ଫେରି ଯାଉଥିଲେ । ଗଙ୍ଗାଧର ତା ବହୁ ଦିନର ସଙ୍ଗୀ ଗୋବିନ୍ଦ ସିଂହଙ୍କୁ ଚିର ବିଦାୟ ଦେଇ, ତାଙ୍କ ସ୍ମୃତିଟିକୁ ନେତ୍ର ଜଳରେ ସିକ୍ତ କରି ରଖୁଥିଲା ।

 

ମଲା ପୂର୍ବରୁ ଗୋବିନ୍ଦ ସିଂହଙ୍କର କିଛି ସମୟ ପ୍ରଳାପ ହୋଇଥିଲା । ସେ ପ୍ରଳାପରେ ବାରମ୍ବାର କହୁଥିଲେ, ‘‘ମୋ ପୁଅ ଆସିଲା ନାହିଁ । ମୁଁ ଯାଇ ତା ସଙ୍ଗେ ଦେଖା କରିବି ।’’ ମଲାବେଳେ ତାଙ୍କ ଦୁଇ ଆଖିରୁ ଦୁଇଧାର ଲୁହ ଯେ ଗଡ଼ି ପଡ଼ିଥିଲା, ବନମାଳୀ ଆସିବା ସମୟ ମଧ୍ୟରେ ତାଙ୍କ ଜଡ଼ ଦେହ ତାହା ଶୁଖାଇପାରି ନ ଥିଲା । ସେହି ଅଶ୍ରୁଧାର ଦେଖି ବନମାଳୀ ପିତାଙ୍କ ବଗିଚାରୁ ଫେରିଲା । ସେ ଫେରିଲାବେଳେ ବୁଢ଼ୀଟି ତା ହାତରେ ଖଣ୍ଡିଏ ଲେଖା ଦେଲା-। ସେଥିରେ ଲେଖାଥିଲା, ‘‘ମୋ ପୁଅ ଜାଣିବ, ମୁଁ ମାତୃଭୂମିର ଗୌରବ ରକ୍ଷା ନିମନ୍ତେ ଯୁଦ୍ଧକ୍ଷେତ୍ରକୁ ଗଲାବେଳେ ରାଜା ମୋତେ ‘‘ସେନାପତି’’ ଉପାଧି ଦେଇଥିଲେ । ସେ ଉପାଧି ମୁଁ ହୃଦୟର ରକ୍ତ ଦେଇ କିଣିଥିଲି । ମୋ ପୁଅ ସେ ଉପାଧି ଗ୍ରହଣ କରିବ । ସେ ନିଶ୍ଚୟ ନିଜକୁ ତାର ଉପଯୁକ୍ତ କରି ଗଢ଼ିବ ।’’ ତା ତଳକୁ ଆହୁରି ଲେଖାଥିଲା, ‘‘ଯୁଦ୍ଧକ୍ଷେତ୍ରରେ ଜଣେ ସୈନିକ ମୋ ଜୀବନରକ୍ଷା କରିଥିଲା । ସେ ଜଜାରସିଂହ ଚଟିଘର ମାଲିକ ଦୀନା ସାହୁ । ମୋ ପୁଅ ତାକୁ କୃତଜ୍ଞତା ଦେଖାଇବ-।’’ ଲେଖାଟି ବନମାଳୀ ବାରମ୍ବାର ପଢ଼ିବାରେ ଲାଗିଲା । ସେ ଯେତିକି ପଢ଼ିଲା, ତା ମନରେ ଗୋଟାଏ ଅଦ୍ଭୁତ ଭାବର ସଞ୍ଚାର ହେଲା । ତାହା ପ୍ରାଣରେ ଗୋଟିଏ ନୂତନ ଅଙ୍କୁରର ଆବିର୍ଭାବ ଘଟିଲା ।

 

ବିମ୍ବାଧର ସଙ୍ଗେ ଚିହ୍ନା ହେବା ପରେ ଗୋବିନ୍ଦ ସିଂହ ମାସକେ ଥରେ କୌଣସି ମଙ୍ଗଳବାର ଦିନ କଟକଚଣ୍ଡୀ ଦେଉଳକୁ ଯାଉଥିଲେ । ପାର୍ବତୀ ବନମାଳୀ କି ଧରି ଦେଉଳକୁ ଆସିଲେ, ସେ ଆଢ଼ୁଆଳରେ ରହି ଥରେ ତାକୁ ଦେଖି ନିଅନ୍ତି । ସେ ଅନେକ ମଙ୍ଗଳବାର ବାଲିଅନ୍ତାରୁ କଟକ ଯାଇ ଫେରଛନ୍ତି । ଏପରିକି ବର୍ଷାପାଣି, ପବନ, ବଢ଼ି, ନ ମାନି ଜୀବନ ମୂର୍ଚ୍ଛି, ପୁଅକୁ ଦେଖିବାପାଇଁ ସେ ଯାଉଥିଲେ ।

 

ଗୋବିନ୍ଦ ସିଂହଙ୍କ ମୃତ୍ୟୁର ଅନେକ ଦିନ ପରେ ଦିନେ ବନମାଳୀ ଏକା କଟକଚଣ୍ଡୀଙ୍କ ଦେଉଳରେ ଗୋଟାଏ ଖମ୍ବ ଆଢ଼ୁଆଳରେ ଆଉଜି ବସିଛି, ଦେଉଳ ମାଳୀ ଗଦାଧରି ଆସି କହିଲା; ‘‘ତୁମେ ଏଠୋଉ ଘୁଞ୍ଚ ଏଟା ମୋ ଥାନ ।’’ ଶୁଣି ବନମାଳୀ ଘୁଞ୍ଚିଗଲା । ତହୁଁ ମାଳୀ କହିଲା, ‘‘ଶୁଣିମ, ମୁଁ କାହିଁକି ତୁମକୁ ଘୁଞ୍ଚିଯିବାକୁ କହିଲି ?’’ ବନମାଳୀ କହିଲା, ‘‘ନା, ମୋର ଦରକାର ନାହିଁ-।’’

 

ଶୁଣି ମାଳୀ ଉତ୍ତର ଦେଲା, ‘‘ନା, ଦରକାର ଅଛି, ଶୁଣ । ତୁମେ କାହିଁକି ଭାବିବ ଯେ ମୁଁ ଗୋଟାଏ ଖରାପ ଲୋକ ଆଉ ଅନ୍ୟାୟରେ ଅକାରଣରେ ତୁମକୁ ବସିବାଠାରୁ ଉଠେଇଲି । ମୁଁ ଏ ଥାନଟିକିବଡ଼ ପବିତ୍ର ମନେ କରେ । ମୁଁ ତା କାରଣ କହୁଚି । ପ୍ରାୟ ପାଞ୍ଚବର୍ଷ କାଳ ମୁଁ ଦେଖିଲି, ମାସକେ ଥରେ ମଙ୍ଗଳବାର ଦିନ ଜଣେ ଦରିଦ୍ର ଲୋକ ଏଠେଇ ଠିଆ ହେଇ, ମୁଣ୍ଡ ବଢ଼େଇ ତା ପୁଅକୁ ଟିକିଏ ଚାହିଁଦେଇ ଚାଲିଯାଏ । ତା ବାପ ସେମିତି ଆସି ଦେଖୁଚି ବୋଲି ପୁଅ କେବେ ସନ୍ଦେହ କରି ନାହିଁ । ମୁଁ ସେ ଲୋକକୁ ଜାଣେ । ତାର ଜଣେ ଶ୍ୱଶୁର ଥିଲା । ସେ ଶ୍ୱଶୁର ତା ପୁଅକୁ- ବୋଇଲେ ନିଜ ନାତିକି ନେଇ ଘରେ ରଖିଥିଲା, ଆଉ ତାକୁ ବାପ ପାଖକୁ ଯିବାକୁ ମନା କରିଥିଲା । ଲୋକଟି ବାଲିଅନ୍ତାରେ ରହୁଥିଲା । ତା ନାଁ କି ସିଂହ ତ । କପାଳରେ ଗୋଟାଏ ବଡ଼ ଘା ଚିହ୍ନ ଥାଏ । ପୂଝାରୀ ବିମ୍ବାଧର ତାକୁ ଭଲରୂପେ ଜାଣନ୍ତି । କି ସିଂହ ତ ।’’

 

ଶୁଣି ବନମାଳୀ କହିଲା, ‘‘ଗୋବିନ୍ଦ ସିଂହ ।’’

‘‘ହଁ, ଠିକ୍‌ ଗୋବିନ୍ଦ ସିଂହ । ତୁମେ କଣ ତାକୁ ଚିହ୍ନ କି ?’’

 

‘‘ହଁ, ସେ ତ ମୋ ବାପା ।’’ ମାଳୀ ବନମାଳୀକି କୁଣ୍ଢାଇ ପକାଇ କହିଲା, ‘‘ତୁ ବାପ, ତା ପୁଅ ? ଆହା, ତତେ କେତେ ସ୍ନେହ କରୁ ନ ଥିଲା କି ! ସେମିତି ବାପ କୋଟିକେ ଗୋଟିଏ ପରା-।’’

Image

 

୨୭

ସ୍ଥାନଚ୍ୟୁତ

 

ବନମାଳୀ ସେଦିନ ଦେଉଳରୁ ଘରକୁ ଫେରିଯାଇ, ତା ଆରଦିନ କହିଲା, ‘‘ଅଜା, ମୋ ସାଥୀର କେତେ ପିଲା ଶିକାର କରିବାକୁ ଯାଉଚନ୍ତି । ମୁଁ ତାଙ୍କ ସଙ୍ଗେ ଯିବି । ତିନି ଦିନ ଲାଗିବ ।’’ ଶୁଣି ଶ୍ରୀନିବାସ ଉତ୍ତର ଦେଲା, ‘‘ତିନି ଦିନ କାହିଁକି ତିନି ମାସ ପାଇଁ ଯା ନା ।’’ ତା ପରେ ପାର୍ବତୀଙ୍କି ଟିକିଏ ଆଖି ଠାରି ଧୀରେ ଧୀରେ କହିଲେ, ‘‘ଏ ବୟସାଟା ତ ଏଇପରି । ନ ଯାଇ କଣ ସ୍ଥିର ହୋଇ ରହିପାରିବ ? ଯାଉ, କୋଉଠୁ ଗୋଟାଏ ଚଷା ଗଉଡ଼ ବାଉରି ଘର ଟୋକୀ ଧରି ନ ଆସିଲେ ରକ୍ଷା ।’’

 

ବାଙ୍କିରେ ପହଞ୍ଚି, ବନମାଳୀ ଘର ଘର ବୁଲି ପିତାଙ୍କ ବିଷୟରେ ନାନାପ୍ରକାର ପ୍ରଶ୍ନ ପଚାରିବାକୁ ଲାଗିଲା । ସେ ଯେଉଁଠାକୁ ଗଲା, ଗୋବିନ୍ଦ ସିଂହଙ୍କ ପ୍ରଶଂସା ଶୁଣିଲା । ତା ହୃଦୟ ଗର୍ବରେ ପୂରିଉଠିଲା । ସେଠାରୁ ଫେରି ସେ କଟକଚଣ୍ଡୀ ଦେଉଳ ମାଳୀ ସଙ୍ଗେ ଦେଖାଗଲା । ବିମ୍ବାଧର ସଙ୍ଗେ ତାର ପରିଚୟ ହେଲା । ସେ ପିତାଙ୍କ ଅଦ୍ଭୁତ ପୁତ୍ର ସ୍ନେହର ବର୍ଣ୍ଣନା ଶୁଣିଲା । ଶେଷରେ ସେ ମନକୁ ମନ କହିଲା, ‘‘ମୁଁ ତ ସାମାନ୍ୟ ଲୋକର ପୁଅ ନୁହେଁ । ଗୋବିନ୍ଦ ସିଂହ ମନୁଷ୍ୟ ନ ଥିଲେ, ଥିଲେ ସିଂହ, ଥିଲେ ଦେବତା ।’’

 

ସେ ଘଟଣା ପରେ କ୍ରମେ କ୍ରମେ ଶ୍ରୀନିବାସଙ୍କ ତୁଳସୀପୁର ଉଆସ ବନମାଳୀକୁ କଣ୍ଟକମୟ ବୋଧ ହେବାକୁ ଲାଗିଲା । ସେ ଘରେ ବେଶି ସମୟ ରହିଲା ନାହିଁ; ସର୍ବଦା ଚିନ୍ତିତ ଦିଶିଲା । ତା ମୁଖମଣ୍ଡଳ ଗମ୍ଭୀର ଏବଂ ନେତ୍ରଯୁଗଳ ବିଷର୍ଣ୍ଣ ଦେଖାଗଲା । ଦେଖି ଶ୍ରୀନିବାସ ମନେ ମନେ ଭାବିଲେ, ‘‘କାହା ଫାନ୍ଦରେ ପଡ଼ି ସାରିଲାଣି ।’’ ବାସ୍ତବରେ ବନମାଳୀ ଫାନ୍ଦରେ ପଡ଼ିସାରିଥିଲା; ସେ ଫାନ୍ଦ ତା ପିତୃଭକ୍ତିର ଫାନ୍ଦ ।

 

ବନମାଳୀ ମନରେ ନୂତନ ଭାବର ସଞ୍ଚାର ହେବା ସଙ୍ଗେ ସଙ୍ଗେ, ତାର ଭୀଷଣ ମାନସିକ ପରିବର୍ତ୍ତନ ମଧ୍ୟ ଘଟିଲା । ସେ ବିଶ୍ୱାସ କରୁଥିଲା ଯେ ବାଙ୍କିର ରାଜା ଇଂରେଜ ସରକାରଙ୍କ ହାତେ ବିନା ଯୁଦ୍ଧରେ ରାଜ୍ୟ ସମର୍ପଣ କରି ନ ଦେଇ, ଯୁଦ୍ଧ କରିବାଦ୍ୱାରା ଗୋଟିଏ ଘୋର ଅନ୍ୟାୟ କାର୍ଯ୍ୟ କରୁଛନ୍ତି । ଇଂରେଜ ଏ ଦେଶରେ ରାଜତ୍ୱ କରିବା ନିମନ୍ତେ ଭଗବାନ୍‌ଙ୍କ ଦ୍ୱାରା ପ୍ରେରିତ ବୋଲି ସେ ବିଦ୍ୟାଳୟରେ ପାଠ୍ୟପୁସ୍ତକରେ ପଢ଼ିଥିଲା; ସୁତରାଂ ତାହା ହିଁ ଯଥାର୍ଥ ବୋଲି ତା ମନରେ ଧାରଣା ବଦ୍ଧମୂଳ ହୋଇଥିଲା; କିନ୍ତୁ ସେ ବର୍ତ୍ତମାନ ଦେଖିପାରିଲା ଯେ ତା ପିତା ବାଙ୍କି ରାଜାଙ୍କ ପକ୍ଷରୁ ଇଂରେଜ ସରକାରଙ୍କ ବିରୋଧରେ ଅସ୍ତ୍ର ଧାରଣ କରି ପ୍ରବଳ ଦେଶହିତୈଷିତାର ପରିଚୟ ଦେଇଛନ୍ତି । ପିତା ଜୀବିତ ଥିଲେ, ସେ ତାଙ୍କ ଗୋଡ଼ତଳେ ପଡ଼ି କ୍ଷମା ମାଗି କହିଥାନ୍ତା, ‘‘ବାପା, ଆପଣ ମୋ ଧର୍ମଗୁରୁ, ମୁଁ ଆପଣଙ୍କ ପୁଅ ।’’ ପିତାଙ୍କୁ ହରାଇ ସେ ତାଙ୍କ ସ୍ମୃତିକୁ ପୂଜା କରିବାରେ ଲାଗିଲା । ‘‘ବନମାଳୀ ରାଏ’’ ନାମ ଛାଡ଼ି ନିଜ ପାଠ୍ୟପୁସ୍ତକମାନଙ୍କରେ ନାମ ଲେଖିଲା, ସେନାପତି ବନମାଳୀ ସିଂହ । ବଞ୍ଚି ରହିଲେ, ଭବିଷ୍ୟତରେ ସେ ଜଣେ ସେନାପତି ହେବ ବୋଲି ସ୍ଥିର କରିନେଲା ।

 

ବନମାଳୀ ମନେ ମନେ ପିତାଙ୍କ ସ୍ମୃତି ଯେତେ ପୂଜା କରିବାକୁ ଲାଗିଲା, ଶ୍ରୀନିବାସ ଚମ୍ପତିରାଏଙ୍କ ଠାରୁ ତା ହୃଦୟ ସେତିକି ଅନ୍ତର ହୋଇଗଲା; କିନ୍ତୁ ତା କଥାବାର୍ତ୍ତା ଓ କାର୍ଯ୍ୟକଳାପରେ ଅଜା ତାର ଏ ନୂତନ ଭାବର କୌଣସି ଚିହ୍ନ ଲକ୍ଷ୍ୟକରି ପାରିଲେ ନାହିଁ ।

 

ବନମାଳୀ କେଉଁ ଦିନ ଜଜାରସିଂହ ଯାଇ, ଦୀନା ସାହୁକୁ ଖୋଜି, ସନ୍ଧାନ ନ ପାଇ ଫେରି ଆସିଲା, ତାହା କେହି ଜାଣିପାରିଲେ ନାହିଁ । ସେ ଧରିନେଲା ଯେ ପିତାଙ୍କ ଆଦେଶ ପାଳନ କରିବାର ଗୋଟିଏ ସୁଯୋଗରୁ ସେ ବଞ୍ଚିତ ହୋଇଛି । ଦୀନା ସାହୁ ଯେ କେବଳ ଜଜାରସିଂହରେ ନ ଥିଲା, ତା ଚଟିଘର ଭାଜି ଯାଇଥିଲା, ତା ବିଷୟରେ କେହି କିଛି କହିପାରିଲେ ନାହିଁ । ଜଜାରସିଂହ ଯିବା ଆସିବାରେ ବନମାଳୀର ଚାରିଦିନ ଗଲା । ତାହା ଦେଖି ଶ୍ରୀନିବାସ ଚମ୍ପତିରାଏ କହିଲେ, ‘‘ଟୋକାଟା ଏକାବେଳକେ ବିଗିଡ଼ି ଗଲାଣି ।’’ ତା ବିଗିଡ଼ି ଯିବାର ଆଉ ଏକ ଲକ୍ଷଣ ମଧ୍ୟ ଦେଖାଗଲା-। ସେ ଖଣ୍ଡେ କାଗଜ ଗୁଡ଼ାଇ, ସୂତାରେ ବାନ୍ଧି; ବେକରେ ଝୁଲାଇ ରଖୁଥିଲା । ସେଟା ଯେ କେବଳ କଦର୍ଯ୍ୟ ଓ ରୁଚି ବିଗର୍ହିତ ଦିଶୁଥିଲା, ସେତିକି ନୁହେଁ; ତାର କୌଣସି ଅର୍ଥ ମଧ୍ୟ ବୁଝାଯାଉ ନ ଥିଲା-

 

ବନମାଳୀ ଉପରେ ନିତାନ୍ତ ଅସନ୍ତୁଷ୍ଟ ହୋଇ, ଶ୍ରୀନିବାସ ଚମ୍ପତିରାଏ କ୍ରମେ କ୍ରମେ ବିଶ୍ୱେଶ୍ୱରକୁ ଅଧିକ ଅଧିକ ଆଦର କରିବାରେ ଲାଗିଲେ । ହୃଦୟର ଯେଉଁ ଧାରା ବନମାଳୀ ଆଡ଼କୁ ବୋହିବାରେ ବାଧା ପାଇଲା, ତାହା ଫେରି ବିଶ୍ୱେଶ୍ୱର ମୁଣ୍ଡରେ ପଡ଼ିଲା । ବିଶ୍ୱେଶ୍ୱର ପଢ଼ାଶୁଣା ସେତେ ନ କଲେ ମଧ୍ୟ, କୁସ୍ତି କସରତକୁ ବେଶ୍‌ ପାରେ । ହାରୁ ପଛକେ, ବଡ଼ ବଡ଼ ମାଲମାନଙ୍କ ସଙ୍ଗେ ଲଢ଼େଇ କରିବାରେ ସେ ପଛାଏ ନାହିଁ । ବନମାଳୀ ଓ ବିଶ୍ୱେଶ୍ୱର ମଧ୍ୟରେ ଦେଖାସାକ୍ଷାତ୍‌ କେବେ ହୋଇ ନାହିଁ । ଉଭୟେ ଉଭୟର ନାମ ଶୁଣିଛନ୍ତି ମାତ୍ର ।

 

ଦିନେ ବନମାଳୀ କେଉଁଠାକୁ ଯିବାକୁ ବସିଲା । ତାହା ଜାଣିପାରି ପାର୍ବତୀ ଅତ୍ୟନ୍ତ ବିରକ୍ତ ହୋଇ କହିଲେ, ‘‘ମୋ ରକ୍ତ ଟକମକ ହେଇ ଫୁଟି ଉଠୁଚି ପରା । ଟୋକାଟା ସବୁବେଳେ ଧାଇଁଲା କୁଆଡ଼େ ? ବାପା କିଛି ଭୁଲ୍‌ ବୁଝିନାହାନ୍ତି । ମରୁ, ଯାହା ପାରୁଚି କରୁ । ତା ମୁହଁ ଚାହିଁକରି ନାହିଁ ।’’ ପାର୍ବତୀ ଯେଉଁ କୋଠରୀରେ ବସିଥିଲେ, ତା ଦ୍ୱାର ଫିଟିଲା । ପାର୍ବତୀ ଚାହିଁ ବିସ୍ମିତ ହୋଇ ପଚାରିଲେ, ‘‘କିରେ ବିଶ୍ୱେଶ୍ୱର ଯେ । ତୁ ହଠାତ୍‌ କୁଆଡ଼େ ?’’

 

‘‘ଆସିଗଲି, ଅପା ଟିକିଏ ବୁଲିଯିବାକୁ ।’’

‘‘ପାଞ୍ଚ ବର୍ଷରେ ତ ପାଦ ପକେଇଚୁ; ମାସେ ଖଣ୍ଡେ ରହ ।’’

 

‘‘ନା, ଅପା ଆଜି ଚାଲିଯିବି । ରହିବାକୁ ମନ କହୁଚି, ‘‘ହଁ’’ ହେଲେ କାମ କହୁଚି ‘‘ନା’’ । କାମ ପଛକୁ ପକେଇ ରହିପାରିବି ?’’

 

ବିଦାୟ ଦେଲାବେଳେ ପାର୍ବତୀ ବିଶ୍ୱେଶ୍ୱର ହାତେ ଶହେଟି ଟଙ୍କା ଦେଇ କହିଲେ, ‘‘ମଜୁରି ନୁହେଁ, ବାପା, ଖାଲି ବିଦାକି । ଏ ଅପାଟା ପାଇଁ ଗୋଟାଏ କାମ କରିଦେବୁ ? ତୁ ଯୁଆଡ଼େ ଯାଉଚୁ, ବନମାଳୀ ତ ମଧ୍ୟ ସେହିଆଡ଼େ ଯାଉଚି । ତୁ ତାକୁ ଚିହ୍ନିଚୁ ନା ?’’

 

‘‘ହଁ, ମୁଁ ତାକୁ ଚିହ୍ନେ, ସେ ମୋତେ ଚିହ୍ନେ ନାହିଁ । ତା ଆଖିକି ମୁଁ କାହିଁକି ଦିଶିବି, ଅପା-? ସେ ବଡ଼ଲୋକ ।’’

 

‘‘ଆଚ୍ଛା, ଶୁଣ ବିଶ୍ୱେଶ୍ୱର । ସେ ବରାବର ଘରୁ କୁଆଡ଼େ ପଳାଉଚି । କୋଉଠି କାହା ସାଙ୍ଗେ ପଡ଼ିଲାଣି କି ?’’

 

‘‘କିଛି ବିଚିତ୍ର ନୁହେଁ ।’’

 

‘‘ଦେଖ୍‌, ତୁ ଟିକିଏ ଖବର ଅନ୍ତର ନେବୁଟି ? ତତେ ତ ସେ ଚିହ୍ନେ ନାହିଁ କହୁଚୁ । ତୁ ବୁଝି ଖବର ନେଇ ମତେ ଚିଠି ଲେଖିବୁ ।’’

 

‘‘ହଉ, ଅପା’’ କହି ବିଶ୍ୱେଶ୍ୱର ଚାଲିଗଲା । ବନମାଳୀର କାର୍ଯ୍ୟକଳାପ ଲକ୍ଷ୍ୟ କରିବାକୁ ତା ନିଜର ସେପରି କୌଣସି କୌତୂହଳ ନ ଥିଲା; କିନ୍ତୁ ଜଗତରେ ଅର୍ଥଲାଳସା ବେଳେ ବେଳେ କୌତୂହଳର ସ୍ଥାନ ଅଧିକାର କରେ ଏବଂ ସେଦିନ ବିଶ୍ୱେଶ୍ୱରର ହୃଦୟ ଅଧିକାର କରି ବସିଲା । ସେ ଭାବିଲା, ‘‘ଶହେ କଣ, କେତେ ଶହ ମିଳିବ ।’’

 

ବାଲିଅନ୍ତା ଦାଣ୍ଡରେ ଜଣେ ଯୁବକ ହାତରେ ଗୁଡ଼ାଏ ଫୁଲମାଳ ଧରି କହି କହି ଯାଉଥିଲା,- ‘‘ଫୁଲ କିଏ ନବ, ରସିକେ ?’’ ବିଶ୍ୱେଶ୍ୱର ମନେ ମନେ ଭାବିଲା, ‘‘ଆଚ୍ଛା, ଟୋକାଟାକୁ ଥରେ ଦେଖିଯିବି । ଭାରି ସୁବିଧା ମିଳିଚି ।’’

 

ଆଦେଶ ପାଳନ କ୍ରମେ କୌତୂହଳରେ ପରିଣତ ହେଲା । ବନମାଳୀ ବିଶ୍ୱେଶ୍ୱରକୁ ଚିହ୍ନି ନ ଥିବାରୁ ତା ଆଡ଼କୁ ଚାହିଁ, ଗମ୍ଭୀର ଭାବରେ ଚାଲିଗଲା । ବିଶ୍ୱେଶ୍ୱର ଖଣ୍ଡେ ଦୂରରେ ପଛେ ପଛେ ଯାଇ ଦେଖିଲା ବନମାଳୀ ଗୋଟିଏ ଅତି ଛୋଟିଆ ଦେଉଳ ଭିତରେ ଫୁଲମାଳଟି ନେଇ ଥୋଇଲା-। ବିଶ୍ୱେଶ୍ୱର ଦେଖି ମନେ ମନେ ଭାବିଲା, ସେ ଭିତରେ ତ ମଣିଷଟାଏ ରହିବା ଅସମ୍ଭବ-। ଏ କଣ-? ସେ ଆହୁରି ନିକଟକୁ ଯାଇ ଦେଖିଲା, ବନମାଳୀ କାନ୍ଦୁଛି, ଦେଉଳ କାନ୍ଥରେ ଲେଖା ହୋଇଛି, ‘‘ସେନାପତି ଗୋବିନ୍ଦ ସିଂହଙ୍କ ସମାଧି ।’’ ବିଶ୍ୱେଶ୍ୱର ଚମକି ପଛେଇଗଲା, ଦେଖିଲା, ତା କଳ୍ପନାର ବାଳିକାଟି ବିକଟ ଶ୍ମଶାନର ଚିତା ।

 

ଗୋବିନ୍ଦ ସିଂହ ମଲା ପରେ ତାଙ୍କୁ ଅନ୍ତ୍ୟେଷ୍ଟିକ୍ରିୟା କରିବାପାଇଁ ଗଙ୍ଗାଧର ନିଜର ଜମି ବିକି ଟଙ୍କା ବ୍ୟୟ କରିଥିଲା । ତାଙ୍କ ଚାକିରିଆଣୀ ବୁଢ଼ୀ ତାର ସମୁଦାୟ ସଞ୍ଚିତ ଧନ ଏକଶହ ଛ ଟଙ୍କା ଖର୍ଚ୍ଚ କରି ଚିତା ଉପରେ ଗୋଟିଏ ଛୋଟିଆ ମୁଗୁନି ପଥର ଦେଉଳ ତିଆରି କରାଇ ଦେଇଥିଲା । ଦେଉଳଟିର ଉଚ୍ଚତା ଦେଢ଼ହାତ ମାତ୍ର ।

 

ବାଲିଅନ୍ତାରୁ ଫେରି, ବନମାଳୀ ଘରେ ପହଞ୍ଚି ପୋଥି, ଲୁଗାପଟା ଆଦି ଥୋଇଦେଇ, ଗାଧୋଇବାକୁ ଚାଲିଗଲା । ସେ ଫେରିଛି ଶୁଣି, ଶ୍ରୀନିବାସ ଚମ୍ପତିରାଏ ତା ଉପରେ ରାଗ ମେଣ୍ଟାଇବାକୁ ଧାଇଁଆସି, ତା ପରିବର୍ତ୍ତେ ତା ଲୁଗାପଟାଗୁଡ଼ାକ ଦେଖିଲେ । ସେ ବେକରେ ଯେଉଁ କାଗଜଖଣ୍ଡି ବାନ୍ଧି ରଖିଥାଏ, ସେ ଖଣ୍ଡି ଲୁଗାପଟା ଭିତରୁ ବାହାରିଲା । ଶ୍ରୀନିବାସ ତାକୁ ଫିଟାଇ ପଢ଼ିଲେ ଏବଂ ପାର୍ବତୀଙ୍କୁ ଡାକି ପଢ଼ାଇଲେ । ପଢ଼ି ବାପ ଝିଅ ଦୁହେଁ ରାଗରେ ପାଚିଗଲେ । ବୁଢ଼ା ପାଟି ଫିଟାଇ ପାରିଲେ ନାହିଁ । ଝିଅ ଅନେକ ସମୟ ପରେ କହିଲେ, ‘‘ଏ ସେଇ ଲଢ଼େଇୟା ହାତର ଲେଖା ।’’ ଲୁଗାପଟା ଭିତରୁ ଖଣ୍ଡେ ପୋଥି ବାହାରିଲା । ସେଥିରେ ଲେଖାଥିଲା, ‘‘ସେନାପତି ବନମାଳୀ ସିଂହ ।’’

 

ଶ୍ରୀନିବାସ ସେ ପୋଥି, ଲୁଗାପଟା ଆଦି ସବୁ ଜିନିଷ ନେଇ ବାହାରେ ପକେଇଦେଲେ-। ବନମାଳୀ କିଛି ସମୟ ପରେ ଆସି ପହଞ୍ଚିବାରେ ସେ କହିଲେ, ‘‘କିରେ ସେନାପତି, ମୋ ଘରେ ଯୁଦ୍ଧ କରିବୁ ବୋଲି ଆସିଚୁ ନା କଣ ? ସେନାପତି କଣ ରେ ? ବନମାଳୀ ନମ୍ରଭାବରେ ଉତ୍ତର ଦେଲା, ‘‘ତା ଅର୍ଥ, ମୁଁ ମୋ ବାପର ପୁଅ’’ । ବୁଢ଼ା ବଜ୍ର ସ୍ୱରରେ କହିଲେ, ‘‘ତୁ ମୋ ପୁଅ ।’’ ବନମାଳୀ ପୁଣି ଧୀରେ ଧୀରେ କହିଲା, ‘‘ନା ମୋ ବାପା ପରମ ଦେଶହିତୈଷୀ ଥିଲେ-। ତାଙ୍କର ପ୍ରଧାନ ଦୋଷ ଥିଲା ଯେ ସେ ଦୁଇଟା ଅକୃତଜ୍ଞ ପଦାର୍ଥକୁ ଅତିରିକ୍ତ ସ୍ନେହ କରୁଥିଲେ–‘‘ଗୋଟାଏ ଦେଶ, ଆଉ ଗୋଟାଏ ମୁଁ ।’’ ଶ୍ରୀନିବାସ ଆଉ ସହିପାରିଲେ ନାହିଁ, କହିଲେ, ‘‘ତୋ ବାପ କିଏ, ମୁଁ ଜାଣିବାକୁ ଚାହେଁନା । ତୁ ସେନାପତି ହୋଇଗଲୁଣି । ଦେଖ୍‌ ମୋ ପାଦଧୂଳିକି ସରି ନୋହୁ ତୁ ସେନାପତି । ସେନାପତି ଗୋଟାଏ ଠକ ବଦ୍‌ମାସ ଚୋର- ଯେପରି ସେ ମୃତ୍ୟୁଞ୍ଜୟ ରାଏ, ସେହିପରି ତୋ ବାପ ।’’

 

ବନମାଳୀ ଆପାଦମସ୍ତକ ଥରିଲା । ତା ସମ୍ମୁଖରେ ପିତାଙ୍କର ଯେ ଏତେଗୁଡ଼ାଏ ଅପମାନ କରାଯିବ, ସେ ଭାବି ନ ଥିଲା । ତହୁଁ ସେ ପାଟିକରି କହିଲା, ‘‘ଅଜା ସାବଧାନ ! ମୋ ବାପାଙ୍କୁ ନିନ୍ଦା କରିବେ ନାହିଁ । ଶୁଣି, ଶ୍ରୀନିବାସ ଚମ୍ପତିରାଏ କହିଲେ, ‘‘ତୋ ପରି ଗୋଟାଏ ସେନାପତିକି ମୁଁ ଘରେ ରଖି, କଣ ପୋଷି ପାରିବି ? କୁକୁର ପରି ତଡ଼ିଦେବି ।’’ ସେ ପାଦରେ ତଳକୁ ଗୋଟାଏ ଗୋଇଠା ମାରି ପୁଣି କହିଲେ, ‘‘ମୁହୂର୍ତ୍ତରେ ପଳା ମୋ ଘରୁ, ଚଣ୍ଡାଳ । ମୁଁ ନ ଜାଣି ଦୁଧ ଖୁଆଇ ସାପ ପୋଷିଥିଲି, ଆଜି ଗରଳ ବାନ୍ତି କରୁଚୁ ।’’

 

କେତେଦିନ ପରେ କ୍ରୋଧାନଳ ଲିଭି, ଯେତେବେଳେ ନିଆଁ ଖଣ୍ଡମାନଙ୍କ ଉପରେ ଗୋଟାଏ ପାଉଁଶ ଆବରଣ ଛାଡ଼ିଦେଇଗଲା, ଚମ୍ପତିରାଏ ପାର୍ବତୀଙ୍କି କହିଲେ, ‘‘ପଳେଇଚି, ଘରୁ ଗୋଟାଏ ଅଳିଆ ଯାଇଛି । ଆଉ ତା ମୁହଁ ଚାହିଁମି ନାହିଁ । ତେବେ ତୁ ପ୍ରତି ଛ ମାସକୁ ତା ପାଖକୁ ଛ’ ଶହ ଟଙ୍କା ଭତ୍ତା ପଠେଇ ଦେଉଥିବୁ । ନୋହିଲେ ସମ୍ପତ୍ତିରୁ ଭାଗ ମାଗିବ, ଅଦାଲତରେ ମକଦ୍ଦମା କରି ବସିବ । ଓକିଲ ପଞ୍ଝାଏ ତ ଶାଗୁଣାପଲ ପରି ଟାକି ବସିଚନ୍ତି ନା, ଧଳାକୁ କଳା କରିବେ ।’’

Image

 

୨୮

ବନମାଳୀର ନୂଆ ପରିସ୍ଥିତି

 

କିରେ, ବନମାଳୀ ନା କଣ ?’’

‘‘ହଁ’’ ।

 

‘‘ତୁ ଅନେକ ଦିନ ଅନୁପସ୍ଥିତ ହୋଇଗଲୁ । କୁଆଡ଼େ ଯାଇଥିଲୁ କି ? ଶିକ୍ଷକ ହାଜରା ବହିରୁ ତୋ ନାଁ କାଟି ଦେଉଥିଲେ । ସେ ପ୍ରଥମେ ଡାକିଲେ, ‘‘ବନମାଳୀ ରାଏ’’ । କେହି ଉତ୍ତର ଦେଲେ ନାହିଁ । ତହୁଁ ସେ ଆଉ ବଡ଼ ପାଟିକରି ଡାକିଲେ; ତଥାପି ଉତ୍ତର ମିଳିଲା ନାହିଁ । ମୁଁ ଭାବିଲି, ତୁ କେଉଁଆଡ଼େ ଦୁରକୁ ଚାଲିଯାଇଥିବୁ । ଶିକ୍ଷକ ପୁଣି ତୃତୀୟଥର ଆହୁରି ବଡ଼ ପାଟିକରି କହିଲେ, ‘‘ବନମାଳୀ ରାଏ’’ । ମୁଁ କହିଲି, ‘‘ଉପସ୍ଥିତ’’ । ତା ପରେ ଯେତେବେଳେ ଡାକିଲେ, ‘‘ବିଶ୍ୱନାଥ ମିଶ୍ର,’’ ମୁଁ ପୁଣି କହିଲି, ‘‘ଉପସ୍ଥିତ’’ । ଶିକ୍ଷକ ମୋ ଆଡ଼କୁ ଚାହିଁ ପଚାରିଲେ, ‘‘ତୁ କଣ ଦି ଜଣ ?’’ ତହୁଁତୋ ‘‘ଉପସ୍ଥିତ’’ ରଖି, ମୋର ‘‘ଅନୁପସ୍ଥିତ’’ କଲେ । କେବଳ ସେତିକି ନୁହେଁ; ସେ ନିୟମ ଜାରିକଲେ ଯେ ଏ ମାସରେ ଯେ ପାଞ୍ଚ ଦିନରୁ ବେଶି ଅନୁପସ୍ଥିତ ଥିବ, ସେ ତା ନା କାଟିଦେବେ । ତୋର ଆଉ ମୋର ପାଞ୍ଚ ଦିନ ହେଇଯାଇଥିଲା । ତୋ ନାଁ ରହିଲା, ମୋ ନାଁ କଟିଗଲା ।’’

 

‘‘ତୁ କଣ କଲୁ । ମୋ ନାଁ ତ କଟିଥାନ୍ତା । ତୁ ମୋ ପାଇଁ ‘‘ଉପସ୍ଥିତ’’ ଡାକି, ନିଜ ନାଁ କାଟି ବସିଲୁ କାହିଁକି ?’’

 

‘‘ସେ କଥା ତ ଗଲାଣି । ନାଁ ତ କଟିଲା । ପୁଣି ସେ ଦୋଷପାଇଁ ତୋ ହାତରେ ଏବେ ଫାଶୀ ଘିନିମି ନା କଣ ? ତୁ ଏସବୁ ଜିନିଷପତ୍ର ଧରି ଗାଡ଼ିଟାରେ ବସି କୁଆଡ଼େ ଯାଉଚୁ ମ ?’’

 

‘‘କୁଆଡ଼େ ଜାଣେନା । ତେବେ, ଏତିକି ଜାଣେ ଯେ ଅଜାଙ୍କ ଘରକୁ ନୁହେଁ । ତାଛଡ଼ା ସଂସାରରେ ଯେଉଁଠି ଜାଗା ମିଳିବ, ରହିବି । ଏଇ ଯେ ପଦ୍ମନାଭ ।’’

 

‘‘ମୋ ସାଙ୍ଗେ ଆମ ଘରକୁ ଚାଲ, ଭାଇ ।’’

 

‘‘ନା, ତୁ ତ ଏଇ ଆସି ପହଞ୍ଚିଲୁ । ସେ ମୋ ସାଙ୍ଗ ଆମ ଘରକୁ ଯିବ । ତୁ ଡାକିବାକୁ କିଏ ?’’

 

‘‘କାହିଁକି, ତୁ ତ ଅନେକ ସମୟ ତା ସାଙ୍ଗେ କଥାବାର୍ତ୍ତା ହୋଇସାରିଲୁଣି ! ତୋ ଦାବି ସରିଲାଣି ।’’ ପଦ୍ମନାଭ ଆଉ ଅପେକ୍ଷା ନ କରି, ଗାଡ଼ିରେ ଉଠି ବନମାଳୀ ସହିତ ବସିଲା ।

 

ପଦ୍ମନାଭ ଘରେ ବନମାଳୀ ଅତିଥିରୂପେ କେତେ ଦିନ ରହିଲା ପରେ ଦିନେ ଘରବାଲା ଆସି କହିଲା, ‘‘ପଦ୍ମନାଭ ଦାସ ମୋତେ ଆପଣଙ୍କ ନିକଟକୁ ପଠାଇ ଦେଲେ ।’’

 

‘‘ଭଲ କଥା, ଆସନ୍ତୁ, ବସନ୍ତୁ ।’’

‘‘ନା, ବସିବି ନାହିଁ । ମୁଁ ଟଙ୍କାତକ ପାଇଲେ ଚାଲିଯିବି ।’’

 

‘‘ଆଚ୍ଛା, ଆପଣ ପଦ୍ମନାଭକୁ ମୋ ପାଖକୁ ପଠେଇ ଦିଅନ୍ତୁ ।’’ ପଦ୍ମନାଭ ଭଡ଼ାଘରେ ରହି, ବିଦ୍ୟାଳୟରେ ପାଠ ପଢ଼ୁଥିଲା । ବନମାଳୀ ତା ସହିତ ସେ ଘରେ ରହି, ବାରମ୍ବାର ଜିଦ୍‌କରି କହିଲା, ‘‘ନା, ଭାଇ, ମୁଁ ଯେତେବେଳେ ଆସି ରହିଚି, ଭଡ଼ାରୁ ଅଧେ ଦେବି । ତୁ ପୂରା କାହିଁକି ଦେବୁ ? ତୁ ପୂରା ଭଡ଼ା ଦେଲେ ମୁଁ ରହିବି ନାହିଁ ।’’ ଫଳରେ ପଦ୍ମନାଭ ଘରବାଲାକୁ ଅଧାଭଡ଼ା ପାଞ୍ଚ ଟଙ୍କା କେତେ ମାସ ଦେଇଗଲା । ବନମାଳୀ ଉପରେ ଯେତେବେଳେ ଚାରି ମାସର ଭଡ଼ା କୋଡ଼ିଏ ଟଙ୍କା ଜମିଗଲା, ପଦ୍ମନାଭ ଘରବାଲାକୁ ତା ପାଖକୁ ପଠେଇଦେଲା । ବନମାଳୀ ସେହିକ୍ଷଣି ଟଙ୍କା ଦେଇ ନ ପାରି, ଘରବାଲା ହାତେ ପଦ୍ମନାଭକୁ ଡକାଇ ଯେତେବେଳେ କଥାବାର୍ତ୍ତା କଲା, କହିଲା, ‘‘ଭାଇ ଗୋଟାଏ କଥା ତୋତେ ମୁଁ ଏପର୍ଯ୍ୟନ୍ତ କହି ନାହିଁ । ସେଟା ଏଇ ଯେ ମୋ ନିଜର ଆତ୍ମୀୟସ୍ୱଜନ କେହି ନାହାନ୍ତି ।’’

 

‘‘ତେବେ, ତୁ ଚଳିବୁ କିପରି ?’’

‘‘ମୁଁ ଜାଣେନା ।’’

‘‘ତୋ ପାଖେ ଟଙ୍କା ଅଛି ?’’

‘‘ଅଛି, ପନ୍ଦର ଟଙ୍କା ।’’

‘‘ସେଥିରେ ତ ଚଳିବ ନାହିଁ, ମୋଠୁ କିଛି ଧାର ନେ ।’’

 

‘‘ନା ମୋର କେତେକ ଜିନିଷ ଅଛି, ବନ୍ଧକ ଦେଲେ ଟଙ୍କା ମିଳିବ ।’’ ବନମାଳୀ ଗୋଟିଏ ସୁନାମୁଦି ଓ ହଳେ ପାଟ ପଦ୍ମନାଭକୁ ଦେଇ କହିଲା, ‘‘ଭାଇ ଏତକ ଦେଇ, ଯାହା ପାରୁଚୁ ଆଣି ଦେ ।’’

 

ପଦ୍ମନାଭ ମୁଦି ଏବଂ ପାଟ ବିକ୍ରୀକରି ପଞ୍ଚଷଠି ଟଙ୍କା ଆଣିଲା । ବନମାଳୀ କହିଲା, ‘‘ମୋ ହାତେ ଥିବା ପନ୍ଦର ମିଶି ଅଶୀ ହେଲା ।’’

 

‘‘ତୋତେ କେତେ ଦବାକୁ ହେବ ଏଠେଇଁ ? ଆଉଥରେ ପଚାରି ଦେଉଚି- ଏ ଟଙ୍କାଟା ତୁ ନ ଦେଲେ ଭଲ ହୁଅନ୍ତା ନାହିଁ ?’’

 

‘‘ନା, ମୁଁ ଦେବି । କୋଡ଼ିଏ ଟଙ୍କା, ଆଉ ଖାଇବା ଖର୍ଚ୍ଚ ବାବଦରେ ପଚାଶ ଟଙ୍କା ।’’

‘‘ତେବେ ତୋ ହାତରେ ଆଉ ରହିବ କଣ ?’’

‘‘କାହିଁକି, ଦଶ ।’’

 

ପାର୍ବତୀ ଏ ମଧ୍ୟରେ ବନମାଳୀର ରହିବା ସ୍ଥାନ ଠଉରାଇ ନେଇଥିଲେ । ପିତାଙ୍କ ବରାଦ ଅନୁସାର ଛ ମାସର ଭଡ଼ା ଛ ଶହ ଟଙ୍କା ଦିନେ ତା ପାଖକୁ ପଠାଇଦେଲେ । ବନମାଳୀ ବିଦ୍ୟାଳୟରୁ ଫେରି ଅପରାହ୍ନରେ ସେ ଟଙ୍କା ପାଇଲା । ସେ ଟଙ୍କା ରଖିଲା ନାହିଁ । ଟଙ୍କାତକ ସେ ବାହକ ହାତେ ଫେରସ୍ତ ଦେଇ ଚିଠି ଲେଖିଲା, ‘‘ମାଉସୀ, ଆଜି ମୋ ପାଖେ ତିନିଟଙ୍କା ଅଛି । ମୋର ବର୍ତ୍ତମାନ ଅଭାବ ନାହିଁ । ଏ ଟଙ୍କା ଫେରାଇଦେଲି । ଆଉ ଏଣିକି ଟଙ୍କା ପଠାଇବ ନାହିଁ । ମୁଁ ଏଡ଼େଟାଏ ହେଲିଣି । କଣ ନିଜ ବ୍ୟବସ୍ଥା ନିଜେ ଚଳାଇ ପାରିବିନାହିଁ ? ମୁଁ ବର୍ତ୍ତମାନ ଗୀତ ଲେଖି ଆଖଡ଼ାବାଲାଙ୍କୁ ଦେଇ କିଛି କିଛି ରୋଜଗାର କରୁଛି । ବର୍ତ୍ତମାନ ଏ ଜାଗାଟାରେ ଯେ ଅଛି, ଖର୍ଚ୍ଚ ଟିକିଏ ବେଶି ପଡ଼ୁଛି । ସେଥିପାଇଁ କାଲି ଗୋଟିଏ ନୂଆ ଘରକୁ ଯାଉଛି । ସେଠି ମୋ ଆୟରେ ମୁଁ ବେଶ୍‌ ଚଳିଯିବି । ମୋ କଥା ଆଉ ଭାବିବ ନାହିଁ ।’’ ପାର୍ବତୀ ନିଜେ ବନମାଳୀ କଥା ଭାବନ୍ତୁ ନ ଭାବନ୍ତୁ ବାପାଙ୍କୁ ଅନ୍ତତଃ ତା ବିଷୟରେ କିଛି କହିଲେ ନାହିଁ । କାରଣ ବାପା ଶୁଣିଲେ କହିଥାନ୍ତେ- ‘‘ସେ ପିଶାଚ କଥା ମୋ କାନରେ ପକାନା ।’’ ଆହୁରି ହୁଏତ ଦିନେ ଓଳିଏ ଖିଆପିଆରେ ଗୋଳମାଳ ଘଟିଥାନ୍ତା ।

 

ପାର୍ବତୀଙ୍କ ଟଙ୍କା ଫେରସ୍ତ ଦେବା ପରଦିନ ବନମାଳୀ ମଙ୍ଗଳବାଗ ଦର୍ଜିକୋଠାର ଉପର ମହଲାରେ ନୂଆ ବସା ନେଲା । ଯେଉଁ ବୟସରେ ଯୁବକମାନେ ନିଜର ପ୍ରୌଢ଼ି ଦେଖାଇ ଚଳିବାକୁ ବ୍ୟାକୁଳ ହୁଅନ୍ତି, ସେତେବେଳେ ବନମାଳୀ ଦୁଃଖ, କଷ୍ଟ, ଅଭାବରେ ବରାବର ଘାଣ୍ଟି ହୋଇଗଲା । ସେ ହାତେ ହାତେ ରାନ୍ଧିବା, ଘର ଓଳାଇବା, ବାସନ ମାଜିବା ଆଦି ଯାବତୀୟ କାର୍ଯ୍ୟ କରିବାକୁ ଲାଗିଲା । ଖାଇବା ଓ ପିନ୍ଧିବାରେ ଯେତେ କମ୍‌ ପାରେ, ଖର୍ଚ୍ଚ କଲା । ସେ ବାବଦର ବ୍ୟୟ ନିର୍ବାହ କରିବା ନିମନ୍ତେ ତା କଣ୍ଠରେ ସରସ୍ୱତୀ ଯେ ସର୍ବଦା ରୂପା ମୁଦ୍ରା ବିନିମୟରେ ବଜାରରେ ଚାଲିଯାଉଥିଲେ, ତା ନୁହେଁ । ବନମାଳୀ ଦିନେ ରୋଷେଇ କରି, ଭାତ ପଖାଳି ରଖି ତିନିଦିନ ପର୍ଯ୍ୟନ୍ତ ଖାଏ । ମାସର ଅଧିକାଂଶ ଦିନ ତରକାରି ସ୍ଥାନରେ ଲୁଣ ଛଡ଼ା ତାକୁ କିଛି ମିଳେ ନାହିଁ । ତା ଦୂରବସ୍ଥା ଜାଣିପାରି ମାଉସୀ ଆହୁରି ଚାରି ଛ ଥର ଟଙ୍କା ପଠାଇଦେଲେ; କିନ୍ତୁ ସେ ପ୍ରତି ଥର ତାହା ଫେରାଇଦେଇ ଚିଠି ଲେଖିଲା, ‘‘ମୁଁ ତ ବେଶ୍‌ ଚଳିଯାଉଛି । ମୋତେ କାହିଁକି ଟଙ୍କା ପଠାଉଛ ?’’

 

ସବୁ ଦୁଃଖ, କଷ୍ଟ, ଅଭାବ ସତ୍ତ୍ୱେ ବନମାଳୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା । ପାସ୍ କରିବା ମାତ୍ରେ ସେ ଓକିଲାତି ବ୍ୟବସାୟରେ ନାମ ଲେଖାଇଲା । ସାହି ସମ୍ବାଦ ଦେଇ ସେ ଚମ୍ପତିରାଏଙ୍କୁ ଖଣ୍ଡିଏ ଚିଠି ଲେଖିଲା । ଶ୍ରୀନିବାସ ଚିଠି ପଢ଼ି, ମୁହଁ ଶୁଖାଇଲେ ଏବଂ ପରେ ଚିରି ଫଙ୍ଗି ଦେଲେ । ଦୁଇ ତିନିଦିନ ପରେ ପାର୍ବତୀ ଶୁଣିଲେ, ଶ୍ରୀନିବାସ ନିଜେ ନିଜକୁ କହୁଛନ୍ତି, ‘‘ତୁ ଯେବେ ଗଧ ନୋହିଥାନ୍ତୁ, ବୁଝିପାରନ୍ତୁ, ଜଣେ ଲୋକ ଏକ ସମୟରେ ସେନାପତି ଆଉ ଓକିଲ ହେବା ଅସମ୍ଭବ ।’’

 

ବର୍ଷକୁ ତିରିଶ ଟଙ୍କା ଭଡ଼ାରେ ବନମାଳୀ ଦରଜି କୋଠାର ଦୋତାଲା ଉପରେ ରହିଲା-। ପ୍ରଥମ ବର୍ଷ ତାର ଯାବତୀୟ ଖର୍ଚ୍ଚ ଛ’ ଶହ ଟଙ୍କାରେ ହୋଇଗଲା । ସେ ବର୍ଷ ସେ ଛ’ଶହ ପଚାଶ ଟଙ୍କା ରୋଜଗାର କରିଥିଲା । ସୁତରାଂ ବର୍ଷ ଶେଷରେ ହିସାବରେ ଦେଖାଗଲା ଯେ ତା ହାତରେ ପଚାଶ ଟଙ୍କା ବଳକା ଅଛି । ସେଥିରୁ ସେ କୋଡ଼ିଏ ଟଙ୍କା ପର୍ଯ୍ୟନ୍ତ ଅନ୍ୟାନ୍ୟମାନଙ୍କୁ ଧାର ଦେଇଥିଲା । ପଦ୍ମନାଭ ମଧ୍ୟ ଥରେ ତା ଠାରୁ ଷାଠିଏ ଟଙ୍କା ଉଧାର ନେଇଥିଲା, କିନ୍ତୁ ବନମାଳୀ ନିଜେ କେବେ କାହାଠାରୁ ପଇସାଟିଏ ଉଧାର କରି ନାହିଁ । ସେ ବୁଝିଥିଲା ଯେ ଥରେ ଧାର ଉପରେ ଗୋଡ଼ ଦେଇ ଠିଆହେଲେ, ପରେ ଦାସତ୍ୱ- ସମୁଦ୍ରରେ ବୁଡ଼ି ମରିବାକୁ ହେବ । ସେଥିପାଇଁ ସେ ଦିନେ ଦିନେ ଖାଡ଼ା ଉପବାସରେ ପଛକେ ରହୁଥିଲା, ତଥାପି ଦାନ୍ତ ନିକୁଟି କାହା ପାଖେ ପଇସାଟିଏ ଧାରପାଇଁ ହାତ ପତାଉ ନ ଥିଲା ।

 

ଓକିଲାତି ବ୍ୟବସାୟ ନିମନ୍ତେ ସେତେବେଳେ ବର୍ତ୍ତମାନ ପରି ଆଇନ୍‌ରେ ଏତେ କଟକଣା କିମ୍ବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାର ଏତେ ଆବଶ୍ୟକତା ନ ଥିଲା । ଦେହରେ ଖଣ୍ଡେ ଚପକନ ଓ ମୁଣ୍ଡରେ ଗୋଟିଏ ପଗଡ଼ି ପିନ୍ଧି ଠିଆହେଲେ, ଲୋକେ ଓକିଲ ବୋଲାଉଥିଲେ । କେବଳ ଯେଉଁମାନଙ୍କର ଟିକିଏ ଉଚ୍ଚ ଅଭିଳାଷ ଥିଲା, ସେହିମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ଚେଷ୍ଟା କରୁଥିଲେ । ବନମାଳୀ ଓକିଲାତି ବ୍ୟବସାୟ ଆରମ୍ଭ କରିବା ପରେ କ୍ରମେ କ୍ରମେ ପଦ୍ମନାଭ ଏବଂ ବିଶ୍ୱନାଥ ମଧ୍ୟ ସେହି ବ୍ୟବସାୟର ଆଶ୍ରୟ ନେଲେ । ଓକିଲଖାନାରେ କାମ ନ ଥିଲା ବେଳେ ଓକିଲମାନଙ୍କ ମଧ୍ୟରେ କେତେବେଳେ ଗୁଲିଖଟି ଗଳ୍ପ ଓ କେତେବେଳେ ବା ବଡ଼ ବଡ଼ ସମସ୍ୟାର ଆଲୋଚନା ପଡ଼େ ।

 

ବିଶ୍ୱନାଥର ବାପା କଟକ କିଲଟର ସାହେବଙ୍କ ମହକୁମାରେ ମାସିକ ୪୬ଟଙ୍କା ବେତନରେ କାର୍ଯ୍ୟ କରନ୍ତି । ସେହି ଅର୍ଥ ସାହାଯ୍ୟରେ ମିଳୁଥବା ଅନ୍ନ ଜଳରେ ଦେହ ଗଢ଼ା ହୋଇଛି । ମନୁଷ୍ୟର ଦେହ ସଙ୍ଗେ ଯେ ମନର ଗୋଟାଏ ଘନିଷ୍ଠ ସମ୍ପର୍କ ଅଛି, ବିଶ୍ୱନାଥ ଜୀବନରେ ତାହା ସ୍ପଷ୍ଟ ଦେଖା ଯାଉଥିଲା । ଦିନେ ଓକିଲଖାନାରେ ଗଳ୍ପଛଳରେ ସେ କହିଲା, ‘‘ଏଟା ଆମର ନିତାନ୍ତ ଭୁଲ୍‌ । ସ୍ୱଦେଶ ପ୍ରୀତି କଣ ? ଏ ଗୋଟାଏ ଭ୍ରାନ୍ତ ଧାରଣା ମାତ୍ର । ଦେଶ ବୋଇଲେ କେବଳ ଗୁଡ଼ାଏ ପାହାଡ଼, ଜଙ୍ଗଲ, ନଈ, ବିଲ, ପଡ଼ିଆ ଅର୍ଥାତ୍‌ ମାଟି ଆଉ ପାଣି । ତାହାହେଲେ ମୋ ବାଡ଼ି କୂଅଟାକୁ ମୁଁ ମଧ୍ୟ ଦେଶ ବୋଲି କହିବି । ତୁ ଯାହା କହ ବନମାଳୀ, ମୁଁ କୂଅଟାକୁ କଦାପି ‘ମା’ ବୋଲି ଡାକି ପାରିବିନାହିଁ । ଏଇ ମାଟି ପଥରକୁ ସ୍ନେହ କରିବାକୁ ହେବ ବୋଲି କିଏ ଏଡ଼େବଡ଼ ଇଂରେଜ ସରକାର ସହିତ ତାଳୁ ପକେଇବାକୁ ଯିବ ? ଜୟୀ ରାଜଗୁରୁ କହ, ଖୋରଧା ବକ୍‍ସି କହ, ଗୋଟାଏ ଗୋଟାଏ ମୂର୍ଖ । ଆଉ ଗୋଟାଏ ମୂର୍ଖ ସେହିପରି ବାଙ୍କି ରାଜା-। ଦେଖ, କଣ ପାଇଲେ ? ଦୁଇଟାଯାକ ରାଜ୍ୟ ଖାସ ହୋଇଗଲା । ଶରଣ ପଶିଥିଲେ, କଣ କନିକା ଆଳି କୁଜଙ୍ଗ ପରି ରାଜା ହୋଇ ବସି ନ ଥାନ୍ତେ ?’’

 

ପଦ୍ମନାଭ ଉତ୍ତରରେ କହିଲା, ‘‘ନା, ଭାଇ ତୁ ଯାହା କହୁଚୁ ସମ୍ପୂର୍ଣ୍ଣ ଠିକ୍‌ ନୁହେଁ । ଅବଶ୍ୟ ଜୟୀ ରାଜଗୁରୁ ଖୋରଧା ବକ୍‍ସି, କି ବାଙ୍କି ରାଜା ଯେ ଯୁଦ୍ଧ କରିବାକୁ ଗଲେ, ସେଟା ଭୁଲ୍‌ ହୋଇପାରେ । ସେମାନଙ୍କର ନିଜ ବଳ କଳି ଯୁଦ୍ଧ କରିବା ଉଚିତ ଥିଲା । ହାରିବ ତ, ଆଉ ଯୁଦ୍ଧ କଣ ? ମୋ ସ୍ୱଦେଶ-ପ୍ରୀତି ଏତିକି ଦୂରଯାଏ ଅଛି ଯେ; ତା ଦ୍ୱାରା ଯଦି ମୁଁ ବଡ଼ ହୋଇପାରେ, ଧନ ଲାଭ କରିପାରେ, ସୁଖରେ ରହିପାରେ, ତେବେ ମୁଁ ମାତୃଭୂମିକୁ ସ୍ନେହ କରିବାକୁ ନାରାଜ ହେବିନାହିଁ; କିନ୍ତୁ ସ୍ୱଦେଶ ବତ୍ସଳତା ଦେଖେଇ, ମୁଁ ମରିବାକୁ କିମ୍ୱା ଦାଣ୍ଡର ଭିକାରୀ ହେବାକୁ ପ୍ରସ୍ତୁତ ନୁହେଁ । ବନମାଳୀର ମଧ୍ୟ ଏଇ ମତ ।’’

 

‘‘ନା, ଆଦୌ ନୁହେଁ । ଜୟୀ ରାଜଗୁରୁ ଆଉ ଖୋରଧା ବକ୍‍ସି ମୋ ପ୍ରାଣର ଆରାଧ୍ୟ ଦେବତା । ମୃତ୍ୟୁଞ୍ଜୟ ରାଏଙ୍କ ସହିତ ମୋର ବ୍ୟକ୍ତିଗତ ମନୋମାଳିନ୍ୟ ଥାଇପାରେ-’’

 

‘‘ମୃତ୍ୟୁଞ୍ଜୟ ରାଏ ପୁଣି କିଏ ?’’

‘‘ବାଙ୍କିର ରାଜା ।’’

 

‘‘ତାଙ୍କ ସହିତ ପୁଣି ତୋର ମନୋମାଳିନ୍ୟ କଣ ? ମନୋମାଳିନ୍ୟ ହୁଏ ଏକା ସୋପାନ ଲୋକଙ୍କ ମଧ୍ୟରେ । ତୁ ନିଜକୁ ତ ଭାରି ବଡ଼ ମନେକରିଚୁ । ଗୋଟାଏ ରାଜା ସଙ୍ଗେ ସମାନ୍ୟ ହୋଇଯାଉଚୁ ।’’ ବନମାଳୀ ନୀରବ ରହିଲା । ପଦ୍ମନାଭ କହିଲା, ‘‘ଆରେ ସେ ମୃତ୍ୟୁଞ୍ଜୟ ରାଏ ଚୁଲୀକି ଯାଉ; ତୁ କଣ କହୁଥିଲୁ କହାନା ।’’

 

ଗୋଟାଏ ବାହାରି ଆସୁଥିବା ଦୀର୍ଘନିଃଶ୍ୱାସ ବନ୍ଦ କରି ବନମାଳୀ ପୁଣି କହିଲା, ‘‘ଭାଇ, ଦେଶ ହିତୈଷିତା ସହଜ ଜିନିଷ ନୁହେଁ । ଆମ୍ଭ ପରି ଶିକ୍ଷିତ ଯୁବକମାନେ ବଡ଼ ଚିନ୍ତାହୀନ, ବିଳାସୀ, ଅପଦାର୍ଥ ହୋଇପଡ଼ିଛନ୍ତି । ସେଥିପାଇଁ ମାତୃଭୂମି ଉତ୍କଳ ପରପଦାନତ ହେଉଚି । ଭାଇ, ବେଳେ ବେଳେ ମୋର ମନ ହୁଏ, ମୁଁ ଏ ହୀନ ବ୍ୟବସାୟ ଛାଡ଼ି ଦିଅନ୍ତି, ବଣ ଜଙ୍ଗଲରେ ଭୋକ ଓପାସରେ ଯାଇ ବୁଲନ୍ତି, ଯେପରିକି ସ୍ୱଦେଶରକ୍ଷା ନିମନ୍ତେ ଦିନେ ରାଣା ପ୍ରତାପ ବୁଲିଥିଲେ; ହୃଦୟର ରୁଧିର ଟୋପା ଟୋପା କରି ଢାଳିଦିଅନ୍ତି; ଦେହର ମାଂସ ପୁଳା ପୁଳା କରି ଛିଣ୍ଡେଇ ପକାନ୍ତି; ମାଟିର ଏ ଦେହ ମାଟିରେ ମିଶାଇ ଦିଅନ୍ତି, ତଥାପି ଦେଶ ନିମନ୍ତେ ଶତ୍ରୁ ବିରୁଦ୍ଧରେ ଠିଆ ହୁଅନ୍ତି । ମାତୃଭୂମି କିଛି ଗୋଟାଏ ସହଜ ଜିନିଷ ନୁହେଁ । ତୁମେ ଟକିଏ ଚେଷ୍ଟା କଲେ, ଏଇ ପଥର, ମାଟି ଭିତରେ ଭାରତମାତାଙ୍କର ବିମୋହନ କମନୀୟ ମୂର୍ତ୍ତି ଦେଖି ପାରବ; ଦେଖିଲେ ମନରେ ଭକ୍ତି ଜନ୍ମିବ; ନିତାନ୍ତ ପାଷାଣ୍ଡ ମଧ୍ୟ ମୁଣ୍ଡ ନୁଆଁଇ ପ୍ରଣାମ କରିବ; ମାତୃ ପଦରେ ଜୀବନ ବିସର୍ଜନ ଦବାକୁ ପ୍ରସ୍ତୁତ ହବ । ମା ଉତ୍କଳମାତା, ମନରେ ବଳ ଦିଅ, ଦେହରେ ଶକ୍ତି ଦିଅ ।’’

 

ସେଦିନ ସେହିଠାରେ କଥାବାର୍ତ୍ତା ବନ୍ଦ ହେଲା ।

Image

 

୨୯

ତୁ ଗୋଟାଏ ଗଧ

 

ଗୋବିନ୍ଦ ସିଂହଙ୍କ ନାମ ସହିତ ଆଉ ଗୋଟିଏ ନାମ ବନମାଳୀର ଆରାଧନାର ବିଷୟ ହୋଇ ରହିଥିଲା । ତାହା ଦୀନା ସାହୁ ନାମ । ସେ ଜଜାରସିଂହ ଯାଇ ବୁଝିଥିଲା ଯେ ବ୍ୟବସାୟରେ ବିଫଳ ହୋଇ, ଦୀନା ସାହୁ ଚଟିଘର ଭାଙ୍ଗି, କେଉଁଆଡ଼େ ପଳାଇଛି । ସେ ତାକୁ ନାନା ସ୍ଥାନରେ ଖୋଜି ନିରୂପାୟ ହୋଇ ସାରିଲାଣି । ତା ମହାଜନମାନେ ମଧ୍ୟ ନାନା ଅନୁସନ୍ଧାନ କରି ତାକୁ ପାଇପାରି ନାହାନ୍ତି । ଦୀନା ସାହୁକୁ ନ ପାଇ ବନମାଳୀ ନିଜକୁ ପୃଥିବୀରେ ନିତାନ୍ତ ଦୋଷୀ ଏବଂ ଘୃଣ୍ୟ ମନେ କରୁଛି । ତାକୁ ଦେଖିଲେ ତା ପାଇଁ ସେ ଜୀବନ ଉତ୍ସର୍ଗ କରିଦିଅନ୍ତା, ନିଜର ସମୁଦାୟ ଉପାର୍ଜିତ ଧନସମ୍ପତ୍ତି ଖଟାଇ ତା ପାଦ ପୂଜା କରନ୍ତା । ତାହା ହୋଇପାରୁ ନାହିଁ ।

 

ବନମାଳୀର ସେତେବେଳକୁ ବୟସ କୋଡ଼ିଏ ବର୍ଷ । ସେ ଚମ୍ପତିରାଏଙ୍କ ଉଆସ ଛାଡ଼ିବା ତିନି ବର୍ଷରୁ କିଛି ବେଶି ହୋଇଗଲାଣି । ଚମ୍ପତିରାଏ ତାକୁ ଯେ ସ୍ନେହ କରୁ ନ ଥିଲେ ବୋଲି ସେ ମନେ କରୁଥିଲା, ତାହା ଠିକ୍‌ ନୁହେଁ । ତାଙ୍କ ହୃଦୟରେ ତା ପାଇଁ ଗୋଟିଏ କୋମଳ ସ୍ଥାନ ରହିଥିଲା । ବନମାଳୀ ଘରୁ ଚାଲିଗଲା ମାତ୍ରେ ସେ ସ୍ଥାନଟି ଶୂନ୍ୟ ପଡ଼ିଲା । ତା ନାମ ନ ପକାଇବାକୁ ଶ୍ରୀନିବାସ ସମସ୍ତଙ୍କୁ କହନ୍ତି; କିନ୍ତୁ ତାଙ୍କର ସେ ହୁକୁମ ଯେ ସମସ୍ତେ ଶିରୋଧାର୍ଯ୍ୟ କରୁଥିଲେ, ସେଥିରେ ତାଙ୍କର ଭାରି କଷ୍ଟ ହେଉଥିଲା । ବନମାଳୀ ଗଲାଦିନୁ ତାଙ୍କ ଦୁଃଖ ଯେପରି ବଢ଼ିଲା, ହୃଦୟ ମଧ୍ୟ ସେହିପରି କଠୋର ହୋଇଆସିଲା । ସେ ବେଳେ ବେଳେ ମନେ ମନେ ଭାବନ୍ତି, ‘‘ଟୋକାଟା ଯଦି ଫେରିଆସନ୍ତା, କାନ ମୋଡ଼ି ସାଧ୍ୟ କରିଦିଅନ୍ତି ।’’

 

ଚମ୍ପତିରାଏ ବନମାଳୀ ନିମନ୍ତେ ତେଣେ ଝୁରୁଥିବା ସମୟରେ, ବନମାଳୀ ନିଜେ ବେଶ୍‌ ଖୁସିରେ ଥିଲା । ସେ ଦୁଃଖ କଷ୍ଟ ଅବଶ୍ୟ ଭୋଗୁଥିଲା; କିନ୍ତୁ ସେ ସେ ଦୁଃଖ କଷ୍ଟ ଯେ ପିତାଙ୍କ ନିମନ୍ତେ ତାକୁ ଭୋଗ କରିବାକୁ ହେଉଛି, ତାହା ଭାବିଲେ, ତା ମନରେ ଅପାର ଆନନ୍ଦ ଜନ୍ମୁଥିଲା । ପିତା ଲେଖିଯାଇଥିଲେ, ‘‘ସେ ନିଜକୁ ଏହାର ଉପଯୁକ୍ତ କରି ଗଢ଼ିବ ।’’ ଲେଖା ଅବଶ୍ୟ ନଷ୍ଟ ହୋଇଯାଇଛି; କିନ୍ତୁ କଥାଟି ସେ ନିଜ ହୃଦୟରେ ସ୍ୱର୍ଣ୍ଣାକ୍ଷରରେ ଖୋଳି ରଖିଛି ।

 

ଓକିଲାତି ବ୍ୟବସାୟ ବନମାଳୀକୁ ଭଲ ଲାଗିଲା ନାହିଁ । ସେ ମନକୁ ମନ କହିଲା, ‘‘ମୁଁ ତ ଗୀତ ଲେଖି ପେଟ ପୋଷି ପାରିବି; ହାକିମଙ୍କ ପାଖେ ଦାନ୍ତ ନିକୁଟି, ନଖରେ ମୁଣ୍ଡ କୁଣ୍ଡେଇ କାହିଁକି ଠିଆ ହେବି ?’’ ତାକୁ ସେ ସମୟରେ ଗୋଟିଏ ଆଖେଡ଼ାଦଳ ମାସରେ ଶହେ ଟଙ୍କା ଦେଇ କେବଳ ଗୀତ ଲେଖି ଯୋଗାଇବା ନିମନ୍ତେ, ନେବାକୁ ବାରମ୍ବାର ଜିଦ୍‌ ଧଇଲେ; କିନ୍ତୁ ବନମାଳୀ ସେଥିରେ ରାଜି ହେଲା ନାହିଁ; ଭାବିଲା, ‘‘ହଁ ଖାଇପିଇ ସୁଖରେ ଅବଶ୍ୟ ରହିବି, ହେଲେ, ମାନ ଯିବ-।’’

 

ବନମାଳୀ କ୍ରମେ କ୍ରମେ ଲୋକଙ୍କ ସହିତ ମିଳାମିଶା କରିବା ଛାଡ଼ିଦେଲା । ଶେଷକୁ ତାର କେବଳ ଦୁଇଜଣ ସଙ୍ଗୀ ରହିଲେ- ଜଣେ ପଦ୍ମନାଭ ଓ ଆଉ ଜଣେ କଟକଚଣ୍ଡି ଦେଉଳ ମାଳୀ ରଘୁନାଥ । ଏ ଦୁହିଁଙ୍କ ମଧ୍ୟରେ ପୁଣି ରଘୁନାଥ ସହିତ ତାର ବେଶି ଘନିଷ୍ଠତା ଥିଲା । ସେ ପ୍ରାୟ ପ୍ରତିଦିନ ତା ଦେଉଳକୁ ଯାଏ ଓ ବାପା କେଉଁଠାରେ ଆଢ଼ୁଆଳରେ ରହି ତାକୁ ବେଳେ ବେଳେ ଦେଖୁଥିଲେ, ସେହି ସ୍ଥାନରେ ମୁଣ୍ଡିଆ ମାରି ବସି ରଘୁନାଥଠାରୁ ତାଙ୍କ ବିଷୟରେ ନାନା କଥା ଶୁଣେ । ସେଥିରେ ତାର ବଡ଼ ଆନନ୍ଦ ହୁଏ । ସେ ମନକୁ ମନ କହେ, ‘‘ମୋ ଆଖିରେ ଗୋଟାଏ ମସ୍ତ ପରଳ ଚଢ଼ି ଯାଇଥିଲା; ଏ ରଘୁନାଥ କାଢ଼ି ବାହାର କରିଚି ।’’

 

ରଘୁନାଥ ଦେଉଳରେ ଫୁଲ ଯୋଗାଏ । ତାର ନିଜର ଗୋଟିଏ ବଗିଚା ଥିଲା । ସେ ଫୁଲ ଯୋଗାଇବା ନିମନ୍ତେ ଜାଗିରି ଭୋଗ କରେ । ତା ଛଡ଼ା ବଜାରକୁ ମଧ୍ୟ ଫୁଲ ପଠାଏ । ସେଥିରେ ତା ଜୀବିକା କୌଣସି ପ୍ରକାରେ ନିର୍ବାହ ହୋଇ ଯାଉଥିଲା । ପରେ ତା ଆର୍ଥିକ ଅବସ୍ଥା ମନ୍ଦ ହୋଇ ଆସିଲା । କିନ୍ତୁ ସେ ଅଭାବରେ ପଡ଼ି ସୁଦ୍ଧା ପୂର୍ବପରି ଖୁସିବାସିରେ ରହିବାକୁ ଲାଗିଲା-। ତାହା ଦେଖି ବନମାଳୀର ତା ପ୍ରତି ଶ୍ରଦ୍ଧା ଆହୁରି ବଢ଼ିଲା ।

 

ଦର୍ଜିକୋଠା ଏବଂ ତା ଆଖପାଖ କେତେ ଘରେ ଯେଉଁ ଚାକିରିଆଣୀ ବାସନମଜା ପାଣିଦିଆ ଆଦି କାମ କରୁଥିଲା, ଦିନେ ସେ ବନମାଳୀକୁ ଆସି କହିଲା, ‘‘ଶୁଣ ବାବୁ; ତଳ ଘରେ ଯୋଉ ଅଗାଧୁ ବେହେରା ଥିଲା ନା, ଆଜି ଚାଲିଯାଉଚି ।’’

 

‘‘କାହିଁକି ?’’

 

‘‘ମନକୁ କଣ ଖୁସିରେ ଯାଉଚି ? ଘରଭଡ଼ା ଛ ମାସର ବାକି ପଡ଼ିଯିବାରୁ ଘରବାଲା ବାହାର କରିଦଉଚି । ‘‘

 

‘‘କେତେ ଟଙ୍କା ଘରଭଡ଼ା ?’’

‘‘ଅଠର ଟଙ୍କା ।’’

 

ବନମାଳୀ ପାଖେ ସେଦିନ ପଚାଶ ଟଙ୍କା ଥିଲା । ସେ ବାକ୍‌ସରୁ ଟଙ୍କା ବାହାର କରି କହିଲା, ‘‘ଏଇ କୋଡ଼ିଏ ଟଙ୍କା ନେଇଯା । ଅଠର ଟଙ୍କା ଭଡ଼ା ଗଲେ, ବାକି ଦୁଇ ଟଙ୍କାରେ ଖର୍ଚ୍ଚବାର୍ଚ୍ଚ ଚଳାଇବେ; ମାତ୍ର ଟଙ୍କା ଯେ ମୁଁ ଦେଇଚି ସେ କଥା କହିବୁ ନାହିଁ । ଠିକ୍‌ ମନେ ରଖିଲୁ ନା-? ମୋ ନାଁଟା ଆଦୌ କହିବୁ ନାହିଁଟି ।’’

 

ଏଣେ ମଙ୍ଗଳବାଗରେ ଗୋଟିଏ ଦରିଦ୍ର ପରିବାରକୁ ସାହାଯ୍ୟ କରିବା ନିମନ୍ତେ ବନମାଳୀ ତାର ଯତ୍‌କିଞ୍ଚିତ୍‌ ଉପାର୍ଜିତ ଧନ ଦାନ କରୁଥିବା ସମୟରେ; ସହରର ଠିକ୍‌ ବିପରୀତ ଦିଗରେ, ତୁଳସୀପୁରରେ ଶ୍ରୀନିବାସ ଚମ୍ପତିରାଏଙ୍କ ଉଆସରେ ଗୋଟିଏ ବିଶେଷ ଘଟଣା ଘଟିଲା । ପାର୍ବତୀ ମନେ ମନେ ଭାବିଲେ, ‘‘ବନମାଳୀ ତ ଗଲା । ସମ୍ପତ୍ତିର ଜଣେ ଉତ୍ତରାଧିକାରୀ ବର୍ତ୍ତମାନ ସ୍ଥିର କରିନବା ଦରକାର ।’’ ତା’ ପରେ ସେ ବାପାଙ୍କ ପାଖକୁ ଯାଇ କହିଲେ, ‘‘ବାପା, ବିଶ୍ୱେଶ୍ୱର ତୁମକୁ ଜୁହାର ହବାକୁ ଆସିଚି ।’’ ଶୁଣି, ଶ୍ରୀନିବାସ କେବଳ କହିଲେ, ‘‘ହୁଁ’’ ଏବଂ ପୋଥି ଧରି ପଢ଼ି ବସିଲେ । ପଢ଼ୁ ପଢ଼ୁ ତାଙ୍କର ଅନେକ କଥା ମନେପଡ଼ିଲା । ସେ ଦୁଃଖିତ ହେଲେ, ରାଗିଲେ । ତା ମଧ୍ୟରେ ବନମାଳୀର ଚିତ୍ର ଆସି ତାଙ୍କ ଆଖି ଆଗେ ନାଚିଗଲା । ସେ ଦୀର୍ଘନିଃଶ୍ୱାସ ପକାଇ ପୁଣି ପୋଥିକୁ ଚାହିଁଲା ବେଳକୁ ପାର୍ବତୀ ବିଶ୍ୱେଶ୍ୱରକୁ ଧରି ଆସି ପହଞ୍ଚି କହିଲେ, ‘‘ଏଇ ବିଶ୍ୱେଶ୍ୱର, ତୁମ ନାତିଟି ।’’ ବିଶ୍ୱେଶ୍ୱର ଶ୍ରୀନିବାସଙ୍କ ଯେଉଁ ପୁତୁରାର ପୁଅ, ସେ ତାଙ୍କଠାରୁ ଅନେକ ଦିନରୁ ପୃଥକ୍‌ ଅନ୍ନରେ ରହୁଥିଲା; ସୁତରାଂ ସେ ବାଙ୍କି ଛାଡ଼ି ଆସିଲାବେଳେ ବିଶ୍ୱେଶ୍ୱରର ପିତା ତାଙ୍କ ସହିତ ଆସିବା ଆବଶ୍ୟକ ହେଲା ନାହିଁ ।

 

ପାର୍ବତୀ ବିଶ୍ୱେଶ୍ୱରକୁ ବାପାଙ୍କ ପାଖେ ପହଞ୍ଚାଇ ତା କାନରେ କହିଲେ, ‘‘ସବୁ କଥାରେ ହୁଁ ମାରିବୁ ।’’ ବିଶ୍ୱେଶ୍ୱର ନମସ୍କାର କରି ଠିଆହେଲା । ଶ୍ରୀନିବାସ ତାକୁ ବସିବାକୁ କହି, ନିଜେ ବସିବା ସ୍ଥାନରୁ ଉଠି, ଘର ମଧ୍ୟରେ ଏଣେତେଣେ ବୁଲିବାକୁ ଲାଗିଲା; ପାଟି କରି ଏଣୁ ତେଣୁ କଣ ପ୍ରଳାପ କଲେ । ତା’ପରେ ସେ କହିଲେ, ‘‘ଓକିଲ ଗୁଡ଼ାକଙ୍କ ବ୍ୟବସାୟ ବଡ଼ ହୀନ ।’’ ବିଶ୍ୱେଶ୍ୱର କହିଲା, ‘‘ଠିକ୍‌ କଥା ।’’ ଶୁଣ ଶ୍ରୀନିବାସ ମୁହଁ ବୁଲାଇ ବିଶ୍ୱେଶ୍ୱର ଆଡ଼କୁ ଟିକିଏ ଚାହିଁ ପୁଣି କହିବାକୁ ଲାଗିଲେ, ବଡ଼ ଘରର ଯୁବକମାନେ ଏ ବ୍ୟବସାୟରେ ପଶିବା କଣ ଉଚିତ୍ ?’’ ବିଶ୍ୱେଶ୍ୱର ସ୍ତୋକରେ କହିଲା ‘‘ହୁଁ ।’’

 

‘‘ଆହା ବନମାଳୀ, କାହିଁକି ଏ ଦୁର୍ବୁଦ୍ଧି କଲୁ ସତେ ଆଉ ଫେରିଆସିବୁ ନାହିଁ ? ଏ ଘର ଅନ୍ଧାର କରିଦେଇ କଣ ଚାଲିଗଲୁ ?’’

 

‘‘ହୁଁ ।’’

 

ଶ୍ରୀନିବାସ ଚମ୍ପତିରାଏ ଏତେ ବେଳ ଯାଏଁ ନିଜେ ନିଜକୁ କଥା କହୁଥିଲେ । ହଠାତ୍‌ ବୁଲିପଡ଼ି, ରାଗି କହିଲେ, ‘‘ସବୁ ଖାଲି ହୁଁ । ତୁ ଗୋଟାଏ ନିପଟ ଗଧ ।’’

Image

 

୩୦

ଖୋଜାଖୋଜି

 

ବନମାଳୀ ମନୁଷ୍ୟ ସମାଜ ଛାଡ଼ି କ୍ରମେ ଯେ ନିର୍ଜନତା ସଙ୍ଗେ ଗୋଟାଏ ଅଚ୍ଛେଦ୍ୟ ସମ୍ପର୍କ ସ୍ଥାପନ କରିଥିଲା, ତାର ଆଭାସ ପୂର୍ବେ ଦିଆଯାଇଅଛି । ଅପରାହ୍ନରେ ସେ କେଉଁଦିନ ଦ୍ୱାର ବନ୍ଦକରି ଘର ଭିତରେ ବସି ରହେ, କେଉଁଦିନ ବା କିଲ୍ଲା ପଡ଼ିଆକୁ ବୁଲିବାକୁ ଯାଏ । ସେଠାରେ ସେ ଦେଖେ ଯେ ଜଣେ ପ୍ରାୟ ଷାଠିଏ ବର୍ଷ ବୟସର ବୁଢ଼ା ଆସି ବୁଲୁଛନ୍ତି । ତାଙ୍କ ଆକାର ବେଶ୍‌ ମୋଟା ମୋଟି; ଦେହରେ ଖୁବ୍‌ ବଳ ଥିଲା । ବେଶଭୂଷା ଓ ଚାଲିଚଳନ ଦେଖିଲେ ମନେ ହେଉଥିଲା ଯେ ସେ କୌଣସି ବାବୁଭାୟା ଶ୍ରେଣୀର ଲୋକ ସନ୍ଧ୍ୟାବେଳେ ହାଓ୍ୱା ଖାଇବାକୁ ଆସୁଛନ୍ତି । ଦିନେ ପଦ୍ମନାଭ ବନମାଳୀ ସଙ୍ଗେ ବୁଲିବାକୁ ଯାଇ ତାଙ୍କୁ ଦେଖି କହିଲା, ‘‘ଏ ସଦାଶିବ ମହାନ୍ତି ହେବ ପରା ।’’

 

ସଦାଶିବ ମହାନ୍ତିଙ୍କ ସଙ୍ଗେ ଗୋଟିଏ ପ୍ରାୟ ତେର ବର୍ଷର ବାଳିକା ବୁଲିବାକୁ ଯାଏ । ବାଳିକାଟି ଦେଖିବାକୁ ସେତେ ସୁନ୍ଦରୀ ନୁହେଁ । ତା ବର୍ଣ୍ଣ ଶ୍ୟାମଳ ଓ ମୁହଁର ଗଠନ ବେଢ଼ଙ୍ଗିଆ । କେବଳ ତା ଆଖି ଦିଓଟି ଦେଖିଲେ ମନେହୁଏ ଯେ ଦିନେ ହୁଏତ ତା ମୁଖମଣ୍ଡଳରେ ସୌନ୍ଦର୍ଯ୍ୟର ଆଭା ବିକଶି ଉଠିବ । ବନମାଳୀ ଦୁଇ ତିନି ଦିନ ଲାଗେ ଲାଗେ ସେମାନଙ୍କୁ ଭେଟିଲା । ସେମାନେ ବନମାଳୀ ଆଡ଼କୁ ଚାହିଁବାର କୌଣସି ଚିହ୍ନ ଦେଖାଗଲା ନାହିଁ; କେବଳ ନିଜ ମଧ୍ୟରେ କଥାବାର୍ତ୍ତା ହେବାର ବ୍ୟସ୍ତ ଥିଲେ । ବାଳିକା ଖାଲି ପ୍ରଶ୍ନ ଉପରେ ପ୍ରଶ୍ନ ପଚାରୁଥାଏ; କିନ୍ତୁ ସଦାଶିବ ମହାନ୍ତିଙ୍କଠାରୁ ଅତି କମ୍‌ ଉତ୍ତର ପାଏ । ବର୍ଷେକାଳ ବନମାଳୀ କିଲ୍ଲା ପଡ଼ିଆରେ ସେ ଦୁହିଁଙ୍କୁ ସେପରି ଭାବରେ ବୁଲିବାର ଦେଖିଲା ।

 

ଦ୍ୱିତୀୟ ବର୍ଷ ଆରମ୍ଭରେ ବନମାଳୀର କିଲ୍ଲା ପଡ଼ିଆକୁ ଯିବା ଛ ମାସ ବନ୍ଦ ହୋଇଗଲା-। ତା’ ପରେ ସେ ଦିନେ ହଠାତ୍‌ ଯାଇ ଦେଖିଲା ଯେ ସଦାଶିବ ମହାନ୍ତି ଗୋଟାଏ ସ୍ଥାନରେ ବସିଛନ୍ତି ଓ ତାଙ୍କ ପାଖକୁ ଲାଗି ଗୋଟିଏ ବାଳିକା ବସିଛି; କିନ୍ତୁ ସେ ଯେ ପୂର୍ବର ସେହି ବାଳିକା ତାହା ଆଦୌ ବୋଧ ହେଲା ନାହିଁ । ବାଳିକାର ଦେହର ବର୍ଣ୍ଣ ତାଠାରୁ ଗୋରା, ମୁହଁର ଗଠନ ସୁନ୍ଦର ଓ ଆଖିର ଚାହାଣି ମାଧୁରୀମୟ । ତା ବୟସ ପନ୍ଦରରୁ କମ୍‌ ନୁହେଁ ବୋଲି ମନେ ହେଲା । ବନମାଳୀ ତା ପାଖ ବାଟେ ଗଲାବେଳେ ତା ମୁହଁ ଦେଖିପାରିଲା ନାହିଁ । ବାଳିକା ସେତେବେଳେ ସଦାଶିବଙ୍କ କଥା ଶୁଣି ଧୀରେ ଧୀରେ ହସୁଥିଲା । ସେ ହସର ଠାଣି ବନମାଳୀ ଆଖିରେ ସାମାନ୍ୟ ପଡ଼ିଗଲା । ବାଳିକା ଖଣ୍ଡିଏ ନେଳିଆ ପାଟଶାଢ଼ୀ ପିନ୍ଧିଥିଲା । ତା ଦେହରେ ବିଶେଷ କିଛି ଅଳଙ୍କାର ନ ଥିଲା । ନାକର ଦଣ୍ଡିଟି ଓ ଦୁଇ ହାତରେ ଦୁଇପଟ ସୁନା ଚୁଡ଼ି ନ ଥିଲେ, ବନମାଳୀ ତାକୁ ବିଧବା ବୋଲି ଭାବିଥାନ୍ତା । ବନମାଳୀ ଫେରି ପୁଣି ସେହି ବାଟେ ଗଲାବେଳେ ବାଳିକା ମୁଣ୍ଡ ଟେକି ତା ଆଡ଼କୁ ଚାହିଁଲା । ସେଦିନ ବନମାଳୀ ସେ ବାଟେ ଚାରି ପାଞ୍ଚ ଥର ଯିବା ଆସିବା କରି ମନରେ ଗୋଟାଏ ନୂଆ ଭାବ ଧରି, ଦର୍ଜିକୋଠାକୁ ଫେରିଲା ।

 

ଆରଦିନ ବୁଲିବାକୁ ଗଲାବେଳେ ବନମାଳୀ ଭଲ ଲୁଗାପଟା ପେଡ଼ିରୁ ବାହାର କରି ପିନ୍ଧି ଗଲା । ସେଦିନ ବାଳିକା କେତେବେଳେ ମୁଣ୍ଡ ଟେକି ତା ଆଡ଼କୁ ଚାହିଁଛି ଏବଂ ଚାହିଁ ପୁଣି ମୁଣ୍ଡ ପୋତିଦେଇଛି, ସେ ତାହା ଲକ୍ଷ୍ୟ କରିପାରିଲା ନାହିଁ । ଫଳରେ ତା ପ୍ରାଣରେ ଟିକିଏ ଆଘାତ ଲାଗିଲା । ସେ ମନେ ମନେ ଭାବିଲା; ‘‘ଏ ଯଦି ଗୀତ ଗାଉଥିବ ଏବଂ ସେ ଗୀତରୁ ମୋତେ ଗୋଟାଏ ଦୁଇଟାର ରଚକ ବୋଲି ଜାଣିପାରନ୍ତା, କଣ ଆଡ଼ ଆଖିରେ ଟିକିଏ ଚାହାଁନ୍ତା ନାହିଁ ?’’ କିନ୍ତୁ ବନମାଳୀ ଯେ ଗୀତ ଲେଖେ, ତାହା ଜଣାଇବା ସୁବିଧା ତାର ଆଦୌ ନ ଥିଲା । ସେ ଗୀତ ଲେଖିଲେ ସୁଦ୍ଧା, ନିଜେ ଗାଇ ଜାଣେ ନାହିଁ । ଗୀତ ଗାଇବାକୁ ଜୀବନରେ ଦିନେ ଚେଷ୍ଟା ମଧ୍ୟ କରିନାହିଁ ।

 

ତୃତୀୟ ଦିନ ବାଳିକା ପାଖବାଟେ ବନମାଳୀ ଧୀରେ ଧୀରେ ଚାଲିଗଲାବେଳେ ବାଳିକା ତା ଆଡ଼କୁ ଚାହିଁଲା । ଦେଖିପାରି, ବନମାଳୀ ମନରେ ଆନନ୍ଦ ଅନୁଭବ କଲା । ସେପରି ଅନେକ ଦିନ ଚାଲିଗଲା । ବନମାଳୀ ସବୁ କାମ ଛାଡ଼ି କିଲ୍ଲା ପଡ଼ିଆକୁ ପ୍ରତିଦିନ ବୁଲିବାକୁ ଯାଏ ଏବଂ ପ୍ରତିଦିନ ବସାକୁ ଫେରିଲାବେଳେ ମନର ପୂର୍ବ ସଞ୍ଚିତ ଭାବ ଉପରେ ଗୋଟିଏ ନୂତନ ସ୍ତର ପକାଇ ଫେରେ । କେଉଁଦିନ ସେ ଖାଇବାକୁ ଭୁଲିଯାଏ; କେଉଁଦିନେ ବା ଶୋଇଲେ ତାକୁ ନିଦ ଲାଗେ ନାହିଁ । ନିଦ ଲାଗିଲେ ସ୍ୱପ୍ନରେ ବାଳିକାର ଚିତ୍ର ଆଖି ଆଗରେ ଆସି ନାଚେ; ନିଦ ନ ଲାଗିଲା ପର୍ଯ୍ୟନ୍ତ ତାରି ଧ୍ୟାନରେ ତା ସମୟ ବିତିଯାଏ ।

 

ଦିନେ ବନମାଳୀ କିଲ୍ଲା ପଡ଼ିଆରେ ଖଣ୍ଡିଏ ବହି ଫିଟାଇ ଧରି ବସିଥିଲା । ହଠାତ୍‌ ଚମକି ପଡ଼ି ଦେଖିଲା, ସଦାଶିବ ତା ଆଡ଼କୁ ମୁହଁ କରି ଆସୁଛନ୍ତି ଏବଂ ବାଳିକା ତାଙ୍କ ହାତ ଧରି ସଙ୍ଗେ ସଙ୍ଗେ ଚାଲିଛି । ବନମାଳୀ ବହି ବନ୍ଦ କଲା; କିନ୍ତୁ ପୁଣି ଫିଟାଇ ପଢ଼ିଲା ପରି ଚାହିଁଲା । ସେତେବେଳେ ତା ଛାତି ଥରିବାକୁ ଲାଗିଲା । ସେ ମନକୁ ମନ କହିଲା, ‘‘ଆଃ, ମୁଁ ଏ କୁତ୍ସିତ ଚେହେରା ଧରି ଏଠି ବସିଥିବି; ସେ ଏବାଟେ ଯିବ, ଏ ଧୂଳିରେ ତା ପାଦ ପକେଇବ । ଧୂଳି ଧନ୍ୟ ହେବ ଏକା । ଆଉ ଧୂଳିକି ଚିତା ଘେନିଲେ ଧନ୍ୟ ହେବି ମୁଁ ।’’ ସେ ଏକଧ୍ୟାନରେ ବହିକି ଚାହିଁ ବସିଲା । ପାଦଶବ୍ଦ କ୍ରମେ ନିକଟବର୍ତ୍ତୀ ହୋଇଆସିଲା । ବାଳିକା ତା ପାଖବାଟେ ଅତିକ୍ରମ କରି ଚାଲିଗଲା । ସେ ମନେକଲା, ସେ ଯେପରି ଶୁଣୁଛି, ‘‘ତୁମେ ଛ’ ମାସ କାଳ କାହିଁକି ଆସୁ ନ ଥିଲ-?’’ ବାଳିକାର ମୂର୍ତ୍ତି ତାକୁ ସ୍ୱର୍ଗର ଅପ୍‌ସରୀ ପରି ଦେଖାଗଲା ।

 

ସଦାଶିବ ମହାନ୍ତି କ୍ରମେ ବୁଝିପାରିଲେ ଯେ ତାଙ୍କ ଝିଅର ଯିବାଆସିବା ସହିତ ବନମାଳୀ ଗତିବିଧିର କିଛି ଗୋଟାଏ ଅବୋଧ୍ୟ ସମ୍ପର୍କ ରହିଛି । ତହୁଁ ସେ କିଲ୍ଲା ପଡ଼ିଆର ସେ ଅଞ୍ଚଳ ଛାଡ଼ି ଆଉ ଏକ ସ୍ଥାନକୁ ବୁଲିଯିବାକୁ ଲାଗିଲେ । ବନମାଳୀ ତାଙ୍କୁ ଅନୁସରଣ କରିବ କି ନା, ପରୀକ୍ଷା କରିବା ତାଙ୍କ ଉଦ୍ଦେଶ୍ୟ ଥିଲା । ବନମାଳୀ ସେ ଉଦ୍ଦେଶ୍ୟ ବୁଝି ନ ପାରି ନିଜକୁ ଅପରାଧୀ ପ୍ରମାଣିତ କଲା । ତହୁଁ ସଦାଶିବ ପ୍ରତିଦିନ ଝିଅକୁ ସଙ୍ଗରେ ନ ଆଣି, ଦିନେ ଦିନେ ଏକା ବୁଲିବାକୁ ଗଲେ ।

 

ଦିନେ ସଦାଶିବ ଏବଂ ବାଳିକାଟି ବସିବା ସ୍ଥାନରୁ ଉଠି ଚାଲିଯିବା ପରେ, ବନମାଳୀ ଖଣ୍ଡିଏ ରୋମାଲ ପଡ଼ିଥିବାର ଦେଖିଲା । ବାଳିକା ବିଷୟରେ କୌଣସି କଥା ତ ବନମାଳୀକୁ ଜଣା ନ ଥିଲା । ସେ ଦେଖିଲା ରୋମାଲର ଗୋଟିଏ କଣରେ ଯୋଡ଼ିଏ ଅକ୍ଷର ନାଲି ସୂତାରେ ସିଲେଇ କରାହୋଇଛି । ଚିହ୍ନିଲା, ସେ ଦୁଇଟି ‘ଅ’ ଏବଂ ‘ରା’ । ତାହା ବାଳିକା ନାମର ସଂକେତ ଅକ୍ଷର ହୋଇଥିବ ଭାବି ବନମାଳୀ ମନେ ମନେ ବାଳିକାକୁ ନାମ ଦେଲା ‘ଅନ୍ନପୂର୍ଣ୍ଣା’; କିନ୍ତୁ ଭାବିଲା, ‘‘ତେବେ ‘‘ରା’ କଣ ? ସଦାଶିବ ମହାନ୍ତିଙ୍କ ଝିଅ ନାମରେ ଗୋଟାଏ ‘ରା’ ରହିବାର ତ କୌଣସି କାରଣ ନାହିଁ । ଏ ତେବେ କଣ ବିବାହିତା ?’’ କଣ ଅନ୍ନପୂର୍ଣ୍ଣା ରାଏ, ନା ଅପ୍‌ସରୀ ରାସମଣୀ ? ରୋମାଲଟି ଯେ ବାଳିକାର ନୁହେଁ, ସେ ବୃଦ୍ଧ ବ୍ୟକ୍ତିଙ୍କର, ତାହା ଜାଣି ନ ପାରି ବନମାଳୀ ଅନେକ ଦିନ ସ୍ୱପ୍ନ-ରାଜ୍ୟରେ ବିଚରଣ କରିବାକୁ ଲାଗିଲା ।

 

ବାଳିକାର ନାମଟା ନିଜ ରୁଚି ଅନୁସାରେ ଅନୁମାନରେ ସ୍ଥିର କରି, ସେ କ୍ରମେ ଅଗୋଚର ଭାବରେ ପଛେ ପଛେ ତା ବସା ଆଡ଼କୁ ଯାଇ, ଅପ୍‌ସରୀ ରାସମଣିର ରହିବା ସ୍ଥାନ ଠଉରାଇଲା; କିନ୍ତୁ ତା ପରିଚୟ ନ ପାଇ ଅସ୍ଥିର ହେବାକୁ ଲାଗିଲା । ଦିନେ ସେ ବୁଢ଼ା ଏବଂ ଅପ୍‌ସରୀ ରାସମଣି ପଛେ ପଛେ ଯାଇ, ସେମାନେ ଘର ଭିତରକୁ ଚାଲିଗଲା ପରେ, ଦୁଆର ଜଗୁଆଳକୁ ପଚାରିଲା, ‘‘ଏ ଯେ ବୁଢ଼ାଜଣକ ଗଲେ, ଏ କିଏ ?’’ ଜଗୁଆଳ କହିଲା, ‘‘ଜଣେ ଭାରି ଭଲ ଲୋକ । ୟାଙ୍କ ଦାନପୂଣ୍ୟ କଥା ଶୁଣିଲେ ତୁମେ ଅବାକ୍‌ ହବ । ହେଲେ ସେପରି ଧନୀ ଲୋକ ନୁହନ୍ତି, ମାମୁଲି ଧରଣର ।’’

 

‘‘ୟାଙ୍କ ନା ? ଜଗୁଆଳ ମୁଣ୍ଡ ଟେକି ବନମାଳୀ ଆଡ଼କୁ ଚାହିଁ ପଚାରିଲା, ‘‘ବାବୁ, ତୁମେ କଣ ପୋଲିସ୍‌ବାଲା, ନା ଗୋଇନ୍ଦା ?’’ ବନମାଳୀ ଲଜ୍ଜାରେ ମୁଣ୍ଡ ପୋତି ଚାଲିଗଲା; କିନ୍ତୁ ତାର ଆନନ୍ଦ ହେଲା ଯେ ସେ କ୍ରମେ କ୍ରମେ ସଫଳତା ଆଡ଼କୁ ଗତି କରୁଛି ।

 

ଆରଦିନ ସନ୍ଧ୍ୟାବେଳେ ବସାକୁ ଫେରିବା ସମୟରେ ସଦାଶିବ ମହାନ୍ତି ଝିଅକୁ ପ୍ରଥମେ ଘରକୁ ପଠାଇଦେଇ ଦୁଆରେ ଟିକିଏ ଠିଆହେଲେ ଏବଂ ତା’ପରେ ବନମାଳୀ ଆଡ଼କୁ ଥରେ ଗୋଟାଏ ତୀକ୍ଷ୍‌ଣ ଦୃଷ୍ଟି ପକାଇ, ନିଜେ ଭିତରେ ପଶିଗଲେ । ଦୁଆର ବନ୍ଦ ହୋଇଗଲା । ତା ପରଦିନ ବନମାଳୀ କୌଣସି ହଜିଥିବା ପଦାର୍ଥ ଖୋଜିବା ପରି କିଲ୍ଲାପଡ଼ିଆ ତମାମ ଖୋଜିବୁଲିଲା-। କେତେକ ସମୟ ପରେ, ସନ୍ଧ୍ୟା ହୋଇ ଆସିଥିବାରୁ ନିରାଶ ନେତ୍ରରେ, ଓଡ଼ିଆ ବଜାରର ଯେଉଁ ଘର ନିକଟରେ ସେ ଗତ ଦୁଇ ଦିନ ଯାଉଥିଲା, ସେହିଠାରେ ଯାଇ ହାଜର ହେଲେ । ସେ ଦେଖିଲା, ଘର ଭିତରେ ଗୋଟିଏ ଆଲୁଅ ଜଳୁଛି; ମାତ୍ର ସେ ପହଞ୍ଚିବାରୁ ଆଲୁଅଟି ଲିଭିଗଲା । ପରଦିନ ସେହିପରି ବନମାଳୀ କିଲ୍ଲା ପଡ଼ିଆରୁ ଫେରି, ଓଡ଼ିଆ ବଜାରର ସେହି କୋଠା ଦାଢ଼ରେ ବୁଲିବାକୁ ଲାଗିଲା । ବୁଲୁବୁଲୁ ରାତି ଦଶ ବାଜିଲା । ଶେଷରେ ସେ ବୁଝିପାରିଲା ଯେ ଘରଟି ଖାଲି, ସେଠାରେ ଲୋକବାକ ନାହାନ୍ତି ।

 

ତା ପରେ ଆଠଦିନ କାଳ ଗଲା ବନମାଳୀ କିଲ୍ଲା ପଡ଼ିଆରେ କିମ୍ବା ଓଡ଼ିଆ ବଜାରର ସେ କୋଠାରେ ଅପ୍‌ସରୀ ରାସମଣିର ଛାୟା ସୁଦ୍ଧା ଦେଖିପାରିଲା ନହିଁ । ଦିନବେଳେ ଓଡ଼ିଆବଜାର ଭିତରକୁ, ବିଶେଷରେ ସେ କୋଠା ପାଖକୁ ଯିବାକୁ ତାର ସାହସ ହୁଏ ନାହିଁ । ନବମ ଦିନ ସେ ସାହସ ବାନ୍ଧି ଦିନବେଳେ ଯାଇ ସେଠାରେ ପହଞ୍ଚିଲା ଓ ପ୍ରତିବାସୀମାନଙ୍କୁ ପଚାରି ବୁଝିଲା ଯେ ସଦାଶିବ ମହାନ୍ତି ଅପ୍‌ସରୀ ରାସମଣିକୁ ଧରି ଆଠଦିନ ହେଲା ସେ ଘର ଛାଡ଼ି ଚାଲିଯାଇଛନ୍ତି । ବନମାଳୀକୁ ପଡ଼ିଗଲା ପରି ଲାଗିଲା । ସେ କ୍ଷୀଣକଣ୍ଠରେ ପଚାରିଲା, ‘‘ଯାଇଛନ୍ତି କୋଉଠିକୁ ?’’ କିନ୍ତୁ ଉତ୍ତର ଶୁଣିଲା, ‘‘କେଜାଣି ।’’ କୋଠା ଜଗୁଆଳ ହଠାତ୍‌ ଗୋଟାଏ କୁଡ଼ିଆ ଘରୁ ବାହାରିପଡ଼ି କହିଲା, ‘‘କିହୋ, ତୁମେ ପୁଣି ଆସିଚ ନା କଣ ? ମୁଁ କଣ କହିଥିଲି ସେଦିନ ? ତୁମେ ନିଶ୍ଚୟ ଜଣେ ପୋଲିସ ଗୋଇନ୍ଦା । ‘‘ଗ୍ରୀଷ୍ମକାଳ ଚାଲିଗଲା ଏବଂ ବର୍ଷା, ଶରତ୍‌ ଯାଇ ଶୀତ ଆସିଲା । ସେ ଦୀର୍ଘକାଳ ମଧ୍ୟରେ ସଦାଶିବ ମହାନ୍ତି କିମ୍ବା ବନମାଳୀର ଅପ୍‌ସରୀ ରାସମଣି କିଲ୍ଲା ପଡ଼ିଆରେ ଦିନେ ପାଦ ପକାଇଲେ ନାହିଁ । କ୍ରମେ ବନମାଳୀର ଦୁଃଖର ମାତ୍ରା ବଢ଼ିବାକୁ ଲାଗିଲା । ସେ ନିଜକୁ ଧିକ୍‌କାର କରି କହିଲା, ‘‘ମୁଁ କାହିଁକି ତା ପଛେ ପଛେ ଯାଇଥାନ୍ତି ? ସେ ତ ତା ମଧୁର ଦୃଷ୍ଟି ମୋ ଆଡ଼କୁ ପକାଇଲା; ମୋର ତାଠୋଉ ଆଉ କଣ ବେଶି ଦରକାର ଥିଲା-? ମୁଁ ଦୋଷୀ, ମୁଁ ପାପୀ, ମୁଁ ଚଣ୍ଡାଳ ।’’

 

ଦିନେ ବନମାଳୀ ତେଲଙ୍ଗାବଜାର ବାଟେ ବ୍ୟଥିତ ହୃଦୟରେ କାଠଯୋଡ଼ି କୂଳକୁ ଚାଲିଚି; ଦେଖିଲା ଜଣେ ବୁଢ଼ା ମଜୁରିଆ ବେଶରେ ହାତରେ ଗୋଟାଏ କୋଡ଼ି ଧରି, ବାଟରେ ଯାଉଛି । ସେ ତାକୁ ଖୁବ୍‌ ପରିଚିତ ପରି ବୋଧ ହେଲା । ଲୋକଟିର ମୁହଁ ଠାଣି, ମୁଣ୍ଡର ଧଳା ବାଳ ଆଦି ଦେଖି, ସେ ମନକୁ ମନ କହିଲା, ‘‘ଏ ତ ସେଇ । ହେଲେ ଏ ଛଦ୍ମବେଶ କାହିଁକି ? ଆଚ୍ଛା, ପଛେ ପଛେ ଯାଇ ଦେଖିବି ।’’ କିନ୍ତୁ ସେ ଏ ନିଷ୍ପତ୍ତି କଲାବେଳକୁ ନିଷ୍ପତ୍ତି ଅନୁସାରେ କାର୍ଯ୍ୟ କରିବାର ସମୟ ନ ଥିଲା; ଲୋକଟି ଗୋଟାଏ ଗଳି ଭିତରେ ପଶି ଅଦୃଶ୍ୟ ହୋଇଯାଇଥିଲା । ବନମାଳୀ ମନକୁ ସାନ୍ତ୍ୱନା ଦେଇ କହିଲା, ‘‘ବୋଧହୁଏ ଏ ସେମିତି ଦିଶୁଥିଲା ଖାଲି, ଠିକ୍‌ ସେ ନୁହନ୍ତି, ଆଉ କିଏ ।’’

Image

 

୩୧

କାହିଁରୁ କଣ ଉପୁଜିଲା

 

ଦିନେ ସନ୍ଧ୍ୟା ସମୟରେ ବନମାଳୀ ଦର୍ଜି କୋଠାରୁ ବାହାରି ବାଟରେ ଚିନ୍ତାମଗ୍ନ ହୋଇ ଯାଉଥିଲା । ହଠାତ୍‌ ତା ଦେହରେ ଗୋଟାଏ ଧକ୍‌କା ବାଜିଲା । ସେ ଚାହିଁ ଦେଖିଲା, ଛିଣ୍ଡା କନା ଦୁଇ ଖଣ୍ଡ ପିନ୍ଧି ଦୁଇଟି ବାଳିକା ଧଇଁସଇଁ ହୋଇ ଧାଇଁ ପଳାଉଛନ୍ତି । ତାଙ୍କ ମୁଣ୍ଡ ବାଳ ଫିଟିଛି; ଦେହରୁ ଝାଳ ବୋହିଯାଉଛି । ପିନ୍ଧିଥିବା ଛିଣ୍ଡା କନାଖଣ୍ଡମାନ ଖସି ପଡ଼ିବାକୁ ଲୋଡ଼ୁଛି । ଶୁଣିଲା, ଧାଉଁ ଧାଉଁ ଜଣେ ଜଣକୁ କହୁଛି, ‘‘ଆସି ମତେ ଧରି ତ ଥିଲା । କପାଳ ଟାଣ ଥିବାରୁ ଖସିଅଇଲି-।’’

 

ଆର ଜଣକ ପଚାରିଲା, ‘‘କଣ, କାଲିର ସେଇ ସିପେଇ ?’’

 

ବନମାଳୀ ବୁଝିଲା ଯେ କୌଣସି ପୋଲିସ୍‌ କର୍ମଚାରୀଙ୍କି ଦେଖି, ବାଳିକା ଦିଓଟି ଭୟରେ ପଳାଉଛନ୍ତି । ଦୁହେଁ ଶୀଘ୍ର ଦୃଷ୍ଟି ପଥରୁ ଅନ୍ତର ହୋଇଗଲେ । ବନମାଳୀ ଗୋଡ଼ରେ ଗୋଟାଏ କନାପୁଡ଼ା ବାଜିଲା । ସେ ତାହା ଗୋଟାଇ କହିଲା, ‘‘ଏ ପିଲା ଦି’ଟା ପକେଇଦେଇ ଚାଲିଗଲେ ।’’ ସେ ପଛରୁ ଡାକିଲା; କିନ୍ତୁ କେହି ଶୁଣିଲେ ନାହିଁ ।

 

ଘରକୁ ଫେରିଆସି, ବନମାଳୀ ତା ଅପ୍‌ସରୀ ରାସମଣିର ଠିକଣା କାଳେ ପାଇଯିବ, ସେହି ଆଶାରେ ପୁଡ଼ାଟି ଫିଟାଇ ଦେଖିଲା । ପୁଡ଼ାରେ ଚାରିଖଣ୍ଡ ଚିଠି ଥିଲା । ଚାରିଖଣ୍ଡି ଚିଠିରେ ଚାରିଜଣଙ୍କ ଠିକଣା ଲେଖା ଯାଇଥିଲା । ଏକା ଧୂଆଁପତ୍ର ଗନ୍ଧ ପ୍ରତି ଚିଠିରୁ ମିଳୁଥିଲା । ପ୍ରଥମ ଚିଠିରେ ଠିକଣା ଥିଲା, ‘‘ଜମିଦାର ନୀଳକଣ୍ଠ ନାଏକ’’, ଏବଂ ଚିଠିରେ ଲେଖାଥିଲା ‘‘ମୁଁ ତୀର୍ଥ କରିବାକୁ ପୁରୀ ଯାଇଥିଲି । ଫେରିଲାବେଳେ ବାଟରେ ବାଲିଅନ୍ତା ନିକଟରେ ମୋର ସବୁ ଚୋରି ଗଲା । ମୋତେ ସମ୍ବଲପୁର ଯିବାକୁ ହେବ । ମୁଁ ସପରିବାରରେ ଅଛି । ଆପଣ ଦୟା କରି ଏ ପତ୍ରବାହକ; ମୋ ଝିଅ, ହାତେ ପଚାଶଟି ଟଙ୍କା ଦେଲେ ଆମେ ଘରେ ପହଞ୍ଚିବୁ । ଘରେ ପହଞ୍ଚିଲେ, ମୁଁ ଆପଣଙ୍କ ଟଙ୍କା ପଠେଇଦେବି । ଆପଣଙ୍କର ନିରାଶ୍ରୟ ଜଗବନ୍ଧୁ ନାଏକ ।’’

 

ଅପ୍‌ସରୀ ରାସମଣିର ଠିକଣା ନ ପାଇ, ବନମାଳୀ ଦ୍ୱିତୀୟ ଚିଠିଟି ଫିଟାଇଲା । ତହିଁରେ ଠିକଣା ଥିଲା, ‘‘ବସନ୍ତ କୁମାର ମହାନ୍ତି, ଆଲମଚାନ୍ଦ ବଜାର’’ ଏବଂ ଚିଠିରେ ଲେଖାଥିଲା, ‘‘ମୁଁ ଜଣେ ବ୍ୟବସାୟୀ ଲୋକ । ବ୍ୟବସାୟ ଉଦ୍ଦେଶ୍ୟରେ ସପରିବାର ଏ ସହରକୁ ଆସିଥିଲି । ବ୍ୟବସାୟ ନ ଚଳିବାରୁ ସର୍ବସ୍ୱାନ୍ତ ହୋଇପଡ଼ିଛି । ମୋ ଝିଅକୁ ପଠାଇଲି । ଆପଣ ତା ହାତେ ପଚାଶ ଟଙ୍କା ଦେଲେ, ମୁଁ ବାଟଖର୍ଚ୍ଚ କରି ପୁଣି ଗାଁକୁ ଫେରିଯିବି । ଗାଁରୁ ଆପଣଙ୍କ ଟଙ୍କା ପଠାଇଦେବି । ଆପଣଙ୍କର, ମଦନମୋହନ ମହାନ୍ତି ।’’

 

ବନମାଳୀ ତୃତୀୟ ଚିଠି ଧଇଲା । ତା ଠିକଣା ଥିଲା, ‘‘ପୁରନ୍ଦର ପଟ୍ଟନାଏକ, ଚାନ୍ଦିନୀଚଉକ’’ । ସେଥିରେ ଲେଖାଥିଲା, ‘‘ମହାଶୟ, ମୁଁ ଝିଅକୁ ଶାଶୂଘରୁ ନେଇ ମହାନଦୀରେ ବୈଦ୍ୟେଶ୍ୱର ଯାଉଥିଲି । ନାଆ ବୁଡ଼ିଯିବାରୁ ଏଠି ପଡ଼ିରହିଛି । ମୋର ସ୍ୱାମୀ ନାହାନ୍ତି କି ଘରେ ଅନ୍ୟ କୌଣସି ପୁରୁଷ ଲୋକ ନାହିଁ । ଆପଣ ଦୟାବନ୍ତ ଲୋକ । ମୋ ଝିଅ ଏ ଚିଠିନେଇ ଗଲା । ୟା ହାତେ ପଚାଶଟି ଟଙ୍କା ଦେଲେ, ମୁଁ ଗାଁରୁ ପଠାଇଦେବି । ଆପଣଙ୍କର ସୁକୁମାରୀ ଦେଈ ।’’

 

ବନମାଳୀ ତିନି ଖଣ୍ଡଯାକ ଚିଠିରେ ଆାଶାନୁରୂପେ ଖବର ନ ପାଇ ଚତୁର୍ଥ ଖଣ୍ଡି ପଢ଼ି ଦେଖିଲା । ସେଥିରେ ଠିକଣାରେ ଲେଖାଥିଲା, ‘‘କାଳୀମନ୍ଦିର ଭକ୍ତ ଧର୍ମାର୍ଥୀ ଦାତାଙ୍କ ନିକଟକୁ ସବିନୟ ନିବେଦନ- ଧର୍ମାବତାର ମହାଶୟ, ମୁଁ ମୋ ସ୍ତ୍ରୀ ଏବଂ ଝିଅ ଦିଓଟିଙ୍କି ନେଇ ଏଠାରେ ଯେ କି ହଇରାଣ ହେଉଛି, ଭଗ୍‌ବାନ ଜାଣନ୍ତି । ମୁଁ ସହରର ଜଣେ ବାସିନ୍ଦା । ଆଗେ ମୁଁ ଭଲ ଅବସ୍ଥାରେ ଥିଲି; ମାତ୍ର ମୋର ବର୍ତ୍ତମାନ ରୋଜଗାରର କିଛି ଉପାୟ ନାହିଁ । ଆପଣ ଅନେକ ଦାନ ପୂଣ୍ୟ କରୁଛନ୍ତି । ମୋ ଦୁର୍ଦ୍ଦଶା ଥରେ ଆସି ଦେଖିଯାନ୍ତୁ । ତାହାହେଲେ, ମୁଁ ବୁଝିବି ଯେ ମୋ ଦଶା ଲେଉଟିଯିବ । ଆପଣଙ୍କକର ହତଭାଗ୍ୟ ମୁକୁନ୍ଦ ଜେନା ।’’

 

ଚିଠି ଚାରିଖଣ୍ଡ ପଢ଼ିସାରି, ବନମାଳୀ ନିରାଶ ହୋଇ ବସିଲା । ସେ ଭାବିଲା, ‘‘କାହିଁ, ଯାହା ଖୋଜୁଥିଲି, କିଛି ତ ମିଳିଲା ନାହିଁ ।’’ କିନ୍ତୁ ଚାରିଖଣ୍ଡଯାକ ଚିଠି ଯେ ଜଣେ ଲୋକର ହସ୍ତାକ୍ଷରରେ, ଚାରିଜଣଙ୍କ ନାମରେ, ଚାରିଟା ଭିନ୍ନ ଭିନ୍ନ କାଳିରେ ଲେଖା ହୋଇଥିଲା, ଦେଖି ତାର କୌତୁହଳ ଜନ୍ମିଲା; ମାତ୍ର ସେଥିରୁ ଗୋଟାଏ ତଥ୍ୟ ଖୋଜିବାହାର କରିବା ଶ୍ରମ ସ୍ୱୀକାର କରିବାକୁ ଇଚ୍ଛା ନ କରି, ସେ ଚିଠିଗୁଡ଼ାକ ଘରର ଗୋଟାଏ କଣକୁ ଫିଙ୍ଗିଦେଲା ଏବଂ ରାତିରେ ଶୋଇ ଅପ୍‌ସରୀ ରାସମଣିର ମୂର୍ତ୍ତି ଆଖି ଆଗରେ କଳ୍ପନା କରିବାକୁ ଲାଗିଲା ।

 

ପରଦିନ ସକାଳୁ ଦ୍ୱାରେ କିଏ ଟିପ ମାଇଲା । ବନମାଳୀ କହିଲା, ‘‘ଭିତରକୁ ଆସ’’ । ଦ୍ୱାର ଫିଟିଲା ଓ ସଙ୍ଗେ ସଙ୍ଗେ ଗୋଟିଏ ସ୍ୱର ଶୁଭିଲା, ‘‘ଟିକିଏ ଶୁଣିମ ନାହିଁ ?’’ ବନମାଳୀ ଭାବିଲା, ‘‘ଏ ପୁଣି କିଏ ଜଣେ ବୁଢ଼ା ଆସି ପହଞ୍ଚିଲାଣି ।’’ ମାତ୍ର ସେ ଚାହିଁ ଦେଖିଲା, ଗୋଟିଏ ଛୋଟିଆ ବାଳିକା; ଛିଣ୍ଡା କନା ପିନ୍ଧିଛି, ବାଳ ଫୁର୍‌ଫୁର୍‌ ହେଉଛି, ଦେହରେ ରକ୍ତ ନ ଥାଇ ଶେତା ଦିଶୁଛି, ଆଖି ଭିତରକୁ ପଶିଯାଇଛି । ଦେଖି ବନମାଳୀ ଚମକି ପଡ଼ି ପଚାରିଲା, ‘‘କଣ ପିଲା ?’’

 

‘‘ମୁଁ ଖଣ୍ଡିଏ ଚିଠି ଆଣିଚି, ବନମାଳୀବାବୁ ।’’ ଶୁଣି ବନମାଳୀ ମହା ସନ୍ଦେହରେ ପଡ଼ିଲା-। ବାଳିକା ତା ନାମ କିପରି ଜାଣିଲା, ଭାବି ଭାବି ସେ କିଛି ସ୍ଥିର କରିପାରିଲା ନାହିଁ । ତଥାପି ସେ ଚିଠିଖଣ୍ଡି ନେଇ ଫିଟାଇ ଦେଖିଲା, କାଳି ସମ୍ପୂର୍ଣ୍ଣ ଶୁଖି ନାହିଁ । ସେଥିରୁ ବୁଝିଲା ସେ ଚିଠିଖଣ୍ଡି ଅତି ଅଳ୍ପ ଦୂରରୁ ଆସିଛି । ପଢ଼ିଲା-

 

‘‘ପଡ଼ୋଶୀ ବାବୁ ମହାଶୟ,

 

ଆପଣଙ୍କ ଗୁଣାବଳୀ ମୁଁ ଶୁଣୁଛି, ଆପଣ କେତେ ମାସ ତଳେ ମୋ ପାଇଁ ତ ଛ’ ମାସର ଘରଭଡ଼ା ଦେଇଥିଲେ । ସେ ଉପକାର ମୁଁ ପାସୋରି ପାରିବି ନାହିଁ । ମୋ ବଡ଼ ଝିଅ ଏ ଚିଠି ଧରି ଗଲା । ତାଠାରୁ ଶୁଣିବେ, ଆମେ ଚାରି ପ୍ରାଣୀ ଦୁଇଦିନ ହେଲା ଖାଇ ନାହୁଁ । ସେଥିରେ ପୁଣି ମୋ ଭାର୍ଯ୍ୟାର ଦେହ ବ୍ୟସ୍ତ ହୋଇଛି । ଏଥିରୁ ଆପଣ ମୋତେ ଉଦ୍ଧାର କରିବେ; ଆଜି ମୋତେ କିଛି ସାହାଯ୍ୟ ଦେବେ । ବନମାଳୀବାବୁ ଆମ ଦଶା ଦେଖିଲେ ଆପଣଙ୍କ ହୃଦୟ କାନ୍ଦିବ । ମୋ ଝିଅକୁ ନିରାଶ କରିବେ ନାହିଁ ।

ଆଣଙ୍କର ଦୀନହୀନ ଦାସ

ଅଗାଧୁ ବେହେରା

 

ଗତ ରାତିରେ ଯେଉଁ ଚାରିଖଣ୍ଡ ଚିଠି ଅକସ୍ମାତ୍‌ ବନମାଳୀ ହାତରେ ପଡ଼ି ତାକୁ ଅନ୍ଧାରେ ବୁଲାଉଥିଲା, ଏ ଚିଠିଖଣ୍ଡ ତା ମଧ୍ୟରେ ଗୋଟାଏ ଦୀପ ଆଣି ଜାଳିଦେଲା । ଭିତରର ଗୂଢ଼ ରହସ୍ୟ କ୍ରମେ ଉଜ୍ଜଳ ହୋଇ ଆସିଲା । ସେ ଚାରିଖଣ୍ଡ ଚିଠି ଯେ ଲେଖିଥିଲେ, ଏ ଚିଠି ଖଣ୍ଡ ମଧ୍ୟ ତାରି ହାତର ଲେଖା, ସେହି କାଗଜ ସେହି ଧୂଆଁପତ୍ର ଗନ୍ଧ । ପାଞ୍ଚଖଣ୍ଡ ଚିଠିରେ ପାଞ୍ଚଟା ଇତିହାସ, ପାଞ୍ଚଜଣ ଲୋକର ନାମ, ପାଞ୍ଚଟା ଠିକଣା ଅଥଚ ଜଣେ ଲେଖକ । ବନମାଳୀ ମନେ ମନେ ଭାବିଲା, ‘‘ସବୁ ହୁଏତ ଜଣେ ଅଗାଧୁ ବେହେରାର କାମ । ତେବେ ଏ ଅଗାଧୁ ବେହେରା ଏବେ ସତ କି ମିଛ, କିଏ ଜାଣେ ?’’

 

ଦର୍ଜିକୋଠାରେ ବନମାଳୀ ଏତେ ଦିନ ରହିଲା; କିନ୍ତୁ ତା ତଳମହଲା ଘରେ କିଏ ଅଛନ୍ତି, ତାହା ଦିନେ ତା ଦୃଷ୍ଟିରେ ପଡ଼ିଲା ନାହିଁ । ବର୍ତ୍ତମାନ ଅଗାଧୁ ବେହେରାର ଚିଠିଟା ପାଇ, ସେ ବୁଝିଲା ଯେ ସେ ଲୋକଙ୍କଠାରୁ ସାହାଯ୍ୟ ମାଗି ଖର୍ଚ୍ଚ ଚଳାଇବାଟାକୁ ଗୋଟାଏ ବ୍ୟବସାୟ କରିଛି; ଭିନ୍ନ ଭିନ୍ନ ଲୋକଙ୍କ ନାମରେ ଜାଲ କରି ସହରର ନାନା ବ୍ୟକ୍ତିଙ୍କ ନିକଟକୁ ପତ୍ର ଲେଖୁଛି, ଏପରିକି ବାପ ହୋଇ ଯୁବତୀ ଝିଅମାନଙ୍କୁ ଦାଣ୍ଡକୁ ଛାଡ଼ି ଦେବାରେ କୁଣ୍ଠିତ ହେଉନାହିଁ । ତହୁଁ ସେ ମନକୁ ମନ କହିଲା, ‘‘ଏଟା ଭାଗ୍ୟ ସାଙ୍ଗେ ଗୋଟାଏ ମସ୍ତ ଜୁଆଖେଳ ।’’

 

ବନମାଳୀ ସେହିପରି ଭାବୁଥିବା ସମୟରେ ବାଳିକା ଘର ଭିତରେ ପଶି ଜିନିଷପତ୍ର ଘଣ୍ଟାଘଣ୍ଟି କରିବାରେ ଲାଗିଲା, ବନମାଳୀର କୁରୁତା ପକେଟରେ ହାତ ପୂରାଇଲା, ପେଡ଼ିର ଘୋଡ଼ଣି କାଢ଼ି ଚାହିଁ ଦେଖିଲା ଓ ଶେଷରେ ଆସି ବନମାଳୀର ମେଜ ନିକଟରେ ପହଞ୍ଚିଲା । ବନମାଳୀର ବହି ଫିଟା ହୋଇଥିଲା; ସେ ତାହା ଦେଖି କହିଲା, ‘‘ମୁଁ ପଢ଼ିଜାଣେ ଯେ ।’’ କହି, ସେ ପଢ଼ିବସିଲା, ‘‘ମାତୃଭୂମିର ସେବା ନିମନ୍ତେ ଗୋବିନ୍ଦ ସିଂହ ଜୀବନ ଉତ୍ସର୍ଗ କରିଥିଲେ ।’’ ପଢ଼ିସାରି, ସେ ବହିଟି ଥୋଇଦେଇ, ପଚାରିଲା, ‘‘ବନମାଳୀବାବୁ, କହ ନା, ଗୋବିନ୍ଦ ସିଂ କିଏ ?’’ ବନମାଳୀ କିଛି ଉତ୍ତର ନ ଦେବାରୁ, ବାଳିକା ବହି ଛାଡ଼ି, ହାତରେ କଲମ ଧଇଲା ଓ କହିଲା, ‘‘ମୁଁ କଣ ଲେଖି ଜାଣେ ନାହିଁ ? ରହ, ଏଇ ସାଥେ ସାଥେ ଲେଖି ଦେଖେଇ ଦେଉଛି ।’’ ବନମାଳୀ କିଛି କହିବା ପୂର୍ବରୁ ତାଙ୍କ କଲମ ଧରି, ଦୁଆତରେ ବୁଡ଼ାଇ, ଖଣ୍ଡେ କାଗଜ ଟାଣି ଆଣି, ସେ ଲେଖିଲା ‘‘ସିପାହୀମାନେ ଆସୁଛନ୍ତି ।’’ ସେ ଲେଖିସାରି, କଲମଟା ପକାଇଦେଇ କହିଲା, ‘‘ବନମାଳୀବାବୁ, ଦେଖିଲ, କିଛି ଭୁଲ୍‌ ହେଇଚି ? ମୁଁ ପିଲାଦିନେ ପାଠ ପଢ଼ୁଥିଲି ଯେ । ସବୁବେଳେ କଣ ଆମେ ଇମିତି ଦୁଃଖରେ ଥିଲୁ କି ?’’

 

ସେତିକି କହି, ବାଳିକା ବନମାଳୀର ଗମ୍ଭୀର ମୁହଁ ଆଡ଼କୁ ଦୃଷ୍ଟି ପକାଇଲା । ତହୁଁ ସେ ଠୋଠୋ ହସିପକାଇ କହିଲା, ‘‘ବନମାଳୀବାବୁ, ତମ ଚେହେରାଟି ତ ଖୁବ୍‌ ସୁନ୍ଦର ।’’ ତାପରେ ସେ ସ୍ୱରକୁ ସା ରେ ଗା ମା ପା ଧା ନି ସା କ୍ରମରେ ଉଚ୍ଚରୁ ତଳଆଡ଼କୁ ଖସାଇଆଣି, କେତେଗୁଡ଼ାଏ କଥା କହିପକାଇଲା । ଶୁଣି ବନମାଳୀ ଯେପରି ବିରକ୍ତ ସେହିପରି ଭୀତ ହେଲା । ଶେଷରେ ସେ କହିଲା, ‘‘ଦେଖ୍‌ ପିଲା, ମୁଁ କାଲି ଗୁଡ଼ାଏ କାଗଜ ପାଇଥିଲି । ସେଗୁଡ଼ାକ ବୋଧହୁଏ ତୋର । ତୁ ନେଇଯା ।’’ କହି, ସେ ପୁଡ଼ାରେ ବନ୍ଧା ହୋଇଥିବା ଗତ ରାତିର ଚିଠି ଚାରିଖଣ୍ତି ବଢ଼ାଇଦେଲା । ବାଳିକା ଆନନ୍ଦରେ ଗଦ୍‌ ଗଦ୍‍ ହୋଇ ତାଳିମାରି କହିଲା, ‘‘ଆଃ, ମିଳିଲା ତ । ତୁମେ ପାଇଥିଲ । ଓଃ, କାଲି ରାତି ଆମେ କେତେ ନ ଖୋଜିଚୁ ! ମୁଁ ଆଉ ମୋ ଭଉଣୀ ଦିହେଁଯାକ ବେଦମ ହୋଇଯାଇଚୁ-। ଚିଠିତକ ତ ହଜେଇ ଦେଇଗଲୁ । ସତ କଥା କହିଲେ, ବାପା ପିଟି ପକେଇଥାନ୍ତା-। ସେଥିପାଇଁ କହିଲୁଁ, ‘‘ଦେଇଆସିଚୁ ।’’ କାଲି ରାତିରେ ତୁମରି ଦେହରେ ଧକ୍‌କା ବାଜିଲା ନା ? ମୁଁ ପରା କହିଲି ଭଉଣୀକି, ‘‘ସେ ଜଣେ ଭଦ୍ରଲୋକ ହବ ।’’ ସତେ, ବନମାଳୀ ବାବୁ, ତୁମେ ଜଣେ ଭାରି ଭଦ୍ରଲୋକ-।’’

 

କହୁ କହୁ ବାଳିକା କାଳୀମନ୍ଦିର ଭକ୍ତଙ୍କ ନିକଟକୁ ଲେଖା ହୋଇଥିବା ଚିଠିଖଣ୍ଡ ଫିଟାଇ ପକାଇଲା ଓ କହିଲା, ‘‘ଏ ସେ ବୁଢ଼ା ଚିଠି । ଏଇ ତ ତା ବେଳ । ମୁଁ ଚିଠିଖଣ୍ଡ ନେଇ ଅଇଛିକା ଯିବି-। ଗଲେ ନିଶ୍ଚୟ ସେ ଖାଇବାକୁ କିଛି ପଇସା ଦବ ।’’ ତା ପରେ ସେ ଠୋ ଠୋ ହସିପକାଇ କହିଲା, ‘‘ବନମାଳୀ ବାବୁ, ଜାଣ, ଆମେ ଆଜି ଖାଇଲେ କଣ ହବ ? ଆଜି ଦିହିପହରେ ପଅରଦିନ ରାତିର, କାଲି ଦିନର, ଆଉ କାଲି ରାତିର, ଏମିତି ତିନିଟା ବାକିଆ ବକତ ଆଉ ଆଜିର ଗୋଟାଏ କରି ଏକାଠି କରି ଚାରିଟା ଖାଇବୁ । ବୁଝିଲ ନା ?’’

 

ଶୁଣି, ବାଳିକା ଯେ କି ଉଦ୍ଦେଶ୍ୟରେ ଆସିଥିଲା, ବନମାଳୀର ମନେ ପଡ଼ିଗଲା । ବନମାଳୀ ପେଡ଼ି ଫିଟାଇ ଦେଖିଲା, ପାଞ୍ଚଟଙ୍କା ଆଠଅଣା ଅଛି । ସେ ଆଠଅଣା କାଢ଼ି ରଖିଦେଇ କହିଲା, ‘‘ଆଜିର ଖର୍ଚ୍ଚ ଏଥିରେ ଚଳିଯିବ । କାଲିକି ଭଗବାନ ଚଳେଇବେ ।’’ କହି, ସେ ପାଞ୍ଚଟଙ୍କା ବାଳିକା ହାତକୁ ପକାଇଦେଲା । ବାଳିକା ଝଣଝଣ ଶବ୍ଦ ଶୁଣି, ବିସ୍ମିତ ହୋଇ ନମସ୍କାର କରି, ଚାଲିଯିବାକୁ ବସିଲା । ଦୁଆର ପାଖ ତଳେ ପୁଞ୍ଜିଏ ମୁଢ଼ି ପଡ଼ିଥିଲା । ସେ ସେତକ ସାଉଁଟି ପାଟିରେ ପକାଇ କହିଲା, ‘‘ଆଃ, ସିପି ଯାଇଚି ।’’ ଦୁଇଥର ପାଟି ବୁଲାଇ, ମୁଢ଼ିତକ ଗିଳିଦେଇ, ସେ ପୁଣି କହିଲା, ‘‘ଜୁହାର, ବନମାଳୀ ବାବୁ; ମୁଁ ଗଲି । ମତେ କେତେ ବାଟ ଯିବାକୁ ହବ ସେ ବୁଢ଼ା ପାଖକୁ, କୋଶେ କି ଦେଢ଼କୋଶ ।’’

 

ବାଳିକା ଚାଲିଗଲା ପରେ ବନମାଳୀ ଦେଖିଲା ଯେ ଘରର ଯେଉଁ କଣରୁ ସେ ଚିଠି ପୁଡ଼ାଟା ଆଣି ବାଳିକାକୁ ଦେଲା, ସେଠାରେ ଚଟାଣଟାରେ ଗୋଟାଏ ମୂଷା ଗାତ ପରି ଗାତ ରହିଛି-। ସେ ଗାତଟା ସେ ଯେ ସେ ପର୍ଯ୍ୟନ୍ତ କାହିଁକି ଦେଖି ନ ଥିଲା ଭାବି ଠିକ୍‌ କରିପାରିଲା ନାହିଁ-। ସେ କଣା ବାଟେ ଚାହିଁଲେ, ତଳ ମହଲା ଘର ଭିତରଟା ପରିଷ୍କାର ଦେଖାଯାଉଥିଲା । ବନମାଳୀ ମନେ ମନେ ଭାବିଲା, ‘‘ଆଚ୍ଛା ଏ ବାଟେ ଦେଖେଁ, ଲୋକଗୁଡ଼ାକ କିପରି ଅଛନ୍ତି ।’’ କଣାଟା ଯେଉଁ କଣରେ ଥିଲା, ତା ପାଖେ ପଛପଟ ଦ୍ୱାରଟା । କବାଟ ମେଲାଇ ରଖିଲେ, କଣାଟା ଘର ଭିତରୁ ଦିଶେ ନାହିଁ ଏବଂ ଘରେ ଝରକା ନ ଥିବାରୁ; ପବନ ଯିବାଆସିବା ନିମନ୍ତେ ବନମାଳୀ ତାକୁ ସର୍ବଦା ଖୋଲି ରଖିଥାଏ । ସେ ବାଟେ ଉପରକୁ ବାଟ ନ ଥିବାରୁ, ଦ୍ୱାରଖୋଲା ଥିଲେ ମଧ୍ୟ, କେହି ଘର ଭିତରେ ପଶିବାର ଆଶଙ୍କା ନ ଥାଏ ।

 

ବନମାଳୀ କବାଟ କଣରେ ମୁହଁ ମାଡ଼ି ବସି କଣାବାଟେ ତଳମହଲା ଘର ଭିତରକୁ ଦୃଷ୍ଟି ପକାଇ ଦେଖିଲା, ଘରଟାଯାକ ନିତାନ୍ତ ମଇଳା ହୋଇ ପଡ଼ିଛି; କାନ୍ଥରେ ଅଶ୍ଳୀଳ ଶବ୍ଦମାନ ଲେଖାଯାଇଛି; କୌଣସି କୌଣସିଠାରେ ଅଙ୍ଗାରରେ ଅଶ୍ଳୀଳତାସୂଚକ ଚିତ୍ରମାନ ଅଙ୍କା ମଧ୍ୟ ହୋଇଛି । ସେ ସବୁ ମଧ୍ୟରେ ଗୋଟିଏ ଛୋଟିଆ ପିଣ୍ଡି ଉପରେ କେତେ ଖଣ୍ଡ କାଗଜ, ଗୋଟିଏ ଭଙ୍ଗା ଦୁଆତ ଓ ଗୋଟିଏ ପୁରୁଣା ବାଘନଖ କଲମ ପଡ଼ିଥିଲା । ପାଖରେ ପ୍ରାୟ ଷାଠିଏ ବର୍ଷ ବୟସର ଜଣେ ବାଙ୍ଗରା ବୁଢ଼ା ଖଣ୍ଡେ ଛିଣ୍ଡାଶାଢ଼ୀ ପିନ୍ଧି ବସିଥିଲା । ତା ମୁହଁ ପାଖ ପିକାରୁ ମେଞ୍ଚାଏ ମେଞ୍ଚାଏ ଧୂଆଁ ବାହାରୁଥିଲା । ପାଖରେ ଜଣେ ସ୍ତ୍ରୀଲୋକ ବସିଥିଲା । ସେ ଯେତିକି ମୋଟୀ, ସେତିକି ମଧ୍ୟ ଡେଙ୍ଗୀ । ଖଣ୍ଡେ ଦୂରରେ ଗୋଟିଏ ଜୀର୍ଣ୍ଣା ଶୀର୍ଣ୍ଣା ବାଳିକା ପ୍ରାୟ ଉଲଗ୍ନ ଅବସ୍ଥାରେ ଶୋଇ ରହିଥିଲା । ଦେଖିଲେ ମନେ ହେଉଥିଲା ଯେ ତା ବୟସ ବାର ତେର ବର୍ଷରୁ ଊଣା ହେବ ନାହିଁ । ବନମାଳୀ ମନରେ ଗୋଟାଏ ଘୋର ଶଙ୍କାର ଛାୟା କ୍ଷଣକ ନିମନ୍ତେ ଘୋଟିଗଲା ।

Image

 

୩୨

ଆକାଶକୟାଁ ଚିଲିକା ମାଛ ଭେଟ

 

ବନମାଳୀ ତା ବିକଟ ପରିଦର୍ଶନ କାର୍ଯ୍ୟରୁ କ୍ଷାନ୍ତ ହୋଇ, ଘରୁ ବାହାରି, କାର୍ଯ୍ୟ ଉପଲକ୍ଷରେ ଚାଲିଯିବାକୁ ବସିଲାବେଳେ, ତଳମହଲା ଘରକୁ ବାହାରୁ ଜଣେ ଧାଇଁ ଧାଇଁ ଆସିବା ଶବ୍ଦ ଶୁଣିଲା । ତହୁଁ ସେ ଚିତ୍ରପ୍ରତିମା ପରି ବସି, ସେ କଣା ପାଖେ କାନ ଦେଇ ଏକଧ୍ୟାନରେ ଶୁଣିବାକୁ ଲାଗିଲା । ଅଳ୍ପ ସମୟ ପୂର୍ବେ ଯେଉଁ ବାଳିକା ଆସି, ତା ସଙ୍ଗେ ପରିଚୟ କରି ପାଞ୍ଚ ଟଙ୍କା ନେଇ ଯାଇଥିଲା ସେ ଧଇଁ ସଇଁ ହୋଇ ଆସି କହିଲା, ‘‘ଆସୁଚି ।’’ ଶୁଣି, ବାପା ପଚାରିଲା, ‘‘କିଏ-? କାଳୀ ମନ୍ଦିରର ସେଇ ବୁଢ଼ା ?’’

 

‘‘ହଁ, ଗୋଟାଏ ଘୋଡ଼ା ବଗିରେ ବସି ଆସୁଚି ।’’

 

‘‘ସେ ତ ବଗିରେ ବସି ଆସୁଚି; ତୁ ଚାଲିଆସି ତା ଆଗରୁ କିମିତି ପହଞ୍ଚିଲୁ ? ଠିକଣା କହି ଆସିଚୁ ତ ? ଘର ଭୁଲ୍‌ ନ ହେଲେ ହେଲା । ସେ କଣ ଚିଠି ପଢ଼ିଲା ? ତତେ କଣ କହିଲା-?’’ ବାଳିକା ମୁହଁ ଛିଞ୍ଚାଡ଼ି ଉତ୍ତର ଦେଲା, ‘‘ଆଃ, କେତେ କଥା । ଏକାନିଃଶ୍ୱାସକେ ପଚାରି ଦେଇ ଯାଉଚ-? ହଁ, ସେ ଦେଉଳରେ ଥିଲା; ମୁଁ ଯାଇ ନମସ୍କାର କରି ଚିଠି ଖଣ୍ଡି ଦେଲି, ସେ ପଢ଼ିଲା । ପଢ଼ି ସାରି ମତେ ପଚାରିଲା, ‘‘ତୁମ ବସା କୋଉଠି ପିଲା ! ମୁଁ କହିଲି ‘‘ମୁଁ ବାଟ ଦେଖେଇ ନେବି-।’’ ସେ କହିଲା, ନା ମତେ କହିଦେ । ମୋ ଝିଅ ଆଉ ମୁଁ ତ ବଗିରେ ଯିବୁ, ତୁ ଆଗରୁ ଚାଲିଯା ।’’ ମୁଁ ତାକୁ ଠିକଣା କହିଲି । ମୋ କଥା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଗଲା । ମନେ ମନେ କଣ କେତେ ଭାବିଲା, ପଛକୁ ମତେ କହିଲା, ‘‘ଆଚ୍ଛା, ମୁଁ ଯିବି ।’’

 

‘‘ଆସୁଛି ବୋଲି ତୁ କିପରି ଜାଣିଲୁ ?’’

 

‘‘ସେ ଦେଉଳ ଦୁଆରୁ ବଗିରେ ବାହାରିଲା, ଦେଖିଲି; ଆଉ ମୁଁ ଏବେ ଆମ ଗଳି ମୁଣ୍ଡେ ପହଞ୍ଚିଲାବେଳକୁ ଦେଖିଲି ବଗିଟା ବଜାରଆଡ଼ୁ ଆସୁଚି । ଦେଖି ତ ମୁଁ ଧାଇଁଛି ।’’ ଶୁଣି, ବୁଢ଼ା ମୁହଁରେ ଗୋଟାଏ ଆନନ୍ଦର ଢେଉ ଖେଳିଗଲା । ସେ ଭାର୍ଯ୍ୟାକୁ ଡାକି କହିଲା, ‘‘ଦେଖ, ଆସୁଚି । ଯାଅ ସମସ୍ତେ କାମରେ ଲାଗିଯାଅ । ତୁ ଶେଷରେ ଶୋଇପଡ଼ । ଆଉ ଝିଅ, ତୁ ପଞ୍ଜରଟା ଭାଙ୍ଗିଦେ; ଚୁଲିରେ ପାଣି ପକେଇ ନିଆଁ ନିଭେଇଦେ; ଆଉ ବସି ଶୀତରେ ଥରୁଥା ।’’ ତାପରେ ସେ ସାନଝିଅକୁ କହିଲା, ‘‘ତୁ ଗୋଟାଏ କଣରେ ବସି କାନ୍ଦୁଥା ।’’ ସେ ଯାହାକୁ ଯାହା ବରାଦ କଲା, ସେ ଅନୁସାରେ କାର୍ଯ୍ୟ ହୋଇଯିବାର ଦେଖି, ଶେଷରେ ନିଶ୍ଚିନ୍ତ ହୋଇ, ନିଶ୍ୱାସ ମାରି କହିଲା, ‘‘ବେଶ୍‌ ।’’

 

ଭଙ୍ଗା ଖିଡ଼ିକି ବାଟେ ଥଣ୍ଡା ପବନ କିଲିକିଲି ବହିବାକୁ ଲାଗିଲା । ଘର ଭିତରଟା ବରଫ ପରି କାକର ହୋଇଗଲା । ଘର ଲୋକେ ଯେଉଁ ନିଆଁ ଗଦା ଜାଳି ପୋଉଁଥିଲେ, ପାଣି ଢାଳି ତାହା ଲିଭାଇ ଦେଇଥିବାରୁ, ଅଙ୍ଗାରଗୁଡ଼ାକ କଳା କିଟି କିଟି ଦିଶୁଥିଲା । ଅଗାଧୁ ବେହେରା ତା ଉପରେ ପାଉଁଶ ବିଞ୍ଚିଦେଇ କହିଲା, ‘‘ଏଥିର ଆସୁ ।’’ ସେତିକି ବେଳକୁ ଦାଣ୍ଡ ଦୁଆରେ ଥପ୍‌ କିନି ଗୋଟାଏ ବଗି ଠିଆ ହୋଇଗଲା ଏବଂ କବାଟରେ ଟିପ୍‌ ଟିପ୍‌ ଶବ୍ଦ ଶୁଣାଗଲା । ଅଗାଧୁ ବେହେରା ଧାଇଁଯାଇଁ, ଭୂଇଁରେ ମୁଣ୍ଡ ଲଗାଇ ଜୁହାର ହୋଇ କହିଲା, ‘‘ଆସନ୍ତୁ, ହଜୁର, ମୋ ରକ୍ଷାକର୍ତ୍ତା ପାଦ ପକାନ୍ତୁ ।’’

 

ଜଣେ ବୁଢ଼ା ଜଣେ ଯୁବତୀକି ସଙ୍ଗରେ ଧରି ଘର ଭିତରେ ପଶିଲେ । ବନମାଳୀ ଦେଖି ଚିତ୍ରପ୍ରତିମା ପରି ସ୍ତମ୍ଭିତ ହୋଇ ରହିଲା । ସେ ମନକୁ ମନ କହିଲା, ‘‘କଣ, ଏ ତ ସେଇ ।’’ ଯାହାକୁ ଖୋଜି ସେ ଦୀର୍ଘ ଛଅମାସ କାଳ କିଲ୍ଲା ପଡ଼ିଆରୁ ଓଡ଼ିଆ ବଜାର ଏବଂ ଓଡ଼ିଆ ବଜାରରୁ ପୁଣି କିଲ୍ଲା ପଡ଼ିଆକୁ ଯାତାୟାତ କରିଛି, ଏ ସେହି କୁମାରୀ । ଗ୍ରହଣ ଛାଡ଼ିଯାଇ, ପୂର୍ଣ୍ଣଚନ୍ଦ୍ର ପୁନରାୟ ଆକାଶରେ ବିରାଜିଲା ପରି ତାକୁ ଦେଖାଗଲା । ବନମାଳୀର ହୃଦୟ ଥରିବାକୁ ଲାଗିଲା । କୁମାରୀ ଠିକ୍‌ ସେହିପରି ଅଛି, କେବଳ ଟିକିଏ ବିଷର୍ଣ୍ଣ ଦେଖାଯାଉଛି, ସଙ୍ଗରେ ସେହି ପୁରୁଣା ସଦାଶିବ ମହାନ୍ତି ।

 

କୁମାରୀ ଘର ଭିତରକୁ ଆସି ଗୋଟାଏ ବଡ଼ ରକମ ବୁଜୁଳା ତଳେ ଲଥ୍‌କିନି ଥୋଇଦେଲା । ସଦାଶିବ କହିଲେ, ‘‘ଏ ବୁଜୁଳାରେ ଘୋଡ଼ାଇ ହବା କମ୍ବଳ, ପିନ୍ଧିବା ଲୁଗା, ପକେଇ ଶୋଇବା ଶେଯ ଚାରିଜଣଙ୍କ ପାଇଁ ଅଛି ।’’ ଅଗାଧୁ ବେହେରା ଭୂଇଁରେ ମୁଣ୍ଡ ଲଗାଇ କହିଲା, ‘‘ଓହୋ, କେତେ ଜିନିଷ ଆଣି ଦେଇଛନ୍ତି, ଏ କୁଟୁମ୍ବର ପ୍ରାଣ ରଖିଲେ ଆଜି ।’’ କହିସାରି ସେ ବଡ଼ଝିଅ ଆଡ଼କୁ ବୁଲି ପଡ଼ିଲା ଏବଂ ତା କାନରେ ତୁନି ତୁନି କହିଲା, ‘‘ଖାଲି ଲୁଗାଗୁଡ଼ାକ । ଟଙ୍କା କାହିଁ ? ଭାରି ଦାତା ଏ । କହିଲୁ, ୟା ପାଖକୁ କି ନାଁରେ ଚିଠି ଲେଖିଥିଲି ?’’

 

‘‘ମୁକୁନ୍ଦ ଜେନା’’

 

‘‘ଆଚ୍ଛା’’ କହି ଅଗାଧୁ ବେହେରା ସଦାଶିବ ମହାନ୍ତିଙ୍କ ଆଡ଼କୁ ଚାହିଁଲା । ସେତେବେଳକୁ ସେ କହୁଥିଲେ, ‘‘ତୁମେ ବଡ଼ କଷ୍ଟରେ ଅଛ ଦେଖୁଚି, ଜେନା । କି ଜେନାଟି ତୁମ ନାଁ ।’’

 

‘‘ମୁକୁନ୍ଦ ।’’

 

‘‘ହଁ ମୁକୁନ୍ଦ ଜେନା, ମନେ ପଡ଼ିଲା । ମୁଁ ତ ତୁମ କଥା ଆଗରୁ ଶୁଣିଥିଲି ।’’ ଅଗାଧୁ ବେହେରା ତା ଉପକାରୀ ବ୍ୟକ୍ତିଙ୍କ ଆଡ଼କୁ ଅନେକ ସମୟରେ ଏକ ଦୃଷ୍ଟିରେ ଚାହିଁ ରହିଥାଏ । ସେ ଯେତେବେଳେ ଯାହା ପଚାରନ୍ତି, କରୁଣ ସ୍ୱରରେ ଉତ୍ତର ଦିଏ । ସେ ମଝିରେ ଥରେ ଟିକିଏ ଖସିଯାଇ ଭାର୍ଯ୍ୟା କାନରେ କହିଲା, ‘‘ଲୋକଟାକୁ ନିରୀକ୍ଷଣ କରି ଦେଖ ।’’ ତା’ ପରେ ସଦାଶିବଙ୍କ ପାଖକୁ ଫେରିଆସି କହିଲା, ‘‘ହଜୁର, ଦେଖିଲେ ତ ଘରର ଅବସ୍ଥା, ମୁଁ ସେଇଥିପାଇଁ ଚିଠି ଲେଖିଥିଲି, ହଜୁରଙ୍କ ଆଖି ଥରେ ପଡ଼ିଯାଉ । ଏଣିକି ମୋ ଦୁର୍ଦ୍ଦଶା ଘୁଞ୍ଚିଲା ବୋଲି ଜାଣିଲି । ମୁଁ କିଛି ଭିକ ମାଗିବା ଲୋକ ନୁହେଁ, ମୁଁ ଜଣେ ନାମଜାଦା ଚିତ୍ରକର ଥିଲି । ହେଲେ, ଏ ଯୁଗରେ ଆଉ ଚିତ୍ର କିଏ କିଣୁଚି ? ସେଇଥିଲାଗି ତ ମୋର ଏ ଦଶା । ଝିଅ ଦି’ଟାକୁ ଦିଅକ୍ଷର ପଢ଼େଇଥିଲେ ସ୍ୱର୍ଗର ଅପ୍‌ସରା ହେଇଥାନ୍ତେ, ମୂର୍ଖ ହେଇ ବୁଲିଲେ । ତାଙ୍କ ମଙ୍ଗଳକୃତ୍ୟ ନ ହେଲା, ସେ କଥା କିଏ ପଚାରୁଚି ? କାଲିକି ତ କଣ ହେବ ଠିକ୍‌ ନାହିଁ । କାଲି ଶ୍ରୀପଞ୍ଚମୀ । କାଲି ଘର ଭଡ଼ାତକ ନ ଛିଣ୍ଡେଇଲେ, ପିଲାପିଲିଙ୍କୁ ଧରି ମୋତେ ଦାଣ୍ଡରେ ଠିଆ ହବାକୁ ହବ । ବର୍ଷକ ଭଡ଼ା ଷାଠିଏ ଟଙ୍କା ବାକି ।’’

 

ଅଗାଧୁ ବେହେରା ଯେ ଠିକ୍‌ ସତ୍ୟ କଥା କହିଲା ନାହିଁ, ସହଜରେ ବୁଝାଯାଉଛି । ପ୍ରଥମେ, ତାର ବର୍ଷକର ଘରଭଡ଼ା ଷାଠିଏ ଟଙ୍କା ନୁହେଁ ଛତିଶ ଟଙ୍କା । ତା ପରେ ପୁଣି, ଛ’ ମାସର ଭଡ଼ା ପ୍ରାୟ ତିନିମାସ ତଳେ ବନମାଳୀ ଚାକିରିଆଣୀ ହାତେ ପଠାଇଦେଇଥିଲା । ସଦାଶିବ ତାହା ସବୁ କିଛି ନ ଜାଣି, କୁରୁତା ପକେଟରୁ ପାଞ୍ଚ ଟଙ୍କା କାଢ଼ି, ଅଗାଧୁ ବେହେରା ହାତକୁ ବଢ଼ାଇଦେଲେ-। ଅଗାଧୁ ଟଙ୍କାଟା ଧରି ବଡ଼ଝିଅ ପାଖକୁ ଯାଇ କାନରେ କହିଲା ‘‘ଚଣ୍ଡାଳ ମତେ କଣ ବୋଲି ବିଚାରିଚି କି ? ଟଙ୍କା ପାଞ୍ଚଟା କି କାମକୁ ପାଇବ ? ଝରକାଟା ଯେ ଭାଙ୍ଗିଦବାକୁ କହିଲି, ତାକୁଇ ତିଆରି କରିବାକୁ ତ ଦଶ ଦିନ ଲାଗି ଯିବ । ମୁଁ ୟାକୁ ଘରକୁ ଆଣି ଭାରି ଲାଭଟାଏ କଲି-।’’

 

ସଦାଶିବ ନିଜ ଘୋଡ଼େଇହେବା ଶାଲଟି କାଢ଼ି ଘର ଭିତରେ ଗୋଟାଏ କାଠିରେ ରଖି ଦେଇଥିଲେ । ସେ ଅଗାଧୁକୁ ଡାକି କହିଲେ, ‘‘ମୁକୁନ୍ଦ ଜେନା, ମୋ ପାଖେ ଆଉ କିଛି ନାହିଁ । ମୁଁ ଏବେ ଯାଉଚି, ଝିଅକୁ ଘରେ ନେଇ ଛାଡ଼ିଦେବି, ରାତିକି ପୁଣି ଆସିବି । ଆଜି ରାତିରେ ଘରଭଡ଼ା ଦବାକୁ ହେବ, କହିଲ ନା ?’’ ଶୁଣି ଅଗାଧୁର ମୁହଁ ଉଜ୍ଜ୍ୱଳ ହୋଇଗଲା । ସେ କହିଲା, ‘‘ଆଜ୍ଞା, ଅବଧାନ, ହଜୁର, ହଁ । ଆଜି ସନ୍ଧ୍ୟା ଆଠଟାବେଳେ ଦବାକୁ ହବ ।’’

 

‘‘ମୁଁ ତେବେ ଟଙ୍କା ଧରି ଛ’ଟାରେ ଆସିବି । ଏବେ ଯାଏ ।’’

 

‘‘ଅବଧାନ’’ କହି, ଅଗାଧୁ ଭାର୍ଯ୍ୟା କାନରେ ଯାଇ କହିଲା, ‘‘କଣ, ଚିହ୍ନିଲୁଟିକି, ରାଣ୍ଡୀ ? ନ ହେଲେ, ଭଲକରି ଦେଖିଥା ।’’

 

ସଦାଶିବ ଦ୍ୱାର ପାର ହୋଇ, ବାହାରେ ଯାଇ ଠିଆ ହୋଇଥିଲେ । ସେ ବଗିରେ ବସିବାକୁ ଯାଉଛନ୍ତି, ସେତେବେଳେ ଅଗାଧୁର ବଡ଼ଝିଅ ଭିତରୁ କହିଲା, ‘‘ତୁମ କମଳଟି ଛାଡ଼ିଗଲ ବାବୁ ।’’ ଅଗାଧୁ ଶାଲଟି ନେଇ ଦେବା ବାହାନାରେ ଘର ଭିତରକୁ ଆସି ଝିଅର କାନ ମୋଡ଼ିଦେଲା; କିନ୍ତୁ ବାହାରୁ ସଦାଶିବ କହିଲେ, ‘‘ମୁଁ ଭୁଲ୍‌ରେ ଛାଡ଼ି ଆସିନାହିଁ, ଜାଣି ରଖିଗଲି ।’’ ଶୁଣି, ଅଗାଧୁ କହିଲା, ‘‘ଓ, କି ଉପକାରୀ ପୁରୁଷ । ଆପଣଙ୍କ ଦୟା ଦେଖି ମୋ ଆଖିରୁ ଲୁହ ବୋହିପଡ଼ୁଛି ।’’ କହି, ଅଗାଧୁ ଗାଡ଼ିପାଖକୁ ଯିବାକୁ ବସିଲା । ସଦାଶିବ କହିଲେ, ‘‘ଦେଖ, ମୁକୁନ୍ଦ ଜେନା, ଏ ଶୀତରେ ଖାଲି ଦେହରେ ବାହାରକୁ ଆସନା । ସେ ଶାଲଟା ଦେହରେ ଦେଇ ଆସ, ଆସିବ ତ । ସେଟା ତ ତୁମର ।’’ ଅଗାଧୁକୁ ସେ କଥା ଆଉ ଦ୍ୱିତୀୟ ଥର ଶୁଣିବାକୁ ହେଲା ନାହିଁ; ସେ ଶାଲଟି ଦେହରେ ପକାଇ, ବଗିପାଖେ ଠିଆ ହୋଇ, ପରିଦର୍ଶକ ଦୁହିଁଙ୍କୁ ବିଦାୟ ଦେଲା ।

Image

 

୩୩

ଅଭାଗିନୀ

ଜାଲ ଛନ୍ଦା ହେଲା

 

ବନମାଳୀ ତଳ ମହଲା ଘର ଭିତରେ ଯେଉଁ ଦୃଶ୍ୟ ଦେଖିଲା, ସେଥିରୁ କୌଣସି ଉପାଦାନଟି ତା ଦୃଷ୍ଟିପଥରୁ ଅନ୍ତର ହୋଇ ରହିଲାନାହିଁ । ତଥାପି ସେ ପ୍ରକୃତରେ କିଛି ଦେଖିପାରିଲା ନାହିଁ । ତା ଆଖି ଦିଓଟି ସେହି କୁମାରୀଠାରେ ଆବଦ୍ଧ ହୋଇ ରହିଗଲା । କୁମାରୀ ଘର ଭିତରେ ଥିବା ପର୍ଯ୍ୟନ୍ତ ବନମାଳୀ ସ୍ୱର୍ଗ ସୁଖ ଅନୁଭବ କରୁଥିଲା ଏବଂ ସେ ଚାଲିଗଲା ପରେ, ତା ରହିବା ସ୍ଥାନ ଦେଖିବା ପାଇଁ, ପଛେ ପଛେ ଯିବାକୁ ଭାବିଲା, କିନ୍ତୁ ସେ ହଠାତ୍‌ ବସିବା ସ୍ଥାନରୁ ଉଠିପାରିଲା ନାହିଁ । ମୁହୂର୍ତ୍ତକ ପରେ ସେ ଉଠି ଦେଖିଲା, ଅପ୍‌ସରୀ ରାସମଣିର ବଗିଟି ଖଣ୍ଡେ ଦୂରରେ ଘରଘର ନାଦରେ ଚାଲିଯାଉଛି । ସେତେବେଳେ ତା ଦ୍ୱାର ଆଗରେ ଖଣ୍ଡିଏ ଭଡ଼ା ବଗି ଯାଉଥିଲା । ବଗିବାଲାକୁ ଡାକିବାରୁ ସେ କହିଲା, ‘‘ଭଡ଼ା ଆଗତୁରା ଦେଇ ଦବାକୁ ହେବ ।’’

 

‘‘ଆଚ୍ଛା, କେତେ ଭଡ଼ା ? ଘଣ୍ଟା ହିସାବ କହ ।’’

‘‘ଘଣ୍ଟାକୁ ଟଙ୍କାଏ ।’’

 

‘‘ଆଚ୍ଛା, ଚଲା, ମୁଁ ଫେରିଆସି ଦେବି । ଏବେ ଆଠଣା ନେ ।’’ ଶୁଣି ଗାଡ଼ିବାଲା କହିଲା, ‘‘ଯାଅ ବାବୁ ବଳଦ ଶଗଡ଼ ଖୋଜ । କେବେ ଘୋଡ଼ା ବଗିରେ ବସିଥିଲ ?’’ ବଗିବାଲା ପିଚପାଚ ପିଟି ଚାଲିଗଲା । ବନମାଳୀ ନିଜ ପ୍ରେତପୁରୁଷ ପରି ଘର ଭିତରକୁ ଫେରିଆସିଲା । ସେଦିନ ସେ ଜୀବନରେ ପ୍ରଥମେ ତା ଦାନପାଇଁ ଅନୁତାପ କଲା । ସେ କହିଲା, ‘‘ସକାଳେ ସେ ଟୋକୀକି ପାଞ୍ଚ ଟଙ୍କା କାହିଁକି ପକାଇଦେଲି ?’’ କହି, ସେ ଦୁଃଖରେ ଅଭିଭୂତ ହୋଇପଡ଼ିଲା । ସଦାଶିବ ମହାନ୍ତି ଯେ ସନ୍ଧ୍ୟାବେଳେ ପୁଣି ଆସିବେ ବୋଲି କହିଯାଇଥିଲେ, ବନମାଳୀ ସ୍ୱପ୍ନମୁଗ୍ଧ ହୋଇ ତାହା ଶୁଣିପାରି ନ ଥିଲା । କେତେକ ସମୟ ପରେ ସେ ଟିକିଏ ଧୈର୍ଯ୍ୟ ଧରି କବାଟ ବାଟେ ଚାହିଁ ଦେଖିଲା, ଅଗାଧୁ ବେହେରା ସଦାଶିବଙ୍କ ଶାଲଟି ଦେହରେ ଦେଇ ଦାଣ୍ଡରେ ଠିଆ ହୋଇ ମାର୍କଣ୍ଡିଆ ସାଙ୍ଗେ ତୁନି ତୁନି କଥାବାର୍ତ୍ତା ହେଉଛି । ମାର୍କଣ୍ଡିଆର ଚଣ୍ଡିଆ, କୁଷୁନିଆ, ରଘୁଆ ଚାରିଟା ନାମ । ପଦ୍ମନାଭ ତାକୁ ଚିହ୍ନେ । ସେ ତାକୁ ଦେଖିଲା ମାତ୍ରେ କହେ, ‘‘ଏଟା ଗୋଟାଏ ନାଗ ସାପ ।’’

 

ବନମାଳୀ ଫେରିଆସି ଚିନ୍ତାରେ ମଗ୍ନ ହୋଇ ଘର ଭିତରେ ବସିଛି, ବାହାର ଦୁଆର ଟିକିଏ ମେଲା ହେଲା । ତହୁଁ ସେ କର୍କଶ ସ୍ୱରରେ ପଚାରିଲା, ‘‘କିଏ ?’’ ସକାଳର ସେହି ବାଳିକା ଆସି ମୁହଁ ଦେଖାଇଲା । ବନମାଳୀ କହିଲା, ‘‘ତୁ ଫେରେ ଆସିଚୁ, କାହିଁକି ଆସିଲୁ ?’’ ସକାଳ ପରି ଘର ଭିତରେ ପଶିବାକୁ ବାଳିକାର ସାହସ ହେଲା ନାହିଁ । ସେ ବାହାରେ ଥାଇ ପଚାରିଲା, ‘‘ବନମାଳୀ ବାବୁ, କହିବ ନାହିଁ, ତୁମର କଣ ହେଇଛି ? ତୁମେ କାହିଁକି ମନ ଶୁଖେଇ ବସିଚ ?’’

 

‘‘କିଛି ନାହିଁ । ତୁ ଯା, ପଳା ।’’ କହି ବନମାଳୀ କବାଟଟା ହାତରେ ପେଲିଦେଲା । ବାଳିକା ତଥାପି ଗଲାନାହିଁ, କହିଲା; ‘‘ବନମାଳୀ ବାବୁ, ମୋ ଉପରେ ରାଗ ନାହିଁ । ତୁମର କଣ ଦୁଃଖ ହେଇଚି, କହ; ମୁଁ ପାରିଲେ, କିଛି ହେଲେ ବାଟ କରିବି ।’’ ବନମାଳୀ ମନରେ ଗୋଟାଏ ନୂତନ ଭାବ ଚେଇଁ ଉଠିଲା । ଗଛରୁ ଖସିପଡ଼ି ଯାଉଥିବା ଲୋକ ପତ୍ରଟାଏ ମଧ୍ୟ ଧରିବାକୁ ଇଚ୍ଛା କରେ । ସେ ଉଠି ବାଳିକା ପାଖକୁ ଯାଇ କହିଲା, ‘‘ତୁମ ଘରକୁ ଏବେ ଯେ ଜଣେ ବୁଢ଼ା ଆଉ ତା ଝିଅ ଆସିଥିଲେ, ତୁ ତାଙ୍କ ଘର ଦେଖିଚୁ ?’’

 

‘‘ନା ।’’

‘‘ଖୋଜି ବାହାର କରିପାରିବୁ ?’’

‘‘ଆଚ୍ଛା ଖୋଜିବି ।’’

 

ବାଳିକାକୁ ବିଦାୟ ଦେଇ, ବେଶ୍‌ ଆଶାନ୍ୱିତ ହୋଇ, ବନମାଳୀ ଯାଇ ପୁଣି ବସିରହିଲା-। କିଛି ସମୟ ପରେ ତଳୁ ବିକଟ ଶବ୍ଦ ଶୁଣାଗଲା, ‘‘ମୁଁ ତାକୁ ଠିକ୍‌ ଚିହ୍ନିଚି । ଏ ସେଇ-।’’ ଶୁଣି, ଅଗାଧୁ ବେହେରା ପାଟି ବାରି, ବନମାଳୀ ମନେ ମନେ ଭାବିଲା, ‘‘କା କଥା କହୁଚି-? ଅଗାଧୁ ବେହେରା ତେବେ କଣ ମୋ ଅପ୍‌ସରୀ ରାସମଣୀର ବାପା ସଦାଶିବ ମହାନ୍ତିଙ୍କି ଚିହ୍ନେ-? ଖବର କଣ ତାହାହେଲେ ଏଡ଼େ ସହଜରେ ମିଳିଗଲା ?’’ ଭାବି, ସେ କଣା ପାଖେ ଯାଇ ତଳକୁ ଚାହିଁଲା । ତଳ ଘରର ବିକଟ ଦୃଶ୍ୟ ପୁଣି ତା ଦୃଷ୍ଟିରେ ପଡ଼ିଲା । ସେ ଦେଖିଲା ଅଗାଧୁ ବେହେରା ଘର ଭିତରେ ଏ ପାଖରୁ ସେ ପାଖ ଏବଂ ସେ ପାଖରୁ ଏ ପାଖ ଯିବା ଆସିବାରେ ଲାଗିଚି ଓ ଦୁଇ ଆଖିରେ ସତେ ଦୁଇଟା ନିଆଁ ଖଣ୍ଡ ଜଳୁଛି । ଭାର୍ଯ୍ୟା ପଚାରିଲା, ‘‘ତୁମେ କଣ ତେବେ ଠିକ୍‌ ଚିହ୍ନିଲ-?’’

 

‘‘ନିଶ୍ଚୟ; ଅବଶ୍ୟ ଆଠ ବର୍ଷ ତଳ କଥା ହେଲେ, ଦେଖିଲାକ୍ଷଣି ଚିହ୍ନିଦେଲି । ତୁ ଅନ୍ଧୁଣୀ ଚିହ୍ନିପାରିଲୁ ନାହିଁ । ପୋଷାକପତ୍ର ଏଥର ବେଶ୍‌ ପିନ୍ଧିଚି ପାଜି, ସୟତାନ୍‌, ଫେର୍‌ ହାତରେ ଆସି ପଡ଼ିଚୁ । ଅଗାଧୁ ଅଳ୍ପ ନୀରବ ରହିଲା ଓ ପରେ ଝିଅଙ୍କୁ କହିଲା, ‘‘ତୁମେ ଦି’ଟା ବାହାରିଯାଅ ।’’ ସେମାନେ ବାହାରିଗଲାବେଳକୁ ସେ ପୁଣି କହିଲା, ‘‘ଦେଖ, ଘଣ୍ଟାରେ ପାଞ୍ଚ ବାଜିଲେ ଠିକ୍‌ ଆସିବ-।’’

 

ଅଗାଧୁ ବେହେରା ଓ ତା ଭାର୍ଯ୍ୟା ଦୁହେଁ ଘର ଭିତରେ ରହିଲେ । ଅଗାଧୁ ଭାର୍ଯ୍ୟା ଆଡ଼କୁ ହଠାତ୍‌ ବୁଲିପଡ଼ି କହିଲା, ‘‘ଆଉ ଗୋଟାଏ କଥା କହିବି, ଶୁଣିମୁ ? ଆଉ ସେ ଟୋକାଟା ।’’ ଭାର୍ଯ୍ୟା ପଚାରିଲା, ‘‘କଣ ହେଲା ? ଅଗାଧୁ ନଇଁପଡ଼ି ଭାର୍ଯ୍ୟା କାନରେ ମୁହଁ ଲଗାଇ କହିଲା, ‘‘ଏ ସେଇ ।’’ ଭାର୍ଯ୍ୟା ଚମକିପଡ଼ି ପଚାରିଲା, ‘‘ଏଇ ମାଇକିନିଆ ?’’ ମୁହୂର୍ତ୍ତକ ମଧ୍ୟରେ ବେହେରାଣୀ ମନରେ ଘୃଣା ରାଗ ଏବଂ ବିସ୍ମୟ ଏକାଠି ପର୍ବତ ଆକାରରେ ଜମା ହୋଇଗଲା । ସେ କହିଲା, ‘‘ନା, ଅସମ୍ଭବ କଥା । ମୋ ଝିଅ ଦି’ଟା ନ ଖାଇ ଭୋକରେ ମରୁଚନ୍ତି, ଆଉ ସେ ପୁଣି ରାଣୀ ହେଇ ବସିଚି । ଏ ଖାଲି ମିଛ ।’’

 

‘‘ଦେଖିବୁ, ମୁଁ ଯାହା କହୁଚି ଠିକ୍‌ ।’’ ଶୁଣି ବେହେରାଣୀ ଆଚମ୍ବିତ ହୋଇ ଉପରକୁ ମୁହଁଟେକି ଚାହିଁଲା । ତା ବିକଟ ମୁଖ କ୍ଷଣକ ନିମନ୍ତେ ବନମାଳୀର ଦୃଷ୍ଟିଗୋଚର ହେଲା । ବେହେରାଣୀ ଗୋଟାଏ ପଥର ମୂର୍ତ୍ତି ପରି ଠିଆ ହୋଇ ରହିଲା, ମାତ୍ର ଅଗାଧୁ ତା ଜଡ଼ତା ଭାଙ୍ଗି କହିଲା, ‘‘ଆଉ କଥାଏ କହିବି ?’’ ମୋ ଭାଗ୍ୟ ଲେଉଟିଗଲା । ଏତେ କାଳ କଷ୍ଟ ପାଇଲି; ଏଣିକି ଆଉ ଏ କପାଳେ କଷ୍ଟ ଲେଖା ନାହିଁ । ଦେଖୁଚି, ମୁଁ ମଧ୍ୟ ଇଚ୍ଛା କଲେ ଲକ୍ଷପତି ହୋଇପାରେ ।’’

 

‘‘କହୁଚ କଣ ତୁମେ ?’’

 

‘‘ଶୁଣ, କଣ କହୁଚି । ସେ ଛ’ଟାରେ ଟଙ୍କା ଷାଠିଏଟା ଧରି ଆସିବ । ଦେଖିଲୁ, ମୁଁ ତାକୁ କିମିତି ଜାଲରେ ପକେଇଲି ? ସେତେବେଳେ, ଉପରେ ଯେ ଟୋକାଟା ଅଛି, ସେ ତ ନ ଥିବ । ରାତି ଦଶ ନ ହେଲେ ସେ କଣ ଫେରୁଚି ? ଟୋକୀ ଦିଟାଯାକ ବାହାରେ ଜଗି ବସିବେ । ତୁ ଟିକିଏ ସାହସ ଧରି ସାହାଯ୍ୟ କଲେ ତାଠୁ ତ ଝାଡ଼ିନେବି । କେଳା କିମିତି ସାପଠୁ ବିଷ ଝାଡ଼େ ଦେଖିଛୁଟି କି ?’’

 

ଭାର୍ଯ୍ୟା ପଚାରିଲା, ‘‘ଯେବେ ନ ଝଡ଼ିଲା ?’’ ଶୁଣି ଅଗାଧୁ ଠୋଠୋ ହସିଲା । ବନମାଳୀ ତା ମୁହଁରେ ପ୍ରଥମଥର ହସ ଦେଖିବାକୁ ପାଇଲା । ଓଃ, କି ବିକଟ ସେ ହାସ୍ୟ । ଦେଖି, ବନମାଳୀ ଅପାଦମସ୍ତକ କମ୍ପିବାକୁ ଲାଗିଲା । କ୍ଷଣକ ମଧ୍ୟରେ ଅଗାଧୁ ପୁଣି କହିଲା ମୁଁ ଯାଉଚି । ଏ ଭିତରେ କେତେ ଜଣଙ୍କ ସାଙ୍ଗେ ଦେଖାସାକ୍ଷାତ୍‌ କରି ଆସିବି; ତୁ ଥା ।’’ କହି ସେ ମୁଣ୍ଡରେ ଗୋଟାଏ ବଡ଼ ପଗଡ଼ି ବାନ୍ଧି ବାହାରକୁ ଚାଲିଗଲା; ମାତ୍ର କ୍ଷଣକ ମଧ୍ୟରେ ପୁଣି ଦୁଆର ଫିଟିଲା । ଅଗାଧୁ ଫେରିଆସି, ଭାର୍ଯ୍ୟାକୁ କହିଲା, ‘‘ଆଃ, ପାସୋରିଦେଇ ଚାଲିଯାଉଥିଲି । ଏ ପାଞ୍ଚଟା ଟଙ୍କା ନେ, ଦି’ ବୋଝ ଘସି କିଣିଆଣି ରଖିବୁ ।’’

 

‘‘ସେ ତ ଦିଅଣା ପଇସା । ବାକି ମୁଁ ଖର୍ଚ୍ଚ କରିବି ।’’

 

‘‘ନା, ତୋ ଖର୍ଚ୍ଚ ଏବେ ଥାଉ । ମୋର ଆଉ କେତେକ ଜିନିଷ ଜରୋରି କିଣିବାର ଅଛି-।’’

 

‘‘ତମରେ କେତେ ଦରକାର ?’’

‘‘ଚାରି ଟଙ୍କା ତ ନିଶ୍ଚୟ । ବେଶି ମଧ୍ୟ ଲାଗିପାରେ ।’’

‘‘ତେବେ ଆଉ ଖାଇବାକୁ କଣ ରହିବ ?

 

‘‘ଆଜି ଖାଇବା ଫାଇବା କଥା ମନେ ପକାନା; କାଲିକି କେତେ ଖାଇବୁ, ଖାଉଥା । ସୁନା ଚାଉଳ ରୂପା ଡାଲି ଆଣିଦେବି ।’’

 

ଅଗାଧୁ ବେହେରା ବାହାରି ଚାଲିଗଲାପରେ ତଳ ମହଲା ଦ୍ୱାର କଟକଟ ଡାକି ବନ୍ଦ ହୋଇଗଲା । ବନମାଳୀ ସ୍ପଷ୍ଟ ଦେଖିଲା ଯେ ସେ ଦ୍ୱାର ପଛଆଡ଼େ ଘର ଭିତରେ ଗୋଟାଏ ପ୍ରକାଣ୍ଡ ଜାଲ ଛନ୍ଦା ହେଉଅଛି । ସେ ଜାଲ ସେ କାଟି ଛିଣ୍ଡାଇବାକୁ ମନେ ମନେ ବଦ୍ଧପରିକର ହେଲା । ସେଥିରେ ତା ମନରେ ଗୋଟାଏ ଅପୂର୍ବ ଆନନ୍ଦ ଜନ୍ମିଲା । ତା ପ୍ରେମପସରା ଅପ୍‌ସରୀ ରାସମଣିର ପିତାଙ୍କର ସେ ଗୋଟାଏ ବଡ଼ ଉପକାର କରିବାକୁ ଯାଉଛି ଭାବି ଖୁସି ହେଲା । ତାହା କରିବା ନିମନ୍ତେ ସେ ନାନା ଉପାୟ କରିବାକୁ ଲାଗିଲା । ଘଣ୍ଟାରେ ଏକ ବାଜିଲା, ଛ ବାଜିବାକୁ ଆଉ ପାଞ୍ଚ ଘଣ୍ଟା ମାତ୍ର । ସେହି ପାଞ୍ଚ ଘଣ୍ଟା ମଧ୍ୟରେ ସେ ଅସ୍ତ୍ରଶସ୍ତ୍ର ନେଇ ପ୍ରସ୍ତୁତ ହେବାକୁ ସ୍ଥିର କଲା ।

Image

 

୩୪

ଜାଲ କାଟିବା ଚେଷ୍ଟା

 

ବନମାଳୀ ଗଭୀର ଚିନ୍ତାରେ ମଗ୍ନ ହୋଇ ଘରୁ ଗୋଡ଼ କାଢ଼ି ବାହାରିଗଲା । ବାଟରେ ଦେଖିଲା, ଗୋଟାଏ ପାଚିରୀ ଆଢ଼ୁଆଳରେ ଦୁଇ ଜଣ ଲୋକ ବସି ନିତାନ୍ତ କ୍ଷୀଣ ସ୍ୱରରେ କଥାବାର୍ତ୍ତା ହେଉଛନ୍ତି । ତାଙ୍କ ମଧ୍ୟରୁ ଦାଢ଼ିଆ ଲୋକଟା କହିଲା, ‘‘ବଂଶୀକି ଧଇଲେ କେବେ ବିଫଳ ହେବ ନାହିଁ; ମାତ୍ର ଟଙ୍କା ଦରକାର । ଧରା ପଡ଼ିଲେ, ପାଞ୍ଚ ବର୍ଷ କି ଦଶ ବର୍ଷ ହବ କିଏ ଜାଣିଚି ? ପାଞ୍ଚଶହ ଟଙ୍କାରୁ ଊଣାରେ ହବ ନାହିଁ ।’’ ଆର ଜଣକ କହିଲା, ‘‘କେଜାଣି କଣ ହବ ।’’

 

‘‘ମୁଁ କହିଲି ପରା, ସନ୍ଦେହ ନାହିଁ ।’’ ଏତିକି କହି ସେ ଅନ୍ୟ କଥା ପକାଇଲା । ବନମାଳୀ ଚାଲିଗଲା; କିନ୍ତୁ ମନେ ମନେ ଭାବିଲା; ‘‘ଅଗାଧୁ ବେହେରା ଜାଲ ସହିତ ଏ ଲୋକଦିଟାଙ୍କର ହୁଏତ କିଛି ସମ୍ପର୍କ ଥିବ ।’’ ଗଳିରୁ ଗଳିକି ଚାଲି, କେତେ ବାଟ ଯାଇ, ବନମାଳୀ ଗୋଟିଏ ବଡ଼ ଚୂନଦିଆ ଚାଳଘରେ ପହଞ୍ଚିଲା । ସେଠାରେ ଟେବୁଲ୍‌ ଉପରେ ହାତ ଦେଇ ଚଉକିରେ ଜଣେ ଦୀର୍ଘାକୃତି ବୟସ୍କ ବ୍ୟକ୍ତି ବସିଥିଲେ । ସେ ବନମାଳୀକି ଦେଖି ପଚାରିଲେ, ‘‘କଣ କାମ ।’’ ତାଙ୍କର ମୁହଁର ଭଙ୍ଗୀ ଦେଖି ଏବଂ ସ୍ୱର ଶୁଣି, ବନମାଳୀ ମନରେ ଗୋଟାଏ ଶଙ୍କାର ଢେଉ ମୁହୂର୍ତ୍ତକ ପାଇଁ ମୁଣ୍ଡ ଟେକି ଦେଖିଗଲା । ତଥାପି ବନମାଳୀ କହିଲା, ‘‘ମୁଁ ଗୋଟାଏ ବଡ଼ ଜରୁରି କାମରେ ଆସିଚି ।’’

 

‘‘ତେବେ ଖମ୍ବଟା ପରି ଠିଆ ହେଇଚ କାହିଁକି ? କହ କଣ କହିବ ?’’ ବନମାଳୀ ସମସ୍ତ ଘଟଣା ବଖାଣି ଗଲା ପରେ କହିଲା, ‘‘ଜାଲଟା ଯାହାପାଇଁ ଛନ୍ଦା ହେଇଚି, ମୁଁ ତାଙ୍କ ନାଁ ଠିକ୍‌ ଜାଣେ ନାହିଁ । ଘର ବି ମୋତେ ଜଣା ନାହିଁ । ତେବେ, ଘଟଣାଟା ସନ୍ଧ୍ୟା ଛ’ଟା ବେଳେ ଘଟିବ । ତା ପୂର୍ବରୁ ଯାହା କରିବେ କରନ୍ତୁ ।’’

 

‘‘ଏଡ଼େ ବଡ଼ଟାଏ ହେଲଣି; କଥାଟା ଠିକ୍‌ ରୂପେ କହି ଜାଣୁନା ? ପାଳଗୋଛା ପରି ହୋଇଚ । ଘଟଣା ହବ କେଉଁଠି ?’’

 

‘‘ଦର୍ଜି କୋଠାରେ ।’’ ଶୁଣି, ସେ ବ୍ୟକ୍ତି ବିସ୍ମିତ ହୋଇ ମୁଣ୍ଡ ଟେକି ଚାହିଁଲେ । ତାପରେ ସେ ପଚାରିଲେ, ‘‘ତଳମହଲାରେ ନା ? ତା ଭିତରେ ବଂଶୀଆ ବି ଅଛିନା ?’’ ଶୁଣି ବନମାଳୀ କହିଲା, ‘‘ହଁ, ମୁଁ ବଂଶୀ ନାଁ ତ ବାଟରେ ଶୁଣି ଆସିଲି, ଦୁଇଜଣ ବସି କଥା ହେଉଥିଲେ ।’’

 

ଏ ସ୍ଥାନରେ ଉଲ୍ଲେଖ କରିବା ଦରକାର ଯେ ଗୋବିନ୍ଦ, ସାଧୁଆ, ବାଞ୍ଛା ଓ ଉତ୍ସବା ନାମରେ ଚାରିଜଣ ଲୋକ କଟକ ସହରର ନର୍କକୁଣ୍ଡରେ ରାଜତ୍ୱ କରୁଥିଲେ । ଗୋବିନ୍ଦା ଦେହରେ ଗୋଟାଏ ଭୀମର ବଳ ଥିଲା । ସାଧୁଆ ଔଷଧ ମହୌଷଧି ବିଷୟରେ ଗୋଟାଏ ମସ୍ତ ପଣ୍ଡିତ । ସେ ଟୋପାଏ ପତ୍ର ଦୋରୁଅରେ ମନୁଷ୍ୟର ପ୍ରାଣ ନେଇ ପାରୁଥିଲା । ବାଞ୍ଛା ଗୋଟାଏ ନିଶାଚର । ସେ ସନ୍ଧ୍ୟାବେଳେ ଘରୁ ବାହାରିଯାଇ, ରାତିଯାକ ଭୂତପରି ଏଣେ ତେଣେ ବୁଲି ବୁଲି, କୁଆ ବୋବାଇବା ପୂର୍ବରୁ ଘରକୁ ଫେରିଆସେ । ଉତ୍ସବା ଊଣିଶ ବର୍ଷର ଟୋକାଗୋଟାଏ ପ୍ରଧାନ ଅଣ୍ଟାକଟା ।

 

ଚାରି ଜଣଙ୍କ ମଧ୍ୟରେ ଗୋଟାଏ ଭାରି ମେଳ ଥିଲା । ମୋଟରେ ଚାରି ଜଣଯାକଙ୍କୁ ସେମାନେ ନାମ ଦେଇଥିଲେ ‘ବଂଶୀ’ । ବଂଶୀ କହିଲେ, ଗୋବିନ୍ଦା, ସାଧୁଆ, ବାଞ୍ଛା ଓ ଉତ୍ସବା, ସମସ୍ତେ ବୁଝାଉଥିଲେ । ବନମାଳୀ ବଂଶୀ ବିଷୟରେ ବାଟରେ ଯେ କଥାବାର୍ତ୍ତା ଶୁଣି ଆସିଥିଲା, କହିଲା । ସବୁ ଶୁଣି ସେ ବ୍ୟକ୍ତି ପ୍ରଥମେ କିଛି ସମୟ ନୀରବ ରହି ମୁଣ୍ଡ ନାଡ଼ିଲେ । ତା ପରେ ସେ ମନକୁ ମନ କହିଲେ, ‘‘ଦର୍ଜି କୋଠା ତଳ ମହଲା ଘର । ଲୁଚି ରହିବାକୁ ଥାନ ତ ନାହିଁ । ଆମେ ଯିବା ଟେର ପାଇଲା ମାତ୍ରେ ଯେ ପଳାଇବେ । ଫଳରେ କାର୍ଯ୍ୟ କିଛି ହେଇ ପାରିବନାହିଁ ।’’ ସେ ସବୁ ସେ ଭାବିସାରି; ବନମାଳୀକି ପଚାରିଲେ, ‘‘ତୁମକୁ କଣ ଭୟ ଲାଗୁଚି ?’’

 

‘‘ଆପଣଙ୍କୁ ଦେଖି ଯେତେ ଲାଗୁଚି, ତା ଠୋଉ ବେଶି ନୁହେଁ ।’’ ସେ ବ୍ୟକ୍ତି ଅଭଦ୍ର ଭାବରେ କଥା କହିବାର ଶୁଣି, ବନମାଳୀ ମନେ ମନେ ଟିକିଏ ବିରକ୍ତ ହୋଇ ପଡ଼ିଥିଲା । ବନମାଳୀର ଉତ୍ତର ଶୁଣି ସେ ତା ଆଡ଼କୁ ଟିକିଏ ଏକ ଦୃଷ୍ଟିରେ ଚାହିଁ ଗମ୍ଭୀର ସ୍ୱରରେ କହିଲେ, ‘‘ତୁମେ ତ ବେଶ୍‌ ସାହସରେ କଥା କହୁଚ, ଠକ ସଚ୍ଚା ଲୋକେ ଯେପରି କହନ୍ତି- ଆଚ୍ଛା ।’’ ତାଙ୍କ କଥା ନ ସରୁଣୁ ବନମାଳୀ ଉତ୍ତର ଦେଲା, ‘‘ମୁଁ ଏସବୁ ଶୁଣିବାକୁ ତ ଆସି ନାହିଁ । ଆପଣ କଣ କରିବେ ନ କରିବେ, ମତେ କହନ୍ତୁ ।

 

‘‘ଆଚ୍ଛା, ମୁଁ ସବୁ ଠିକ୍‌ କରିଦେବି । ତୁମେ ଏଇ ପିସ୍ତଲଟା ନିଅ । ଘରେ ଲୁଚି ସବୁ ଦେଖୁଥିବ । ସମସ୍ତେ ଯେତେବେଳେ ଯାଇ ଜମା ହେଇ ତାକୁ ଆକ୍ରମଣ କରିବେ, ପିସ୍ତଲ ଫୁଟେଇଦେବ । ପିସ୍ତଲ ମାରି ଆସେ ନା ? ତୁମେ କି ବ୍ୟବସାୟ କର କହ ଦେଖି ।’’ ବନମାଳୀ ଟିକିଏ ମୁଣ୍ଡ ନୁଆଇଁ ଧୀରେ ଧୀରେ ଉତ୍ତର ହେଲା, ‘‘ମୁଁ ଜଣେ ଓକିଲ ।’’
 

‘‘ଓ, ଆପଣ ଓକିଲ ? ମତେ କହୁନାହାନ୍ତି । ଆପଣଙ୍କୁ ତ ଆଇନ୍‌କାନୁନ୍‌ ସବୁ ଜଣାଅଛି-। ଦେଖନ୍ତୁ, ପ୍ରମାଣଟା ଠିକ୍‌ ଯୁଟିବା ଦରକାର । ନୋହିଲେ ଆମେ ଆଉ କଣ କରିପାରିବୁ ? ଠିକ୍‌ ଯେତେବେଳେ ଲୋକଟା ଉପରେ ଆକ୍ରମଣ ହବ ଆପଣ ପିସ୍ତଲଟା ଫୁଟେଇଦେବେ । ବର୍ତ୍ତମାନ ତିନିଟା ବାଜିଚି । ଆପଣ ସାତ କହିଲେ ନା ?’’

 

‘‘ନା, ଛ ।’’

 

‘‘ଓ, ତାହାହେଲେ ତ ସମୟ ହୋଇଗଲା । ଆପଣ ଯାଆନ୍ତୁ ଠିକ୍‌ ମନେ ରହିଲା ତ ? ପିସ୍ତଲଟା ଫୁଟେଇବେ, ଭୁଲିଯିବେ ନାହିଁ ।’’

 

‘ହଁ’ । କହି ବନମାଳୀ ଘର ଭିତରୁ ବାହରି ଆସିଲାବେଳକୁ ପଛରୁ ଶୁଣିଲା, ‘‘ଦେଖନ୍ତୁ, ଏ ମଧ୍ୟରେ ଯଦି ମୋତେ କିଛି କହିବା ଦରକାର ହବ, ଏଇ ଫାଣ୍ଡିକୁ ସିଧା ଚାଲିଆସିବେ । ଆସି ପଚାରିବେ, ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ର କାହାନ୍ତି ?’’

 

ଫାଣ୍ଡିରୁ ଫେରି ବନମାଳୀ ଅତି ଧୀର ସ୍ଥିର ଭାବରେ ଚୋରଟି ପରି ନିଜ ଘର ଭିତରେ ପଶିଗଲା । ଭିତରୁ ଦ୍ୱାର ବନ୍ଦକଲେ, ସେ ଘର ଭିତରେ ଅଛି ବୋଲି ଜଣା ପଡ଼ିଯିବ, ସେଥିପାଇଁ କବାଟଟା କେବଳ ଆଉଜାଇ ଦେଲା ଓ ନିଜେ ଟେବୁଲ୍‌ ପାଖେ ଚଉକିରେ ଉଦ୍‌ବିଗ୍ନ ମନରେ ବସିରହିଲା । ଅଗାଧୁ ବେହେରା ଘରଟା ଖୁବ୍‌ ଉଜ୍ଜ୍ୱଳ ଦେଖାଯାଉଥିଲା; ଏପରିକି, ସେ କଣାବାଟେ ଆଲୋକ ଆସି ବନମାଳୀର ନିଜ ଘରେ ସାମାନ୍ୟ ପଡ଼ୁଥିଲା । ସେ ଆଲୋକ ଯେ ଦୀପ କିମ୍ବା ଦିହୁଡ଼ି ମସାଲ ଆଲୋକ ନୁହେଁ, ବେଶ୍‌ ବୁଝା ଯାଉଥିଲା । କାରଣ, ଆଲୋକଟା ନାଲିଆ ଦିଶୁଥିଲା-। କଣାବାଟେ ଚାହିଁ ବନମାଳୀ ଦେଖିଲା, ସତେ ଯେପରି ତା ଘର ତଳେ ଗୋଟାଏ ପ୍ରକାଣ୍ଡ ଚିତା ଜଳୁଛି ।

 

ମୁହୂର୍ତ୍ତକ ମଧ୍ୟରେ ତଳ ଘରର ଦ୍ୱାର କଟ କଟ ଡାକି ଫିଟିଲା । ଅଗାଧୁ ଫେରିଆସି ଘର ଭିତରେ ପାଦ ପକାଇଲା ଆସି, ସେ କହିଲା, ‘‘ସବୁ ତିଆର । ମୂଷା ଯନ୍ତା ଥୁଆ ହେଇଚି, ଆଉ ବିରାଡ଼ି ସବୁ ଛକି ରହିଚନ୍ତି’’ କହି ସେ କେତେଗୁଡ଼ାଏ ଲୁହା ହତିଆର ଭାର୍ଯ୍ୟା ହାତକୁ ବଢ଼ାଇଲା ଏବଂ ପୁଣି କହିଲା, ‘‘ଏଗୁଡ଼ାକ ସବୁ ନିଆଁରେ ପୋତିରଖ ।’’ ଘର ମଧ୍ୟରେ ଗୋଟାଏ ପ୍ରକାଣ୍ଡ ଘସିଗଦା ସନ୍ଧ୍ୟା ସମୟର ଅସ୍ତଗାମୀ ସୂର୍ଯ୍ୟ ପରି ରକ୍ତ ବର୍ଣ୍ଣରେ ଜଳୁଥିଲା । ବେହେରାଣୀ ହତିଆରଗୁଡ଼ାକ ତହିଁରେ ଖଞ୍ଜି ରଖିଦେଲା । ତା ପରେ ଅଗାଧୁ କହିଲା, ‘‘ବାହାର ଦୁଆରଟା କଟ୍‌କଟ୍‌ ହେଉଚି । କବଜାରେ ଟିକିଏ ତେଲ ଦେଇ ଦେ ।’’ ବେହେରାଣୀ ଆଦେଶ ପାଳନ କଲା । ତା ପରେ ଅଗାଧୁ ପଚାରିଲା, ‘‘ଆଚ୍ଛା, ଉପର ଘରକୁ ଯେ ଚାକିରିଆଣୀଟା କାମପତ୍ର କରିବାକୁ ଆସେ, ଆସି ଚାଲିଗଲାଣି ନା ?’’

 

‘‘ହଁ’’

‘‘ଆଉ; ସେ ଟୋକାଟା ନାହିଁ ତ ?’’

‘‘ନା, ସେ ଏବେ କୁଆଡ଼େ ଆସିବ ?’’

‘‘ହେଲେ, ଦେଖିଆସିବା ଭଲ । ଝିଅ, ତୁ ଆଲୁଅ ନେଇ ଗଲୁନା ।’’

 

ବନମାଳୀ ଚଉକିରୁ ଯାଇ ଗୁରୁଣ୍ଡି ଖଟତଳେ ଲୁଚି ରହିଲା । ମୁହୂର୍ତ୍ତକ ପରେ ତାର ଦ୍ୱାର ପାଖେ ଶୁଣାଗଲା, ‘‘ବାପା, ବାହାରି ଯାଇଛି ।’’ ବନମାଳୀ ଅଗାଧୁ ବେହେରା ବଡ଼ ଝିଅର ପାଟି ବାରିଲା ।

 

ତଳୁ ବାପ ପଚାରିଲା, ‘‘ଘର ଭିତରକୁ ଯାଇ ଦେଖିଲୁ ?’’

 

‘‘ନା, କବାଟ ପଡ଼ିଚି; ସେ ଆସିଥିଲେ, ମେଲା ହେଇଥାନ୍ତା ।’’ ତଳୁ ପୁଣି ଶୁଣାଗଲା, ‘‘ନା, ଭିତରକୁ ଯାଇ ଦେଖିଆ ।’’

 

ଦ୍ୱାର ଫିଟିଲା, ବନମାଳୀ ଦେଖିଲା, ବାଳିକା ହାତରେ ଆଲୁଅ ଧରି ଘର ଭିତରେ ପଶିଲା । ସେ ନିଃଶ୍ୱାସ ବନ୍ଦ କରି ରଖିଲା । ବାଳିକା ଖଟ ନିକଟକୁ ନ ଆସି ଦର୍ପଣରେ ମୁହଁ ଦେଖିବାକୁ ଲାଗିଲା । ତଳୁ ପୁଣି ଶୁଣାଗଲା; ‘‘ତୁ କଣ କରୁଚୁ ସେଠେଇ ?’’ ବାଳିକା ଉପରୁ ଉତ୍ତର ଦେଲା, ‘‘ମୁଁ ଖଟତଳଟା ଖୋଜିବାକୁ ଯାଉଚି । ହେଲେ ଘରେ କେହି ନାହିଁ ।’’ ବାପ ତଳୁ ପୁଣି ପାଟି କରି କହିଲା, ‘‘ଡାହାଣୀ, ସେଠି ଠିଆ ହୁଅନା । ବେଗେ ଚାଲିଆ ।’’ ଶୁଣି ବାଳିକା ଦ୍ୱାରଟା ପେଲାଇନେଇେ ଚାଲିଗଲା । ତହୁଁ ଅଗାଧୁ କହିଲା; ‘‘ତମେ ଦୁଇ ପିଲା ଘରେ ରହିବା ଦରକାର ନାହିଁ, ଯାଇ ଗଳି ଦୁଇମୁଣ୍ଡେ ଜଗିବସ; ମାତ୍ର ସବୁବେଳେ ଆମ ଦୁଆର ଆଡ଼କୁ ଚାହିଁଥିବ-। କିଛି ଗୋଟାଏ ଘଟିଲେ, ତା ଅର୍ଥ, କେହି ଆସିଲେ, ହଠାତ୍‌ ଧାଇଁଆସି, ବୁଝିଲ ତ, ହଠାତ୍‌ ମୋତେ ଖବର ଦବ ।’’

 

ଶୁଣି ବଡ଼ଝିଅ ଗଜଗଜ ହୋଇ କହିଲା, ‘‘ଏ ଶୀତଦିନ ରାତିରେ ପଦାରେ ଠିଆ ହୋଇ ପହରା ଦବା, ଆଃ କି ମଜା କି ?’’ ବାପ ସାନ୍ତ୍ୱନା ଦେଲା, ‘‘ମା କାଲି ତ ରଜାଘରର ଜେମା ହେଇ ବସିବୁ । ଆଜି ଟିକିଏ କଷ୍ଟ ପାଇଥା; ନାହିଁ କରନା ।’’

Image

 

୩୫

ଷଡ଼ଯନ୍ତ୍ରର ଚିତ୍ର

 

ବନମାଳୀର ପହରା ସମୟ ହୋଇଆସିଲା । ମୁହୂର୍ତ୍ତକ ମଧ୍ୟରେ ସେ ଯାଇ କଣା ପାଖେ ଆଖି ଲଗାଇ ବସିଲା । ସେ ଦେଖିଲା, ସମସ୍ତ ଘରଟା ଘସି ନିଆଁ ଆଲୋକରେ ଉଜ୍ଜ୍ୱଳ ଦିଶୁଛି; ଗୋଟାଏ କଣରେ କେତେଗୁଡ଼ାଏ ପୁରୁଣା ଲୁହା ଏବଂ ଗୋଛାଏ ଦଉଡ଼ି ଦୁଇଟା ଗଦାରେ ଥୁଆହୋଇଛି । ଅଗାଧୁ ବେହେରା ଯେଉଁ ଭୀଷଣ କାର୍ଯ୍ୟରେ ହାତ ଦେଇଥିଲା, ସେ ନିମନ୍ତେ ତା ଘରଟା ଖୁବ୍‌ ଉପଯୋଗୀ । ଏକେ, ତାହା ସାହିର ଶେଷ ଘର; ଦ୍ୱିତୀୟରେ, ଚାରିପାଖେ ଖଣ୍ଡେ ଦୂର ମଧ୍ୟରେ ଆଉ କୌଣସି ଘର ନ ଥିଲା । ଅଗାଧୁ ବେହେରା ଘର ଭିତରେ ବସି ପିକାରେ ନିଆଁ ଲଗାଇ ଧୂଆଁ ଟାଣୁଥିଲା । ସେ ହଠାତ୍‌ କହି ବସିଲା, ‘‘ଅନ୍ଧାରରେ ସେ ତ କେବେ ଚାଲି ଆସିବନାହିଁ, ବଗିରେ ଆସିବ । ସେ ଓହ୍ଲେଇ ଘର ଭିତରକୁ ଆସିଲା ମାତ୍ରେ, ଯାଇ ଭଡ଼ାଟା ଦେଇପକାଇ, ବଗିଟାକୁ ବିଦାୟ କରିଦେବା ଦରକାର ।’’ ଶୁଣି ଭାର୍ଯ୍ୟା ପଚାରିଲା, ‘‘ଟଙ୍କା କୋଉଠୁ ଆସିବ ମ ?’’ ଅଗାଧୁ ଅଣ୍ଟାରୁ ପାଞ୍ଚଟା ଟଙ୍କା ବାହାର କରି ଭାର୍ଯ୍ୟା ହାତେ ପକାଇଦେଲା । ଭାର୍ଯ୍ୟା ବିସ୍ମିତ ହୋଇ ପଚାରିଲା, ‘‘ଏ ପୁଣି କି ଟଙ୍କା ?’’

 

‘‘ସକାଳେ ଉପରର ସେ ଟୋକାଠୋଉ ଝିଅ ଯୋଉ ପାଞ୍ଚ ଟଙ୍କା ଆଣିଥିଲା । ଆଚ୍ଛା, ଦି’ଟା ଚଉକି ଯେ ଦରକାର ।’’

 

‘‘କାହିଁକି ? କଣ ହବ ?’’

‘‘ବସିବାକୁ ।’’

 

‘‘ଆଚ୍ଛା, ମୁଁ ଯାଇ ସେ ଟୋକା ଘରୁ ନେଇ ଆସୁଚି ।’’ ବନମାଳୀ ଥରିବାକୁ ଲାଗିଲା । ସଙ୍ଗେ ସଙ୍ଗେ ବେହେରାଣୀ ଶିଡ଼ିବାଟେ ଉପରକୁ ଉଠିବା ପାଦଶବ୍ଦ ଶୁଣି, ସେ ଖଟତଳେ ଲୁଚିବାପାଇଁ ଯିବାକୁ ବାଟ ପାଇଲା ନାହିଁ । ତଳୁ ପୁଣି ଶୁଣାଗଲା, ‘‘ଆଲୁଅ ନେଇ ଯା ।’’

 

‘‘ନା, ଆଲୁଅ କଣ ହବ ? ଦି ହାତରେ ତ ଯୋଡ଼ାଏ ଚଉକି ଧରିବି । ଆଲୁଅଟା ତେବେ କଣ ମୁଣ୍ଡରେ ଥୋଇ ଆଣିମି ? କି ବୁଦ୍ଧି କି ?’’

 

ବନମାଳୀ ଘରର ଦ୍ୱାର ଫିଟିଲା । ବେହେରାଣୀ ଭିତରେ ପାଦ ପକାଇଲା ଏବଂ କେହି ଥିବାର ସନ୍ଦେହ ନ କରି, ଦୁଇଟି ଚଉକି ଧରି, କବାଟଟା ପୂର୍ବପରି ପେଲାଇଦେଇ, ପୁଣି ବାହାରିଗଲା । କ୍ଷଣକ ମଧ୍ୟରେ ତଳୁ ତା ପାଟି ଶୁଭିଲା, ‘‘ଏଇ, ଚଉକି ଦି’ଟା ନିଅ ।’’

 

ଅଗାଧୁ ବେହେରା ଚଉକି ଦୁଇଟି ନେଇ ଘର ମଝିରେ ସଜାଇ ରଖିଲା । ତାପରେ ସେ କୌଣସି ପରିଦର୍ଶନ କର୍ମଚାରୀ ପରି ପ୍ରତ୍ୟେକ ବ୍ୟବସ୍ଥା ଥରେ ତନ୍ନତନ୍ନ କରି ଦେଖି ଚାଲିଗଲା । ସେ ଗୋଟାଏ ଭଙ୍ଗା ସିନ୍ଦୁକ ମଧ୍ୟରୁ ଖଣ୍ଡିଏ ବଡ଼ ଛୁରୀ ବାହାର କରି, ଭଣ୍ଡାରି ଖୁର ଘଷିସାରି ତା ତୀକ୍ଷ୍‌ଣତା ଦେଖିଲାପରି, ନଖରେ ତା ଦାଢ଼ ପରୀକ୍ଷା କରି, ଥରେ ମୁଣ୍ଡ ନାଡ଼ି, ଗୋଟିଏ ବଡ଼ କାନ୍ଥକୁରାରେ ନେଇ ଥୋଇଦେଲା । ତେଣେ ବନମାଳୀ ପିସ୍ତଲଟି କୁରୁତା ପକେଟରୁ ବାହାରକରି ହାତରେ ଧଇଲା । ସେତେବେଳେ ଟିକିଏ ଲୁଗା ଖସ୍‌ଖସ୍‌ ଶବ୍ଦ ହେଲା । ତାହା ତଳେ ଅଗାଧୁ ବେହେରା କାନ ଏଡ଼ିପାରିଲା ନାହିଁ । ଶୁଣି, ସେ ହଠାତ୍‌ ଚମକିପଡ଼ି କହିଲା, ‘‘କିଏ କଣ ଶବ୍ବ କଲା-?’’ ବନମାଳୀ ନିଃଶ୍ୱାସ ରୋକି ବସିରହିଲା । ଅଗାଧୁ କିଛି ସମୟ କାନ ପାତି ରହି, ପରେ ହସି ହସି କହିଲା, ‘‘ମୁଁ ଗୋଟାଏ ବଳଦ । ମୁଁ ଲକ୍ଷପତି ହେବି ବୋଲି ପବନ ବୋହିବ ନାହିଁ, ଗଛ ପତ୍ର ହଲିବ ନାହିଁ ପରା ?’’

 

ହଠାତ୍‌ ଦୂରରେ ଘଣ୍ଟାଶବ୍ଦ ଶୁଣାଗଲା । ପ୍ରତ୍ୟେକ ଥରର ଶବ୍ଦ ବନମାଳୀ କାନରେ ଗୋଟାଏ ଗୋଟାଏ ବଜ୍ର ଧ୍ୱନି ପରି ପ୍ରବେଶ କରିବାକୁ ଲାଗିଲା । ବନମାଳୀ ଗଣି ଛ’ରେ ବନ୍ଦ ହେଲା । ତଳେ ଅଗାଧୁ କହିଲା, ‘‘ଏଇ ଆସିବା ବେଳ ହେଇଗଲା ।’’ କହି, ସେ ଚଉକିରେ ବସିଛି କି ନା, ତେଣେ କବାଟ ଫିଟିଲା । ବେହେରାଣୀ ଦ୍ୱାର ପାଖେ ଛିଡ଼ାହୋଇ ଅଭ୍ୟର୍ଥନା କଲା, ‘‘ଆସନ୍ତୁ, ହଜୁର ।’’ ଅଗାଧୁ ଦ୍ୱାର ନିକଟକୁ ଧାଇଁଯାଇଁ କହିଲା, ‘‘ପାଦ ପକାନ୍ତୁ ।’’ ସଦାଶିବ ମହାନ୍ତି ଗମ୍ଭୀର ବଦନରେ ଘରେ ପ୍ରବେଶ କରି, ପାଞ୍ଚଗୋଟି ସୁନାମୋହର ଅଗାଧୁ ହାତରେ ଦେଇ କହିଲେ, ‘‘ମୁକୁନ୍ଦ ଜେନା, ଚାରୋଟିରେ ଘରଭଡ଼ା ଦିଆ ହୋଇଯିବ, ବାକି ଗୋଟିଏ ଖର୍ଚ୍ଚବାର୍ଚ୍ଚକୁ ରଖ ।’’ ଅଗାଧୁ ମୋହର ଧରି ଭାର୍ଯ୍ୟାକୁ ଯାଇ କହିଲା, ‘‘ବଗିଟା ଯାଇ ବିଦାକରିଦେ ।’’ ସଦାଶିବ ଘର ଭିତରେ ଚଉକିରେ ବସିଲେ । ବେହେରାଣୀ ବାହାରକୁ ଖସିଗଲା; ମାତ୍ର ଅଳ୍ପ ସମୟ ପରେ ପୁଣି ଫେରିଆସି ସ୍ୱାମୀକି ମୁଣ୍ଡ ଟୁଙ୍ଗାରି ଖବର ଦେଲା, ‘‘ଠିକ୍‌’’ ।

 

ସଦାଶିବ ଯାଇ ବସିଛନ୍ତି, ବନମାଳୀ ଦେଖିଲା, ଘରର ପଛଆଡ଼ୁ ଧୀରେ ଧୀରେ କିଏ ପ୍ରବେଶ କଲା । ଲୋକଟାର ଚେହେରା ଦେଖିବାକୁ ଭୟଙ୍କର । ସଦାଶିବ ମଧ୍ୟ ତା ଆଡ଼କୁ ଚାହିଁ ଚମକି ପଡ଼ିଲେ । ଅଗାଧୁ ତାହା ବୁଝିପାରି ବାଁରେଇ କହିଲା, ‘‘ଦେଖୁଛନ୍ତି; ହଜୁର ମୋ ଅବସ୍ଥା ବଡ଼ ଖରାପ ।’’ ସେ କଥା ନ ଶୁଣି ସଦାଶିବ ପଚାରିଲେ, ‘‘ସେ କିଏ ଅଇଲା ?’’

 

ଅଗାଧୁ ଉତ୍ତର ଦେଲା, ‘‘ଏ ସମା ।’’ ଶୁଣି, ସଦାଶିବ ଉଦାସ ସ୍ୱରରେ କହିଲେ, ‘‘ଓଃ’’ । ମାତ୍ର ସେହି ମୁହୂର୍ତ୍ତରେ ଆଉ ଜଣେ ଲୋକ ଆସି ଘର ଭିତରେ ପହଞ୍ଚିଲା । ତହୁଁ ଅଗାଧୁ କହିଲା, ‘‘ସେ ଲୋକଗୁଡ଼ାଙ୍କୁ ଚାହିଁଲେ ନାହିଁ । ସେ ସଦାଶିବଙ୍କ ପାଖେ ନିଜ ଦୁର୍ଦ୍ଦଶା ବର୍ଣ୍ଣନା କରି ଲାଗିଲା । ସଦାଶିବ ଶୁଣୁ ଶୁଣୁ ଘରର ଗୋଟିଏ କୋଣକୁ ଚାହିଁ ଦେଖିଲେ ଯେ କ୍ରମେ କ୍ରମେ ଚାରିଜଣ ଲୋକ ଆସି ବସିଲେଣି । ତାଙ୍କ ମନରେ ସ୍ୱତଃ ଗୋଟିଏ ଶଙ୍କା ଜନ୍ମିଲା । ତାହା ବୁଝିପାରି, ଅଗାଧୁ କହିଲା, ‘‘ସେମାନେ ସମସ୍ତେ ଏଇ ପାଖ ଘରମାନଙ୍କରେ ଥାଆନ୍ତି । ଅଙ୍ଗାର ବ୍ୟବସାୟ କରନ୍ତି କି ନା, ସେଥିପାଇଁ ମୁହଁଟାମାନ କଳା ହେଇଛି । ଆପଣ ତାଙ୍କ ଆଡ଼କୁ କାହିଁକି ଚାହୁଁଛନ୍ତି ? ଶୁଣନ୍ତୁ, ମୁଁ ଆପଣଙ୍କୁ କହିଚି ଯେ, ମୁଁ ଚିତ୍ରକର ବ୍ୟବସାୟ କରୁଥିଲି । ମୋର ଗୋଟିଏ ପୁରୁଣା ଚିତ୍ର ଅଛି ।’’ କହି, ସେ ଗୋଟିଏ ପଟା ଆଣି ଦେଖାଇ, ପୁଣି କହିଲା, ‘‘ଦେଖନ୍ତୁ, କି ଚମତ୍କାର ଚିତ୍ର ।’’

 

ସଦାଶିବ ଚିତ୍ରଟା ଭଲ ଦେଖିପାରିଲେ ନାହିଁ । ଗାର ସବୁ ପ୍ରାୟ ଲିଭି ଆସିଥିଲା । ତଥାପି ସେ ନିରୀକ୍ଷଣ କରି ଦେଖି କହିଲେ, ‘‘ଏ ତ କୌଣସି ଚଟିଘର ଚିତ୍ର ପରି ଦିଶୁଚି ପରା । କୋଉଠା ?’’

 

‘‘ଯୋଉଠା ହୋଉ, ଚମତ୍କାର । କହନ୍ତୁ, କେତେ ଦେବେ ?’’

‘‘ମୋର ତ ଦରକାର ନାହିଁ; କହୁଚ, ତିନି ଟଙ୍କା ଦେବି’’ ।

 

‘‘ଏ କି ଦୁର୍ଭାଗ୍ୟ କଥା ! ଆପଣ ଚିତ୍ର ମର୍ଯ୍ୟାଦା ବୁଝିଲେ ନାହିଁ । ହଜାରଟି ଟଙ୍କା ଦିଅନ୍ତୁ, ମୁଁ ଖୁସି ହେଇଯିବି ।’’ ଶୁଣି, ସଦାଶିବ କିଛି ନ କହି ଉଠି ଠିଆହେଲେ । ଅଗାଧୁର ମୁହଁଟା ବିକଟ ଆକାର ଧାରଣ କଲା । ସେ ସଦାଶିବଙ୍କ ଆଡ଼କୁ ପାହୁଣ୍ତେ ଘୁଞ୍ଚି ଆସି ଖୁବ୍‌ ଚିତ୍କାର କରି କହିଲା, ‘‘ହଜାର ଟଙ୍କା ମାଲ ତିନି ଟଙ୍କାରେ ନବୁ ? ଭାରି ଗରାଖ ତ । ମତେ ଚିହ୍ନିପାରୁଚୁ ?’’ ଦ୍ୱାରା ଫିଟିଲା । ତିନିଜଣ ମୁଖାପିନ୍ଧା ଲୋକ ଘରେ ପ୍ରବେଶ କଲେ । ତାଙ୍କ ମଧ୍ୟରୁ ଜଣକ ହାତରେ ଗୋଟିଏ ବଡ଼ ହାତୁଡ଼ି ଥିଲା । ଦ୍ୱିତୀୟ ଜଣକ ଗୋଟାଏ କୁରାଢ଼ି ଧରିଥିଲା । ତୃତୀୟ ଲୋକ ଗୋଟିଏ ପ୍ରକାଣ୍ତ ଶାବଳ ଆଣି ଆସିଥିଲା । ଅଗାଧୁ ଯେପରି ସେହିମାନଙ୍କ ଅପେକ୍ଷାରେ ଥିଲା, ଦେଖି ପଚାରିଲା, ‘‘ବଗି ଆସିଚି ?’’

 

‘‘ହଁ’’ ।

‘‘ଆଚ୍ଛା ।’’

 

ସଦାଶିବ ମହାନ୍ତି କଳା ପଡ଼ିଯାଇଥିଲେ, ଯନ୍ତା ମୁହଁରେ ପହଞ୍ଚିଥିବା ବାଘପରି ଏଣେତେଣେ ଛନଛନ ହୋଇ ଚାହୁଁଥିଲେ । ଉପରୁ ବନମାଳୀ ଦେଖି ମନେ ମନେ ଭାବିଲା, ‘‘ଏଇ ବୋଧହୁଏ ପିସ୍ତଲ ଫୁଟେଇବା ସମୟ ।’’ ସେ ପିସ୍ତଲ ଘୋଡ଼ାରେ ଆଙ୍ଗୁଠି ଦେବାକୁ ଖୋଜିଲା; ମାତ୍ର ଘୋଡ଼ାଟି ତା ଆଙ୍ଗୁଠିରେ ପଡ଼ିଲା ନାହିଁ । ଅଗାଧୁ ସେ ତିନିଜଣ ନୁଆ ଆଗନ୍ତୁକଙ୍କ ସହିତ କଣ କଥାବାର୍ତ୍ତା କରି ଆସି ସଦାଶିବଙ୍କୁ ପୁଣି ପଚାରିଲା, ‘‘ମୋତେ ଚିହ୍ନିଲୁ ?’’

 

ସଦାଶିବ ତା ମୁହଁକୁ ଚାହିଁଲେ; କହିଲେ, ‘‘ନା ।’’

 

‘‘ନା ? ମୋ ନାଁ ମୁକୁନ୍ଦ ଜେନା ନୁହେଁ କି ଅଗାଧୁ ବେହେରା ନୁହେଁ । ତୋ ମୁଣ୍ତରେ ତ ଗୋବର ଅଛି, ତୁ ବୁଝିବୁ କୁଆଡ଼ୁ ? ଘରେ ଟଙ୍କା ଥିଲେ, ବୁଦ୍ଧି ଆସେ କି ? ମୁଁ ଦୀନା ସାହୁ, ଜଜାରସିଂହ ଚଟିଘର ମାଲିକ । ଶୁଣିୁଲୁ ? ଦୀନା ସାହୁ । ଏବେ ଚିହ୍ନିଲୁ ?’’

 

‘‘ସଦାଶିବ ଚମକିପଡ଼ି ଧୀର ସ୍ୱରରେ କହିଲେ, ‘‘ଆଗଠୋଉ କିଛି ବେଶି ଚିହ୍ନିଲି ନାହିଁ-।’’ ବନମାଳୀ ଉତ୍ତରଟା ଶୁଣିପାରିଲା ନାହିଁ । ‘‘ମୁଁ ଦୀନା ସାହୁ’’ ଏତିକି ଶୁଣି ସେ ଆପାଦମସ୍ତକ ଥରୁଥିଲା । ସେ ମନେ କଲା ଯେ ତା ବୁକୁରେ କିଏ ଅବା ଗୋଟାଏ ଶର ଆଣି ବିନ୍ଧିଦେଇଛି । ପିସ୍ତଲ ଫୁଟାଇବାକୁ ସେ ଯେ ହାତ ଟେକି ବସିଥିଲା, ପିସ୍ତଲଟି ହାତରୁ ଖସିପଡ଼ିଲା-। ଦୀନା ସାହୁ ନାମ ନିଜ ପିତାଙ୍କ ନାମ ସହିତ ତାର ଆରାଧ୍ୟ ବିଷୟ । ସେ ଭାବିଲା, ତା ପିତାଙ୍କ ରକ୍ଷାକର୍ତ୍ତା ତେବେ କଣ ଗୋଟାଏ ଭୟଙ୍କର ଡକାୟତ । ସେ ନ ଖାଇ ନ ପିଇ, ନାନା କଷ୍ଟ ସ୍ୱୀକାର କରି ଗ୍ରାମେ ଗ୍ରାମେ ଓ ବନ ପର୍ବତରେ ଯାହାକୁ ଏତେଦିନ ଖୋଜି ବୁଲୁଥିଲା, ତାକୁ ହଠାତ୍‌ ସେ ଅବସ୍ଥାରେ ଦେଖି କିଛି ବୁଝିପାରିଲା ନାହିଁ । ତହୁଁ ସେ ମନକୁ ମନ କହିଲା, ‘‘ମୁଁ କଣ ପିତାଙ୍କ କୃତଜ୍ଞତା ଯୋଗେ ଗୋଟାଏ ରାକ୍ଷସକୁ ପୂଜା କରିବି ? ନା, ଜଣେ ନିରୀହ ଲୋକର ପ୍ରାଣ ରକ୍ଷା କରିବା ଉଚିତ ? ସେ ନିରୀହ ଲୋକ ପୁଣି ଯେ ସେ ନୁହେଁ, ମୋ ଅପ୍‌ସରୀ ରାସମଣିର ପିତା ।’’ ଚିନ୍ତାରେ ବନମାଳୀ ଦୋଳାୟମାନ ହେବାକୁ ଲାଗିଲା ।

 

କ୍ରମେ ଦୀନ ସାହୁ ଛଦ୍ମରୂପ ଛାଡ଼ି ତା ନିଜ ରୂପ ଧରି କହିଲା, ‘‘ଦେଖ, ବୁଢ଼ା, ମୁଁ ତୋତେ ଆଜି ପୁଣି ଧରିଚି । ତୁ ମୋତେ କାହିଁକି ଚିହ୍ନିମୁଁ ? ମନେ ଅଛି ନା ଆଠବର୍ଷ ତଳେ ମୋ ଚଟିଘରକୁ ଯାଇ ରାଧା ଝିଅ କୁକୁଡ଼ାକୁ ଘେନି ପଳାଇ ଆସିଥିଲୁ । ମୋର ଲକ୍ଷେ ଟଙ୍କାର ପିଲାକୁ ଦେଢ଼ ହଜାରରେ ମାରି ଆଣିଲୁ । ମୋତେ ଏଡ଼େ ବୋକା ଠଉରେଇ ଥିଲୁ ? ବଣ ଭିତରେ ତୋ ଠେଙ୍ଗା ଦେଖି ଏକା ଥିବାରୁ ଫେରି ଯାଇଥିଲି । ଆଜି ପଳା ଦେଖି । ଦେଖୁଚୁ ନା, କେତେ ଲୋକ-? ଶ୍ରୀହରି ସ୍ମରଣ କର ।’’

 

ଶୁଣି ସଦାଶିବ ତ୍ରସ୍ତ ନ ହୋଇ କହିଲେ, ‘‘ତୁମେ କଣ କହୁଚ ମୁଁ କିଛି ବୁଝି ପାରୁନାହିଁ । ମୁଁ ତୁମକୁ ଚିହ୍ନେନା । ତୁମେ ଆଉ କିଏ ବୋଲି ବିଚାରି ମୋତେ ଭୁଲରେ ଏପରି ସବୁ କହୁଚ ।’’

 

‘‘ହୁଁ, ଚାଲାକି । ମନେ ପଡ଼ୁନାହିଁ । ଚିହ୍ନିପାରୁ ନାହୁଁ ।

 

‘‘ହଁ, ଏତିକି ଚିହ୍ନୁଚି ଯେ ତୁମେ ଡକେଇତ ।’’ ଶୁଣି ଦୀନା ସାହୁଆଣୀ ଧାଇଁଆସି କହିଲା, ‘‘ଗଛଜଳା, କହୁଚି କଣ ନା, ମୋ ଗିରସ୍ତ ଡକେଇତ ।’’ ସଦାଶିବଙ୍କ ମୁଣ୍ତରେ ଖଡ଼ୁମୁସା ମାରିବାକୁ ହାତ ଉଞ୍ଚାଇଲା । ମାତ୍ର ଦୀନା ସାହୁ ଭାର୍ଯ୍ୟାକୁ କହିଲା, ‘‘ତୁ ତୁନି ହେଇ ବସ ।’’ ତାପରେ ସେ ସଦାଶିବଙ୍କୁ ଚାହିଁ କହିଲା, ‘‘ଦେଖ ମହାଜନ, ତୁମେ ଜଣେ ଭଲ ଲୋକ । ମୁଁ ତୁମ ସାଙ୍ଗେ କଳିଗୋଳ କରିବି ନାହିଁ । ମୁଁ ବି ଦିନେ ପାଇକ ଥିଲି; ଯୁଦ୍ଧ କରୁଥିଲି । ସେନାପତି ଗୋବିନ୍ଦ ସିଂହଙ୍କ ପ୍ରାଣ ରଖିବା ଲୋକ ମୁଁ । ମୁଁ ସେନାପତିଙ୍କ ଠୋଉ ପାହୁଲାଟିଏ ପାଇ ନାହିଁ । ତୁମକୁ ଖାଲି ଟଙ୍କା ମାଗୁଛି, ଅଳ୍ପ ନୁହେଁ ବହୁତ ଗୁଡ଼ାଏ; ନ ହେଲେ ଆଜି ଏଠୁ ଫେରିବ ନାହିଁ, ମନେ ରଖ ।’’

 

ପିତାଙ୍କ ଆଦେଶପତ୍ରରେ ଯେଉଁ ଦୀନା ସାହୁ କଥା ଲେଖାଥିଲା, ସେ ଏ ଦୀନା ସାହୁ ନୋହିଥିବ ବୋଲି ବନମାଳୀର ସନ୍ଦେହ ହେଉଥିଲା; କିନ୍ତୁ ଦୀନା ସାହୁ କଥା ଶୁଣିଲା ପରେ ଆଉ ସେ ସନ୍ଦେହ ରହିଲା ନାହିଁ; ମାତ୍ର ସନ୍ଦେହ ଦୂର ହେବା ସଙ୍ଗେ ସଙ୍ଗେ ତା ମନ ଦୁଇଗୁଣ ଦୋଳାୟମାନ ହେବାକୁ ଲାଗିଲା । ତେଣେ ଦୀନା ସାହୁ ସଦାଶିବଙ୍କୁ ପଚାରିଲା, ‘‘କଣ କହିବୁ, ନା ହାତକଡ଼ି ପିନ୍ଧିବୁ ?’’ ସଦାଶିବ ନିରୁତ୍ତର ରହିଲେ, କିନ୍ତୁ ତାଙ୍କ ମୁହଁ ଦେଖିଲେ ମନେ ହେଉଥିଲା, ମନ ମଧ୍ୟରେ କଣ ଗୋଟିଏ ପ୍ରକାଣ୍ତ କଳ୍ପନା ଖେଳୁଛି । କ୍ଷଣକ ମଧ୍ୟରେ ସେ ତାର ପ୍ରମାଣ ମଧ୍ୟ ଦେଲେ । ଦୀନା ସାହୁ ଓ ଅନ୍ୟାନ୍ୟ ସମସ୍ତେ ଚାହିଁଛନ୍ତି ସେ ଡେଇଁ ଚାଲିଯାଇ ମେଲା ଖିଡ଼ିକି ପାଖେ ଠିଆ ହେଲେ । ସେ ଠିକ୍‍ ଖିଡ଼ିକି ବନ୍ଧରେ ଭରାଦେଇ ଡେଇଁପଡ଼ିବା ବେଳକୁ, ପଛରୁ ଛ’ଟା ପ୍ରବଳ ହାତ ତାଙ୍କୁ ଘର ଭିତରକୁ ଟାଣିଆଣିଲା; ସାହୁଆଣୀ ମଧ୍ୟ ଯାଇ ଧରି ପକାଇଲା । ଅନ୍ୟ ଚାରିଜଣ ଲୋକ ଧାଇଁ ଆସି ପହଞ୍ଚିଗଲେ । ‘‘କୋଇଲା ବ୍ୟବସାୟୀ’’ମାନଙ୍କ ମଧ୍ୟରେ ବନମାଳୀ ମାର୍କଣ୍ତିଆ ଓରଫେ ଚଣ୍ତିଆ, ଓରଫେ ରଘୁଆ ଓରଫେ କୁଷୁନିଆକୁ ଦେଖି ଚିହ୍ନିଲା । ସେ ଉପରୁ ଏକ ଦୃଷ୍ଟିରେ ଚାହିଁ ରହିଲା । ଭାବିଲା, ‘‘ବାପା, ମତେ କ୍ଷମା ନିଶ୍ଚୟ କରିବେ ।’’ ଭାବି, ପିସ୍ତଲ ଘୋଡ଼ାରେ ହାତ ଦେଲା; ମାତ୍ର ତେଣେ ଦୀନା ସାହୁ କହିଲା, ‘‘ମାର ନାହିଁ ତାକୁ ।’’

Image

 

୩୬

ବନ୍ଧନରୁ ମୁକ୍ତ

 

ମୁହୂର୍ତ୍ତକ ମଧ୍ୟରେ ଦୀନା ସାହୁର ସେ ଘର ଭିତରଟା ଗୋଟାଏ ପ୍ରକାଣ୍ତ ରାମ ରାବଣ ଯୁଦ୍ଧର ଦୃଶ୍ୟସ୍ଥଳ ହୋଇପଡ଼ିଲା । ସଦାଶିବ ଗୋଟାଏ ବିଧାରେ ଦୀନା ସାହୁକୁ ଗଡ଼ାଇ ତଳେ ପକାଇ ଦେଲେ, ଦୁଇଟା ଗୋଇଠା ମାରି ଆଉ ଦୁଇ ଜଣଙ୍କୁ ଫିଙ୍ଗିଦେଲେ ଏବଂ ଆଉ ଗୋଟାଏ ଲୋକଙ୍କୁ ଗୋଡ଼ରେ ମାଡ଼ିବସିଲେ । ସେ ଆକ୍ରମଣକାରୀମାନଙ୍କୁ ପରାସ୍ତ କରି ଠିକ୍‌ ଚାଲିଯିବା ସମୟରେ ସେମାନେ ପୁଣି ରୁଣ୍ତ ହୋଇ ତାଙ୍କୁ ଧରିପକାଇଲେ ଏବଂ ଘର କଣରୁ ଦଉଡ଼ି ଗୋଛାକ ଆଣି ତାଙ୍କ ହାତ ଗୋଡ଼ ବାନ୍ଧିଦେଲେ । ତହୁଁ ଦୀନା ସାହୁ କହିଲା, ‘‘ଦେଖ, ଭାଇମାନେ, ୟା ଲୁଗାପଟା ସବୁ ଖୋଜିଲ । କିଛି ଥଳିଫଳି ରଖି ନାହିଁ ?’’ ଥଳି ପରିବର୍ତ୍ତରେ ରୋମାଲରେ ବନ୍ଧା ଛ’’ଟି ଟଙ୍କା ମିଳିଲା । ଡକାୟତମାନେ ସଦାଶିବଙ୍କ ଗୋଡ଼ ଛନ୍ଦି ଖୁଣ୍ଟିରେ ବାନ୍ଧି ରଖିଲେ ।

 

ସାଦାଶିବ ବନ୍ଧାହୋଇ ଡକାୟତମାନଙ୍କ କରଗତ ହେଲା ପରେ ଦୀନା ସାହୁ କହିଲା, ‘‘ଶୁଣ, ମହାଜନ, ଆଉ କଳିଗୋଳ ନାହିଁ । ଏଣିକି ସଫା ସଫା ବ୍ୟବସାୟ କଥା । ମୁଁ ତୁମ କଥା ବୁଝିନେଲିଣି । ତୁମେ ବି ଆମରି ଦଫାର ଜଣେ । ଆମେ ତୁମକୁ ଏତେ କଷ୍ଟ ଦେଉଚୁ ଯେ କୌଣସି ଭଲଲୋକ ଏଥିରେ ପାଟି କରି ଆକାଶ ଫଟେଇ ଦିଅନ୍ତା । ପାଟି କଲେ; ଶୁଣି କିଏ ଆସିବ, ନା ପୋଲିସ୍‌ । ତୁମର ସେଥିକି ଡର ଅଛି । ଭଲ କଥା । ଆମେ ମଧ୍ୟ କଣ ବିପଦ ଲୋଡ଼ୁଚୁ କି ? ଆସ, ଗୋଟାଏ ରଫା କରିନବା । ମୁଁ ତୁମର ସବୁ ସମ୍ପତ୍ତି ଚାହୁଁ ନାହିଁ । ଅଧେ ରଖି, ମତେ ଅଧେ ଦେଇଦିଅ । ତୁମର କେତେ ସମ୍ପତି ଅଛି, ମୁଁ ଜାଣେନା । ତେବେ ମୁଁ ଦି’ ଲକ୍ଷ ପାଇଲେ ସନ୍ତୁଷ୍ଟ ହେଇଯିବି । ଏଟା କିଛି ଅନ୍ୟାୟ ଦାବି ନୁହେଁ । ଦେଖ, ଯାହା କହୁଚି, ଲେଖ ।’’ ଦୀନା ସାହୁ କାଗଜ ଦୁଆତ କଲମ ଆଣି ସଦାଶିବଙ୍କ ପାଖେ ଥୋଇ କହିଲା, ‘‘ଲେଖ’’ ।

 

ବନ୍ଦୀ ନୀରବ ରହିଥିଲେ । ଶେଷରେ ସେ ପାଟି ଫିଟାଇ କହିଲେ, ‘‘ମୋ ହାତ ଯେ ବାନ୍ଧିଚ, ଲେଖିବି କିପରି ?’’ ଶୁଣି ଦୀନା ସାହୁ କହିଲା, ‘‘ହଁ, ଠିକ୍‌ କଥା ତ । ସେ ମାର୍କଣ୍ତିଆକୁ ଆଦେଶ ଦେଲା, ‘‘ଆଚ୍ଛା, ମହାଜନଙ୍କ ଡା’ଣ ହାତଟା ଫିଟେଇଦେ ।’’ ତା ପରେ ସେ କାଳିରେ କଲମ ବୁଡ଼ାଇ ଧରି କହିଲା, ‘‘ଆଉ ଠକିବାକୁ ଚେଷ୍ଟା କର ନାହିଁ । ଜାଣିରଖ ଯେ ଏ ଚିଠି ନେଇ ଯେ ସେ ଫେରିଆସିଲା ଯାଏଁ ତୁମେ ଏଇମିତି ବନ୍ଧାହେଇ ପଡ଼ିଥିବ । ଏଥର ଲେଖ ।’’

 

ଦୀନା ସାହୁ ଡାକିଲା, ‘‘ମୋ ପ୍ରାଣର ଝିଅ ।’’ ଲେଖୁ ଲେଖୁ ବନ୍ଦୀ ଚମକିପଡ଼ି ଦୀନା ସାହୁ ଆଡ଼କୁ ଚାହିଁଲେ । ଦୀନା ସାହୁ ପୁଣି ଡାକିଲା, ‘‘ଶୀଘ୍ର ଆସି ମୋ ସହିତ ଦେଖା କର । ଯେ ଏ ଚିଠି ନେଇ ଯାଉଛି, ତା ସଙ୍ଗେ ବାହାରିଆସିବୁ । ମୁଁ ଅପେକ୍ଷା କରି ରହିଲି । କିଛି ଅବିଶ୍ୱାସ କରିବୁ ନାହିଁ, ଚିଠି ପାଇ ସଙ୍ଗେ ସଙ୍ଗେ ବାହାରିବୁ ।’’

 

ସଦାଶିବ ଦୀନା ସାହୁ ଡାକିବା ଅନୁସାରେ ସବୁ ଠିକ୍‌ ଠିକ୍‌ ଲେଖିଗଲେ । ତାପରେ ଦୀନା ସାହୁ ପୁଣି କହିଲା, ‘‘ନା, ‘କିଛି ଅବିଶ୍ୱାସ କରିବୁ ନାହିଁ’ - ଏଟା କାଟିଦିଅ । ସେତେକ ପଢ଼ିଲେଇ ଅବିଶ୍ୱାସ ହବ ।’’ ସଦାଶିବ ସେତକ କାଟିଦେଲେ । ତା ପରେ ଦୀନା ସାହୁ କହିଲା, ‘‘ଦସ୍ତଖତ କର । କଣ ତୁମ ନାଁ ଯେ ।’’ ସଦାଶିବ କଲମ ଥୋଇଦେଇ ପଚାରିଲେ, ‘‘ଚିଠି କାହା ପାଖକୁ ଯିବ ?’’

 

‘‘ତୁମେ ଠିକ୍‌ ଜାଣ; ସେଇ କୁକୁଡ଼ା । ଲେଖ, କଣ ତୁମ ନାଁ ।’’

 

‘‘ଅର୍ଜୁନ ରାଉତ ।’’ ଶୁଣି, ଦୀନା ସାହୁ ସଦାଶିବଙ୍କ ରୋମାଲଟି ନିଜ ଛିଣ୍ତା କୁରୁତା ପକେଟରୁ କାଢ଼ି ବାହାର କଲା । ଦେଖିଲା ସେଥିରେ ଲେଖାଅଛି - ‘‘ଅ-ରା’’ କହିଲା, ‘‘ଅ-ରା-ଅର୍ଜୁନ ରାଉତ । ଠିକ୍‌ । ଲେଖ- ‘‘ଅ-ରା’’ । ବନ୍ଦୀ ଚିଠି ତଳେ ଦସ୍ତଖତ କଲେ, ‘ଅ-ରା’ । ଦୀନା ସାହୁ ଚିଠି ଖଣ୍ତି ମୋଡ଼ି ବନ୍ଦ କଲା । ତାପରେ ସେ କହିଲା, ‘‘ଶ୍ରୀମତୀ କୁକୁଡ଼ା’’ ଠିକଣା ଉପରେ ଲେଖିଦିଅ । ତୁମ ଘରଟା କୋଉଠି କହ; ଆଉ ଗୋଳମାଳ କର ନାହିଁ । ତୁମେ ନାଁ ଯେମିତି ଲୁଚାଇ ନାହଁ, ଠିକଣା ମଧ୍ୟ ନ ଲୁଚାଇ ଲେଖିଦିଅ ।’’ ଶୁଣି, ଆଦେଶ ମାନି, ନିତାନ୍ତ ଅନୁଗତ ଭୃତ୍ୟପରି, ସଦାଶିବ ଚିଠି ଉପରେ ଲେଖିଲେ, ଶ୍ରୀମତୀ ‘କୁକୁଡ଼ା’, ଅର୍ଜୁନ ରାଉତଙ୍କ ଘର; ଓଡ଼ିଆବଜାର ପ୍ରଥମ ଗଳି ।’’

 

ଚିଠି ଖଣ୍ତି ଧରି ଦୀନା ସାହୁ ଭାର୍ଯ୍ୟାକୁ ଡାକି କହିଲା, ‘‘ଦାଣ୍ତରେ ବଗି ଠିଆ ହେଇଚି । ଏ ଚିଠି ଧରି ଯାଇ ଏ ମହାଜନଙ୍କ ଝିଅକୁ ନେଇ ଆସିବୁ’’ ଏବଂ ଆଉ ଜଣେ ଲୋକକୁ କହିଲା, ‘‘ତୁ ମୁହଁରୁ ମୁଖାଟା କାଢ଼ି ଦେଇ ବଗି ପଛରେ ଠିଆ ହେଇ ଯା । ବେଗେ ଆସିବ ।’’

 

ମୁହୂର୍ତ୍ତକ ମଧ୍ୟରେ ଦାଣ୍ତରେ ଗାଡ଼ିର ଘର ଘର ଶବ୍ଦ ଶୁଣାଗଲା । ଏଣେ ଘର ଭିତରେ ସମସ୍ତେ ଟିକିଏ ନିଶ୍ଚିନ୍ତ ହେଲା । ଡକାୟତମାନେ ମଦ ପିଇ ଆସିଥିବାରୁ ନିଶାରେ ଢୋଳାଇବାକୁ ଲାଗିଲେ । ଦୀନା ସାହୁ ନିଆଁ ପୋଇଁବାକୁ ଗଲା । କେବଳ ଉପରେ ବନମାଳୀ ଉଦ୍‌ବିଗ୍ନ ମନରେ ବସିରହିଲା । ସେ ମନେ ମନେ ଭାବିଲା, ‘‘ଅପ୍‌ସରୀ ରାସମଣି କଣ ଏଇ ବିକଟ ଅଗ୍ନିକୁଣ୍ତରେ ଆସି ଝାସ ଦେବ ? ସେଇ କଣ ଏ ଦୀନା ସାହୁର କୁକୁଡ଼ା ? ନା, ସେ ନିଶ୍ଚୟ ନୁହେଁ । ତାର କାହିଁକି ଏଡ଼େ କଦର୍ଯ୍ୟ ନାଁ ହବ ?’’ ତଥାପି ବନମାଳୀ ନିଶ୍ଚିନ୍ତ ହୋଇ ରହିପାରିଲା ନାହିଁ । ସେ ବନ୍ଦୀଙ୍କ ଆଡ଼କୁ ଚାହିଁ ଶୁଣିଲା । ତାଙ୍କ ପାଖେ ବରାବର ଗୋଟାଏ କୁଟ୍‌ କୁଟ୍‌ ଶବ୍ଦ ହେଉଛି ।

 

ଦୀନା ସାହୁ ନିଆଁ ଗଦା ପାଖେ ବସିଥାଇ ପାଟି କରି କହିଲା, ‘‘ଅର୍ଜୁନ ରାଉତ, ଶୁଣ ଆଉ ଗୋଟାଏ କଥା । ମୋ ଭାରିଯା ତ ଏଇକ୍ଷଣି ତୁମ ଝିଅ କୁକୁଡ଼ାକୁ ଆଣି ପହଞ୍ଚିବ । ସେ ଏଠେଇ ଆସି ପହଞ୍ଚିଲା ମାତ୍ରେ, ମୁଁ ତାକୁ ଏକ ନିରାପଦ ଜାଗାରେ ନେଇ ରଖି, ତୁମକୁ ଛାଡ଼ିଦେବି-। ତୁମେ ଦୁଇଲକ୍ଷ ଟଙ୍କା ଆଣି ଥୋଇଦେଲେ ତାକୁ ଧରି ଚାଲିଯିବ । ତୁମେ ବୁଝି ପାରୁଥିବ, ତାହାହେଲେ ତୁମେ ବୁଝିଥାଅ ତୁମ କୁକୁଡ଼ାର ଦଫା ରଫା ହୋଇଯିବ ।’’

 

ଉପର ମହଲାରେ ବନମାଳୀ ମୂର୍ଚ୍ଛିତ ହୋଇ ପଡ଼ିବା ଉପରେ ବସିଲା । ସେ ଭାବିଲା, ସତେ ଅବା ତା ହୃତ୍‌ପିଣ୍ତର ଗତି ବନ୍ଦ ହୋଇଯାଉଛି । ପିସ୍ତଲ ଫୁଟାଇ ଦେବାକୁ ହାତ ବଢ଼ାଇଲା; କିନ୍ତୁ ଦୀନା ସାହୁ ଯେ କହିଲା ତାକୁ ପୋଲିସ୍‌ ହାତରେ ଧରାଇଦେଲେ, ସେ କୁକୁଡ଼ାର ଦଫା ରଫା କରିଦେବ, ସେ କଥା ମନେପକାଇ ପିସ୍ତଲ ଘୋଡ଼ାରୁ ଆଙ୍ଗୁଠିଟା ପୁଣି ଖସାଇ ଆଣିଲା । ସେହି ମହା ନୈରାଶ୍ୟ-ସମୁଦ୍ର ମଧ୍ୟରେ ବନମାଳୀ ଗୋଟିଏ ମାତ୍ର ଆଶା ବିନ୍ଦୁ ଖୋଜିବାକୁ ଲାଗିଲା, କିନ୍ତୁ ପାଇଲା ନାହିଁ ।

 

ତଳ ମହଲା ଦାଣ୍ତଦ୍ୱାର ଫିଟିଲା । ସଦାଶିବ ଦେଖି ଚମକି ପଡ଼ିଲେ । ଦୀନା ସାହୁ କହିଲା, ‘‘ଏଇ ସାହୁଆଣୀ ଆସିଲାଣି’’ । ସାହୁଆଣୀ ତେଣୁ ରାଗରେ ଜଳି ଅଗ୍ନିଶର୍ମା ହୋଇ ଧାଇଁଆସି କହିଲା, ‘‘ସବୁ ମିଛ ! ପ୍ରଥମ ଗଳିରେ ଦୋ ମହଲା କୋଠା ନାହିଁ କି ସେଠେଇ ଅର୍ଜୁନ ରାଉତ ବୋଲି କାହାରି ଘର ନାହିଁ । ଲୋକେ ମତେ ଖାଲି ହାସ୍ୟାର୍ଣ୍ଣବ କରିବା ସାର ହେଲା । ଓଃ, କି ଠକ କି ।’’

 

ଉପରେ ବନମାଳୀ ନିଶ୍ଚିନ୍ତରେ ଗୋଟାଏ ନିଃଶ୍ୱାସ ମାରିଲା । ତା ଅପ୍‌ସରା ରାସମଣି ଆସନ୍ନ ବିପଦରୁ ରକ୍ଷାପାଇଲା ବୋଲି ସେ ବୁଝିଲା । ଦୀନା ସାହୁ ସଦାଶିବଙ୍କ ନିକଟକୁ ଆସି ପଚାରିଲା, ‘‘ଏପରି ମିଛ କାହିଁକି କହିଲ ?’’ ଉତ୍ତର ଶୁଣିଲା, ‘‘କେବଳ ଟିକିଏ ଫୁରସତ୍‌ ପାଇବାକୁ’’-। ସଦାଶିବ ସେହି ଅବସରରେ ତାଙ୍କ ବନ୍ଧନ ଗୋଟି ଗୋଟି କରି ଛିଣ୍ତାଇ ପକାଇଥିଲେ; ଗୋଡ଼ଟାଏ ଖୁଣ୍ଟିରେ ବନ୍ଧାହୋଇ ରହିଥିଲା ମାତ୍ର । ଡା’ଣ ହାତଟି ମୁକ୍ତ ହୋଇଯିବାରୁ ସେ କୁରୁତା ପକେଟରୁ ଛୁରୀ କାଢ଼ି ଅଲକ୍ଷିତ ଭାବରେ ଦଉଡ଼ି ସବୁ କାଟି ପକାଇଥିଲେ । କେବଳ ଗୋଡ଼ର ବନ୍ଧନଟା ବାକି ରହି ଯାଇଥିଲା ।

 

ସଦାଶିବ ବନ୍ଧନରୁ ପ୍ରାୟ ମୁକ୍ତ ହୋଇ ଠିଆ ହେବାର ଦେଖି ଦୀନା ସାହୁ ଏବଂ ଅନ୍ୟାନ୍ୟ ଡକାୟତମାନେ ବିସ୍ମୟରେ ଚମକି ପଡ଼ିଲେ । ସେମାନେ ତାଙ୍କ ଲୁଗାପଟା ସବୁ ଖାନତଲାସ କରି ଖୋଜିଥିଲେ । କିନ୍ତୁ ସେ ଯେ କୌଶଳରେ ଛୁରୀଟାଏ ଦୁଇ ଆଙ୍ଗୁଠି ସନ୍ଧିରେ ଲୁଚାଇ ରଖିଥିଲେ, ତାହା ସେମାନଙ୍କ ଆଖିରେ ପଡ଼ି ନ ଥିଲା । ସେ ଛୁରୀ ଆଙ୍ଗୁଠି ସନ୍ଧିରୁ କେତେବେଳେ କି ଉପାୟରେ ପକେଟ ଭିତରକୁ ଗଲା, ତାହା ମଧ୍ୟ କେହି ଦେଖି ନ ଥିଲେ ।

 

ସଦାଶିବ ବନ୍ଧନ ସବୁ ଛିଣ୍ତାଇ ଚାଲିଯିବାକୁ ବସିଛନ୍ତି ଦେଖି, ଡକାୟତମାନେ ପୁଣି ତାଙ୍କୁ ବାନ୍ଧି ପକାଇବାକୁ ବାହାରିଲେ । ତାହା ଦେଖି ସେ ଗୋଡ଼ର ଦଉଡ଼ିଟା ଭିଡ଼ି ଛିଣ୍ତାଇଦେଇ, ମୁହୂର୍ତ୍ତକ ମଧ୍ୟରେ ବିକଟ ଭୀମ ମୂର୍ତ୍ତି ଦେଖାଇ, ଗର୍ଜନ କରି କହିଲେ, ‘‘ତୁମେ ଭାବିଚ, ନିଆଁରେ ଏ ଯେ ସବୁ ଲୁହା ପଚେଇଚ ମୋ ଦେହରେ ମାଡ଼ି, ମୋଠୁ କଥା ବାହାର କରିନବ । ମୁଁ ଏଡ଼େ ଭୟାଳୁ ନୁହେଁ । ଏଇ ଦେଖନା ।’’ କହି, ସଦାଶିବ ନିଆଁଗଦା ଭିତରୁ ଖଣ୍ତିଏ ପାଚିଲା ଲୁହା ଟାଣିଆଣି କାଖରେ ଜାକିଧଇଲେ । ଉପରେ ବନମାଳୀ ମାଂସ ପୋଡ଼ିବା ଗନ୍ଧରେ ଭୟରେ ଟଳମଳ ହେଲା ।

 

କିଛି ସମୟ ପରେ ସଦାଶିବ କହିଲା, ‘‘ଦେଖିଲ, ମୁଁ ତୁମକୁ ଡରିବି ନା ତୁମେ ମୋତେ ଡରିବ ? କହି ଲୁହାଖଣ୍ତ କାଖରୁ କାଢ଼ି ପଞ୍ଜରବାଟେ ବାହାରକୁ ଫିଙ୍ଗି ଦେଲେ । ଲୁହାଟା ତଳେ ପଡ଼ି ଘାସରେ ଜମିଥିବା କାକରରେ ଲାଗି; ସେଁ ସେଁ ଶବ୍ଦ କଲା । ଡକାୟତମାନେ ଆଉ ବସି ନ ରହି ସଦାଶିବଙ୍କୁ ଯାଇ ପୁଣି ଧରି ପକାଇଲେ । ଜଣେ କହିଲା, ‘‘ଆଉ ଡେରି କରନା, ତଣ୍ଟିଟା କାଟିପକା, ।’’ ଆଉ ଜଣେ ଶୁଣି ଉତ୍ତର ଦେଲା, ‘‘ଠିକ୍‌ କଥା ତ । ଆଗ ସେୟା କରିବା ।’’

 

ବନମାଳୀ ଉପରୁ ଦେଖିଲା, ଦୀନା ସାହୁ ଓ ତା ଭାର୍ଯ୍ୟା କଥାବାର୍ତ୍ତା ହୋଇସାରିଲା ପରେ, ଦୀନା ସାହୁ କାନ୍ଥକୁରାରେ ରଖାଇଥିବା ଛୁରୀଟା ଆଣି, ହାତ ପାପୁଲିରେ ଘଷି ଘଷି, ସଦାଶିବଙ୍କ ଆଡ଼କୁ ଚାଲିଛି । ତହୁଁ ସେ ପିସ୍ତଲ ଘୋଡ଼ାରେ ଆଙ୍ଗୁଠି ଲଗାଇଲା; ମାତ୍ର ସେତିକିବେଳକୁ ତଳେ ପଡ଼ିଥିବା ଖଣ୍ତେ କାଗଜ ଉପରେ ତା ଦୃଷ୍ଟି ପଡ଼ିଗଲା । ସେ ପିସ୍ତଲଟି ଥୋଇଦେଇ, ତଳୁ କାଗଜ ଖଣ୍ତି ଗୋଟାଇ ଆଣିଲା । ସେ ପଢ଼ି ଦେଖିଲା, ସକାଳେ ଦୀନା ସାହୁ ବଡ଼ଝିଅ ଲେଖିଯାଇଛି, ‘‘ସିପାହୀମାନେ ଆସୁଛନ୍ତି’’ । ତା ମନରେ ଗୋଟାଏ ନୂଆ କଳ୍ପନା ଖେଳିଗଲା । ସେ କାଗଜଖଣ୍ତି ମୋଡ଼ି କଣା ବାଟେ ତଳମହଲା ମଝିକି ପକାଇଦେଲା ।

 

ସାହୁଆଣୀ ପାଟି କରି କହିଲା, ‘‘ଦେଖି, କଣ ଗୋଟାଏ ପଡ଼ିଲା ।’’ ଦୀନା ସାହୁ କାଗଜଖଣ୍ତ ଗୋଟେଇ ପଚାରିଲା, ‘‘ଏଟା ଘର ଭିତରକୁ ଆସିଲା କିପରି ।’’ ଭାର୍ଯ୍ୟା କହିଲା, ‘‘ପଞ୍ଜରଟା ଯେ ସକାଳେ ଝିଅକୁ ଲଗେଇ ଭାଙ୍ଗି ଦେଇଚ, ସେହି ବାଟେ ।’’ ଦୀନା ସାହୁ କାଗଜଖଣ୍ତ ଫିଟାଇ ଦେଖି କହିଲା, ‘‘ଏ ତ ଚମ୍ପୀ ହାତଲେଖା’’ ଓ ସଙ୍ଗେ ସଙ୍ଗେ କଳାକାଠ ପଡ଼ିଗଲା । ସେହି ଅବସ୍ଥାରେ ସେ କହିଲା, ‘‘ଆଉ ବିଳମ୍ବ ନାହିଁ । ଚାଲ, ପଳେଇବା ।’’ ମାର୍କଣ୍ତିଆ ପଚାରିଲା, ‘‘କୋଉ ବାଟେ ?’’ ଦୀନା ସାହୁ ଉତ୍ତର ଦେଲା, ‘‘କାଗଜ ଯୋଉ ବାଟେ ଆସିଲା ସେଠେଇ ସିପେଇ ଫିପେଇ ନିଶ୍ଚୟ ନାହାନ୍ତି ?’’

 

ଡକାୟତମାନେ ବନ୍ଦୀଙ୍କି ଛାଡ଼ିଦେଇ, ନିମେଷ ମଧ୍ୟରେ ଝରକା ପାଖେ ଯାଇ ରୁଣ୍ତ ହୋଇ, ଖସି ପଳାଇବାକୁ ଠେଲା ଠେଲି ହେଲେ । ଦୀନା ସାହୁ କହିଲା, ‘‘ଆଗେ ଜ ନ ବା’’ ଏବଂ ନିଜେ ଭାର୍ଯ୍ୟା ପିଛା ଧଇଲା । ମାର୍କଣ୍ତିଆ ପଛରୁ ତା କଛା ଟାଣିଧରି କହିଲା, ‘‘ରହ, ପାଜି, ଟଙ୍କା ନବୁ ତୁ; ଧରାହବୁ ଆମେ ?’’ ଦୀନା ସେହୁ ଉତ୍ତର ଦେଲା, ‘‘ଦେଖୁଚୁ ପୋଲିସ୍‌ ଆସି ଘରେ ପହଞ୍ଚିଲେଣି; ତୁ ଖେଳୁଚୁ ।’’ ମାର୍କଣ୍ତିଆ କହିଲା, ‘‘ନା, ତା ହବ ନାହିଁ । ଆସି, ଗୁଳା ପକେଇବା, କିଏ ଆଗ ଯିବ । ଆଣ ଚାଙ୍ଗୁଡ଼ି ।’’

 

ଦାଣ୍ତଦ୍ୱାରା କବାଟ ଧୀରେ ଫିଟିଲା ଓ ତେଣୁ ସ୍ୱର ଶୁଣାଗଲା, ‘‘ମୋ ଟୋପିଟା ନିଅ ।’’ ସମସ୍ତେ ଚାହିଁ ଚମକି ପଡ଼ିଲେ, ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ର ଆସି ଘର ଭିତରେ ପାଦ ପକାଇ ସାରିଥିଲେ ।

 

ଡକାୟତମାନେ ପଳେଇବାକୁ ଆଉ ଉଦ୍ୟମ ନକରି, ନିଆଁ ଲିଭାଇ ଘର ଭିତର ଜିନିଷଗୁଡ଼ାକ ଲୁଚାଇବାକୁ ଚେଷ୍ଟା କରିବାରେ ବ୍ୟସ୍ତ ରହିଲେ । କେବଳ ଦୀନା ସାହୁ ଭାର୍ଯ୍ୟା ସହିତ ଝରକାବାଟେ ପଳାଇବାକୁ ବସିଥିଲା । ସର୍ଦ୍ଦାର ମହାପାତ୍ର କହିଲେ, ‘‘ଦେଖ, ତୁମେ ଛ ସାତ ଜଣ । ମୁଁ ସାଙ୍ଗରେ ପନ୍ଦର ଜଣ ଲୋକ ଆଣିଚି । ବୃଥା ଗୋଳମାଳ କରନାହିଁ । ଡକାୟତମାନେ ସର୍ଦ୍ଦାରଙ୍କୁ ଏକା ଦେଖି ମାରି ପକାଇବାକୁ ଚେଷ୍ଟା କଲେ । ସର୍ଦ୍ଦାର ଗୋଟାଏ ସିଟି ବଜାଇଲେ । ହଠାତ୍‌ ପନ୍ଦର ଜଣ ସିପାହୀ ଆସି ଘର ଭିତରେ ରୁଣ୍ତ ହୋଇଗଲେ ଏବଂ ଡକାୟତମାନଙ୍କୁ ହାତକଡ଼ି ପକାଇଦେଲେ । ତା ପରେ ସର୍ଦ୍ଦାର ସିପାହୀଙ୍କି ହୁକୁମ ଦେଲେ, ବନ୍ଦୀକି ଖଲାସ କରିଦିଅ-।’’ କହି, ଚାହିଁ ଦେଖିଲେ, ବନ୍ଦୀ ଆଉ ନାହାନ୍ତି । ସଦାଶିବ ଘରଟାର ଅନ୍ଧି ସନ୍ଧି ଖୁବ୍‌ ଭଲରୂପେ ତ ଜାଣିଥିଲେ; ଗୋଳମାଳ ମଧ୍ୟରେ ଡେଇଁ ପଳାଇଗଲେ । ପରେ ଝରକା ତଳେ ମାଟିରେ ଦୁଇଟା ବଡ଼ ବଡ଼ ପାଦ ଚିହ୍ନ ଦେଖାଗଲା ।

 

ସର୍ଦ୍ଦାର କହିଲେ, ‘‘ସେଇଟାଇ ବଡ଼ଚୋର, ଦେଖୁଚି ।’’

 

ଆରଦିନ ସକାଳେ ଗୋଟାଏ ପିଲା ଛିଣ୍ତା କନା ପିନ୍ଧି, ଅଶ୍ଲୀଳ ଗୀତ ଗାଇ ଗାଇ ଆସି ଦର୍ଜି କୋଠା ତଳମହଲା ଦାଣ୍ତ ଦୁଆରେ ଗୋଇଠା ଲେଡ଼ା ମାରି କମ୍ପାଇବାକୁ ଲାଗିଲା । ସେ ଶବ୍ଦରେ ଗୋଟାଏ ନିକଟବର୍ତ୍ତୀ ଚାଳଘରୁ ଜଣେ ସ୍ତ୍ରୀଲୋକ ବାହାରିପଡ଼ି ଦୂରରୁ ପାଟିକରି ପଚାରିଲା, ‘‘କିଏରେ ବଦମାସ ? କାହିଁକି ଦୁଆରେ ମାରୁଚୁ ?

 

‘‘ବାପା କାହିଁ ?’’

‘‘ଫାଣ୍ତିରେ ।’’

‘‘ମା ?’’

‘‘ସେହି ଫାଣ୍ତିରେ । ‘‘

‘‘ଆଚ୍ଛା କଥା ! ଆଉ ମୋ ଭଉଣୀ ଦିହେଁ ?’’

‘‘ସେଇଠେଇ । ସମସ୍ତେ ଯାଇ ମାମୁଘରେ ଅଛନ୍ତି ।’’

 

ମୁହୂର୍ତ୍ତକ ମଧ୍ୟରେ ହରିଆ ଗୀତ ଗାଇ ଗାଇ ଦାଣ୍ତେ ଦାଣ୍ତେ ଡେଇଁ ଡେଇଁ ଫେରିଗଲା । ସ୍ତ୍ରୀଲୋକଟି ପଛରୁ ଶୁଣିଲା, ସେ ଗାଉଛି,

 

‘‘ବାପା ମାଆ ଅପା ଫାଣ୍ତିରେ;

ମେଖ ପଶିଯିବ.... ।’’

Image

 

୩୭

ପଳାତକର ଠିକଣା ମିଳିଲା

 

ସେଦିନ ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ର ଆସାମୀମାନଙ୍କୁ ହାତକଡ଼ି ଦେଇ, ଦଉଡ଼ିରେ ବାନ୍ଧି, ଘର ଭିତରୁ ନେଇ ଚାଲିଗଲେ । ତେଣେ ବନମାଳୀ ସଙ୍ଗେ ସଙ୍ଗେ ବାହାରିଯାଇ ପଦ୍ମନାଭ ବସାରେ ପହଞ୍ଚି କହିଲା, ‘‘ମୁଁ ଆଜି ଏଠେଇ ଶୋଇବି ।’’ ପରଦିନ ସକାଳେ ସେ ଦର୍ଜିକୋଠାକୁ ଆସି, ଘରଭଡ଼ା ଛିଣ୍ତାଇ ଦେଇ ଏବଂ ଅନ୍ୟାନ୍ୟ ଯାହା ଯାହାର ପାଉଣା ଥିଲା, ସବୁ ତୁଟାଇ ଦେଇ ପକାଇ, ଗୋଟିଏ ଗାଡ଼ିରେ ନିଜର ଯାବତୀୟ ଜିନିଷପତ୍ର ଲଦି, ଚାଲିଗଲା । ଗଲାବେଳେ ସେ ଯେ କେଉଁଠାକୁ ଯାଉଛି, କହି ମଧ୍ୟ ଗଲା ନାହିଁ । ସୁତରାଂ, ଦୁଇ ପହରେ ସର୍ଦ୍ଦାର ମହାପାତ୍ର ଆସି ଯେତେବେଳେ ଶୁଣିଲେ, ‘‘ସେ କୁଆଡ଼େ ଚାଲି ଗଲେଣି’’ ସେ ଅତ୍ୟନ୍ତ ନିରାଶ ହେଲେ । ଯେଉଁ ଚାକିରିଆଣି ବନମାଳୀ ବସାରେ କାମ କରୁଥିଲା, ସେ ଘରର ମାଲିକିଆଣୀକୁ ଦେଖି, ଓଠରେ ହାତ ଦେଇ, ବିସ୍ମିତ ସ୍ୱରରେ କହିଲା, ‘‘ମା, କିଏ ଭାବିଥିଲା ଏ କଥା । ମାଇକିନିଆ ଝିଅ ପରି ଥିବା ପିଲାଟିଏ, ତା ଦେହରେ ପୁଣି ଏ ଗୁଣ ଥିଲା ? ଏବେ ଧରାପଡ଼ିବା ଭୟରେ କୁଆଡ଼େ ପଳେଇଚି କେଜାଣି ।’’

 

ବନମାଳୀ ଯେ ଧରାପଡ଼ିବା ଭୟରେ ସେ ଘର ଛାଡ଼ି ଚାଲିଗଲା, ତା ନୁହେଁ । ସେଠାରେ ରହିଲେ ତାକୁ ଯେ ଟଣା ହୋଇ କଚେରିକି ଯିବାକୁ ପଡ଼ିବ, ସେ ବୁଝି ପାରିଥିଲା । ସାକ୍ଷ୍ୟ ଦେବାକୁ ହେଲେ, ତାକୁ ଦୀନା ସାହୁ ବିପକ୍ଷରେ ବହୁତ କଥା କହିବାକୁ ହୋଇଥାନ୍ତି । ପିତାଙ୍କ ଆଦେଶ ମନେରଖି ସେ ତାହା କରିବାକୁ ଇଚ୍ଛା କଲା ନାହିଁ । ସର୍ଦ୍ଦାର ମହାପାତ୍ର ଭାବିଲେ, ବନମାଳୀ ଭୟରେ ପଳାଇଯାଇଛି । ଦୁଇମାସ ଚାଲିଗଲା । ବନମାଳୀ ତେବେ ସୁଦ୍ଧା ପଦ୍ମନାଭ ଘରେ ବସା କରି ରହିଥିଲା । ସେ ଶୁଣିପାରିଲା, ଦୀନା ସାହୁ ହାଜତରେ ବନ୍ଦୀ ହୋଇ ରହିଛି । ନିଜ ପାଖେ ଟଙ୍କା ନ ଥିବାରୁ ସେ ପଦ୍ମନାଭଠାରୁ ପାଞ୍ଚ ଟଙ୍କା ଉଧାର କରି ଗୋପନରେ ଦୀନା ସାହୁ ପାଖକୁ ପଠାଇଦେଲା । ଧାର କରିବା ସେଥର ତା ଜୀବନରେ ପ୍ରଥମ । ପଦ୍ମନାଭ ଅନେକଥର ଅନୁନୟ ବିନୟ କରି ତାକୁ ଯାହା କରାଇପାରି ନ ଥିଲା, ଆଜି ପିତାଙ୍କ ଆଦେଶ ସ୍ମରଣ କରି, କର୍ତ୍ତବ୍ୟ ଅନୁରୋଧରେ ସେ ନିଜେ ତାହା କରିବସିଲା । ସେ ମନକୁ ମନ କହିଲା, ‘‘ଏ ତ କିଛି ଭୋଗବିଳାସ ପାଇଁ ନୁହେଁ, କର୍ତ୍ତବ୍ୟର ଅନୁରୋଧ, ପିତାଙ୍କ ପବିତ୍ର ଆଦେଶ ।’’
 

ବନମାଳୀ କ୍ରମେ ବେଶୀ ସନ୍ଦିଗ୍ଧ ଓ ଚିନ୍ତାକୁଳ ହୋଇପଡ଼ିଲା । ମୁହୂର୍ତ୍ତକ ପାଇଁ ସେ ତା ହୃଦୟର ଅମୂଲ୍ୟ ପ୍ରତିମା ଅପ୍‌ସରୀ ରାସମଣିକୁ ସେଦିନ ଦେଖିଥିଲା । ସେ ପୁଣି ମୁହୂର୍ତ୍ତକ ମଧ୍ୟରେ ତା ଦୃଷ୍ଟିପଥରୁ ଅତୀତ ହୋଇଗଲା । ବନମାଳୀ ତାର ଯେଉଁ କାଳ୍ପନିକ ନାମ ଏତେ ଦିନ ମନ ମଧ୍ୟରେ ଜପୁଥିଲା, ସେ ନାମ ଆଜି ତାକୁ ଅଳୀକ ବୋଧ ହେଲା । କୁକୁଡ଼ା ତ ଡାକନାମ; କୁମାରୀର ପ୍ରକୃତ ନାମ ସେ ବୁଝିପାରିଲା ନାହିଁ । ସେ ଭାବିଲା, ‘‘ସଦାଶିବ କଣ ସତେ ପୋଲିସ୍‌କୁ ଡରି ପଳେଇ ଗଲେ ? ତେଲଙ୍ଗାବଜାରରେ ସେଦିନ ମୁଁ ଯେଉଁ ମଜୁରିଆକୁ ଦେଖି ସଦାଶିବ ମହାନ୍ତି ହବ ।’’ ସେ ଏହିପରି ନାନା କଥା ଭାବି କଛି ଠିକ୍‌ କରି ପାରିଲା ନାହିଁ; ଅତିଶୟ ସନ୍ଦେହରେ ପଡ଼ିଲା । କିନ୍ତୁ ସବୁ ସତ୍ତ୍ୱେ, କୁମାରୀ ପ୍ରତି ତା ହୃଦୟର ଅନନ୍ତ ପ୍ରେମରୁ ତିଳେ ଊଣା ହେଲାନାହିଁ ।

 

ଦର୍ଜି କୋଠାର ଧରପଗଡ଼ରେ ସର୍ଦ୍ଦାର ମହାପାତ୍ରଙ୍କ ପ୍ରଶଂସା ସବୁଆଡ଼େ ବ୍ୟାପିଗଲା; କିନ୍ତୁ ସେ ଯେ ଘରର ବନ୍ଦୀକୁ ଧରି ପାରିଲେ ନାହିଁ, ସେଥିଲାଗି ଆଉ ଯେ ଯାହା କହନ୍ତୁ, ସେ ନିଜ ଜୀବନକୁ ତୁଚ୍ଛ ମଣିଲେ । ତାପରେ ପୁଣି ଉତ୍ସବା ଧରା ହୋଇ ବାଟରେ ଆସୁ ଆସୁ ଚମ୍ପାକୁ ଦେଖି ତା ସଙ୍ଗେ ଖସି ଚାଲିଗଲା । ଚମ୍ପା ଅବଶ୍ୟ ଧରା ପଡ଼ିଲା, କିନ୍ତୁ ତା ବିରୋଧରେ ପ୍ରମାଣ ନ ମିଳିବାରୁ ସେ ଖଲାସ ହୋଇଗଲା । ବାଞ୍ଛା ମଧ୍ୟ ବାଟରେ କୌଣସି ଉପାୟରେ ଖସି ଚାଲିଗଲା । ସେ କଥା ଫାଣ୍ତିରେ ଯାଇ ଜଣାପଡ଼ିଲା । କେହି କେହି କହିଲେ ‘‘ସିପାହୀମାନେ ତାକୁ ଜାଣି ଛାଡ଼ିଦେଲେ ।’’ ସେ ଯାହାହେଉ, ସର୍ଦ୍ଦାର ମହାପାତ୍ରଙ୍କର ମନର ଦୁଃଖ ମେଣ୍ଟିଲା ନାହିଁ ।

 

ବନମାଳୀ ଘର ଭିତରୁ ବାହାରି କେଉଁଆଡ଼େ ବିଶେଷ ଯିବା ଆସିବା କଲା ନାହିଁ । କେବଳ ବେଳେ ବେଳେ ସେ ଗଦାଧର ସହିତ ଦେଖା କରିବାକୁ ତା ଫୁଲ ବଗିଚାକୁ ଯାଏ । ଗଦାଧରର ଆର୍ଥିକ ଅବସ୍ଥା କ୍ରମେ ନିତାନ୍ତ ହୀନ ହୋଇ ଆସିଥିଲା; ଏପରିକି ଅନେକ ଦିନ ତାକୁ ଉପବାସରେ କଟାଇବାକୁ ପଡ଼ୁଥିଲା । ଦିନେ ସେ ବଗିଚା ମଧ୍ୟରେ ପୋଥି ଖଣ୍ତିଏ ଧରି ବସି, କିଛି ସମୟ ପଢ଼ି, ତାପରେ ଚିନ୍ତାରେ ମଗ୍ନ ହୋଇ ରହିଛି, ସେତେବେଳେ ଶୁଣିଲା, ‘‘ଗଦାନନା, ତୁମ ବଗିଚାରେ ପାଣି ମଡ଼େଇ ଦେବି ?’’ ସଙ୍ଗେ ସଙ୍ଗେ କଣ୍ଟା ବାଡ଼ରେ ଗୋଟାଏ ଖଡ଼୍‌ଖାଡ଼ ଶବ୍ଦ ହେଲା-। ମନେ ହେଲା, ଯେପରି ବାର୍‌ହା କିମ୍ୱା ଘୁଷୁରି ବାଡ଼ ଭାଙ୍ଗି ପଶୁଛି; କିନ୍ତୁ ବାଡ଼ ଭିତରୁ ଗୋଟିଏ ବାଳିକା ବାହାରି ଠିଆ ହେଲା ।

 

ବାଳିକା ବଗିଚାରେ ପାଣି ଦେଇ ସାରିବା ପରେ ଗଦାଧର ତା ନିକଟକୁ ଯାଇ କହିଲା, ‘‘ଝିଅ, ତୁ କେତେ କାମ କଲୁ; ଆହା, ମୋର କଣ ଅଛି ଯେ ତୋତେ ବକ୍‍ସିସ୍‌ ଦେବି ?’’

 

‘‘ମୋର ଆଉ କିଛି ଲୋଡ଼ା ନାହିଁ । ମୋତେ ଖାଲି କହିଦିଅ, ବନମାଳୀ ରାଏ ଓକିଲ ଏବେ କୋଠି ରହୁଛନ୍ତି ।’’ ଶୁଣି, ଗଦାଧର କିଛିକ୍ଷଣ ଭାବି ଗୋଟାଏ ସ୍ଥାନର ନାମ କହିଲା । ବାଳିକା ସ୍ୱପ୍ନର ପ୍ରତିମା ପରି ହଠାତ୍‌ କେଉଁଆଡ଼େ ଉଭେଇ ଗଲା । ଗଦାଧର ମନେ ମନେ ଭାବିଲା, ‘‘ମୋ ବଗିଚାରେ ପାଣି ଦିଆ ହୋଇ ନ ଥିଲେ, ମୁଁ ନିଶ୍ଚୟ ବିଶ୍ୱାସ କରିଥାନ୍ତି ଯେ ଏଟା ଗୋଟାଏ ଭୂତ ଆସିଥିଲା-।’’

 

ଗଦାଥର ବଗିଚାକୁ ଏ ଭୂତ ଯେଉଁଦିନ ଆସି ଚାଲିଗଲା, ତାପରେ ଦିନେ ବନମାଳୀ ଦୀନା ସାହୁ ପାଇଁ ପାଞ୍ଚଟି ଟଙ୍କା ଧରି ଘରୁ ବାହାରି ଆସିଲା । ସେ ପଦ୍ମନାଭଠାରୁ ଯେଉଁ ପାଞ୍ଚ ଟଙ୍କା ଧାର କରିଥିଲା, ଏ ସେହି ଟଙ୍କା । ବନମାଳୀ ଟଙ୍କା ଧରି ଇଦଗା ପଡ଼ିଆ ଆଡ଼କୁ ଗଲା । ବାସ୍ତବରେ ପଦ୍ମନାଭ ଘର ଅପେକ୍ଷା ସେହି ପଡ଼ିଆରେ ତାର ଅନେକ ସମୟ ଯାଏ । ସେଥିପାଇଁ ଗଦାଧରକୁ ସେ ତାର ସେହି ଠିକଣା କହିଥିଲା ।

 

ଇଦଗାପଡ଼ିଆରେ ବନମାଳୀ ଚିନ୍ତାମଗ୍ନ ହୋଇ ବସିଚି, ଶୁଣିଲା, ‘‘ଆଃ, ଏଇ ତ ସେ ।’’ ତହୁଁ ସେ ଆଖି ଫିଟାଇ ଚାହିଁ ଦେଖିଲା, ଆଗରେ ଚମ୍ପା ଠିଆ ହୋଇଛି । ଚମ୍ପା କହିଲା, ‘‘ଗଦାନନା ଠିକ୍‌ କହିଥିଲେ ତ । ମୁଁ ତୁମକୁ ଦେଢ଼ମାସ ହେଲା ଖୋଜି ବୁଲୁଚି; ଆଜି ପାଇଲି । ତୁମେ ଆଉ ସେ ଘରେ ନାହଁ ? କୋଉଠି ରହୁଚ କହ ନା ? ମୁହଁ ଶୁଖେଇ କାହିଁକି ବସିଚ ? ମୁଁ ତୁମ ଶୁଖିଲା ମୁହଁକୁ ଦେଖିବ, ସରସ କରିଦେବି । ମୁଁ ଗାରିଡ଼ି ମନ୍ତ୍ର ଜାଣେ ।’’

 

ବନମାଳୀ ଚମ୍ପାର ଏତେ ପ୍ରଶ୍ନର ଉତ୍ତର ନ ଦେଇ ଗମ୍ଭୀର ଭାବରେ ନୀରବ ହୋଇ ବସିଥିଲା; ମାତ୍ର ତାର ଶେଷ କଥା ପଦକ ଶୁଣି ପଚାରିଲା, ‘‘କଣ କହୁଚୁ ତୁ ?’’ ଉତ୍ତର ଶୁଣିଲା, ‘‘ମୁଁ ଠିକଣା ପାଇଚି ।’’ ବନମାଳୀ ଶେତା ପଡ଼ିଗଲା । ତା ଦେହର ସମୁଦାୟ ରକ୍ତ କ୍ଷଣକ ନିମନ୍ତେ ହୃତ୍‌ପିଣ୍ଡ ମଧ୍ୟକୁ ବୋହି ଚାଲିଗଲା । ସେ ପଚାରିଲା, ‘‘କି ଠିକଣା ?’’ ଉତ୍ତର ଶୁଣିଲା, ‘‘ଯୋଉ ଠିକଣା ମାଗିଥିଲ ।’’ ବନମାଳୀ ଡେଇଁପଡ଼ି, ଚମ୍ପାର ହାତ ଧରିପକାଇ, କହିଲା ‘‘ମୋତେ ସେଠୁକୁ ନେଇଯା’ନା । କେଉଁଠି ମୋତେ କହିଦେ । ମତେ ଆଉ ପାଗଳ କରନା ।’’

 

‘‘ମୋ ସାଙ୍ଗରେ ଆସ, ଦେଖେଇଦେବି । ମୁଁ କଣ ଗଳିଫଳିର ନାଁ ଜାଣିଚି ? ଖାଲି ଘରଟା ଚିହ୍ନିଚି ।’’ କହି ଚମ୍ପା ବନମାଳୀ ହାତରୁ ତା ହାତ ଖସାଇନେଲା । ମାତ୍ର ବନମାଳୀ ପୁଣି ଚମ୍ପା ହାତ ଧରିପକାଇ କହିଲା, ‘‘ତୁ ମୋ ପାଖେ ସତ୍ୟ କର, ଚମ୍ପା ସେ ଠିକଣା ତୋ ବାପାକୁ କହିବୁ ନାହିଁ ।’’ ଶୁଣି ଚମ୍ପା ଚମକି ପଡ଼ି ପଚାରିଲା, ‘‘ତୁମେ ମୋ ନାଁ କିମିତି ଜାଣିଲ ?’’ ବନମାଳୀ ଚମ୍ପାର ଦୁଇ ବାହୁକୁ ଧରି ପକାଇଲା । ‘‘ତୁ ସତ୍ୟକର, ତୁ ସେ ଠିକଣା ବାପାକୁ କେବେ କହିବୁ ନାହିଁ-।’’

 

‘‘ମୋତେ ଇମିତି ଧଇଲେ କଣ କହିବି ନାହିଁ ? ଆଚ୍ଛା, କହୁଚି, ସତ୍ୟ କରୁଚି, ବାପାକୁ କହିବି ନାହିଁ; ତ୍ରିବାର ସତ୍ୟ ।’’

 

‘‘ଆଉ କାହାକୁ ମଧ୍ୟ ନୁହେଁ ।’’

‘‘ଆଚ୍ଛା, ଆଉ କାହାକୁ ମଧ୍ୟ ନୁହେଁ ।’’

‘‘ତେବେ ଚାଲ, ମୋତେ ସେଠୁକୁ ନେଇଯା ।’’

 

‘‘ଆସ, ଆଃ ଦେଖ, ବନମାଳୀ ବାବୁଙ୍କ ମୁହଁ କିମିତି ପ୍ରସନ୍ନ ହୋଇଆସିଲାଣି । ଆଚ୍ଛା, ବନମାଳୀ ବାବୁ, ତୁମେ ମୋତେ କଣ ଦବ ବୋଲି କହିଥିଲ, ମନେ ଅଛି ।’’ ବନମାଳୀ କୁରୁତା ପକେଟରେ ହାତ ପୂରାଇ ଦରାଣ୍ଡି ଦେଖିଲା, ଦୀନା ସାହୁ ପାଇଁ ଯେ ପାଞ୍ଚଟି ଟଙ୍କା ଆଣିଥିଲା, ତା ଛଡ଼ା ତା ପାଖେ ଆଉ କିଛି ନାହିଁ । ସେ ଟଙ୍କା ପାଞ୍ଚଟି କାଢି ଚମ୍ପା ହାତରେ ଦେଲା । ଚମ୍ପା ଟଙ୍କାତକ ହାତରୁ ତଳେ ଗଳାଇ ପକାଇ, ନୀରସ ଭାବରେ କହିଲା, ‘‘ମୁଁ ଟଙ୍କା ମାଗି ଆସିଥିଲି ନା-?’’

Image

 

୩୮

ପ୍ରେମର ସଞ୍ଚାର

 

କଟକର ଜଣେ ବଙ୍ଗାଳୀ ମାଜିଷ୍ଟ୍ରେଟ୍‌ ସାହେବଜାଦା ବଜାରରେ ଗୋଟିଏ ଭଡ଼ା ଘରେ ରହିଥିଲେ । ସେ ବଦଳି ହୋଇଯିବା ପରେ, ଜଣେ ବୟସ୍କ ଲୋକ ସେ ଘରଟି ଭଡ଼ା ନେଇ ଜଣେ ଯୁବତୀ ଏବଂ ଜଣେ ବୁଢ଼ୀ ସଙ୍ଗେ ବାସ କରିବାକୁ ଲାଗିଲେ । ତା ଆଖପାଖେ ଆଉ କାହାରି ଘର ନଥିଲା । ବୟସ୍କ ଲୋକଟି ପାଣୁ ନାଏକ ଏବଂ ଯୁବତୀଟି ରମା । ବୁଢ଼ୀଟି ପାଣୁ ନାଏକର ଚାକିରିଆଣୀ, ନାମ ମାଣିକ । ଘରଟି ଅଭୟ ଦାସ ନାମରେ ଭଡ଼ା ନିଆ ଯାଇଥିଲା ।

 

ଦୀନା ସାହୁ ଯେଡ଼େ ସହଜରେ ପାଣୁ ନାଏକକୁ ଚିହ୍ନି ପକାଇଲା, ଏପର୍ଯ୍ୟନ୍ତ ଯାହା କୁହାଯାଉଛି, ପାଠକ ସେଥିରୁ ଆହୁରି ସହଜରେ ତାକୁ ଚିହ୍ନି ପାରିଥିବେ । କିନ୍ତୁ ସେ ଯେ କାହିଁକି ମାତାମାଠ ଛାଡ଼ି ଚାଲିଆସିଲା; ତାର କାରଣ ଜାଣି ନ ଥିବେ । ପାଣୁ ନାଏକ ରମାକୁ ଧରି ମଠ ଭିତରେ ନିଶ୍ଚିତ ହୋଇ ଆନନ୍ଦରେ କାଳ କଟାଉଥିଲେ । କିନ୍ତୁ କେତେ ବର୍ଷ ଗଲା ପରେ ସେ ଦିନେ ମନେ ମନେ ଭାବିଲା, ‘‘ରମା ପିଲା ଥିଲା, ବଡ଼ ହେଲା । ଏଠେଇ ତ ବିଭା ନ ହୋଇ ରହିବାକୁ ହେବ । ତେବେ ଜୀବନର ସୁଖ ଦୁଃଖ ସେ ଜାଣିମ କଣ ?’’ ଭବିଷ୍ୟତ୍‌ରେ ମୋତେ ସିନା ଦାୟୀ ହବାକୁ ପଡ଼ିବ । ସେ ଭାବନା ତା ମନରେ ଯେତିକି ସ୍ଥାୟୀ ହେଲା, ଜୀବନଟା ତାକୁ ସେତିକି ଅସହ୍ୟ ବୋଧ ହେଲା; ସୁତରାଂ, ସେ ମଠକୁ ଛାଡ଼ିବାକୁ ସ୍ଥିର କଲା ।

 

ପାଣୁ ନାଏକ ମଠ ଛାଡ଼ିଗଲା ଦିନ ଅନ୍ୟାନ୍ୟ କେତେକ ଜିନିଷ ମଧ୍ୟରେ ଗୋଟିଏ ଛୋଟିଆ ପେଡ଼ି ସଙ୍ଗରେ ନେଲା । ସେହି ପେଡ଼ିଟିର ଚାବି ସେ ନିଜ ପାଖରେ ସର୍ବଦା ରଖିଥାଏ । ତାହା ଦେଖି ରମା ମନରେ କୌତୁହଳ ଜନ୍ମେ । ସେ ପେଡ଼ିର କେବଳ ଗୋଟିଏ ପଦାର୍ଥ ପାଣୁ ନାଏକ ବାହାରେ ରଖିଥିଲା । ତାହା ଖଣ୍ଡିଏ ରୋମାଲ, ପାଣୁ ନାଏକ ଓ ରମାର କୋଠ ସମ୍ପତ୍ତି । ପାଣୁ ନାଏକ ଥଳି ଭିତରେ ଅନେକ ଦିନରୁ ଖଣ୍ଡିଏ ରୋମାଲ ଉପର, ‘‘ଅଭୟ ଦାସ’’ର ପ୍ରଥମ ଅକ୍ଷର ଲେଖି ଶିଖି, ପ୍ରଥମେ ସେହି ରୋମାଲ ଉପର, ‘‘ଅଭୟ ଦାସ’’ର ପ୍ରଥମ ଅକ୍ଷର ‘ଅ’ ଏବଂ ରମାର ପ୍ରଥମ ଅକ୍ଷର ‘ର’ ଲେଖି ଶେଷରେ ଗୋଟିଏ ପୂର୍ଣ୍ଣଚ୍ଛେଦ ଦେଇଥିଲା । ପୂର୍ଣ୍ଣଛେଦଟା ‘‘ର’’ ଦେହରେ ଲାଗି ଯାଇଥିଲା । ରୋମାଲ ଉପରେ ଅକ୍ଷର ଲେଖି ରମା ପାଣୁ ନାଏକକୁ ଆଣି ଦେଲା-। ପାଣୁ ନାଏକ ରୋମାଲଟିକୁ କେତେ ଦିନ ପେଡ଼ି ଭିତରେ ରଖି, ପୁଣି ଦିନେ ବାହାର କରି ନିଜ ଲୁଗାପଟା ସଙ୍ଗେ ରଖିଲା ।

 

ପାଣୁ ନାଏକ କେବଳ ଯେ ସାହେବଜାଦା ବଜାରରେ ଖଣ୍ଡିଏ ଘର ଭଡ଼ା ନେଇଥିଲା, ତା ନୁହେଁ । ସେ ସଙ୍ଗେ ସଙ୍ଗେ ଖଣ୍ଡିଏ ଘର ଓଡ଼ିଆ ବଜାରରେ ଏବଂ ଆଉ ଖଣ୍ଡିଏ ଘର ତେଲଙ୍ଗା ବଜାରରେ ମଧ୍ୟ ନେଇଥିଲା । ସେ ଗୋଟାଏ ଘରେ ଏକାଦିକ୍ରମେ ଅନେକ ଦିନ ରହିଲେ, କୋଠାରେ ଥିଲାବେଳେ ସର୍ଦ୍ଦାର ମହାପାତ୍ରଙ୍କ ଦୃଷ୍ଟିରେ ପଡ଼ିଲା ପରି, କାଳେ କେତେବେଳେ କାହା ଦୃଷ୍ଟିରେ ପଡ଼ିବ, ସେଥିପାଇଁ ଏକ ସମୟରେ ତିନିଟା ଘର ଭଡ଼ା ନେଇ ପ୍ରତ୍ୟେକ ଘରେ ବର୍ଷର ଚାରିମାସ କଟାଇବାକୁ ସ୍ଥିର କରିଥିଲା । ମାଣିକ ସାହେବଜାଦା ବଜାର ଘରେ ରହେ । ପାଣୁ ନାଏକ ତେଲେଙ୍ଗା ବଜାର କିମ୍ବା ଓଡ଼ିଆ ବଜାର ଘରକୁ ଗଲେ, କେବଳ ରମାକୁ ସାଥିରେ ଧରିଯାଏ ।

 

ପ୍ରକୃତ ପକ୍ଷେ କହିବାକୁ ଗଲେ, ସାହେବଜାଦା ବଜାର ଘରଟା ପାଣୁ ନାଏକର ରହିବାର ପ୍ରଧାନ ସ୍ଥାନ । ସେ ଘର ଉପର ମହଲାରେ ରମା ମାଣିକକୁ ଧରି ରାତିରେ ଶୁଏ । ପାଣୁ ନାଏକର ଶୋଇବା ସ୍ଥାନ ତଳ ମହଲା । ଖାଇବା ଏବଂ ବୁଲିବା ବେଳେ ରମା ସହିତ ପାଣୁ ନାଏକର ଦେଖା ସାକ୍ଷାତ ହୁଏ । ରମା ରୂପା ଥାଳିରେ ସରୁ ଚାଉଳ, ଦୁଧ, ଘିଅ ଭୁଞ୍ଜେ; ପାଣୁ ନାଏକ ତା ପାଖେ ବସି ଶାଗ ଖରଡ଼ା ସହିତ ବଗଡ଼ା ଚାଉଳ ଭାତ ଖାଏ । ପାଣୁ ନାଏକ ମାଣିକକୁ କହେ, ‘‘ରମା ଏ ଘର ମାଲିକ ।’’ ମାଣିକ ଆଚମ୍ବିତ ହୋଇ ପଚାରେ, ‘‘ଆଉ ତୁମେ ?’’ ସେ ଉତ୍ତର ଶୁଣେ, ‘‘ମୁଁ ମାଲିକଠୋଉ ଆହୁରି ଉପରେ; ତା ବାପ ।’’

 

ସାହେବଜାଦା ବଜାର ଘରେ ହେଉ, ଓଡ଼ିଆ ବଜାର ଘରେ ହେଉ ବା ତେଲେଙ୍ଗା ବଜାର ଘରେ ହେଉ, ଯେଉଁଠାରେ ରହିଲେ ସୁଦ୍ଧା; କିଲ୍ଲା ପଡ଼ିଆକୁ ରମାକୁ ଧରି ବୁଲିଯିବାକୁ ପାଣୁ ନାଏକର ଗୋଟାଏ ନିତ୍ୟ ନୈମିତ୍ତିକ କାର୍ଯ୍ୟ ଥିଲା । ଓଡ଼ିଆବଜାର ଘରେ ରହିଲା ବେଳେ ସେ କଟକଚଣ୍ଡୀ ଦେଉଳକୁ ପ୍ରାୟ ପ୍ରତିଦିନ ଯାଉଥିଲା ଏବଂ ଦେଉଳ ପାଖେ ଦୁଃଖୀ ଭିକାରୀଙ୍କୁ ଟଙ୍କାପଇସା ବାଣ୍ଟୁଥିଲା ।

 

ରମା ପ୍ରାୟ ତେର ବର୍ଷ ବୟସରେ ମଠ ଛାଡ଼ି ସଂସାରରେ ପାଦ ପକାଇଥିଲା । ସେତେବେଳେ କେବଳ ଆଖି ଦିଓଟି ଛଡ଼ା ତା ଦେହରେ ସୌନ୍ଦର୍ଯ୍ୟର ଅନ୍ୟ କୌଣସି ଚିହ୍ନ ନଥିଲା-। ସେ ମଠରେ ଥିଲା ବେଳେ ଯାହା ପଢ଼ାଶୁଣା କରିଥିଲା, ମଠରୁ ଆସି ତା ଅପେକ୍ଷା ଅନେକ ନୂଆ ନୂଆ ବିଷୟ ପଢ଼ି ଶିଖିଲା ଓ ଜୀବନ ଗଢ଼ିବାକୁ ଚେଷ୍ଟା କଲା ।

 

ରମା ତା ବାପା, ଅର୍ଥାତ୍‌ ପାଣୁ ନାଏକକୁ ଅତିଶୟ ସ୍ନେହ ଏବଂ ଭକ୍ତି କରୁଥିଲା । ଅନେକ ପରିମାଣରେ ସେ ତାକୁ ନିଜ ମନ୍ତ୍ରଗୁରୁ ପରି ମାନି ଚଳୁଥିଲା । ପାଣୁ ନାଏକ ମଧ୍ୟ ରମାକୁ ଜୀବନର ଅମୂଲ୍ୟ ସମ୍ପଦ ବୋଲି ମନେ କରୁଥିଲା । ଯୌବନରେ ସୁଦ୍ଧା ରମାର କେତେଗୁଡ଼ିଏ ପିଲାଦିନ ଅଭ୍ୟାସ ରହିଥିଲା । ସେ ପ୍ରଜାପତି ଧରିବାକୁ ଧାଇଁ ଧାଇଁ ଶେଷରେ ଆସି କହେ, ‘‘ଓଃ, ମୁଁ ଥକିଲିଣି’’ କହି ପାଣୁ ନାଏକ କୋଳରେ ମୁଣ୍ଡ ଦେଇ ଶୋଇପଡ଼େ । ପାଣୁ ନାଏକ ରମାର କପାଳରେ ଚୁମ୍ବନ ଦେଇ ଗୋଟାଏ ଦୀର୍ଘନିଃଶ୍ୱାସ ପକାଏ ।

 

ରମା ପିଲା ହୋଇଥିଲା ବେଳେ ପାଣୁ ନାଏକ ତା ମା’’ କଥା ତାକୁ ସ୍ୱଚ୍ଛନ୍ଦରେ କହୁଥିଲା; କିନ୍ତୁ ତା ବୟସ ସଙ୍ଗେ ବୁଝିବା ଶକ୍ତି ବଢ଼ିବାର ଦେଖି, ସେ ବିଷୟ ଗଳ୍ପ କରିବାକୁ ସେ ଆଉ ସାହସ କଲା ନାହିଁ । ଅବଶ୍ୟ ସେ ବେଳେବେଳେ ଅଭାଗିନୀ ରାଧାର ସ୍ମୃତି ମନେ ପକାଇ ଦୁଃଖରେ ବିହ୍ୱଳ ହୋଇପଡ଼େ । କିନ୍ତୁ ସେତେବେଳେ ସେ ଆଖି ଆଗେ ଗୋଟିଏ ମୂର୍ତ୍ତି ଦେଖେ । ମୂର୍ତ୍ତିଟି ନିଜ ଓଠରେ ଗୋଟିଏ ଆଙ୍ଗୁଠି ଦେଇ ଠିଆ ହୋଇଥିବାର ତାକୁ ଦେଖାଯାଏ । ରମା ବେଳେ ବେଳେ ସେ ଆଙ୍ଗୁଠିଟି ଦେଇ ଠିଆ ହୋଇଥିବାର ତାକୁ ଦେଖାଯାଏ । ରମା ବେଳେ ବେଳେ ସେ ଆଙ୍ଗୁଠିଟି ଉଠାଇଦିଏ; ଆସି କହେ, ‘‘ବାପା, ମୁଁ କାଲି ରାତିରେ ମା’କୁ ସ୍ୱପ୍ନରେ ଦେଖିଲି । ସେ ଜଣେ ସ୍ୱର୍ଗର ଦେବୀ; ନା ?’’ ପାଣୁ ନାଏକ ଉତ୍ତର ଦିଏ, ହଁ ମା, ତ୍ୟାଗ ବଳରେ ପରା ଦେବୀ ପାଲଟିଚି ।’’

 

ଦିନେ ରମା ଅକସ୍ମାତ୍‌ ଦର୍ପଣରେ ନିଜ ମୁହଁ ଦେଖିପକାଇ ଚମକିପଡ଼ି କହିଲା, ‘‘ଆରେ-!’’ ସେ ପର୍ଯ୍ୟନ୍ତ ନିଜ ମୁହଁ ବିଷୟରେ ତାର କୌଣସି ଧାରଣା ନ ଥିଲା । ଅବଶ୍ୟ ସେ ଯେ କେବେ ଦର୍ପଣରେ ମୁହଁ ଦେଖି ନ ଥିଲା, ତା ନୁହେଁ; କିନ୍ତୁ ମୁହଁର ସୌନ୍ଦର୍ଯ୍ୟ ଉପରେ ତା ଦୃଷ୍ଟି କେବେ ପଡ଼ି ନ ଥିଲା । ସେଦିନ ସେ ଦର୍ପଣରେ ସେ ସୌନ୍ଦର୍ଯ୍ୟ ଦେଖିପାରିଲା । ଅନ୍ୟ ଲୋକେ ଯେତେବେଳେ ରମାକୁ କୁତ୍ସିତ କଦର୍ଯ୍ୟ ବୋଲି କହନ୍ତି; ଏକମାତ୍ର ପାଣୁ ନାଏକ ଧୀର ସ୍ୱରରେ କହେ, ‘‘ନା, ନା, ସବୁକଥା ମିଛ ।’’ ତଥାପି ରମା ବୁଝିଥିଲା ଯେ ତାର ଆଦୌ ସୌନ୍ଦର୍ଯ୍ୟ ନାହିଁ । କିନ୍ତୁ ସେଦିନ ସେ ଶୁଣିଲା, ପାଣୁ ନାଏକ ବରାବର ଯାହା କହିଆସିଛି, ଦର୍ପଣଟା ମଧ୍ୟ ତାକୁ ସେହି, ‘‘ନା, ନା’’ କହିଲା-। ବାସ୍ତବରେ ରମାର ସୌନ୍ଦର୍ଯ୍ୟ କାଳକ୍ରମେ ଫୁଟି ଉଠିଲା, ତା ବର୍ଣ୍ଣର ମଳିନତା ଯାଇ ଚମ୍ପାଫୁଲ ଆଭା ବିକଶିଥିଲା, ବାଳ ପେଣ୍ଡା ଆଣ୍ଠୁ ତଳକୁ ପଡ଼ୁଥିଲା । ମୁହୂର୍ତ୍ତକ ମଧ୍ୟରେ ରମା ନିଜର ସୌନ୍ଦର୍ଯ୍ୟ ଉପଲବ୍‍ଧି କଲା । ପାଣୁ ନାଏକ ଦିନକୁ ଦିନ ରମାର ଅଙ୍ଗ ପ୍ରତ୍ୟେଙ୍ଗରେ ସୌନ୍ଦର୍ଯ୍ୟର ବିକାଶ ଦେଖି, ଟିକିଏ ସଙ୍କୁଚିତ ବୋଧ କରୁଥିଲା । ସଂକୋଚ କ୍ରମେ ଗୋଟାଏ ଅପରିଜ୍ଞାତ ଭାବନାରେ ପରିଣତ ହେଲା ।

 

ରମା ଯେଉଁଦିନ ମନେ ମନେ ଭାବିଲା, ‘‘ଆହା, ମୁଁ କେଡ଼େ ସୁନ୍ଦର,’’ ସେହି ଦିନଠାରୁ ସେ ବେଶଭୂଷା ପ୍ରତି ଅଧିକ ଦୃଷ୍ଟି ଦେବାକୁ ଲାଗିଲା । ନିଜ ସୌନ୍ଦର୍ଯ୍ୟରେ ପ୍ରତ୍ୟୟ ଜନ୍ମିବାରୁ ରମଣୀ ସୁଲଭଲାଳିତ୍ୟ ତା ପ୍ରାଣରେ ଫୁଟିଉଠିଲା । ସେ ଯେତେବେଳେ ଯେ ପ୍ରକାର ବେଶଭୂଷା ବରାଦ କଲା, ପାଣୁ ନାଏକ ଅକାତରେ ତାହା କିଣିଆଣି ଦେଲା । ମାସକ ମଧ୍ୟରେ ରମା କଟକ ସହରରେ ଅପ୍‌ସରୀ ହୋଇପଡ଼ିଲା । କିନ୍ତୁ ରମଣୀ ଶାସନ ଅଭାବରୁ ବେଶଭୂଷା ବିଷୟରେ ରମାର ବେଳେ ବେଳେ ଭୁଲ୍‌ ହୋଇଯାଉଥିଲା । ମା ଥିଲେ ତା ମୁଣ୍ଡରେ ଯେ ସିନ୍ଦୁରଟୋପି ଲଗାଇ ଦେଉଥାନ୍ତା, ସେ ସେଥିରୁ ବଞ୍ଚିତ ହୋଇ ରହୁଥିଲା । ପୁରୁଷ ବ୍ୟକ୍ତି ଦେଖିଲେ ଲୁଚିବା, ଦାଣ୍ଡକୁ ନ ବାହାରିବା, ପଣତ କାନିରେ ମୁହଁ ଘୋଡ଼ାଇ ରଖିବା ଆଦି ଯୁବତୀ ସୁଲଭ ଗୁଣରେ ସେ ଆଦୌ ଦିନେ ଅଭ୍ୟସ୍ତ ହୋଇ ନ ଥିଲା । ସୁତରାଂ ବୟସ୍କା ସ୍ତ୍ରୀ ବ୍ୟକ୍ତି ଓ ଗୃହିଣୀମାନେ ତାକୁ ‘ଅଣ୍ଡିରାଚଣ୍ଡୀ’ ବୋଲି ମନେ କରୁଥିଲେ । ଆବାଲ୍ୟରୁ କେବଳ ପୁରୁଷ ଓ ବିଶେଷରେ ପାଣୁ ନାଏକ ପରି ଜଣେ ପୁରୁଷ ସଙ୍ଗରେ ରହି, ରମା ପୁରୁଷସୁଲଭ ଚାଲିଚଳନ ଅନୁକରଣ କରିଥିଲା ।

 

ଛ’ ମାସର ଅନୁପସ୍ଥିତି ପରେ ବନମାଳୀ କିଲ୍ଲାପଡ଼ିଆରେ ଯେ ରମାକୁ ଭେଟିଲା, ତାହା ରମା ଜୀବନର ସେହି ସମୟରେ । ପ୍ରେମ ବିନିମୟ ରାଜ୍ୟରେ ଗୋଟାଏ ସାମାନ୍ୟ ଅପାଙ୍ଗରେ ଯେ କି ମୂଲ୍ୟ, ତାହା ଲେଖନୀରେ ପ୍ରକାଶ କରିବା ଅସମ୍ଭବ । ବନମାଳୀ ଯେତେବେଳେ ରମାର ସୌନ୍ଦର୍ଯ୍ୟ ଦେଖିବାକୁ ତା ନିକଟରେ ବାରମ୍ୱାର ଯାତାୟାତ କରୁଥାଏ, ରମା ଗୋପନରେ କେତେବେଳେ ତା ଆଡ଼କୁ କଟାକ୍ଷ ପକାଇଲା, ତାହା ସେ ଜାଣେ; ବନମାଳୀ କୌଣସି ଆଭାସ ପାଇଲା ନାହିଁ; କିନ୍ତୁ ପରେ ସେହି କଟାକ୍ଷ ଯୋଗେ ଉଭୟେ ମଦନ ଶରୀର ପୀଡ଼ା ଅନୁଭବ କରିବାକୁ ଲାଗିଲେ । ଅବଶ୍ୟ ବେଳେ ବେଳେ ରମାର ସୌନ୍ଦର୍ଯ୍ୟରେ ସନ୍ଦେହ ଜନ୍ମେ; କିନ୍ତୁ ରମା ବନମାଳୀକୁ ପୁରୁଷସୌନ୍ଦର୍ଯ୍ୟର ଆଦର୍ଶ ବୋଲି ମନେକଲା । ପ୍ରେମରାଜ୍ୟରେ ରମଣୀ ଳଜ୍ଜାଶୀଳା ଏବଂ ପୁରୁଷ ସାହସିକତାର ଦୃଷ୍ଟାନ୍ତ । ବନମାଳୀ ରମା ହୃଦୟର ସ୍ନେହ ଗ୍ରହଣ କରି, କାହିଁକି ଯେ ନିଜ ଆଡ଼ୁ ସ୍ନେହର କିଛି ଆଭାସ ଦେଉ ନାହିଁ ଭାବି ରମା ବେଳେ ବେଳେ ପ୍ରାଣରେ ବିଷାଦ ଅନୁଭବ କରୁଥିଲା ।

 

ଯେଉଁଦିନ ବନମାଳୀ ଓ ରମା ମଧ୍ୟରେ ପ୍ରଥମ ଦୃଷ୍ଟିର ଆଦାନ ପ୍ରଦାନ ହେଲା; ସେଦିନ ରମା ଘରକୁ ଫେରିଆସି ଆନନ୍ଦରେ ମଗ୍ନ ହୋଇ ରହିଲା । ଆରଦିନ ରମା ପାଣୁ ନାଏକ ସହିତ କିଲ୍ଲାପଡ଼ିଆକୁ ବୁଲିବାକୁ ଯାଇ ଦେଖିଲା, ବନମାଳୀ ପଡ଼ିଆର ସେପାଖେ କିଛି ଦୂରରେ ବସିଛି; ଉଠି ରମା ଆଡ଼କୁ ଆସିବାର କୌଣସି ଲକ୍ଷଣ ଦେଖାଉନାହିଁ । ପ୍ରେମର ଆଦାନପ୍ରଦାନ ପରେ ନାଏକ ନାୟିକାଙ୍କ ମଧ୍ୟରେ ମନୋଭାବର ଗୋଟାଏ ବିପର୍ଯ୍ୟୟ ଘଟେ । ନାଏକ ଶଙ୍କାରେ ଆନ୍ଦୋଳିତ ହୁଏ; ନାୟିକା ହୃଦୟରେ ସାହସ ଫୁଟିଉଠେ । ବନମାଳୀ ଶଙ୍କିତ ହୋଇ ସେ ଦିନ ଦୂରରେ ବସି ରହିଥିଲା । ଦେଖି, ରମା ପାଣୁ ନାଏକକୁ କହିଲା, ‘‘ବାପା, ଆମେ ସେଆଡ଼େ ବୁଲିବାକୁ ଯିବା ନାହିଁ ?’’ ବନମାଳୀ ରମା ପାଖକୁ ନ ଆସିବାରୁ ରମା ବନମାଳୀ ନିକଟକୁ ଗଲା ।

 

କ୍ରମେ ବନମାଳୀ ଓ ରମା ମଧ୍ୟରେ ପରସ୍ପର ପ୍ରତି ସ୍ନେହର ମାତ୍ରା ବଢ଼ିବାକୁ ଲାଗିଲା । ରମାକୁ ନ ଦେଖିଲେ, ବନମାଳୀ ବ୍ୟସ୍ତ ହେଲା । ବନମାଳୀକି ନ ଦେଖି, ରମା ନିଜ ଜୀବନ ତୁଚ୍ଛ ମଣିଲା । ପାଣୁ ନାଏକକୁ ରମା ବରାବର କହିଲା, ‘‘ଆହା, କିଲାପଡ଼ିଆଟା କି ସୁନ୍ଦର ।’’ ବନମାଳୀ ଓ ରମା ମଧ୍ୟରେ ସେପର୍ଯ୍ୟନ୍ତ, ପଦେ ସୁଦ୍ଧା କଥାବାର୍ତ୍ତା ହୋଇନାହିଁ; ସେମାନେ ଆକାଶର ଦୁଇଟି ତାରା ପରି ନୀରବରେ ଚୁହାଁଚୁହିଁ ହେଉଛନ୍ତି ମାତ୍ର । ପ୍ରେମର ସେହି ଚୁହାଁଚୁହିଁ ପୂର୍ବର କୁତ୍ସିତା ବାଳିକା ପରମା ସୁନ୍ଦରୀ ଯୁବତୀରେ ପରିଣତ ହେଲା । ପୁଣି ତା ସରଳତା ସୌନ୍ଦର୍ଯ୍ୟ ଉପରେ ଲାବଣ୍ୟର ଗୋଟିଏ ଢାଙ୍କୁଣୀ ଘେରାଇଦେଲା ।

Image

 

୩୯

ଘା’ ଭଲ ହୋଇଗଲା

 

ପ୍ରତ୍ୟେକ କ୍ଷେତ୍ରରେ ଆବଶ୍ୟକ ବେଳେ ପ୍ରାଣୀର ସହଜ ବୁଦ୍ଧି ବିକଶି ଉଠେ । ରମା ବନମାଳୀ ସହିତ ଯେତିକି ଏକ ହୋଇ ଯିବାକୁ ଲୋଡ଼ିଲା, ପାଣୁ ନାଏକ ସେତକ ବନମାଳୀଠାରୁ ଦୂରେଇ ରହିବାକୁ ଇଚ୍ଛା କଲା । ସେ ନିଜ ହୃଦୟ ମଧ୍ୟରେ ଥରିବାକୁ ଲାଗିଲା ସେ । ଅପରିଚିତ ଯୁବକ ବିଷୟରେ ପାଣୁ ନାଏକ ରମାକୁ ତୁଣ୍ଡ ଫିଟାଇ ପଦେ ସୁଦ୍ଧା କହି ନ ଥିଲା । ଦିନେ ସେ କାହିଁକି ହଠାତ୍‍ କହି ପକାଇଲେ, ‘‘ସେ ଟୋକାଟାର ଟିକିଏ ଦେଖେଇହବା ଢଙ୍ଗ ଅଛି ।’’ ଜୀବନରେ ପ୍ରଥମେ ସେହି ଦିନ ବନମାଳୀକୁ ଆଖି ଫିଟାଇ ଦେଖିଲା । ପାଣୁ ନାଏକ ମନେ ମନେ ଭାବିଲା, ‘‘ମୁଁ କେଡ଼େ ବୋକା ! ସେ ତାକୁ ଚାହିଁ ସୁଦ୍ଧା ନ ଥିଲା । ଏବେ ମୁଁ ଦେଖେଇଦେଲି ।’’

 

ଦିନେ ବନମାଳୀ ରମାର ଅନୁସରଣ କରି ଓଡ଼ିଆବଜାର ଘର ପର୍ଯ୍ୟନ୍ତ ଯାଇଥିଲା । ଆଉ ଦିନେ ସେ ଘରର ଜଗୁଆଳ ସଙ୍ଗେ ଯାଇ କଥାବାର୍ତ୍ତା ମଧ୍ୟ ହୋଇଥିଲା । ଜଗୁଆଳ ପାଣୁ ନାଏକକୁ ସେ କଥା କହିଥିଲା । ତହୁଁ ପାଣୁ ନାଏକ ଓଡ଼ିଆବଜାର ଘର ଛାଡ଼ି ସାହେବଜାଦା ବଜାର ଘରକୁ ଚାଲିଗଲା ଏବଂ କିଲ୍ଲାପଡ଼ିଆକୁ ବୁଲିଯିବା ଛାଡ଼ିଦେଲା । ରମା ଅବଶ୍ୟ ସେଥିରେ ପାଟି ଫିଟାଇଲା ନାହିଁ, କିନ୍ତୁ ନିଜ ହୃଦୟ ମଧ୍ୟରେ ସନ୍ତୁଳି ହେବାକୁ ଲାଗିଲା । ପାଣୁ ନାଏକ ସେ କଥା କିଛି ବୁଝିପାରିଲା ନାହିଁ, କେବଳ ଦେଖିଲା ରମା ଟିକିଏ ବିମର୍ଷ ଅଛି । ତହୁଁ କିଛିଦିନ ପରେ ସେ ଦିନେ ପଚାରିଲା, ‘‘ମା, କିଲ୍ଲାପଡ଼ିଆକୁ ବୁଲିଯିବୁ କି ?’’ ରମାର ମୁଖମଣ୍ଡଳ ଉଜ୍ଜ୍ୱଳ ଦିଶିଲା । ସେ କହିଲା, ‘‘ହଁ ।’’ ସେଦିନ ଦୁହେଁ ତିନିମାସ ପରେ ପୁଣି ସେଠାକୁ ଗଲେ । ବନମାଳୀ ସେଠାରେ ନ ଥିଲା । ପରଦିନ ପାଣୁ ନାଏକ ରମାକୁ ପଚାରିଲା, ‘‘ଝିଅ, କିଲ୍ଲାପଡ଼ିଆକୁ ଯିବୁ ?’’ ରମା ବିଷର୍ଣ୍ଣ ସ୍ୱରରେ କହିଲା, ‘‘ନା ।’’

 

ରମା ଏବଂ ବନମାଳୀ ପରସ୍ପରକୁ ନ ଦେଖି ଝୁରିବାକୁ ଲାଗିଲେ । ରମା ରମଣୀସୁଲଭ ସହଜଜ୍ଞାନରେ ପାଣୁ ନାଏକ ମନର ଭାବ ବୁଝିପାରି, କିଲ୍ଲାପଡ଼ିଆ ପ୍ରତି ଉଦାସୀନତା ଦେଖାଇବାକୁ ଶିଖିଲା । କ୍ରମେ ଦୁହେଁ ମଙ୍ଗଳବାଗ ପାରି ହୋଇ ରାଣୀହାଟ ଆଡ଼େ ବୁଲିବାକୁ ଗଲେ-। ସେଠାରେ କିଛିଦିନ ବୁଲି, ରମା ପୁଣି ବାଳିକା ଅବସ୍ଥାକୁ ଫେରିଆସିଲା; ଗଛର ଫୁଲକୁ ଚାହଁରହିଲା, ପ୍ରଜାପତି ଉଡ଼ିଲେ ନ ଧରି କେବଳ ପଛେ ପଛେ ଗୋଡ଼ାଇଲା ।

 

ଦିନେ ବୁଲିବାକୁ ଯାଇଛି, ଅନେକ ଦୂରରେ ଦିଗ୍‌ବଳୟ ଉପରେ ଗୋଟାଏ ପାଣ୍ଡୁର ବର୍ଣ୍ଣ ଚିହ୍ନ ଦେଖାଗଲା । ରମା ଏକଦୃଷ୍ଟିରେ ଚାହିଁ ରହିଲା । ପାଣୁ ନାଏକ ପାଖରେ ବସି ରମାର ଭବିଷ୍ୟତ କଳ୍ପନା କରିବାକୁ ଲାଗିଲା; ରମା ସହିତ କିପରି ତାର ବିଚ୍ଛେଦ ନ ଘଟିବ, ଚିନ୍ତା କଲା । କେତେକ ସମୟ ପରେ ରମା କହିଲା, ‘‘ବାପା, ଦେଖନା, ଏକାଠି କେତେ ଲୋକ ମେଳ ବାନ୍ଧି ଆସୁଚନ୍ତି ।’’ ପାଣୁ ନାଏକ ମୁଣ୍ଡ ଟେକି ଚାହିଁଲା, ରମା ଠିକ୍‌ କହୁଥିଲା ।

 

ଚାହୁଁ ଚାହୁଁ କେତେକ ଦଣ୍ଡ ମଧ୍ୟରେ ୨୦ ଜଣ ଲୋକ କ୍ରମେ ନିକଟବର୍ତ୍ତୀ ହୋଇ ଆସିଲେ । ସମସ୍ତେ ଗୋଟାଏ ଲେଖାଏଁ ଜଙ୍ଘିଆ ପିନ୍ଧିଛନ୍ତି ଓ ବେକରେ ଗୋଟାଏ ଗୋଟାଏ ଲେଖାଏଁ ଲୁହାବଳା ଗଳାଇଛନ୍ତି । ପ୍ରତି ବଳାରେ ଖଣ୍ଡେ ଛୋଟିଆ କାଠ ପଟା ଝୁଲୁଛି । ପ୍ରତ୍ୟେକ ଲୋକ ମୁଣ୍ଡରେ ଗୋଟାଏ ଛୋଟିଆ ଟୋପି ଅଛି । ଜଙ୍ଘିଆଗୁଡ଼ାକ ଧଳା, କେବଳ ମଇଳା ହୋଇ ମାଟିଆ ପାଲଟି ଯାଇଛି । ସମାନ ଦୂରରେ ତା ଉପରେ ଗୋଟାଏ ଲେଖାଏଁ କଳାଗାର ପଡ଼ିଛି । କୋଡ଼ିଏ ଜଣଯାକ ଲୋକଙ୍କ ହାତକୁ ହାତ ଲୁହା ଖଡ଼ୁରେ ଛନ୍ଦା ହୋଇଛି । ସମସ୍ତେ ଆଗପଛ ହୋଇ ଧାଡ଼ି ବାନ୍ଧି ଚାଲିଛନ୍ତି । ସବା ଆଗରେ ଓ ପଛରେ ଯେ ଦୁଇଜଣ ଅଛନ୍ତି, ତାଙ୍କ ଅଣ୍ଟାରେ ଗୋଟାଏ ଲେଖାଏଁ ଦଉଡ଼ି ଲାଗିଛି । ଦଉଡ଼ି ଅଗ ଧରି ଜଣେ ସିପାହୀ ଚାଲିଛନ୍ତି । ପଛରେ ଆଉ କେତେଜଣ ସିପାହୀ ମଧ୍ୟ ଆସୁଛନ୍ତି । ବନ୍ଧା ହୋଇ ଚାଲୁଥିବା ଲୋକମାନେ ନ ଚାଲି ଟିକିଏ ଠିଆ ହୋଇଗଲେ କିମ୍ବା ଧୀରେ ଧୀରେ ଚାଲିଲେ, ସିପାହୀମାନେ ସେମାନଙ୍କୁ କଦର୍ଯ୍ୟ ଅଶ୍ଳୀଳ ଭାଷାରେ ଗାଳି ଦେଉଛନ୍ତି ଓ ବେତ ଧରି ତାଙ୍କ ପିଠିରେ ପ୍ରହାର କରୁଛନ୍ତି । ଲୋକଗୁଡ଼ାକ ମାଡ଼ଖାଇ, ବେଙ୍ଗଳା ଗୋରୁ ପରି, ମୁଣ୍ଡ ନୁଆଁଇ ବେଗେ ବେଗେ ଝଣଝଣ ଶୁଣାଇ ଚାଲୁଛନ୍ତି ।

 

ଦେଖି, ରମା ପଚାରିଲା, ‘‘ବାପା, ଏ ଲୋକେ କିଏ ?’’ ପାଣୁ ନାଏକ ଗୋଟାଏ ଦୀର୍ଘନିଃଶ୍ୱାସ ଚାପି ରଖି କହିଲା, ‘‘କଏଦି’’ ।

 

‘‘କୁଆଡ଼େ ଯାଉଚନ୍ତି ?’’

‘‘ଜେଲଖାନାକୁ ।’’

 

ପାଣୁ ନାଏକ ଓ ରମା ଘରକୁ ଫେରିଗଲେ । ବାଟରେ ରମା ପାଣୁ ନାଏକକୁ ଯେ କେତେ ପ୍ରଶ୍ନ ପଚାରିଲା ଏବଂ ପାଣୁ ନାଏକ କୌଣସିଟାରେ ଉତ୍ତର ନ ଦେଇ କେବଳ ନୀରବ ଭାବରେ ଚିନ୍ତାମଗ୍ନ ହୋଇ ଚାଲିବାର ଲାଗିଲା, ତାହା ସେ ବାଟରେ ଚାଲିବାବେଳେ ବୁଝି ପାରିଲାନାହିଁ କି ପରେ ଘରେ ପହଞ୍ଚି ସ୍ମରଣ କରିପାରିଲା ନାହିଁ । ସେଦିନ ରାତିରେ ରମା ଯେତେବେଳେ ବାପାକୁ ଛାଡ଼ି ଶୋଇବାକୁ ଗଲା, କହିଲା, ‘‘ମୁଁ ଯେବେ ଏକୁଟିଆ ଥିଲାବେଳେ ସେ ଲୋକଙ୍କ ମଧ୍ୟରୁ ଜଣଙ୍କ ପାଖରେ ଦେଖନ୍ତି, ମୋ ପିଣ୍ଡରୁ ପ୍ରାଣ ଛାଡ଼ିଯାଆନ୍ତା, ବାପା !’’

 

ତା ପରଦିନ କଟକ ସହରରେ ଗୋଟାଏ ମହାଉତ୍ସବ । ଭାରତର ଶାସନଭାର କମ୍ପାନୀ ହାତରୁ ଶ୍ରୀମତୀ ମହାରାଣୀଙ୍କ ହାତକୁ ଗଲା । ଫଳରେ ମହାରାଣୀଙ୍କ ଅଭିଷେକ ଉତ୍ସବ ଭାରତରେ ସର୍ବତ୍ର ଯେପରି ହେଉଥିଲା, କଟକ ସହରରେ ମଧ୍ୟ ମହା ସମାରୋହରେ ପାଳନ କରାଯାଉଥିଲା । ଦିନଯାକ ଭୋଜି, ବାଦ୍ୟ, ସଂକୀର୍ତ୍ତନ ଚାଲିଲା; ରାତିରେ ଘରେ ଘରେ ଦୀପ ଜଳିଲା, ନାଟ ତାମସା ହେଲା । ପାଣୁ ନାଏକ ରମାର ମନ ବଦଳାଇବା ନିମନ୍ତେ ତାକୁ ନେଇ ସେ ସବୁ ଦେଖାଇ ଆଣିଲା । ଫେରିଲାବେଳେ ବାଟରେ ରମା ଟିକିଏ ଚିନ୍ତିତ ଦେଖାଗଲା । କ୍ଷଣକ ପରେ ସେ ମୁଣ୍ଡ ଟେକି, ପାଣୁ ନାଏକ ମୁହଁକୁ ଚାହିଁ କହିଲା, ‘‘ବାପା, ଜେଲଖାନା କଣ ? ମୋତେ ଟିକିଏ କହନା ।’’

 

ପାଣୁ ନାଏକ ସହିତ ରମାର ସମ୍ପର୍କ ଉପରେ ଧୀରେ ଧୀରେ ଏକ ଅଦୃଶ୍ୟ ଛାୟା ଢାଙ୍କି ହୋଇଗଲା । ସେ ମଧ୍ୟରେ ଗୋଟିଏ ମାତ୍ର ବିଳାସର ବିଷୟ ରହିଲା ପାଣୁ ନାଏକର ରମାକୁ ଧରି ଦୀନ ଦୁଃଖିଙ୍କୁ ଟଙ୍କା ପଇସା ଦେବା । ସେମାନେ ଅଗାଧୁ ବେହେରା ଘରକୁ ଯେ ସାହାଯ୍ୟ ଦେବାକୁ ଯାଇଥିଲେ, ତାହା ସେହି ସମୟରେ ।

 

ଦର୍ଜି କୋଠାକୁ ଯିବା ଦିନ ରାତିରେ ପାଣୁ ନାଏକ, କାଖରେ ଗୋଟାଏ ପୋଡ଼ା ଘା ସମ୍ଭାଳି, ଘରେ ଶୋଇରହିଲା । ରମା ସେବା ଶୁଶ୍ରୂଷା କରିବାରେ ଲାଗିଲା । କ୍ରମେ ପାଣୁ ନାଏକ ମନରୁ ଗୋଟାଏ ଚିନ୍ତାରେ ଆବରଣ ଖସି ପଡ଼ିଲା । ସେ ଦିନେ ରମାକୁ ଚାହିଁ କହିଲା, ‘‘ମୋର ଏ ଘା’ଟା ଗୋଟାଏ ଶୁଭ ଜିନିଷ । ମୋ ଦେହକୁ ଅବଶ୍ୟ କଷ୍ଟ ଦେଲା; ହେଲେ, ମନରୁ କଳୁଷ ପୋଛି ନେଇଯିବ ।’’

 

ରମା ଦିନରାତି ପାଣୁ ନାଏକର ସେବାକରି, ତାକୁ ରୋଗରୁ ମୁକ୍ତ କଲା । ପାଣୁ ନାଏକ ଘା’ କଷ୍ଟରୁ ରକ୍ଷା ପାଇବା ସଙ୍ଗେ ସଙ୍ଗେ ଦୀନା ସାହୁର ଅତ୍ୟାଚାର ବିଷୟ ଭୁଲିଗଲା । ସେ ନିଜେ ପୋଲିସ୍‌ ହାବୁଡ଼ରୁ ବର୍ତ୍ତୀ ଚାଲିଆସିଲା, ତାକୁ ଆଉ କେହି ଖୋଜି ବାହାର କରି ପାରିଲେ ନାହିଁ । ରମା ମଧ୍ୟ କଏଦୀମାନଙ୍କ ସ୍ମୃତି ମନରୁ ପୋଛି ପକାଇଲା । ଫଳରେ ପାଣୁ ନାଏକ ସନ୍ଧ୍ୟାବେଳେ ବଗିଚାରେ ଚନ୍ଦ୍ର କିରଣରେ କାନି ପାରି ଶୋଇଥିବା ସମୟରେ ରମା ବିଚ୍ଛେଦ ବିରହ ଦୁଃଖ ଗୀତମାନ ଗାଇ ତାକୁ ଶୁଣାଉଥିଲା ।

Image

 

୪୦

କାହା ଧନ କେଉଁଠାକୁ ଗଲା

 

ହରିଆ ଦିନେ ସନ୍ଧ୍ୟା ପର୍ଯ୍ୟନ୍ତ କିଛି ଖାଇ ନ ଥିଲା । ସେ ମନେ ପକାଇ ଦେଖିଲା ଯେ ପୂର୍ବଦିନ ମଧ୍ୟ ଖାଦ୍ୟ ସହିତ ତା ପାଟିର ସମ୍ପର୍କ ଘଟି ନ ଥିଲା; ସୁତରାଂ ସେ ମନକୁ ମନ କହିଲା, ‘‘ଏକଥା ଯେ ଶୁଣିମ ହସିବ ।’’ କହି, ସେଦିନ ସନ୍ଧ୍ୟାରେ ସେ ଉଦରପୂର୍ଣ୍ଣ କରିବାକୁ ଦୃଢ଼ ପ୍ରତିଜ୍ଞା ହେଲା । ପ୍ରତିଜ୍ଞା ରକ୍ଷା କରିବା ନିମନ୍ତେ ସେ ଗଳିରୁ ଗଳିକୁ ବୁଲି ବୁଲି ଗଲା । ଗୋଟାଏ ବଗିଚାରେ ସେ କିଛିଦିନ ତଳେ ବାରମାସି ଆମ୍ବ ପାଚିଥିବାର ଦେଖିଥିଲା । ସେ ସେହି ବଗିଚା ପାଖେ ପହଞ୍ଚି ବାଡ଼ ଡେଇଁବାକୁ ଯାଉଛି- ଶୁଣିଲା, ବଗିଚା ଭିତରେ ଦୁଇ ଜଣ ବସି କଥାବାର୍ତ୍ତା ହେଉଛନ୍ତି । ହରିଆ ଛପି ଶୁଣିବାକୁ ଲାଗିଲା ।

 

‘‘ଜମିବାଲା କହୁଚି, ତାର ତିନି ବର୍ଷର ଖଜଣା ବାକି ରହିଲାଣି । ସେ ଖଜଣାପାଇଁ ମକଦ୍ଦମା କରିବ, ଆଉ ତୁମକୁ ବାହାର କରିଦେବ ।’’

 

‘‘ତେବେ ମୁଁ ଚାଲିଯିବି ।’’

‘‘ଦୋକାନୀ କହୁଚି, ଆଉ ଚାଉଳ ଡାଲି କାଲି ଦବ ନାହିଁ ।’’

‘‘ଭଲ କଥା; ମୋର ତ ମଧ୍ୟ ଭାତ ଜୀର୍ଣ୍ଣ ହଉ ନାହିଁ ।’’

‘‘ତେବେ, କଣ ଖାଇବ ?’’

‘‘ଦିଓଳି ମାଣ୍ଡିଆ ଜାଉ ।’’

‘‘ମାଣ୍ଡିଆବାଲାକୁ ପଚାରିଲି, କହିଲା, ‘ଆଗ ପଇସା ଦିଅ, ଦେବି ।’’

‘‘ଭଲ କଥା ।’’

‘‘ଆମେ ଖାଲି ହାତରେ ଏପରି ଆଉ ଚଳିପାରିବା ନାହିଁ ।’’

‘‘ମୁଁ ଆଉ କଣ କରିବି ? ହାତରେ କିଛି ନାହିଁ ଯେ ।’’

 

ବୁଢୀ ଚାକରୀଆଣୀ ଶୁଣି, କୁଡ଼ିଆ ଭିତରକୁ ଚାଲିଗଲା । ଗଦାଧର ଏକୁଟିଆ ବସି ଚିନ୍ତାରେ ବୁଡ଼ି ରହିଲା । ହରିଆ ମଧ୍ୟ ବାଡ଼ପାଖେ ବସି ଭାବିବାକୁ ଲାଗିଲା । କିଛିକ୍ଷଣ ଭାବିବା ପରେ, ସେ ବାଡ଼ ଭିତରେ ଗଳି, ଗଦାଧର ଯେଉଁ ପଥର ଉପରେ ବସିଥିଲା, ତା ତଳେ ଆସି ଶୋଇଲା; କିନ୍ତୁ ସେ ଶୁଆ କେବଳ ବିରାଡ଼ିର ଶୁଆ, ଯହିଁରେ ଗୋଟାଏ ଆଖି ବନ୍ଦ ହେଲେ ଆଉ ଗୋଟାଏ ମେଲା ରହେ । ମେଲା ଥିବା ଆଖିରେ ହରିଆ ଦେଖିଲା, ଖଣ୍ଡେ ଦୂରରେ ଦୁଇଜଣ ଲୋକ ଆସୁଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବୁଢ଼ା ଓ ଆର ଜଣକ ଯୁବକ । ଯୁବକଟା ହରିଆ ଚିହ୍ନେ । ସେ ଉତ୍ସବା । ଉତ୍ସବା ଅନ୍ଧାରରେ ଜଣେ ଲୋକ ପଛରେ ଅନୁସରଣ କରିଗଲେ, ଦେଖିବା ଲୋକର ଭୟ ହେବାର କଥା ।

 

ହରିଆ ଆଗରେ ଆସୁଥିବା ବୁଢ଼ା ଲୋକଟିକୁ ସାବଧାନ କରାଇଦେବ ବୋଲି ଭାବିଲା; କିନ୍ତୁ ତାର ସାହସ ହେଲା ନାହିଁ । ସେହି ସମୟରେ ହଠାତ୍‌ ଦୁଇ ଜଣଙ୍କ ମଧ୍ୟରେ ଧରାଧରି ଗଡ଼ାଗଡ଼ି ଲାଗିଲା । ଉତ୍ସବା ବୁଢ଼ାକୁ ଯାଇ ମାଡ଼ି ବସିବାରୁ ସେ କାଣ୍ଡଟା ଉପୁଜିଲା । ହରିଆ ଦଉଡ଼ିଯାଇ ଦେଖିଲାବେଳକୁ ସେ ଯାହା ଭାବିଥିଲା, ତାର ଠିକ୍‌ ବିପରୀତ ଫଳ ଘଟିଛି; ଉତ୍ସବା ତଳେ ଚିତ୍‌ହୋଇ ଶୋଇଛି ଓ ବୁଢ଼ା ତା ଉପରେ ମାଡ଼ି ବସିଛି । ଦେଖି, ସେ ଥଟ୍ଟାରେ ତାଳି ମାଇଲା । କିନ୍ତୁ ବୁଢ଼ା ବା ଯୁବକ କେହି ଶୁଣି ପାରିଲେ ନାହିଁ । କେତେକ ସମୟ ପରେ ବୁଢ଼ା ଉତ୍ସବାକୁ ଛାଡ଼ିଦେଇ, ଉଠିପଡ଼ି, କହିଲା, ‘‘ଉଠ୍‌ ।’’

 

ଉତ୍ସବା ଉଠି ଠିଆ ହେଲା; କିନ୍ତୁ ବୁଢ଼ା ତାକୁ ଭିଡ଼ିଧରି ପଚାରିଲା ‘‘ତୋ ବୟସ କେତେ-?’’ ଉତ୍ତର ଶୁଣିଲା ‘‘ଊଣିଶ ବର୍ଷ ।’’ ତହୁଁ ବୁଢ଼ା କହିଲା, ‘‘ତୋର ବଳ ବୟସ ଅଛି । କାମ କାହିଁକି କରୁନାହୁଁ; ତୋ ବ୍ୟବସାୟ କଣ ?’’ ଜବାବ ପାଇଲା, ‘‘ବୁଲିବା ।’’

 

‘‘ଠିକ୍‌ କହ, ତୋର କଣ କରିବା ଇଚ୍ଛା ?’’

‘‘ଚୋରୀ ।’’

 

ତା ପରେ ଅନେକ ସମୟ ନୀରବତା ରାଜତ୍ୱ କଲା । ବୁଢ଼ାଟି ଉତ୍ସବାକୁ ଭିଡ଼ିଧରି ଠିଆହେଲା । ଉତ୍ସବା ଚାଲିଯିବାକୁ ଅନେକ ଟାଣି ଓଟାରି ହେଲା, କିନ୍ତୁ ଖସି ପଳାଇ ପାରିଲା ନାହିଁ-। ବୁଢ଼ା ଅନେକ ସମୟ ଭାବି ଭାବି ପରେ ଉତ୍ସବାକୁ ଗୋଟାଏ ଦୀର୍ଘ ନିବେଦନ କଲା । ତାର ପ୍ରତ୍ୟେକ ଶବ୍ଦ ହରିଆ କର୍ଣ୍ଣକୁହରରେ ପ୍ରବେଶ କରିବାକୁ ଲାଗିଲା ।

 

‘‘ଦେଖ୍‌, ବାପା, ତୋର ବୟସ ବର୍ତ୍ତମାନ ଅଳ୍ପ । ମାତ୍ର ତୁ ଧ୍ୱଂସ ମାର୍ଗରେ ଚାଲିଯିବାକୁ ବସିଚୁ । ଏ କାର୍ଯ୍ୟ ଛାଡ଼ିଦେ । ପରିଶ୍ରମ କରିବା ଦରକାର । ନୋହିଲେ ଅନ୍ୟମାନେ ହସି ଗୀତ ଗାଉଥିବେ, ଆଉ ତୁ କାନ୍ଦି ଆଖିରୁ ଲୁହ ପୋଛୁଥିବୁ । ତୋର ଭଲ ଖାଇବାକୁ, ସୁନ୍ଦର ପୋଷାକ ପିନ୍ଧିବାକୁ, ଭୋଗ ବିଳାସରେ ରହିବାକୁ ଇଚ୍ଛା । ତୁ ଭୁଲ୍‌ବାଟରେ ଚାଲୁଚୁ । ମୋ କଥା ଶୁଣ୍‌ । ମୁଁ ଯାହା କହିଲି, ଯାଇ, ଘରେ ବସି ଭାବି ଦେଖ୍‌ । ଆଚ୍ଛା, କହିଲୁ ଦେଖି, ମୋତେ କାହିଁକି ତୁ ଏପରି ଆସି ମାଡ଼ିବସିଲୁ ? କଣ ମୋଠୋଉ ଟଙ୍କା ନବାକୁ ? ଏଇ ନେ ।’’ କହି, ବୁଢ଼ା ଉତ୍ସବାକୁ ଛାଡ଼ିଦେଇ, ଗୋଟିଏ ମୁଣି ତା ହାତରେ ଧରାଇଦେଲା । ଉତ୍ସବା ତାହା ନିଜ ବାହୁବଳରେ ପାଇଥିଲା ପରି, ଯତ୍ନରେ କୁରୁତା ପକେଟରେ ରଖି, ଗୁଣୁ ଗୁଣୁ ସ୍ୱରରେ କହିଲା, ‘‘ବୁଢ଼ା ଧାକଡ଼ ।’’

 

ବୁଢ଼ା ଚାଲିଯାଇ ଅନ୍ଧାରରେ କ୍ଷଣକମଧ୍ୟରେ ଅନ୍ତର୍ଦ୍ଧାନ ହୋଇଗଲା । ହରିଆ ଅଗ୍ରସର ହେଲା । ସେ ଚାହିଁ ଦେଖିଲା, ଗଦାଧର ସେହି ପଥର ଉପରେ ବସି ବସି ଶୋଇପଡ଼ିଛି । ତହୁଁ ସେ ଛପି ଛପି ଉତ୍ସବା ପାଖେ ଯାଇ ପହଞ୍ଚିଲା । ଉତ୍ସବା ଗୋଟାଏ ପଥରମୂର୍ତ୍ତି ପରି ଅବାକ୍‌ ନିଷ୍ପନ୍ଦ ହୋଇ ବସିଥିଲା । ଧୀରେ ଧୀରେ ତା ପକେଟରେ ହାତ ପୂରାଇ ସେ ଟଙ୍କା ମୁଣିଟି କାଢ଼ି ଆଣିଲା ଏବଂ ଚମ୍ପେଇନଳୀ ପରି ଗୁରୁଣ୍ଡି ଗୁରୁଣ୍ଡି ପୂର୍ବ ସ୍ଥାନକୁ ଫେରିଆସିଲା । ଉତ୍ସବା ସେ ସବୁ କିଛି ଟେର ପାଇଲା ନାହିଁ । ହରିଆ ଟଙ୍କା ମୁଣିଟି ଗଦାଧର ବସିଥିବା ସ୍ଥାନକୁ ଫିଙ୍ଗିଦେଇ ଧାଇଁ ଚାଲିଗଲା । ‘ଝଣ’ ଶବ୍ଦ ଶୁଣି, ଗଦାଧର ଆ୍‌ଖି ଫିଟାଇ; ମୁଣିଟି ହାତରେ ଧିଇଲା ଓ ଫିଟାଇ ଦେଖିଲା, ତିନୋଟି ସୁନାମୋହର, ପଚିଶଟି ଟଙ୍କା ଏବଂ କେତେଗୁଡ଼ିଏ ରେଜିକି ତହିଁରେ ଅଛି । ସେ ତାହା ନେଇ ଚାକରାଣୀକୁ ଦେଖାଇଲା । ଚାକରାଣୀ କହିଲା, ‘‘ଏ ସ୍ୱର୍ଗରୁ ତେବେ ପଡ଼ିଚି, ଦିଅଁ ଦେଇଚନ୍ତି-।’’

Image

 

୪୧

ନାମ ପଚରା ପଚରି

 

ସେ ଅନୁଭୂତି ପରେ ପାଣୁ ନାଏକ ଜୀବନର ଚିନ୍ତାସ୍ରୋତରୁ ଗୋଟାଏ ଧାର ବାହାରି ଏକ ନୂତନ ନାଳରେ ବୋହିବାକୁ ଲାଗିଲା । ରମା ହୃଦୟରେ ବିରହ ବେଦନା କ୍ରମେ ଆରୋଗ୍ୟ ଲାଭ କରିବାକୁ ବସିଥିଲା । ଦିନେ ସେ ବନମାଳୀ ବିଷୟରେ କହିଲା, ‘‘ମୁଁ ତ ତାଙ୍କ କଥା ମନରୁ ପାସୋରି ଦେଇଥିଲି ।’’ ହପ୍ତାକ ମଧ୍ୟରେ, ସେ ଦିନେ ବଗିଚାରେ ବୁଲୁଛି, ଜଣେ ହୃଷ୍ଟପୁଷ୍ଟ ଲୋକ ସେ ବାଟେ ଚାଲିବାର ଦେଖିଲା । ବେଶଭୂଷା ଓ ଚାଲିଚଳନରୁ ମନେହେଲା, ସେ ବନମାଳୀର ଠିକ୍‌ ବିପରୀତ ଲୋକଟି । ତା ମୁହଁରେ ଗୋଟାଏ ପିକା ଜଳୁଥିଲା । ଲୋକଟି ଦପ୍‌ଦପ୍‌ ହୋଇ ଚାଲିବାରେ ଲାଗିଥିଲା । ତା ପରଦିନ ମଧ୍ୟ ସେ ଲୋକ ସେହି ବାଟେ ଗଲା । କ୍ରମେ ରମା ଦେଖିଲା, ଲୋକଟି ପ୍ରତିଦିନ ତା ବଗିଚା ଦ୍ୱାରବାଟେ ଯିବାକୁ ଲାଗିଲା । ରମାର ମନେହେଲା, ସେ ଜଣେ କୁସ୍ତି କସରତ କରିବା ମାଲ ।

 

ଠିକ୍‌ ସେହି ସମୟରେ ତେଣେ ବନମାଳୀ ଗଭୀର ନୈରାଶ୍ୟ ସାଗର ମଧ୍ୟରେ ବୁଡ଼ି ଯାଉଥିଲା । ଦିନେ ସେ କହିଲା, ‘‘ମୁଁ ମରିବା ପୂର୍ବରୁ ଥରେ ହେଲେ ତାଙ୍କ ଦର୍ଶନ ପାଆନ୍ତି ।’’ ରମା ତା ବଗିଚା ଆଗରେ ମାଲ ଆଡ଼କୁ ଦୃଷ୍ଟିପାତ କରିବାର ବନମାଳୀ ସେତେବେଳେ ଦେଖିଥିଲେ, ସେ ଦୁଃଖ ଓ କ୍ରୋଧରେ ହୁଏତ ପ୍ରାଣ ବିସର୍ଜନ କରିଥାନ୍ତା । ବନମାଳୀ ଓ ରମା ଦୁହିଁଙ୍କ ପ୍ରକୃତି ଭିନ୍ନ ଭିନ୍ନ ରକମର । ବନମାଳୀ ଥରେ ଦୁଃଖରେ ପଡ଼ିଲେ ତହିଁରେ ବୁଡ଼ିରହେ । ଯେଉଁ ଲୋକେ ଥରେ ଦୁଃଖ-ପଙ୍କରେ ବୁଡ଼ି ପୁଣି ଧୋଇଧାଇ ହୋଇ ବାହାରିଆସନ୍ତି, ରମା ସେହି ଶ୍ରେଣୀର ଅନ୍ତର୍ଗତ ।

 

ପ୍ରତିଦିନ ବଗିଚା ଆଗରେ ଯାଉଥିବା ଯୁବକ ମାଲକୁ ଦେଖି ରମାର ହୃଦୟ-ସରସୀ ଉପରେ ଗୋଟାଏ ସ୍ନେହର ସ୍ତର ପଡ଼ିବାକୁ ଲାଗିଲା; କିନ୍ତୁ ସେ ସ୍ତର ତଳେ ବରାବର ସରସୀର ନିମ୍ନ ପ୍ରଦେଶ ପର୍ଯ୍ୟନ୍ତ ସମଗ୍ର ସ୍ଥାନ କିଏ କରିଥିଲା ତାହା ସେତେବେଳେ ସେ ଭଲ ରୂପେ ବୁଝିପାରୁ ନ ଥିଲା । ସେପରି ସମୟରେ ଗୋଟାଏ ଘଟଣା ଘଟିଲା ।

 

ପାଣୁ ନାଏକ ରମାକୁ ମାଣିକ ପାଖେ ଛାଡ଼ିଦେଇ, ଦୁଇ ତିନି ମାସରେ ଥରେ କେଉଁ ଆଡ଼େ ତିନି ଚାରି ଦିନ ପାଇଁ ଚାଲିଯାଏ । ସେ କେଉଁଆଡ଼େ ଯାଏ, କେହି ଜାଣନ୍ତି ନାହିଁ; ନିଜେ ରମା ସୁଦ୍ଧା ନୁହେଁ; କିନ୍ତୁ ସେ ନିୟମିତ ରୂପେ ଯାଏ ଏବଂ ହାତରେ ଟଙ୍କା ଊଣା ପଡ଼ି ଆସିଲାବେଳକୁ ତା ଯିବାଟା ଘଟେ । ଫେରି, ସେ ଦୁଇ ଚାରି ଦିନ ବିସ୍ତର ଦାନ ମଧ୍ୟ କରେ । ଦିନେ ବସନ୍ତ କାଳରେ ପାଣୁ ନାଏକ ଘରୁ ଚାଲିଯିବା ବେଳେ କହିଗଲା, ମୁଁ ତିନି ଦିନରେ ଫେରିଆସିବି ।’’ ରମା ଘର ଭିତରେ ଏକୁଟିଆ ବସି ଗୀତ ଗାଇବାକୁ ଲାଗିଲା । ଗୀତ ଗାଇସାରିଲାବେଳକୁ ସେ କାହା ପାଦ ଶବ୍ଦ ଶୁଣିଲା ଓ କାନଡେରି ଜାଣିପାରିଲା; କିଏ ଜଣେ ପୁରୁଷଲୋକ ବଗିଚାରେ ଯିବା ଆସିବା କରୁଛି । ସେ ପଞ୍ଜର ପାଖେ ଯାଇ ଦେଖିଲା; ଚନ୍ଦ୍ରକିରଣରେ ବଗିଚାଟି ଉଜ୍ଜଳ ଦିଶୁଛି; କିନ୍ତୁ ସେ କୌଣସି ଲୋକକୁ ଦେଖିଲାନାହିଁ; ତହୁଁ ସେ ମନେ ମନେ ଭାବିଲା, ‘‘ଏଟା ଖାଲି କଳ୍ପନା-।’’

 

ପର ଦିନ ସନ୍ଧ୍ୟାରେ ରମା ବଗିଚାରେ ବୁଲୁଥିଲାବେଳେ ପୁଣି ପାଦଶବ୍ଦ ଶୁଣାଗଲା । ଶୁଣି, ସେ ଘର ଆଡ଼କୁ ଚାଲିଆସିଲା, ମାତ୍ର ତା ଛାଇ ପାଖେ ଜହ୍ନ ଆଲୁଅରେ ଆଉ ଗୋଟାଏ ଛାଇ ପଡ଼ିଯାଇ ପୁଣି ଉଭେଇଗଲା । ସେ ଚାହିଁ ଦେଖିଲା, କେହି କେଉଁଆଡ଼େ ନାହିଁ । ତାର ଭୟ ହେଲା । ତଥାପି ସେ ସାହସ ବାନ୍ଧି ବଗିଚାଯାକ ଯାଇ ଖୋଜିଲା; କିନ୍ତୁ କିଛି ଦେଖିଲା ନାହିଁ ।

 

ପର ଦିନ ପାଣୁ ନାଏକ ଫେରିଆସିଲା । ରମା ପୂର୍ବ ଦୁଇ ରାତିର ଅନୁଭୂତି ତାକୁ ବର୍ଣ୍ଣନା କରି କହିଲା । ଶୁଣି ପାଣୁ ନାଏକ ଉତ୍ତର ଦେଲା, ‘‘ସେ କିଛି ନୁହେଁ ।’’ କିନ୍ତୁ ସେ ନିଜେ କିଛି ସମୟ ପରେ ସବୁଆଡ଼େ ବୁଲି ଥରେ ଦେଖିଆସିଲା । ତା ପର ଦୁଇ ରାତି ସେ ବଗିଚାରେ ବୁଲି କଟାଇଲା । ତୃତୀୟ ରାତିରେ ଚନ୍ଦ୍ର କିଛି ବିଳମ୍ବରେ ଉଦୟ ହେଲା । ରାତିପ୍ରାୟ ଗୋଟାକବେଳେ ପାଣୁ ନାଏକ ରମାକୁ ଡାକି ଦେଖାଇଲା, ଘର ଛାତ ଉପରୁ ଗୋଟାଏ ଖୁଣ୍ଟିରୁ ଛାଇ ତଳେ ପଡ଼ିଥିଲା । ତହୁଁ ସେ ହସି ହସି କହିଲା, ‘‘ତୁ ଏଇଟାକୁ ଦେଖି ଡରିଲୁ ।’’ ରମା ନିଜର ଭ୍ରମ ଯୋଗେ ଲଜ୍ଜିତ ହେଲା ।

 

କେତେକ ଦିନ ପରେ ଆଉ ଗୋଟାଏ ଘଟଣା ଘଟିଲା । ସେହି ମାସରେ; କିଛିଦିନ ପରେ, ପାଣୁ ନାଏକ ନ ଥିବାବେଳେ, ରମା ସନ୍ଧ୍ୟା ସମୟରେ ବଗିଚାରେ ବସି ଅଜ୍ଞାତ ବିଷାଦର ମାଧୂର୍ଯ୍ୟ ଅନୁଭବ କରୁଥିଲା । ସେତେବେଳେ ସେ କ୍ଷଣକପାଇଁ ଚିନ୍ତାରେ ଚାଳିତ ହୋଇ ବଗିଚାରେ ବୁଲିବାକୁ ଚାଲିଗଲା । ପୁଣି ବସିବା ସ୍ଥାନକୁ ସେ ଫେରି ଦେଖିଲା, ସେଠାରେ ଗୋଟାଏ ବଡ଼ ପଥର ରହିଛି । ସେ ପ୍ରଥମେ ବସିଥିବାବେଳେ ସେ ପଥରଟା ନ ଥିଲା । ତାହା ହଠାତ୍‌ ସେଠାକୁ କେଉଁଆଡ଼ୁ ଆସିଲା, ସେ ବୁଝି ନ ପାରି ଭୟ କରିବାକୁ ଲାଗିଲା । ତହୁଁ ସେ ଘର ଭିତରକୁ ଧାଇଁଆସି ମାଣିକକୁ ପଚାରିଲା, ‘‘ବାପା ଆସିଲେଣି କି ?’’

 

‘‘ନାଇଁ ତ ।’’ ପାଣୁ ନାଏକ ଅନେକ ଦିନ ଫେରୁ ଫେରୁ ବେଶି ରାତି ହୋଇଯାଏ । ବାପା ଆସୁ ଆସୁ ବିଳମ୍ବ ହୋଇପାରେ ଭାବି, ରମା ମାଣିକକୁ କହିଲା, ‘‘ତୁ ସବୁଦ୍ୱାର ଭଲକରି କିଳିଦେ । କାହିଁକି ନା, ଦେଖୁଚୁ, ଘରେ ଆଉ କେହି ନାହାନ୍ତି ।’’ ମାଣିକ ଦ୍ୱାର ବନ୍ଦକରି ଆସି ରମାକୁ କହିଲା, ‘‘ସତ କଥା । ଆମେ ତ ଦି’ଜଣ ମାଇପି ଲୋକ ଏଡ଼େ ବଡ଼ ଘରଟାରେ ଏକା ପଡ଼ିଚେଁ । କେଜାଣି କିଏ ପଶି ପିଟିମାରି ଦେଇପାରେ । ତେବେ ଆମେ କଅଣ କରିବା ? ମରିବାରେ ତ କିଛି ନାହିଁ । କିଏ ମରୁନାହିଁ ? ଭୟର କଥା ହେଉଛି ଦୁଷ୍ଟ ଲୋକଗୁଡ଼ାକଙ୍କ ଚେହେରା, ଆଉ ତାଙ୍କ ଠେଙ୍ଗା ।’’

 

ରମା ମନ ଭୟରେ କେତେକ ପରିମାଣରେ କାତର ତ ଆଗରୁ ହୋଇଥିଲା; ମାଣିକ କଥା ଶୁଣି ସେ ଆହୁରି ଭୀତ ହୋଇପଡ଼ିଲା, ଏକା ରହିବାକୁ ଏକାବେଳକେ ସାହସ କଲା ନାହିଁ । ସେ ଶୋଇବା ଘରଯାକ ତନ୍ନତନ୍ନ କରି ଦେଖିଲା, ଦୁଆର ଭଲ ରୂପେ କିଳିଦେଲା, ଖଟତଳକୁ ଚାହିଁଲା ଓ ତା’ପରେ ଯାଇ ଶେଯରେ ଶୋଇଲା । ତଥାପି ତାକୁ ନିଦ ହେଲା ନାହିଁ; ରାତିଯାକ ବଗିଚାରେ ସେହି ଅବୋଧ୍ୟ ପଥରଟା ତା ମୁଣ୍ଡ ଉପରେ ପ୍ରକାଣ୍ଡ ମେଘାସନ ପର୍ବତ ପରି ଝୁଲିରହିଲା ।

 

ପରଦିନ ସକାଳେ ରମା ବଗିଚାକୁ ଯାଇ ପଥରଟା ପରୀକ୍ଷା କରି ଦେଖୁ ଦେଖୁ ତଳୁ ଗୋଛାଏ କାଗଜ ପାଇଲା । ତହିଁରେ କେତେ ପ୍ରକାର କାଳିରେ ଲେଖାଥିଲା । ଲେଖକର ନାମ ସେ ଖୋଜି ପାଇଲା ନାହିଁ ବା କାଗଜଗୁଡ଼ାକ କାହାପାଇଁ ଯେ ରଖା ହୋଇଥିଲା, ତାହା ମଧ୍ୟ ବୁଝିପାରିଲା ନାହିଁ । ତଥାପି ସେ କାଗଜ ଧରି ଥରି ଥରି ପଢ଼ି ବସିଲା ।

 

‘‘ସମଗ୍ର ସଂସାରଟା ଜଣକଠାରେ କେନ୍ଦ୍ରୀଭୂତ ହୋଇ ରହିବା ନାମ ପ୍ରେମ । ସେହିପରି ମଧ୍ୟ ଜଣେ ଚତୁର୍ଦ୍ଦିଗରେ ପରିବ୍ୟାପ୍ତ ହୋଇ ସମଗ୍ର ବିଶ୍ୱରେ ଲୀନ ହେବା ପ୍ରେମ ଛଡ଼ା ଆଉ କିଛି ନୁହେଁ ।’’

 

‘‘ସ୍ୱର୍ଗର ଅପ୍‌ସରୀମାନେ ତାରାମାନଙ୍କୁ ଯେ ନମସ୍କାର କରନ୍ତି, ତାହା ଏକା ପ୍ରେମ ।’’

 

‘‘ପ୍ରେମ ଯୋଗେ ଯେଉଁ ବିଷାଦ ହୃଦୟରେ ଜନ୍ମେ ତାହା ବିଷାଦ ନୁହେଁ, ସ୍ୱର୍ଗର ଅମୃତ-। ସମୁଦ୍ର ମନ୍ଥନକରି ଦେବତାମାନେ ସେହି ଅମୃତ ପାଇଥିଲେ ଏବଂ ତାହା ସେବାକରି ଅମର ହୋଇଥିଲେ । ମୁଁ ଛାର କଣ ଏ ଅନନ୍ତ ଜଗତରେ ଅମର ହୋଇପାରିବି ?’’

 

‘‘ବିଚ୍ଛେଦକାତର ପ୍ରେମିକ ଅଳୀକ ସାନ୍ତ୍ୱନାରେ ମନ ଭୁଲାଇ ପାରେନାହିଁ । ଆହା ଯେତେବେଳେ ପ୍ରେମିକ ପ୍ରେମିକାଙ୍କର ଦେଖା ନ ହୁଏ, ଚିଠିପତ୍ର ନ ଚାଲେ, ସେମାନେ ତେଣିକି କେବଳ ଆତ୍ମାର ମିଳନରେ ମିଳିତ ହୁଅନ୍ତି । କୋକିଳର ସଙ୍ଗୀତରେ, ସୁଧାକରର କିରଣରେ, ସମୀରଣର ସନ ସନ ଦୀର୍ଘନିଃଶ୍ୱାସରେ, ସୁଦୂର ତାରକାବୃନ୍ଦର ଆଲୋକରେ ଜଣେ ଜଣକ ନିକଟକୁ ହୃଦୟର ଅମୂଲ୍ୟ ଉପହାର ପଠାଏ । ସେଥିରୁ କାହାକୁ କିଏ ନିରସ୍ତ କରିପାରିବ ?’’

 

‘‘ପ୍ରକୃତ ପ୍ରେମ ନୈରାଶ୍ୟରେ ରହିଛି । ନୈରାଶ୍ୟରୁ ଆଶାର ବିକାଶ । ପ୍ରକୃତରେ ଆଶା କରିବାର ଅଧିକାର ଅଛି ତାରି, ଯେ ନୈରାଶ୍ୟରେ ଥରେ ଜଳି ମରିଛି । ମୁଁ ଥରେ କାହିଁକି, ଦଶଥର ନୈରାଶ୍ୟରେ ଜଳି କେବଳ ମରି ନାହିଁ; ଏକାବେଳକେ ପାଉଁଶରେ ପରିଣତ ହୋଇଛି । ତାହାହେଲେ ଜଣାପଡ଼ୁଛି; ମୋ ଆଶା ଦଶ ଗୁଣ ଫୁଟିଉଠିବ ।’’

 

ଖଣ୍ଡିଏ ଖଣ୍ଡିଏ କାଗଜରେ ଗୋଟିଏ ଗୋଟିଏ ବିଷୟ ଦିନକେ ନୁହେଁ, ଅନେକ ଦିନ ଧରି ଲେଖା ହୋଇଥିଲା । ରମା ପଢ଼ି ଧ୍ୟାନମଗ୍ନ ହେଲା । ଧ୍ୟାନ ଭାଜିଲାବେଳକୁ ସେ ଦେଖିଲା ଆଗରେ ନିତି ଦିନର ସେହି ମାଲ ଯାଉଛି । ତା ମୂର୍ତ୍ତିଟା ସେଦିନ ରମାକୁ ଅତି କଦର୍ଯ୍ୟ ଦିଶିଲା । ଆଖି ଫେରାଇ ନେଇ ପୁଣି ସେହି କାଗଜ ମେଞ୍ଚକ ଭିତରକୁ ଚାହିଁଲା । ସେ ଦେଖିଲା, ସବୁ ଲେଖା ଜଣେ ଲେଖିଛି ଓ ଏକ ଭାବନା ପ୍ରତ୍ୟେକ ଲେଖାରେ ରହିଛି । କିଏ ଲେଖିଛି ଏବଂ କାହାପାଇଁ ଲେଖିଛି, ବୁଝିବା ତା ପକ୍ଷେ କଷ୍ଟକର ହେଲା ନାହିଁ; ତେଣୁ ସେ କହିଲା, ‘‘ସେ ଲେଖିଛନ୍ତି ।’’ ସବୁ ତାକୁ ଦିବାଲୋକ ପରି ଉଜ୍ଜ୍ୱଳ ଦିଶିଲା । ତା ମନ ମଧ୍ୟରେ ଆନନ୍ଦର ଲହରୀ ଖେଳିବାକୁ ଲାଗିଲା । ତହୁଁ ସେ କହିଲା, ‘‘ସେ ପାଦଶବ୍ଦ ତାଙ୍କରି ।’’ ସେ ଦିନର ସେ ଛାୟା ମଧ୍ୟ ତାଙ୍କ ଛଡ଼ା ଆଉ କାହାରି ନୁହେଁ । ମୁଁ ତାଙ୍କୁ ପାସୋରି ଦେଉଥିଲି । ସେ ମୋତେ ଆସି ନିଦରୁ ଉଠାଇଦେଲେ ।’’ କିନ୍ତୁ ବାସ୍ତବରେ ରମା ବନମାଳୀକୁ ଭୁଲିଯାଇ ନ ଥିଲା; କେବଳ ପ୍ରକାଶ୍ୟ ସ୍ନେହ ପରିବର୍ତ୍ତେ ଅନ୍ତର ମଧ୍ୟରେ ପୂଜା କରିବାରେ ଲାଗିଥିଲା ।

 

ରମା ଲେଖା ପଢ଼ିସାରି ଠିଆ ହୋଇଛି, ବିଶ୍ୱେଶ୍ୱର ଫେରି ପୁଣି ସେହି ବାଟେ ଯାଉଥିଲା । ରମାକୁ ଦେଖି ସେ ଈଷତ୍‌ ହସିଲା; କିନ୍ତୁ ରମା ତା କୁତ୍ସିତ ମୂର୍ତ୍ତି ଦେଖି, ମନେ ମନେ ତାକୁ ଘୃଣା କରିବାକୁ ଲାଗିଲା ଏବଂ ଲଜ୍ଜା ଓ ଅନୁତାପରେ ମୁଣ୍ଡ ନୁଆଁଇ ଦେଲା । ସେ ଧାଇଁଯାଇ ଶୟନ କକ୍ଷରେ ଦୁଆର କିଳି ଲେଖାଗୁଡ଼ିକ ପୁଣି ପଢ଼ିବାକୁ ଲାଗିଲା । କାଗଜକୁ ସେ ଅଧରରେ ଚୁମ୍ବନ ଦେଲା ଏବଂ ବୁକୁରେ ଯାକି ଧରିଲା । ସବୁ ପରେ ସୁଦ୍ଧା ରମା ସ୍ୱର୍ଗରାଜ୍ୟର ଗର୍ତ୍ତ ମଧ୍ୟରେ ପୁଣି ଖସିପଡ଼ିଲା ।

 

ସନ୍ଧ୍ୟାରେ ପାଣୁ ନାଏକ ଏକା ବୁଲିବାକୁ ଚାଲିଗଲା । ରମା ଲୁଗାପଟା ପିନ୍ଧିଲା । ସେ ଯେ କାହିଁକି ଲୁଗାପଟା ପିନ୍ଧି ତିଆର ହେଲା, ତାହା ଆଉ କାହା କଥା ଦୂରେ ଥାଉ, ସେ ନିଜେ ସୁଦ୍ଧା ବୁଝିପାରିଲା ନାହିଁ; କିନ୍ତୁ ମୁହୂର୍ତ୍ତକ ମଧ୍ୟରେ ସେ ବଗିଚାରେ ବୁଲିବାର ଦେଖାଗଲା । ପୂର୍ବର ପାଦଶବ୍ଦ ପୁଣି ଶୁଭିଲା । ରମା ଚାହିଁବାରେ ଜଣେ ଯୁବକର ମୂର୍ତ୍ତି ଦେଖାଗଲା । ସେ ମୂର୍ତ୍ତି ଯେ ବନମାଳୀର, ତାକୁ ଚିହ୍ନିବାରେ ତାକୁ ସମୟ ଲାଗିଲା ନାହିଁ । ନୈରାଶ୍ୟରେ ବିଷର୍ଣ୍ଣ ହୋଇ, ଦୁଃଖରେ ମଳିନ ପଡ଼ି, ବନମାଳୀ ଆସି ଉପସ୍ଥିତ ହୋଇଥିଲା; ଦେଖି, ରମା ମୂର୍ଚ୍ଛା ଅନୁଭବ କଲା; ତହୁଁ ସେ ଗୋଟାଏ ଗଛରେ ଆଉଜି ରହିଲା । ତା ପରେ ସେ ଶୁଣିଲା-

 

ମୋଦୋଷ କ୍ଷମା କରିବ । ମୁଁ ଯେତେବେଳେ ନୈରାଶ୍ୟରେ ଜଳି ପୋଡ଼ି ଯିବାକୁ ବସିଲି, ଧାଇଁ ଚାଲିଆସିଲି ଏଠି ପ୍ରାଣ ଶୀତଳ କରିବାକୁ । ମୋ ଲେଖା କଣ ପଢ଼ିଲ? କିଲ୍ଲାପଡ଼ିଆରେ ମୋ ସହିତ ଦେଖା ହେବାର କଣ ମନେଅଛି ? ସେ ତ ପ୍ରାୟ ବର୍ଷକ ତଳର କଥା ତାପରେ ମୁଁ ତୁମକୁ କେତେ ଖୋଜିବୁଲିଚି । ମୁଁ ରାତିରେ ଏଠାକୁ ଆସୁଚି । ତୁମେ ଭୟ କରିବ ନାହିଁ-। ମୁଁ ଗୋପନରେ ଆସି ଫେରିଯାଉଚି । ସେଦିନ ମୁଁ ତୁମ ପାଖ ପର୍ଯ୍ୟନ୍ତ ଆସିଲି । ତୁମେ ବୁଲି ଚାହିଁଲ, ଦେଖି, ପଳେଇଗଲି । ତୁମେ ମୋ ପ୍ରାଣର ଅପ୍‌ସରା । ମୁଁ ବେଳେ ବେଳେ ଆସି ଦେଖି ଯାଉଥିବି । ମୁଁ ଆଉ କିଛି ଲୋଡ଼େ ନା ।’’

 

ରମା ତଳେ ପଡ଼ିଗଲା; ବନମାଳୀ ତାକୁ ଉଠାଇ କୁଣ୍ଢାଇ ଧଇଲା; କିନ୍ତୁ ସେ ନିଜେ ମଧ୍ୟ ପଡ଼ିଯିବାକୁ ବସିଲା । ଘଟଣାକ୍ରମେ ତା ହାତ ରମା ଛାତିରେ ବାଜିଲା । ସେ ବୁଝିଲା ଯେ ତା ଲେଖା ଗୁଡ଼ିକ ରମା ଛାତିରେ ରଖିଛି । ତହୁଁ ସେ ପଚାରିଲା, ‘‘ତୁମେ ମୋତେ କଣ ତେବେ ସ୍ନେହ କର ?’’ ଉତ୍ତର ଶୁଣିଲା, ‘‘ତୁନି ହୁଅ । କରେ ବୋଲି ତୁମେ ଜାଣିଚ । ଆଚ୍ଛା, କହ ଦେଖି ତୁମ ନାଁ କଣ ।’’

 

‘‘ବନମାଳୀ । ଆଉ ତୁମର ?’’

‘‘ରମା ।’’

Image

 

୪୨

ଅଭାଗିନୀ

ଦୀନା ସାହୁ ପୁଅ ଦୁହେଁ

 

ସନ ୧୨୫୩ ସାଲ ପରେ ଜଜାରସିଂହ ଚଟିଘର ଯେତେବେଳେ ଅସଂଖ୍ୟ ଛୋଟିଆ ଛୋଟିଆ ଧାରକରଜ ମଧ୍ୟରେ ବୁଡ଼ି ଅଚଳ ହେବା ଉପରେ ବସିଲା, ତା ପରେ ଦୀନା ସାହୁର ଦୁଇଗୋଟି ପୁଅ ଜନ୍ମ ହେଲେ । ସେ ଦୁହିଁଙ୍କୁ ଧରି ତାର ମୋଟରେ ପାଞ୍ଚୋଗୋଟି ସନ୍ତାନ- ଯୋଡ଼ିଏ କନ୍ୟା, ତିନୋଟି ପୁତ୍ର । ସାହୁଆଣୀ ଗୋଟାଏ ଆକସ୍ମିକ ଉପାୟରେ ସାନ ପିଲା ଦିଓଟିଙ୍କଠାରୁ ନିଷ୍କୃତି ପାଇଲା । ତାର କି ପ୍ରକୃତି କେଜାଣି, ତା ମାତୃତ୍ୱ କେବଳ ଝିଅ ଦିଓଟିଙ୍କଠାରେ ଆବଦ୍ଧ ଥିଲା । ପୁଅ ତିନିଙ୍କ ବିଷୟରେ ସେ ଠିକ୍‌ ସରୀସୃପ ପ୍ରବୃତ୍ତି ଅନୁକରଣ କରୁଥିଲା; ଅର୍ଥାତ୍‌ ପ୍ରସବ କରିବା ପରେ ସେମାନଙ୍କୁ ଗିଳିଦେବାକୁ ଗୋଡ଼ାଉଥିଲା । ସେଥିପାଇଁ ପୁଅମାନେ ନିଜ ପ୍ରାଣ ରଖିବା ଲାଗି ମା ପାଖରୁ ଧାଇଁ ପଳାଉଥିଲେ ।

 

ଦୀନା ସାହୁର ସାନପୁଅ ଦିଓଟିଙ୍କଠାରୁ ସେ ନିଷ୍କୃତି ପାଇଲା କିପରି ସେ କଥା ଉଲ୍ଲେଖ କରିବା ଦରକାର । ପୂର୍ବରୁ କୁହାଯାଇଛି ଶ୍ରୀନିବାସ ଚମ୍ପତିରାଏ ଦାସୀ ପଦ୍ମାର ପିଲା ଦିଓଟିଙ୍କପାଇଁ ମାସକୁ ଷାଠିଏ ଟଙ୍କା ବୃତ୍ତି ଖଞ୍ଜିଥିଲେ । ପଦ୍ମା ପିଲା ଦିଓଟିଙ୍କ ବାବଦରେ ଦଶ ପନ୍ଦର ଟଙ୍କା ଖର୍ଚ୍ଚ କରି, ବାକି ଟଙ୍କାତକ ନିଜ ଭୋଗବିଳାସରେ ଲଗାଉଥିଲା । କିଛିଦିନ ପରେ ହଠାତ୍‌ ହଇଜା ରୋଗରେ ତାର ଦୁଇଟିଯାକ ପିଲା ଏକାଦିନକେ ସଂସାର ଛାଡ଼ି ଚାଲିଗଲେ । ତେଣିକି ତା ଶୂନ୍ୟ ଘରକୁ କାଳେ ମାସକୁ ମାସ ବୁଜୁଳାଏ ଟଙ୍କା ନ ଆସିବ ଭାବି, ପଦ୍ମା ସେହି ବୟସରେ ଆଉ ଦୁଇଟି ପିଲା ଖୋଜିବାରେ ଲାଗିଲା ଏବଂ ଦିନେ ହଠାତ୍‌ ଦର୍ଜି କୋଠାରେ ଦୀନା ସାହୁ ଘରେ ପହଞ୍ଚି ତା ସାନପୁଅ ଦିଓଟିଙ୍କି ଦେଖି କହିଲା, ‘‘ଆହା, ଏମିତି ଦିଓଟି ପିଲା ମୋର ଯେବେ ଥାଆନ୍ତେ, ମୋ ଅନ୍ଧାର ଘରଟା କେଡ଼େ ଉଜ୍ଜ୍ୱଳ କରନ୍ତେ କି !’’

 

ସାହୁଆଣୀ ଶୁଣି ଉତ୍ତର ଦେଲା, ‘‘ଏ ଦିହିଙ୍କି ନିଅ ନା । ମୋ ଘର ଅନ୍ଧାର ହେଇ ତମ ଘର ଉଜ୍ଜ୍ୱଳ ହେଲେ, ମୁଁ ଟିକିଏ ଦୁଃଖ କରିବି ନାହିଁ ।’’ କଥା ସ୍ଥିର ହେଲା, ପଦ୍ମା ପିଲା ଦୁହିଁଙ୍କ ବାବଦରେ ଖଜଣାସ୍ୱରୁପ ଦୀନା ସାହୁକୁ ମାସକୁ ତା ଷାଠିଏ ଟଙ୍କା ଭତ୍ତାରୁ ଦଶଟଙ୍କା କରିଦେବ । ପଦ୍ମା ତା ଚୁକ୍ତି ରକ୍ଷା କରିବାରେ ଲାଗିଲା । ଶ୍ରୀନିବାସ ନୂଆ ପିଲା ଦିଓଟିଙ୍କୁ ଦେଖି ପୁରୁଣା ପିଲାଙ୍କଠାରୁ କିଛି ତଫାତ୍‌ ଧରି ପାରିଲେ ନାହିଁ । ସନ୍ଦେହକୁ ସ୍ଥାନ ନ ଦେବାପାଇଁ ପଦ୍ମା ବେଳେ ବେଳେ କହେ, ‘‘ଦେଖନା, ଠିକ୍‌ ତମରି ପରି କିମିତି ଦିଶୁଛନ୍ତି ।’’

 

ସେ ଘଟଣାର କିଛଦିନ ପୂର୍ବରୁ ଦୀନା ସାହୁ ଅଗାଧୁ ବେହେରା ଅବତାର ଗ୍ରହଣ କରିଥିଲା । ଚମ୍ପା, ହୀରା ଏବଂ ହରିଆ ତାଙ୍କ ସାନଭାଇଦିଓଟିଙ୍କ ସ୍ମୃତି ଏକାବେଳକେ ମନରୁ ପୋଛିଦେଲେ । ସାନ ପିଲା ଦିଓଟି ପଦ୍ମା ଘରେ ବେଶ୍‌ ସୁଖରେ ରଜାପୁଅ ଆଖ୍ୟାରେ ଖୁବ୍‌ ଆଡ଼ାରେ ରହିଲେ । ଅଶ୍ଳୀଳ କଦର୍ଯ୍ୟ କଥା କ୍ରମେ କାନବାଟେ ଆଉ ନ ପଶିବାରୁ ତାଙ୍କ ଜିଭବାଟେ ବାହାରିଲା ନାହିଁ ।

 

କିନ୍ତୁ ଜଗତର ଗୋଟିଏ ବିଚିତ୍ର ନୀତି ଯେ ଷଠି ଯାହା ଭାଗ୍ୟରେ ଦୁଃଖ ଲେଖି ପଠାଇଥାଏ, ସୁଖ ତାକୁ ବେଶି ଦିନ ସହେ ନାହିଁ । ଦୀନା ସାହୁର ମକଦ୍ଦମା ବିଚାରରେ ପ୍ରମାଣ ମିଳିଲା ଯେ ପଦ୍ମା ନାମରେ କୌଣସି ଏକ ସ୍ତ୍ରୀଲୋକଠାରୁ ସେ ମାସରେ ଦଶଟଙ୍କା ପାଏ । ଦିନେ ସକାଳେ ପଦ୍ମାର ପିଲା ଦିଓଟି ଖେଳି ବୁଲିବାକୁ ଘରୁ ବାହାରି ଯାଇଛନ୍ତି, ପୋଲିସ୍‌ ସିପାହୀ ଆସି ତାକୁ ଗିରଫ୍‌ କରିନେଇ, ତା ଘରେ ତାଲା ପକାଇ ଚାଲିଗଲା । ପିଲାମାନେ ଫେରି କବାଟ ବନ୍ଦ ଥିବା ଦେଖି କାନ୍ଦିବାକୁ ଲାଗିଲେ । ପଡ଼ୋଶୀମାନେ ଦୟା ବହି କହିଲେ, ‘‘ତୁମ ମା ପରା ଫାଣ୍ଡିରେ ଯାଇ ଅଛି; ସେଇଠୁକୁ ଯାଅ ।’’

 

ଦିନେ ସନ୍ଧ୍ୟାରେ ହଠାତ୍‌ କାହିଁକି ଭାରି ଥଣ୍ଡା ପବନ ବହି ପ୍ରଚଣ୍ଡ ଶୀତ ହେଉଥିଲା । ହରିଆ ସେତେବେଳେ ଗୋଟିଏ ଭଣ୍ଡାରି ଘର ଦୁଆରେ ଠିଆ ହୋଇ ତାଘର ଭିତରକୁ ଏପରି ନିରୀକ୍ଷଣ କରି ଚାହିଁଥିଲା, ଦେଖିଲେ ମନେ ହେଉଥିଲା ଯେ ସେ ସତେ ଅବା ସେହି ଘରର ସୌନ୍ଦର୍ଯ୍ୟରେ ମୁଗ୍‌ଧ ହୋଇ ଚାହିଁଛି; କିନ୍ତୁ ପ୍ରକୃତରେ ଭଣ୍ଡାରିର ଖୁରଟା ଉପରେ ତାର ଲକ୍ଷ୍ୟ ଥିଲା । ହରିଆ ଗୋଟାଏ ନୂତନ ବ୍ୟବସାୟ ଖୋଲିଥିଲା; ମଫସଲ ଭଣ୍ଡାରିମାନଙ୍କୁ ଭଲ ଭଲ କଟକୀ ଖୁର ଶସ୍ତା ଦାମରେ ବିକ୍ରୀକରି କିଛି କିଛି ରୋଜଗାର କରୁଥିଲା ସେ ବ୍ୟବସାୟର ନାମ ସେ ‘‘ଭଣ୍ଡାରି ଖିଅର’’ ଦେଇଥିଲା ।

 

ସେତେବେଳେ ହଠାତ୍‌ ଦୁଇଟି ପିଲା ଆସି ଭଣ୍ଡାରିଘର ଭିତରେ ପଶିଲେ । ସେମାନେ ଭଲ ପୋଷାକ ପିନ୍ଧିଥିଲେ ଏବଂ ବେଶ୍‌ ସଫାସୁତୁରା ଦିଶୁଥିଲେ । ଘର ଭିତରକୁ ଯାଇ ସେମାନେ କଣ କଲେ କେଜାଣି, ଭଣ୍ଡାରି ପିଲା ଦିଇଟାକୁ ମାରି ମାରି ଦାଣ୍ଡକୁ ପେଲିଦେଇ କହିଲା, ‘‘ମୋ ଘରଟା ଧର୍ମଶାଳା ବୋଲି ଭାବିଛ ନା କଣ ? ତୁମେ ତ ଏ ଖୁର ଚୋରାଉଥିବ ।’’ କହି, ଭଣ୍ଡାରି ଦୁଆର କିଳି ଘର ଭିତରକୁ ଚାଲିଗଲା । ପିଲାଦୁହେଁ ବିକଳ ସ୍ୱରରେ କାନ୍ଦିବାକୁ ଲାଗିଲେ । ହରିଆ ସେମାନଙ୍କ ନିକଟକୁ ଯାଇ ପଚାରିଲା, ‘‘କିରେ କାନ୍ଦୁଚ କାହଁକି ?’’

 

ବଡ଼ ପିଲାଟି ଉତ୍ତର ଦେଲା, ‘‘ଆମେ ଆଜି ଶୋଇବୁ କୋଉଠି ?’’

 

‘‘ଏଇଥିପାଇଁ ଏଡ଼େ ଭାବନା ? ମୋ ସାଙ୍ଗେ ଆସ ।’’ ପିଲା ଦୁହେଁ ଗୋଟାଏ ରଜାର ଅନୁସରଣ କରି ଗଲା ପରି ହରିଆ ପଛେ ପଛେ ଚାଲିଲେ । କିଛି ବାଟ ଯାଇ ହରିଆ ପଚାରିଲା, ‘‘ତୁମେ ଖାଇଚ ନା ? ଉତ୍ତର ଶୁଣିଲା, ‘‘ହଁ, କାଲି ଖାଇଥିଲୁ ।’’

 

‘‘କାହିଁକି, ତୁମର କଣ ବାପ ମା ନାହାନ୍ତି ।’’

‘‘ଅଛନ୍ତି । ତେବେ ସେ କେଉଁଠି ଅଛନ୍ତି, ଆମେ ଜାଣୁନା ।’’

 

‘‘ଆଚ୍ଛା, ମୁଁ ତାଙ୍କୁ ଖୋଜି ବାହାର କରିବି ଆଗେ କିଛି ଖାଇ ନିଅ ।’’ କହି, ସେ ଠିଆ ହେଲା ଓ ତା ପରିଧେୟ ବସ୍ତ୍ରରେ ଯେତେଗୋଟି କଣ ଥିଲା ସବୁ ଖୋଜିଖୋଜି ଶେଷରେ ପାଞ୍ଚଟା ଅଧଲା ବାହାରକଲା । ଅଢେଇ ପଇସାର ମୁଢ଼ି ଉଖୁଡ଼ା କିଣା ହେଲା । ଦୋକାନୀ ଏକାଠି ମାପି ଦେବାରୁ ହରିଆ କହିଲା, ‘‘ଆମେ ପରା ତିନିଜଣ ଅଛୁଁ; ତିନି ଭାଗ କରି ବାଣ୍ଟିଦେ ।’’ ତହୁଁ ସେ ପିଲା ଦିଓଟିକୁ କହିଲା, ‘‘ନିଅ ଚୋବାଅ ।’’ ପିଲା ଦୁହେଁ ଖାଇବେ କଣ, ଆଚମ୍ବିତ ହୋଇ ଚାହିଁ ରହିଲେ । ହରିଆ ଠୋ ଠୋ ହସି ପକାଇଲା, ‘‘ଦିଅ ପେଷିଦିଅ; ବସିଛ କାହିଁକି, ଛତରେ ?’’

Image

 

୪୩

ହାତୀପେଟ

 

ଦୋକାନରୁ ବାହାରି ହରିଆ ଶୁଣିଲା, ‘‘କି ରେ ଭାଇ ହରିଆ ।’’

 

‘‘କିରେ ଭାଇ, ଉତ୍ସବା ନା କଣ ?’’ ଉତ୍ସବା ଭଲ ଲୁଗାପଟା ପିନ୍ଧି, ଆଖିରେ ପ୍ରଚକ୍ଷୁ ଲଗାଇ ଭଦ୍ରଲୋକ ବେଶରେ ବାହାରିଥିଲା । ଦେଖି, ହରିଆ କହିଲା, ‘‘ଖୁବ୍‌ ତ ବେଶଟା ବାନ୍ଧିଚୁ-।’’ ସେ ଦିନ ସେ ଯୋଉ ବୁଢ଼ା ତତେ ଗାଳିଦେଲା, ତାରି ଫଳ ପରା ଏଇଟା ।’’

 

‘‘ଚୁପ୍, ଚୁପ୍‌; ମୁଁ ଯାଉଚି ଗୋବିନ୍ଦାକୁ ଦେଖିବାକୁ ।’’

‘‘କି ରେ ସେ ପରା ଜେଲଖାନାରେ ?’’

 

‘‘ଆଉ ଅଛି କି ? ମାରିଦେଇଚି ପଟି । ପାଜି ପୋଲିସ୍‌ବାଲାଏ ତାକୁ ପାରନ୍ତେ ? ତାଙ୍କର ଦି’ ଆଖି । ଆମେ ହେଲେ କିମ୍ଭୀର ଜାତି ଜନ୍ତୁ; ଆମର ଚାରି ଆଖି-ତଳେ ଦୁଇ, ଉପରେ ଦୁଇ । ବୁଡ଼ିଲେ ଦିଶିବ, ଭାସିଲେ ଦିଶିବ ।’’ ଉତ୍ସବା ହାତରେ ଗୋଟାଏ ବାଡ଼ି ଧରିଥିଲା । ହରିଆ ତା ଠୁଳଟା ଧରି ଭିଡ଼ି ଦେବାରୁ ଭିତରୁ ଗୋଟାଏ ଗୁପ୍ତି ବାହାରିଲା । ପିଲା ଦୁହେଁ ଡରି ପଛକୁ ହଟିଗଲେ । ହରିଆ ପଚାରିଲା, ‘‘ଆଜି କଣ ସେ ପାଜି ଜନାର୍ଦ୍ଦନିଆ ସାଙ୍ଗେ ଲଢ଼େଇ ପଟେ ହବ କି-?’’

 

‘‘ଦେଖାଯାଉ କଣ ହେଉଚି । ତୁ କୁଆଡ଼େ ଯାଉଚୁରେ ?’’

 

‘‘ଏ ପିଲା ଦି’ଟା ପାଇଁ ଗୋଟେ ଶୋଇବା ଜାଗା ଠିକ୍‌ କରିବାକୁ । ତୋ ଜାଣତାରେ କୋଉଠି ଘରଫର କିଛି ଅଛି ?’’

 

‘‘ଅଛି, ସେ ହାତୀ ପେଟରେ ।’’ ହରିଆ ଆଶ୍ଚର୍ଯ୍ୟ ହୋଇ କହିଲା, ‘‘ହାତୀ ପେଟରେ ! ତା ଅର୍ଥ ? ନା, ବାବୁ, ଏତେ ଦୂର ଚାଲି ହାତୀପେଟକୁ କାହିଁକି ଯିବେ, ଏଠି ତୋ ପେଟ ଥାଉ ଥାଉ-? ନା, ଭାଇ, କହନା, ଠିକ୍‌ । ଥଟ୍ଟା ନୁହେଁ, ସତେ ଦରକାର ମ; ମୋ ରାଣ ।’’

 

‘‘ହଁ, ତୁ ସେ ହାତୀଟା ଦେଖିନୁ ? କିଲ୍ଲା ଖାଇ ମୁହଁରେ ଯୋଉଟା ଅଛି । ଶଙ୍ଖ ତଳଠୋଉ ସେଟା ଭଲ, ପାଣି ପବନ ଲାଗେ ନାହିଁ ।’’

 

‘‘ଆଉ, ଯିବାକୁ ବାଟ ?’’

 

‘‘ତା ପାଟି ବାଟେ ଗୁରୁଣ୍ଡି ଗଳିଯିବାକୁ ହବ । ସେଠେଇ ଯାଇ ରହିଲେ ତ୍ରିଭୁବନରେ କେହି ଜାଣିପାରିବେ ନାହିଁ, ଛେଚେଡ଼ା ପୋଲିସ୍‌ ବି ନୁହନ୍ତି । ତୁ ତ ଚଢ଼ି ଭିତରେ ପଶିଯିବୁ; ଚିନ୍ତା କଣ ?’’

 

‘‘ଏ ପିଲା ଦି’ଟାଙ୍କ ପାଇଁ ତେବେ ଗୋଟେ ଶିଡ଼ି ଦରକାର ହବ ।’’ ଶୁଣି, ଉତ୍ସବା ଠୋ ଠୋ ହସିଲା ଓ ହସି ସାରି ପଚାରିଲା, ‘‘କିରେ ଏ ଦିଟାଙ୍କୁ ପାଇଲୁ କୋଉଠୁ ?’’ ଉତ୍ତର ଶୁଣିଲା, ‘‘ଗୋଟାଏ ଭଣ୍ଡାରି ମୋତେ ଭେଟି ଦେଇଚି ପରା ।’’ ଉତ୍ସବା କିଛି ସମୟ ନୀରବ ରହି ପଚାରିଲା ‘‘ଭାଇ, ମୁଁ କଣ ଚିହ୍ନା ପଡ଼ିଯାଉଚି ? ତୁ ତ ଖୁବ୍‌ ଜଲ୍‌ଦି ଚିହ୍ନି ଦେଲୁ ।’’ କହି, ସେ କୁରୁତା ପକେଟରୁ କାଢ଼ି ମୁହଁରେ ଗୋଟାଏ ରଙ୍ଗ ବୋଳି ହେଲା ଏବଂ ନାକରେ ଗୋଟାଏ ଫାସିଆ ପିନ୍ଧିଲା । ଦେଖି, ହରିଆ କହିଲା, ‘‘ଚମତ୍କାର । ଆଉ କାହା ବାପାର ସାଧ୍ୟ ଅଛି ତତେ ଚିହ୍ନେ । ଆଚ୍ଛା, ଯା । ମୁଁ ତ ଚାଲିଲି ମୋ ଉଆସକୁ । ତୋର ଯେବେ ଦରକାର ପଡ଼େ ଯାଇ ଖବର ଦବୁ । ମୋର ଦୁଆରୀ ନ ଥିବେ, ଭାଇ ! ଡାକିବୁ ‘‘ହରିଆ ମହାରାଜ’’ । ତେବେ ଆମେ ଭିତରୁ ବାହାରି, ଦୁଆରେ ବିଜେ ହେଇ ତୋ କଥା ଶୁଣିମୁ ।’’

 

ସିପାହୀ ଯୁଦ୍ଧ ପରେ ଦଶ ପନ୍ଦର ବର୍ଷ ପର୍ଯ୍ୟନ୍ତ ବାରବାଟୀ କିଲ୍ଲା ଗଡ଼ଦ୍ୱାରରେ ଦୁଇଟା ପୁରୁଣା ହାତୀ ମଧ୍ୟରୁ ଗୋଟାଏ ଭାଜିପଡ଼ି, ବାକି ଗୋଟାଏ ଦରଭଙ୍ଗା ଅବସ୍ଥାରେ ଠିଆ ହୋଇ ରହିଥିଲା । ହାତୀଟା ଅନେକ ବର୍ଷ ପୂର୍ବେ ଚୂନ ଏବଂ ସୁର୍କିରେ ଗଢ଼ା ହୋଇଥିଲା । ତା ପେଟଟା ପୋଲା । ଇଂରେଜ ଓଡ଼ିଶା ଜୟ କଲା ପରେ ଗଙ୍ଗବଂଶୀୟ ରାଜାଙ୍କ ନବତଳ ରାଜପ୍ରସାଦ ଭାଙ୍ଗି ଚୁରି ହୋଇଗଲା । ଇଂରେଜ ସରକାର ବାରବାଟୀରେ ଗୋଟିଏ ବାରୁଦଘର ସ୍ଥାପନ କଲେ । ବାରୁଦଘର ରକ୍ଷା କରିବା ନିମନ୍ତେ ଫାଟକ ମରାମତ ହେଉଥିଲା; କିନ୍ତୁ ହାତୀଟା ମରାମତ କରିବାର କୌଣସି ବ୍ୟବସ୍ଥା ନ ଥିଲା । ଓଡ଼ିଶା ଗଜପତିଙ୍କ ପୂର୍ବ ସମୃଦ୍ଧିର ଭଗ୍ନାବଶେଷସ୍ୱରୂପ ଦରଭଙ୍ଗା ହାତୀର ପ୍ରତିମା ସେ ବିସ୍ତୀର୍ଣ୍ଣ ପ୍ରାନ୍ତର ମଧ୍ୟରେ ଏକାକୀ ଠିଆ ହୋଇ ରହି, ଦେଶର ଦୁର୍ଦ୍ଦଶା ଉତ୍କଳବାସୀଙ୍କି ସ୍ମରଣ କରାଇ ଦେଉଥିଲା । ଭାବୁକ, ଚିନ୍ତାଶୀଳ, ସ୍ୱଦେଶବତ୍ସଳ ଲୋକେ ସେ ବାଟେ ଗଲାବେଳେ ନିଜ ନିଜର ମାନସିକ ବେଦନା ଅନୁପାତରେ କିଏ ଗୋଟାଏ ଦୀର୍ଘନିଃଶ୍ୱାସ ପକାଉଥିଲା, କିଏ ବା ଆଖିରୁ ଟୋପାଏ ଲୁହ ପୋଛୁଥିଲା ।

 

ସେହି ହାତୀ ପାଖରେ ଯାଇ ହରିଆ ପିଲା ଦିଓଟିଙ୍କି ଧରି ପହଞ୍ଚିଲା । ମୁର୍ତ୍ତିଟାକୁ ଦେଖି ପିଲା ଦୁହେଁ ଥରିବାକୁ ଲାଗିଲେ । ସାନ ପିଲାଟି କାନ୍ଦି ପକାଇବାକୁ ବସିଲା । ହରିଆ କହିଲା, ‘‘ପାଟି କରନା, ଶୁଣିଲେ ସିପେଇ ଧାଇଁ ଆସି ଧରି ନେଇଯିବେ ।’’ ଶୁଣି, ପିଲା ଦୁହିଁଙ୍କର ଆହୁରି ଅଧିକ ଭୟ ହେଲା । ତେବେ ଭୟ ଚାପରେ କାନ୍ଦ ସ୍ୱର ରୁଦ୍ଧ ହୋଇ ରହିଲା । ସେ ବେଳଟା ଭାରି ଦୁଃସମୟ । ଖାଲି ଯେ ବର୍ଷା ହୋଇ ଆସୁଥିଲା ତା ନୁହେଁ; ଘଡ଼ଘଡ଼ି ଚଡ଼ଚଡ଼ି ଶବ୍ଦରେ ଆକାଶ ବିଦୀର୍ଣ୍ଣ ହୋଇ ଯାଉଥିଲା ।

 

ହରିଆ ଚାହିଁ ଦେଖିଲା, ନିକଟରେ ମିସ୍ତ୍ରୀମାନଙ୍କ ଶିଡ଼ି ଡେରା ହୋଇଛି । ସେ ଶିଡ଼ିଟାକୁ ଆଣି ହାତୀ ମୁହଁ ପାଖେ ପକାଇ କହିଲା, ‘‘ଯାଅ, ଚଢ଼; ତା ପରେ ଭିତରକୁ ଗଳିଯିବ ।’’ ଶୁଣି, ପିଲା ଦୁହେଁ ପରସ୍ପର ମୁହଁକୁ ଚାହିଁଲେ । ହରିଆ ପଚାରିଲା, ‘‘ଡରୁଚ ନା ?’’ ତହୁଁ ସେ ବିନା ଶିଡ଼ିରେ ଉପରକୁ ଚଢ଼ିଗଲା ଏବଂ ମୁହୂର୍ତ୍ତକ ମଧ୍ୟରେ ଓହ୍ଲାଇଆସି ବଡ଼ ପିଲାଟିକି ଶିଡ଼ିବାଟେ ଉପରକୁ ନେଇଗଲା । ବଡ଼ ପିଲା ଉପରେ ବସିଲା । ହରିଆ ତଳକୁ ଚାଲିଆସି, ସାନ ପିଲାଟିକି ଟେକି, ଶିଡ଼ିରେ ମଝି ପଟାରେ ବସାଇ ଦେଲା । ତହୁଁ ସେ ବଡ଼ ପିଲାଟାକୁ ସାନପିଲା ହାତ ଧରି ଉପରକୁ ଟାଣି ନେବାକୁ କହିଲା ଏବଂ ନିଜେ ତାକୁ ତଳୁ ଟେକିଲା ସାନପିଲାଟି ଉପରକୁ ଯିବା ପରେ ସେ କହିଲା, ‘‘କଣ ଗିଳିଦେଲା ?’’

 

ହରିଆ ପ୍ରଥମେ ହାତୀ ମୁହଁ ବାଟେ ପେଟ ଭିତରକୁ ଗଳି ଚାଲିଗଲା । ତା ପରେ ସାନପିଲାଟିର ମୁଣ୍ଡ କଣା ପାଖେ ରଖି, ବଡ଼ ପିଲାକୁ କହିଲା, ‘‘ତୁ ପଛରୁ ପେଲେ, ମୁଁ ଆଗରୁ ଟାଣୁଚି ।’’ ସେହି ଉପାୟରେ ସାନପିଲା ପେଟ ଭିତରେ ପ୍ରବେଶ କଲା । ବଡ଼ପିଲା ପାଇଁ କୌଣସି ପରିପାଟୀ ଦରକାର ହେଲା ନାହିଁ । ପିଲାମାନେ ଯାଇ ସେଠାରେ ପହଞ୍ଚିବା ମାତ୍ରେ କିଲ୍‌ କିଲ୍‌ କିଲ୍‌ ଚେଁ ଚେଁ ଶବ୍ଦରେ ହାତୀ ପେଟ ଭିତରଟା କମ୍ପିବାକୁ ଲାଗିଲା । ପିଲା ଦୁଇଟା ଭୟରେ ଥରିଲେ । ହରିଆ ଝିକିମିକି ପଥର ଠୁକାଇ ସେଠାରେ ପଡ଼ିଥିବା ଗୋଟାଏ ଅଟାରେ ନିଆଁ ଧରାଇଲା । ସେଥିରେ ଆଲୁଅ ଅପେକ୍ଷା ଧୂଆଁର ମାତ୍ରା ବେଶି ମିଳିଲା । ଉତ୍ସବା ସେଠାରେ ଖଣ୍ଡେ ଛିଣ୍ଡା ପଟି ରଖିଥାଏ । ସେ ପଟି ପକାଇ, ତିନି ଜଣଯାକ ଲଗାଲଗି ଜାକିଜୁକି ହୋଇ ଶୋଇଲେ । ହରିଆ ସମସ୍ତଙ୍କ ଉପରେ ନିଜ କମ୍ବଳ ଖଣ୍ଡି ଘୋଡ଼ାଇଦେଇ କହିଲା, ‘‘ଏ ବନାତଟା ମାଙ୍କଡ଼ମାନେ କାହା ଘରୁ ଆଣି ଧରି ଭିଡ଼ାଭିଡ଼ି କରୁଥିଲେ । ମୁଁ ମଝିରେ ପଡ଼ି ଛଡ଼େଇ ଆଣିଚି । ୟାକୁ ଯୁଦ୍ଧର ଲୁଟି ମାଲ ବୋଲି କହ । ଭାରି ଭଲ ଚିଜ ଖଣ୍ଡେ ।’’

 

ପିଲା ଦୁହେଁ ତା କଥା ବୁଝିଲେ କି ନାହିଁ; କିନ୍ତୁ ଭୟ କରିବାର ହଠାତ୍‌ ଗୋଟାଏ କାରଣ ଘଟିଲା । ଯେଉଁ କିଲି କିଲି ଚେଁ ଚାଁ ଶବ୍ଦ କିଛି ସମୟ ବନ୍ଦ ହୋଇଥିଲା, ତାହା ପୁଣି ଶୁଣାଗଲା । ହରିଆ କହିଲା, ‘‘ଡରନା, ପିଲାଏ । ମୂଷାଗୁଡ଼ାକ ଏମିତି ହେଉଚନ୍ତି, କାମୁଡ଼ିବେ ନାହିଁ ଯେ । ଆମେ ତ ବନାତ ଘୋଡ଼େଇ ହେଇ ଶୋଇଚେଁ । ଖାଲି ହୁସିଆର ଥିବ, ଗୋଡ଼ ହାତ ମୁହଁ କିଛି ପଦାକୁ କାଢ଼ିବନାହିଁ । ନୋହିଲେ କାମୁଡ଼ି ଦେବେଟି । ଭାରି ଦୁଷ୍ଟ ଏ ଜନ୍ତୁଗୁଡ଼ାକ ।’’

 

ରାତି ପାହିବାକୁ କିଛି ବିଳମ୍ବ ଅଛି, ତଳେ ଗୋଟାଏ ପାଦଶବ୍ଦ ଶୁଣଗଲା । ତା ପରେ କାହାର ଡାକ ଶୁଣି, ଆଉ ଜଣେ କହିଲା, ‘‘ଚାଲ, ଭାଇ, ଯାଉଚି ।’’ କ୍ଷଣକ ମଧ୍ୟରେ ହାତୀ ପେଟ ତଳେ ଦୁଇ ଜଣ ଲୋକ ଠିଆ ହେବାର ଦେଖାଗଲା; ଜଣେ ଯୁବକ, ଆଉ ଜଣେ ପିଲା । ଝୁପୁଝୁପୁ ବର୍ଷା ହେଉଥିଲା । ଯୁବକ ଜଣଙ୍କ କହିଲା, ‘‘ହରିଆ, ତୋର ଟିକିଏ ମୋ ସାଙ୍ଗେ ଯିବା ଦରକାର । ଆ ଚଞ୍ଚଳ ।’’ ହରିଆ କିଛି ନ ପଚାରି ଉତ୍ତର ଦେଲା, ‘‘ଚାଲ, ଉତ୍ସବା ଭାଇ । କଣ ବେଶି ଦୂର ?’’

Image

 

୪୪

ପ୍ରାଣ ଲାଗି ସବୁ

 

ସେହି ରାତିରେ ଦରଘା ବଜାର କଏଦିଖାନା ଭିତରେ ଗୋଟାଏ ପ୍ରକାଣ୍ଡ ଘଟଣା ଘଟିଲା-। ଗୋବିନ୍ଦା, ଚନ୍ଦ୍ରା, ସାଧୁଆ ଏବଂ ଦୀନା ସାହୁ ମିଳି ଜେଲଖାନାରୁ ବାହାରି ପଳାଇଯିବାକୁ ଗୋଟାଏ ଷଡ଼ଯନ୍ତ୍ର କରିଥିଲେ । ଗୋବିନ୍ଦା ନିଜ କୌଶଳରେ ଦିନବେଳୁ ଖସି ଚାଲିଯାଇଥିଲା । ଚନ୍ଦ୍ରା ଗୋପନରେ ଗୋଟାଏ ଦଉଡ଼ି ତିଆରି କରି ରଖିଥିଲା । ବର୍ତ୍ତମାନ ପରି ସେ ସମୟରେ ଜେଲଖାନାରେ ଏତେ କଟକଣା ନ ଥିଲା ସେଥିପାଇଁ ସେ ଦଉଡ଼ିଟି ସହଜରେ ଲୁଚାଇ ରଖିବାକୁ କ୍ଷମ ହେଲା । ସେ ଗୋଟାଏ ଖୁଆଡ଼ରୁ ଯେଉଁଦିନ ଆଉ ଗୋଟାକୁ ଗଲା, ସେଦିନ ସେ ଦୁଇଟା ନୂଆ ପଦାର୍ଥ ପାଇଲା; ଗୋଟାଏ ସାଧୁଆ, ଅର୍ଥାତ୍‍, ଅପରାଧର ପ୍ରତିମୂର୍ତ୍ତି, ଦ୍ୱିତୀୟଟା ଗୋଟାଏ ଲୁହା କଣ୍ଟା, ଅର୍ଥାତ୍‌ ସ୍ୱାଧୀନତାର ଉପାୟ । ସେଦିନ ରାତିରେ, ସେ ପାଇଥିବା ଲୁହାକଣ୍ଟା ଓ ନିଜେ ତିଆର କରିଥିବା ଦଉଡ଼ି ସାହାଯ୍ୟରେ ପାଚିରୀ ଡେଇଁ ଜେଲଖାନା ଭିତରୁ ଚାଲିଗଲା । ସେଥିରେ ତାକୁ ସାଧୁଆର ପରାମର୍ଶ ଅନୁସାରେ ଚଳିବାକୁ ହୋଇଥିଲା । ସାଧୁଆ ମଧ୍ୟ ପଛେ ପଛେ ବାହାରକୁ ବାହାରିପଡ଼ିଲା ।

 

ସାଧୁଆ ଏବଂ ଚନ୍ଦ୍ରା ରାତିରେ ଗୋଟାଏ କୋଠରୀରେ ଏକାଠି ଥିଲେ । ଦୀନା ସାହୁ ଆଉ ଗୋଟାଏ କୋଠରୀରେ ଥିଲା । ଦୀନା ସାହୁ ଜେଲଖାନାରେ ପଶିଲାବେଳେ ତା ବିଷୟରେ ନାନା ପ୍ରକାର ବଡ଼ବଡ଼ କଥା ଶୁଣାଗଲା । ପାଣୁ ନାଏକଠାରୁ ସେ ଦୁଇ ଲକ୍ଷ ଟଙ୍କା ଦାବି କରୁଥିଲା; ଅନେକେ ମନେ କଲେ ଯେ ତାର ସେ ଦାବୀ ପୂର୍ଣ୍ଣ ହୋଇଛି । ସେଥିପାଇଁ କଏଦିମାନେ ତାକୁ ଜମିଦାର ନାମ ଦେଲେ । ମାତ୍ର ହାକିମ କିମ୍ବା ସିପାହୀମାନେ କେହି ତା ଜମିଦାରିର ଅଣୁମାତ୍ର ପରିଚୟ ପାଇଲେ ନାହିଁ । ସେଥିଲାଗି ଦୀନା ସାହୁ ପିଠିରେ ପ୍ରତିଦିନ ମାଡ଼ ବସେ । ଦିନେ ଦିନେ ପ୍ରହାରରେ ତା ଦେହରୁ ଛାଲ ଛାଡ଼ିଯାଏ । ତଥାପି ତା ଜମିଦାରିରୁ ପଇସାଏ ସୁଦ୍ଧା ଜେଲ୍‌ଖାନା ଭିତରକୁ ଆସିଲା ନାହିଁ । ତହୁଁ ସିପାହୀମାନେ ନିରାଶ ହୋଇ ସେ ଉପାୟ ଛାଡ଼ି, ଗୋଟାଏ ଭିନ୍ନ ଉପାୟର ଆଶ୍ରୟ ନେଲେ; ସଦର ଦରଜା ବାଟେ ଯାଇ ନ ପାରି, ଚୋରି ଦ୍ୱାରରେ ପଶିବାକୁ ଚେଷ୍ଟା କଲେ, କ୍ରମେ ଦୀନା ସାହୁର ମନ ନେବାକୁ ବସିଲେ । ସିପାହୀମାନେ ଚିଲମ ଖାଇଲା ବେଳେ ନିଜେ ଟାଣିସାରି, ଶେଷକୁ ଦୀନା ସାହୁ ହାତକୁ ବଢ଼ାଇଦିଅନ୍ତି । ଦୀନା ସାହୁ ପ୍ରସାଦ ପାଇ ଘଡ଼ିକ ସକାଶେ ଭୋଳ ହୋଇ ରହେ ।

 

ଦୀନା ସାହୁକୁ କଠିନ ଅପରାଧ ଯୋଗେ ଗୋଟାଏ ଘରେ ଏକୁଟିଆ ରଖାଯାଇଥିଲା । କେବଳ ତାକୁ ଜଣେ ସିପାହୀ ଜଗି ବସୁଥିଲା । ସେଦିନ ରାତି ଦୁଇଟାବେଳେ ଯେଉଁ ସିପାହୀ ଜଗିବାକୁ ଆସିଲା ସେ ଚିଲମ ତିଆରି କଲାବେଳେ ଦୀନା ସାହୁ କହିଲା, ‘‘ହଜୁର କାହିଁକି ଏତେ ମେହନତ କରିବେ, ମୋ ଆଡ଼କୁ ପକେଇଦିଅନ୍ତୁ ।’’ ଦୀନା ସାହୁ ସେଦିନ ଆଗରୁ ଦୁଇ ଅଣାର କଲିକତୀ କଲି ଗଞ୍ଜେଇ ଅଣାଇ ରଖିଥିଲା, ସିପାହୀର ସାମାନ୍ୟ ଗଞ୍ଜାଇରେ ସେତକ ମିଶାଇ ଚିଲମରେ ଭର୍ତ୍ତି କରିଦେଲା । ସିପାହୀ ଚାରିପୁଳା ଟାଣି ନିଶାରେ ଢଳି ଶୋଇପଡ଼ିଲା । ସଙ୍ଗେ ସଙ୍ଗେ ଦୀନା କାମରେ ଲାଗିଗଲା; ଗୋଟାଏ ଉହା ଧରି ଲୁହାବାଡ଼ର ବାଡ଼ି ଦୁଇଟା କାଟି ପକାଇଲା-

 

ପ୍ରଶ୍ନ ହୋଇପାରେ, ଜେଲଖାନା କଏଦୀ ହାତକୁ ଉହା ଆସିଲା କିପରି ? ସୃଷ୍ଟିର ରୀତି ଯେପରି ରହସ୍ୟମୟ, ରାଜ୍ୟ ଶାସନ ପ୍ରଣାଳୀ ମଧ୍ୟ ତାଠାରୁ କୌଣସି ଅଂଶରେ କମ୍‌ ନୁହେଁ । ଶରୀର ଓ ସମ୍ପତ୍ତିର ରକ୍ଷାକର୍ତ୍ତା ପୋଲିସ୍‌ ଫୌଜ ମଧ୍ୟରେ ଯେପରି ଚୋର ଆଉ ନରହନ୍ତା ଅଛି, ସେହିପରି ଜେଲଖାନାର କଗୁଆଳମାନଙ୍କ ଭିତରେ ମଧ୍ୟ ଏଭଳି ଲୋକ ଥାଆନ୍ତି ଯେଉଁମାନେ କଏଦୀମାନଙ୍କୁ ବାହାରକୁ ଛାଡ଼ିଦେବା ବ୍ୟବସାୟ କରନ୍ତି । ସେମାନେ କଏଦୀମାନଙ୍କ ବରାଦ ଅନୁସାରେ ବାହାରୁ ପାନ, ସିଗାରେଟ୍‌, ଅଫିମ ପରି ନାନାପ୍ରକାର ମୁକ୍ତିର ଉପକରଣ ମଧ୍ୟ ଲୁଚାଇ ଆଣିଦିଅନ୍ତି ।

 

ସେହିପରି କୌଣସି ସିପାହୀର କୃପାରେ ଦୀନା ସାହୁ ତା କୋଠରୀ ଭିତରୁ ବାହାରି, ଅଗଣାରେ ଚାଲି ଚାଲି ଯାଇ ଛାତ ଉପରେ ଚଢ଼ି, ଛାତରୁ ଛାତକୁ ଡେଇଁ ବାହାରର ଉଚ୍ଚ ପାଚେରୀ ଉପରେ ଯାଇ ପହଞ୍ଚିଲା । ସେଠାରେ ସେ ଯାଇ ଦେଖିଲା ଚନ୍ଦ୍ର ଓ ସାଧୁଆ ଯେଉଁ ଦଉଡ଼ି ଧରି ଓହ୍ଲାଇ ଯାଉଥିଲେ, ତାହା କଣ୍ଟାରୁ ଖସି ବାହାର ପାଖେ ପଡ଼ିଯାଇଛି । ତହୁଁ ସେ ନିରୁପାୟ ହୋଇ ପାଚିରୀ ଉପରେ ବସିଲା । ବସିଲେ, କାଳେ କାହାକୁ ଦେଖାଯିବ, ଭାବି ସେଇ ଅଣ ଓସାରିଆ ପାଚିରୀ ଉପରେ ଶୋଇରହିଲା । ଶୋଇବାରେ ତଳଟା ନିକଟ ହୋଇଗଲା । ତାହା ଯେତେ ନିକଟ ହେଲା, ସେ ପଡ଼ିଲେ ପ୍ରାଣ ରହିବ ନାହିଁ ବୋଲି ସେ ବୁଝିପାରିଲା । ତା କଲିଜା ପାଣି ହୋଇଗଲା-। ତଳୁଟା ତଥାପି ଅନେକ ଗହୀରିଆ ଦିଶିଲା । ଡେଇଁବାକୁ ତାର ସାହସ ହେଲାନାହିଁ-। ଏକ ପାଖରେ ମୃତ୍ୟୁ ଏବଂ ଅପର ପାଖରେ ବନ୍ଧନ ଓ ଦଣ୍ଡ ମଧ୍ୟରେ ଅତି ସଂକୀର୍ଣ୍ଣ ପାଚିରୀ ଉପରେ ଶୋଇ ସେ ଛଟ୍‌ପଟ୍‌ ହେବାକୁ ଲାଗିଲା ।

 

ଜେଲଖାନା ଘଣ୍ଟାରେ ଦୁଇଟା ବାଜିଲା । ସିପାହୀ ବଦଳ ହେଲା । ଦୀନା ସାହୁ କୋଠରୀରେ ଯାହାର ପାଳି ପଡ଼ିଲା, ସେ ଆସି ଦେଖିଲା, ତା ପୂର୍ବରୁ ଜଗିଥିବା ସିପାହୀ କାଠଗଡ଼ ପରି ତଳେ ପଡ଼ି ଶୋଇଛି ଏବଂ କଏଦି କୋଠରୀ ଭିତରେ ନାହିଁ । ସଙ୍ଗେ ସଙ୍ଗେ ବିପଦ ଘଣ୍ଟା ବାଜିଲା, ଚାରିଆଡ଼େ ଦ୍ୱାର ଫିଟିଲା ଓ ପଡ଼ିଲା, କୋଳାହଳ ଶୁଣାଗଲା, ମଶାଲ ଧରି ସିପାହୀମାନେ ଦଉଡ଼-ଧାପଡ଼ କଲେ; ଦୀନା ସାହୁ ପିଣ୍ଡରେ ଆଉ ପ୍ରାଣ ରହିଲା ପରି ବୋଧ ହେଲା ନାହିଁ । ସେ ବାହାରକୁ ଡେଇଁପଡ଼ିବାକୁ ଭାବିଲା; କିନ୍ତୁ ଚମକିପଡ଼ି କହିଲା, ‘‘ପ୍ରାଣଟା କାହିଁକି ଅକାରଣେ ତ୍ୟକ୍ତ କରିଦେବି ? ଧରି ନେବେ ତ, ନିଅନ୍ତୁ । ସେଥିରେ ପ୍ରାଣଟା ତ ଆଉ ଯିବ ନାହିଁ । ଏଇ ପ୍ରାଣ ଲାଗି ପରା ସବୁ ।’’

Image

 

୪୫

ବାପର ପୁଅ

 

ଦୀନା ସାହୁ ସେହିପରି ଭାବୁଛି, ହଠାତ୍‌ ପାଚିରୀ ତଳେ ଅନ୍ଧାରରେ ଗୋଟିଏ ମୂର୍ତ୍ତି ଦେଖାଗଲା । କ୍ଷଣକ ମଧ୍ୟରେ ଆଉ ଜଣେ ଆସି ତା ସଙ୍ଗେ ଯୋଗ ଦେଲା । କିଛି ସମୟ ପରେ ପୁଣି ଆଉ ଜଣେ ଆସିଲା । ଶେଷରେ ଆଉ ଜଣେ ଆସି ମୋଟରେ ଚାରିଜଣ ରୁଣ୍ଡ ହେଲେ । ପାଚିରୀ ସେ ପାଖେ କଏଦୀଖାନା ଭିତରେ ରାତିରେ ଯେଉଁ ସିପାହୀ ଜଗି ବସିବା କଥା, ଘୋର ବର୍ଷା ପବନ ଯୋଗେ ସେ ଖଣ୍ଡେ ଦୂରରେ, ଗୋଟାଏ ଛୋଟିଆ ଛାତ ତଳେ ମୁଣ୍ଡ ଗୁଞ୍ଜି, ଠିଆ ହୋଇଥିଲା ।

 

ଦୀନା ସାହୁ ନିଷ୍କୃତିର ଆଶା ସମ୍ପୂର୍ଣ୍ଣ ଛାଡ଼ି ନ ଥିଲା; କିନ୍ତୁ ପାଚିରୀ ତଳେ ରୁଣ୍ଡ ହୋଇଥିବା ଚାରିଜଣ ଲୋକଙ୍କୁ ଦେଖି ଏକାବେଳକେ ଛାଡ଼ି ଦେଲା । ତିନିଜଣ ଆସି ରୁଣ୍ଡ ହୋଇଥିଲେ; ତାର ଭୟ କରିବାର ସେତେ କାରଣ ନ ଥାନ୍ତା; ସେମାନେ ଗୋବିନ୍ଦା, ଚନ୍ଦ୍ରା ଓ ସାଧୁଆ ବୋଲି ସେ ଧରିନିଅନ୍ତା । ଚତୁର୍ଥ ବ୍ୟକ୍ତିର ଉପସ୍ଥିତି ତାକୁ ପାଗଳ କରିପକାଇଲା । କିନ୍ତୁ ଯେତେବେଳେ, କେହି ବାଦ ନ ପଡ଼ି; ଚାରିଜଣଯାକ ଅଶ୍ଳୀଳ ଭାଷାରେ କଥାବାର୍ତ୍ତା ହେଲେ, ଦୀନା ସାହୁ ଆଖି ଆଗରେ ଗୋଟାଏ ବିସ୍ତୀର୍ଣ୍ଣ ଶିଡ଼ି ଦେଖିଲା ପରି ଅନୁଭବ କଲା ।

 

ସେମାନଙ୍କ ମଧ୍ୟରୁ ଜଣେ କହିଲା, ‘‘ଚାଲ, ପଳେଇବା ।’’ ଆଉ ଜଣେ କହିଲା, ‘‘ସକାଳ ହୋଇଆସିଲାଣି । ସିପେଇମାନେ ଆସିଯିବେ । ଲୋକେ ମଧ୍ୟ ଘରୁ ବାହାରି ପଡ଼ିବେ । ପୁଣି ଧରା ହବ ସିନା ।’’ ସେ ଦୁଇଟା ଯେ ଗୋବିନ୍ଦା ଏବଂ ଚନ୍ଦ୍ରାସ୍ୱର, ଦୀନା ସାହୁ ବେଶ୍‌ ବୁଝିପାରିଲା । ସେତେବେଳେ ପୁଣି ଶୁଣାଗଲା, ‘‘ଏତେ ତରତର ହେଉଚ କାହିଁକି ? ରହ ସେ କାଳେ ଆମ ସାହାଯ୍ୟ ଦରକାର କରିବ ।’’ ଶୁଣି, ଦୀନା ସାହୁ ମନକୁ ମନ କହିଲା, ‘‘ଏ ତ ଉତ୍ସବା-।’’ ଚତୁର୍ଥ ଲୋକଟା ଯେ ସାଧୁଆ, ଦୀନା ସାହୁର ଆଉ ସନ୍ଦେହ ରହିଲା ନାହିଁ । କାରଣ, ସେ କହିଲା, ‘‘କଣ କହୁଚ ? ଜମିଦାର ଆସିପାରିଲା ନାହିଁ ? ସହଜ କଥା କେତେ ଚାଲାକି ଦରକାର । ଜଙ୍ଘିଆ ଚିରି ଗଇଁଠେଇ ଦଉଡ଼ି ବଳିବ, ଚିଠି ଜାଲ କରିବ, ଜାଲ ଚାବି ଗଢ଼େଇବ, ହାତକଡ଼ି ଉହାରେ କାଟି ଛିଣ୍ଡେଇବ, ଖିଡ଼ିକିବାଟେ ଦଉଡ଼ି ବାହାରକୁ ପକେଇବ, ଛଦ୍ମବେଶ ଧରିବ, ତେବେ ସିନା ଯାଇ କଏଦିଖାନାରୁ ଫିଟିବ । ଜମିଦାର କଣ ଏଥିକି ପାତ୍ର ?’’ ଶୁଣି ଗୋବିନ୍ଦା କହିଲା, ‘‘କିଏ ଜାଣେ, ଧରା ହୁଏ ତ ପଡ଼ିସାରିଲାଣି । ଦେଖୁନାହଁ, ଭିତରଟା ଘଣ୍ଟି ଠଣଠଣରେ କମ୍ପିଯାଉଚି, କୋଳାହଳ ଶୁଭୁଚି, ଆଲୁଅ ଖୁବ୍‌ ଜଳୁଚି । ସେ ଯଦି କୋଠରୀ ଭିତରୁ ବାହାରି ଆସିଥିବ, କଣ ଆଉ ଧରା ପଡ଼ି ନ ଥିବ ? କୋଡ଼ିଏଟି ବର୍ଷ ଠୁକିଦେବେ । ଯାଉ, ତା କପାଳ । ଆମର କଣ ଅଛି । ଏ ପାଣି ପବନରେ ଆଉ କେତେ ତିନ୍ତିବା ? ଦେହଟାମାନ ଗରମ କରିବା ଦରକାର । ଚାଲ ଭାଇ, ଯିବା ତାଡ଼ି ଦୋକାନକୁ ।’’

 

ଉତ୍ସବା କହିଲା, ‘‘ନା, ‘‘ସାଥି ଲୋକଟାଏ ବିପଦରେ ପଡ଼ିଲା ବେଳେ ଛାଡ଼ି ଯିବ ନାହିଁ-।’’ ଚୋରମାନେ ଯେତେ ପାପୀ ହୁଅନ୍ତୁ ପଛକେ, ତାଙ୍କର ଗୋଟାଏଧର୍ମଜ୍ଞାନ ଥାଏ । ସେ ଧର୍ମଜ୍ଞାନ ବଳରେ ସେମାନେ ପ୍ରାଣପଣେ ପରସ୍ପରକୁ ବିପଦରୁ ଉଦ୍ଧାର କରିବାକୁ ଚେଷ୍ଟା କରନ୍ତି । ସେହି ଧର୍ମଜ୍ଞାନ ବଳରେ ଗୋବିନ୍ଦା ଉତ୍ସବାକୁ ଧରି ରାତିଯାକ ସାଧୁଆ, ଚନ୍ଦ୍ରା ଏବଂ ଦୀନ ସାହୁକୁ ଅପେକ୍ଷା କରି କଏଦିଖାନା ବାହାରେ ରହିଥିଲା । ଚନ୍ଦ୍ରା ଏବଂ ସାଧୁଆ ବାହାରିଲା ପରେ ସମସ୍ତେ ମିଶି ଗଳି ଗଳି ହୋଇ ସହରଯାକ ଦୀନା ସାହୁକୁ ଖୋଜି ବୁଲିଛନ୍ତି । ସେମାନେ କାହିଁକି ଜାଣିବେ ଯେ ଦୀନା ସାହୁ ନିର୍ଦ୍ଦିଷ୍ଟ ସମୟରେ ଜେଲଖାନା ଭିତରୁ ବାହାରି ଆସିପାରି ନାହିଁ ? ସେମାନେ ଖୋଜି ଖୋଜି ଯେତେବେଳେ ନ ପାଇଛନ୍ତି, ପୁଣି ଜେଲଖାନା ପାଖକୁ ଫେରି ଆସିଛନ୍ତି ।

 

ସମସ୍ତେ ବସି ଚିନ୍ତା କରୁଛନ୍ତି, ସେପରି ସମୟରେ ଗୋବିନ୍ଦ କହିଲା, ‘‘ଭାଇ ଗୋଟାଏ ଦଉଡ଼ି ପଡ଼ିଚି ।’’ ଚନ୍ଦ୍ରା ଚାହିଁ ଦେଇ କହିଲା, ‘‘ଏ ତ ମୋ’ରି ଦଉଡ଼ି ।’’ ତହୁଁ ଉତ୍ସବା ଉପରକୁ ଚାହିଁ କହିଲା, ‘‘ଏଇ ତ ଜମିଦାର ଶୋଇଚି ପରା ।’’ ସେମାନେ ସମସ୍ତେ ଉପରକୁ ଚାହିଁଲେ । ଦୀନା ସାହୁ ମୁଣ୍ଡଟା ଟିକିଏ ବାହାରକୁ କାଢ଼ିଲା । ତାପରେ ଦଉଡ଼ିଟାକୁ ପାଚିରୀ ଉପରକୁ ନେଇ, ଚନ୍ଦ୍ରା ପୋତିଥିବା କଣ୍ଟାରେ ବାନ୍ଧିବା ପ୍ରସ୍ତାବ ସ୍ଥିର ହେଲା । ଉତ୍ସବା କହିଲା, ‘‘ଦଉଡ଼ିର ଗୋଟାଏ ମୁଣ୍ଡ ଉପରକୁ ଫିଙ୍ଗିଦିଅ, ଜମିଦାର ବାନ୍ଧିଦବ ।’’

 

ଦୀନ ସାହୁ ଟିକିଏ ସାହସ ବାନ୍ଧି, ଅଥଚ ପ୍ରାଣ ପ୍ରାୟଶ୍ଚିତ୍ତ କରି, ଉପରୁ ଧୀର ସ୍ୱରରେ କହିଲା, ‘‘ମୁଁ ଏକାବେଳକେ ଓଦା ହେଇଯାଇଚି ।’’

 

‘‘ଆଚ୍ଛା, ଆ, ଆମେ ଗରମ କରିଦବୁ ।’’

‘‘ମୁଁ ହଲ୍‌ଚଲ୍‌ ହେଇପାରୁ ନାହିଁ ।’’

‘‘ତୁ ଖସିଆ, ଆମେ ଧରିନବୁ ।’’

‘‘ମୋ ହାତ କୋଲ ମାରିଯାଇଚି ।’’

‘‘ଖାଲି ଦଉଡ଼ିଟା ବାନ୍ଧିଦେ ।’’

 

‘‘ମୁଁ ପାରିବି ନାହିଁ । ଦେଖ, ୟାଡ଼େ ଭିତରେ ଭାରି ଖୋଜା ତନଖା ଚାଲିଚି; ଏପଟକୁ ମୋହିଁଲେ କି କଣ । ନା, ବୁଲିପଡ଼ିଲେ । ସେଆଡ଼େ ଖୋଜି ଆସୁଚନ୍ତି, ଟିକିଏ ଡେରି ଅଛି ।’’

 

ଉତ୍ସବା କହିଲା, ‘‘ଆମ ଭିତରୁ ଜଣେ କିଏ ଉପରକୁ ଯିବା ଦରକାର ।’’ ଶୁଣି ଚନ୍ଦ୍ରା କହିଲା, ‘‘ଏ ବାଟେ ଚଢ଼ି କେବଳ ଗୋଟାଏ ପିଲା ଯାଇପାରେ, ବଡ଼ ମଣିଷ ପାରିବେ ନାହିଁ ।’’ ଉପରୁ ଦୀନା ସାହୁ କହିଲା, ‘‘ହଁ’’ ସାଧୁଆ ପଚାରିଲା, ‘‘ଆମେ ପିଲାଟାଏ ଅଇଛିକା କାହୁଁ ପାଇବା-?’’ ‘‘ଆଚ୍ଛା, ଟିକିଏ ସବରକର୍‌’’, କହି, ଉତ୍ସବା ଚାଲିଗଲା ।

 

ରାତି ପାହିବା ସମୟ ହୋଇଯାଇଥିଲେ ସୁଦ୍ଧା, ସେ ଝଡ଼ି କହଲରେ କେହି ବାହାରକୁ ବାହାରି ନ ଥିଲେ । ଉତ୍ସବା ଯାଇ ଅଧଘଣ୍ଟାକ ମଧ୍ୟରେ ହରିଆକୁ ଧରି ଆସି ପହଞ୍ଚିଲା । ସେ ଅଧଘଣ୍ଟାକ ଦୀନା ସାହୁକୁ ଅଧ ଯୁଗେ ପରି ଲାଗିଲା । ସାଧୁଆ ହରିଆକୁ ଦେଖି କହିଲା, ‘‘ଟୋକାଟା ତ ଗୋଟିଏ ମଣିଷ ପରି ଦିଶୁଚି ।’’ ଶୁଣି, ହରିଆ କହିଲା, ‘‘ମୋ ପରି ଟୋକାଗୁଡ଼ାକ ମଣିଷ; ଆଉ ତୋ ପରି ମଣିଷଗୁଡ଼ାକ ଟୋକାଙ୍କଠୁ ବି ହୀନ ।’’ ଗୋବିନ୍ଦା କହିଲା, ‘‘ବେଶ୍‌ ପାଟି ଖଣ୍ଡେ ପାଇଚି ଏକା ।’’ ଚନ୍ଦ୍ରା ସେଥିରେ ମିଶାଇଲା ‘‘କଟକୀଟୋକା ନ; ଖଳିରେ ତ ଆଉ ତିଆର ନୁହେଁ, ହାଡ଼ ମାଉଁସ ମଣିଷ ।’’

 

ହରିଆ ଦୌଡ଼ିର ଗୋଟାଏ ମୁଣ୍ଡ ଦାନ୍ତରେ କାମୁଡ଼ି ଧରି, ଦୁଇଟା କାନ୍ଥ ମଝିରେ ଥିବା ଅତି ସଂକୀର୍ଣ୍ଣ ଫାଙ୍କ ବାଟେ ମୁହୂର୍ତ୍ତକ ମଧ୍ୟରେ ଉପରକୁ ଉଠିଗଲା । ଯାଇ ଚମକିପଡ଼ି, ମନେ ମନେ କହିଲା, ‘‘ଆରେ ଏଟା ତ ମୋ ବାପ । ହଉ, ସେଥିରେ କଣ ଅଛି ? ଆସିଚି, କଣ ଆଉ ଫେରିଯିବି ?’’ କହି, ଦଉଡ଼ିଟା କଣ୍ଟାରେ ବାନ୍ଧିଦେଇ ତଳକୁ ଖସିଆସିଲା । ଦୀନା ସାହୁ ପଛେ ପଛେ ଆସି ତଳେ ଠିଆ ହେଲା । ସେ ତଳେ ପହଞ୍ଚିବାରେ ତା ଶୀତ, ଜଡ଼ତା, ନୈରାଶ୍ୟ ସବୁ ମୁହୂର୍ତ୍ତକ ମଧ୍ୟରେ ଦୂର ହୋଇଗଲା । ଓହ୍ଲାଇବା ମାତ୍ରେ ସେ ପଚାରିଲା, ‘‘କାହାକୁ ଖାଇବାକୁ ଠିକ୍‌ କରିଚ ?’’ ଚନ୍ଦ୍ରା ମୁହୂର୍ତ୍ତକ ମଧ୍ୟରେ ଉତ୍ତର ଦେଲା, ‘‘ସେ ଠିକ୍‌ ହେଇଚି । ସାହେବଜାଦା ବଜାରରେ ଗୋଟାକ ଘର । ବେଶ୍‌ ସୁବିଧା; ଆଖପାଖେ ଆଉ ଘରଫର ନାହିଁ । ଘରଟା ପୁଣି ଗୋଟାଏ ବଗିଚା ଭିତରେ । ଗୋଟାଏ ବୁଢ଼ୀ ଆଉ ଗୋଟାଏ ଟୋକୀ ଥାଆନ୍ତି । ବାକି ବୁଢ଼ାଟାଏ କୋଉଦିନ ଥାଏ, କୋଉଦିନ ନ ଥାଏ ।’’

 

ଦୀନା ସାହୁ ପଚାରିଲା, ‘‘ଏଇ ରାତିରେ ହବ, ନା ଆଉ କୋଉ ଦିନକୁ ଠିକ୍‌ କରିଚ ?’’ ଶୁଣି ଗୋବିନ୍ଦା କହିଲା, ‘‘ତୋ ଝିଅ ଚମ୍ପା ତ ଯାଇଥିଲା ଦେଖିବାକୁ ?’’ ମାତ୍ର ଉତ୍ସବା କହିଲା, ‘‘ସେଟା ହେଲା ନାହିଁ; ଚମ୍ପା ଆସି ନାହିଁ କରିଯାଇଚି ।’’ ଶେଷରେ ଦୀନା ସାହୁ କହିଲା, ‘‘ନୁହେ, ଆମେ ନିଜେ ଯାଇ ଦେଖିବା ଦରକାର । ସେ ଛତ୍ରଖାଈ କଥା କାହିଁକି ଶୁଣୁଚ ?’’ ଶୁଣି ଅନ୍ୟ ସମସ୍ତେ କହିଲେ, ଠିକ୍‌, ଠିକ୍‌ ।’’

 

ସେସବୁ ଗଳ୍ପ ମଧ୍ୟରେ ହରିଆ ଆଡ଼କୁ କେହି ଆଡ଼ ଆଖିରେ ସୁଦ୍ଧା ଚାହିଁଲେ ନାହିଁ । ବାପଠାରୁ ପଦେ କଥା ଶୁଣିବାକୁ ସେ ଆଶା କରି ଠିଆ ହୋଇଥିଲା । ତାହା ଯେତେବେଳେ ନ ଶୁଣିଲା, ସେ ଶେଷରେ କହିଲା, ‘‘ମୋ ଦେହାତି ଆଉ କିଛି କାମ ନାହିଁ ତ ? ମୁଁ ଚାଲିଲି । ମୋ ପିଲା ଦି’ଟା ଫେରେ ସେଠେଇ ଶୋଇଚନ୍ତି, ଯାଇ ଉଠେଇବାକୁ ହବ । ନ ହେଲେ ରାତିଯାଏ ସିନା ଶୋଇଥିବେ ।’’

 

ହରିଆ ଚାଲିଗଲା । ତା ପଛରେ ଅନ୍ୟ ପାଞ୍ଚଜଣ ଗୋଟି ଗୋଟି ହୋଇ ଯାଇ ଅନ୍ୟତ୍ର ଏକାଠି ମିଳିଲେ । ସେତେବେଳେ ଗୋବିନ୍ଦା ଦୀନା ସାହୁକୁ ତୁନି କରି ପଚାରିଲା, ‘‘ସେ ଟୋକାଟାକୁ ଚିହ୍ନିଲୁ ତ ?’’

 

‘‘କୋଉ ଟୋକା ?’’

‘‘ଯେ ପାଚିରୀରେ ଚଢ଼ିଥିଲା ମ ? ସେ ତୋ ପୁଅ ନୁହେଁ ?’’

‘‘ଯାଃ, ସେ କାହିଁକି ମୋ ପୁଅ ହୁଅନ୍ତା ? ତୋ ପୁଅ ହୋଉ ।’’

‘‘ନା ରେ, ତାରି ଯୋଗେ ତ ତୁ ଆଜି ବର୍ତ୍ତିଲୁ ।’’

‘‘ଓ, ତେବେ ସେ ତା ବାପର ପୁଅ, ଗୋବିନ୍ଦା ଭାଇ ।’’

Image

 

୪୬

ଝିଅ କଣ କଲା ?

 

ଡକାୟତମାନେ ସାହେବଜାଦା ବଜାର ଘରଟା ଲୁଟି କରିବାକୁ ସ୍ଥିର କରି, ତାହା ଜଗିବା ନିମନ୍ତେ ଆଗରୁ ଚମ୍ପାକୁ ପଠାଇଲେ; କିନ୍ତୁ ସେ ଘରେ କିଏ ରହୁଥିଲା, ଚମ୍ପା ଯେତେବେଳେ ଜାଣିପାରିଲା, ସେ ସେମାନଙ୍କୁ ସେଠାରୁ ଦୂରରେ ରଖିବାକୁ ଚେଷ୍ଟା କଲା । ତାଛଡ଼ା ସେ ବନମାଳୀକି ନେଇ ସେଠାରେ ପହଞ୍ଚାଇଲା । ବନମାଳୀ କ୍ରମେ ରମା ଘର ବଗିଚା ମଧ୍ୟରେ ପ୍ରବେଶ କରିବାକୁ ଲାଗିଲା । ସନ ୧୨୬୫ ସାଲ ବସନ୍ତ କାଳଯାକ ଦୁଇଟି ପ୍ରେମିକ ପ୍ରେମିକା ସେହି ପାର୍ଥିବ ବଗିଚା ମଧ୍ୟରେ ସ୍ୱର୍ଗର ଅମୀୟ ସମ୍ପଦ ଢାଳି ରଖିଲେ ।

 

ବନମାଳୀ ରମା ସହିତ ଘର ଭିତରେ କେବେ ପାଦ ପକାଇଲା ନାହିଁ । ବଗିଚାର ଗୋଟିଏ ରମଣୀୟ ଲତାକୁଞ୍ଜ ମଧ୍ୟରେ ଦୁହେଁ ବସି ରହନ୍ତି । ସେ କୁଞ୍ଜଟିରେ ବସିଲେ ଦାଣ୍ଡର ବାଟୋଇ ଦୃଷ୍ଟିରେ ସେମାନଙ୍କର ପଡ଼ିବାର ଆଶଙ୍କା ନ ଥାଏ । ପ୍ରେମିକ ପ୍ରେମିକାଙ୍କର ଗଳ୍ପ କରିବା ନିମନ୍ତେ କୌଣସି ବିଷୟର ପ୍ରୟୋଜନ ହୁଏ ନାହିଁ । ବୁଢ଼ିଆଣୀ ପେଟ ଭିତରୁ ସୂତା ବାହାର କଲା ପରି, ପ୍ରେମିକ ପ୍ରେମିକା ନିଜ ହୃଦୟ ମଧ୍ୟରୁ ଗଳ୍ପର ଅସରନ୍ତି ବିଷୟ କାଢ଼ିପାରନ୍ତି । ବନମାଳୀ ଓ ରମା ସେ କୁଞ୍ଜରେ ବସି ଗଳ୍ପରେ ଲାଗିଥିଲା ବେଳେ, ବଗିଚା ମଧ୍ୟରେ ଗୋଟିଏ ବଜ୍ର ପଡ଼ିଲେ ସୁଦ୍ଧା ସେମାନେ ଶୁଣି ପାରି ନ ଥାନ୍ତେ । ବନମାଳୀ ସନ୍ଧ୍ୟାରେ ଆସି ପ୍ରାୟ ଅଧରାତି ସମୟରେ ପଦ୍ମନାଭ ବସାକୁ ଫେରିଯାଏ ।

 

ଦିନେ ସନ୍ଧ୍ୟାବେଳେ ବନମାଳୀ ରମା ସହିତ ଦେଖା କରିବାକୁ ଆସିବା ସମୟରେ ବାଟରେ ଶୁଣିଲା, ‘‘ନମସ୍କାର, ବନମାଳୀ ବାବୁ ।’’ ସେ ମୁଣ୍ଡ ଟେକି ଚାହିଁ ଚମ୍ପାକୁ ଦେଖିଲା । ଚମ୍ପା ପ୍ରଥମେ ଯେଉଁଦିନ ବନମାଳୀକୁ ରମା ଘର ପାଖେ ଆଣି ଛାଡ଼ି ଦେଇଗଲା, ସେହି ଦିନଠାରୁ ସେ ଚମ୍ପାକୁ ଆଉ ଦେଖି ନ ଥିଲା । କେବଳ ସେତିକି ନୁହେଁ, ତା କଥା ସେ ପାସୋରି ମଧ୍ୟ ଦେଇଥିଲା-। ସେଦିନ ତାକୁ ହଠାତ୍‌ ଦେଖି ସେ ଟିକିଏ ବିବ୍ରତ, ଏପରିକି ବିରକ୍ତ ମଧ୍ୟ ହୋଇଉଠିଲା-। ଚମ୍ପା ଯେ ତା ବାପାଙ୍କ ଆଦେଶପତ୍ରରେ ଲିଖିତ ଦୀନା ସାହୁର ଝିଅ, ସେ ତାହା ଜାଣି ସୁଦ୍ଧା, ସମ୍ପୂର୍ଣ୍ଣରୂପେ ହୃଦୟଙ୍ଗମ କରି ନ ଥିଲା । ସେଥିପାଇଁ ସେ ତାକୁ ଦେଖି ଉଦାସୀନ ଭାବରେ କହିଲା, ‘‘ଓ, ଚମ୍ପା ।’’ ଶୁଣିଲାକ୍ଷଣି, ଚମ୍ପା ଦୋଷାରୋପ କରି ପଚାରିଲା, ‘‘ବନମାଳୀ ବାବୁ, ମୁଁ ତୁମର କି ଦୋଷ କରିଚି ? ମୋତେ କାହିଁକି ଫିଙ୍ଗିଲା ଫୋପାଡ଼ିଲା ପରି କଥା କହୁଚ ?’’ ବନମାଳୀ ସ୍ତୋକରେ ଉତ୍ତର ଦେଲା, ‘‘ନା ।’’

 

ବାସ୍ତବରେ ଚମ୍ପା ଉପରେ ବିରକ୍ତ ହେବାକୁ ବନମାଳୀର କୌଣସି କାରଣ ନ ଥିଲା; ବରଂ କୃତଜ୍ଞ ହେବାର ଯଥେଷ୍ଟ ଥିଲା । ତଥାପି ସେ କୃତଜ୍ଞତା ନ ଦେଖାଇବାରୁ ଚମ୍ପା ପୁଣି କହିଲା, ‘‘ମୋତେ କହ ।’’ ମାତ୍ର ସେ ଆଉ କିଛି କହିପାରିଲା ନାହିଁ କିମ୍ବା ହସିବାକୁ ଚେଷ୍ଟା କରି ହସି ମଧ୍ୟ ପାରିଲା ନାହିଁ, କେବଳ ମୁଣ୍ଡ ପୋତି ଠିଆ ହୋଇ ରହିଲା । ତାପରେ, ‘‘ନମସ୍କାର, ବନମାଳୀ ବାବୁ’’ କହି, ଧୀରେ ଧୀରେ ପାଦ ଚାଲି ବାଟେ ବାଟେ ଚାଲିଗଲା ।

 

ପରଦିନ ସନ୍ଧ୍ୟା ସମୟରେ ବନମାଳୀ ପୁଣି ସେହି ବାଟରେ ଯାଉଥିବାବେଳେ ଚମ୍ପା ତା ଆଡ଼କୁ ଆସିବାର ଦେଖିଲା; କିନ୍ତୁ ସେ କିଛି ନ କହି ବାଟ ଭାଙ୍ଗି ଚାଲିଗଲା । ଚମ୍ପା ଯାହା କେବେ କରି ନ ଥିଲା, କଲା; ପଛେ ପଛେ ସେ ଘର ପର୍ଯ୍ୟନ୍ତ ଗଲା । ସେ ଅନେକ ଦିନ ସେ ଅଞ୍ଚଳରେ ଆସି ବୁଲେ, ବନମାଳୀ ବଗିଚା ମଧ୍ୟରେ ପ୍ରବେଶ କରିବାର ଦେଖେ, କିନ୍ତୁ ନିଜେ କେବେ ଦେଖା ଦିଏନାହିଁ । କେବଳ ଗତ ସନ୍ଧ୍ୟାରେ ସେ ତା ସହିତ ଦେଖା କରିଥିଲା; କିନ୍ତୁ ସେଦିନ ସନ୍ଧ୍ୟାରେ ସେ ବଗିଚା ଫାଟକ ପର୍ଯ୍ୟନ୍ତ ଗଲା ଏବଂ ପହରାବାଲା ପରି ସେଠାରେ ବସିରହିଲା । ସେ ଅନ୍ଧାରରେ ହଲ୍‌ଚଲ୍ ନହୋଇ, ଲୁଚି, ଘଣ୍ଟାକରୁ ଅଧିକ ସମୟ ରହିଲା ପରେ, ପ୍ରାୟ ଦଶଟା ବାଜିଲା ବେଳେ, ଛ’ଜଣ ଲୋକ ଆସି ପହଞ୍ଚିଲେ । ସେମାନେ ବଜାରି ଭାଷାରେ କାନକୁ କାନ କଥା କୁହାକୁହି ହେଲେ । ଜଣେ କହିଲା; ‘‘ଏଇଟା ।’’ ଆଉ ଜଣେ ପଚାରିଲା, ‘‘ଦୁଆର ତାଡ଼ିବା ପାଇଁ ତୁ ସାବଳଟା ଆଣିଚୁ ନା ?’’ ଉତ୍ତର ଶୁଣିଲା, ‘‘ହଁ ।’’ ଆଉ ଜଣେ କହିଲା, ‘‘ଫାଟକଟା ତ ପୁରୁଣା । ବଗିଚାରେ କୁକୁର ଫୁକୁର ନାହାନ୍ତି ତ, ଭାଇ ।’’

 

ଜଣେ ଲୋକ ସେପର୍ଯ୍ୟନ୍ତ ପାଟି ଫିଟାଇ ନ ଥିଲା । ସେ ଅଣ୍ଡାଳି ଅଣ୍ଡାଳି ଫାଟକଟା ଫିଟାଇବାକୁ ଗଲାବେଳେ, ଅନ୍ଧକାର ମଧ୍ୟରୁ ଗୋଟିଏ ହାତ ବାହାରି ତାକୁ ପେଲି ଧରିଲା ଏବଂ କର୍କଶ ସ୍ୱର ଶୁଣାଗଲା ‘‘ସାବଧାନ, କୁକୁର ଅଛି ।’’ ସେ ନିରୀକ୍ଷଣ କରି ଦେଖିଲା, ଆଗରେ ଜଣେ ବାଳିକା ଠିଆ ହୋଇଛି । ଦେଖିବାମାତ୍ରେ ତାର ରୋମାଞ୍ଚ ହେଲା । ଭୟତ୍ରସ୍ତ ହିଂସ୍ର ଜନ୍ତୁର ମୂର୍ତ୍ତି ଅପେକ୍ଷା ସଂସାରରେ ଭୀଷଣ ପଦାର୍ଥ ଆଉ କିଛି ନାହିଁ । ସେ ଲୋକ ପଛକୁ ହଟିଯାଇ ପଚାରିଲା, ‘‘କିଏ ଏ ସୟତାନ ?’’ ଉତ୍ତର ଶୁଣିଲା, ‘‘ତୋ ଝିଅ ପରା ।’’

 

‘‘ତୁ ଏଠେଇ ଆସି କଣ କରୁଚୁ ତେବେ ? ତୁ କଣ ଆମ ବାଟ ବନ୍ଦ କରିବାକୁ ଆଗରୁ ଆସିଥିଲୁ ?’’ ଦୀନା ସାହୁ ରାଗି ଅଥଚ ଧୀର ସ୍ୱରରେ ପଚାରିଲା । ଚମ୍ପା ଉତ୍ତର ଦେଲା, ‘‘ମୋତେ କଣ ଓଲୁ ଠଉରେଇଲୁ ? ମୁଁ ଆସିଲି, ଦେଖିଲି, ବୁଝିଲି, ଶୁଝିଲି ଯାଇ ମନା କଲି । ତେବେ ବି ସାଙ୍ଗରେ ପାଞ୍ଚଟା ଲୋକ ଧରି ଧାଇଁଚୁ ? ଟିକିଏ ଡର ଭୟ ନାହିଁ । ମୁଁ କହୁଚି ଏ ଘରେ ପଶିବା ଦରକାର ନାହିଁ । ଏମାନେ ଭାରି ଗରିବ ଲୋକ । ଘରଟାଯାକ ଖୋଜିଲେ ପଇସାଟାକର ଚିଜ ପାଇବ ନାହିଁ ।’’ ଶୁଣି ଦୀନା ସାହୁ ରାଗିଯାଇ କହିଲା, ‘‘ତୁ ଡାହାଣୀ କଥାରେ ଆମେ ଫେରିଯିବୁ ? ଆମେ ନିଜେ ଘରଦ୍ୱାର ଖୋଜିବୁ, ନ ପାଇଲେ, ବଳେ ଚାଲିଯିବୁ’’ କହି, ସେ ଚମ୍ପାକୁ ବାଟରୁ ପେଲିଦେଲା; କିନ୍ତୁ ଚମ୍ପା ଉଠିଆସି ଦୁଆରେ ଜଗି, ଛ ଜଣ ହାତ ହତିଆର ଧରି ଆସିଥିବା ଲୋକଙ୍କ ଆଗରେ ଠିଆ ହୋଇ କହିଲା, ‘‘ମୁଁ ଛାଡ଼ିବି ନାହିଁ ।’’

 

ଛ’ଟା ଯାକ ଲୋକ ସ୍ତମ୍ଭୀଭୂତ ହୋଇ ଠିଆ ହେଲେ । ଚମ୍ପା ପୁଣି କହିଲା, ‘‘ଦେଖ, ତୁମେ ଏ ଭିତରେ ଗୋଡ଼ ପକେଇବ ତ, ମୁଁ ଡାକ ପକେଇବି, ପାଟିତୁଣ୍ଡ କରିବି, ଲୋକଙ୍କୁ ଉଠେଇବି, ତୁମ ଛ’ଜଣ ଯାକକୁ ଧରେଇଦେବି, ଆଉ ପୋଲିସ୍‌ ଡାକି ଆଣିମି । ମୋ ନିଜ ବାପ ମଧ୍ୟ ବାଦ୍‌ ଯିବନାହିଁ ।’’ ଦୀନା ସାହୁ ଝିଅର ରାଗ ଦେଖି, ତା ନିକଟକୁ ଯିବାକୁ ବସିଲା । ଦେଖି ଚମ୍ପା କହିଲା, ‘‘ମୋ କତିକି ଆ ନା ।’’ ଦୀନା ସାହୁ ପଛକୁ ଘୁଞ୍ଚିଗଲା । ଚମ୍ପା ବିକଟ ସ୍ୱରରେ ଠୋ ଠୋ ହସି ପୁଣି କହିଲା, ‘‘ତୁମେ ଛ’ଟା ଲୋକ ଅଛ ବୋଲି ମତେ ଡରଉଛ । ଘର ଭିତରେ ମାଇପକୁ ଡରେଇ ଡରେଇ ସାହସ ବଢ଼ିଯାଇଚି । ମୁଁ ଡରିବା ଲୋକ ନୁହେଁ’’ କହି ଦୀନା ସାହୁ ଆଡ଼କୁ ଚାହିଁ ସେ ପୁଣି କହିଲା, ‘‘ବାପକୁ ମଧ୍ୟ ମୁଁ ଡରେନା । ମୋତେ ମାରିବ ! ମାର ।’’ ଚମ୍ପା ହଠାତ୍‌ ଚୁପ୍‌ ହୋଇଗଲା । ଗର୍ଜି ଗର୍ଜି ତାର କାଶ ଉଠିଲା ।

 

ଗୋବିନ୍ଦା ପଚାରିଲା, ‘‘କଣ ଏ ପିଲାଟାକୁ ଡରି ଫେରିଯିବା ?’’ ଉତ୍ସବା କହିଲା, ‘‘ନା, ତୁମେ ପାଞ୍ଚ ଜଣ ଭିତରେ ପଶ । ଆଉ ମୁଁ ଏ ଟୋକୀଟାକୁ ଧରି ବସୁଚି । ହଲ୍‌ଚଲ୍‌ ହେଲେ-’’ କହି, ସେ ତା ଛୁରୀ ବାହାର କଲା । ଦୀନା ସାହୁ ପଦେ ସୁଦ୍ଧା କଥା କହିଲା ନାହିଁ, କିନ୍ତୁ ଶେଷରେ ଚନ୍ଦ୍ରା କହିଲା, ‘‘ଦେଖ ଭାଇ, ଆଜି ଦିନଟା ଭଲ ନୁହେଁ । କାହା ମୁହଁ ଚାହିଁ ରାତି ପାହିଥିଲା, ଖାଲି ମନ୍ଦରେ ମନ୍ଦରେ ଯାଉଚି । ଚାଲ, ଫେରିଯିବା ।’’ ଚନ୍ଦ୍ରା କଥା ଶୁଣି ସମସ୍ତେ ଫେରିଗଲେ । ଫେରିବାବେଳେ ଉତ୍ସବା କହିଲା, ‘‘ତୁମେ କହିଥିଲେ, ମୁଁ ସତ୍ୟାନାଶୀ ଟୋକୀଟାର ତଣ୍ଟିଟା କାଟି ଦେଇଥାନ୍ତି ।’’

 

ଚମ୍ପା ଡକାୟତମାନଙ୍କୁ ଏକା ଛାଡ଼ି ନ ଦେଇ, ଛପି ଛପି ତାଙ୍କ ପଛେ ପଛେ ଗଲା । ସେତେବେଳେ ବନମାଳୀ ରମା ପାଖେ ସେହି ବଗିଚା ଭିତରେ କୁଞ୍ଜ ମଧ୍ୟରେ ବସିଥିଲା । ରମା ମୁହଁରେ ହାତ ଦେଇ କାନ୍ଦୁଥିଲା । ବନମାଳୀ ପଚାରିଲା, ‘‘କାନ୍ଦୁଚ କାହିଁକି, ରମା ? କଣ ହେଇଚି-?’’ ରମା ଉତ୍ତର ଦେଲା, ‘‘କଣ କହିବି ? ବଡ଼ ଦୁଃଖର କଥା । ବାପା କହୁଛନ୍ତି, ମୁଁ ତାଙ୍କ ସାଙ୍ଗେ ରେଙ୍ଗୁନ୍‌ ଯିବି ।’’ ବନମାଳୀ ଚମକି ପଡ଼ିଲା । ସେ କହିଲା, ‘‘କାହିଁକି ?’’ କିନ୍ତୁ ଉତ୍ତର ପାଇବା ପୂର୍ବରୁ ପୁଣି ପଚାରିଲା, ‘‘କେବେ ବାହାରିବ ?’’

 

‘‘ତା ମୋତେ କହି ନାହାନ୍ତି ।’’

‘‘କେବେ ଫେରିବ ?’’

‘‘କେଜାଣି ? ସେ କଥା ମଧ୍ୟ କହି ନାହାନ୍ତି ।’’

 

ବନମାଳୀ ଠିଆ ହୋଇ ନୀରସ ସ୍ୱରରେ ପଚାରିଲା, ‘‘ରମା, ତୁମେ ଯିବ ?’’ ରମା ବନମାଳୀର ହାତ ଦିଓଟି ନିଜ ହାତରେ ଧରି କହିଲା, ‘‘ମୋର କି ଚାରା ଅଛି ? ସେ ପରା ବାପ, ଆଉ ମୁଁ ଝିଅ ।’’

 

‘‘ତେବେ, ତୁମେ ଯିବାକୁ ଠିକ୍‌ କରିଚ ? ଆଚ୍ଛା, ଯାଅ । ମୁଁ ମଧ୍ୟ ତାହା ହେଲେ କୁଆଡ଼େ ଚାଲିଯିବି ।’’ ରମା ଏ କଥାର ଅର୍ଥ ଯାହା ବୁଝିଲା, ତାଠାରୁ କଳ୍ପନାରେ ବେଶି ଦେଖିଲା । କ୍ଷଣକ ମଧ୍ୟରେ ସେ କଳା ପଡ଼ିଗଲା । ତା’ ପରେ ସେ ପଚାରିଲା, ‘‘ତୁମେ ତେବେ କଣ କହୁଚ ?’’

 

‘‘ରମା, ମୁଁ କେବେ ଶପଥ କରିନାହିଁ । କାରଣ; ଶପଥକୁ ମୋର ଭାରି ଡର; କିନ୍ତୁ ଆଜି ଶପଥ କରି କହୁଚି, ତୁମେ ଚାଲିଗଲେ, ମୁଁ ମରିଯିବି ।’’ ଶୁଣି, ରମା ଆପାଦମସ୍ତକ ଥରିଲା; ଭୟରେ ତା ଆଖିରୁ ଲୁହ ଶୁଖିଗଲା, ତା କାନ୍ଦ ବନ୍ଦ ହୋଇଗଲା । ବନମାଳୀ କହିଲା, ‘‘ଦେଖ, ରମା ! ମୁଁ କାଲି ଆସିପାରିବି ନାହିଁ ।’’ ରମା ପଚାରିଲା, ‘‘କାହିଁକି ?’’ ବନମାଳୀ କହିଲା, ‘‘କାଲି ନ ଆସି, ପରଦିନ ଆସିବି ।’’ ରମା ନିତାନ୍ତ ବିଷର୍ଣ୍ଣ ଭାବରେ କହିଲା, ‘‘ତୁମକୁ ଛାଡ଼ି ଦିନେ କାଳ କଣ ମୁଁ ରହିପାରିବି ? ଅସମ୍ଭବ ।’’ ତହୁଁ ସେ ଉତ୍ତର ପାଇଲା, ‘‘ସାରା ଜୀବନ ଏକାଠି ରହିବା ଆଶାରେ ଦିନେ ସୁଖରୁ ବଞ୍ଚିତ ହେବା କିଛି ମନ୍ଦ କଥା ନୁହେଁ । ତେବେ ଏ ମଧ୍ୟରେ ତୁମର ଯଦି କିଛି ଖବର ଦରକାର ପଡ଼େ, ସେଥିପାଇଁ ମୁଁ ଠିକଣା ଦେଇ ଯାଉଚି । ମୁଁ ରହୁଚି ପଦ୍ମନାଭ ବସାରେ; ବକ୍‍ସିବଜାର । ଆଚ୍ଛା, ମନେ ରହିବଟି ? ନାଁ ଲେଖି ଦେଉଚି । ସେ ପକେଟରୁ ଛୁରୀ କାଢ଼ି ହତା ପାଚିରୀରେ ମଇଳା ଚୂନ ଉପରେ ଲେଖିଦେଲା, ‘‘ବକ୍‍ସିବଜାର’’ ।

 

‘‘ତୁମେ ତ ଚାଲିଯିବ, କାଲି ଆସିବ ନାହିଁ । ମୁଁ ଦୁଇ ଦିନ କାଳ କିମିତି କାଟିବି, ମୋତେ ଉପାୟ ବତାଇଦେଇ ଯାଅ । ଆଚ୍ଛା, କହ ଦେଖି କାଲି ରାତିରେ ତୁମେ କୁଆଡ଼େ ଯିବ ?’’

 

‘‘ଗୋଟାଏ ଚେଷ୍ଟାରେ ଯିବି ।’’

‘‘ତେବେ ପରଦିନ ନ’ଟା ବେଳେ ମୁଁ ବଗିଚାକୁ ଆସିବି ।’’

‘‘ହଁ, ମୁଁ ମଧ୍ୟ ଠିକ୍‌ ସେତିକିବେଳେ ଆସି ପହଞ୍ଚିବି ।’’

 

ସେହିଠାରେ କଥାବାର୍ତ୍ତା ବନ୍ଦ ହେଲା । ତା ପରେ ଦୁହେଁ ବିଦାୟ ନେଇଯିବା ନିମନ୍ତେ ପରସ୍ପର ହାତ ଧରାଧରି ହେଲେ ।

Image

 

୪୭

ବନମାଳୀର ଅଜାଙ୍କଠାରୁ ବିଦାୟ

 

ଶ୍ରୀନିବାସ ଚମ୍ପତିରାଏ ତାଙ୍କର ୯୧ ବର୍ଷର ଜନ୍ମୋତ୍ସବ ଶେଷ କରି, ତୁଳସୀପୁର କୋଠା ମଧ୍ୟରେ ଚିନ୍ତାମଗ୍ନ ହୋଇ ବସିଥିଲେ । ଦୀର୍ଘ ଚାରିବର୍ଷ କାଳ ସେ ବନମାଳୀକୁ ଅପେକ୍ଷା କରି ରହି, ତା ଫେରିବା ଆଶା ମନରୁ କ୍ରମେ ପରିତ୍ୟାଗ କରୁଥିଲେ । ବାସ୍ତବରେ ସେ ବନମାଳୀକୁ ଯେତେ ସ୍ନେହ କରୁଥିଲେ, ଜୀବନରେ ଅନ୍ୟ କାହାକୁ କରି ନାହାନ୍ତି; ଏପରିକି, ନିଜର ଜନ୍ମିତ ପୁତ୍ର ଥିଲେ, ତାକୁ କରିଥାନ୍ତେ କି ନା ସନ୍ଦେହ । ସେଥିପାଇଁ ପାର୍ବତୀ ବାପାଙ୍କର ଓ ନିଜର ସମ୍ପତ୍ତି ବିଶ୍ୱେଶ୍ୱର ହାତେ ଅର୍ପଣ କରିବା ଚେଷ୍ଟା କରି ବିଫଳ ହୋଇଥିଲେ । ଶ୍ରୀନିବାସ ବିଶ୍ୱେଶ୍ୱରକୁ ଯେତିକି ବେଶି ଦେଖିଲେ, ବନମାଳୀ ଆଡ଼କୁ ତାଙ୍କ ହୃଦୟ ସେତିକି ବ୍ୟାକୁଳ ଭାବରେ ଧାଇଁଲା ।

 

ବନମାଳୀ ରମାଠାରୁ ଦିନକ ପାଇଁ ଯେଉଁଦିନ ରାତିରେ ବିଦାୟ ନେଇ ଆସିଲା, ତା ପରଦିନ ସନ୍ଧ୍ୟାରେ ଶ୍ରୀନିବାସ ବନମାଳୀ ବିଷୟ ମନେ ମନେ ଚିନ୍ତା କରି ଗଭୀର ଧ୍ୟାନରେ ବସିଥିଲେ । ସେ ସମୟରେ ଚାକର ଆସି ଜଣାଇଲା, ‘‘ହଜୁର ବନମାଳୀବାବୁ ଦେଖା କରିବାକୁ ଆସିଚନ୍ତି ।’’ ଶୁଣି, ଶ୍ରୀନିବାସ, ତଡ଼ିତ୍‌ ସ୍ପର୍ଶରେ ଶବ ଜୀବନ ଧରି ଉଠିଲା ପରି କ୍ଷଣକପାଇଁ ଚମକି ପଡ଼ିଲେ । ବିସ୍ମୟ ଦବିଗଲା ପରେ ସେ କହିଲେ, ‘‘ବନମାଳୀ ବାବୁ ! ଆଚ୍ଛା ଡାକି ଆଣ ।’’

 

ଦୁଆର ଫିଟିଲା ଏବଂ ଜଣେ ଯୁବକ ପ୍ରବେଶ କଲା । ଶ୍ରୀନିବାସ ଦେଖିଲାକ୍ଷଣି ତାଙ୍କ ବନମାଳୀକୁ ଚିହ୍ନିଲେ । ସେ ବାହୁ ପ୍ରସାରି ତାକୁ ଆଲିଙ୍ଗନ କରିବାକୁ ଇଚ୍ଛା କଲେ; କିନ୍ତୁ ପୁଣି କଣ ବିଚାରି, ନିଜକୁ ସେଥିରୁ କ୍ଷାନ୍ତ କଲେ । ହୃଦୟ ସ୍ନେହ ମମତାରେ ଦ୍ରବୀଭୂତ ହୋଇଗଲା । ହୃଦୟ ଯେତିକି କୋମଳ ହୁଏ, ରସନା ସେତିକି କଠୋର ହୋଇପଡ଼େ- ଏହା ଶ୍ରୀନିବାସଙ୍କର ଗୋଟିଏ ଅବୋଧ୍ୟ ବିଶେଷତ୍ୱ । ସେହି ବିଶେଷତ୍ୱ ଯୋଗେ ସେ କହିଲେ, ‘‘ତୁ କାହିଁକି ଆସିଚୁ ? କଣ ମୋତେ କ୍ଷମା ମାଗିବାକୁ ଆସିଚୁ ? ଭୁଲ୍‌ ବୁଝି ପାରିଲୁଣି ?’’

 

ବନମାଳୀ ହାତଯୋଡ଼ି ଧୀରେ ଧୀରେ କମ୍ପିତ ସ୍ୱରରେ କହିଲା, ‘‘ମୋଠେଇ ଦୟା ରଖନ୍ତୁ, ଏତିକି ଭିକ୍ଷା ।’’

 

‘‘କହ ନା, ତୋର କଣ ଦରକାର ।’’

 

‘‘ମୁଁ ଜାଣେ, ମୋତେ ଦେଖିଲେ, ଆପଣଙ୍କ ମନରେ ରାଗ ହୁଏ । ଜାଣି ସୁଦ୍ଧା, ମୁଁ ଗୋଟାଏ କଥା ଆପଣଙ୍କୁ ପଚାରିବାକୁ ଆସିଚି । ତୁଣ୍ଡରୁ ପଦେ ଉତ୍ତର ଶୁଣିଲେ ବାହାରିଯିବ ।’’

 

‘‘ତୁ ଗୋଟାଏ ବଳଦ, ନିତାନ୍ତ ବୋକା । ମୂର୍ଖ, ତୋତେ ବାହାରିଯିବାକୁ କିଏ କହିଲା ? ଦେଖ୍‌, ଆଉ ମୁଁ ତୋ କଥା ସହିପାରିବି ନାହିଁ । କଣ କହୁଛୁ, କହ ବେଗେ; ମୋ ସମୟ ନଷ୍ଟ କରନା ।’’

 

‘‘ମୁଁ ବିଭା ହେବାକୁ ଆପଣଙ୍କ ଅନୁମତି ମାଗିବାକୁ ଆସିଚି ।’’ ଶୁଣି ଶ୍ରୀନିବାସ ଝିଅକୁ ଡକାଇଲେ । ଝିଅ ଆସି ପହଞ୍ଚିବାରୁ କହିଲେ, ‘‘ଏଇ, ସେନାପତି ବନମାଳୀ ରାୟ ଆସିଛନ୍ତି । ସେ ବିଭା ହେଉଛନ୍ତି ।’’ ଏତିକି କହି ସେ ଝିଅକୁ ବିଦାୟ ଦେଇ ଗୋଟାଏ ଦୀର୍ଘନିଃଶ୍ୱାସ ପକାଇଲେ । ତୋଫାନ ଆଗରେ ନଡ଼ାଖଣ୍ଡ ଉଡ଼ି ଚାଲିଗଲା ପରି ପାର୍ବତୀ ବାପାଙ୍କ ନିଶ୍ୱାସ ସ୍ରୋତରେ ବାହାରକୁ ପଳେଇଗଲେ ।

 

ଶ୍ରୀନିବାସ କହିଲେ, ‘‘ତୁ ବିଭା ହବୁ, ସବୁ ଠିକ୍‌ଠାକ୍‌ କରିସାରିଚୁ, ଭଦ୍ରତା ଜଗି ପଦେ ଖାଲି ଶୁଣେଇ ଦବାକୁ ଆସିଛୁ, ନା ? ଆଚ୍ଛା, ଓକିଲାତି ବ୍ୟବସାୟ କରି କେତେ ରୋଜଗାର କରୁଚୁ-?’’

 

‘‘କିଛି ନାହିଁ ।’’

‘‘ତେବେ କଣ କନ୍ୟାଟା ଧନୀଘରର ଝିଅ, ନା ?’’

‘‘ନା, ମୋରି ପରି ।’’

 

‘‘ହଁ । କୋଡ଼ିଏ ବାଇଶି ବର୍ଷର ଭେଣ୍ଡାଟାଏ । ପାହୁଲାଏ ବୋଲି ରୋଜଗାର ନାହିଁ । ବରଷରେ ଟଙ୍କା ବାରଶହ ଖୋରାକି ପାଇବ; ତେବେ କଣ ସେନାପତିଆଣୀ ନିଜେ ଟୋକେଇ ଧରିଯାଇ ବଜାରକୁ ସଉଦା କିଣି ଆଣିମ ? ହାଃ ହାଃ ହାଃ, କି ସୁନ୍ଦର ପ୍ରସ୍ତାବ ! ରାଜାଘର ପୁଅ ହେଇ ଦାଣ୍ଡର ଭିକାରୁଣୀ ପିଲାଟାଏ ଆଣି ତା ହାତ ଧରିବ । ଯା, ବାବା । ବେକରେ ପଥର ବାନ୍ଧି, ମହାନଦୀକି ଡେଇଁପଡ଼ । ଲାଜ ନାହିଁ ଅନୁମତି ପାଇଁ ଆସିଚୁ ? ମୁଁ ପୁଣି ଅନୁମତି ଦେବି ? କହିବି; ‘‘ହଁ ?’’

 

‘‘ବାପା-’’

 

‘‘ନା, କେବେ ନୁହେଁ ।’’ ଶ୍ରୀନିବାସ ଯେପରି ସ୍ୱରରେ ନାସ୍ତି ବଚନ ଉଚ୍ଚାରଣ କଲେ, ସେଥିରେ ବନମାଳୀ ଅଜାଙ୍କ ଅନୁମତି ପାଇବାର କୌଣସି ଆଶା ଦେଖିଲା ନାହିଁ । ସେ ମୁଣ୍ଡ ପୋତି ଘରୁ ବାହାରି ଚାଲିଯିବାକୁ ବସିଲା । ଶ୍ରୀନିବାସ ପଛରୁ ଧାଇଁଯାଇ, ତାକୁ ଘର ଭିତରକୁ ଭିଡ଼ିଆଣିଲେ ଏବଂ ତା ବିବାହ ବିଷୟ ତନ୍ନତନ୍ନ କରି ବର୍ଣ୍ଣନା କରିବାକୁ କହିଲେ । ବନମାଳୀ ତୁଣ୍ଡରୁ ‘‘ବାପା’’ ଡାକ ଶୁଣି ଶ୍ରୀନିବାସଙ୍କ ମନରେ ଗୋଟାଏ ନୂତନ ଭାବର ସୃଷ୍ଟି ହୋଇଥିଲା । ସେ କହିଲେ, ‘‘ଦେଖ୍, ବନମାଳୀ । ତୁ କା ପ୍ରେମରେ ପଡ଼ିଚୁ, ମୋତେ କିଛି ନ ଲୁଚାଇ କହିଲୁ ଦେଖି ।’’ ବନମାଳୀ ଆରମ୍ଭ କଲା, ‘‘ବାପା- ।’’ ଶ୍ରୀନିବାସଙ୍କ ବଦନମଣ୍ଡଳ ଆନନ୍ଦରେ ପୁଲକିତ ହୋଇଗଲା-। କହିଲେ, ‘‘ଠିକ୍‌ କଥା; ମୋତେ ‘‘ବାପା’’ ବୋଲି ଡାକ୍‌ ।’’

ଶ୍ରୀନିବାସଙ୍କଠାରୁ କୋମଳ କଥା ଶୁଣି, ବନମାଳୀ ଆଶାତୀତ ଆନନ୍ଦ ଅନୁଭବ କଲା । କହିଲା, ‘‘ବାପା-।’’ ଶ୍ରୀନିବାସ ପଚାରିଲେ, ‘‘ତୋ ପାଖେ ସତେ ଟଙ୍କା ନାହିଁ ? ଲୁଗାପଟା ତ ପିନ୍ଧିଚୁ ଠିକ୍‌ ଚୋରଙ୍କ ପରି । ଏଇ, ଶହେ ଟଙ୍କା ଧର; ଭଲ ଲୁଗାପଟା କିଣ୍‌ ।’’ ବନମାଳୀର ଆହ୍ଲାଦର ସୀମା ରହିଲା ନାହିଁ । ସେ କହିଲା, ‘‘ବାପା, ମୁଁ ତାକୁ କେତେ ସ୍ନେହ କରେ, ଆପଣ କଳ୍ପନା କରିପାରିବେ ନାହିଁ । ତାକୁ ମୁଁ ପ୍ରଥମେ କିଲ୍ଲା ପଡ଼ିଆରେ ଦେଖିଲି । ପ୍ରଥମେ ମୁଁ ତା ଆଡ଼କୁ ଚାହିଁଲି ନାହିଁ; କିନ୍ତୁ ଚାହିଁଲାମାତ୍ରେ ତା ପ୍ରେମ ପାଶରେ ବାନ୍ଧିହୋଇ ପଡ଼ିଲି । ଆଃ, ସେ ଯୋଗେ ମୁଁ କେତେ କଷ୍ଟ ପାଇଚି । ଏବେ ତା ସହିତ ମୋର ରୋଜ ଦେଖା ହେଉଚି । ତା ବାପ ସେ କଥା କିଛି ଜାଣିନାହାନ୍ତି । ଏବେ ସେମାନେ କାର୍ଯ୍ୟ ଉପଲକ୍ଷରେ ରେଙ୍ଗୁନ୍‌ ଚାଲିଯାଉଛନ୍ତି । ମୁଁ ଭାବିଲି, ଯାଇ ଅଜାଙ୍କୁ ସବୁ କଥା କହିଆସିବି; ତାପରେ ପାଗଳ ହେବି, ମରିବି, ପାଣିକି ଡେଇଁପଡ଼ିବି । ମୁଁ ତାକୁ ବିଭା ନ ହେଲେ; ଏସବୁ ନିଶ୍ଚୟ ହବ । ଯାହା କହିଲି, ସତ କଥା; ବିଶ୍ୱାସ କରନ୍ତୁ । ସେ ସାହେବଜାଦା ବଜାରରେ ରହୁଚି, କାଠଯୋଡ଼ି କୂଳେ ।’’

‘‘କଣ କହିଲୁ ? ସାହେବଜାଦାବଜାରରେ ନା ? ଘରଟା ଗୋଟାଏ ବଗିଚା ଭିତରେ ? ତୋ ଭାଇ ବିଶ୍ୱେଶ୍ୱର ସେ ଟୋକୀକି ଦେଖିଚି । ସେ ବାପାକୁ ନ କହି ତୋ ପାଖକୁ ଆସେ, ନା ? ମୋ ପିଲାଦିନେ ସେପରି କେତେ ଆସୁଥିଲେ । ଜାଣୁ, ଏପରି ଘଟଣାରେ ଲୋକେ କଣ କରନ୍ତି ? ନେ, ଦୁଇଶ ଟଙ୍କା ନେ; ଯାଇ ଫୂର୍ତ୍ତି କର । ସମସ୍ତଙ୍କୁ ଏପରି ବିଭା ହବାକୁ କହିଲେ ଚଳିବ ? ବିଭା ନ ହେଇ କଣ ସାଥି ହୋଇ ପାରାଯାଏ ନାହିଁ ? କଣ, ବୁଝିଲୁନା ?’’

ବନମାଳୀ ବିବ୍ରତ ହୋଇ କଥା କହିପାରିଲେ ନାହିଁ; କେବଳ ମୁଣ୍ଡ ହଲାଇ ନାସ୍ତି ଜଣାଇଲା । ତହୁଁ ଚମ୍ପତିରାଏ କହିଲେ, ‘‘ବଳଦ ! ଆରେ ତାକୁ ରଖ; ବିଭା ହେବି; ବିଭା ହେବି କାହିଁକି ଲଗେଇଚୁ ?’’ ଶୁଣି ବନମାଳୀ କଳା ପଡ଼ିଗଲା ଓ ଉଠି ଦ୍ୱାର ପାଖକୁ ଯାଇ, ଗୋଟାଏ ମୁଣ୍ଡିଆ ମାରି କହିଲା, ‘‘ପାଞ୍ଚବର୍ଷ ଆଗେ ଆପଣ ମୋ ବାପାଙ୍କ ଘୋର ଅପମାନ ଦେଇଥିଲେ । ଆଜି ମୋ ଭାର୍ଯ୍ୟାକୁ ପୁଣି ଅପମାନ ଦେଲେ । ଆଉ ମୁଁ କଣ କହିବି ? ଯାଉଚି ।’’

ଶ୍ରୀନିବାସ ଚମ୍ପତିରାଏ ଅବାକ୍‌ ହୋଇ ରହିଲେ । ସେ ତୁଣ୍ଡ ଫିଟାଇଲେ, କଥା ବାହାରିଲା ନାହିଁ; ଉଠିବାକୁ ଚେଷ୍ଟା କଲେ, ଉଠିପାରିଲେ ନାହିଁ । କବାଟ ବନ୍ଦ ହେଲା; ମୁହୂର୍ତ୍ତକ ମଧ୍ୟରେ ବନମାଳୀ ଅନ୍ତର୍ଦ୍ଧାନ ହୋଇଗଲା । ବଜ୍ରାହତ ପରି ବୃଦ୍ଧ ଘର ମଧ୍ୟରେ ବସି ରହିଲେ ଓ ଶେଷରେ ପାଟିକରି ଚିତ୍କାର କଲେ, ‘‘ଡାକ ଡାକ ।’’ ପାର୍ବତୀ ଆସି ଉପସ୍ଥିତ ହେଲେ । ଶୁଣିଲେ, ‘‘ଧାଁ ତା ପଛରେ । ତାକୁ ଧରିଆଣ । ଓଃ, ମୁଁ କାହିଁକି ତାକୁ ଅପମାନ ଦେଲି ? ସେ ପାଗଳ ହେଇ ପଳାଇଲା । ଏଥରକ ଆଉ ଫେରି ଆସିବ ନାହିଁ ।’’ କହି ଝରକା ପାଖକୁ ଯାଇ ସେ ନଇଁପଡ଼ି ଡାକିଲେ, ‘‘ବନମାଳୀ ବନମାଳୀ’’; କିନ୍ତୁ ବନମାଳୀ ଶୁଣିଲା ନାହିଁ । ସେ ଦୁଇଟା ଛୋଟ ଗଳି ପାର ହୋଇ ଚାଲିଯାଇଥିଲା ।

Image

 

୪୮

ରମା ଅଦୃଶ୍ୟ

 

ସେହିଦିନ ଅପରାହ୍ନ ପ୍ରାୟ ଚାରିଘଣ୍ଟା ସମୟରେ ପାଣୁ ନାଏକ ତା ବଗିଚା ଭିତରେ କାମ କରି କରି ବୁଲୁଥିଲା । ସେ ରମାକୁ ଧରି ଏକପ୍ରକାର ଶାନ୍ତିରେ ରହିଥିଲା, କେବଳ ଦଶ ପନ୍ଦର ଦିନ ହେଲା ତା ମନରେ ଗୋଟାଏ ନୂତନ ଆଶଙ୍କା ଜନ୍ମିଥିଲା । ସେ ଦିନେ ବାଟରେ ଯାଉ ଯାଉ ହଠାତ୍‌ ଦୀନା ସାହୁକୁ ଦେଖିଲା । ଦୀନା ସାହୁ ଅବଶ୍ୟ ତାକୁ ତା ନୂତନ ପୋଷାକରେ ଚିହ୍ନିପାରିଲା ନାହିଁ । ପାଣୁ ନାଏକ ଚମକି ପଡ଼ିଲା । ତାପରେ ସେ ଦୀନା ସାହୁକୁ ବାଟରେ କେତେ ଥର ଦେଖିଛି । ଦୀନା ସାହୁ କଟକ ସହରରେ ଥିଲା ପର୍ଯ୍ୟନ୍ତ ସେ ଯେ ନିରାପଦ ନୁହେଁ, ତାହା ସେ ବୁଝିପାରିଲା । ସୁତରାଂ, ସେ ନିଶ୍ଚିନ୍ତରେ ରହିବା ଏବଂ ବିପଦ ଆପଦ ଏଡ଼ି ସୁଖ ଭୋଗିବା ନିମନ୍ତେ ରମାକୁ ଧରି ସୁଦୂର ରେଙ୍ଗୁନ୍‌ ରାଜ୍ୟକୁ ଚାଲିଯିବାକୁ ସ୍ଥିର କରିଥିଲା ।

ସେଦିନ ବଗିଚାରେ କାମ କରିବାକୁ ତା ମନ ଲାଗିଲା ନାହିଁ । ସେ ଦୀନା ସାହୁ; ପୋଲିସ୍‌ ଏବଂ ଚାଲିଯିବା ପ୍ରସ୍ତାବ ଆଦି କଥା ଭାବି ଚିନ୍ତାରେ ଭାଜି ପଡ଼ିବାକୁ ଲାଗିଲା । ସେତେବେଳେ କାନ୍ଥରେ ଲେଖା ହୋଇଥିବା ବକ୍‍ସିବଜାର ତା ଆଖିରେ ପଡ଼ିଲା । ସେଟା ଯେ ସେ ପୂର୍ବ ଦିନ ଦେଖି ନ ଥିଲା ଏବଂ ଗତ ରାତିରେ ଲେଖାହୋଇଛି, ସେଥିରେ ତାର ସନ୍ଦେହ ରହିଲା ନାହିଁ । ସେହି ଲେଖା ଘେନି ସେ ନାନା କଥା ଭାବି, ସ୍ଥିର କଲା ଯେ, ବଗିଚା ଭିତରକୁ ବାହାରର ଲୋକେ ଆସି ଏସବୁ କାଣ୍ଡ କରୁଛନ୍ତି । ଅପରାହ୍ନର ସୂର୍ଯ୍ୟ କିରଣରେ ହଠାତ୍‌ ପଛରୁ ଗୋଟାଏ ଛାଇ ପଡ଼ିଲା । ସେ ବୁଲି ଚାହିଁ କାହାକୁ ଦେଖିଲା ନାହିଁ, କିନ୍ତୁ ଖଣ୍ଡିଏ ଛୋଟିଆ କାଗଜ ପାଇଲା । ସେ ପଢ଼ି ଦେଖିଲା, ତହିଁରେ ଲେଖାଅଛି, ‘‘ଏ ଘର ଛାଡ଼ି ଚାଲିଯାଅ ।’’

ପାଣୁ ନାଏକ ତରତର ହୋଇ ବଗିଚାଯାକ ଖାଜିଗଲା । ଦେଖିଲା ଜଣେ କିଏ ଭିତରୁ ବାହାରି ଚାଲିଯାଉଛି । ସେ ଆକାରରେ ବଡ଼ ମଣିଷଠାରୁ ସାନ ଏବଂ ପିଲାଠାରୁ ବଡ଼ । ଦେଖି, ତାକୁ ଗୋଡ଼େଇବାକୁ ନ ଯାଇ, ପାଣୁ ନାଏକ ଚିନ୍ତିତ ହୋଇ ଘରକୁ ଚାଲିଗଲା ।

ବନମାଳୀ ହୃଦୟରେ ଅତି ଆଶା ପୋଷଣ କରି ଶ୍ରୀନିବାସ ଚମ୍ପତିରାଏଙ୍କ ନିକଟକୁ ଯାଇଥିଲା, ତଥାପି ଫେରିଲାବେଳେ ଭୀଷଣ ନୈରାଶ୍ୟ ଧରି ଆସିଲା । ପର ଦିନ ଦିନସାରା ସେ ସହରଟା ଯାକ ଗଳିକି ଗଳି ବୁଲି କଟାଇଲା; ଅନେକ ସ୍ଥାନରେ କୋଳାହଳ, ଚିତ୍କାର ଶୁଣିଲା । ତହୁଁ ସେ ମନେ ମନେ ଭାବିଲା, ‘‘ଏ କଣ ଯୁଦ୍ଧ ଆରମ୍ଭ ହୋଇଗଲା ?’’ ଦିନ ତମାମ ଚିନ୍ତାରେ କଟାଇ, ଠିକ୍‌ ରାତି ନ’ଟା ବେଳେ ସେ ସାହେବଜାଦା ବଜାରର ବଗିଚାରେ ପାଦ ପକାଇ ଦେଖିଲା, ରମା ସେ କୁଞ୍ଜ ମଧ୍ୟରେ ନାହିଁ ।

ବନମାଳୀ ବଗିଚାଯାକ ଖୋଜି ବୁଲିଲା; ମାତ୍ର କୌଣସିଠାରେ ରମାର ଦେଖା ପାଇଲା ନାହିଁ; ବରଂ ଦେଖିଲା ଘରଟାର ଦ୍ୱାର ବନ୍ଦ ହୋଇଛି । ସେ ମନେ ମନେ ଭାବିଲା, ‘‘ଘର ପାଖକୁ ଗଲେ, ସଦାଶିବ ମହାନ୍ତି ହୁଏତ ଉଠି ଦେଖିବେ, ମୁଁ କାହିଁକି ଆସିଚି ବୋଲି ପଚାରିବେ ।’’ ତଥାପି ସେ ଦ୍ୱାର ନିକଟରେ ଯାଇ ଡାକିଲା, ‘‘ରମା , ରମା’’ । କିଛି ଉତ୍ତର ମିଳିଲା ନାହିଁ । ସେତେବେଳେ ରାସ୍ତା ଉପରୁ ଗୋଟାଏ ସ୍ୱର ଶୁଣାଗଲା, ‘‘କିଏ ? ବନମାଳୀ ବାବୁ ?’’ ଶୁଣି, ବନମାଳୀ ଉତ୍ତର ଦେଲା, ‘‘ହଁ’’ । ସେ ପୁଣି ଶୁଣିଲା, ‘‘ବନମାଳୀ ବାବୁ, ତୁମ ସାଥି ଲୋକେ ତୁମକୁ ଅପେକ୍ଷା କରି ରହିଚନ୍ତି ।’’ ସ୍ୱରଟା ବନମାଳୀର ସମ୍ପୂର୍ଣ୍ଣ ଅପରିଚିତ ନୁହେଁ; ସେ ଚମ୍ପା ଡାକୁଛି ବୋଲି ମନେ କଲା ଏବଂ ଧାଇଁଯାଇ ଫାଟକ ପାଖେ ଦେଖିଲା, ଜଣେ ଯୁବକ ଅନ୍ଧାରରେ ଧାଇଁ ଚାଲିଯାଉଛି ।

Image

 

୪୯

ଲଢ଼େଇ

 

ଠିକ୍‌ ସେହି ସମୟରେ ତେଣେ ଗଦାଧର ଦୁଃଖ ଏବଂ ଦରିଦ୍ରତାରେ ଆପାଦମସ୍ତକ ବୁଡ଼ିଯାଇଥିଲା । ବ୍ୟବସାୟରୁ ଯେତେବେଳେ ଅର୍ଥାଗମର ବାଟ ରହିଲା ନାହିଁ, ସେ କିଛିଦିନ ସଞ୍ଚିତ ଧନ ଖର୍ଚ୍ଚ କଲା ଏବଂ ପରେ ଘରକରଣା ଜିନିଷଗୁଡ଼ିକ ବିକିଲା । ତାହା ମଧ୍ୟ ଯେତେବେଳେ ସରିଗଲା, ଘରେ କେବଳ ଖଣ୍ଡିଏ ରାମାୟଣ ଖଣ୍ଡିଏ ମହାଭାରତ ପୋଥି ରହିଲା । ଗଦାଧର ଅତି ଅଳ୍ପ ବୟସରୁ ପ୍ରତିଦିନ ରାମାୟଣ ଓ ମହାଭାରତରୁ କିଛି କିଛି ପଢ଼ି ପ୍ରାୟ ଅଶୀ ବର୍ଷ ବୟସରେ ଆସି ପହଞ୍ଚିଛି; କିନ୍ତୁ ଯେତେବେଳେ ନିତାନ୍ତ ଅଭାବ ପଡ଼ିଲା, ଆଗ ପଛ କରି ସେ ଦୁଇଖଣ୍ଡଯାକ ପୋଥି ମଧ୍ୟ ଘରୁ କାଢ଼ିଦେଲା ।

 

କେତେଦିନ ପରେ ଚାକିରିଆଣୀ ରୋଗରେ ପଡ଼ିଲା । ଚାଉଳ କିଣିବାକୁ ହାତରେ ପଇସା ନ ଥିଲେ ମନରେ ଯେତେ ଦୁଃଖ ହୁଏ, ତା ଠାରୁ ବେଶି ହୁଏ ରୋଗୀ ପାଇଁ ଔଷଧର କିଣିବାକୁ ଅର୍ଥାଭାବ ବେଳେ । ଚାକିରିଆଣୀର ହାତ ଦେଖି ବୈଦ୍ୟ ଗୋଟାଏ ଦାମୀ ଔଷଧର ବ୍ୟବସ୍ଥା କଲେ । ଗଦାଧର ସେଦିନ ଘର ସାରା ଖୋଜି ଆସି ଦେଖିଲା, ହାଣ୍ଡିଶାଳେ ଥାଳି, ଗିନା, କଂସା, ଚାଉଳ, କାଠ କିଛି ନାହିଁ; ଶୋଇବା ଘରେ ଶେଯ, ଲୁଗାପଟା ଖଣ୍ଡିଏ ମାତ୍ର ନାହିଁ; ଠାକୁରଘରେ ପୋଥିଖୋଜି ଦେଖିଲା, ସେ ଘରଟା ମଧ୍ୟ ଶୂନ୍ୟ । ତାକୁ କିଛି ବୁଦ୍ଧି ଦିଶିଲା ନାହିଁ । ସାହେବଜାଦା ବଜାରକୁ ଯାଇ, କଟକ ସହରର ଜଣେ ପ୍ରଧାନ ଦାନଶୀଳ ବ୍ୟକ୍ତିଠାରୁ ସେ ଶହେଟି ଟଙ୍କା ପାଇଲା । ସେ ଟଙ୍କାତକ ଆଣି ଚାକିରିଆଣୀର ଶେଯ ପାଖେ ଥାଇଦେଲା ।

 

ପରଦିନ ସକାଳେ ସେ ବଗିଚାରେ ଚିନ୍ତାମଗ୍ନ ହୋଇ ବସିଛି, ବର୍ଷା ଆସିଲା । ଅସରାକୁ ଅସରା କେତେ ବର୍ଷି ଚାଲିଗଲା, ସେ ଜାଣି ପାରିଲାନାହିଁ । ସେଦିନ ଉପରବେଳା ସହରରେ ବହୁତ ଗୋଳମାଳ କୋଳାହଳ ଶୁଣାଗଲା । ସେତେବେଳେ ବାଟରେ ଜଣେ ମାଳୀ ଯାଉଥିଲା । ସେ ତାକୁ ପଚାରିଲା, ‘‘କିରେ, ଖବର କଣ ?’’ ମାଳୀ କାନ୍ଧରେ କୋଦାଳ ଧରି ଉତ୍ତର ଦେଲା, ‘‘ମେଳିଆମାନେ ଲଢ଼େଇ କରୁଛନ୍ତି ପରା ?’’

 

‘‘କୋଉଠି ?’’

 

‘‘ଏଇ ବାରୁଦଖାନା ଆଡ଼େ ।’’ ଶୁଣି ଗଦାଧର ଘର ଭିତରକୁ ଗଲା । କାଖତଳେ ଜାକି ନେବାପାଇଁ ଅନ୍ୟମନସ୍କ ଭାବରେ ଠାକୁରଘରେ ଖଣ୍ଡିଏ ପୋଥି ଖୋଜିଲା । ପୋଥି ନ ପାଇ ସେ କହିଲା, ‘‘ଓ ସତ କଥା ।’’ କହି, ସେ ଅତ୍ୟନ୍ତ ଉଦାସ ହୃଦୟରେ ଘରୁ ବାହାରି ଚାଲିଗଲା ।

Image

 

୫୦

ଯୁଦ୍ଧକ୍ଷେତ୍ରରେ ବନମାଳୀ

 

ସନ ୯୭୫ ସାଲରେ ହଳଦିଘାଟ ଯୁଦ୍ଧଭୂମିରେ ମୁକୁନ୍ଦଦେବଙ୍କ ପତନ ସଙ୍ଗେ ସଙ୍ଗେ ସ୍ୱାଧୀନ ଓଡ଼ିଶାର ସୌଭାଗ୍ୟ-ରବି ଯେ ଅସ୍ତ ହୋଇଥିଲା, ତାର ଶେଷରଶ୍ମି ଅନେକ ଦିନ ପର୍ଯ୍ୟନ୍ତ ଖୋରଧାର ବରୁଣେଇ, ଖଣ୍ଡାହଣା, ସୋଲେରି, ଭାଲେରି ଶିଖରେ ଗୋଟିଏ କ୍ଷୁଦ୍ର ସଂକୀର୍ଣ୍ଣ କନକିତ ରେଖାରେ ବିରାଜମାନ କରୁଥିଲା । ସେ ରେଖାଟି ମଧ୍ୟ ସନ ୧୨୧୧ ସାଲରେ ଲୋପ ପାଇଗଲା, ଇଂରେଜ ସରକାର ଖୋରଧା ଅଧିକାର କରି ରାଜାଙ୍କୁ ଗାଦିଚ୍ୟୁତ କଲେ । ସ୍ୱାଧୀନତା ରକ୍ଷା କରିବା ପାଇଁ ପ୍ରଥମେ ଜୟକୃଷ୍ଣ ରାଜଗୁରୁ, ତାପରେ ରାଜାଙ୍କ ବକ୍‍ସି ପାଇକମାନଙ୍କ ସାହାଯ୍ୟରେ ଗୋଟାଏ ତୁମୁଳ ଉଦ୍ୟମ କରି ପରାସ୍ତ ହେଲେ । ରାଜା ସାମାନ୍ୟ କିଛି ମାଲିକାନା ପାଇ ପୁରୀ ସହରରେ ଏକପ୍ରକାର ବନ୍ଦୀ ହୋଇ ରହିଲେ ।

 

ସନ ୧୨୬୩ ସାଲରେ ରାମଚନ୍ଦ୍ର ଦେବଙ୍କ ଅନ୍ତେ ତାଙ୍କ ପୁତ୍ର ଦ୍ୱିତୀୟ ବୀରକିଶୋର ଦେବ ପୁରୀ ରାଜଗାଦିରେ ବସିଲେ । ଇଂରେଜ କମ୍ପାନୀଙ୍କଠାରୁ ଖୋରଧା ଫେରସ୍ତ ପାଇବାପାଇଁ ତାଙ୍କ ପିତା, ପିତାମହ ପ୍ରଭୃତି ବାରମ୍ବାର ଚେଷ୍ଟା କରି ବିଫଳ ହୋଇଥିଲେ; ମାତ୍ର ୧୨୬୫ ସାଲରେ ଭାରତର ଶାସନ ଭାର ଯେତେବେଳେ କମ୍ପାନୀ ହାତରୁ ମହାରାଣୀ ଭିକ୍ଟୋରିୟାଙ୍କ ହାତକୁ ଗଲା, ସେତେବେଳେ ବୀରକିଶୋର ଦେବ କଟକ କମିଶନରଙ୍କ ନିକଟରେ ସେ ବିଷୟରେ ଆବେଦନ କଲେ । ସେ ଆବେଦନ ଲେଖାଲେଖି କରିବାରେ ବନମାଳୀ ଓ ପଦ୍ମନାଭ ସହିତ ଅନ୍ୟାନ୍ୟ କେତେଜଣ ଓକିଲ ସାହାଯ୍ୟ ଦେଇଥିଲେ । ସେମାନେ ରାଜାଙ୍କୁ କହିଲେ, ‘‘ଓଡ଼ିଶାରେ ଯେତେବେଳେ ଏତେଗୁଡ଼ାଏ ଗଡ଼ଜାତ ରହୁଚି, ଖୋରଧା ସେହିପରି ଗୋଟାଏ ଗଡ଼ଜାତ ହୋଇ ରହିବା ଆମ ମତ ନୁହେଁ । ଖୋରଧା ଗଡ଼ଜାତ ହେବ ନାହିଁ, ପ୍ରାଚୀନ ରାଜବଂଶର ଭଗ୍ନାବଶେଷ ସ୍ୱରୂପ ବିଦ୍ୟମାନ ରହିବ ଓ ଓଡ଼ିଶାର ପୂର୍ବ ସୌଭାଗ୍ୟ ସ୍ମୃତି ଏକକୋଟି ଉତ୍କଳ ସନ୍ତାନଙ୍କ ପ୍ରାଣରେ ଜାଗ୍ରତ ରଖିବ । ଆମ୍ଭେମାନେ ଏଥିରେ ଯଥାସାଧ୍ୟ ସାହାଯ୍ୟ କରିବୁଁ ।’’

 

ତାପରେ କେତେଜଣ ଓକିଲ, କେତେଜଣ ଛାତ୍ର ଏବଂ କେତେଜଣ ସହରବାସୀ ଯୁବକଙ୍କୁ ନେଇ ଗୋଟାଏ ଆନ୍ଦୋଳନ ସୃଷ୍ଟି ହେଲା । ଇତିହାସ ସେ ଆନ୍ଦୋଳନ ବିଷୟରେ କାହିଁକି ଯେ ଏତେ ନୀରବ ହୋଇଛି, ତାର କାରଣ ବୁଝିବା କଠିନ । ସେହି ଆନ୍ଦୋଳନ ଯୋଗେ ପ୍ରାୟ ପଚାଶ ଜଣ ଲୋକ ଦିନେ ଶୋଭାଯାତ୍ର ଓ ସଭାସମିତି କରିବାରେ ଲାଗିଲେ । କମିଶନର କଚେରିଠାରୁ କିଲ୍ଲା ପଡ଼ିଆ ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳରେ ତୁମୂଳ ଗୋଳମାଳ ଲାଗିଲା । କ୍ରମେ ଦୋକାନୀ, ବଜାରୀ ମଧ୍ୟ ସେ ଗୋଳମାଳରେ ଯୋଗ ଦେଲେ । ଲୋକେ ଘରୁ ଠେଙ୍ଗାବାଡ଼ି ଧରି ବାହାରି ପଡ଼ିଲେ । ବର୍ତ୍ତମାନ ପରି ଅସ୍ତ୍ର ଆଇନ୍‌ ସେତେବେଳେ ନ ଥିଲା; ବିନା ଅନୁମତିରେ ଲୋକେ ଘରେ ନଳି, ବାରୁଦ, ଖଣ୍ଡା, ତରୱାଲ ରଖି ପାରୁଥିଲେ । ଯାହାର ନଳି ଥିଲା, ସେ ନଳି ଘେନି ବାହାରିଲା, କିଏ ବା ତରୱାଲ ଧରି ଡେଇଁ ପଡ଼ିଲା । ସମସ୍ତେ କହିଲେ, ‘‘ମହାରାଜା ବୀରକିଶୋର ଦେବଙ୍କ ଜୟ !’’ ଜୟ ଧ୍ୱନିରେ ଆକାଶ ବିଦୀର୍ଣ୍ଣ ହୋଇଗଲା ।

 

ଜଣେ ବୁଢ଼ା ଡମ ହାତରେ ଦୁଇ ତିନିଟା ତାଳପତ୍ର ଛତା ଧରି ବିକ୍ରୀ କରିବାକୁ ଯାଉଥିଲା-। ଗୋଟାଏ ଟୋକା ଧାଇଁ ଆସି କହିଲା, ‘‘ଦେଖି, ଗୋଟାଏ ଛତା ବେଣ୍ଟ ମୋତେ ଦେଲୁ-।’’ କହି, ବୁଢ଼ାଠାରୁ ଛତା ବେଣ୍ଟଟାଏ ମାଗି ନେଇ ପାଇକ ଖେଳରେ ବୁଲାଇଲା ପରି ବୁଲାଇ ବୁଲାଇ, ଗୋଳମାଳ ମଧ୍ୟକୁ ଚାଲିଗଲା ।

 

ହରିଆ ସେଦିନ ରାତିରେ ସେହି ପିଲା ଦିଓଟିଙ୍କି ନେଇ ହାତୀପେଟ ଭିତରେ ଆଶ୍ରୟ ଦେବାବେଳେ ଜାଣି ନ ଥିଲା ଯେ ସେ ସାନଭାଇଙ୍କ ପ୍ରତି ବଡ଼ଭାଇର କର୍ତ୍ତବ୍ୟ ପାଳନ କରୁଛି । ସେହି ରାତି ପାହିବା ଆଗରୁ ସେ ତା ପିତାର ପ୍ରାଣ ରକ୍ଷାକରି ଫେରିଯାଇ, ପିଲା ଦିଓଟିଙ୍କି ପୁଞ୍ଜିଏ ଜଳଖିଆ ଦେଇ କହିଲା, ‘‘ମୁଁ କାମରେ ଯାଉଚି । ତୁମେ ବୁଲିବାକୁ ଯିବ ତ ଯାଅ । ବାପା ମା’ଙ୍କୁ ନ ପାଇଲେ, ପୁଣି ଫେରିଆସିବ, ମୁଁ ଯାହାହେଲେ ମୁଠାଏ ଦେବି’’; କିନ୍ତୁ ପିଲା ଦୁହେଁ ସେଦିନ ସନ୍ଧ୍ୟାରେ ଆଉ ହରିଆ ନିକଟକୁ ଆସିଲେ ନାହିଁ । ହରିଆ ମଧ୍ୟ ଖୋଜି ଖୋଜି ତାଙ୍କୁ ପାଇଲା ନାହିଁ-। ସେହି ଖୋଜିବା ଭିତରେ ତାର ପଦ୍ମନାଭ ଏବଂ ଆଉ ଜଣେ ଦୁଇଜଣ ଓକିଲଙ୍କ ସହିତ ପରିଚୟ ଘଟିଲା ।

 

କଟକରେ ଉପରୋକ୍ତ ଗୋଳମାଳ ଘଟିଲା ଦିନ ପଦ୍ମନାଭର ପ୍ରଭୃତି ଦଳ ବାନ୍ଧି ହାତ ହତିଆର ଧରି ଯେତେବେଳେ ଶୋଭାଯାତ୍ରାରେ ଯାଉଥିଲେ, ହରିଆ ସେମାନଙ୍କୁ ଦେଖି ପଚାରିଲା, ‘‘କୁଆଡ଼େ ଯାଉଚ, ବାବୁ !’’ ପଦ୍ମନାଭ ଉତ୍ତର ନ ଦେଇ କେବଳ କହିଲା, ‘‘ଆ’’ । ହରିଆ ଡମଠାରୁ ଛତାବେଣ୍ଟ ଖଣ୍ଡେ ନେଇ ନଳିପରି କାନ୍ଧରେ ପକାଇ ଧାଇଁଲା । ସେତେବେଳେ ସେହି କୋଳାହଳରେ ଯୋଗ ଦେବାକୁ ଜଣେ ପ୍ରାୟ ଅଶୀ ବର୍ଷର ବୁଢ଼ା ମଧ୍ୟ ଧାଇଁଥିଲା । ପଦ୍ମନାଭ, ବନମାଳୀ ସଙ୍ଗେ ଯିବାଆସିବା କଲାବେଳେ ତାକୁ ପୂର୍ବରୁ ଚିହ୍ନିଥିଲା; ବର୍ତ୍ତମାନ ଦେଖି କହିଲା, ‘‘ତୁମେ ଫେରିଯାଅ, ଗଦାଧର । ବଡ଼ ଗୋଳମାଳ ହେବ ।’’

 

‘‘ହୋଉ ।’’

‘‘ମାଡ଼ପିଟ ହେବ ।’’

‘‘ଭଲ କଥା ।’’

‘‘ଗୁଳି ଫୁଟିବ ।’’

 

‘‘ଆହୁରି ଭଲ ।’’ କହି, ଗଦାଧର ସେମାନଙ୍କ ଆଗେ ଆଗେ ଚାଲିବାକୁ ଲାଗିଲା । ସେମାନେ ଯାଇ ମହମଦୀୟା ବଜାର ଭିତରେ ମାଟିରେ ଗୋଟାଏ ବେଦୀ ତିଆରି କଲେ ଏବଂ ସେହି ବେଦୀକୁ ସିଂହାସନ କରି, ତହିଁରେ ବୀରକିଶୋର ଦେବଙ୍କ ମୂର୍ତ୍ତି ବସାଇ, ରାଜପଦରେ ଅଭିଷିକ୍ତ କରିବେ ବୋଲି ସ୍ଥିର କଲେ । ସିଂହାସନ ଉପରେ ଉଡ଼ିବା ନିମନ୍ତେ ଗୋଟିଏ ପ୍ରକାଣ୍ଡ ପତାକା ତିଆରି ହେଲା । ପତାକା ଉଡ଼ିବାପାଇଁ ସମୟ ସ୍ଥିର କରାଗଲା । କଟକ ସହର ପଡ଼ିଲା ଉଠିଲା । ସରକାରୀ କର୍ମଚାରୀମାନେ ତ୍ରସ୍ତ ହୋଇ ପଡ଼ିଲେ । କମିଶନର ହୁକୁମ ଦେଲେ, ‘‘ଏସବୁ ଆନ୍ଦୋଳନ ଆଇନ୍‌ ବଳରେ ସ୍ଥାପିତ ସରକାରଙ୍କର ବିରୋଧ କାର୍ଯ୍ୟ । ଏହା ଏହି ମୁହୂର୍ତ୍ତରେ ବନ୍ଦ କରିବାକୁ ହେବ ।’’ ପୋଲିସ କର୍ମଚାରୀମାନେ ଓ ଦଳେ ସୈନିକ ଗୁଳି ବାରୁଦ ଧରି ବାହାରିଲେ ।

 

ହରିଆ କାର୍ଯ୍ୟରେ ନିତାନ୍ତ ବ୍ୟସ୍ତ ଥିଲା । ବେଦୀରେ ମାଟି ପକାଇବାଠାରୁ ଆରମ୍ଭ କରି ପତାକା ସିଲେଇ କରିବା ନିମନ୍ତେ ଛୁଞ୍ଚିରେ ସୂତା ଗଳାଇବା ପର୍ଯ୍ୟନ୍ତ, କାହିଁରେ ସେ ଯୋଗ ନ ଦେଇ ରହିଲା ନାହିଁ । ସମସ୍ତେ କାର୍ଯ୍ୟବ୍ୟସ୍ତ ଥିବା ବେଳେ ବିଦ୍ରୋହୀ ଦଳରେ ଜଣେ ନୂଆ କର୍ମୀ ଆସି ଯୋଗ ଦେଲେ । ସମସ୍ତଙ୍କ ଦୃଷ୍ଟି ତାଙ୍କ ଉପରେ ଯାଇ ପଡ଼ିଲା । ତାଙ୍କ ପରିଚୟ ପାଇଁ ସମସ୍ତେ ନିଜ ନିଜ ମଧ୍ୟରେ ଆଖି ଠରାଠରି ହେଲେ; କିନ୍ତୁ କେହି ତାଙ୍କୁ ଚିହ୍ନିଥିବାର ଜଣାପଡ଼ିଲା ନାହିଁ; କେବଳ ହରିଆ ମୁହଁ ଭାରି ହୋଇଆସିଲା । ସେ ପଦ୍ମନାଭକୁ ଡାକିନେଇ କହିଲା, ‘‘ସେ ଡେଙ୍ଗାଟାକୁ ଦେଖୁଚ ?’’

 

‘‘ହଁ, ଦେଖୁଚି; କଣ ହେଲା ?’’

‘‘ସେ ଜଣେ ଗୋଇନ୍ଦା ନା କ’ଣ ।’’

‘‘ତୁ ଠିକ୍‌ ଜାଣିଚୁ?’’

 

‘‘ହଁ, ମୁଁ ଜାଣେ । ପନ୍ଦର ଦିନ ଆଗେ ମୁଁ ଗୋଟାଏ ଘରୁ ବାହାରି ଆସୁଥିଲି, ସେତେବେଳେ ସେ ମୋତେ ଡାକି ମୋ କାନ ମୋଡ଼ି ଦେଇଥିଲା ।’’ କହି ହରିଆ ସେ ସ୍ଥାନ ଛାଡ଼ି ଅନ୍ୟତ୍ର ଚାଲିଗଲା ।

 

କିଛି ସମୟ ପରେ ପଦ୍ମନାଭର ସଙ୍ଗୀ ବୈଦ୍ୟନାଥ ସେ ବ୍ୟକ୍ତଙ୍କି ଆସି ପଚାରିଲା, ‘‘ତୁମେ କିଏ ?’’ ଶୁଣି, ସେ ଚମକି ପଡ଼ିଲେ ଓ ପରେ ପ୍ରକୃତିସ୍ଥ ହୋଇ କହିଲେ, ‘‘କଣ, ମୋ ନାଁ ? ଆଚ୍ଛା, ଶୁଣ ।’’ ମାତ୍ର ତାଙ୍କ ନାମ ନ ଶୁଣି ବୈଦ୍ୟନାଥ ପୁଣି ପଚାରିଲା,

 

‘‘ତୁମେ ଜଣେ ଗୋଏନ୍ଦା?’’

‘‘ନା, କର୍ମଚାରୀ ।’’

‘‘ତୁମ ନାଁ ।’’

‘‘ଜାଣିବା ଦରକାର ନାହିଁ ।’’

 

କ୍ଷଣକ ମଧ୍ୟରେ ବୈଦ୍ୟନାଥଠାରୁ ସୂଚନା ପାଇ ଚାରିଜଣ ହୃଷ୍ଟପୁଷ୍ଟ ବଳବାନ୍‌ କର୍ମୀ ସେ ବ୍ୟକ୍ତିଙ୍କୁ ଧରି ବାନ୍ଧି ପକାଇଲେ । ତାଙ୍କ କୁରୁତା ପକେଟରୁ ଖଣ୍ଡିଏ ଛୋଟିଆ ହାତଲେଖା ଖାତା ବାହାରିଲା । ସେଥିରେ ଲେଖା ଥିଲା, ‘‘ପୋଲିସ୍‌ ବିଭାଗ କର୍ମଚାରୀ ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ର; ବୟସ ୫୨ବର୍ଷ ।’’ ଆଉ ଖଣ୍ଡିଏ କାଗଜରେ ଲେଖା ଥିଲା, ‘‘ବିଦ୍ରୋହ ଦମନ କରିସାରି, ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ର ଡଗରପଡ଼ାରେ ଥିବା ଡକାୟତମାନଙ୍କ ଖଟି ଭାଙ୍ଗିବା କାର୍ଯ୍ୟରେ ଲାଗିବେ ।’’ ଜନାର୍ଦ୍ଦନଙ୍କ ଦେହ ଖାନ୍‌ତଲାସ ହୋଇ ସାରିବା ପରେ କର୍ମୀମାନେ ତାଙ୍କୁ ଗୋଟାଏ ଘର ଭିତରକୁ ଟେକିନେଇ ନଜରବନ୍ଦୀରେ ରଖିଲେ । ହରିଆ ଦୂରରେ ରହି ସମସ୍ତ ଘଟଣା ଦେଖୁଥିଲା ଓ ଶେଷରେ ଜନାର୍ଦ୍ଦନଙ୍କ ନିକଟକୁ ଯାଇ କହିଲା, ‘‘ମୂଷା ଏବେ ବିଲେଇକୁ ଯନ୍ତାରେ ପକେଇଚି ନା ।’’

 

କେତେ ଜଣ ସିପାହୀ ପାଗପଟୁକା ବାନ୍ଧି, ବନ୍ଧୁକ ଧରି ଆସି ପହଞ୍ଚିଲେ । ବର୍ଷା ଆରମ୍ଭ ହେଲା । ସେମାନେ ବର୍ଷାରୁ ରକ୍ଷାପାଇବା ନିମନ୍ତେ ଗୋଟାଏ ପିଣ୍ଡାରେ ଚଢ଼ି କବାଟରେ ଖୁବ୍‌ ଧକ୍‌କା ମାଇଲେ । କେତେକ ସମୟ ପରେ ଉପର ମହଲାରୁ ପଞ୍ଜର ବାଟେ ଘରର ଚାକର ମୁହଁ ଦେଖାଇଲା । ତଳୁ ଜଣେ ସିପାହୀ କହିଲା, ‘‘ଦୁଆର ଖୋଲିଦେ ।’’

 

‘‘ନା ।’’

‘‘କହୁଚି ଖୋଲ୍‌ ।’’

‘‘ତା ହବ ନାହିଁ ।’’

‘‘ଖୋଲିବୁ ନାଇଁ ?’’

‘‘ନା, ମନାକଲା ପରେ- ।’’

 

ସ୍ୱରଟା ସେତିକିରେ ବନ୍ଦ ହେଲା । କାରଣ, ଚାକର ଦ୍ୱାର ଖୋଲିବାକୁ ମନା କରିବାରୁ, ସିପାହୀ ତଳୁ ଗୋଟାଏ ଗୁଳିରେ ତା ମୁଣ୍ଡ ଉଡ଼ାଇଦେଲା । ସେତିକିବେଳେ ପଛରୁ କେହି ଆସି ତା ବେକକୁ ଚିପି ଧଇଲା । ସିପାହୀ ଚାହିଁ ଦେଖିଲା, ସେ ବିଦ୍ରୋହୀ ବୈଦ୍ୟନାଥ । ବୈଦ୍ୟନାଥ ନରହନ୍ତାକୁ କହିଲା, ‘‘ଦୋଷମାନ୍‌ ।’’ ଉତ୍ତରରେ ଶୁଣିଲା, ‘‘ନା, ପାଜି, ମୋ ବେକ ଛାଡ଼ିଦେ ।’’ ଅନ୍ୟ ସିପାହୀମାନେ ବନ୍ଧୁକ ମୁହଁ ତଳକୁ କରି ପଛକୁ ହଟିଗଲେ । ବୈଦ୍ୟନାଥ ସେ ସିପାହୀର ବେକ ଧରି ଦୁଇ ହାତରେ ନିଜର ସମଗ୍ର ବଳ ପ୍ରୟୋଗ କରି ଚିପିଦେଲା ଓ ତାପରେ ଛାଡ଼ିଦେଇ କହିଲା, ‘‘ନିଅ, ଏଟାକୁ ମାଟିରେ ପୋତି ପକାଅ ।’’ ସିପାହୀ ଗୋଟାଏ କାଠ ଗଡ଼ ପରି ପଡ଼ିରହିଲା-

 

ସେ ଘଟଣାର ଉତ୍ତେଜନା ତିଳେ ମାତ୍ର କମି ନାହିଁ, ପଦ୍ମନାଭ ଜଣେ ଯୁବକକୁ ଦେଖିଲା-। ଯୁବକ ବନମାଳୀର ଖବର ବୁଝିବାପାଇଁ କିଛି ସମୟ ପୂର୍ବେ ତା ବସାକୁ ଆସିଥିଲା । ଯୁବକର ମୂର୍ତ୍ତିରେ କଠୋରତାର ଚିହ୍ନ ଥିଲେ ସୁଦ୍ଧା, ରମଣୀସୁଲଭ ଶୋଭାଦ୍ୱାରା ତା ଆବୃତ ହୋଇ ରହିଥିଲା । ବନମାଳୀ ସାହେବଜାଦାବଜାର ବଗିଚାରେ ରମାକୁ ଖୋଜି ନ ପାଉଥିବା ସମୟରେ ବାଟରୁ ଯାହା ସ୍ୱର ତାକୁ ସହରର ଗୋଳମାଳ ଭିତରକୁ ଟାଣି ଘେନି ଆସିଥିଲା, ସେ ସେହି ଯୁବକ-। ବନମାଳୀ ମରିବାକୁ ଦୃଢ଼ପ୍ରତିଜ୍ଞ ହୋଇ ଯୁବକର ଡାକରେ ଆସିଥିଲା; କିନ୍ତୁ ଯୁବକ ତାକୁ ମରିବାକୁ ଛାଡ଼ିଦେବ କି ନା ସନ୍ଦେହ କରି ସେ ତା ଆଖି ଆଗରେ ଗଳି ଭିତରେ ଉଭେଇ ଯାଇଥିଲା ।

 

ବନମାଳୀ ରଙ୍ଗଭୂମିରେ ଉପସ୍ଥିତ ହୋଇ ପିତାଙ୍କ ସ୍ମୃତି ଜପିବାକୁ ଲାଗିଲା; ପିତା ଯେ କିପରି ଯୁଦ୍ଧଭୂମିରେ ପ୍ରାଣ ଦେଇଥିଲେ, ତାହା ମନେ ପକାଇଲା । ସେ ଭାବିଲା, ପିତାଙ୍କର ଯେଉଁ ରକ୍ତ ରଣକ୍ଷେତ୍ରକୁ ଦିନେ ପାଟଳ ବର୍ଣ୍ଣରେ ରଞ୍ଜିତ କରିଥିଲା, ସେହି ରକ୍ତର ଧାରା ତା ନିଜ ଧମନୀରେ ମଧ୍ୟ ବହୁଛି । ସେ ରକ୍ତ ସେ କେତେଦିନ ଆଉ ସଞ୍ଚୟ କରି ରଖିବ ? ତାହା ସେ ମାତୃପଦରେ ଢାଳିଦେବାପାଇଁ ସଂକଳ୍ପ କଲା । ମୁହୂର୍ତ୍ତକ ନିମନ୍ତେ ତାର ଆପାଦମସ୍ତକ ଥରିଗଲା ।

Image

 

୫୧

ଅଭାଗିନୀ

ବନମାଳୀ ପାଇଁ ଚମ୍ପା ପ୍ରାଣ ଦେଲା

 

‘‘କେତେ ବୋଳିଛି ମୁଁ ଏ ହାତେ କାଳି,

କେତେ କାହାଠାରୁ ଖାଇଛି ଗାଳି ।

ଆଉ ପଦେ କିଏ କହିବ ମୋତେ ?

ମୁଁ ତ ଧୋଇବି ଏ ହାତ ରକତେ ।

ଧନ୍ୟ ଧନ୍ୟ ଧନ୍ୟ ମୋର ପରାଣ

ମାଆ ଲାଗି ଆଜି ମରିବି ଜାଣ ।’’

 

‘‘ଏ ତ ହରିଆ ।’’ ହରିଆ ଗୀତ ଗାଇ ଗାଇ ଧାଇଁ ଆସି କହିଲା, ‘‘ଦେଖ ବୈଦ୍ୟନାଥବାବୁ, ଦଳେ ସିପେଇ ଆସୁଚନ୍ତି; ଆମ ବେଦୀ ତାଡ଼ି ପକେଇବେ, ସିଂହାସନ ଭାଙ୍ଗି ଗୁଣ୍ଡା କରିଦେବେ; ଆଉ ପତାକା ଚିରି ଟିକ୍‌ ଟିକ୍‌ କରିବେ, ତା ଛଡ଼ା, ଆମକୁ ତ ଧୂଳିରେ ମିଶେଇଦେବେ । ଆମକୁ ଯାହା କରନ୍ତୁ, ସେ ତ ପଛ କଥା । ଆସ, ବେଗେ କାମଟା ସାରିଦେବା-।’’ ହଠାତ୍‌ ଦୂରରେ ଗୁଳି ଆବାଜ ଓ କୋଳାହଳ ଶୁଣାଗଲା ।

 

ଗଦାଧର ବର୍ତ୍ତମାନ ସୁଦ୍ଧା ବିପ୍ଳବୀମାନଙ୍କ ମଧ୍ୟରେ ରହିଥିଲା । ପଦ୍ମନାଭ ଏବଂ ଅନ୍ୟ କେତେଜଣ ତାକୁ ଘରକୁ ଚାଲିଯିବା ପାଇଁ ବାରମ୍ୱାର ଅନୁରୋଧ କରି ବିଫଳ ହୋଇଥିଲେ । ଯେତେବେଳେ କଥା ହେଲା ଯେ ଜଣେ କିଏ ଯାଇ ବେଦୀରେ ପତାକାର ଖୁଣ୍ଟଟି ବାନ୍ଧି ରଖିବ, ସେହି ଅଶୀ ବର୍ଷର ବୁଢ଼ା ଥରି ଥରି ବେଦୀ ଉପରକୁ ଉଠିଲା । ମୁହୂର୍ତ୍ତକ ପାଇଁ ଚତୁର୍ଦ୍ଦିଗ ନିସ୍ତବ୍ଧ ହୋଇଗଲା । ବିପ୍ଳବୀ ଓ ଦର୍ଶକମାନେ ଭକ୍ତି ଏବଂ ବିସ୍ମୟରେ ମୁଣ୍ଡ ପୋତିବେଲେ । ହଠାତ୍‌ ଦଳେ ସିପାହୀଙ୍କ ଆଗେ ଆଗେ ଜଣେ ଗୋରା କର୍ମଚାରୀ ଧାଇଁ ଆସି କହିଲେ, ‘‘କିଏ ଚଢ଼ୁଚ, ଓହ୍ଲାଅ; ଶୁଣ, ଓହ୍ଲେଇ ଆସ-।’’ ଶୁଣି, ଗଦାଧର କହିଲା, ‘‘ରାଜା ବୀରକିଶୋର ଦେବଙ୍କ ଜୟ ।’’ ତେଣେ ହୁକୁମ ପଡ଼ିଲା, ଗୁଳି ଚଳାଅ ।’’ ମୁହୂର୍ତ୍ତକ ମଧ୍ୟରେ ଗଦାଧର ବେଦୀ ଉପରୁ ତଳକୁ ଟଳିପଡ଼ିଲା; ରକ୍ତ ସ୍ରୋତରେ ଦାଣ୍ଡ ଧୂଳି ରଞ୍ଜିତ ହୋଇଗଲା । ବିଦ୍ରୋହୀ ଏବଂ ଦର୍ଶକମାନେ ଶବ ଚାରିପାଖେ ଘେରିରହିଲେ ।

 

ସେତେବେଳେ ପଛରୁ ପୁଣି ଗୁଳି ଆବାଜ ଶୁଣାଗଲା । ସମସ୍ତେ ଚାହିଁ ଦେଖିଲେ, ବନମାଳୀ ଆସୁଛି । ସେ ହାତରେ ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ରଙ୍କ ବନ୍ଧୁକଟା ଧରି ଉନ୍ମାଦନାରେ ଶୂନ୍ୟକୁ ଗୁଳି ଫୁଟାଇ ଧାଇଁବାରେ ଲାଗିଥିଲା । ସେ ଆସି ଦେଖିଲା ଯେ ଗଦାଧର ରକ୍ତାକ୍ତ ହୋଇ ଭବରଙ୍ଗ ଭୂମିରୁ ଚିରକାଳ ପାଇଁ ବିଦାୟ ନେଇ ଆଖି ବୁଜି ଶୋଇଛି ଏବଂ ତା ନିକଟରେ ଆହତ ହରିଆ ପଡ଼ି ଛଟପଟ ହେଉଛି । ତହୁଁ ସେ କହିଲା, ‘‘ଦେଖ, ଭାଇମାନେ, ଜଣେ ବୁଢ଼ା ଓ ଗୋଟିଏ ପିଲା ଆମ ଆଗରେ ଆଜି ତ୍ୟାଗର କି ଜ୍ୱଳନ୍ତ ଆଦର୍ଶ ଦେଖେଇଛନ୍ତି । ଆମେ ପଛକୁ ହଟିଲାବେଳେ ସେମାନେ ଅଗ୍ରସର ହେଲେ । ଆମେ ଫଳାଫଳ ଚିନ୍ତା କଲାବେଳେ ସେମାନେ କାର୍ଯ୍ୟକ୍ଷେତ୍ରରେ ପାଦ ପକାଇଲେ । ଏହି ବୃଦ୍ଧ ବ୍ୟକ୍ତିଙ୍କ ଶବ ଏବଂ ବାଳକର ଆହତ ଦେହ ଆମକୁ ଜୀବନର କର୍ତ୍ତବ୍ୟ ଶିକ୍ଷା ଦେଉ । ଆମେ ସମସ୍ତେ କାର୍ଯ୍ୟରେ ଅଗ୍ରସର ହବା, ବଞ୍ଚି ଥାଉ ଥାଉ, ଏ ବେଦୀ ଉପରକୁ କାହାକୁ ଚଢ଼େଇ ଦେବା ନାହିଁ ।’’

 

ବନମାଳୀ ଠିକ୍‌ କଥା ଶେଷ କରିବାବେଳକୁ ତା ଆଡ଼କୁ ଲକ୍ଷ୍ୟ କରି ଗୋଟାଏ ବନ୍ଧୁକ ରଖା ହୋଇଥିଲା । ବନ୍ଧୁକ ଯେତେବେଳେ ଫୁଟିଲା, ବନମାଳୀ ଚାହିଁ ଦେଖିଲା ନଳି ମୁହଁରେ ଗୋଟାଏ ହାତ ରହିଛି । ତଥାପି ବନ୍ଧୁକ ଭିତରୁ ଗୁଳିଟା ଫୁଟି ବାହାରିଗଲା, କିନ୍ତୁ ବନମାଳୀ ଦେହରେ ବାଜିଲା ନାହିଁ । ବନମାଳୀ ବିପ୍ଳବୀମାନଙ୍କ ଦଳ ଭେଦ କରି, ବେଦୀ ସିଂହାସନ ଆଦି ଭାଙ୍ଗି ପକାଇବାକୁ ସିପାହୀ ଓ ସୈନିକମାନେ ମାଡ଼ି ଆସୁଥିଲେ, ବନମାଳୀ ସେମାନଙ୍କୁ ଅଟକାଇବାକୁ ଚାଲିଗଲା । ସୈନିକମାନଙ୍କୁ ହୁକୁମ ମିଳିଲା, ‘‘ଆଗେ ସିଂହାସନଟା ଗୁଳିରେ ଉଡ଼େଇ ଦିଅ ।’’ ଶୁଣି ବନମାଳୀ କହିଲା, ‘‘ନା, ତା ଆଗରୁ ମୋତେ ।’’ ସଙ୍ଗେ ସଙ୍ଗେ ଗୁଳି ବୃଷ୍ଟି ହେଲା । ବନମାଳୀ ସେହି ଭୀଷଣ ବୃଷ୍ଟି ମଧ୍ୟରେ ନିଜର ଆପାଦମସ୍ତକ ତିନ୍ତାଇ ସୈନିକମାନଙ୍କ ଗତି ବନ୍ଦ କରିବାକୁ ଲାଗିଲା ।

 

ବନମାଳୀର ମୃତ୍ୟୁକୁ ଭୟ କରିବାର କୌଣସି କାରଣ ନାହିଁ । ସେ ରମାକୁ କହିଁ, ମରିବାକୁ ପ୍ରତିଜ୍ଞା କରି ଆସିଛି । ତାପରେ ପୁଣି, ପିତା ତା ବିଷୟରେ ତାଙ୍କ ଆଦେଶପତ୍ରରେ ଯାହା ଲେଖିଥିଲେ, ସେ ନିଶ୍ଚୟ ତା’ର ଉପଯୁକ୍ତ ହେବ । ସେ କଥା ସେ ହୃଦୟ ମଧ୍ୟରେ ଜପିବାକୁ ଲାଗିଛି; ଜୀବନରେ ଗୋଟାଏ ଦୃଢ଼ ବନ୍ଧନ ସେ ଅଳ୍ପଦିନ ହେଲା ଅନୁଭବ କରିଥିଲା; ତାହା ଛିଣ୍ଡାଇ ଦେଇ ଆସିଛି । ସୁତରାଂ ସେ ପ୍ରାଣପଣେ ସୈନିକମାନଙ୍କ ଭୀଷଣ ଆକ୍ରମଣ ସହିବାରେ ଲାଗିଛି । ପଛରେ ବିପ୍ଳବୀଗଣ ଦଳ ବାନ୍ଧି ଠିଆ ହୋଇଛନ୍ତି । ସିପାହୀ ଏବଂ ସୈନିକମାନେ ଯେତେବେଳେ ଦେଖିଲେ ଯେ ଅଗ୍ରସର ହେବା ଅସମ୍ଭବ, ସେମାନେ ଗୋଟାଏ ଗଳିବାଟେ ଖସି ଚାଲିଗଲେ । ବନମାଳୀ ବେଦୀ ଉପର ଆୟୋଜନ ଦେଖିବାକୁ ଗଲା । ସେତେବେଳେ ତାକୁ କେହି ଜଣେ ଡାକିଲା ।

 

ଶୁଣି, ବନମାଳୀ ଚମକି ପଡ଼ିଲା । ପ୍ରାୟ ଦୁଇ ଘଣ୍ଟା ପୂର୍ବେ ସାହେବଜାଦାବଜାର ବଗିଚା ଫାଟକ ପାଖେ ଯେଉଁ ସ୍ୱର ତାକୁ ରଙ୍ଗଭୂମିକୁ ଡାକି ଆଣିଥିଲା, ସେ ଅବିକଳ ସେହି ସ୍ୱର । ସ୍ୱର ପୁନରାୟ ଶୁଭିଲା; ‘‘ବନମାଳୀ ବାବୁ’’ । ବନମାଳୀ ଚାରିଆଡ଼େ ଚାହିଁ କାହାକୁ ଦେଖିଲାନାହିଁ । ସେ ପୁଣି ଶୁଣିଲା, ‘‘ତୁମ ପାଦତଳେ ।’’ ତହୁଁ ସେ ତଳକୁ ଚାହିଁଲା, ଦେଖିଲା, ଗୋଟିଏ ମଳିନ ମୁହଁ ତଳୁ ଉଠି ତା ଆଡ଼କୁ ଚାହିଁଛି । ସେ ମୁହଁରୁ ଶୁଣାଗଲା, ‘‘ମୋତେ ଚିହ୍ନିପାରୁଚ ?’’

 

‘‘ନାଁ ।’’

 

‘‘ଚମ୍ପା ।’’ ଶୁଣି ବନମାଳୀ ଆହୁରି ନଇଁପଡ଼ି ବ୍ୟାକୁଳଭାବରେ ତଳକୁ ଚାହିଁଲା ଓ ଦେଖିଲା ସେ ପ୍ରକୃତରେ ଚମ୍ପା, କେବଳ ପୁରୁଷ ପୋଷାକ ପିନ୍ଧିଛି । ପ୍ରକୃତ କଥା କହିବାକୁ ଗଲେ ରମା ପ୍ରତି ଚମ୍ପା ମନରେ ଲୁଚି ଲୁଚି ଈର୍ଷାଜାତ ହୋଇଥିଲା । ପଦ୍ମନାଭ ବସାକୁ ଯାଇ ସେ ଶୁଣିଥିଲା ଯେ ବନମାଳୀ ବିପ୍ଳବରେ ନେତୃତ୍ୱ ନେବାକୁ ଯାଉଛି । ରମାକୁ ନ ଦେଖିଲେ ବନମାଳୀ ମନରେ ଯେ କି ନୈରାଶ୍ୟ ଜନ୍ମିବ, ସେ ତାହା ବୁଝି ପାରିଥିଲା ଏବଂ ପରିଣାମରେ ବନମାଳୀର ମୃତ୍ୟୁ ଘଟିବ ବୋଲି ମଧ୍ୟ ଜାଣିଥିଲା । ସୁତରାଂ ସେ ବନମାଳୀ ସହିତ ଏକ ରଙ୍ଗଭୂମିରେ ମରିବାକୁ ଆସିଥିଲା ।

 

ବନମାଳୀ ପଚାରିଲା, ‘‘ଚମ୍ପା, ମାଟିଟାରେ କାହିଁକି ପଡ଼ିଚୁ ?’’

 

‘‘ମରୁଚିପରା !’’ ଶୁଣି, ବନମାଳୀ ବିସ୍ମିତ ହୋଇ ଅଧୀର ସ୍ୱରରେ କହିଲା, ‘‘କଣ ତୋ ଦେହରେ ଗୁଳି ବାଜିଚି କି ? ଆଚ୍ଛା, ମୁଁ ତୋତେ ଟେକି ଘର ଭିତରକୁ ନେଇଯିବି ।’’ କହି, ସେ ଚମ୍ପାକୁ ହାତରେ ଉଠାଇବାକୁ ଚେଷ୍ଟା କଲା । ଚମ୍ପା ଯନ୍ତ୍ରଣାରେ ପାଟି କରିବାକୁ ଲାଗିଲା । ବନମାଳୀ ପଚାରିଲା, ‘‘ମୁଁ ତ ଖାଲି ତୋ ହାତଟା ଧରିଚି, କାଟୁଚି କ’ଣ ?’’ ଚମ୍ପା ନିଜ ହାତ ଟେକି ଦେଖାଇଲା । ବନମାଳୀ ଦେଖିଲା, ତା ପାପୁଲିଟା ଫୁଟି କଣା ହୋଇଯାଇଛି ।

 

‘‘ତୋ ହାତ କଣ ହେଲା, ଚମ୍ପା ?’’

‘‘କଣା ହେଇଯାଇଚି ପରା ।’’

‘‘କିମିତି ?’’

‘‘ଗୁଳି ବାଜି ।’’

‘‘କିମିତି ବାଜିଲା ?’’

‘‘ତୁମ ଆଡ଼କୁ ବନ୍ଧୁକ ଲକ୍ଷ୍ୟ କରାହୋଇଥିଲା, ଦେଖିଚ ?

‘‘ଦେଖିଚି; ବନ୍ଧୁକ ଫୁଟିଲା ବେଳେ ନଳି ମୁହଁରେ ଗୋଟାଏ ହାତ ମଧ୍ୟ ଦେଖିଚି ।’’

‘‘ମୋ ହାତ ପରା ।’’

 

ବନମାଳୀ ଅବାକ୍‌ ହୋଇଗଲା, କହିଲା, ‘‘ପାଗଳ ନା କଣ ? ତୁ କଣ ନଳି ମୁହଁରେ ହାତ ଦେଇ ଗୁଳି ଅଟକେଇବାକୁ ଯାଉଥିଲୁ ? ଛି ଛି ଛି । ଏମିତି କିଏ କରେ ? ଆଚ୍ଛା, ଏବେ ତୁ ଘର ଭିତରକୁ ଚାଲ । ହାତଟାରେ ଗୁଲି ବାଜିଲେ କେହି ମରିଯାଏ ନାହିଁ । ତୋ ହାତ ଭଲ ହୋଇଯିବ ।’’ ଶୁଣି, ଚମ୍ପା ଅସ୍ପଷ୍ଟ ସ୍ୱରରେ କହିଲା, ‘‘ଗୁଳି ହାତରେ ପଶି ପିଠିବାଟେ ବାହାରିଯାଇଚି ପରା । ମୋତେ ଏଠୋଉ କାହିଁକି ନବ ? ମୁଁ ତୁମଠୋଉ ଆଉ କିଛି ଅନୁଗ୍ରହ ଚାହୁଁ ନାହିଁ । ମୋ ପାଖେ ଖାଲି ଟିକିଏ ବସ ।’’

 

ବନମାଳୀ ବସିଲା । ଚମ୍ପା ତା କୋଳରେ ମୁଣ୍ଡ ରଖି କହିଲା, ‘‘ମୋତେ ବଡ଼ ଭଲ ଲାଗୁଚି । ଆଉ କିଛି କଷ୍ଟ ହେଉ ନାହିଁ । ଦେଖ, ମୋ ପାଖେ ତୁମର ଖଣ୍ଡିଏ ଚିଠି ଅଛି । ମୁଁ ଯେ କୁରୁତାଟା ପିନ୍ଧିଛି ନା, ତାରି ପକେଟରେ ଅଛି । ସେ ଚିଠି ଖଣ୍ଡି ଦବାକୁ ମୋର ଇଚ୍ଛା ନ ଥିଲା । ମୋ ଉପରେ ରାଗିବ ନାହିଁ, ବନମାଳୀ ବାବୁ । ଆମର ଫେରେ କେବେ ଦେଖା ହବ; ହବ ନାହିଁ ? ତୁମ ଚିଠି ନିଅ ।’’ କହି, ନିଜ ଆହତ ହାତରେ ବନମାଳୀ ହାତ ଭିଡ଼ିଧରି, ସେ ନିଜ କୁରୁତା ପକେଟରେ ପୂରାଇଲା । ବନମାଳୀ ଚିଠିଖଣ୍ଡି କାଢ଼ି ଆଣିଲା । ଚମ୍ପା କହିଲା, ‘‘ଆଉ ମୋ ମେହନତର ପୁରସ୍କାର ?’’

 

‘‘କଣ କହ ।’’

‘‘ଆଗେ ହଁ କର ।’’

‘‘କଲି ।’’

 

‘‘ମୁଁ ମରିଗଲା ପରେ ମୋ କପାଳରେ ଗୋଟିଏ ଚୁମ୍ବନ ଦବ; ମୁଁ ବୁଝିପାରିବି ଯେ- ।’’ କହି, ଚମ୍ପା ଆଖି ବୁଜିଦେଲା । ତା ପ୍ରାଣବାୟୁ ଉଡ଼ିଗଲା ବୋଲି ବନମାଳୀ ମନେ ମନେ ଭାବିଲା; କିନ୍ତୁ କିଛି କ୍ଷଣ ପରେ ପୁଣି ଆଖି ଫିଟାଇ ଚାହିଁଲା ଏବଂ ଗୋଟାଏ ଅଦୃଶ୍ୟ ରାଜ୍ୟରୁ କହିଲା ପରି ଧୀର କମ୍ପିତ ସ୍ୱରରେ କହିଲା, ‘‘ସତ କହିବି, ବନମାଳୀ ବାବୁ ? ମୋର ତୁମଠେଇଁ ଭାରି ଶରଧା । ହେଲେ, ଆଉ କଣ ଅଛି ?’’ କହି, ସେ ଈଷତ୍‌ ହସିବାକୁ ଚେଷ୍ଟା କଲା ଏବଂ ଅଧର କମ୍ପିତ ହେବା ସଙ୍ଗେ ସଙ୍ଗେ ତା ପ୍ରାଣବାୟୁ ଉଡ଼ି ଚାଲିଗଲା ।

 

ବନମାଳୀ ତା ଅଙ୍ଗୀକାର ରକ୍ଷା କଲା, ଚମ୍ପାର ଜୀବନଶୂନ୍ୟ ଶୀତଳ କପାଳରେ ଗୋଟିଏ ଚୁମ୍ବନ ଦେଇ ତାପରେ ସେ ତା ମୁଣ୍ଡଟି ଧୀରେ ଧୀରେ ନିଜ କୋଳରୁ କାଢ଼ି ତଳେ ରଖି ଚାଲିଗଲା । ଚମ୍ପା ଶବ ନିକଟରେ ବସି ଚିଠି ଖଣ୍ଡ ପଢ଼ିବାକୁ ତା’ର ଇଚ୍ଛା ହେଲା ନାହିଁ ।

Image

 

୫୨

ଭିତର ରହସ୍ୟ

 

ବନମାଳୀ ଚମ୍ପା ଶବ ନିକଟରୁ ଖଣ୍ଡେ ଦୂର ଚାଲିଯାଇ ଚିଠିଖଣ୍ଡି ଫିଟାଇ ପଢ଼ିଲା,

 

‘‘ପ୍ରାଣର ପ୍ରିୟତମ,

 

ଆମେ ଏହି ମୁହୂର୍ତ୍ତରେ ଏ ଘର ଛାଡ଼ି ଯିବାକୁ ବାପା କହୁଛନ୍ତି । ଆମେ ଏଠୁ ଯାଇ ଆଜି ସନ୍ଧ୍ୟାରେ ତେଲଙ୍ଗା ବଜାରରେ ରହିବୁ । ସାତଦିନ ବାଦ୍‌ ରେଙ୍ଗୁନ୍‌ରେ ଥିବୁ ।’’ ରବିବାର ।

 

ରମା

 

ଚିଠି ଉପରେ ଠିକଣା ଥିଲା–

‘‘ବାବୁ ବନମାଳୀ ରାଏ,

ପଦ୍ମନାଭ ବାବୁଙ୍କ ଘର,

ବକ୍‍ସିବଜାର ।’’

 

ଯାହା ଯାହା ଘଟିଲା, ସବୁ ଚମ୍ପାର କାର୍ଯ୍ୟ । ଯେଉଁଦିନ ରାତିରେ ସେ ପାଣୁ ନାଏକ ଘରର ବଗିଚା ଫାଟକ ଜଗିଥିଲା, ତାପରେ ତା ମନରେ ଦୁଇଟା ଭାବନା ଜାତ ହେଲା, ତା’ ବାପା ଏବଂ ଅନ୍ୟାନ୍ୟ ଡକାୟତମାନଙ୍କ ଚେଷ୍ଟା ବିଫଳ କରିବ ଏବଂ ରମାଠାରୁ ବନମାଳୀକୁ ପୃଥକ୍‌ କରି ରଖିବ । ‘‘ଏ ଘର ଛାଡ଼ି ଚାଲିଯାଅ’’ ଲେଖି ଯେ ପାଣୁ ନାଏକକୁ ନିର୍ଦ୍ଦେଶ ଦେଇଥିଲା, ସେ ସେହି ଚମ୍ପା । ସେ ଲେଖାଟି ପାଇ ପାଣୁ ନାଏକ ସିଧା ଘର ଭିତରକୁ ଯାଇ ରମାକୁ କହିଲା, ‘‘ଆମେ ଆଜି ସନ୍ଧ୍ୟାରେ ମାଣିକକୁ ଧରି ଏଠୋଉ ତେଲେଙ୍ଗାବଜାର ଯିବା; ଆର ସପ୍ତାହକୁ ରେଙ୍ଗୁନ୍‌ରେ ଥିବା ।’’

ହଠାତ୍‌ ସେପରି ଗୋଟାଏ ଆଘାତ ପାଇ ରମା ମୃତ ପ୍ରାୟ ହୋଇଗଲା ଏବଂ ତରତରରେ ବନମାଳୀ ନିକଟକୁ ଦୁଇ ଧାଡ଼ିରେ ଉପରର ଚିଠିଟା ଲେଖି ପକାଇଲା, କିନ୍ତୁ ତାହା କିପରି ପଠାଇବ, ବୁଝିପାରିଲା ନାହିଁ । ସେ ନିଜେ ଏକା ଘରୁ ବାହାରି କେଉଁଠାକୁ ଯାଏ ନାହିଁ । ମାଣିକ ହାତରେ ଦେଲେ, ସେ ଅଭୟ ଦାସଙ୍କୁ ସବୁ କହିଦିଅନ୍ତା । ସୁତରାଂ ସେ ବସି ଉପାୟ ଚିନ୍ତା କରିବାକୁ ଲାଗିଲା । ସେତେବେଳେ ଫାଟକ ପାଖେ ସେ ଚମ୍ପାକୁ ପୁରୁଷ ବେଶରେ ଠିଆହେବାର ଦେଖିଲା । ସେ ତାକୁ ଜଣେ ମୂଲିଆ ଟୋକା ବୋଲି ମନେ କରି, ଚିଠି ଖଣ୍ଡି ତା ହାତେ ଦେଇ କହିଲା, ‘‘ଶୀଘ୍ର ନେଇ ଠିକଣା ଥାନରେ ପହଞ୍ଚେଇବୁ’’ ଓ ତା ହାତରେ ପାଞ୍ଚ ଟଙ୍କା ମଜୁରି ଧରାଇଦେଲା ।

ବନମାଳୀ ଚିଠି ଖଣ୍ଡିକୁ ଚୁମ୍ବନରେ ପୋତି ପକାଇଲା । ସେ ମୁହୂର୍ତ୍ତକ ପାଇଁ ଭାବିଲା ଯେ ଜୀବନ ହରାଇଦେବା ତା ପକ୍ଷେ ଅନୁଚିତ ହେବ, କିନ୍ତୁ ତା ପରେ ମନକୁ ମନ କହିଲା, ‘‘ତା ବାପା ତାକୁ ରେଙ୍ଗୁନ୍‌ ନେଇ ଯାଉଚନ୍ତି । ମୋ ଅଜା ମୋତେ ବିବାହ ହବାକୁ ଅନୁମତି ଦେବେ ନାହିଁ-। ତେବେ ନ ମରି ଆଉ ବଞ୍ଚିବାର କ’ଣ କାରଣ ଅଛି ?’’ ତାପରେ ତାର ଦୁଇଟି କର୍ତ୍ତବ୍ୟ ନ ସରି ରହିଛି ବୋଲି ସେ ମନେ କଲା, ପ୍ରଥମେ ନିଜ ମୃତ୍ୟୁ ସମ୍ବାଦ ଜଣାଇଁ ରମାଠାରୁ ଶେଷ ବିଦାୟ ନେବ, ଦ୍ୱିତୀୟରେ, ଦୀନା ସାହୁ ପୁଅ, ଚମ୍ପାର ଭାଇ ହରିଆକୁ ଆପାତ ବିପଦରୁ ରକ୍ଷା କରିବ । ସେହି ଯୁଗ୍ମ କର୍ତ୍ତବ୍ୟ ସାଧନ କରିବା ନିମନ୍ତେ ସେ ଖଣ୍ଡିଏ, କାଗଜ କାଢ଼ି ଲେଖିଲା–

 

‘‘ଆମ ବିବାହ ଅସମ୍ଭବ । ମୁଁ ଅଜାଙ୍କୁ ଅନୁମତି ମାଗିଲି, ସେ ଦେଲେ ନାହିଁ । ତୁମେ ଯେପରି ଦରିଦ୍ର, ମୁଁ ମଧ୍ୟ ସେପରି ଦରିଦ୍ର । ମୁଁ ତୁମ ଘରକୁ ଯାଇଥିଲି, ତୁମକୁ ଦେଖିଲି ନାହିଁ । ମୁଁ ତୁମ ଆଗରେ କି ଶପଥ କରିଥିଲି ମନେଥିବ, ତାହା ମୁଁ ପାଳନ କରିଛି, ପ୍ରାଣ ବିସର୍ଜନ ଦେଇଛି । ମୁଁ ତୁମକୁ ସ୍ନେହ କରେ । ଆଉ କ’ଣ ଲେଖିବି ?’’

 

ତୁମର

ଅଭାଗା ବନମାଳୀ

 

ଶ୍ରୀମତୀ ରମା ଦେବୀ, ଅଭୟ ଦାସଙ୍କ ଘର ତେଲଙ୍ଗାବଜାର । ତା ପରେ ସେ ଆଉ ଖଣ୍ଡିଏ କାଗଜ କାଢ଼ି ଲେଖିଲା, ‘‘ମୋ ନାମ ବନମାଳୀ ରାଏ । ମୋ ଶବଟା ଅଜା ଶ୍ରୀନିବାସ ଚମ୍ପତିରାଏଙ୍କ ଘରକୁ ନେଇଯିବ । ଘର ତୁଳସୀପୁର ।’’

 

ଚିଠି ଦୁଇଖଣ୍ଡି ଲେଖିସାରି ବନମାଳୀ ହରିଆକୁ ଡାକି ପଚାରିଲା, ‘‘ମୋ ପାଇଁ ଗୋଟିଏ କାମ କରିଦେବୁ ?’’

 

‘‘ଯାହା କହିବ, କରିବି । କହିଲେ ପ୍ରାଣ ଦେବି ।’’

‘‘ଏ ଚିଠି ଖଣ୍ଡ ଦେଖୁଚୁ ?’’

‘‘ହଁ, ଦେଖୁଚି ।’’

‘‘ଏଟା ନେଇ ତେଲଙ୍ଗାବଜାର ଯିବାକୁ ହବ ।’’

 

‘‘ଏ ଭିତରେ ଯେ ସିପେଇମାନେ ଆମ ଆୟୋଜନ ସବୁ ଭାଙ୍ଗି ପକେଇବେ । ଆଉ ମୁଁ ସେତେବେଳେ ନ ଥିବି । ତା କିମିତି ହବ ?

 

‘‘ନା, ସକାଳ ଆଗରୁ ସେମାନେ କିଛି କରିପାରିବେ ନାହିଁ ।’’

‘‘ଆଚ୍ଛା, ଚିଠି ଖଣ୍ଡ କାଲି ସକାଳେ ଦେଲେ ହବ ନାହିଁ ?’’

 

‘‘ହଁ ଚିଠି ତ ସକାଳେ ଦବୁ, ଏ ରାତିରେ ନୁହେଁ; ତେବେ ଏଇ ମୁହୂର୍ତ୍ତରେ ଏଠୋଉ ବାହାରିଯିବାକୁ ହବ । ରାତି ଭିତରେ ସବୁ ବାଟ ବନ୍ଦ ହୋଇଯିବ, ତୁ ବାହାରି ଯାଇପାରିବୁ ନାହିଁ । ଏଇକ୍ଷଣି ଯା ।’’

 

ହରିଆ ଉତ୍ତର ଖୋଜି ପାଇଲା ନାହିଁ । କିଛି ସମୟ ନୀରବ ଭାବରେ ଠିଆହୋଇ, ସେ ବିରସ ମୁଖରେ କହିଲା, ‘‘ଆଚ୍ଛା, ଚିଠି ଦିଅ ।’’ କହି ଚିଠି ଖଣ୍ଡ ଧରି, ଧାଇଁ ଚାଲିଗଲା । ସେତେବେଳେ ତା ମନରେ ଗୋଟାଏ ଭାବ ଜାତ ହେଲା । ତାହା ସେ ପ୍ରକାଶ କଲା ନାହିଁ, ଭାବିଲା, ‘‘ଏ ତ ଅଧରାତି ହୋଇ ନାହିଁ । ତେଲେଙ୍ଗା ବଜାର ବେଶି ଦୂର ନୁହେଁ; ଯାଇ ଚିଠି ଖଣ୍ଡ ଦେଇ, ଚାହୁଁ ଚାହୁଁ ତ ମୁଁ ଫେରିଆସିବି ।’’

Image

 

୫୩

କାହା ଚିଠି କାହା ହାତେ ପଡ଼ିଲା

 

ସେହିଦିନ ସନ୍ଧ୍ୟାରେ ପାଣୁ ନାଏକ ରମା ଓ ମାଣିକ ସହିତ ତେଲେଙ୍ଗାବଜାର ଘରେ ଯାଇ ପହଞ୍ଚିଲା । ସେଠାକୁ ଯିବା ବିରୁଦ୍ଧରେ ରମା ଘୋର ଆପତ୍ତି ଉଠାଇଥିଲା । ପାଣୁ ନାଏକ ସଙ୍ଗେ ଏକାଠି ରହିବା ପରେ ଏହି ପ୍ରଥମଥର ତା ଇଚ୍ଛା । ପାଣୁ ନାଏକ ଇଚ୍ଛାଠାରୁ ଭିନ୍ନ ଆକାର ଧାରଣ କଲା; ହେଲା ଗୋଟିଏ ପକ୍ଷରୁ ଆପତ୍ତି ଏବଂ ଅନ୍ୟ ପକ୍ଷରେ ଜିଦ୍‌ । କେହି ଜଣେ ଅପରିଚିତ ଲୋକ ପାଣୁ ନାଏକକୁ ସାବଧାନ କରିଦେବା ଯୋଗେ ସେ ଏତେ ଭୀତ ହୋଇପଡ଼ିଲା ଯେ ରମାର ଆପତ୍ତି ଶୁଣିବାକୁ ତା ହୃଦୟରେ ସାହସ ନ ଥିଲା । ଶେଷରେ ରମା ସବୁ ଆପତ୍ତି ସତ୍ତ୍ୱେ ମଧ୍ୟ ବାଧ୍ୟ ହୋଇ ରାଜି ହେଲା ।

 

ପାଣୁ ନାଏକ ଏବଂ ରମା କେହି କାହାକୁ ପଦେ କଥା ନ କହି ତେଲେଙ୍ଗାବଜାର ଘରେ ଯାଇ ପହଞ୍ଚିଲେ । ସାହେବଜାଦା ବଜାରକୁ ପୁଣି ଫେରିବାକୁ ନ ପଡ଼ିପାରେ ଭାବି, ପାଣୁ ନାଏକ ମାଣିକକୁ ସଙ୍ଗରେ ନେଇଥିଲା, ଅଥଚ ତା’ର ସେହି ‘‘ଅଛଡ଼ା’’ ଛୋଟିଆ ପେଡ଼ିଟି ବ୍ୟତୀତ ବାକି କୌଣସି ଜିନିଷପତ୍ର ନେଲା ନାହିଁ । ରମା କେବଳ ତା ଚିଠି କାଗଜ ଓ ଛାପା କାଗଜ ଲେନ୍ତାଟି ଧଇଲା । ତେଲେଙ୍ଗା ବଜାରରେ ପହଞ୍ଚିଲାବେଳକୁ ସନ୍ଧ୍ୟା ହୋଇ ଯାଇଥିଲା ।

 

ସାହେବଜାଦା ବଜାର ଘର ଛାଡ଼ିଲାବେଳେ ରମା ମୁଣ୍ଡ ବଥାଉଛି, କିଛି ଖାଇଲା ନାହିଁ । ରନ୍ଧାବଢ଼ା ମଧ୍ୟ ବିଶେଷ କିଛି ହୋଇ ନ ଥିଲା । ପାଣୁ ନାଏକ ସକାଳର ପଖାଳ ଖାଇଲା, ତାହା ମଧ୍ୟ ବିନା ତରକାରିରେ । ସେ ଖାଇ ବସିଲାବେଳେ ମାଣିକ କହିଲା, ‘‘ଆଜି ସହର ଭିତରେ ଭାରି କଣ ଗୋଳମାଳ ଲାଗିଚି, ହଣାହଣି ମରାମରି ହୋଉଚନ୍ତି ।’’ ପାଣୁ ନାଏକ ଅନ୍ୟମନସ୍କ ରହି ସେ କଥା ଶୁଣିପାରିଲା ନାହିଁ । ସେ ଖାଇବାଠାରୁ ଉଠି, ଦୁଆର ପାଖରୁ ଝରକା ପର୍ଯ୍ୟନ୍ତ ଏବଂ ଝରକାଠାରୁ ପୁଣି ଦୁଆର ଯାଏ ଧୀର ଗତିରେ ବୁଲିବାକୁ ଲାଗିଲା । ମନରେ କେବଳ ରମା ଚିନ୍ତା; ରମାର ମୁଣ୍ଡ ବଥା ଯୋଗେ ନୁହେଁ; ତା ଭବିଷ୍ୟତ ଲାଗି । ଅନେକ ସମୟ ଭାବିଲା ପରେ ତା ମୁହଁ ଉଜ୍ଜ୍ୱଳ ହୋଇ ଆସିଲା । ସେ ବୁଝିପାରିଲା ଯେ ଭବିଷ୍ୟତରେ ରମା ସଙ୍ଗେ ତାର କେବେ ବିଚ୍ଛେଦ ଘଟିବ ନାହିଁ । କୌଣସି କୌଣସି ସମୟରେ ପ୍ରତ୍ୟେକ ବିଷୟ ଅସମ୍ଭବ ବୋଧହୁଏ; କିନ୍ତୁ ଆଉ ଗୋଟାଏ ଗୋଟାଏ ଶୁଭ ମୁହୂର୍ତ୍ତ ଆସେ, ଯେତେବେଳେ କି ସବୁ ସହଜ, ସମ୍ଭବ ସୁସାଧ୍ୟ ପରି ଜଣାଯାଏ । ପାଣୁ ନାଏକ ସେତେବେଳକୁ ଜୀବନର ଏହିପରି ଗୋଟାଏ ଶୁଭ ମୁହୂର୍ତ୍ତରେ ଆସି ପହଞ୍ଚିଲା ।

 

ପାଣୁ ନାଏକ ନୂଆ ଘରେ ପହଞ୍ଚି ଜିନିଷପତ୍ର ସଜାଡ଼ିବା ପାଇଁ ରମାକୁ ଠିକ୍‌ ଡାକିବାକୁ ଯିବା ସମୟରେ ଦର୍ପଣ ଭିତରେ ପଢ଼ିଲା-

 

‘‘ପ୍ରାଣର ପ୍ରିୟତମ,

 

ଆମେ ଏହି ମୁହୂର୍ତ୍ତରେ ଏ ଘର ଛାଡ଼ି ଯିବାକୁ ବାପା କହୁଛନ୍ତି । ଆମେ ଏଠୁ ଯାଇ ଆଜି ସନ୍ଧ୍ୟାରେ ତେଲେଙ୍ଗାବଜାରରେ ରହିବୁ । ସାତଦିନ ବାଦ୍ ରେଙ୍ଗୁନ୍‌ରେ ଥିବୁ । ରବିବାର ।

 

‘‘ରମା’’

 

ପଢ଼ି, ପାଣୁ ନାଏକ ସ୍ତମ୍ଭିତ ହୋଇ ରହିଲା । ରମା ନୂଆ ଘରେ ପାଦ ପକାଇ ତା ଚିଠି କାଗଜ ସହିତ ଛାପା କାଗଜ ଲେନ୍ତାଟି ଦର୍ପଣ ଆଗରେ ଥୋଇ ଦେଇଥିଲା । ତାପରେ ସେ ଏତେ ଭାବିତ ହୋଇପଡ଼ିଲା ଯେ କାଗଜଗୁଡ଼ିକ ନେଇ ଯଥାସ୍ଥାନରେ ରଖିବା କଥା ତାର ଆଉ ମନେ ପଡ଼ିଲା ନାହିଁ । ଛାପା କାଗଜରେ ଲାଗିଥିବା କାଳି ଚିହ୍ନ ପ୍ରତିଫଳିତ ହୋଇ ପାଣୁ ନାଏକ ଆଗରେ ରମା ବନମାଳୀ ନିକଟକୁ ଲେଖିଥିବା ପତ୍ରର ଗୋଟିଏ ଅବିକଳ ନକଲ ପ୍ରତିଭାତ ହେଲା-। ପାଣୁ ନାଏକ ଥରେ ତା ଉପରେ ଦୃଷ୍ଟି ପକାଇ କେତେକ ସମୟ ଅବାକ୍‌ ହୋଇ ରହିଲା ପରେ, ପୁଣି ଆଉ ଥରେ ଚାହିଁଲା । କ୍ଷଣକ ନିମନ୍ତେ ତା ହୃଦୟରେ ବିଦ୍ୟୁତ୍‌ ଝଟକ ଖେଳିଗଲା । ସେ ତାହା ଦେଖି ହଠାତ୍‌ ବିଶ୍ୱାସ କଲା ନାହିଁ; ମନେକଲା, ତାହା ନିତାନ୍ତ ଅସମ୍ଭବ, ତାର ଅସ୍ତିତ୍ୱ ନାହିଁ; କିନ୍ତୁ ପ୍ରଥମ ଉତ୍ତେଜନା ଟିକିଏ ଶାନ୍ତ ହେଲା ପରେ ସେ ଯାଇ ଛାପା କାଗଜ ହାତରେ ଧରିଲା ଏବଂ ମନକୁ ମନ କହିଲା,’’ ଓ, ଏଇଥିରୁ ଆସୁଚି ।’’

 

ପାଣୁ ନାଏକ ଯେତେବେଳେ ଘଟଣାଟା ଆଖି ଆଗରେ ଦେଖିଲା, ସେ ଖଟ ଉପରେ ଲଥ୍‌କିନି ପଡ଼ିଗଲା । ସମଗ୍ର ଜଗତ ତାକୁ ଅନ୍ଧାର ଦିଶିଲା । ମନୁଷ୍ୟ ଯାହାକୁ ସ୍ନେହ କରେ, ସେ ନିଜକୁ ଅନ୍ତର କରିଦେଲେ, ହୃଦୟରେ ଯେ ଦୁଃଖ ଜନ୍ମେ, ଜଗତରେ ତା’ର ଆଉ ଉପମା ନାହିଁ । ପାଣୁ ନାଏକ ସେହି ଦୁଃଖରେ ଅଭିଭୂତ ହୋଇପଡ଼ିଛି, ମାଣିକ ଆସି ପହଞ୍ଚିଲା । ତହୁଁ ସେ ଉଠି ପଚାରିଲା, ‘‘କୁଆଡ଼େ ଶୁଭୁଥିଲା ?’’ ଶୁଣି ମାଣିକ କିଛି ବୁଝିପାରିଲା ନାହିଁ, ପଚାରିଲା, ‘‘କଣ ଶୁଭୁଥିଲା ?’’

 

‘‘ତୁ କହିଲୁ ନାହିଁ ଯେ ସହର ଭିତରେ ମାରପିଟ ଚାଲିଚି ?’’

‘‘ହଁ, ସେ ତ ସେ ଚାନ୍ଦିନୀଚୌକ ସେପଟଯାକ ସବୁଠି ଚାଲିଚି ।’’

 

ମନୁଷ୍ୟ ବେଳେ ବେଳେ ଇଚ୍ଛା ନ କରି କେତେଗୁଡ଼ାଏ କାର୍ଯ୍ୟ କରି ଚାଲିଯାଏ, ଯାହାକି ଜାଣିପାରିଲେ ସେ କରିବାକୁ ପ୍ରସ୍ତୁତ ହୁଅନ୍ତା ନାହିଁ । ପାଣୁ ନାଏକ ଏହିପରି ଏକ ଭାବର ବଶବର୍ତ୍ତୀ ହୋଇ କେତେକ ମୁହୂର୍ତ୍ତ ପରେ ଦେଖିଲା ଯେ ସେ ଘରଛାଡ଼ି ଦାଣ୍ଡରେ ଯାଇ ଚାଲୁଛି । ସେତେବେଳକୁ ଅଳ୍ପ ରାତି ହୋଇଗଲାଣି, ରାସ୍ତାରେ ଲୋକ ଯିବା ଆସିବା କରୁ ନାହାନ୍ତି । ସେ କିଛି ବାଟ ଯାଇ ବସିପଡ଼ିଲା ଓ କେତେ ସମୟ ସେଠାରେ ବସିଲା ତାକୁ ଜଣା ନାହିଁ । ଘଣ୍ଟାରେ ଏଗାରଟା ବାଜିଲା । ସେତିକିବେଳେ ମହମଦୀୟା ବଜାରଆଡ଼େ ବନ୍ଧୁକ ଆବାଜ ଶୁଣାଗଲା । ପାଣୁ ନାଏକ ଉଠି ଚାହିଁଲା; ଦେଖିଲା, ରାସ୍ତାରେ କିଏ ଜଣେ ଆସୁଛି । ଆଗନ୍ତୁକ ଆହୁରି ନିକଟବର୍ତ୍ତୀ ହେବାରେ ଜଣାଗଲା ଯେ ସେ ପିଲା । ପାଣୁ ନାଏକ ପିଲାଆଡ଼କୁ ଦୃଷ୍ଟିପାତ କଲା ନାହିଁ; କିନ୍ତୁ ପିଲା ଆସି ପଚାରିଲା, ଏଇଟା ଅଭୟ ଦାସଙ୍କ ଘର ନା ?’’ ଶୁଣି, ପାଣୁ ନାଏକ ଉତ୍ତର ନ ଦେଇ ପଚାରିଲା, ‘‘ତୁ କାହିଁକି ଖୋଜୁଚୁ ?’’

 

‘‘ତୁମେ କଣ ଏହି ଘରେ ଥାଅ ?’’

 

‘‘ହଁ ।’’ କହି, ପାଣୁ ନାଏକ ମନରେ କଣ ଭାବିଲା ଓ ସଙ୍ଗେ ସଙ୍ଗେ ପଚାରିଲା, ‘‘ତୁ ମୋ ଚିଠି ଆଣିଚୁ ?’’

 

‘‘ତୁମ ଚିଠି ? ତୁମେ କଣ ମାଇପି ଲୋକ ? ମୁଁ ତୁମ ଚିଠି ଫିଠି କିଛି ଜାଣେନା । ମୁଁ ଲଢ଼େଇ ଥାନରୁ ଚିଠି ଧରି ଆସିଚି । ଚିଠିଟା କୋଉ ଜନାନାର । ତୁମେ ଟିକିଏ ଦେଇଦବ ?’’

 

‘‘ନିଶ୍ଚୟ, ଏଇ ମୁହୂର୍ତ୍ତରେ ।’’ ଶୁଣି ହରିଆ ଚିଠିଖଣ୍ଡି ପାଣୁ ନାଏକ ହାତକୁ ବଢ଼ାଇଦେଇ, ମୁହୂର୍ତ୍ତେ ଅପେକ୍ଷା ନ କରି, ଧାଇଁ ଚାଲିଗଲା । ପାଣୁ ନାଏକ ତାହା ଧରି ଘର ଭିତରେ ପ୍ରବେଶେ କଲା । ସେ ସବୁ ପଢ଼ିପାରିଲା ନାହିଁ । କେବଳ ଶେଷ ଦୁଇଧାଡ଼ି ପଢ଼ିଲା- ‘‘ପ୍ରାଣ ବିସର୍ଜନ ଦେଇଚି-। ମୁଁ ତୁମକୁ ସ୍ନେହ କରେ । ଆଉ ବିଶେଷ କ’ଣ ଲେଖିବି ? ତୁମର ଅଭାଗା ବନମାଳୀ ।’’

 

ସେହି ଦୁଇ ଧାଡ଼ି ଦେଖି ପାଣୁ ନାଏକ ଭୀଷଣ ଭୟରେ ଥରିବାକୁ ଲାଗିଲା । ଚିଠି ଖଣ୍ଡ ଯେ ରମା ପାଇବା ନିମନ୍ତେ ଲେଖା ହୋଇଛି, ସେ ସ୍ପଷ୍ଟ ବୁଝିପାରିଲା; କିନ୍ତୁ ଲେଖକ ‘‘ପ୍ରାଣ ବିସର୍ଜନ ଦେଇଛି’’, ସେଥିରେ ତା ହୃଦୟରେ ଗୋଟାଏ ବିକଟ ଆନନ୍ଦ ଜନ୍ମିଲା । ରମା ଚିଠି ଖଣ୍ଡିକ ପର ଦିନ ସକାଳେ ପାଇବ ବୋଲି ବନମାଳୀ ଭାବିଥିଲା । ରାତି ଏଗାରଟା ବେଳେ ଲଢ଼େଇ ସ୍ଥାନରେ ବନମାଳୀ ପ୍ରାଣର ମମତା ଛାଡ଼ି ଯେ ଯୁଦ୍ଧରେ ଯୋଗ ଦେଇଥିଲା, ତା ପରେ ଆଉ କୌଣସି ଘଟଣା ସେଠାରେ ଘଟି ନ ଥିଲା; କିନ୍ତୁ ପାଣୁ ନାଏକ ତାହା ଜାଣିବ କିପରି ? ପତ୍ରର ଲେଖକ ମରିଯାଇଛି ଜାଣି ସେ ଟିକିଏ ନିଶ୍ଚିନ୍ତ ହେଲା, ଭାବିଲା ଯେ ରମା ସହିତ ଭବିଷ୍ୟତ୍‌ରେ ତାର ଆଉ ବିଚ୍ଛେଦ ଘଟିବ ନାହିଁ । ରମାକୁ ସେ ଚିଠିଟା ଦେଖାଇବ ନାହିଁ ବୋଲି ସ୍ଥିର କଲା; କିନ୍ତୁ ମୁହୂର୍ତ୍ତକ ମଧ୍ୟରେ ସେ ପୁଣି ବିଷାଦରେ ଭାଜି ପଡ଼ିବାକୁ ବସିଲା ।

 

ପାଣୁ ନାଏକ ଦୋକାନରୁ ସରକାରୀ ସିପାହୀମାନଙ୍କ ପୋଷାକରୁ ସାରେ କିଣି, ପିନ୍ଧି, ଜଣେ ପଡ଼ୋଶୀଠାରୁ ବନ୍ଧୁକଟାଏ ମାଗି, ଧରି, ଚାନ୍ଦିନୀଚୌକ ଆଡ଼କୁ ଗଲା । ସରକାରୀ ଫୌଜ ସମଗ୍ର ଚାନ୍ଦିନୀଚୌକ ସଡ଼କ ଓ ଗଳିମାନଙ୍କରେ ଜମି ରହିଥିଲେ । କେବଳ ସେତିକି ନୁହେଁ, ବିଦ୍ରୋହୀମାନଙ୍କୁ ସେମାନେ ଚାରିଆଡ଼ୁ ଘେରିଯାଇ, ମଝିରେ ମହମଦୀୟା ବଜାର ଭିତରେ, ଏକପ୍ରକାର ବନ୍ଦୀ କରି ରଖିଥିଲେ । ସୁତରାଂ ବାହାରୁ ମହମଦୀୟା ବଜାର ଭିତରକୁ ଯିବା ବାଟ ବନ୍ଦ ହୋଇଥିଲା ।

Image

 

୫୪

ବିପ୍ଳବୀ ଦଳରେ ପାଣୁ ନାଏକ

 

କ୍ରମେ ସରକାରୀ ଫୌଜ ମାଡ଼ିଆସିଲେ । ସେମାନଙ୍କୁ ଅବିଳମ୍ବେ ପଛକୁ ହଟାଇ ନ ରଖିଲେ, ସେମାନେ ଯେ ବିପ୍ଲବୀମାନଙ୍କ ଆୟୋଜନ ସବୁ ଭାଙ୍ଗି ଚୂର୍ଣ୍ଣ କରିବେ, ସେଥିରେ କୌଣସି ସନ୍ଦେହ ରହିଲା ନାହିଁ । ସୁତରାଂ ଗୋଟାଏ ଯୁଦ୍ଧର ଯୋଗାଡ଼ ହେଲା । ସେତେବେଳେ ବୈଦ୍ୟନାଥ କହିଲା, ‘‘ଦେଖ, ଭାଇମାନେ ! ତୁମ୍ଭେମାନେ ସମସ୍ତେ ଏ ଯୁଦ୍ଧରେ ଯୋଗ ଦେବା ମୁଁ ଉଚିତ ମନେ କରୁନାହିଁ । ଏ ଯୁଦ୍ଧରେ ହୁଏତ ପ୍ରାଣ ଦବାକୁ ପଡ଼ିପାରେ । ତୁମ୍ଭେମାନେ ଅବଶ୍ୟ ପ୍ରାଣ ଦେବାକୁ ପ୍ରସ୍ତୁତ ହୋଇଆସିଚ । ତୁମ ନିଜ ପ୍ରାଣ ଉପରେ ତୁମର ଅଧିକାର ଅଛି, ତୁମେ ଦେଇପାର । କିନ୍ତୁ ତୁମ ମା, ଭାର୍ଯ୍ୟା ଓ ପୁଅଝିଅଙ୍କ ପ୍ରାଣ ନଷ୍ଟ କରିବାକୁ ତୁମର କୌଣସି ଅଧିକାର ନାହିଁ । ତୁମ ମଧ୍ୟରେ ଯେଉଁମାନଙ୍କର ମା, ଭାର୍ଯ୍ୟା ବା ପୁଅଝିଅ ଅଛନ୍ତି, ସେମାନେ ମରିବା ଅର୍ଥ, ସେହି ମା’ ଭାର୍ଯ୍ୟା ଓ ଝିଅମାନଙ୍କୁ ଦାଣ୍ଡକୁ ଠେଲିଦବା । ସେଟା ଗୋଟାଏ ବଡ଼ ଭୀଷଣ ବ୍ୟାପାର । ଅଭାବରେ ପଡ଼ିଲେ, ପୁରୁଷ ଭିକ୍ଷା କରିପାରେ; କିନ୍ତୁ ନାରୀ କରେ ଆତ୍ମବିକ୍ରୟ । ମୁଁ ଆଉଥରେ କହୁଚି, ମା, ଭାର୍ଯ୍ୟା ଆଉ କନ୍ୟା ମୁହଁକୁ ଚାହିଁ ଯେଉଁମାନେ ବଞ୍ଚି ରହିବାକୁ ଇଚ୍ଛା କରୁଚ ଏଠାରୁ ଶୀଘ୍ର ଚାଲିଯାଅ । ସେଥିରେ ତୁମର ସାହସର ଅଭାବ ଜଣାପଡ଼ିବ ନାହିଁ, କର୍ତ୍ତବ୍ୟ ଜ୍ଞାନର ପରିଚୟ ମିଳିବ । ଏ ଯୁଦ୍ଧଭୂମିରେ ପ୍ରାଣ ଦେଲେ ଅବଶ୍ୟ ଗୌରବ ବଢ଼ିପାରେ; କିନ୍ତୁ ତାହା ଯେ ସ୍ୱାର୍ଥପରତା, ବୁଝି ରଖିବାକୁ ହବ । ଯଶୋଲିପ୍‌ସା ମଧ୍ୟ ସ୍ୱାର୍ଥପରତା ।’’

 

ସମସ୍ତେ ମୁଣ୍ଡ ପୋତି ଠିଆ ହେଲେ । ବନମାଳୀ ଶୁଣି କିଛି ସମୟ ଚିନ୍ତାମଗ୍ନ ରହି ମନେ ମନେ ଭାବିଲା, ‘‘ମୋର ତ କେହି ନାହିଁ । ମୁଁ କାହାପାଇଁ ଫେରିଯିବି ? ମୁଁ ତ ଆସିଚି ମରିବାକୁ । ହେଲେ ବାସ୍ତବରେ ଯାହାଙ୍କର ଜଗତରେ ସ୍ନେହ କରିବାପାଇଁ ଜଣେ କେହି ଅଛି, ସେମାନେ ଏଠେଇ ଆସି ମରିବା ଭୀଷଣ ନିଷ୍ଠୁରତା ।’’ ତାପରେ ସେ ଉଚ୍ଚସ୍ୱରରେ କହିଲା, ‘‘ବୈଦ୍ୟନାଥ ଯାହା କହିଚି, ଠିକ୍‌ । ଯେଉଁମାନେ ମା, ଭାର୍ଯ୍ୟା, ଭଉଣୀ, ପୁଅ, ଝିଅ ଘରେ ଛାଡ଼ି ଆସିଚନ୍ତି, ସେମାନେ ଏ ରକ୍ତପାତରେ ଯୋଗ ଦେବା ଉଚିତ ନୁହେଁ ।’’

 

କେହି ଚାଲିଯିବାକୁ ବାହାରିଲେ ନାହିଁ । ଶେଷରେ ପାଞ୍ଚଜଣଙ୍କୁ ଖୋଜି ବାହାର କରାଗଲା । ସେମାନଙ୍କର ଫେରିଯିବା ଉଚିତ ବୋଲି ବିପ୍ଲବୀମାନେ ଏକସ୍ୱରରେ କହିଲେ । ବାଧ୍ୟ ହୋଇ ସେମାନେ ଅଲଗା ଠିଆ ହେଲେ, କିନ୍ତୁ ସରକାରୀ ଫୌଜ ଭେଦକରି ଯାଇପାରିଲେ ନାହିଁ । ଅଥଚ ବିଳମ୍ବ ହେଲେ, ସେମାନଙ୍କୁ ମଧ୍ୟ ମୃତ୍ୟୁର ସମ୍ଭୁଖୀନ ହେବାକୁ ପଡ଼ିବ । କୌଣସି ଉପାୟ ଦେଖାଯାଉ ନାହିଁ; ହଠାତ୍‌ ହରିଆ ଚାରି ସାର ସିପାହୀ ପୋଷାକ ଧରି ଉପସ୍ଥିତ ହେଲା । ସୁତରାଂ ସେହି ପାଞ୍ଚଜଣଙ୍କ ମଧ୍ୟରୁ ଜଣେ ରହିଯିବା ଦରକାର ପଡ଼ିଲା । ପ୍ରତ୍ୟେକ କହିଲେ, ‘‘ମୁଁ, ମୁଁ, ମୁଁ ।’’ ବନମାଳୀ ଗୋଟାଏ ନିର୍ବୋଧ ପରି ଥରେ ଲୋକମାନଙ୍କୁ ଏବଂ ଥରେ ପୋଷାକଗୁଡ଼ିକ ଆଡ଼କୁ ଚାହିଁବାକୁ ଲାଗିଲା । କିଛି ନିଷ୍ପତ୍ତି ହୋଇ ପାରିଲାନାହିଁ । ହଠାତ୍‌ ଆଉ ସାରେ ପୋଷାକ ଉପରୁ ପଡ଼ିଗଲା । ପାଞ୍ଚଜଣଯାକ ପିନ୍ଧି ଚାଲିଗଲେ । ବନମାଳୀ ମୁଣ୍ଡ ଟେକି ଦେଖିଲା, ତା ଅଭୟ ଦାସ ସମ୍ମୁଖରେ ଠିଆ ହୋଇଛନ୍ତି । ପାଣୁ ନାଏକ ସେହି ମୁହୂର୍ତ୍ତରେ ସରକାରୀ ସିପାହୀ ପୋଷାକ ପିନ୍ଧି ଛଦ୍ମବେଶରେ ଆସି ବିପ୍ଲବୀମାନଙ୍କ ସଙ୍ଗେ ଯୋଗ ଦେଇଥିଲା ।

 

ବୈଦ୍ୟନାଥ ପଚାରିଲା, ‘‘କିଏ ?’’ ପଦ୍ମନାଭ ଉତ୍ତର ଦେଲା, ‘‘ଏପରି ଜଣେ ଯେ କି ପରର ପ୍ରାଣ ରକ୍ଷା କରନ୍ତି ।’’ ବନମାଳୀ ଗମ୍ଭୀର ସ୍ୱରରେ କହିଲା, ‘‘ମୁଁ ୟାଙ୍କୁ ଜାଣେ ।’’ ତଥାପି ବୈଦ୍ୟନାଥ ପଚାରିଲା, ‘‘ଏଠି ପ୍ରାଣ ଦେବାକୁ ହେବ, ଆପଣ ଜାଣନ୍ତି ?’’ ଶୁଣି, ପାଣୁ ନାଏକ କଥାରେ ଅବଶ୍ୟ ଉତ୍ତର ଦେଲା ନାହିଁ; କିନ୍ତୁ ତା ଭାବଭଙ୍ଗୀ ଦେଖି ବୋଧ ହେଲା ଯେ ସେ ତାହା ଜାଣି ଆସିଛି । ବିପ୍ଲବୀଗଣ ସେତିକିରେ ତାକୁ ଦଳଭୁକ୍ତ କରିନେଲେ ।

 

ବିପ୍ଲବୀ ଦଳ ମଧ୍ୟରୁ ଯେଉଁମାନଙ୍କର ପ୍ରାଣ ଧରି ଚାଲିଯିବା ଆବଶ୍ୟକ ଥିଲା, ସେମାନେ ଚାଲିଗଲା ପରେ, ବୈଦ୍ୟନାଥ ସର୍ଦ୍ଦାର ଜନାର୍ଦ୍ଦନଙ୍କ ନିକଟରେ ପହଞ୍ଚି ପଚାରିଲା, ‘‘ଆପଣଙ୍କର କିଛି ଦରକାର ଅଛି ?’’ ସେ ଉତ୍ତର ଶୁଣିଲା, ‘‘ଅଛି । ମୁଁ ଜାଣିବାକୁ ଚାହେଁ, ତୁମ୍ଭେମାନେ କେତେବେଳେ ମୋତେ ହତ୍ୟା କରିବ ।’’

 

‘‘ଆପଣଙ୍କୁ ଅପେକ୍ଷା କରିବାକୁ ହବ । ଆମ ଗୁଳି ସବୁ ବର୍ତ୍ତମାନ ଆହୁରି ଗୁରୁତର କାର୍ଯ୍ୟରେ ଲାଗିବ ।’’

 

‘‘ତେବେ ମୋତେ ଟିକିଏ ପାଣି ପିଇବାକୁ ଦିଅ ।’’ ଜନାର୍ଦ୍ଦନଙ୍କ ହାତଗୋଡ଼ ସବୁ ବନ୍ଧା ହୋଇଥିବାରୁ ବୈଦ୍ୟନାଥ ତାଙ୍କ ତୁଣ୍ଡରେ ପାଣି ଢାଳିଦେଲା । ତାପରେ ପଚାରିଲା, ‘‘ଆଉ କିଛି ଦରକାର ନାହିଁ ?’’

 

‘‘ଅଛି । ମୁଁ ଏପରି ଠିଆ ହୋଇ ନ ରହି, ଟିକିଏ ଶୋଇଲେ ଆରାମ ହୁଅନ୍ତା ।’’ ଶୁଣି ବୈଦ୍ୟନାଥ ଚାରିଜଣ କର୍ମୀଙ୍କ ସାହାଯ୍ୟରେ ଜନାର୍ଦ୍ଦନଙ୍କୁ ଖଣ୍ଡିଏ ଛୋଟିଆ ଖଟ ଉପରେ ଶୁଆଇ ଦେଇ, ତାଙ୍କ ଗୋଡ଼ହାତ ବାନ୍ଧି ରଖିଲା । ସେତେବେଳେ ଜଣେ ଲୋକ ଦ୍ୱାର ନିକଟରେ ଠିଆ ହୋଇ ତାଙ୍କୁ ଏକ ଦୃଷ୍ଟିରେ ଚାହିଁ ରହିଲା । ଜନାର୍ଦ୍ଦନ ତାକୁ ଚିହ୍ନିପାରି କହିଲେ, ‘‘କି ବେ, ତୁ ଆହୁରି ବଞ୍ଚିଚୁ ? ମୁଁ ଭାବିଥିଲି, ପାଣୁଆ ଭାରରୁ ଧରିତ୍ରୀ ମୁକ୍ତି ପାଇଚି । ଏଠେଇ ଆସି ଯୁଟିଲୁଣି ନା ?’’

 

ଶୁଣି ବୈଦ୍ୟନାଥ ବିସ୍ମିତ ହେଲା, କିନ୍ତୁ ସେ ବିଷୟ ଭାବିବାକୁ ଆଉ ସମୟ ନ ଥିଲା । ସରକାରୀ ଫୌଜ ଗୁଳି ଚଳାଇବା ଆରମ୍ଭ କଲେ । ଗୁଳି ଯେତେବେଳେ ବୃଷ୍ଟି ହେବାକୁ ଲାଗିଲା, ହରିଆ ବିଦ୍ୟୁତ୍‌ ବେଗରେ ଧାଇଁ ଆସି ତା ମଧ୍ୟରେ ଠିଆ ହୋଇଗଲା । ସମସ୍ତଙ୍କ ଦୃଷ୍ଟି ତାରି ଉପରେ ଯାଇ ପଡ଼ିଲା । କ୍ଷଣକ ମଧ୍ୟରେ ଶୁଣାଗଲା, ‘‘ସମସ୍ତେ ଅଗ୍ରସର ହୁଅ । ହରିଆ ବିପ୍ଲବୀଦଳ ମଧ୍ୟରେ ଲୁଚି ଯାଉଥିଲା; କିନ୍ତୁ ବନମାଳୀ ତାକୁ ଡାକିନେଇ ପଚାରିଲା, ‘‘ତୁ ପୁଣି ଏଠୁକୁ କାହିଁକି ଆସିଲୁ ?’’

 

‘‘ଏ କିମିତି ପ୍ରଶ୍ନ ? ଶୁଣେ ଦେଖି, ତୁମେ କାହିଁକି ଆସିଚ ?’’

 

‘‘ତୋତେ ଫେରିଆସିବାକୁ କିଏ କହିଲା ? ସେ ଚିଠି କଣ କଲୁ ?’’ ଶୁଣି ହରିଆ ଟିକିଏ ବିବ୍ରତ ହୋଇପଡ଼ିଲା । ଚିଠି ଖଣ୍ଡି ସେ ଯେପରି ଭାବରେ ଦେବା ଉଚିତ ଥିଲା, ସେପରି ନ ଦେଇ ଯେ ଦାୟିତ୍ୱହୀନ ଭାବରେ ପକେଇ ଦେଇ ଆସିଲା, ସେ ତାହା ବୁଝିପାରିଥିଲା । ଆପାତ ଅସୁବିଧାରୁ ରକ୍ଷା ପାଇବାର ଗୋଟାଏ ସହଜ ଉପାୟ ଅବଲମ୍ବନ କରି ମିଛ କହିଦେଲା, ‘‘ମୁଁ ଦୁଆରୀକି ଦେଇ ଆସିଲି । ସେ ନିଦରେ ଶୋଇଥିଲେ । ଉଠି ପାଇଥିବେ ଯେ ।’’

 

ଚିଠି ଖଣ୍ଡି ପଠାଇବାରେ ବନମାଳୀର ଦୁଇଟି ଉଦ୍ଦେଶ୍ୟ ଥିଲା-ରମାଠାରୁ ବିଦାୟ ନେବା ଏବଂ ହରିଆର ପ୍ରାଣ ରକ୍ଷା କରିବା । ହରିଆ ତ ପୁଣି ବିପଦ ଭିତରକୁ ଫେରି ଆସିଲା । ଅପର ଉଦ୍ଦେଶ୍ୟଟି ସାଧିତ ହେଲା କି ନାହିଁ, ତାର ଘୋର ସନ୍ଦେହ ମଧ୍ୟ ରହିଲା । ଚିଠିଟା କାହା ହାତେ ଯେ ପଡ଼ିଲା ସେ ଠିକ୍‌ ବୁଝିପାରିଲା ନାହିଁ । ଚିଠି ସହିତ ଅଭୟ ଦାସଙ୍କର କିଛି ସମ୍ପର୍କ ଥାଇପାରେ ମନେ କରି, ସେ ତାଙ୍କ ଆଡ଼କୁ ଆଙ୍ଗୁଠି ଦେଖାଇ, ହରିଆକୁ ପଚାରିଲା, ‘‘ତୁ ସେ ଲୋକକୁ ଚିହ୍ନୁ ?’’ ହରିଆ କହିଲା, ‘‘ନା’’ । ତହୁଁ ବନମାଳୀ ଆହୁରି ସନ୍ଦେହରେ ପଡ଼ିଗଲା । ହରିଆ ବାସ୍ତବରେ ଅନ୍ଧାରରେ ଚିଠି ଖଣ୍ଡି ପାଣୁ ନାଏକ ହାତରେ ଦେଇ ଆସିଥିଲା । ସେ ଫେରି ବିପ୍ଳବ ସ୍ଥାନକୁ ଆସିବାକୁ ବ୍ୟାକୁଳ ହେଉଥିଲା । ସୁତରାଂ ମନରେ ସେ ଅବସ୍ଥାରେ ଓ ରାତିର ସେ ସମୟରେ ପାଣୁ ନାଏକକୁ ଚିହ୍ନି ରଖିବା ତା ପକ୍ଷେ ଅସମ୍ଭବ ହୋଇ ପଡ଼ିଥିଲା ।

Image

 

୫୫

ମୁଁ ବନ୍ଦୀ ହେଲି

 

ପ୍ରାଚୀଗଗନରେ ପ୍ରଭାତର ପାଟଳ ବର୍ଣ୍ଣ ଚିତ୍ରିତ ହେବା ସଙ୍ଗେ ସଙ୍ଗେ ଗୋଳମାଳ କ୍ରମେ ଘନୀଭୂତ ହୋଇ ଆସିଲା । ବୈଦ୍ୟନାଥ କହିଲା, ‘‘ଆମ୍ଭର ଯେତେ ଗୁଳି ବାରୁଦ ଅଛି, ସେଥିରେ ଆଉ ପନ୍ଦର ମିନିଟ୍‌ ଚଳେ କି ନା ସନ୍ଦେହ ।’’ ସେତେବେଳେ ସରକାରୀ ସୈନିକମାନେ ଗୁଳି ଖାଇ ଆହତ ହୋଇ ବା ମରି ପଡ଼ୁଥିଲେ । ହରିଆ ଗୁଳି ବୃଷ୍ଟି ଭିତରେ ପଶି ସେହି ସୈନିକମାନଙ୍କ ମୁଣିରେ ଥିବା ଗୁଳି ଗୁଡ଼ାକ ସଂଗ୍ରହକରି ଆଣି, ବିପ୍ଲବୀ ଗୁଳି ଭଣ୍ଡାର ଭରିବାରେ ଲାଗିଲା । ସେ ଏପରି ଦକ୍ଷତା ସହିତ କାର୍ଯ୍ୟ କଲା ଯେ ତାହାରି ଆଡ଼କୁ ଚାହିଁ ରହିଲେ । ସରକାରୀ ସୈନିକ ଓ ସିପାହୀମାନେ ତାକୁ ଲକ୍ଷ୍ୟ କରି ଗୁଳି ଛାଡ଼ିଲେ; କିନ୍ତୁ ହରିଆ ବନ୍ଧୁକର ଗୁଳି ଅପେକ୍ଷା ଅଧିକ କୃତିତ୍ୱ ଦେଖାଇ, ମୃତ୍ୟୁ ଏଡ଼ି, ଭଣ୍ଡାର ପୂର୍ଣ୍ଣ କରିବାରେ ଲାଗିଲା । ସେ ତା ମଧ୍ୟରେ ଗୀତ ଗାଇଲା ।

 

‘‘ତୁମେ ମାରୁଥିବ ଗୁଳିକି ଗୁଳି,

‘‘ଗୁଳି ହୋଇଯିବ ଧୂଳି;

‘‘ମୁଁ ତ ପିନ୍ଧିଛି ଲୁହାର ଚମ,

‘‘ମୋତେ କି କରିପାରିବ ଯମ ?’’

 

ହରିଆ ଗୀତର ଶେଷ ପଦଟି ଠିକ୍‌ ଗାଇସାରୁଛି, ହଠାତ୍‌ ଗୋଟିଏ ଗୁଳି ତା ଆଡ଼କୁ ଆସିଲା । ବନମାଳୀ ଏବଂ ବୈଦ୍ୟନାଥ ବ୍ୟସ୍ତ ହୋଇ ତା ନିକଟକୁ ଧାଇଁ ଚାଲିଗଲେ; କିନ୍ତୁ ଯାଇ ପହଞ୍ଚିବା ପୂର୍ବରୁ ହରିଆ ମରି ପଡ଼ିଯାଇଥିଲା । ବୈଦ୍ୟନାଥ ତାଠାରୁ ଗୁଳିଗୁଡ଼ିକ ଧରି ଆସିଲା । ବନମାଳୀ ହରିଆକୁ ଟେକି ଆଣିଲା । ଦିନେ ହରିଆର ପିତା ତା ପିତାଙ୍କ ପ୍ରତି ଯୁଦ୍ଧଭୂମିରେ ଠିକ୍‌ ସେହି ପ୍ରକାର ବ୍ୟବହାର କରିଥିଲା, ତେବେ ଦୀନା ସାହୁ ଗୋବିନ୍ଦ ସିଂହଙ୍କୁ ପ୍ରାଣରେ ବଞ୍ଚାଇ ଆଣିଥିଲା, ସେ ହରିଆର ଶବ ଆଣିଲା । ତାହା ଭାବି, ତା ଦୁଃଖର ସୀମା ରହିଲା ନାହିଁ । ବୈଦ୍ୟନାଥ ଗୁଳିଗୁଡ଼ିକ ବିପ୍ଳବୀମାନଙ୍କ ମଧ୍ୟରେ ବାଣ୍ଟିଦେଲା । ପାଣୁ ନାଏକ ନିଶ୍ଚଳ ହୋଇ ବସି ରହିଥିଲା । ତାକୁ ବୈଦ୍ୟନାଥ ଗୁଳି ଯାଚିବାରୁ ସେ ମୁଣ୍ଡ ହଲାଇ ନାହିଁ କଲା । ସେତେବେଳେ ବୈଦ୍ୟନାଥ କହିଲା, ‘‘ଏ ପାଗଳଟାଏ ନା କ’ଣ ? ଯୁଦ୍ଧକୁ ଆସି ଯୁଦ୍ଧ ନ କରି ଚୁପ୍‌ ହୋଇ ଯେ ବସିବ, ସେ ଆସେ କାହିଁକି ?

 

ଚାହୁଁ ଚାହୁଁ ମଧ୍ୟାହ୍ନ ଉପସ୍ଥିତ ହେଲା । ଦିବସର ଉତ୍ତାପ ଯେତିକି ବେଶି ହେଲା, ଯୁଦ୍ଧର ଭୀଷଣତା ସେତିକି ବଢ଼ିବାକୁ ଲାଗିଲା; ମାତ୍ର କେତେକ ସମୟ ପରେ ଅପରାହ୍ନର ଯୁଦ୍ଧ ନିମନ୍ତେ ନିଜ ନିଜକୁ ପ୍ରସ୍ତୁତ କରିବାପାଇଁ ଉଭୟ ପକ୍ଷ କିଛି ସମୟ ବିଶ୍ରାମ ନେଲେ । ସେତେବେଳେ ବୈଦ୍ୟନାଥ ଜନାର୍ଦ୍ଦନଙ୍କ ନିକଟକୁ ଯାଇ କହିଲା, ‘‘ମୁଁ ଆପଣଙ୍କ କଥା ଭୁଲିଯାଇ ନାହିଁ ।’’ କହି, ସେ ତାଙ୍କ ନିକଟରେ ଗୁଳି ସହିତ ଗୋଟାଏ ବନ୍ଧୁକ ରଖିଦେଲା ଏବଂ ସଙ୍ଗେ ସଙ୍ଗେ ପୁଣି କହିଲା, ‘‘ଆମ ଭିତରୁ ଯେ ଏଠୋଉ ସବାପଛରେ ଯିବ, ସେ ଏ ଗୋଏନ୍ଦା ମୁଣ୍ଡ ଉଡ଼େଇ ଦେଇ ଚାଲିଯିବ-।’’ ସେତେବେଳେ ପଛରୁ ଗୋଟାଏ ସ୍ୱର ଶୁଣାଗଲା, ‘‘କଣ ଏଇଠେଇ ?’’

 

‘‘ନା, ଏଠେଇ ନୁହେଁ । ଏ ବନ୍ଧା ହେଇ ପଡ଼ିଚି । ୟାକୁ ଦୂରକୁ ନେଇଯାଇ, ତେଣେ କୁଆଡ଼େ ମାଇଲେ ଭଲ ହବ । ଠିକ୍‌ ଯୁଦ୍ଧ କ୍ଷେତ୍ରରେ ଏଭଳି ଦେଶଦ୍ରୋହୀର ରକ୍ତ ପଡ଼ିବା ଠିକ୍‌ ନୁହେଁ ।’’ ଶୁଣି ଜଣେ ଅଗ୍ରସର ହୋଇ କହିଲା, ‘‘ଏ କାର୍ଯ୍ୟର ଭାର ମୋ ଉପରେ ଦେଇ ପାରିବେ-?’’ ଜନାର୍ଦ୍ଦନ ମୁଣ୍ଡ ଟେକି ଚାହିଁ ପାଣୁ ନାଏକକୁ ଦେଖିଲେ ଏବଂ ଧୀରସ୍ଥିର ଭାବରେ କହିଲେ, ‘‘ହଁ, ଏଟା କିଛି ଅସ୍ୱାଭାବିକ ନୁହେଁ ।’’ ବୈଦ୍ୟନାଥ ବନ୍ଧୁକରେ ଗୁଳି ଭର୍ତ୍ତି କରୁଥିଲା । ସେ ପାଣୁ ନାଏକକୁ ଚାହିଁ କହିଲା, ଆଚ୍ଛା, ନିଅନ୍ତୁ ଏ ବନ୍ଦୀକି” ।

 

ପାଣୁ ନାଏକ ଜନାର୍ଦ୍ଦନକୁ ଧରି ଚାଲିଗଲା । ସେମାନେ ଗଲାବେଳେ ବନମାଳୀ ଖଣ୍ଡେ ଦୂରରୁ ଦେଖିଲା । ଜନତା ପାର ହୋଇଯାଇ ସେମାନେ ଯେତେବେଳେ ଗୋଟାଏ ନିର୍ଜନ ଗଳି ମଧ୍ୟରେ ପହଞ୍ଚିଲେ, ଚମ୍ପା ଶବଟା ଦେଖି ଜନାର୍ଦ୍ଦନ କହିଲେ, ‘‘ମୁଁ ବୋଧହୁଏ ଏ ବାଳିକାକୁ ଚିହ୍ନି ପାରୁଚି ।’’ ସେହିଠାରେ ଉଭୟେ ଠିଆ ହେଲେ । ଜନାର୍ଦ୍ଦନ ପାଣୁ ନାଏକକୁ କହିଲେ, ‘‘ଏଥର ତୁମ ପ୍ରତିଶୋଧ ନିଅ ।’’ ପାଣୁ ନାଏକ କୁରୁତା ପକେଟରୁ ଗୋଟିଏ ଛୁରୀ ବାହାରକଲା । ଦେଖି ଜନାର୍ଦ୍ଦନ କହିଲେ, ‘‘ହଁ, ଏଇଟା ଏକା ତୁମକୁ ସାଜେ, ବନ୍ଧୁକ ନୁହେଁ ।’’ ପାଣୁ ନାଏକ ପଦେ କଥା ନ କହି ଜନାର୍ଦ୍ଦନଙ୍କ ବେକରେ ବନ୍ଧା ହୋଇଥିବା ଦଉଡ଼ି ପ୍ରଥମେ କାଟିଲା ଓ ତା’ପରେ ଯେଉଁ ଦଉଡ଼ିରେ ତାଙ୍କର ଦୁଇ ହାତ ଛନ୍ଦା ହୋଇଥିଲା, ତାକୁ କାଟିଦେଲା । ତହୁଁ ସେ କହିଲା, ‘‘ତମେ ତ ଏବେ ଖଲାସ ହେଲ, ଯାଅ ।’’ ଜନାର୍ଦ୍ଦନ ନିଜର ବିସ୍ମୟ ରୁଦ୍ଧ କରି ରଖିପାରିଲେ ନାହିଁ, ଅବାକ୍‌ ହୋଇ ଚାହିଁ ରହିଲେ । ଶେଷରେ ପାଣୁ ନାଏକ କହିଲା, ‘‘ମୁଁ ଏଠୋଉ ପ୍ରାଣ ଧରି ଫେରିବି ବୋଲି ମନେ କରୁନାହିଁ । ଯଦି ଫେରିଯାଏ, ତୁମେ ମୋତେ ତେଲେଙ୍ଗାବଜାରରେ ଦେଖିପାରିବ । ସେଠେଇ ମୁଁ ଅଭୟ ଦାସ ନାଁରେ ଘରଭଡ଼ା ନେଇ ରହିଚି ।’’ ଶୁଣି ଜନାର୍ଦ୍ଦନ କହିଲେ, ‘‘ସାବଧାନ-।’’

 

‘‘ଚାଲିଯାଅ ।’’

‘‘ତୁମେ କ’ଣ କହିଲ, ‘‘ଅଭୟ ଦାସ ?’’

 

‘‘ହଁ, ଆଉ ଘର ତେଲେଙ୍ଗାବଜାର ।’’ ଶୁଣି ଜନାର୍ଦ୍ଦନ ଧୀର ସ୍ୱରରେ ଆବୃତ୍ତି କଲେ, ‘‘ଅଭୟ ଦାସ, ତେଲେଙ୍ଗାବଜାର ।’’

 

ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ର ସେ ଗଳିରେ ପାଣୁ ନାଏକକୁ ଏକାକୀ ଛାଡ଼ି, କିଛି ଦୂର ଅଗ୍ରସର ହୋଇଗଲେ, କିନ୍ତୁ ସେ ବେଶିଦୂର ନ ଯାଇ ଫେରିଆସି କହିଲେ, ‘‘ଦେଖ, ପାଣୁ ନାଏକ, ମୁଁ ଯିବିନାହିଁ; ତୁମେ ମୋତେ ମାରିଦିଅ ।’’

 

‘‘ନା, ତୁମେ ଚାଲିଯାଅ ।’’ ଏଥି ପୂର୍ବେ ପାଣୁ ନାଏକ ସଙ୍ଗେ ଜନାର୍ଦ୍ଦନଙ୍କର ନାନା କାର୍ଯ୍ୟକ୍ଷେତ୍ରରେ କେତେଥର ସମ୍ପର୍କ ଘଟିଛି; କିନ୍ତୁ କେବେ ସେ ତା ଅନୁରୋଧ ରକ୍ଷା କରି ନ ଥିଲେ; ଆଜି ରକ୍ଷା କରି ଚାଲିଗଲେ । ଜନାର୍ଦ୍ଦନ ଅଦୃଶ୍ୟ ହୋଇଯିବା ପରେ ପାଣୁ ନାଏକ ଶୂନ୍ୟକୁ ବନ୍ଧୁକ ଫୁଟାଇ, ଫେରିଆସି, ବିଦ୍ରୋହୀମାନଙ୍କ ମଧ୍ୟରେ କହିଲା, ‘‘ଶେଷ କରି ଆସିଲି । ଆଉ କଣ, କହ ।’’

 

ବନମାଳୀ ଗୋଏନ୍ଦା ବନ୍ଧା ହୋଇ ରହିଥିବାର ଯେ ଦେଖି ନ ଥିଲା, ତା ନୁହେଁ, କିନ୍ତୁ ଚିହ୍ନିପାରି ନ ଥିଲା । ପାଣୁ ନାଏକ ତାଙ୍କୁ ହତ୍ୟା କରିବାକୁ ନେବା ସମୟରେ ତା ଦୃଷ୍ଟି ଯେତେବେଳେ ତାଙ୍କ ଉପରେ ଅକସ୍ମାତ୍‌ ପଡ଼ିଗଲା, ସେ ତାଙ୍କୁ ଚିହ୍ନିପାରିଲା ଓ ସଙ୍ଗେ ସଙ୍ଗେ ତା ମନରେ ଗୋଟାଏ ଆଶାର ସଞ୍ଚାର ହେଲା । ଦିନେ ସେ ସର୍ଦ୍ଦାରଙ୍କୁ ଯେ ଫାଣ୍ଡିରେ ଦେଖିଥିଲା ଏବଂ ତାଙ୍କଠାରୁ ଗୋଟିଏ ପିସ୍ତଲ ପାଇଥିଲା, ତାହା ତା ମନେ ପଡ଼ିଗଲା । ଆଜି ସେହି ପିସ୍ତଲ ଧରି ସେ ଯୁଦ୍ଧଭୂମିରେ ଠିଆ ହୋଇଅଛି । କେବଳ ସେ ଘଟଣା ଯେ ବନମାଳୀର ମନେପଡ଼ିଲା, ତା ନୁହେଁ; ସର୍ଦ୍ଦାରଙ୍କ ନାମ ମଧ୍ୟ ତାର ସ୍ମରଣ ହେଲା । ପାଣୁ ନାଏକ ଫେରିଆସି ଯେତେବେଳେ କହିଲା, ‘‘ମୁଁ ଶେଷ କରି ଆସିଲି’’, ଶୁଣି ବନମାଳୀର ମନ କ୍ଷଣକପାଇଁ ଦୁଃଖରେ ଅଭିଭୂତ ହୋଇପଡ଼ିଲା ।

 

ପର ମୁହୂର୍ତ୍ତରେ ଭୀଷଣ ଯୁଦ୍ଧ ଆରମ୍ଭ ହେଲା । ସେ ଯୁଦ୍ଧରେ ପଦ୍ମନାଭ ଯେ କେବଳ ପ୍ରାଣ ହରାଇଲା, ତା ନୁହେଁ; ତା ସଙ୍ଗେ ପ୍ରାୟ ଦଶ ଜଣ ବଡ଼ବଡ଼ କର୍ମୀ ନରରକ୍ତ ରଞ୍ଜିତ ମାତୃଭୂମି କୋଳରେ ନେତ୍ର ମୁଦି ଶୋଇଲେ । ଜଗନ୍ନାଥ ଦେହରେ ତିନି ଗୋଟି ଗୁଳି ବହି ଜଣେ ଆହତ ସହକର୍ମୀକୁ ତଳୁ ଟେକି ଉଠାଉଥିଲା, ସେତିକିବେଳେ ତା ପ୍ରାଣବାୟୁ ଉଡ଼ିଗଲା । ବନମାଳୀର ମୁଣ୍ଡ କ୍ଷତବିକ୍ଷତ ହୋଇ ପଡ଼ିଥିଲା, ମୁଖ ରକ୍ତରେ ରଞ୍ଚିତ ହୋଇଥିଲା;- ଆହତ ହୋଇ ନ ଥିଲା କେବଳ ବୈଦ୍ୟନାଥ । ସେ ନିଜର ଅସ୍ତ୍ରଶସ୍ତ୍ର ହରାଇ ଖାଲି ହାତରେ ଯାଉଥିଲା ବେଳେ ଗୋଟାଏ ହାତ ବାମ ଆଉ ଗୋଟାଏ ହାତ ଦକ୍ଷିଣ ଦିଗକୁ ପ୍ରସାରିଦେଲା । ସେତେବେଳେ ତା ଦୁଇ ହାତରେ ଦୁଇଟା ଅସ୍ତ୍ର କିଏ ଆଣି ଧରାଇଦେଲା ।

 

ବୈଦ୍ୟନାଥ ନୂତନ ଅସ୍ତ୍ର ଧରି ପୁନରାୟ ଶତ୍ରୁ ସୈନ୍ୟଙ୍କ ମଧ୍ୟରେ ପ୍ରବେଶ କଲାମାତ୍ରେ ଚାରିଆଡ଼ୁ ଚିତ୍କାର ଶୁଣିଲା, ‘‘ଏ ଜଣେ ନେତା । ଏହି ମୁହୂର୍ତ୍ତରେ ୟାକୁ ଗୁଳି କରି ମାର ।’’ ବୈଦ୍ୟନାଥ ଉତ୍ତରରେ କହିଲା, ‘‘ମୋତେ ଗୁଳି କରିବ ? କର ।’’ କହି ସେ ଅସ୍ତ୍ର ଶସ୍ତ୍ର ଫିଙ୍ଗିଦେଇ ଉନ୍ମୁକ୍ତ ବକ୍ଷ ଦେଖାଇଦେଲା । ହଠାତ୍‌ ଏକ ମୁହୂର୍ତ୍ତରେ ସେ ବକ୍ଷରେ ଆଠ ଗୋଟା ଗୁଳି ଆସି ବାଜିଲା-। ବୈଦ୍ୟନାଥ ପଡ଼ିଗଲା । ତାକୁ ପଡ଼ିବାର ଦେଖି ବିପ୍ଲବୀ ଦଳର ଅବଶେଷ ବନମାଳୀ ଯାଇ ତା ସ୍ଥାନ ଅଧିକାର କଲା । ମୁହୂର୍ତ୍ତକ ମଧ୍ୟରେ ଗୋଟିଏ ଗୁଳିରେ ତାର ମଧ୍ୟ ହାତର ହାଡ଼ ଭାଜିଗଲା । ଯନ୍ତ୍ରଣା ଏବଂ ନୈରାଶ୍ୟରେ ସେ ଆଖି ବୁଜି ଠିଆ ହୋଇଛି, ପଛରୁ ଗୋଟାଏ ପ୍ରକାଣ୍ଡ ହାତ ତା ବେକ ଆସି ଧରିବାର ସେ ବୁଝିପାରିଲା । କ୍ଷଣକ ନିମନ୍ତେ ରମାର କମନୀୟ ମୂର୍ତ୍ତି ସତେ ଅବା ଶେଷଥର ପାଇଁ ଆସି ତା ଆଖି ଆଗରେ ନାଚିଗଲା । ସେ କହିଲା, ‘‘ଓଃ, ମୁଁ ବନ୍ଦୀ ହେଲି, ୟା ପରେଇ ମରିବି ।’’

Image

 

୫୬

ସୁଡ଼ଙ୍ଗ ଭିତରେ ଜୀବନ

 

ବନମାଳୀ ବାସ୍ତବରେ ବନ୍ଦୀ ହୋଇଥିଲା । ଯେତେବେଳେ ତା ଦେହରେ ଗୋଟାଏ ଗୁଳି ବାଜିଲା, ତା ବନ୍ଦୀକର୍ତ୍ତା ଦ୍ରୂତ ବେଗରେ ଡେଇଁପଡ଼ି ତାକୁ ଟେକି ନେଇଗଲା । ସେତେବେଳକୁ ସେ ମୂର୍ଚ୍ଛିତ । ତାକୁ ଟେକିଧରି ବନ୍ଦୀକର୍ତ୍ତା କେଉଁଆଡ଼େ ଯେ ଯିବ, ବୁଝିପାରିଲା ନାହିଁ । ସମ୍ମୁଖରେ ସରକାରୀ ଫୌଜ ଜଗି ରହିଥିଲେ, ଦେଖିଲେ କେବଳ ଯେ ବାଟ ଛାଡ଼ନ୍ତେ ନାହିଁ, ନୁହେଁ, ମୁମୂର୍ଷୁ ବନମାଳୀର ପ୍ରାଣ ମୁହୂର୍ତ୍ତକ ମଧ୍ୟରେ ଘେନିଯାନ୍ତେ । ବନମାଳୀ ଯେ ବିପ୍ଲବର ନେତା ଏବଂ ଗୋଳମାଳ ମଧ୍ୟରେ ଶତ ଶତ ଗୋରା ଓ ଦେଶୀ ସୈନିକଙ୍କ ଉପରେ ଗୁଳି ବୃଷ୍ଟି କରିଛି, କାହାକୁ ଆଗୋଚର ନ ଥିଲା; ସୁତରାଂ ତା ପିଣ୍ଡରେ ପ୍ରାଣ ଥାଉ ଥାଉ ତାକୁ କେହି ଛାଡ଼ି ଦିଅନ୍ତେ ନାହିଁ ।

 

ବନ୍ଦୀକର୍ତ୍ତା ବନମାଳୀକୁ କାନ୍ଧରେ ଧରି କେତେକ ସମୟ ଠିଆ ହୋଇ ରହିଲା, ଆଗ ପଛ, ବାମ ଦକ୍ଷିଣ, ତଳ ଉପର ସବୁ ଆଡ଼କୁ ବାରମ୍ବାର ଅନାଇଲା; କିନ୍ତୁ କେଉଁଠାରେ କିଛି ଉପାୟ ଦେଖିଲା ନାହିଁ । ସେଠାରେ ଠିଆ ହୋଇ ରହିଲେ ଯେ ରକ୍ଷା ଥିଲା, ତା ମଧ୍ୟ ନୁହେଁ । ଅତଏବ ଆସନ୍ନ ବିପଦରୁ ଉଦ୍ଧାର ପାଇବା ନିମନ୍ତେ ସେ ନିକଟରେ ଗୋଟାଏ କୂଅ ଭିତରେ, ବନମାଳୀକୁ ସେହିପିରି କାନ୍ଧରେ ଧରି ପଶିଗଲା । ସଙ୍ଗେ ସଙ୍ଗେ ଉପରେ ରାସ୍ତାରେ କୋଳାହଳ ଶୁଭିଲା । ତେଣୁ ବନମାଳୀକୁ ସେହିପରି କାନ୍ଧରେ ଧରି କୂଅ ଭିତରେ ତାକୁ ଠିଆ ହୋଇ ରହିବାକୁ ପଡ଼ିଲା । କୂଅରେ ସେତେବେଳେ ପ୍ରାୟ ଛାତିଏ ପାଣି ଥିଲା । ଛାତିଏ ପାଣିରେ ସେ ଯେ କେତେ ସମୟ ଠିଆହୋଇ ରହିଲା ତାହା ସେ ବୁଝିପାରିଲା ନାହିଁ । ତାକୁ ମୁହୂର୍ତ୍ତକ ଯୁଗ ପରି ବୋଧ ହେଉଥିଲା । ତା ଭାବନା ନିଜ ନିମନ୍ତେ ନୁହେଁ, ସେ ଯେଉଁ ମୁମୂର୍ଷୁ ବନମାଳୀକୁ ଯୁଦ୍ଧସ୍ଥଳରୁ ଘେନି ପଳାଇ ଆସିଛି, ତାହାରି ଜୀବନ ରକ୍ଷା ଲାଗି । ବନମାଳୀକୁ କେଉଁଠାରେ ଟିକିଏ ଶୁଆଇ, ସିଞ୍ଚା ବିଞ୍ଚା ଏବଂ ସେବା ଶୁଶ୍ରୂଷା କଲେ ସେ ଯେ ପୁଣି ବଞ୍ଚି ଉଠିବ, ସେଥିରେ ତାର ସନ୍ଦେହ ନ ଥିଲା ।

 

ହଠାତ୍‌ କୂଅ ଉପରେ ଶୁଭିଲା, କେହି ଜଣେ କ୍ଷୀଣକଣ୍ଠରେ କହୁଛି, ‘‘ଓଃ, ମଲି । ପାଣି, ପାଣି, ପାଣି ।’’ ସଙ୍ଗେ ସଙ୍ଗେ ଉପରେ ବହୁଲୋକଙ୍କ ପାଟି ଶୁଣାଗଲା । ଜଣେ କହିଲା, ‘‘ଦଉଡ଼ି ନାହିଁ ।’’ ଆଉ ଜଣେ କହିଲା, ‘‘ମାଗିଆଣ ।’’ ପୁଣି ଆଉ ଜଣକଠାରୁ ଶୁଣାଗଲା, ଦଉଡ଼ି ଆଣି ପାଣି କାଢ଼ିବାକୁ କଅଣ ସମୟ ଅଛି । ଜଣେ ପଶିଯାଇ ଘେନିଆସ ।’’ ଶୁଣି, କୂଅ ଭିତରେ ବନ୍ଦୀକର୍ତ୍ତା ମୃତ୍ୟୁ ଯନ୍ତ୍ରଣା ଅନୁଭବ କରିବାକୁ ଲାଗିଲା; କିନ୍ତୁ ସେତେବେଳେ ପୁନରାୟ ଉପରୁ ଶୁଣିଲା, ‘‘ନା, ଆଗ ଦଉଡ଼ିଟେ ଖୋଜାଯାଉ; ନ ମିଳିଲେ, କୂଅରେ ପଶିବା । ଏ ଘୋର ଅନ୍ଧାରରେ ଭିତରେ କିଏ ପଶିବ ? ସାପ ବିଛା କାମୁଡ଼ିଲେ, ମରିବ ସିନା ? ଏଟା କେବଳ ଜଣେ ଦରମରା ଲୋକର ପ୍ରାଣ ରଖିବା ଲାଗି ଜଣେ ଭଲ ଲୋକକୁ ମାରିବା କଥା ସିନା ।’’

 

ବନ୍ଦୀକର୍ତ୍ତା ସେହି ଅବସରରେ କୂଅ ଭିତରେ ଗୋଟିଏ ବାଟ ଖୋଜିବାରେ ଲାଗିଥିଲା । ସେ ଯେତେବେଳେ ସନ୍ଧ୍ୟା ଆଗରୁ କୂଅ ଭିତରେ ପଶିଲା, ପଥର ବନ୍ଧ ଭିତରେ ଏକ ପ୍ରକାଣ୍ଡ କଣା ତା ଦୃଷ୍ଟିରେ ପଡ଼ିଥିଲା; କିନ୍ତୁ କଣା ଭିତରଟା ସେତେବେଳେ ତାକୁ ଏତେ ଭୀଷଣ ଦେଖାଯାଉଥିଲା ଯେ ସେ ତା ଆଡ଼କୁ ନ ଚାହିଁ ପଛକରି ପାଣି ଭିତରେ ଠିଆହେଲା । କ୍ରମେ କୂଅ ଭିତରଟା ଯେତେବେଳେ ତାକୁ ମୁହାଁଇଗଲା, ସେ ଅନ୍ଧାରରେ ଅଣ୍ଡାଳି ଦେଖିଲା କଣାଟା ସେହିପରି ଅଛି ଓ ମନକୁ ମନ କହିଲା, ‘‘ଧରାପଡ଼ିବାଠୋଉ ଏଇ କଣାରେ ପଶି ମରିବା ଭଲ ।’’

 

କୂଅର କାନ୍ଥ ଭେଦକରି ପୂର୍ବେ ଗୋଟିଏ ସୁଡ଼ଙ୍ଗ ଥିଲା । ସେହି ବାଟେ ଗୋଟିଏ ପ୍ରାଚୀନ ବିଶାଳ ଉଆସର ବାହାର ସହିତ ଗୁପ୍ତ ସମ୍ପର୍କ ସୃଷ୍ଟି ହୋଇଥିଲା; କିନ୍ତୁ ସୁଡ଼ଙ୍ଗଟି କାଳକ୍ରମେ ଭାଙ୍ଗି ନିତାନ୍ତ ଜୀର୍ଣ୍ଣ ହୋଇ ପଡ଼ିଥିଲା । ଭିତରେ କେଉଁଠାରେ ମାଟି ଇଟାପଥର ଆଦିର ଛୋଟବଡ଼ ଗଦା ରହିଥିଲା; କେଉଁଠାରେ ବା ପାଣି ଜମି ରହି ପଙ୍କରେ ପରିଣତ ହୋଇଥିଲା । ତଥାପି ବନ୍ଦୀକର୍ତ୍ତା ମନକୁ ମନ କହିଲା, ‘‘ହୁଏତ ଏଇ ବାଟେ ଗଲେ ବିପଦରୁ ରକ୍ଷା ମିଳିପାରେ ।’’ ସୁତରାଂ ସେ ଅଗ୍ରସର ହେବାକୁ ଲାଗିଲା ।

 

ସୁଡ଼ଙ୍ଗ ବାଟଟା ଯେ ବେଶି ଉଚ୍ଚ ନୁହେଁ, କହିବା ଅନାବଶ୍ୟକ । ସେବାଟେ ଠିଆ ହୋଇ ସିଧା ଚାଲିବା ମନୁଷ୍ୟ ପକ୍ଷେ କଷ୍ଟସାଧ୍ୟ; ପୁଣି ସେ ବନ୍ଦୀକର୍ତ୍ତା ପରି ଦୀର୍ଘାକୃତି ଲୋକ ପକ୍ଷରେ ଏକାବେଳକେ ଅସମ୍ଭବ । ବନ୍ଦୀକର୍ତ୍ତା ବନମାଳୀକୁ କାନ୍ଧରେ ଧରି ବସି ବସି ଧୀରେ ଧୀରେ ଚାଲିଲା-। ବାଟଟା ତାକୁ କ୍ରମେ ନର୍କର ପଥ ପରି ବୋଧ ହେଲା । ସେ ଭାବିଲା, ‘‘ଫେରିଯିବି’’, କିନ୍ତୁ ପର ମୁହୂର୍ତ୍ତରେ କହିଲା, ‘‘ନା, ଯେତେବେଳେ ଗୋଟାଏ ଜୀବନର ଭାର ନେଇଚି, ଶେଷ ପର୍ଯ୍ୟନ୍ତ ପ୍ରାଣପଣେ ଚେଷ୍ଟା କରି ଦେଖିବି ।’’ କହି, ସେ ଆଗକୁ ଆଉ ପାଦେ ପକାଇଲା । ପାଦ ଗୋଟାଏ ଚିକ୍‌କଣ କୋମଳ ଜୀବନ୍ତ ଦଉଡ଼ି ପରି ପଦାର୍ଥ ଦେହରେ ବାଜିଲା । ସେ ଭୟରେ ପଛକୁ ଘୁଞ୍ଚିଆସି ଶୁଣିଲା, ଗୋଟାଏ ଭୀଷଣ ଫଁ ଫଁ ଶବ୍ଦ ଶୁଭୁଛି । ଅନ୍ଧାରରେ ସେ କିଛି ଦେଖିପାରିଲା ନାହିଁ; ମାତ୍ର ଶବ୍ଦଟା କ୍ରମଶଃ ତା ପଛଆଡ଼କୁ ଚାଲିଗଲା । ସେତେବେଳେ ସେ ଯେ ଫେରିଯିବା କଥା ଭାବୁଥିଲା, ସେ ଚିନ୍ତାର ଗତି ରୁଦ୍ଧ ହୋଇଗଲା; ସୁତରାଂ ସେ ପୁଣି ଅଗ୍ରସର ହେବାକୁ ଲାଗିଲା ।

 

ବନ୍ଦୀକର୍ତ୍ତା ପୂର୍ବଦିନ ସନ୍ଧ୍ୟାରେ, ଯେ ସକାଳରେ ପଖାଳ ପୁଞ୍ଚିଏ ଖାଇଥିଲା, ତାପରେ ତା ପେଟରେ ଅନ୍ନଜଳ କିଛି ପଡ଼ି ନାହିଁ; ଗୋଟାଏ ରାତି ଏବଂ ଗୋଟାଏ ଦିନ ଯାଇ, ପୁଣି ରାତି ହେଲାଣି । ତା ପେଟ ଭୋକରେ ଜଳୁଛି; ଶୋଷରେ ପାଟି ପାଟୁ ପାଟୁ ହୋଇଯାଉଛି; ଚାଲିବାପାଇଁ ପାଦରେ ବଳ ନାହିଁ । ତାପରେ ପୁଣି ଫେରିଗଲେ ହୁଏତ ପ୍ରଥମେ ସାପ ହାବୁଡ଼ରେ ପଡ଼ିବାକୁ ହେବ ଓ ସେଥିରୁ ବର୍ତ୍ତିଲେ, ସରକାରୀ ଫୌଜ ହାତେ ପଡ଼ି ପ୍ରାଣ ହରାଇବାକୁ ପଡ଼ିବ । ଏଣେ ଅଗ୍ରସର ହୋଇଗଲେ ଭାଗ୍ୟରେ ଯେ କଣ ଅଛି, ତାହା ମଧ୍ୟ ସେ ଜାଣେନା ।

 

ସେହି ମୁହୂର୍ତ୍ତର ଅନିର୍ଦ୍ଦିଷ୍ଟତା ମଧ୍ୟରେ ବନମାଳୀକୁ କାନ୍ଧରୁ ଓହ୍ଲାଇ ବନ୍ଦୀକର୍ତ୍ତା ତଳେ ଶୁଆଇ ଦେଲା ଓ ହାତ ଦେଇ ଦେଖିଲା, ତା ଦେହରେ ଉଷ୍ଣତା ରହିଛି ଏବଂ ନାକରୁ ନିଃଶ୍ୱାସ ଯାଉଛି । ଦେଖି, ସେ ମନକୁ ମନ କହିଲା, ‘‘ପ୍ରାଣ ରହିଚି । କେବଳ ବାହାରକୁ ଯାଇପାରିଲେ ହେଲା ।’’ ସେତେବେଳେ ବନମାଳୀ କୁରୁତା ପକେଟରେ ତା ହାତ ବାଜିବାରୁ ସେ ହାତ ପୂରାଇ ତହିଁରୁ ଦୁଇଟି ଜିନିଷ ପାଇଲା- ମୁଠାଏ ଚୁଡ଼ା ଓ ଖଣ୍ଡିଏ କାଗଜ । କାଗଜରେ କିଛି ଲେଖା ଥାଇପାରେ ଭାବି ସେ ପଢ଼ିବାକୁ ସ୍ଥିର କଲା । ତା ନିଜ ପରିଧେୟ ସବୁ ତ ଓଦା ହୋଇଯାଇଛି; ବନମାଳୀ ପିନ୍ଧା ଲୁଗାରୁ ଖଣ୍ଡିଏ କନା ଛିଣ୍ଡାଇ ଝିକିମିକି ଠୁକାଇ ନିଆଁ ଧରାଇଲା । ସେହି କ୍ଷୀଣ ଆଲୋକରେ ସେ ପଢ଼ିଲା, ‘‘ମୋ ନାମ ବନମାଳୀ ରାଏ । ମୋ ଶବଟା ଅଜା ଶ୍ରୀନିବାସ ଚମ୍ପତିରାଏଙ୍କ ଘରକୁ ନେଇଯିବ, ଘର ତୁଳସୀପୁର ।’’ ପଢ଼ି ବନ୍ଦୀକର୍ତ୍ତା ମୁହୂର୍ତ୍ତକ ପାଇଁ ଘୋର ଚିନ୍ତାମଗ୍ନ ହୋଇ ରହିଲା । ତା’ପରେ ସେ କହିଲା, ‘‘ଶ୍ରୀନିବାସ ଚମ୍ପତିରାଏଙ୍କ ନାତି’’ । କହି, ମୁଣ୍ଡ ଟୁଙ୍ଗାରିଲା । ତାହା ଅବଶ୍ୟ ସେ ବିକଟ ନର୍କକୁଣ୍ଡରେ କେହି ଦେଖିଲେ ନାହିଁ ।

 

ଚୁଡ଼ା ପୁଞ୍ଜିଏ ପେଟରେ ପଡ଼ିବା ଫଳରେ ସେ ହାତ ପାଦରେ ଟିକିଏ ବଳ ଅନୁଭବ କଲା । ତହୁଁ ବନମାଳୀକୁ ସେ ପୁଣି କାନ୍ଧରେ ଧରି ଚାଲିବାକୁ ଲାଗିଲା । ସେ କିଛି ବାଟ ଗଲା ପରେ ଆଗରେ ଗୋଟିଏ କ୍ଷୀଣ ଆଲୋକ ରେଖା ଦେଖିଲା । ତାହା ତାକୁ ଦିବସ ଆଲୋକ ପରି ବୋଧ ହେଲା । ସୁତରାଂ ତା ମନରେ ଗୋଟାଏ ଦମ୍ଭ ଆସିଲା । ତହୁଁ ସେ ବେଗେ ବେଗେ ପାଦ ପକାଇ କିଛିଦୂର ଅଗ୍ରସର ହେଲା; କିନ୍ତୁ ତାକୁ ହଠାତ୍‌ ଗତିରୋଧ କରିବାକୁ ପଡ଼ିଲା । ତାକୁ ସମ୍ମୁଖରେ ଗୋଟାଏ ପର୍ବତ ଦେଖିଲା ପରି ବୋଧହେଲା । ସେ ଅଣ୍ଡାଳି ଦେଖିଲା ଯେ ଗୋଟାଏ ମାଟି ଗଦା ସୁଡ଼ଙ୍ଗ ଛାତକୁ କିଛି ବାଟ ଛାଡ଼ି ଜମା ହୋଇଅଛି । ସେ ଗଦା ଯେ କେତେ ଲମ୍ବ ସେ ଜାଣିପାରିଲା ନାହିଁ; କେବଳ ମାଟି ଗଦା ଉପର ଫାଙ୍କ ବାଟେ ଦୂରରୁ ଦିବସର କ୍ଷୀଣ ଆଲୋକ ଆସି ତା ପ୍ରାଣରେ ଆଶା ସଞ୍ଚାର କରୁଥିଲା ।

 

ବନମାଳୀକୁ ତଳେ ଥୋଇଦେଇ, ବନ୍ଦୀକର୍ତ୍ତା ଦୁଇ ହାତରେ ମାଟି ଖୋଳିବାକୁ ଲାଗିଲା-। ସେ ଯେ କେତେ ସମୟ ଖୋଳିଲା, ତାହା ସେ ବୁଝିପାରିଲା ନାହିଁ । କାରଣ ଖୋଳିସାରିଲା ପରେ ସେ ମନେକଲା ଯେ ତାର ଆୟୁ ଯେପରି ସେତିକିରେ ଶେଷ ହୋଇଯାଉଛି-। ସେ ଥକି କିଛି ସମୟ ବସି ରହିଲା ଓ ତାପରେ ପୁଣି ବନମାଳୀକୁ କାନ୍ଧରେ ଧରି ଚାଲିବାକୁ ଲାଗିଲା । ଦିବସ ଆଲୋକ କ୍ରମେ ଯେତିକି ନିକଟବର୍ତ୍ତୀ ହେଲା; ତା ପ୍ରାଣରେ ଉଦ୍ଧାର ଆଶା ସେତିକି ମୁଣ୍ଡ ଟେକି ଉଠିଲା । ସେ ମନେ ମନେ ଭାବିଲା, ‘‘ଏଥର ବୋଧହୁଏ ସବୁ ବାଧାବିଘ୍ନ ଅତିକ୍ରମ କରିଆସିଲି; ବାକି ଏଇ ଖଣ୍ଡକ ପାର ହୋଇଗଲେ ରକ୍ଷା ପାଇଯିବି ।’’

 

ସେହି କଥା ଭାବିସାରି, ସେ ପାଦ ପକାଇଲା ବେଳକୁ, ପାଦ ଗୋଟାଏ କାଦୁଅ ଗାଡ଼ରେ ପଡ଼ିଗଲା । ତା ଦୁଇପାଦ ଭିତରକୁ ଏତେ ଗଳିଗଲା ଯେ ସେ ସିଧା ଠିଆ ହେବାକୁ ଅକ୍ଷମ ହେଲା । କାଦୁଅ କ୍ରମେ ଅଣ୍ଟା ପର୍ଯ୍ୟନ୍ତ ଆସିଗଲା, ଦେଖି ତା ମନରେ ଭୟ ହେଲା । ତଥାପି ସେ ଅଗ୍ରସର ହେବାକୁ ଲାଗିଲା । କାଦୁଅ ମଧ୍ୟ ପ୍ରଥମେ ଛାତି ଓ ତାପରେ ବେକ ପର୍ଯ୍ୟନ୍ତ ଉଠିଲା । ସେ ବନମାଳୀକୁ କାନ୍ଧରୁ ଟେକି ମୁଣ୍ଡରେ ଥୋଇଲା । ସେ ଏକା ହୋଇଥିଲେ, ହୁଏତ କାଦୁଅ ଉପରେ କୌଣସି ପ୍ରକାରେ ଠେଲି ପେଲି ହୋଇ ରହିଯାଆନ୍ତା; କିନ୍ତୁ ତା ଦୁଇ ପାଦ ଉପରେ ତାକୁ ଦୁଇ ଜଣ ମନୁଷ୍ୟର ଭାର ବୋହିବାକୁ ପଡ଼ୁଥିଲା; ଅଥଚ ପାଦତଳେ କୌଣସି କଠିନ ସ୍ଥାନର ଆଶ୍ରୟ ମିଳିଲା ନାହିଁ । କ୍ରମେ ଯେତେବେଳେ ତା ପାଟି ପର୍ଯ୍ୟନ୍ତ କାଦୁଅ ପହଞ୍ଚିଲା, ସେ ନିଶ୍ୱାସ ନେବାପାଇଁ ମୁଣ୍ଡ ପଛକୁ ବଙ୍କା କରି, ନାକ ଉପରକୁ ଟେକିରଖିଲା ଓ କହିଲା, ‘‘ମୁଁ ପାପିଷ୍ଠ ନିଜେ ମରିଥାନ୍ତି, ୟାକୁ ଆଣିଲି କାହିଁକି ? ଏ ମଲେ ପାପ ତ ମୋତେ ମୁଣ୍ଡେଇବାକୁ ହବ କହି ସେ ପାଦ ଟିକିଏ ବଢ଼ାଇଲା ବେଳକୁ ତଳେ ଗୋଟାଏ ପଥର ଉପରେ ବାଜିଲା । ତହୁଁ ବନ୍ଦୀକର୍ତ୍ତା ଠିଆ ହୋଇ ନିଶ୍ୱାସ ମାରିଲା । ସେତେବେଳେ ଗୋଟିଏ ସୂର୍ଯ୍ୟ ରଶ୍ମି ମଧ୍ୟ କିଛି ଦୂରରେ ତା ଦୃଷ୍ଟିପଥରେ ପଡ଼ିଲା ।

 

କିନ୍ତୁ ସେ ଅଗ୍ରସର ହୋଇ ଦେଖିଲା ଯେ ସୁଡ଼ଙ୍ଗ ଆଉ ଗୋଟାଏ କୂଅରେ ଆସି ସରିଛି-। ସେ କୂଅରେ ପାଣି ନ ଥିଲା । ସେ ଉପରକୁ ଚାହିଁ ଦେଖିଲା କୂଅର ମୁହଁଟା ବନ୍ଦ । ବନମାଳୀକୁ ତଳେ ଶୁଆଇ ଦେଇ କୂଅର ମୁହଁ ଖୋଲିବାପାଇଁ ସେ ଉପରକୁ ଉଠିଲା । କୂଅ ଉପରେ ଗୋଟାଏ କାଠପଟା ଜାଲ ଘୋଡ଼ଣୀ ରହିଥିଲା । ଘୋଡ଼ଣୀଟା ଫିଟାଇ ଚାଲିଯିବା ସହଜ ହେବ ବୋଲି ସେ ସ୍ଥିର କଲା ସମୟରେ ଦେଖିଲା, ସେଥିରେ ଉପରୁ ତାଲା ପଡ଼ିଛି ଏବଂ କୂଅ ଉପରେ ଖଣ୍ଡେ ଦୂରରେ ଜଣେ ଲୋକ ଠିଆ ହୋଇଛି । ତାର ହୃତ୍‌କମ୍ପ ହେଲା । ସେ ମନକୁ ମନ କହିଲା, ‘‘ଏଁ, ଏ ତ ଦୀନା ସାହୁ ।’’ କିନ୍ତୁ ଦୀନା ସାହୁ ତାକୁ ଦେଖି ଚିହ୍ନିପାରିଲା ନାହିଁ । ତା ମୁହଁଟା ରକ୍ତରେ ନାଲି ପଡ଼ିଥିଲା ଓ ସମଗ୍ର ଦେହରେ କାଦୁଅ ବୋଳାହୋଇଥିଲା । ସେ ଅବସ୍ଥାରେ ସେ ନିଜେ ଚିହ୍ନି ପାରିଥାନ୍ତା କି ନା ସନ୍ଦେହ ।

Image

 

୫୭

କର୍ତ୍ତବ୍ୟ ଓ କୃତଜ୍ଞତା

 

ବନମାଳୀର ବନ୍ଦୀକର୍ତ୍ତା ଯେତେବେଳେ କୂଅ ମୁହଁକୁ ଆସି ଦେଖିଲା, ତା କବାଟରେ ଗୋଟାଏ ପ୍ରକାଣ୍ଡ ତାଲା ପଡ଼ିଛି ଏବଂ ସମ୍ମୁଖରେ ଦୀନା ସାହୁ ବିକଟ ମୂର୍ତ୍ତିରେ ଠିଆ ହୋଇଛି, ତାକୁ କ୍ଷଣକପାଇଁ ସବୁ ଅନ୍ଧାର ଦିଶିଗଲା । ସେ ଯେଉଁ ବାଟେ ଆସିଥିଲା, ସେ ବାଟର ବିକଟ ଚିତ୍ର ତା ଆଗରେ ଆସି ଚିତ୍ରିତ ହେବାକୁ ଲାଗିଲା । ସେ ମନକୁ ମନ କହିଲା, ‘‘ନା, ଫେରିଯିବା ଅସମ୍ଭବ-।’’ ସେତେବେଳେ ଦୀନା ସାହୁର ଦୃଷ୍ଟି ତା ଉପରେ ପଡ଼ିଲା । ଦୀନା ସାହୁ ତାକୁ ଚିହ୍ନି ନ ପାରି କହିଲା, କି ରେ ଭାଇ, ତୁ ନିଶ୍ଚୟ ଗୋଟେ କିଛି ଶିକାର ପାଇଚୁ ।’’ କୂଅ ମୁହଁରେ ତଳକୁ ଚାହିଁ ତଳେ ଗୋଟାଏ ରକ୍ତାକ୍ତ ମନୁଷ୍ୟ ଦେହ ପଡ଼ିଥିବାର ଦେଖିଲା । ତହୁଁ ସେ ଧୀରେ ଧୀରେ କହିଲା, ‘‘ଭାଇ ତୋର ଅଧେ, ମୋର ଅଧେ ।’’

 

ବନ୍ଦୀକର୍ତ୍ତା ମନେ କଲା ଯେ ସେ ଗୋଟାଏ ସ୍ୱପ୍ନ ଦେଖୁଛି । ସେ ଅନେକ ସମୟ ଅବାକ୍‌ ହୋଇ ରହିଲା । ତା ପରେ ଦୀନା ସାହୁ ପୁଣି ପଚାରିଲା, ‘‘ତୁ କିମିତି ଆସିବୁ ? ମୋତେ ଅଧା ଦେବୁ ବୋଲି ଆଗ ହଁ କର । ତୁ ତାକୁ ତ ମାରିଚୁ । ଭଲ କଥା । ମୁଁ ତୋତେ ଚିହ୍ନି ନାହିଁ; ତେବେ ତୁ ଆମରି ଦଳର ଗୋଟାଏ ହବୁ ନିଶ୍ଚୟ । ମୁଁ ତୋତେ ସାହାଯ୍ୟ ନ କରିବାଟା ଭଲ ହେବ ନାହିଁ । ମୋ ପାଖେ ଚାବି ଅଛି । ତୁ ତ ବିନା ଲାଭରେ ଶିକାର କରି ନାହୁଁ । ମତେ ଅଧେ ଦେଲେ, ଫିଟେଇଦେବି ।’’

 

ବନ୍ଦୀକର୍ତ୍ତା ସେତେବେଳେ ଯାଇ କଥାଟା ବୁଝିଲା । ସେ ବୁଝିଲା ଯେ ଦୀନା ସାହୁ ପରି ବିକଟ ରୂପରେ ଦୟାମୟ ଭଗବାନ୍‌ ତାକୁ ସାହାଯ୍ୟ କରିବାକୁ ଉପସ୍ଥିତ ହୋଇଛନ୍ତି । ସେ ସେହି କଥା ଭାବୁ ଭାବୁ ଦୀନା ସାହୁ ପୁଣି ପଚାରିଲା, ‘‘କଣ ଅଧେ ଦେବୁ ତ ? ବନ୍ଦୀକର୍ତ୍ତାର ଅନିଚ୍ଛା ସତ୍ତ୍ୱେ ତା ତୁଣ୍ଡରୁ ବାହାରିପଡ଼ିଲା, ‘‘ହଁ ।’’ ଦୀନା ସାହୁ ତାଲାଟା ଫିଟେଇଦେଲା । ବନ୍ଦୀକର୍ତ୍ତା ଓହ୍ଲେଇ ଯାଇ ବନମାଳୀକୁ କାନ୍ଧରେ ଧରି କ୍ଷଣକ ମଧ୍ୟରେ କୂଅ ଉପରେ ଆସି ଠିଆ ହେଲା । ଦୀନା ସାହୁ ତା କୁରୁତା ପକେଟ ଖୋଜି ତିନିଗୋଟି ମୋହର, ପନ୍ଦରଟି ଟଙ୍କା ଏବଂ କେତେଗୁଡ଼ିଏ ରେଜିକି ପାଇ କହିଲା, ‘‘ମନ୍ଦ କଣ ? ବେଶ୍‌ ତ ପାଇଚୁ । ତେବେ, ଆହୁରି ବଡ଼ ମୁଣ୍ଡିଆ ଜଣେ କାହିଁକି ଧଇଲୁ ନାହିଁ ? ମୋତେ ଅଳ୍ପକିଆ କଥା ସୁଖ ଲାଗେ ନାହିଁ । ତୋ ନଜରଟା ଭାରି ଛୋଟିଆ ଦେଖୁଚି ।’’ ତଥାପି ସେ ବନ୍ଦୀକର୍ତ୍ତା ଓ ବନମାଳୀର ଲୁଗାପଟା ତନ୍ନତନ୍ନ କରି ଖୋଜିବାକୁ ଲାଗିଲା, କିନ୍ତୁ କିଛି ପାଇଲା ନାହିଁ । ବନ୍ଦୀକର୍ତ୍ତାର ଅଗୋଚରରେ ବନମାଳୀ କୁରୁତାରୁ ସେ ଖଣ୍ଡିଏ କନା ଧୀରେ ଧୀରେ କତୁରିରେ କାଟି ନେଇଗଲା । ସେତେବେଳେ ସେ ମନେ ମନେ ଭାବିଲା, ‘‘ହୁଏତ ୟାରି ସାହାଯ୍ୟରେ ଦିନେ ଘାତକ ଆଉ ହତ ଦିହିଁଙ୍କ ପରିଚୟ ପାଇପାରିବି ।’’ ତାପରେ ସେ ବନ୍ଦୀକର୍ତ୍ତା ହାତକୁ ଗୋଟାଏ ଦଉଡ଼ି ଆଣି ବଢ଼ାଇଦେଲା ।

 

ବନ୍ଦୀକର୍ତ୍ତା ପଚାରିଲା, ‘‘ମୁଁ ୟାକୁ ନେଇ କଣ କରିବି ?’’

‘‘ନା, ଗୋଟାଏ ପଥର ମଧ୍ୟ ତୋର ଦରକାର ହବ ।’’

‘‘ପଥର କଣ ହବ ?’’

 

‘‘ବଳଦ, ତୁ କଣ ନୂଆ କି ? ଖାଲି କିମିତି ପାଣିରେ ବୁଡ଼ିବ ? ପଥରଟା ଦଉଡ଼ିରେ ବେକରେ ବାନ୍ଧି ପକେଇଦେବୁ ।’’ କହି, ଦୀନା ସାହୁ ତାକୁ ବିଦାୟ ଦେଲା । ବନ୍ଦିକର୍ତ୍ତାର ଶିକାର ଲବ୍‌ଧ ଧନ ସେ ଯେ ଅଧା ଅଧା ବାଣ୍ଟିବାକୁ କହିଥିଲା, ବିଦାୟ ଦେଲାବେଳେ ତାର ସେ କଥା ମନେପଡ଼ିଲା ନାହିଁ । ତାକୁ ବିଦାୟ ଦେଇ ଦୀନା ସାହୁ କୂଅ ମୁହଁ କବାଟରେ ପୁଣି ତାଲା ପକାଇଲା-। କବାଟ ଉଠିବା ଓ ପଡ଼ିବାବେଳେ କଟ୍‌କଟ୍‌ ଶବ୍ଦ କିଛି ଶୁଣାଗଲା ନାହିଁ, କବ୍‌ଜାରେ କଳଙ୍କି ଲାଗି ନ ଥିଲା । ସେଥିରୁ ବୁଝାଯାଉଥିଲା ଯେ କବାଟଟା ବେଳେ ବେଳେ ପଡ଼ୁଛି ଓ ଫିଟୁଛି-। କୂଅଟା ଗୋଟାଏ ବହୁଦିନର ପରିତ୍ୟକ୍ତ ପ୍ରକାଣ୍ଡ ପୁରୁଣା ବେମରାମତ ଦରଭଙ୍ଗା ଘରର ଅଗଣାରେ ଅବସ୍ଥିତ ଥିଲା । ଯେଉଁ ବ୍ୟକ୍ତି ପ୍ରଥମ କୂଅରେ ପଶିଲାବେଳେ ବନମାଳୀର ବନ୍ଦୀକର୍ତ୍ତା ରୂପେ ପଶିଥିଲା, ଦ୍ୱିତୀୟ କୂଅରୁ ସେ ତାର ରକ୍ଷାକର୍ତ୍ତା ହୋଇ ବାହାରିଲା ।

 

ବନମାଳୀକୁ କାନ୍ଧରେ ଧରି ସେହି ଭଙ୍ଗା ଘର ମଧ୍ୟରୁ ବାହାରକୁ ବାହାରିଲା ମାତ୍ରେ, ବାହକ ସମ୍ମୁଖରେ ଖଣ୍ଡେ ଦୂରରେ ଜଣେ ଦୀର୍ଘାକୃତି ବ୍ୟକ୍ତି ଆସିବାର ଦେଖିଲା । ଦେଖି ସେ ଚମକି ପଡ଼ିଲା । ଆଗନ୍ତୁକ ଅନ୍ଧାରରେ ଧାଇଁଆସି, ବାହକର ଦୁଇ ବାହୁକୁ ଧରି, ମୁହଁକୁ ମୁହଁ ଲଗାଇ, ଚାହିଁ ଦେଖିଲେ, କିନ୍ତୁ ଚିହ୍ନିପାରିଲେ ନାହିଁ । କିନ୍ତୁ ବାହକ ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ରଙ୍କୁ ଚିହ୍ନିଲା । ସେ ଯେ ମହର୍ଗରୁ ଆସି କାନ୍ତାରରେ ପଡ଼ିଲା, ବୁଝିବାକୁ ଆଉ ବାକି ରହିଲା ନାହିଁ । ଜନାର୍ଦ୍ଦନ ଦୀନା ସାହୁ ପଛରେ ଗୋଡ଼ାଇ ସେ ପର୍ଯ୍ୟନ୍ତ ଆସିଥିଲେ । ଠିକ୍‌ ସେହିଠାରେ ଦୀନା ସାହୁ ତାଙ୍କ ଦୃଷ୍ଟିପଥରୁ ଅତୀତ ହୋଇଯିବାରୁ ସେ ବହୁ ସମୟ ଧରି ତାକୁ ଖୋଜି ବୁଲୁଥିଲେ ଏବଂ ବାହକକୁ ଦେଖି ପଚାରିଲେ, ‘‘ତୁମେ କିଏ ?’’

 

‘‘ପାଣୁ ନାଏକ ପରା । ଆପଣ ମୋତେ ଚିହ୍ନିସାରି ପୁଣି ଯେ ପଚାରୁଛନ୍ତି ।’’ ପ୍ରକୃତରେ ପାଣୁ ନାଏକର ଚେହେରା ଏକାବେଳକେ ବଦଳି ଯାଇଥିବାରୁ ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ରଙ୍କ ପରି ବିଚକ୍ଷଣ ପୋଲିସ୍‌ କର୍ମଚାରୀ ମଧ୍ୟ ତାକୁ ଚିହ୍ନିପାରି ନ ଥିଲେ; କିନ୍ତୁ ସେ ତାହା ବୁଝିପାରିଲା ନାହିଁ । ତହୁଁ ସେ ନାମ ଲୁଚାଇବାକୁ ବୃଥା ଚେଷ୍ଟା ନ କରି କହିଦେଲା ଓ ତା ପରେ ନିବେଦନ କଲା, ‘‘ସର୍ଦ୍ଦାର ଆପଣେ, ଆପଣ ମୋତେ ବର୍ତ୍ତମାନ ଧରିଛନ୍ତି । ମୁଁ ଆପଣଙ୍କ ହାତେ ଧରା ହୋଇଛି ବୋଲି ଆଗରୁ ଜାଣିଚି; ତେଣୁ ମୁଁ ଆପଣଙ୍କୁ ମୋ ଠିକଣା ଦେଇଦେଇଚି । ମୋତେ ଧରିନିଅନ୍ତୁ, ତେବେ, ଗୋଟାଏ ପ୍ରାର୍ଥନା ଶୁଣନ୍ତୁ ।’’

 

ଜନାର୍ଦ୍ଦନ ପାଣୁ ନାଏକ କଥା ନ ଶୁଣି ନିଜେ ଗଭୀର ଚିନ୍ତାରେ ନିମଗ୍ନ ଥିଲେ । ସେ ଚିନ୍ତାରୁ ବିରତ ହୋଇ ପଚାରିଲେ, ‘‘ତୁମେ ଏଠେଇ କଣ କରୁଚ ? ଏ ଲୋକଟି କିଏ ?’’ ପାଣୁ ନାଏକ ଉତ୍ତର ଦେଲା ଏବଂ ସର୍ଦ୍ଦାର ଶୁଣି ଗୋଟାଏ ପ୍ରବଳ ସ୍ୱପ୍ନରୁ ଉଠିଲା ପରି ବୋଧ କଲେ । ‘‘ମୁଁ ୟାରି କଥା ଆପଣଙ୍କୁ କହିବାକୁ ଯାଉଥିଲି । ଆପଣ ମୋତେ ଯାହା କରିବେ କରନ୍ତୁ । କେବଳ ୟାକୁ ତା ଘରେ ନେଇ ପହଞ୍ଚେଇ ଦବାରେ ଟିକିଏ ସାହାଯ୍ୟ କରନ୍ତୁ ।’’ ଶୁଣି ସର୍ଦ୍ଦାର ବନମାଳୀ ମୁହଁ ନିଜ ରୋମାଲରେ ପୋଛି ଦେଇ କହିଲେ, ‘‘ଏତ ସେ ଗୋଳମାଳ ଭିତରେ ଥିଲା । ୟାକୁ ସମସ୍ତେ ବନମାଳୀ ବାବୁ ବୋଲି ଡାକୁଥିଲେ ।

 

‘‘ହଁ, ୟା ଉପରେ ଖୁବ୍‌ ଜୋର ମାଡ଼ ବସିଚି ।’’

‘‘ଏ ତ ମରିଗଲାଣି ନା କଣ !’’

 

‘‘ଏ ପର୍ଯ୍ୟନ୍ତ ମରିନାହିଁ । ୟା ଘର ତୁଳସୀପୁରରେ । ୟା ଅଜା ସେଠେଇ ଥାଆନ୍ତି ।’’ କହି, ପାଣୁ ନାଏକ ବନମାଳୀ ପକେଟରୁ ତାର ସେ କାଗଜ ଖଣ୍ଡି କାଢ଼ି ସର୍ଦ୍ଦାରଙ୍କ ହାତକୁ ବଢ଼ାଇଦେଲା । ଅନ୍ଧାରରେ ବିରାଡ଼ି ଦେଖିପାରିଲା ପରି, ଲେଖା ପଢ଼ିବା ଶକ୍ତି ପୋଲିସ୍‌ କର୍ମଚାରୀମାନଙ୍କର ଥାଏ । ସର୍ଦ୍ଦାର ଲେଖାଟି ପଢ଼ି ଡ଼ାକିଲେ, ‘‘ଗାଡ଼ିବାଲା ।’’

 

ସର୍ଦ୍ଦାର ସଙ୍ଗରେ ଗୋଟିଏ ଭଡ଼ା ଘୋଡ଼ା ବଗି ନେଇ ଆସିଥିଲେ । ତହିଁରେ ସେ ବନମାଳୀକୁ ଟେକି ଥୁଆଇଲେ, ପାଣୁ ନାଏକକୁ ସଙ୍ଗରେ ଧରି ବସିଲେ ଓ କହିଲେ, ‘‘ତୁଳସୀପୁର ଚଲାଅ ।’’ ଗାଡ଼ିବାଲା ଘୋଡ଼ା ପିଠିରେ ଛାଟ ପିଟିଲା । ଗାଡ଼ି ଘର ଘର ହୋଇ ଚାଲିଲା ।

 

ଶ୍ରୀନିବାସ ଚମ୍ପତିରାଏଙ୍କ ଦ୍ୱାରରେ ବଗି ବନ୍ଦ କରି ସର୍ଦ୍ଦାର କହିଲେ, ‘‘ଏଇଟା ପରା ଚମ୍ପତିରାଏଙ୍କ ଘର ।’’ ଜଗୁଆଳ ଉତ୍ତର ଦେଇ ପଚାରିଲା, ‘‘ହଁ, କଣ ଦରକାର ?’’

 

‘‘ଆମେ ତାଙ୍କ ପୁଅକୁ ଆଣିଚୁ ।’’ ଜଗୁଆଳ ବିସ୍ମିତ ହୋଇ କହିଲା, ‘‘ତାଙ୍କ ପୁଅ । ସେ ପୁଣି କିଏ ? ମୁଁ ତ ନୂଆ ଶୁଣୁଚି ଆଜି ।’’

 

‘‘ହଁ, ତାଙ୍କ ପୁଅ; ହେଲେ, ମରିଯାଇଚି । ସେ ମେଳିରେ ମିଶି ଯୁଦ୍ଧ କରୁଥିଲା । ତା ବାପାକୁ ଡାକ ନା ।’’ ଜଗୁଆଳ ଚାକରକୁ ଡାକି ଉଠାଇଲା । ଚାକର ଚାକରାଣୀକୁ ଡାକିଲା । ଚାକିରିଆଣୀ ପାର୍ବତୀଙ୍କି ଖବର ଦେଲା; କିନ୍ତୁ କେହି ଶ୍ରୀନିବାସଙ୍କୁ ଉଠାଇଲେ ନାହିଁ, କେବଳ ବନମାଳୀକୁ ନେଇ ଘରେ ରଖି ଚିକିତ୍ସକଙ୍କୁ ଡକାଇ ପଠାଇଲେ ।

 

ପାଣୁ ନାଏକ ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ରଙ୍କ ସଙ୍ଗେ ପୁଣି ବଗିରେ ବସିବାକୁ ଗଲା । ସେତେବେଳେ ସେ କହିଲା, ‘‘ସର୍ଦ୍ଦାର ମହାରାଜ ! ମୋତେ ଆଉ ଗୋଟାଏ ଅନୁଗ୍ରହ କରିବେ । ମୁଁ ଦଣ୍ଡକ ସକାଶେ ଟିକିଏ ଘରକୁ ଯିବି । ତାପରେ ଆପଣ ମୋତେ ନେଇ ଯାହା ଇଚ୍ଛା କରିବେ ।’’ ସର୍ଦ୍ଦାର ଶୁଣି ମନେ ମନେ କଣ ଭାବିଲେ ଓ ତା ପରେ ଗାଡ଼ିବାଲାକୁ କହିଲେ, ‘‘ତେଲେଙ୍ଗାବଜାର ଚଲାଅ ।’’ ବାଟରେ ଗାଡ଼ି ଚାଲିଲାବେଳେ ଉଭୟଙ୍କ ମଧ୍ୟରେ ପଦେ ସୁଦ୍ଧା କଥାବାର୍ତ୍ତା ହେଲା ନାହିଁ-। ସର୍ଦ୍ଦାର ଗୋଟିଏ ଗଭୀର ଚିନ୍ତାରେ ନିମଗ୍ନ ଥିଲେ । ପାଣୁ ନାଏକ ମଧ୍ୟ ନିଜ ଅବସ୍ଥା ଅନୁସାରେ ଆଉ ଗୋଟିଏ ଗାଢ଼ ଧ୍ୟାନରେ ବୁଡ଼ି ରହିଥିଲେ । ସେ ରମାକୁ ଦେଖି, ବନମାଳୀ କେଉଁଠାରେ ଏବଂ କିପରି ଅଛି ସେ ଖବର ଦେଇ, ବିଦାୟ ନେଇ ଚାଲିଯିବା ନିମନ୍ତେ ସର୍ଦ୍ଦାରଙ୍କ ପ୍ରାର୍ଥନା କରି କିଛି ସମୟ ଛୁଟି ମାଗିଥିଲା ।

 

ପାଣୁ ନାଏକ ସହିତ ସର୍ଦ୍ଦାର ଯେତେବେଳେ ବଗିରୁ ଓହ୍ଲାଇଲେ, ଗାଡ଼ିବାଲାକୁ ପଚାରିଲେ, ‘‘ତୋ ଭଡ଼ା କେତେ ହେଲା ?’’ ଗାଡ଼ିବାଲା ଉତ୍ତର ଦେଲା ‘‘ହଜୁର, ଭଡ଼ା ସାତ ଘଣ୍ଟାକୁ ପାଞ୍ଚଟଙ୍କା ଚାରଣା । ଆଉ ଦେଖନ୍ତୁ, ମଖମଲ୍‌ ଗଦିଟା ରକ୍ତରେ କିମିତି ବୁଡ଼ିଯାଇଛି । ମୋତେ ତା ଦାମ୍‌ଟା ଏ ଘାତୁକଠୋଉ ଦିଆଇ ଦିଅନ୍ତୁ ।’’ ସର୍ଦ୍ଦାର ପଚିଶ ଟଙ୍କା ଚାରି ଅଣା ନିଜ ଥାଳିରୁ ଗାଡ଼ିବାଲାକୁ ଦେଇ ବିଦାୟ କରିଦେଲେ ଏବଂ ପାଣୁ ନାଏକ ସହିତ ତା ଘର ଦ୍ୱାରରେ ଉପସ୍ଥିତ ହେଲେ । ପାଣୁ ନାଏକ ଡାକିବାରୁ ଦ୍ୱାର ଫିଟିଲା । ସର୍ଦ୍ଦାର କହିଲେ, ମୁଁ ଠିଆ ହୋଇଛି । ତୁମେ ଭିତରକୁ ଯାଅ ।’’ ସର୍ଦ୍ଦାରଙ୍କର ଏ ପ୍ରକାର ଅନୁଗ୍ରହ ପାଣୁ ନାଏକକୁ ନୂଆ ବୋଧ ହେଲା । ସେ ଘର ଭିତରକୁ ଯାଇ କିଛି ସମୟ ପରେ ଫେରିମସି ଦେଖିଲା, ସର୍ଦ୍ଦାର ଆଉ ନାହାନ୍ତି ।

 

ସର୍ଦ୍ଦାର ପାଣୁ ନାଏକ ଘରୁ ଯେ ଚିନ୍ତାମଗ୍ନ ହୋଇ ମୁଣ୍ଡ ନୁଆଇ ଫେରିଲେ, ସେ ମୁଣ୍ଡ ସେ ଆଉ ଟେକି ପାରିଲେ ନାହିଁ । ପାଣୁ ନାଏକ ପରି ଜଣେ ଅପରାଧୀ ତାଙ୍କୁ ପ୍ରାଣ ଦାନ କରିଥିଲା । ତାର ପ୍ରତ୍ୟୁପକାର ସ୍ୱରୂପ ସେ ଆଜି ଅପରାଧୀକୁ ଦେଖି ହାତରେ ପାଇ, ବନ୍ଦୀ ନ କରି, ସ୍ୱାଧୀନତା ଦେଇଛନ୍ତି । ଏକ ଦିଗରେ କୃତଜ୍ଞତା ଓ ଅପର ଦିଗରେ କର୍ତ୍ତବ୍ୟର ତ୍ରୁଟି । ସେ ତୂଳି ଦେଖିଲେ, କର୍ତ୍ତବ୍ୟର ତ୍ରୁଟି ତାଙ୍କୁ ବିଶେଷ ଗୁରୁତର ବୋଧ ହେଲା । ତେଣୁ ସେ ନଇଁପଡ଼ିଲେ, ଜୀବନଟାକୁ ତୁଚ୍ଛ ବିଷୟ ମନେ କଲେ । ସେ ଫାଣ୍ଡିକୁ କିମ୍ୱା ନିଜ ଘରକୁ ନ ଫେରି, କାଠଯୋଡ଼ି ପଥରବନ୍ଧ ଉପରେ ଯାଇ ନିଜର ପ୍ରେତମୂର୍ତ୍ତି ପରି ଠିଆ ହୋଇ ଦେଖିଲେ, ବିଶାଳ ତଟନୀ ବକ୍ଷରେ ପ୍ରଖର ସ୍ରୋତ ବହୁଅଛି । ଦେଖି ସେ କହିଲେ, ‘‘ମା ଗଙ୍ଗା ! ଏ ଅଧମ ସନ୍ତାନକୁ କୋଳରେ ଗ୍ରହଣ କର ।’’ ନଦୀ ବକ୍ଷ କ୍ଷଣକ ନିମନ୍ତେ ଦୁଇଭାଗ ହୋଇ, ଗୋଟାଏ ଲହରି ଉଠାଇ, ଅବିଳମ୍ବେ ପୁଣି ସମାନ ହୋଇଗଲା । କୂଳର ମନୁଷ୍ୟ ମୂର୍ତ୍ତିଟି ଆଉ ଦେଖାଗଲା ନାହିଁ ।

Image

 

୫୮

ମିଳନ

 

ଜଗୁଆଳ ଚାକର ଚାକରାଣୀ ବନମାଳୀକୁ ନେଇ ଘର ଭିତରେ ରଖିଲେ । ପାର୍ବତୀ ଯେତେବେଳେ ତା ଅବସ୍ଥା ଆସି ସ୍ୱଚକ୍ଷୁରେ ଦେଖିଲେ, ନାକ ଟେକି କହିଲେ, ‘‘ଏ କଣ ? ଏ ତ ଘର ଦୁଆର ସବୁ ରକ୍ତରେ ବୁଡ଼ିଯିବ ।’’ ଚିକିତ୍ସକ ଆସି ବନମାଳୀର ନାଡ଼ି ଦେଖିଲେ ଏବଂ ଅନ୍ୟାନ୍ୟ ଲକ୍ଷଣ ପରୀକ୍ଷା କଲେ । ଜଣାଗଲା, ବନମାଳୀ ମରି ନାହିଁ, କେବଳ ମୂର୍ଚ୍ଛିତ ହୋଇ ରହିଛି । ତା ମୁଣ୍ଡର କ୍ଷତଗୁଡ଼ାକ ମୂର୍ଚ୍ଛାର କାରଣ ବୋଲି ସ୍ଥିର କରାଗଲା । ତା ଛଡ଼ା, ତା ଦେହରେ ନାନା ସ୍ଥାନରେ ଗୁଳିରେ ସାମାନ୍ୟ ସାମାନ୍ୟ ଆଘାତ ମଧ୍ୟ ହୋଇଥିଲା; କିନ୍ତୁ ସବୁଠାରୁ ବଡ଼ ଆଘାତ ବାଜିଥିଲା ହାତରେ ଏବଂ ସେଥିରେ ଗୋଟାଏ ହାଡ଼ ମଧ୍ୟ ଭାଙ୍ଗି ଯାଇଥିଲା । ଅନେକ ରକ୍ତ ବହିଯିବାରୁ ବନମାଳୀ ନିତାନ୍ତ ଦୁର୍ବଳ ହୋଇଯାଇଥିଲା । ତା ପରେ ପୁଣି ଆଘାତ ପାଇବା ସମୟ ପରେ ଦୁଇ ଦିନରୁ ଅଧିକ କାଳ ବିନା ଚିକିତ୍ସାରେ ରହି ଅତି କଦର୍ଯ୍ୟ ଅସ୍ୱାସ୍ଥ୍ୟକର ରାସ୍ତାରେ କାନ୍ଧରେ ବୁହାହୋଇ ଆସିଥିବା ଯୋଗେ ତା ଅବସ୍ଥା ଆହୁରି ଗୁରୁତର ହୋଇ ପଡ଼ିଥିଲା ।

 

ଚିକିତ୍ସକ ବନମାଳୀର ମୁହଁ ଧୋଇ ପରିଷ୍କାର କରିବା ସମୟରେ ଦ୍ୱାର ଫିଟିଲା ଏବଂ ଗୋଟିଏ ଦୀର୍ଘ ମିଳନ ମୂର୍ତ୍ତି ଦେଖାଗଲା । ଶ୍ରୀନିବାସ ଚମ୍ପତିରାଏ ଗୋଟିଏ ଛାୟା ପରି ଘର ଭିତରେ ପାଦ ପକାଇଲେ । ବିପଦ ସମ୍ବାଦ ପାଇ ସେ ନିତାନ୍ତ ଚିନ୍ତିତ ଓ ଉଦ୍‌ବିଗ୍ନ ହୋଇ ରହିଥିଲେ । ଗତ ରାତିରେ ତାଙ୍କୁ ନିଦ ହୋଇ ନ ଥିଲା, ସକାଳୁ ସାମାନ୍ୟ ଜ୍ୱର ମଧ୍ୟ ଆକ୍ରମଣ କରିଥିଲା । ରକ୍ତାକ୍ତ ବନମାଳୀକୁ ଦେଖି ସେ ଥରିବାକୁ ଲାଗିଲେ । ତଥାପି ସେ କିଛି ସମୟ ପରେ ଡାକିଲେ, ‘‘ବନମାଳୀ !’’ ବନମାଳୀ ନ ଶୁଣିବାରୁ କହିଲେ, ‘‘ଆଉ କଣ ବନମାଳୀ ଅଛି ? ମୋରି ଯୋଗେ ଯାଇ ସେ ଗୋଳମାଳ ମାରପିଟ୍‌ରେ ପଶି ପ୍ରାଣ ହରେଇଚି । ପାପ ମୋର । ମୋର ଏ ପ୍ରାଣରେ ଆଉ କି କାର୍ଯ୍ୟ ଅଛି ? ମୁଁ ମଧ୍ୟ ମରିବି ।’’ କହି, ମୁମୂର୍ଷୁ ବୃଦ୍ଧ ଶବ ପାଖରେ ଲଥ୍‌କିନି ବସିପଡ଼ି କାନ୍ଦିବାକୁ ଲାଗିଲେ ।

 

ବନମାଳୀ ଆଖି ଫିଟାଇ ଶ୍ରୀନିବାସଙ୍କ ମୁହଁକୁ ଚାହିଁଲା । ଦେଖି, ଶ୍ରୀନିବାସ ବିକଳ ସ୍ୱରରେ କହିଲେ, ‘‘ବନମାଳୀ, ବନମାଳୀ ! ତୁ ବଞ୍ଚିଚୁ ? ତୁ ମୋ ଆଡ଼କୁ ଚାହୁଁଚୁ ? ବିଧାତା ମୋ କପାଳେ ଏ ଦୁଃଖ ଲେଖିଥିଲା ?’’ କହି, ସେ ମୂର୍ଚ୍ଛିତ ହୋଇ ପଡ଼ିଗଲେ । ବନମାଳୀ ଅନେକ ଦିନ ରୋଗଶଯ୍ୟାରେ ଶୋଇ ରହିଲା । ଅନେକ ସମୟରେ ସେ ପ୍ରଳାପରେ ରମା ନାମ ଉଚ୍ଚାରଣ କରିବାକୁ ଲାଗିଲା । ଶ୍ରୀନିବାସ ମଧ୍ୟ ତେଣିକି ଜୀବନ୍‍ମୃତ ଅବସ୍ଥାରେ କାଳ କଟାଇଲେ ।

 

ପ୍ରତିଦିନ ଏବଂ କେବେ କେବେ ଦିନକେ ଦୁଇଥର, ଜଣେ ବୁଢ଼ା ବନମାଳୀର ଖବର ନେବାକୁ ଜଗୁଆଳ ନିକଟକୁ ଆସୁଥିଲା । ଚାରିମାସ ପରେ ଯାଇ ସେ ଖବର ପାଇଲା ଯେ ରୋଗୀ ବିପଦରୁ ପାର ହୋଇଛି । ତାପରେ ଆଉ ଦୁଇ ମାସ ରୋଗଶଯ୍ୟାରେ ଶୋଇ ବନମାଳୀ ସୁସ୍ଥ ହେଲା । ଭଙ୍ଗା ହାଡ଼ ମଧ୍ୟ ଯୋଡ଼ି ହୋଇଗଲା ।

 

ରୋଗ ଶଯ୍ୟାରେ ଶୋଇ ବନମାଳୀ ପ୍ରଳାପରେ ଯେ କେବଳ ରମା ନାମ ଉଚ୍ଚାରଣ କରୁଥିଲା, ତା ନୁହେଁ । ରମାର ସ୍ମୃତି ଯେ ମୂହୁର୍ତ୍ତକ ପାଇଁ ସୁଦ୍ଧା ମନରୁ ଦୂର କରି ନ ଥିଲା । ଅନେକ ଦିନ ସେ ତାର କୌଣସି ସମ୍ୱାଦ ନ ପାଇ ନିତାନ୍ତ ବ୍ୟସ୍ତ ହୋଇପଡ଼ିଲା । ତା ବିପ୍ଲବୀ ସହକର୍ମୀମାନେ ଏବଂ ବିଶେଷରେ ଚମ୍ପା, ହରିଆ ଓ ଗଦାଧର ମରିଯାଇଥିବା କଥା ସ୍ମରଣ କରି, ସେ ରମାକୁ ଦେଖିବା ନିମନ୍ତେ ଅଧିକ ବ୍ୟାକୁଳ ହୋଇପଡ଼ିଲା । ଅଭୟ ଦାସ ମହମଦିୟାବଜାର ଗୋଳମାଳ ମଧ୍ୟରେ, କିପରି ପାଦ ପକାଇ ପୁଣି ଚାଲିଗଲେ, ଅଥଚ ରମା ଖବର ତାକୁ ପଦେ ସୁଦ୍ଧା କହିଲେ ନାହିଁ, ତାହା ସେ ଭାବିବାକୁ ଲାଗିଲା । ସେ ଯୁଦ୍ଧସ୍ଥଳରୁ କିପରି ରକ୍ଷା ପାଇ ଆସିଲା, ତାହା ତାର ଗୋଟାଏ ଅବୋଧ୍ୟ ବିଷୟ ହୋଇ ରହିଲା । ମୋଟ ଉପରେ ଜୀବନ ତାକୁ ଏକ ବିଷମ ଅସମାହିତ ଅନିଶ୍ଚିତ ସମସ୍ୟା ପରି ବୋଧ ହେଲା; କିନ୍ତୁ ତା ମଧ୍ୟରେ ଗୋଟିଏ ନିଶ୍ଚିନ୍ତ ଲକ୍ଷ୍ୟ ରହିଲା ରମାକୁ ଦେଖିବା ।

 

ଦିନେ ଶ୍ରୀନିବାସ ବନମାଳୀର ରୋଗଶଯ୍ୟା ନିକଟରେ ବସି ଶୁଶ୍ରୂଷା କରିବାରେ ଲାଗିଛନ୍ତି, ସେ କହିଲା, ‘‘ଶୁଣିବାକୁ ରାଜି ହେଲେ, ମୁଁ ଗୋଟିଏ କଥା କହିବି ଆପଣଙ୍କୁ ।’’

 

‘‘କଣ କହିବୁ, କହନା ।’’

 

‘‘ମୁଁ ବିଭା ହବାକୁ ଇଚ୍ଛା କରୁଚି ।’’ ଶୁଣି ଶ୍ରୀନିବାସ ଠୋ ଠୋ ହସି ଉତ୍ତର ହେଲେ, ‘‘ମୁଁ ଜାଣେ । ହଁ, ତୁ ତାକେଇ ବିଭା ହବୁ । ସେ ତ ଏକ ବୁଢ଼ା ବେଶରେ ନିତି ତୋ କଥା ବୁଝିବାକୁ ଆସୁଚି । ଏବେ ତେଲେଙ୍ଗା ବଜାରରେ ରହୁଚି ନା ? ମୁଁ ଭାବୁଥିଲି ଯେ ତୁ ମତେ ସ୍ନେହ କରୁ ନାହୁଁ-। ତୁ ମୋତେ କିପରି ସ୍ନେହ କରିବୁ, ତା ଉପାୟ ମୁଁ ଖୋଜି ପାଉ ନ ଥିଲି, ଏବେ ପାଇଚି । ସେ ରମାକୁ ତୋ ହାତେ ଆଣି ସମର୍ପିଦେଲେ, ତୁ ମୋତେ ସ୍ନେହ ନ କରି ଯିବୁ କୁଆଡ଼େ ? ତୁ ଭାବିଥିଲୁ, ମୁଁ ଆଜି ନାହିଁ କରିବି, ଗାଳି ଦେବି । ନା, ରମା ବେଶ୍‌ ଭଲ ପିଲା । ତାଠୋଉ ଆଉ ଭଲ କଣ ମୁଁ ଲୋଡ଼ିପାରେ ? ତା ହାତ ଧରି ତୁ ସୁଖରେ ରହ ।’’ କହି, ସେ ବନମାଳୀ ମୁଣ୍ଡଟି ନିଜ ଛାତି ଉପରେ ରଖି କାନ୍ଦିବାକୁ ଲାଗିଲେ । ବନମାଳୀ ମଧ୍ୟ କାନ୍ଦିଲା ।

 

କାନ୍ଦିସାରି ବନମାଳୀ କହିଲା, ‘‘ବାପା, ମୋ ଦେହ ଭଲ ହେଇଗଲାଣି । ମୁଁ ଆଜି ତାକୁ ଦେଖିପାରିବି ?’’

 

‘‘ନା, କାଲି ଦେଖିବୁ ।’’

‘‘ନା, ବାପା, ଆଜି ।’’

 

‘‘ଆଚ୍ଛା, ଆଜି । ତୁ ମୋତେ ସ୍ନେହ କରୁଚୁ । ବାପା ବୋଲି ଡାକୁଚୁ । ମୁଁ ତ ଏତିକି ଲୋଡୁଥିଲିରେ ବାୟା ।’’

 

ବନମାଳୀ ଓ ରମା ଦୁହିଁଙ୍କର ଦେଖାହେଲା । ସେତେବେଳେ ବନମାଳୀ କୋଠରୀରେ ଘରର ସମସ୍ତେ, ଏପରିକି ଚାକର ଚାକିରିଆଣୀ ପର୍ଯ୍ୟନ୍ତ ଆସି ରୁଣ୍ଡ ହେଲେ । ରମା ପଛେ ପଛେ ଜଣେ ଦୀର୍ଘକାୟ ଶୁକ୍ଳ କେଶ ବୃଦ୍ଧବ୍ୟକ୍ତି ହସ ହସ ମୁଖରେ ଆସିଥିଲେ । ସେ ବନମାଳୀର ଅଭୟ ଦାସ, ଜଗତ୍‌ର ପାଣୁ ନାଏକ । ସେଦିନ ସେ ସୁନ୍ଦର ଲୁଗାପଟା ପିନ୍ଧିଥିଲେ । ସୁତରାଂ ଦୁଆର ଜଗୁଆଳ ତାଙ୍କୁ ଭଲରୂପେ ଚିହ୍ନି ନ ପାରି ଭାର୍ଯ୍ୟାକୁ କହିଲା, ‘‘ମୁଁ ଏ ମୁହଁ ଆଗରୁ ଦେଖିଥିଲା ପରି ମନେ ପଡ଼ୁଚି । ଅଭୟ ଦାସ ଘର ଭିତରେ ପ୍ରବେଶ ନ କରି ଦ୍ୱାର ପାଖେ ଠିଆ ହୋଇ ରହିଲେ, ସତେ ଯେପରି ସେ ଘରେ ପାଦ ପକାଇବାକୁ ଭୟ କରୁଛନ୍ତି । ସେ କାଖରେ ଗୋଟିଏ କାଗଜ ପୁଡ଼ା ଯାକିଥିଲେ । ତାହା ଦେଖି ପାର୍ବତୀ ମନେ କଲେ ଯେ ସେ ଖଣ୍ଡିଏ ନୂଆଶାଢ଼ୀ କିଣି ଆଣିଛନ୍ତି-

 

ବନମାଳୀ ଓ ରମା ପରସ୍ପରକୁ ଭେଟିବା ଦୃଶ୍ୟ ବର୍ଣ୍ଣନାର ବିଷୟ ନୁହେଁ । ପୃଥିବୀରେ ଏପରି ଅନେକ ଦୃଶ୍ୟ ଅଛି, ଯାହା ଲେଖନୀ ବର୍ଣ୍ଣନା କରିବାକୁ ଅକ୍ଷମ, ଚିତ୍ରକର ତୂଳିକାରେ ଆଙ୍କିବାକୁ ଅସମର୍ଥ । ବହୁ ଦିନର ବିଚ୍ଛେଦ ପରେ ନିରାଶ ପ୍ରେମିକ ପ୍ରେମିକାଙ୍କ ମିଳନ ସେହିପରି ଗୋଟିଏ ଦୃଶ୍ୟ । ସେ ଦୃଶ୍ୟ ଦେଖି ଶ୍ରୀନିବାସ ଆନନ୍ଦରେ ଗଦ୍‌ଗଦ ହେଲେ ଓ ରମାକୁ ଚାହିଁ କହିଲେ, ‘‘ଏ ତ ସ୍ୱର୍ଗର ଅପ୍‌ସରୀ ! ରାଜସିଂହାସନର ଉପଯୁକ୍ତ । ମୋ ଉଆସରେ ଏ ରାଣୀ ହବ, ରାଜା ହବ ବନମାଳୀ । ମୁଁ ଅବଶ୍ୟ ସେପରି ଧନୀ ନୁହେଁ, ମୁଁ ଦରିଦ୍ର । ତେବେ ଦରିଦ୍ର ଘରେ ମଧ୍ୟ ରାଜା ରାଣୀ ରହିପାରନ୍ତି । ମୋର ବାର୍ଷିକ ଦଶହଜାର ଟଙ୍କାରେ ବନମାଳୀ ରାଜା ହବ । ସଙ୍ଗେ ସଙ୍ଗେ ଗୋଟିଏ ଧୀର ଅଥଚ ଗମ୍ଭୀର ସ୍ୱର ଶୁଣାଗଲା, ‘‘ରମା ମଧ୍ୟ ଛ ଲକ୍ଷ ଟଙ୍କାର ରାଣୀ ।’’ ସମସ୍ତେ ଚାହିଁ ଦେଖିଲେ, ତାହା ଅଭୟ ଦାସଙ୍କ ସ୍ୱର । ସେ ଆସି ପହଞ୍ଚିଲା ସମୟରୁ ପଦେ କହି ନ ଥିଲେ । ସେ ପଛରେ ଅଲକ୍ଷିତ ଭାବରେ ଠିଆ ହୋଇଥିଲେ । ତାଙ୍କ କଥା ଶୁଣି ଶ୍ରୀନିବାସ ଆବୃତ୍ତି କଲେ, ‘‘ଛ ଲକ୍ଷ ଟଙ୍କା ।’’

 

‘‘ଆଉ ପନ୍ଦର ହଜାର କାନ୍ତର ବେଶି ହବ’’ କହି, ଅଭୟ ଦାସ କାଖରୁ କାଗଜର ପୁଡ଼ାଟି କାଢି ଛ ଶହ ଚଉଦ ଖଣ୍ଡ ହଜାର ଟଙ୍କିଆ ନୋଟ ଗଣି ଦେଲେ ।

 

ପୂର୍ବରୁ କୁହାଯାଇଛି ଯେପାଣୁ ନାଏକ ଜେଲଖାନାରୁ କେତେକ ଦିନ ଖସି ଆସି ସାରଙ୍ଗଗଡ଼ ରାଜକୋଷରେ ଦେବାନ ଧନଞ୍ଜୟ ରାଏଙ୍କ ନାମରେ ଜମା ରହିଥିବା ଟଙ୍କା ଉଠାଇ ନେଇଥିଲା; କିନ୍ତୁ ପୁଣି ଧରାହେବା ଭୟରେ ପ୍ରାୟ ସମୁଦାୟ ଟଙ୍କା ଜଜାରସିଂହ ନିକଟ ବରୁଣେଇ ପାହାଡ଼ ଜଙ୍ଗଲ ମଧ୍ୟରେ ପୋତି ରଖିଥିଲା । ମୋଟ ଛ ଲକ୍ଷ ସତୁରି ହଜାର ଟଙ୍କା ହଜାରଟଙ୍କିଆ ନୋଟ ଆକାରରେ ଅତି ଅଳ୍ପ ସ୍ଥାନ ଅଧିକାର କରିଥିଲା । ସେ ତାହା ଗୋଟିଏ ଛୋଟିଆ ହାତ ବାକ୍ସରେ ବନ୍ଦ ରଖି ସେ ବାକ୍‌ସଟି ଏବଂ ସୁନ୍ଦରପୁର ମଠ ମହନ୍ତଙ୍କ ରୂପା ରୁଖାଟି ଗୋଟିଏ ବଡ଼ ସିନ୍ଦୁକରେ ପୂରାଇ, ବିଶେଷ ସାବଧାନରେ, ଉଇ ଆଦି ନଷ୍ଟ ନ କରିବା ଭଳି ଅବସ୍ଥାରେ, ମାଟିରେ ପୋତିଥିଲା । ହାତରୁ ଖର୍ଚ୍ଚ ଟଙ୍କା ସରିଗଲେ, ସେ ବେଳେ ବେଳେ ଯାଇ ସେଥିରୁ କିଛି କିଛି ଆଣୁଥିଲା; ମାତ୍ର ସେ ଘଟଣାର ଅଳ୍ପ ଦିନ ପୂର୍ବରୁ ସମୁଦାୟ ଟଙ୍କା ଘେନି ଆସିଥିଲା ।

Image

 

୫୯

ଦରିଦ୍ର ଲକ୍ଷପତି ହେଲା

 

ଦୁଇ ମାସ ପରେ ପ୍ରଥମ ବସନ୍ତ ଆଗମନ ସମୟରେ ବିବାହ ଉତ୍ସବ ଅନୁଷ୍ଠିତ ହେବ ବୋଲି ଦିନ ସ୍ଥିର ହେଲା । ବନମାଳୀ ଏବଂ ରମା ଶ୍ମଶାନରୁ ଉଠି ସ୍ୱର୍ଗ ରାଜ୍ୟରେ ବିହାର କରିବାକୁ ଲାଗିଲେ ।

 

କିନ୍ତୁ ପାଣୁ ନାଏକକୁ ଗୋଟିଏ ବିଷମ ସମସ୍ୟା ନିଷ୍ପତ୍ତି କରିବାକୁ ପଡ଼ିଲା । ବନମାଳୀ ଜାତିରେ କ୍ଷତ୍ରିୟ, ନିଜେ ରାଜପୁତ୍ର ନୋହିଥିଲେ ସୁଦ୍ଧା, ରାଜବଂଶର ଲୋକ । ରମା ଜୀବନର ଇତିହାସ ଜଣାପଡ଼ିଲେ, ବନମାଳୀ ସହିତ ତା ବିବାହ ଘଟିବା ଯେ ଅସମ୍ଭବ ହୋଇପଡ଼ିବ, ତାହା ପାଣୁ ନାଏକ ପକ୍ଷେ ଗଭୀର ଚିନ୍ତାର ବିଷୟ ହୋଇଉଠିଲା; ଅଥଚ ଶ୍ରୀନିବାସ ରମାର ପରିଚୟ ଆଭିଜାତ୍ୟ ଆଦି ତାକୁ ବାରମ୍ୱାର ପଚାରିବାକୁ ଲାଗିଲେ । ସେଥିପାଇଁ ସେ ରମାର ଗୋଟିଏ ଜନ୍ମବୃତ୍ତାନ୍ତ ଉଦ୍ଭାବନ କରି କହିଲା, ‘‘ମାତାମଠରେ ଜଣେ କ୍ଷତ୍ରିୟ କାର୍ଯ୍ୟ କରନ୍ତି; ରମା ତାଙ୍କର ଜଣେ ଆତ୍ମୀୟର କନ୍ୟା ।’’ ମାତାମଠର ରାଣୀମାତା ରମାର ଯେଉଁ ପରିଚୟ ପାଇଥିଲେ, ସେଥିରେ ଏ ବୃତ୍ତାନ୍ତରେ ଆପତ୍ତି କରିବାର କୌଣସି କାରଣ ନ ଥିଲା । ରମା ଉତ୍ତରାଧିକାରୀ ସୂତ୍ରେ ଜଣେ ଆତ୍ମୀୟଙ୍କଠାରୁ ଛ ଲକ୍ଷ୍ୟ ଟଙ୍କା ପାଇଛି ବୋଲି ବାହାରକୁ ଜଣାପଡ଼ିଲା । ଫଳରେ ବନମାଳୀ ସହିତ ତାର ବିବାହରେ ବାଧା ରହିଲା ନାହିଁ ।

 

ତେବେ ପାଣୁ ନାଏକକୁ ରମା ଏତେକାଳ ବାପା ବୋଲି ଡାକି ଆସିଥିଲେ ସୁଦ୍ଧା, ସେ ଯେ ପ୍ରକୃତରେ ତାର ବାପ ନୁହେଁ, ରମା କ୍ରମେ ବୁଝିପାରିଲା । ଏ କଥାଟା ରମା ଆଗରୁ ଜାଣିଥିଲେ, ତା ମନରେ ବିଷମ ଦୁଃଖ ହୋଇଥାନ୍ତା; କିନ୍ତୁ ବର୍ତ୍ତମାନ ସେ ବନମାଳୀକୁ ପାଇଛି । ଯୁବକ ତା ହୃଦୟ ଲାଭ କରିବାରୁ ବୃଦ୍ଧ ଏକପ୍ରକାର ବିଦାୟ ନେଇଯାଇଛି । ସଂସାରର ଦୈନ୍ୟନ୍ଦିନ ଜୀବନରେ ଯାହା ଘଟୁଛି, ରମା ର ତାହାହିଁ ଘଟିଲା । ଅବଶ୍ୟ ସେଥିରେ ଗୋଟିଏ ରହସ୍ୟ ରହିଗଲା; କିନ୍ତୁ ରମା ବାଲ୍ୟକାଳରୁ ରହସ୍ୟ ମଧ୍ୟରେ ହିଁ ଗଢ଼ାହୋଇ ଆସିଛି; ସୁତରାଂ ସେ ବିସ୍ମିତ ହେବାର କାରଣ ନ ଥିଲା । ପାଣୁ ନାଏକ ତା ବାପା ନୁହେଁ ବୋଲି ଜାଣି ସୁଦ୍ଧା, ରମା ତାକୁ ପୂର୍ବପରି, ‘‘ବାପା’’ ବୋଲି ଡାକିବାକୁ ଲାଗିଲା ।

 

ପାର୍ବତୀ ପ୍ରଥମେ ରମା ସହିତ ବନମାଳୀର ବିବାହ ସମ୍ପର୍କରେ ଆପତ୍ତି କରିଥିଲେ । ସେ ଯେତେବେଳେ ଦେଖିଲେ ଯେ ପିତା ତାଙ୍କ ପରାମର୍ଶ ନ ନେଇ ରମାର ବିବାହ ସ୍ଥିର କରିନେଲେ, ମନେ ମନେ କ୍ଷୁବ୍ଧ ହୋଇ କହିଲେ, ‘‘ବାପା ତ ମୋତେ ନ ପଚାରି ଏଡ଼େ କାମଟାଏ କରି ଚାଲିଗଲେ; ମୋ ଅନ୍ତେ ମୋ ସମ୍ପତ୍ତି କିଏ ଭୋଗ କରିବ, ସେ କଥା ମୁଁ ତାଙ୍କୁ କାହିଁକି ପଚାରିବାକୁ ଯିବି ।’’ ପାର୍ବତୀଙ୍କ ସ୍ୱାମୀ ଘର ସମ୍ପତ୍ତି ତୁଳନାରେ ଶ୍ରୀନିବାସଙ୍କ ସମ୍ପତ୍ତି କିଛି ନୁହେଁ । ପାର୍ବତୀ ସେ ସମ୍ପତ୍ତି କାହାକୁ ଦେବେ, ଅନେକ ଦିନ ସ୍ଥିର କରିପାରି ନ ଥିଲେ । ସେ ଦେଖିଲେ ଯେ ବନମାଳୀ ଓ ରମା ବିପୁଳ ସମ୍ପତ୍ତିର ମାଲିକ ହୋଇଛନ୍ତି । ସଂସାରର ରୀତି ହେଉଛି ‘‘ତେଲିଆ ମୁଣ୍ଡରେ ତେଲ । ସେହି ରୀତି ଅନୁସରଣ କରି ସେ ନିଜର ସମୁଦାୟ ସମ୍ପତ୍ତି ବନମାଳୀ ହସ୍ତରେ ଅର୍ପଣ କଲେ ।

 

ବିବାହ ଦିବସ ପର୍ଯ୍ୟନ୍ତ ପ୍ରତିଦିନ ରମା ଅଭୟ ଦାସଙ୍କ ସହିତ ଶ୍ରୀନିବାସଙ୍କ ଘରକୁ ଆସୁଥିଲା । ବନମାଳୀ ଅବାନ୍ତର ଭାବରେ ଅଭୟ ଦାସଙ୍କୁ ନାନାପ୍ରକାର ପ୍ରଶ୍ନ ପଚାରିବାରେ ଲାଗିଲେ । ସେ ଯେଉଁ କେତେଦିନ ରୋଗଶଯ୍ୟାରେ ଶୋଇରହିଲା, ସେ ସମୟଟା ତା ସ୍ମୃତିପଟରେ ଗୋଟାଏ କଳା ଦାଗ ପରି ତାକୁ ବରାବର ଜଣାପଡ଼ିଲା । ତା ଗର୍ଭରେ ଅନେକ ଘଟଣା ଲୁଚିଗଲା । ବେଳେ ବେଳେ ସେ ବିପ୍ଲବ ସମୟର ଘଟଣାବଳୀ ଆଖି ଆଗରେ ଆଣି ଚିତ୍ର କରେ ।

 

ସେତେବେଳେ ଗଦାଧର ପୁଣି ମରି ଢଳିପଡ଼େ; ହରିଆ ଗୁଳି ବୃଷ୍ଟି ମଧ୍ୟରେ ଗୀତ ଗାଇ ଗାଇ ବୁଲେ, ସେ ନିଜେ ଅଧରରେ ଚମ୍ପାର ଜଡ଼ କପାଳ ଅନୁଭବ କରେ; ପଦ୍ମନାଭ, ବୈଦ୍ୟନାଥ, ଜଗନ୍ନାଥ ପ୍ରଭୃତି ତା ସହକର୍ମୀମାନେ ସମ୍ମୁଖରେ ଆସି ଉପସ୍ଥିତ ହୁଅନ୍ତି । ସେ ସବୁ ଦୃଶ୍ୟ ମଧ୍ୟରେ ସେ ଅଭୟ ଦାସଙ୍କର ମୂର୍ତ୍ତିଟି ଦେଖେ; କିନ୍ତୁ ଅଭୟ ଦାସ ଯେ ଜଣେ, ତାର ସେଥିରେ ଘୋର ସନ୍ଦେହ ଘଟେ । ଦିନେ ବନମାଳୀ ଟିକିଏ ସାହାସ ଧରି ଅଭୟ ଦାସଙ୍କୁ ପଚାରିଲା, ‘‘ଆପଣ ମହାମଦୀୟାବଜାର ଜାଣନ୍ତି ?’’

 

‘‘କାହିଁ, ମୁଁ ତ କେବେ ସେ ନାଁ ଶୁଣି ନାହିଁ ।’’ ତହୁଁ ବନମାଳୀ ମନେ ମନେ ଭାବିଲା, ‘‘ନା, ଏଟା ଖାଲି ମୋର ଗୋଟିଏ ସ୍ୱପ୍ନ । ସେ ଆଉ ଜଣେ କିଏ । କେବଳ ଚେହେରାଟା ସମାନ-।’’

 

ବିବାହ ଦିବସ ଅପେକ୍ଷାରେ ରହି, ବନମାଳୀ ସୁଖରେ କଳ୍ପନାରେ ଭାସିବାବେଳେ ତା ହୃଦୟରେ ଆଉ ଏକ ଭାବ ଜନ୍ମିଲା, ତାହା କୃତଜ୍ଞତା । ସେ ନିଜେ ଯାହାଠାରୁ ଯେଉଁ ଉପକାର ପାଇଥିଲା, ସେଥିପାଇଁ କୃତଜ୍ଞତା ଅନୁଭବ କଲା । ପିତାଙ୍କ ନିକଟରେ ସେ କୃତଜ୍ଞ ରହିବାକୁ ସ୍ଥିର କଲା । ସେ କୃତଜ୍ଞତା ସହିତ ଦୀନା ସାହୁର ନାମ ଘନିଷ୍ଠ ଭାବରେ ସଂଶ୍ଳିଷ୍ଟ । ତା ଛଡ଼ା ଯୁଦ୍ଧସ୍ଥଳରୁ ତାକୁ ଆହତ ଅବସ୍ଥାରେ କିଏ ଜଣେ ଶ୍ରୀନିବାସଙ୍କ ଘରକୁ ବହି ଆଣିଥିଲା । ଏ ଦୁଇ ଜଣଙ୍କୁ ଖୋଜି ବାହାର କରିବା ଅଭିଳାଷ ବନମାଳୀ ମନରେ କ୍ରମଶଃ ପ୍ରବଳ ହୋଇଉଠିଲା ।

 

ଅନ୍ୟ ନିକଟରେ ଋଣୀ ରହି ବନମାଳୀ ନିଜେ ସୁଖ ଭୋଗ କରିବା ଅସଙ୍ଗତ ବୋଧକଳା । ଦୀନା ସାହୁ ଅବଶ୍ୟ ଗୋଟାଏ ମହାପାପୀ; କିନ୍ତୁ ସେ ଯେ ସେନାପତି ଗୋବିନ୍ଦ ସିଂହଙ୍କ ପ୍ରାଣ ରକ୍ଷା କରିଛି, ସେଥିରେ ତ କିଛି ସନ୍ଦେହ ନାହିଁ । ଦୀନା ସାହୁ ଜଗତ୍‌ ନିକଟରେ ଚୋର ଡକାୟତ ନରହନ୍ତା ହୋଇପାରେ, କିନ୍ତୁ ବନମାଳୀ ପ୍ରତି ତ ନୁହେଁ । ବନମାଳୀ ଦୀନା ସାହୁକୁ ଲୋକ ଲଗାଇ ଯେତିକି ଖୋଜାଇଲା, ସେ ସେତିକି ଅଦୃଶ୍ୟ ହୋଇଗଲା ।

 

ତା ନିଜ ଜୀବନ ରକ୍ଷାକର୍ତ୍ତା ବିଷୟରେ ବନମାଳୀ ଅନେକ ସନ୍ଧାନ ନେଲା । ପ୍ରଥମେ ସେ କେତେଗୁଡ଼ାଏ ସମ୍ବାଦ ଅବଶ୍ୟ ପାଇଲା; କିନ୍ତୁ ଶେଷରେ ସବୁ ଅନ୍ଧକାରମୟ ହୋଇଗଲା । ଯେଉଁ ବଗିରେ ସେ ଶ୍ରୀନିବାସଙ୍କ ଘରେ ଆସି ପହଞ୍ଚିଲା, ତାକୁ ଖୋଜି ବାହାର କଲା । ଗାଡ଼ିବାଲା କହିଲା, ଦିନେ ଛାଇ ମୁତୁଳି ବେଳଠୋଉ ସନ୍ଧ୍ୟା ପର୍ଯ୍ୟନ୍ତ ପୋଲିସ୍‌ ସର୍ଦ୍ଦାର ମୋ ବଗି ନେଇ ଜଗନ୍ନାଥବଲ୍ଲଭ ପାଖେ କାହା ଅନିଷାରେ ଥିଲେ । ସେଠାରୁ ଗୋଟାଏ ପୁରୁଣା କୂଅ ଭିତରୁ ଗୋଟିଏ ମଲାମଣିଷ କାନ୍ଧରେ ଧରି ଜଣେ ଲୋକ ଆସିଲା । ସର୍ଦ୍ଦାର ସେ ଲୋକକୁ ଗିରଫଦାର କଲେ । ଆଉ ମଲା ମଣିଷଟାକୁ ମୋ ଗାଡ଼ିରେ ଲଦି ତୁଳସୀପୁର ନେଇଗଲେ ।’’ ସେ ମଲାମଣିଷ ଯେ ବନମାଳୀ, ଗାଡ଼ିବାଲା ଚିହ୍ନିଲା । ତାପରେ ସେ କହିଲା ଯେ ପୋଲିସ୍‌ ସର୍ଦ୍ଦାର ଘାତୁକକୁ ସଙ୍ଗରେ ଧରି ତେଲେଙ୍ଗାବଜାରରଗୋଟାଏ ଘରକୁ ଗଲେ; କିନ୍ତୁ ତା ପରେ କଣ ହେଲା, ସେ ଆଉ କିଛି କହିପାରିଲା ନାହିଁ । ନିଜେ ବନମାଳୀ କୌଣସି ବିଷୟ ମନେ ପଡ଼ୁ ନ ଥିଲା । ଯୁଦ୍ଧସ୍ଥଳରେ ସେ ଆହତ ହୋଇ ପଡ଼ିବା ସମୟରେ ଗୋଟିଏ ହାତ ଆସି ଯେ ତାକୁ ଧରି ପକାଇଥିଲା, ସେତିକି ମାତ୍ର ତାର ମନେଥିଲା ।

 

ବନମାଳୀ କେବଳ ଅନୁମାନରେ ନିମଗ୍ନ ହୋଇ ରହିଲା । କେହି ଜଣେ ତାକୁ ଯୁଦ୍ଧସ୍ଥଳରୁ ବହିଆଣି ଯେ ଶ୍ରୀନିବାସଙ୍କ ଘରେ ପହଞ୍ଚାଇଛି, ସେଥିରେ ତାର ସନ୍ଦେହ ରହିଲା ନାହିଁ; କିନ୍ତୁ ସେ କେଉଁ ବାଟେ ଆସିଲା, ବାଟରେ ବା ଦୁଇ ଦିନ କାହିଁକି ବିଳମ୍ବ ହେଲା, ଆଦୌ ବୁଝିପାରିଲା ନାହିଁ; ଅଥଚ ତା ଜୀବନ ରକ୍ଷକକୁ ସେ ଖୋଜି ମଧ୍ୟ ପାଇପାରିଲା ନାହିଁ । ଫାଣ୍ଡିରେ ସେ ବିଷୟରେ କେହି କିଛି ନୂତନ ଖବର ଦେଇପାରିଲେ ନାହିଁ । ଗାଡ଼ିବାଲା କହିଲା, ‘‘ସେଦିନ ରାତି ଭାରି ଅନ୍ଧାର ହୋଇଥିଲା ।’’ ଶ୍ରୀନିବାସଙ୍କ ଦୁଆର ଜଗୁଆଳ କହିଲା, ‘‘ଓଃ, ଲୋକଟାକୁ ଦେଖି ମୋ ପିଳେହି ପାଣି ହୋଇଗଲା ପରା ।’’ ଯେଉଁ ଗାଡ଼ିରେ ବସି ତା ରକ୍ଷାକର୍ତ୍ତା ଆସିଥିଲା, ସେ ଗାଡ଼ିର ଚାଳକ ତାକୁ ଅନ୍ଧାରରେ ଚିହ୍ନିପାରିଲା ନାହିଁ । ଯେଉଁ ଜଗୁଆଳ ସଙ୍ଗେ ସେ ପ୍ରଥମେ ଆସି କଥାବାର୍ତ୍ତା ହେଲା, ସେ ପଦକେ କେବଳ ମୂର୍ତ୍ତିର ଭୀଷଣତା ବର୍ଣ୍ଣନା କଲା ।

 

ଦିନେ ବନମାଳୀ ଅଭୟ ଦାସଙ୍କ ସଙ୍ଗେ ନିଜ ଉଦ୍ଧାର ବିଷୟରେ କଥାବାର୍ତ୍ତା କରୁ କରୁ କହିଲା- ‘‘ରମାର ଛ’’ ଲକ୍ଷ ଟଙ୍କା ଯଦି ମୋରହୋଇଥାନ୍ତା-’’ ଅଭୟ ଦାସ ଉତ୍ତର ଦେଲେ, ‘‘କାହିଁକି, ତା ତ ତୁମର ।’’ ଶୁଣି ବନମାଳୀ ପୁଣି କହିଲା, ‘‘ତାହାହେଲେ, ମୁଁ ସେ ଟଙ୍କାତକ ସବୁ ତାକୁ ଖୋଜିବାରେ ଖର୍ଚ୍ଚ କରିବି ।’’ ଅଭୟ ଦାସ ଶୁଣି ନୀରବ ହେଲେ । ବନମାଳୀ କାର୍ଯ୍ୟାନ୍ତରରେ ଚାଲିଗଲା । ଅଭୟ ଦାସ ଓ ରମା ଗୋଟିଏ ଘଟଣା ଶୁଣି ଜିଭ କାମୁଡ଼ି ଦେଲା । ତାପରେ ସେ କହିଲା, ‘‘ବାପା, ମୋ ଟଙ୍କା ତ ତୁମେ ତାଙ୍କୁ ଦେଇଦେଲ । ସେ ପୁଣି ଟଙ୍କାଟା ତୁମକୁ ଖୋଜି ବାହର କରିବାରେ ଖର୍ଚ୍ଚ କରିଦେବେ । ମୁଁ ତ ଏବେ ବାହାର କରିଦେଲି । ଟଙ୍କା ମୋର ହେଇଗଲା-। ଏଥିରୁ ପାହୁଲାଏ ମୁଁ ଆଉ ହାତରୁ ଛାଡ଼ିବି ନାହିଁ ଟି । ତୁମର ଦି’’ଟା ନାଁରୁ ମୁଁ ଛ ଲକ୍ଷ ପାଇଲି । ଦଶଟା ହୋଇଥିଲେ, କେତେ ପାଇଥାନ୍ତି, ବାପା ?’’

Image

 

୬୦

ଅଭାଗିନୀ

ପାଣୁ ନାଏକର ଶେଷ ଲଢ଼େଇ

 

ବିବାହ ଉତ୍ସବ ଲାଗିଲା । କଟକ ସହର ଦାଣ୍ଡରେ ପଟୁଆର ବୁଲିଲାବେଳେ ଦୁଇଜଣଙ୍କ ମଧ୍ୟରେ ତଳଲିଖିତ କଥାବାର୍ତ୍ତା ଚାଲିବାର ଶୁଣାଗଲା –

 

‘‘ତୁ ଏ କନ୍ୟାକୁ ଦେଖି ଚିହ୍ନିପାରୁଚୁ ?’’

‘‘ନା’’ ।

‘‘ଆଉ ତା ସାଥିରେ ଯେ ବୁଢ଼ା ଯାଉଚି, ତାକୁ ?’’

‘‘ନା’’ ।

 

‘‘ତୁ ତେବେ ଗୋଟାଏ କାମ କର ;ଏ ପଟୁଆର ସାଥି ସାଥି ଯା । ତୁ ବର କନ୍ୟା, ଆଉ ଏ ବୁଢ଼ା, ସମସ୍ତଙ୍କୁ ଚିହ୍ନି ଆ ।’’

 

‘‘କାହିଁକି, ତୁ ଯାଉ ନାହୁଁ ?

 

‘‘ମୁଁ ଗଲେ, ମତେ ପୋଲିସ୍‌ ଦେଖିଲେ, ଆଉ ରଖିବେଟିକି ? ଧରି ସିନା ନେଇଯିବେ । ତୁ ଯା ଖବର ନେଇ ଆସିବୁ ।’’

 

‘‘ମୁଁ ତ ଯିବି । ଆଜି ମୋତେ ସେଠେଇ ଯାଇ ନାଟ କରିବାକୁ ହବ । ବହିନା ଆଣିସାରିଚି ପରା ?’’

 

‘‘ତେବେ ତ ଖୁବ୍‌ଭଲ କଥା । ତୁ ଠିକ୍‌ ଠିକ୍‌ ଖବର ନେଇଆସିବୁ । ତୁ ହୀରା ଓ ଚମ୍ପାଠୁ ଆହୁରି ଚାଲାକ । ତୁ ବିଚାରିଲେ, କୋଉ ଖବରଟା ବାକି ରହିବ ନାହିଁ । ଠିକ୍‌ ବର କିଏ, କନ୍ୟା କିଏ, ଆଉ ସେ ବୁଢ଼ାଟା- ଦେଖିଲୁନା ସେ ବୁଢ଼ାକୁ ?’’

 

ବିବାହ ଉତ୍ସବ ପରେ ଶ୍ରୀନିବାସ ଚମ୍ପତିରାଏ ଏବଂ ପାଣୁ ନାଏକ ବର କନ୍ୟାକୁ ଆଶୀର୍ବାଦ କଲେ । ବନ୍ଧୁବାନ୍ଧବ ଭୋଜି ଖାଇ ଫେରିଗଲେ । ଭୋଜିରେ ବିଶ୍ୱେଶ୍ୱର ଉପସ୍ଥିତ ଥିଲା-। ରମା ତାକୁ ଦେଖି ଚିହ୍ନିପାରିଲା ନାହିଁ । ବିଶ୍ୱେଶ୍ୱର ମଧ୍ୟ ଜୀବନରେ ଅସଂଖ୍ୟ ରମଣୀଙ୍କ ସହିତ ପରିଚୟ ଆଳାପ କରିସାରି, ଅନନ୍ତ ଜନତା ମଧ୍ୟରେ ରମାର ପୃଥକ୍‌ସତ୍ତା ଅନୁଭବ କରିପାରିଲା ନାହିଁ । ବିବାହ ଉତ୍ସବ ପରେ ବନ୍ଧୁବାନ୍ଧବ ଅତିଥି ଅଭ୍ୟାଗତ ସମସ୍ତେ ବିଦାୟ ନେଇଗଲେ । କିନ୍ତୁ ପାଣୁ ନାଏକ ରହିବାପାଇଁ ଶ୍ରୀନିବାସ ଚମ୍ପତିରାଏଙ୍କ ଉଆସରେ ଗୋଟାଏ ସୁନ୍ଦର ସୁସଜ୍ଜିତ କୋଠରୀ ପ୍ରସ୍ତୁତ କରି ରଖାଗଲା । ରମା ସାରା ବାଲ୍ୟଜୀବନ ପାଣୁ ନାଏକ ଛଡ଼ା ଅନ୍ୟ କାହା ଉପରେ ତା ସ୍ନେହଧାରା ବର୍ଷଣ କରି ନ ଥିଲା । ବର୍ତ୍ତମାନ ବନମାଳୀକୁ ପାଇ ମଧ୍ୟ, ପାଣୁ ନାଏକ ପ୍ରତି ତା ସ୍ନେହର ମାତ୍ରା ତିଳେ ସୁଦ୍ଧା କମିଲା ନାହିଁ । ସେ ପଚାରିଲା, ‘‘ବାପା, ତୁମେ ଖୁସି ହେଇଚ-?’’

 

‘‘ହଁ ।’’

 

‘‘ତେବେ ଟିକଏ ହସୁ ନାହିଁ କାହିଁକି ?’’ ପାଣୁ ନାଏକ ଚମ୍ପାର ଲେଖା ପାଇ ସାହେବଜାଦାବଜାର ଛାଡ଼ିଗଲା ଦିନଠାରୁ ଥରେ ହେଲେ କେବେ ହସି ନ ଥିଲା । ସେଦିନ ରମା ଅନୁରୋଧରେ ଖୁସି ହୋଇ, ବହୁ ଦିନର ମେଘୁଆ ଆକାଶର ଫାଙ୍କବାଟେ ସୂର୍ଯ୍ୟ କିରଣ ମୁହୂର୍ତ୍ତେ ଫିଟି ବାହାରିଲା ପରି ଟିକିଏ ହସିଲା ।

 

ସେ ଘଟଣା ପରେ ଶ୍ରୀନିବାସ ଚମ୍ପତ୍ତିରାୟ ଓ ପାଣୁ ନାଏକ ଦୁହିଁଙ୍କ ପାଇଁ ଏକତ୍ର ଠା ହେଲା । ଶ୍ରୀନିବାସ ଆସନରେ ଆସି ବସିଲେ । ପାଣୁ ନାଏକକୁ ଖୋଜା ପଡ଼ିଲା । ଶେଷରେ ଦୁଆର ଜଗୁଆଳ କହିଲା, ‘‘ସେ ମୋତେ କହିଗଲେ, ତାଙ୍କ ଦେହ ଭଲ ଲାଗୁ ନ ଥିବାରୁ ଆଜି ଖାଇବେ ନାହିଁ । ଘରକୁ ଚାଲିଯାଇଛନ୍ତି, କାଲିକି ଆସିବେ । ହଜୁରଙ୍କୁ ଜଣାଇଦବାକୁ ମୋତେ ହୁକୁମ ଦେଇ ଯାଇଚନ୍ତି ।’’

 

ସେଦିନ ରମା ମନରେ ଗୋଟିଏ ଦୁଃଖର ଛାୟା ପଡ଼ିଗଲା । ଅନ୍ୟାନ୍ୟମାନେ ମଧ୍ୟ ଟିକିଏ ଦୁଃଖିତ ହେଲେ । ପାଣୁ ନାଏକ ତେଲଙ୍ଗାବଜାର ଘରକୁ ଫେରିଯାଇ ପହଞ୍ଚି ଦେଖିଲା ଯେ ସବୁ ନିର୍ଜନ, ଘରମାନ ଅନ୍ଧାର; ଏପରିକି ମାଣିକ ପର୍ଯ୍ୟନ୍ତ ସେଠାରେ ନାହିଁ । ସେ ନିଜ ପାଦଶବ୍ଦରେ ଚମକି ପଡ଼ିବାକୁ ଲାଗିଲା । ସେ ତାର ସେହି ଛୋଟିଆ ପେଡ଼ିଟି ଫିଟାଇ, ତା ଭିତରୁ ଦୀନା ସାହୁ ଘରେ ରମା ପିନ୍ଧୁ ଥିବା ଛିଣ୍ଡା କନାଗୁଡ଼ିକ ବାହାର କରି, ତା ସହିତ ଦୀନା ସାହୁ ଘରର ସମସ୍ତ ସ୍ମୃତି ସେହି ମୁହୂର୍ତ୍ତରେ ଭସ୍ମ କରିଦେଲା ଓ ତାପରେ ରମା ଯେଉଁ ଛୋଟିଆ ଶାଢ଼ୀ ଖଣ୍ଡିକ ପିନ୍ଧି ଅନେକ ବର୍ଷ ତଳେ ଦୀନା ସାହୁ ଘରୁ ଆସିଥିଲା, ତାକୁ ହାତରେ ଧରି, ରମାର ପିଲା ଦିନ ସୌନ୍ଦର୍ଯ୍ୟ ସୋହାଗ ଦେଖିବାକୁ ଲାଗିଲା । ସେତେବେଳେ ତା ମନରେ ଗୋଟାଏ ଦୁଃଖର ଆବରଣ ବର୍ଷାକାଳର ମେଘମାଳ ପରି ଢାଙ୍କି ହୋଇ ରହିଲା । ସେ ଦୁଃଖ ପୁଣି ମୁହୂର୍ତ୍ତକ ମଧ୍ୟରେ ପ୍ରବଳ କୋହରେ ପରିଣତ ହେଲା । ତା କୋହ ଶୁଣିବାକୁ ସାରା ଘର ମଧ୍ୟରେ ଜଣେ କେହି ନ ଥିଲା । କେବଳ ଘରର କାନ୍ଥ ଛାତ ଓ ବାହାରର ବିଶାଳ ଭୀଷଣ ନିର୍ଜନତାରେ ତାହା ପ୍ରତିଧ୍ୱନିତ ହୋଇ ଆହୁରି ବିକଟ ଶୁଣାଗଲା ।

 

ସେଦିନ ରାତିସାରା ପାଣୁ ନାଏକ ତା ଜୀବନରେ ଶେଷ ଯୁଦ୍ଧ ଲଢ଼ୁଥିଲା ପରି ଅନୁଭବ କଲା । ବନମାଳୀ ସହିତ ରମାର ସୁଖ ସୌଭାଗ୍ୟ ଦେଖି ତା ମନରେ କି ଭାବ ହେବା ଉଚିତ, ସେହି ସମସ୍ୟା ସେ ନିଷ୍ପତ୍ତି କରିବାକୁ ବସିଲା । ରମାକୁ ସେ ନିଜ ହାତରେ ଗଢ଼ିଛି; ସଂସାର ସୁଖରେ ତାକୁ ଭସାଇ ରଖିବାପାଇଁ ସେ ତା ନିରାପଦ ବାସ ସ୍ଥାନ ମାତାମଠ ଭିତରର ଘରଟି ଛାଡ଼ି ଆସିଛି । ରମା ବନମାଳୀକି ପାଇଛି । ବନମାଳୀ ରମାକୁ ପ୍ରଣୟ ସୂତ୍ରରେ ବାନ୍ଧି ରଖିଛି । ଇହସଂସାରରେ ଭୋଗବିଳାସରେ ରହିବା ନିମନ୍ତେ ସେମାନଙ୍କର ଅର୍ଥର ମଧ୍ୟ ଅଭାବ ନାହିଁ; କିନ୍ତୁ ସେସବୁ ଭିତରେ ଏକମାତ୍ର କେଁ ସେ ନିଜେ ସେ କଥା ପାଣୁ ନାଏକ ବେଶ୍‌ ହୃଦୟଙ୍ଗମ କରିପାରିଲା-। ସେ ରମାର ବାପା ହୋଇ ଯେ ଚଳି ଆସିଲା, ଆଉ ଚଳିବା ଉଚିତ କି ନା, ଭାବିବାକୁ ଲାଗିଲା ।

 

ପାଣୁ ନାଏକ ସମ୍ମୁଖରେ ଗୋଟାଏ ବିଶାଳ ସମସ୍ୟା ଉପସ୍ଥିତ ହେଲା । ଏକ ଦିଗରେ ରମା ସହିତ ସମ୍ପର୍କ କାଟିଦେବା ଦ୍ୱାରା ତାକୁ ଏକ ଅମାନୁଷିକ ତ୍ୟାଗ କରିବାକୁ ପଡ଼ିବ । ଅପର ଦିଗରେ ରମାର ସୁଖ ସୌଭାଗ୍ୟ । ପାଣୁ ନାଏକ ନିଜ ଘର ଭିତରେ ଏକାନ୍ତରେ ବସି ଜୀବନର ସେହି ଶେଷ ଯୁଦ୍ଧ ଲଢ଼ିବାକୁ ଲାଗିଲା । ସେତେବେଳେ ତାକୁ କେହି ଦେଖିଥିଲେ, ହୁଏତ ମୃତ ବୋଲି ମନେକରନ୍ତା; କିନ୍ତୁ ସେ ଯେ ଜୀବନ୍ତ ନିଜେ ତାର ପ୍ରମାଣ ଦେଖାଇଲା; ସମଗ୍ର ରାତି ନିଶ୍ଚଳ ଭାବରେ ପଡ଼ିରହି, ଶେଷରେ ଉଠି, ରମାର ପୁରୁଣା ପିଲାଦିନର ଶାଢ଼ୀ ଖଣ୍ଡିକ ଧରି ଗୋଟିଏ ଚୁମ୍ବନ ଦେଲା ।

Image

 

୬୧

ପାଣୁ ନାଏକର ଆତ୍ମପ୍ରକାଶ

 

ଆରଦିନ ଖୁବ୍‌ ସକାଳେ ପାଣୁ ନାଏକ ଶ୍ରୀନିବାସ ଚମ୍ପତିରାଏଙ୍କ ଘରେ ପହଞ୍ଚି ଦେଖିଲା ଯେ କେହି ଆହୁରି ଶେଯରୁ ଉଠି ନାହାନ୍ତି; କେବଳ ଜଗୁଆଳ ସଦର ଦରଜା ପାଖେ, ହାତରେ ଗୋଟାଏ ବନ୍ଧୁକ ଧରି ସାମାନ୍ୟ ଘୁମେଇ ଘୁମେଇ ଏକା ଠିଆହୋଇଛି । ତାକୁ ଦେଖି ଜଗୁଆଳ ଜୁହାର କରି ଆଖି ମନ୍ଥି ମନ୍ଥି ଘର ଭିତରକୁ ଖବର ଦେବାପାଇଁ ଗଲା । ପାଣୁ ନାଏକ କହିଲା, ‘‘ଦେଖ, ମୁଁ ଆସିଚିବୋଲି କହିବ ନାହିଁ; କହିବ, କିଏ ଜଣେ ଆସିଚି ।’’ ଜଗୁଆଳ ବିସ୍ମିତ ହୋଇ ପଚାରିଲା, ‘‘କାହିଁକି, ହଜୁର ?’’ ଉତ୍ତର ଶୁଣିଲା, ‘‘କହନା । ସେଥିରେ କଣ ଅଛି ? ଖାଲି ବନମାଳୀବାବୁଙ୍କୁ କହିବ, ମୁଁ ତାଙ୍କ ସଙ୍ଗେ ଏକା ଦେଖା କରିବାକୁ ଚାହେଁ ।’’

 

ବନମାଳୀ ଆସି ବିସ୍ମିତ ହୋଇ କହିଲା, ‘‘ବାପା ଆପଣ ଆସିଚନ୍ତି ? ମୋତେ ସେ ବୋକା ପାଇକ ଯାଇ କହିଲା, କିଏ ଜଣେ ଆସିଚି । ଆପଣ ଖବର କାହିଁକି ଦେଲେ ? ଦୁଆର ତ ମେଲା ଥିଲା, ଉପରକୁ ସିଧା ସିଧା ଚାଲିଗଲେ ନାହିଁ ?’’ ପ୍ରଶ୍ନର ଯେ କିଛି ଗୋଟାଏ ଉତ୍ତର ଥାଇପାରେ, ପାଣୁ ନାଏକକୁ ଦେଖାଗଲା ନାହିଁ । ବନମାଳୀ ପ୍ରତି ତା ମନରେ କେବେ ଭଲ ଭାବ ନ ଥିଲା । ହଠାତ୍ ସେ ‘‘ବାପା’’ ବୋଲି ଡାକିବାରୁ ପାଣୁ ନାଏକ ଆନନ୍ଦରେ ବିହ୍ୱଳ ହୋଇପଡ଼ିଲା । ଅଭୟ ଦାସଙ୍କଠାରୁ କୌଣସି ଉତ୍ତର ନ ପାଇ ବନମାଳୀ ପୁଣି ପଚାରିଲା, ‘‘ଆପଣ କାଲି ନ ଖାଇ କାହିଁକି ଚାଲିଗଲେ ? ଦେହ କିପରି ଅଛି ? ଭଲ ଅଛି ନା ?’’

 

ପ୍ରଶ୍ନ ସବୁର ଉତ୍ତର ପାଇବାକୁ ଅପେକ୍ଷା ନ କରି, କିମ୍ୱା ପାଇଛି ବୋଲି ମନେକରି, ବନମାଳୀ ପୁଣି କହିଲାଗିଲା, ‘‘ରମା ମୋତେ କହୁଥିଲା, ଆପଣ କାଲି ଚାଲିଯିବାରୁ ତା ମନରେ ବଡ଼ ଦୁଃଖ ହେଇଛି । ସେ ଆପଣଙ୍କୁ ଭାରି ସ୍ନେହ କରେ କିନା । ଆପଣ ଆଉ ସେଠାକୁ ଯିବେ ନାହିଁ । ଗଲେ, ରମା କାନ୍ଦିବ । ଆପଣ ଯେବେ ଯିବେ, ତାକୁ ସାଥିରେ ନେଇ ଯିବେ । କାହିଁକି ବା ଯିବେ ? ଆପଣ ତ ଏଠେଇ ରହିବେ । ମୁଁ ମୋକାମଦାମରେ ଲାଗିବି, ଆପଣ ରମାକୁ ଧରି ବୁଲିବାକୁ ଯିବେ, ଯେପରି ସେ କିଲ୍ଲାପଡ଼ିଆରେ ବୁଲୁଥିଲେ ।’’

 

‘‘ବନମାଳୀ ବାବୁ, ଆପଣଙ୍କୁ ମୋର ଗୋଟିଏ କଥା କହିବାର ଅଛି । ଆପଣ ଜାଣନ୍ତି ନାହିଁ, ମୁଁ ଜଣେ ପୁରୁଣା କଏଦୀ, ଦାଗୀ ।’’ କେତେଗୁଡ଼ାଏ ବିଷୟ ଅଛି, ଯାହା ଯେତେ କଠିନ ଭାଷାରେ କୁହାଯାଉ ପଛକେ, ବୁଝିବା କଷ୍ଟକର ହୁଏ ନାହିଁ । କିନ୍ତୁ କଥାଗୁଡ଼ାକ ବିଶ୍ୱାସ କରିବା ସୀମା ପାର ହୋଇଗଲେ, ତେଣିକି ଯେତେ ସହଜ ଭାଷାରେ ପ୍ରକାଶ କରାଗଲେ ସୁଦ୍ଧା, ବୁଝିବା ଅସମ୍ଭବ ହୋଇପଡ଼େ । ଅଭୟ ଦାସଙ୍କ କଥାଗୁଡ଼ାକ ବନମାଳୀ ଯେ ନ ବୁଝିଲା ନୁହେଁ; କିନ୍ତୁ ତା କାନରେ ପ୍ରବେଶ କଲା ନାହିଁ । ସେ ଗୋଟାଏ ନିର୍ବୋଧ ପରି ଠିଆ ହୋଇ ରହିଲା । ପାଣୁ ନାଏକ ପୁଣି କହିଲା, ‘‘କାଲି ମୋ ଦେହ କିଛି ଖରାପ ହୋଇ ନ ଥିଲା ମ । ମୁଁ ଆପଣମାନଙ୍କ ପରି ବଡ଼ଲୋକଙ୍କ ସଙ୍ଗେ ବସି ଖିଆପିଆ କରିବାକୁ ତ ଲାଏକ ନୁହେଁ; ସେଥପାଇଁ ଚାଲିଗଲି । ଆପଣମାନେ ରାଜାରାଜୁଡ଼ା ଘର ପୁଅ କିନା ।’’

 

ବନମାଳୀ ଶୁଣି ଚମକିପଡ଼ି କମ୍ପିତ ସ୍ୱରରେ ପଚାରିଲା, ‘‘ଆପଣଙ୍କର ଏ ସବୁ କଥାର ଅର୍ଥ କଣ ?’’

 

‘‘ଏଇ ଅର୍ଥ, ବାବୁ ମୁଁ ଜଣେ କଏଦୀ, ଦାଗୀ ଲୋକ ପରା’’

 

‘‘ଆପଣ କାହିଁକି ମୋତେ ଏପରି କହୁଚନ୍ତି । ଆପଣଙ୍କ ଦେହ ନିଶ୍ଚୟ କିଛି ଖରାପ ହେଇଚି । କଣ ହେଇଚି, କହନ୍ତୁ ।’’

 

‘‘ନା ବନମାଳୀବାବୁ ! ମୋ ଦେହ ବେଶ୍‌ ଭଲ ଅଛି । ମୁଁ ଚୋରିକରି ଥରେ ଊଣିଶ ବର୍ଷ ଜେଲଖାନାରେ ଥିଲି । ତାପରେ ଆଉଥରେ ଚୋରି କରି ଆଜୀବନ ଜେଲଦଣ୍ଡ ପାଇଥିଲି । ମୁଁ ଲୁଚି ପଳେଇ ଆସିଚି; ଧରା ପଡ଼ିଲେ ଜେଲଖାନାକୁ ଭିଡ଼ାହୋଇ ଯିବିଟିକି ।’’

 

ବନମାଳୀ ଭୟରେ ତ୍ରସ୍ତ ହୋଇପଡ଼ିଲା; ତଥାପି ବିଶ୍ୱାସ ନ କରି ରହିପାରିଲା ନାହିଁ । ସେ କ୍ରମେ କ୍ରମେ କଥାଟା ବୁଝିଗଲା ଏବଂ ଯେତେ ବୁଝିଲା ତାଠାରୁ ବେଶି ଅନୁମାନ କଲା; ତା ଭବିଷ୍ୟତ୍‌ ଭାଗ୍ୟ ଯେ କିପରି ଅନ୍ଧକାରମୟ ଏବଂ ବିପଦଜଡ଼ିତ, ସେ ଚିତ୍ର ଆଖି ଆଗରେ ଦେଖିବାକୁ ଲାଗିଲା । ତହୁଁ ସେ କହିଲା, ‘‘ଆଉ କଣ ଅଛି, କହନ୍ତୁ । ଆପଣ ରମାର ବାପା ତ ?’’ କହି ସେ ଭୟରେ ପଛକୁ ଦୁଇ ପାଦ ଘୁଞ୍ଚିଗଲା । ପାଣୁ ନାଏକ ମଧ୍ୟ ହଠାତ୍‌ ଚମକିପଡ଼ି; କହିଲା, ‘‘ମୋ ପରି ଲୋକର ହଲପ ଅଦାଲତ ନବ ନାହିଁ । ତେବେ ମଧ୍ୟ ମୁଁ ହଲପ କରି କହୁଛି, ମୁଁ ତା ବାପା ନୁହେଁ । ମୁଁ ଡମପଡ଼ାର ଜଣେ ଦରିଦ୍ର ଚାଷୀ । ମୋ ନାଁ ଅଭୟ ଦାସ ନୁହେଁ, ପାଣୁ ନାଏକ । ରମାର ମୋ ସହିତ କୌଣସି ସମ୍ପର୍କ ନାହିଁ ।

 

‘‘ମୋତେ ୟା ପ୍ରମାଣ କିଏ ଦବ ?’’

‘‘ମୁଁ ଦେଉଛି ପରା, ମୋ କଥା ବିଶ୍ୱାସ କରନ୍ତୁ ।’’

 

ବନମାଳୀ ପାଣୁ ନାଏକକୁ ଚାହିଁ ଦେଖିଲା, ତା ମୁଖମଣ୍ଡଳ ବେଶ୍‌ ପ୍ରଶାନ୍ତ । ତହିଁରୁ ଯେ ଗୋଟାଏ ମିଥ୍ୟାକଥା ବାହାରିପାରେ ସେପରି ସମ୍ଭାବନା ଦେଖାଗଲା ନାହିଁ । ତହୁଁ ବନମାଳୀ କହିଲା, ମୁଁ ଆପଣଙ୍କ କଥା ବିଶ୍ୱାସକରୁଚି ।’’ ଶୁଣି ପାଣୁ ନାଏକ ଆଶ୍ୱସ୍ତ ହେଲା ଏବଂ ପୁନରାୟ କହିଲା, ‘‘ରମା ସହିତ ମୋର କି ସମ୍ପର୍କ ? ମୁଁ ବାଟରେ ଚାଲିଯିବା ଲୋକ । ସେ ଯେ ଜନ୍ମ ହେଇଛି, ଦଶ ବର୍ଷ ଆଗେ ମୁଁ ଜାଣି ନ ଥିଲି । ମୁଁ ଅବଶ୍ୟ ତାକୁ ସ୍ନେହ କରେ । ବୁଢ଼ା ହେଲେ ସାନ ପିଲାଙ୍କଠେଇ ସମସ୍ତଙ୍କର ସ୍ନେହ ହୁଏ । ତା ବାପା ମା’’ କେହି ନ ଥିବାରୁ, ମୁଁ ତାକୁ ଆଣି ପାଳିଥିଲି ସିନା; ସେ ଏବେ ଆପଣଙ୍କର । ସେ ଛ ଲକ୍ଷ ଟଙ୍କା କଥା ତ ଆପଣ ମୋତେ କିଛି ପଚାରୁ ନାହାନ୍ତି-। ତେବେ ଆପଣଙ୍କର ପୂରା ସନ୍ଦେହ ହେଉଥିବ । ସେଟା ଚୋରିମାଲ ନୁହେଁ, କଷ୍ଟ ଉପାର୍ଜିତ ଧନ-। କହି, ପାଣୁ ନାଏକ ବନମାଳୀ ମୁହଁକୁ ଚାହିଁ ରହିଲା ।

 

ବନମାଳୀ କିଛିକ୍ଷଣ ନୀରବ ରହି, ପରେ ସାମାନ୍ୟ ବିରକ୍ତି ଲୁଚାଇ ରଖି କହିଲା, ‘‘ମୋତେ ଏଗୁଡ଼ାକ ସବୁ କାହିଁକି କହୁଛନ୍ତି ? ମୁଁ କଣ ପଚାରୁଥିଲି ? ଆପଣ ନ କହିଥିଲେ, ଭଲ ହୋଇଥାନ୍ତା । ଆପଣଙ୍କୁ ତ କେହି ଆଉ ଧରିବାକୁ ଖୋଜୁ ନାହାନ୍ତି ।’’

 

‘‘ତା ହୋଇପାରେ । ମାତ୍ର ଆପଣ ଭୁଲ୍‌ ବୁଝିଛନ୍ତି । ମୋତେ ମୁଁ ଧରିବାକୁ ଖୋଜୁଚି ପରା-। ମୁଁ ମୋ ନିଜ ବାଟ ବନ୍ଦ କରିବାକୁ ବସିଚି । ନିଜେ ନିଜକୁ ଧଇଲେ ଆଉ କିଏ ରଖିପାରିବ-? ମନୁଷ୍ୟର ବିବେକ ତାର ପ୍ରଧାନ ଶତ୍ରୁ, ବିବେକ ତାକୁ ନର୍କରୁ ସ୍ୱର୍ଗକୁ ଉଠାଇନିଏ । ବନମାଳୀବାବୁ, ମୁଁ ଚୋର ଡକାୟତ ହୋଇପାରେ; ମାତ୍ର ମୁଁ ଜଣେ ସଚ୍ଚାଲୋକ । ମୁଁ ନିଜକୁ ଆପଣଙ୍କ ଦୃଷ୍ଟିରେ ତଳକୁ ପକାଇ; ମୋ ନିଜ ଦୃଷ୍ଟିରେ ଉପରକୁ ଟେକୁଚି ।’’

 

ପାଣୁ ନାଏକ କିଛି ସମୟ ନୀରବ ରହି କଷ୍ଟରେ ଛେପ ଢୋକିଲା; ସତେ ଯେପରି ତା ତୁଣ୍ଡ ତାକୁ ପିତା ଲାଗୁଥିଲା ଓ ପୁଣି କହିଲା, ‘‘ଅଭୟ ଦାସ ତା ନାଁ ମୋତେ ଧାର ଦେଇଛି; ମୁଁ ଧାର ଶୁଝିଦେବା ଦରକାର । ଗୋଟାଏ ଜାଲ୍‌ନାଁରେ ମୁଁ କେତେଦିନ ସଂସାରରେ ଚଳିବି ? କେତେଦିନ ପୋଲିସ୍‌ବାଲାଙ୍କୁ ଦେଖି ଡରିବି ? ନିଜର ଛାଇକି ଦେଖି ଚମକିବି ? ନା, ନା, ନା; ଆଉ ନୁହେଁ । ଏ ଅଧ୍ୟାୟ ସାରିଚି । ସେଥିପାଇଁ ଆପଣଙ୍କୁ ସବୁ କହିବାକୁ ଆସିଲି । ଦିନେ ପେଟ ପୋଷିବା ପାଇଁ ମୁଠାଏ ଚାଉଳ ଚୋରି କରିଥିଲି । ଆଜି ଜଗତ୍‌ରେ ବଡ଼ ହେବା ଲାଗି ଜଣକ ନାଁ ଚୋରାଇପାରିବି ନାହିଁ ।’’

 

ଦୁହେଁ ଦୁହିଁଙ୍କି ଚାହିଁ କିଛି ସମୟ ବସି ରହିଲେ । ବନମାଳୀ ପାଟିରୁ କଥା ବାହାରିଲା ନାହିଁ । ପାଣୁ ନାଏକ ପୁଣି କହିଲା, ‘‘ଦେଖନ୍ତୁ, ମୁଁ ଆପଣଙ୍କ ଘରେ ବଡ଼ଲୋକ କରି ଅଭୟ ଦାସ ନାଁରେ ରହିବି, ଆପଣ ମୋତେ ଶ୍ୱଶୁର ବୋଲି ଖାତିରି କରିବେ; ହଠାତ୍‌ ଦିନେ କିଏ ଆସି କହିବ, ଏଟା ପାଣୁ ନାଏକ, ‘‘ଗୋଟାଏ ପୁରୁଣା ଦାଗୀ ।’’ ପୋଲିସ୍‌ ଧରପଗଡ଼ କରିବେ, କି କଦର୍ଯ୍ୟ ହେବ, କହନ୍ତୁ ଦେଖି ?’’ ବନମାଳୀର ନୀରବତା ଉତ୍ତର ଦେଲା । ପାଣୁ ନାଏକ ପୁଣି କହିଲା, ‘‘ମୁଁ ଚୁପ୍‌ ନ ରହି ଭଲ କରିଚି । ମୋ କଥା ଆଉ ଭାବିବେ ନାହିଁ । ମୁଁ ବିଦାୟ ନେଇ ଯାଉଚି ।

 

ବନମାଳୀ ଯାଇ ପାଣୁ ନାଏକର ହାତ ଧରି ପକାଇଲା । ସେ ଦେଖିଲା, ତାହା ଗୋଟାଏ ପଥରର ହାତ ଓ କହିଲା, ‘‘ମୋ ଶ୍ୱଶୁରଙ୍କର କଣ କେହି ଆତ୍ମୀୟସ୍ୱଜନ ନୁହନ୍ତି ? ମୁଁ ହାକିମଙ୍କୁ ଧରି ଆପଣଙ୍କ ଦୋଷ କ୍ଷମା କରେଇଦେବି ।’’

 

‘‘କିଛି ଫଳ ନାହିଁ, ବନମାଳୀବାବୁ; ମୁଁ ମଲିଣି ବୋଲି ଧରିନିଅନ୍ତୁ । କ୍ଷମା ମାଗି ସୁଖରେ ରହିବା କଥା ପଡ଼ି ନାହିଁ । ଏ ଗୋଟିଏ କର୍ତ୍ତବ୍ୟ । ମୋ କର୍ତ୍ତବ୍ୟ ହିଁ ବର୍ତ୍ତମାନ ମୋର ବନ୍ଧନ । ମୁଁ କେବଳ ଗୋଟିଏ କ୍ଷମା ଚାହେଁ- ସେ ମୋର ବିବେକର କ୍ଷମା ।’’

Image

 

୬୨

ରମାକୁ ଦେଖିବାକୁ ଅଳି

 

ପାଣୁ ନାଏକ ଓ ବନମାଳୀ ଦୁହେଁ କଥାବାର୍ତ୍ତା ହେଉଥିବା ବେଳେ ରମା ଆସି ପହଞ୍ଚି କହିଲା, ‘‘ତୁମେ ସବୁ କଣ ବଡ଼ବଡ଼ ରାଜନୀତି କଥା କହୁଚ ? ବାପା ତୁମେ ମୋ ପାଖକୁ ନ ଯାଇ ଏଠେଇ ବସି ଏ ବାଜେ କଥାଗୁଡ଼ାକ କାହିଁକି ଗପୁଛ ? ତୁମେ ମୋତେ ମନରୁ ଦୂର କରିଦେଲ ନା କଣ ?’’ ପାଣୁ ନାଏକ ଏବଂ ବନମାଳୀ ଦୁଇ ଜଣ ଅପରାଧୀ ପରି ନୀରବ ହୋଇବସିରହିଲେ । ରମା କହିଲା, ‘‘ମୁଁ ଠିକ୍‌ ଆସି ଧରିଚି । ବାପା, ତୁମେ କଣ ବିବେକ କର୍ତ୍ତବ୍ୟ କଥା ସବୁ କହୁଥିଲ । ଏ ଫେରେ ସେ ଲଢ଼େଇକି ଯିବା କଥା ନା କଣ ? ନା ବାପା, ତୁମେ ଦିହେଁ ଗଲେ, ମୁଁ ପ୍ରାଣ ହରେଇ ଦେବି ।’’

 

ବନମାଳୀ ଉତ୍ତର ଦେଲା, ‘‘ତୁମେ ଭୁଲ ଶୁଣିଚ, ରମା । ଆମେ ବ୍ୟବସାୟ ବିଷୟରେ କଥାବାର୍ତ୍ତା ହେଉଚୁ । ତୁମେ ଛ ଲକ୍ଷ ଟଙ୍କା ଟଙ୍କାରେ କଣ କରିବାକୁ ହେବ, ବିଚାର କରିବାକୁ ବସିଚୁ । ତୁମେ ଯାଅ ନା ।’’

 

‘‘ତେବେ ମୁଁ ରହିବାକୁ କଣ ମନା ଅଛି ?’’ କହି, ରମା ପାଣୁ ନାଏକ କୋଳକୁ ଗଲା । ପାଣୁ ନାଏକ ଚିତ୍ରପ୍ରତିମା ପରି ବସିରହିଲା; ହଲଚଲ ହେଲା ନାହିଁ । ରମା ଚମକିପଡ଼ି କହିଲା, ‘‘ବାପା, ବଡ଼ କଳା ଦିଶୁଚ ? ତୁମ ଦେହ କଣ ଏତେ ଖରାପ ଅଛି ?’’

 

‘‘ନା ଭଲ ହେଇଗଲାଣି ।’’

‘‘ରାତିରେ କଣ ଭଲ ନିଦ ହେଇ ନ ଥିଲା ?

‘‘ହେଇଥିଲା ।’’

‘‘ମନ ଦୁଃଖ କରୁଚ ?’’

‘‘ନା ।’’

 

‘‘ତେବେ ଏମିତି ଦିଶୁଚ କାହିଁକି ? ଦେହ ଭଲ ଅଛି, ରାତିରେ ନିଦ ହେଉଥିଲା, ମନ ଦୁଃଖ ନାହିଁ । ତେବେ ହସୁ ନାହଁ କାହିଁକି ?’’ ପାଣୁ ନାଏକ ବେତନଭୋଗୀ ଭୃତ୍ୟ ପରି କଥା ମାନି ହସିଲା । ବନମାଳୀ କହିଲା, ‘‘ରମା, ଏବେ ଯାଅନା ।’’

 

‘‘ବାପା, ମୁଁ ରହିବି ନାହିଁ ? ମୁଁ ତ ବାପାଙ୍କ ପାଖକୁ ଆସିଚି, ବାପା, କହ ଦେଖି, ମୁଁ ରହିବି କି ନାହିଁ ? ପାଣୁ ନାଏକ ଉତ୍ତର ଦେଲା, ‘‘ନା ।’’ ଶୁଣି ରମା ଚାଲିଗଲା । ବନମାଳୀ କହିଲା, ‘‘ରମା ଏ ସବୁ ଶୁଣିଲେ ।’’ ପାଣୁ ନାଏକ ଆପାଦମସ୍ତକ ଥରିବାକୁ ଲାଗିଲା ଓ କହିଲା, ‘‘ବନମାଳୀବାବୁ ଏତିକି ପ୍ରାର୍ଥନା, ରମାକୁ ଏସବୁ କଥା କିଛି କହିବେ ନାହିଁଟି । ଥରେ ସେ କଏଦୀ ଦଳେ ଦେଖି ରାତିଯାକ ଶୋଇ ନାହିଁ । ମୋରମାଗୁଣୀ ।’’ କହି, ସେ ଦୁଇହାତ ମୁହଁରେ ଦେଇ, କାନ୍ଦିବାକୁ ଲାଗିଲା । ଲୁହଧାରରେ ତା ଲୁଗାପଟା ସବୁ ଓଦା ହୋଇଗଲା ।

 

ବନମାଳୀ କହିଲା, ‘‘ଆପଣ ତୁନି ହୁଅନ୍ତୁ । ମୁଁ ତାକୁ କିଛି କହିବି ନାହିଁ ।’’ କହି ସେ ନୀରବ ଭାବରେ ବସିରହି ମନେ ମନେ ଅନେକ କଥା ଭାବିଲା ଓ ଶେଷରେ କହିଲା, ‘‘ଦେଖନ୍ତୁ ଛ’’ ଲକ୍ଷ ଟଙ୍କା ଆପଣଙ୍କ ଜିମା କେହି ଦେଇଯାଇଛି, ଆପଣ ରଖିବା ଠିକ୍‌ ହବ ।’’ ପାଣୁ ନାଏକ କାନ୍ଦିସାରି ଯେପରି ନୀରବ ହୋଇ ବସିଥିଲା, ସେହିପରି ବସିରହିଲା । କେତେ ସମୟ ପରେ ସେ କହିଲା, ‘‘ସବୁ ସରିଲାଣି । ମୋର ଗୋଟିଏ କଥା ଆଉ ପଚାରିବାକୁ ଅଛି । ରମା ତ ଆପଣଙ୍କର । ମୁଁ ଆଉ ତା ସାଙ୍ଗେ ଦେଖା କରିପାରିବି କି ନାହିଁ ?

 

‘‘ନ କଲେ, ଭଲ ହୁଅନ୍ତା ।’’

 

‘‘ଭଲ କଥା; ତାହାହେଲେ କହିବି ନାହିଁ ।’’ କହି ପାଣୁ ନାଏକ ଦ୍ୱାର ପାଖକୁ ଗଲା । ଶିକୁଳିରେ ହାତ ଦିଅନ୍ତେ ଦ୍ୱାରଟା ଫିଟିଗଲା । ପାଣୁ ନାଏକ ଚାଲିଯାଉଥିଲା; କିନ୍ତୁ ପୁଣି ଦ୍ୱାର ବନ୍ଦ କରି ଆସି ଧୀରସ୍ଥିର ସ୍ୱରରେ କହିଲା, ‘‘ଟିକିଏ ରହନ୍ତୁ । ରମାକୁ ଦେଖିବାକୁ ମୋରବଡ଼ ଇଚ୍ଛା ହେଉଚି । ଯେବେ କହିବେ, ମୁଁ ବେଳେ ବେଳେ ଆସିବି । ରମାକୁ ଦେଖିବା ଇଚ୍ଛା ହେଉ ନ ଥିଲେ ମୁଁ ତ ଚାଲିଯାଇଥାନ୍ତି । ଆପଣଙ୍କୁ ଆସି ଏସବୁ ମନଯିବା କଥା କାହିଁକି କହନ୍ତି । ଆପଣଙ୍କର ଯେବେ ଆପତ୍ତି ନ ଥାଏ, ମୁଁ କିଛି ସବୁବେଳେ ଆସିବି ନାହିଁ; ଥରକୁ ଥର ଆସି ଆପଣଙ୍କୁ ବିରକ୍ତି କରିବି ନାହିଁ, ଦିନେ ଦିନେ ଆସି ତାକୁ ଦେଖିଯାଉଥିବି । ଆପଣ ଯେତିକି କହିବେ ସେତିକି ଥର ଆସିବି । ଆଉ ଦେଖନ୍ତୁ; ମୁଁ ଏକାବେଳକେ ନ ଆସିଲେ, ଲୋକେ କଣ କହିବେ ?’’

 

‘‘ଆପଣ ଦିନ୍‌ ଥରେ ଆସିବେ । ରମା ଆପଣଙ୍କ ଅପେକ୍ଷାରେ ଥିବ ।’’

 

‘‘ଆପଣଙ୍କର ବଡ଼ ଅନୁଗ୍ରହ । ମୁଁ ଏତିକି ଶୁଣି କୃତକୃତ୍ୟ ହେଲି ।’’ ବନମାଳୀ ପାଣୁ ନାଏକକୁ ନମସ୍କାର କଲା; ଆନନ୍ଦ ଓ ନୈରାଶ୍ୟକୁ ବିଦାୟ ଦେବା ନିମନ୍ତେ ଦ୍ୱାର ପର୍ଯ୍ୟନ୍ତ ଗଲା । ସେହିଠାରେ ବନମାଳୀ ପାଣୁ ନାଏକଠାରୁ ବିଦାୟ ନେଇ ଘରେ ରହିଲା ।

Image

 

୬୩

ରମାଠାରୁ ବିଦାୟ

 

ବନମାଳୀ ସ୍ତମ୍ଭୀଭୂତ ହୋଇ ରହିଲା । ସେ ଅନେକ ଦିନ ଯେଉଁ ରହସ୍ୟ ଭେଦ କରିପାରୁ ନଥିଲା, ଅଲ୍ପ ସମୟ ମଧ୍ୟରେ ତାହା ବୁଝିପାରି, ଜୀବନରୁ ଅବଶ୍ୟ ଗୋଟିଏ ଭାର ଦୂର କଲା; କିନ୍ତୁ ଆଉ ଗୋଟିଏ ଗୁରୁତର ଭାବରେ ନଇଁପଡ଼ିଲା । ବିବାହ ଉତ୍ସବ ନ ସରୁଣୁ ଶ୍ୱଶୁର ଅଭୟ ଦାସଙ୍କୁ ପାଣୁ ନାଏକ ରୂପରେ ଦେଖି, ଫୁଲଶଯ୍ୟା ତଳେ ଗୋଟିଏ ବିଷଧର ସାପର ସତ୍ତା ଅନୁଭବ କଲା ।

 

ପାଣୁ ନାଏକ ଆତ୍ମପ୍ରକାଶ ବନମାଳୀ ଆକାଶରୁ ଅବଶ୍ୟ ଗୋଟିଏ ମେଘ ଦୂର କରିଦେଲା; କିନ୍ତୁ କ୍ଷଣକ ମଧ୍ୟରେ ମେଘଟା ଫେରିଆସି ପୁଣି ବିକଟ ମୂର୍ତ୍ତିରେ ବିରାଜମାନ ହେଲା । ବନମାଳୀ ପାଣୁ ନାଏକକୁ ଯେ ବିପ୍ଳବସ୍ଥଳରେ ଦେଖିଥିଲା, ତାହା ସେ ମନେ କରିବାକୁ ଲାଗିଲା । ଗୋଟାଏ ଲୋକ ଯୁଦ୍ଧଭୂମିକୁ ଗଲା ଅଥଚ କୌଣସି ପକ୍ଷରେ ଯୁଦ୍ଧ କଲା ନାହିଁ; କିନ୍ତୁ ପୋଲିସ୍‌ ସର୍ଦ୍ଦାରକୁ ଟାଣି ଟାଣି ନେଇ ଗୁଳି କରି ମାରିଲା – ସେହି ଛବିସବୁ ତା ଆଖି ଆଗରେ ନାଚିଲା । ସେ ସ୍ଥିର କଲା ଯେ ଗୋଟାଏ ପୁରୁଣା ଦାଗୀ ପୋଲିସ୍‌ କର୍ମଚାରୀକୁ ହତ୍ୟା କରିବା କିଛି ଅସମ୍ଭବ ନୁହେଁ । ହୁଏତ ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ର ବିପ୍ଳବ ସ୍ଥଳକୁ ଆସିଥିବାର ଖବର ପାଇ ସେ ପ୍ରତିଶୋଧ ନେବାକୁ ଯାଇଥିଲା । ସେପରି ଗୋଟାଏ ନୃଶଂସ ନିଷ୍ଠୁର ଲୋକ ହାତେ ପଡ଼ି ରମା ଯେ କିପରି ସୁଗୁଣ ଅର୍ଜିଛି, ସେ ବୁଝିପାରିଲା ନାହିଁ । ଭାବିଲା, ‘‘ପ୍ରକୃତି କଣ ମୃଗଶିଶୁର ଲାଳନ ପାଳନ ଭାର ବାଘ ହାତରେ ଅର୍ପଣ କରେ ?’’ ପାଣୁ ନାଏକ ପରି ଗୋଟାଏ ରାକ୍ଷସ କୋଳରେ ବଢ଼ି ରମା ଯେ ସ୍ୱର୍ଗର ଅପ୍‌ସରୀ ହୋଇପାରିଛି, ସେଥିପାଇଁ ସେ ଭଗବାନ୍‌ଙ୍କୁ ଧନ୍ୟବାଦ ଦେଲା ।

 

ରମାର ରୂପଶ୍ରୀ ଏବଂ ହୃଦୟର ମାଧୁରୀ ଦେଖି ବନମାଳୀ ଯେତିକି ଆନନ୍ଦ ଅନୁଭବ କଲା, ତା ସହିତ ପାଣୁ ନାଏକର ସମ୍ପର୍କ ବିଷୟ ସ୍ମରଣ କରି ମନେ ମନେ ସେତିକି ଭୟତ୍ରସ୍ତ ହୋଇପଡ଼ିଲା । ରମା ତାର ସମଗ୍ର ହୃଦୟ ଅଧିକାର କରି ରହିଲା । ତା ମଧ୍ୟରେ ସେ ପାଣୁ ନାଏକ ପାଇଁ ବିନ୍ଦୁ ମାତ୍ର ସ୍ଥାନ ଖୋଜି ପାଇଲା ନାହିଁ । ପରଦିନ ସକାଳେ ପାଣୁ ନାଏକ ଯେତେବେଳେ ଶ୍ରୀନିବାସଙ୍କ ଦୁଆରେ ଆସି ପହଞ୍ଚିଲା, ଜଗୁଆଳ ପଚାରିଲା, ‘‘ସାନ ବାବୁ କହିଚନ୍ତି, ଆପଣ ତଳ ଘରେ ବସିବେ ନା ଉପରକୁ ଯିବେ ?

 

‘‘ନା ତଳ ଘରେ ବସିବି ।’’ ପାଣୁ ନାଏକ ଘରେ ବସି ରହିଲା । ଘରଟି ବଡ଼ ସଂକୀର୍ଣ୍ଣ ଏବଂ ଅନ୍ଧାରିଆ । ଆଗେ ସେଥିରେ ଜାଳେଣି କାଠ ରହୁଥିଲା; ଗତ ରାତିରେ ପରିଷ୍କାର କରାହୋଇଛି । ପାଣୁ ନାଏକ ଆସିଲେ, ତାକୁ ଯେ ସେହି ଘରେ ବସିବାକୁ ଦିଆଯିବ, ତାହା ଆଗରୁ ସ୍ଥିର ହୋଇଥିବା କଥା ସେ ବୁଝିପାରିଲା । ସେ ଘରେ ଦୁଇଗୋଟି ଆସନ ପଡ଼ିଥିଲା । ପାଣୁ ନାଏକ ଅନେକ ଦିନ ନ ଖାଇ ନ ଶୋଇ ରହିଥିବାରୁ ନିତାନ୍ତ କ୍ଲାନ୍ତ ଶ୍ରାନ୍ତ ଦୁର୍ବଳ ହୋଇପଡ଼ିଥିଲା; ସୁତରାଂ ପହଞ୍ଚିବା ମାତ୍ରେ ଆସନରେ ବସିପଡ଼ିଲା । ରମା ଆସି କହିଲା, ‘‘ବାପା, ତୁମେ କିପରି ଏକ ଅବୁଝା ଲୋକ ? ଏ ଘରଟାରେ ଆସି ବସନ୍ତ ନା ? ବାବୁ କହିଲେ, ତୁମେ କୁଆଡ଼େ ମୋ ସଙ୍ଗେ ଏଇ ଘରଟାରେ ଦେଖା କରିବାକୁ ତାଙ୍କୁ କହିଚ । ଏ କଣ ମ ? ଛି ଛିଛି !’’ କହି ରମା ପାଣୁ ନାଏକ କୋଳରେ ବସିବାକୁ ଗଲା । ପାଣୁ ନାଏକ ବସିବା ସ୍ଥାନରୁ ଉଠିପଡ଼ି ଠିଆ ହେଲା । ରମା କହିଲା, ‘‘ବାପା, ଚାଲ ଉପରକୁ ଯିବା ।’’ ଉତ୍ତର ଶୁଣିଲା ‘‘ନା’’ । ତହୁଁ ରମା ପାଣୁ ନାଏକର ହାତ ଧରି ଟାଣିବାକୁ ବସିଲା ସେ କହିଲା, ‘‘ଏ ଅପ୍ରଛନିଆ ଘରଟାରେ ମୁଁ ତୁମକୁ ବସିବାକୁ ଦେବି ନାହିଁ ।’’

 

‘‘ଶୁଣ, ରମା-’’

 

ପାଣୁ ନାଏକ ରମା ଅଗୋଚରରେ ଜିଭ କାମୁଡ଼ି ଦେଲା; ତାପରେ କହିଲା, ‘‘ଶୁଣ, ସାଆନ୍ତାଣି, ଜାଣତ ମୋ କଥା ସବୁ ସେଇପରି ।’’

 

‘‘ସାଆନ୍ତାଣୀ ! କାହାକୁ କହୁଚ ମ ? କାହିଁ, ଏଇଠେଇ ତ ଆଉ କେହି ନାହାନ୍ତି ? ବାପା, ତୁମେ କଣ ପାଗଳ ହୋଇଗଲ ?’’ ଶ୍ମଶାନର ଅଗ୍ନିଶିଖା ପରି ପାଣୁ ନାଏକର ନୈରାଶ୍ୟ ଜଡ଼ିତ ମୁଖରୁ କ୍ଷୁଦ୍ର ହାସ୍ୟ ରେଖା ବାହାରିଲା, ‘‘ତୁମେ ସାଆନ୍ତାଣୀ ହେବାକୁ ଇଚ୍ଛା କରୁଥିଲ, ହେଇଚ ।’’

 

‘‘ବାପା, ମୁଁ କଣ ତମ ପାଖରେ ସାଆନ୍ତାଣୀ ହେଇଛି ?’’

 

‘‘ମୋତେ ବାପା ବୋଲି ଡାକ ନାହିଁ । ଡାକିବ ପାଣୁ ବୋଲି । ମନେ ରଖିଲ ନା ? ପାଣୁ ନ ହେଲେ ପାଣୁଆ ।’’

 

‘‘ତେବେ, ତୁମେ ଆଉ ବାପା ନୁହଁ, ମୁଁ ରମା ନୁହେଁ ? ମୁଁ ‘‘ପାଣୁ’’ ବୋଲି ଡାକିବି, କି ସୃଷ୍ଟି ଛଡ଼ା କଥା କହୁଚ, ବାପା ? କଣ ହେଲା ତୁମର ? ତୁମେ ଏଠେଇ ରହିବ ନାହିଁ, ଏ ଘରେ ଖାଇବ ନାହିଁ, ମୁଁ କଣ ତୁମର କଲିକି ? କହୁ ନା କଣ ହେଲା ?’’

 

‘‘କିଛି ନାହିଁ ।’’

‘‘ତେବେ ତୁମେ କାହିଁକି ଇମିତି କହୁଚ ?’’

 

‘‘ଦେଖୁ ନାହଁ, ତୁମ ନାଁ ‘‘ରମା’’ ଥିଲା ଏବେ ‘‘ଶ୍ରୀମତୀ ରମାଦେବୀ’’ ହେଲା । ଆଉ ମୋ ନାଁ କୁ ତୁମେ କାହିଁକି ନାପସନ୍ଦ କରୁଚ ?’’

 

‘‘ମୁଁ ଏ ସବୁ କିଛି ବୁଝିବି ନାହିଁ । ମୁଁ ବାବୁଙ୍କୁ ପଚାରିବି, ସେ ଯେବେ କହିବେ ପାଣୁବୋଲି ଡାକିବାକୁ ଡାକିବି । ସେ କଣ ଏକଥା କେବେ କହିବେ ? ତୁମେ ପାଗଳ ହେଲ, ବାପା ! ମୋ କଥା ଶୁଣ ।’’ ରମା ପାଣୁ ନାଏକକୁ ଆଦରରେ କୁଣ୍ଢାଇପକାଇ ପୁଣି କହିଲା, ‘‘ବାପା, ମୋଠାରେ ନିର୍ଦ୍ଦୟ ହୁଅ ନାହିଁ ।’’ ପାଣୁ ନାଏକ ରମା ହାତ ଛଡ଼ାଇଦେଇ ଉତ୍ତର ଦେଲା, ‘‘ତୁମେ ପରା ବିଭା ହେଲ, ସ୍ୱାମୀ ପାଇଲ । ଆଉ ବାପା କଣ ? କେହି ନ ଥିଲେ ସିନା ବାପା ।’’

 

‘‘ତେବେ, ମୁଁ କଣ ସୁଖରେ ରହିଲି ବୋଲି ରାଗୁଚ ? ଜନ୍ମକଲା ଝିଅ ହୋଇଥିଲେ, ଏଡ଼େ ହୀନିମାନ କରନ୍ତ ନା ?’’

 

ସରଳ କଥା ବେଳେ ଅଜ୍ଞାତଭାବରେ ହୃଦୟର ଗଭୀରତମ କୋଣରେ ଯାଇ ତୀକ୍ଷଣ ଭାବରେ ଭେଦ କରେ । ରମା ସରଳ ଭାବରେ କଥାଟା କହିପକାଇଲା । ପାଣୁ ନାଏକ ହୃଦୟ ତହିଁରେ ବିନ୍ଧି ହୋଇଗଲା । ସେ କଳା ପଡ଼ିଗଲା; କେତେକ ସମୟ କିଛି କହି ନ ପାରି ଅବାକ୍‌ ହୋଇ ରହିଲା ଓ ତାପରେ ମନକୁ ମନ କହିଲା ପରି କହିଲା, ‘‘ତାରି ସୁଖ ତ ମୁଁ ଜୀବନଯାକ ଲୋଡ଼ିଆସିଚି । ଆଜି ଯେବେ ଦେଖି ମୁଁ ରାଗୁଥାଏ, ତେବେ ମୋର ମରିବାଇ ଭଲ ।’’ ତାପରେ ସେ ପାଟି କରି ରମାକୁ କହିଲା, ‘‘ରମା ତୁ ସୁଖରେ ରହ । ମୋର ସମୟ ସରି ଆସିଲା ।’’

 

‘‘ହଁ, ତୁମେ ତ ମତେ ତୁ କହୁଚ ।’’ କହି, ରମା ଆନନ୍ଦରେ ଡେଇଁପଡ଼ି ପାଣୁ ନାଏକ ବେକକୁ ଜାକିଧରିଲା । ପାଣୁ ନାଏକ ମଧ୍ୟ ତାକୁ ଆନନ୍ଦରେ କୁଣ୍ଢାଇ ପକାଇଲା । ସେ ଯେପରି ପୁନରାୟ ରମାକୁ ଫେରିପାଇଛି, ମୁହୂର୍ତ୍ତକ ପାଇଁ ତାହା ଅନୁଭବ କଲା । ରମା କହିଲା, ‘‘ବାପା, ମୋତେ ସବୁବେଳେ ଛାତିରେ ଧରିଥିବ; ଦୂର କରିଦେବ ନାହିଁଟି । କଥାଟାର ମର୍ମ କ୍ରମେ ପାଣୁ ନାଏକ ପ୍ରତି ଅସହ୍ୟ ହୋଇଉଠିଲା । ସେ ଧୀରେ ଧୀରେ ରମାର ହାତ ଛଡ଼ାଇ କହିଲା, ‘‘ସାଆନ୍ତାଣୀ ମୁଁ ଯାଉଚି, ତୁମେ ଘର ଭିତରକୁ ଯାଅ । ତୁମପାଇଁ ହୁଏତ ଚାହିଁ ବସିଥିବେ ।’’ ଦ୍ୱାର ପର୍ଯ୍ୟନ୍ତ ଯାଇ ପାଣୁ ନାଏକ ପୁଣି କହିଲା, ‘‘ମୁଁ ତୁମକୁ ‘‘ତୁ’’ ବୋଲି କହି ପକେଇଲି, ମୋତେ କ୍ଷମା ଦିଅ ସାଆନ୍ତାଣୀ ! ଆଉ କେବେ ଏପରି କରିବି ନାହିଁ ।’’ ରମା ଅବାକ୍‌ ହୋଇ ଦ୍ୱାର ମୁହଁରେ ଠିଆ ହୋଇ ରହିଲା ।

Image

 

୬୪

ପୁଣି ଏକ ଚିଠି

 

ଅନେକ ସପ୍ତାହ ଚାଲିଗଲା । ରମା ନୂତନ ସ୍ଥାନରେ ରହି, ନୂଆ ନୂଆ ଆତ୍ମୀୟ ସ୍ୱଜନଙ୍କ ସଙ୍ଗେ ମିଳାମିଶା କରି କ୍ରମେ ଜଣେ ନୂଆ ଲୋକରେ ପରିଣତ ହେବା ଦିଗରେ ଚାଲିଲା-। ପାଣୁ ନାଏକ ରୋଜ ଆସୁଥାଏ । ସେ ରମାକୁ ‘‘ସାଆନ୍ତାଣୀ’’ ଏବଂ ରମା ତାକୁ ‘‘ପାଣୁ’’ ବୋଲି ଅନେକ ଦିନ ଡାକିବାଦ୍ୱାରା ସେ ରମା ନିକଟରେ ଭିନ୍ନ ଆକାରରେ ପ୍ରତିଭାତ ହେଲା । ସେ ରମାଠାରୁ ଦୂରରେ ରହିବାକୁ ଯେ ଇଚ୍ଛା କରୁଥିଲା; ତାହା ସଫଳ ହେଲା । ଦିନେ ରମା ତାକୁ କହିଲା, ‘‘ତୁମେ ମୋ ବାପା ଥିଲ, ଏବେ ବାପା ହେଇ ନାହଁ , ତୁମେ ମତେ ପାଳିଥିଲ, ଏବେ ଆଉ ପାଳୁ ନାହଁ; ତୁମେ ଅଭୟ ଦାସ ଥିଲ, ଏବେ ପାଣୁ ହେଲ । ପ୍ରକୃତରେ ତୁମେ କିଏ ? ଏ ସବୁ ଛନ୍ଦ କପଟ ମୋତେ କିଛି ଭଲ ଲାଗୁ ନାହିଁ । ମୁଁ ତୁମକୁ ଭଲ କରି ଜାଣି ନ ଥିଲେ, ଡରି ମରୁଥାନ୍ତି ପରା-?’’

 

ସେ ସମୟରେ ତେଲେଙ୍ଗାବଜାରରେ ପାଣୁ ନାଏକର ବସା ଥିଲା । ସେ ପ୍ରଥମେ ପ୍ରଥମେ ରମା ପାଖକୁ ଆସି ସେହିକ୍ଷଣି ଫେରିଯାଉଥିଲା; ମାତ୍ର ପରେ କ୍ରମେ କ୍ରମେ ବେଶି ସମୟ ରହିଲା । ଦିନେ କଥାବାର୍ତ୍ତା ହେଉ ହେଉ ରମା ଭୁଲ୍‌ରେ ‘‘ବାପା’’ ବୋଲି କହିପକାଇଲା । ଶୁଣି ପାଣୁ ନାଏକ ବିଷର୍ଣ୍ଣ ମୁଖରେ ଆନନ୍ଦର ଜ୍ୟୋତି ପ୍ରକାଶ ପାଇଲା । ତଥାପି ସେ କହିଲା, ‘‘ପାଣୁ ବୋଲି କହ ।’’ ସଙ୍ଗେ ସଙ୍ଗେ ପାଣୁ ନାଏକର ଦୁଇ ଆଖିରେ ଦୁଇ ଧାର ଲୁହ ବୋହିଗଲା ।

 

ପାଣୁ ନାଏକ ଦେଖିଲା ଯେ ବନମାଳୀ ଅତି ଅଳ୍ପ ବ୍ୟୟରେ ଚଳୁଛି । ତହୁଁ ଦିନେ ସେ ରମାକୁ କହିଲା, ‘‘ତୁମେ ଗୋଟିଏ ବଗି କାହିଁକି ରଖୁନାହଁ ? ମାସରେ ତ ଟଙ୍କା ଶହେଟା ଖର୍ଚ୍ଚ । ତୁମର ଟଙ୍କାର ଅଭାବ ନାହିଁ ।’’ ରମା ଉତ୍ତର ଦେଲା, ‘‘ମୁଁ ସେ କଥା କିଛି ଜାଣେ ନା ।’’ ପାଣୁ ନାଏକ ପୁଣି ପଚାରିଲା, ‘‘ମାଣିକକୁ କାହିଁକି ବାହାର କରିଦେଲ ? ତା ବାବଦରେ କେତେ ବା ଖରଚ ହେଉଥିଲା ? ଆଉ ଜଣକୁ ରଖ ।’’ ରମା କହିଲା, ‘‘ଜଣେ ତ ଅଛି ।’’

 

‘‘ତୁମକୁ ସାହାଯ୍ୟ କରିବା ପାଇଁ ତ ଜଣେ ଦରକାର ।’’

‘‘ବାବୁ ଅଛନ୍ତି ।’’

 

‘‘ନା, ତୁମର ଏତେ କଷାକଷି ହୋଇ ଚଳିବା ଠିକ୍‌ନୁହେଁ । ଗାଡ଼ିଘୋଡ଼ା ରଖିବ, ଚାକରବାକର ରହିବେ, ସୁଖରେ କାଳ କଟେଇବ । ଦରିଦ୍ରଲୋକଙ୍କ ପରି କାହିଁକି ଚଳୁଚ, କହ ତ-।’’

 

ରମା ଉତ୍ତର ଦେଲା ନାହିଁ । ପାଣୁ ନାଏକ ରମା ପାଖରେ ଯେତେବେଳେ ବେଶି ସମୟ ରହିବାକୁ ଇଚ୍ଛା କରେ, ସେ ବନମାଳୀର ପ୍ରଶଂସା କରିବାକୁ ଲାଗେ । ରମା ସେଥିରେ ଯୋଗ ଦିଏ । ତାହାହେଲେ କଥାବାର୍ତ୍ତରେ ଅନେକ ସମୟ ଚାଲିଯାଏ । ଦିନେ ଦିନେ ଚାକର ଆସି ଡାକେ, ‘‘ମା, ଭାତ ବଢ଼ାହୋଇ ଶୁଖୁଚି ପରା ।’’ ସେହିପରି ଦିନମାନଙ୍କରେ ପାଣୁ ନାଏକ ଚିନ୍ତାମଗ୍ନ ହୋଇ ନତମସ୍ତକରେ ଘରକୁ ଫେରେ । ଦିନେ ସେ ଟିକିଏ ବେଶି ସମୟ ରମା ପାଖରେ ରହିଗଲା-। ତା ଆରଦିନ ଆସି ଦେଖିଲା ତା ଦେଖା କରିବା କୋଠରୀରେ ଆଉ ବସିବା ଆସନ ପଡ଼ି ନାହିଁ । ଦେଖି ରମା ବିରକ୍ତ ହୋଇଉଠିଲା । ପାଣୁ ନାଏକ କହିଲା, ‘‘ମୁଁ ପରା ଆସନ ପକାଇବାକୁ ନା କରିଥିଲି ।’’

 

‘‘କାହିଁକି ? ସେୟା ତ ଗଲା ନାହିଁ । କଣ ତଳେ ବସିବ ?’’

 

‘‘ସେଦିନ ପାଣୁ ନାଏକ ଠିଆ ଠିଆ ଦେଖା କରି ଫେରିବାବେଳେ ରମା କହିଲା, ‘‘ବାବୁ କାଲି ଗୋଟାଏ କଥା କହୁଥିଲେ ।’’

 

‘‘କଣ କହୁଥିଲେ ?’’

 

‘‘କହିଲେ, ‘‘ରମା, ଅଜା ଆମକୁ ବର୍ଷରେ ତିନିହଜାର ଟଙ୍କା ଖର୍ଚ୍ଚ କରିବାକୁ ଦେଉଛନ୍ତି । ଏତିକିରେ ଚଳିପାରିବ ତ ! ମୁଁ କହିଲି, ତୁମେ ଥିଲେ ମୁଁ କିଛି ନ ପାଇ ମଧ୍ୟ ଚଳିପାରିବି ।’’ ତା ପରେ ମୁଁ ପଚାରିଲି; ମୋତେ କାହିଁକି ଏ କଥା କହିଲ ?’’ ସେ ଉତ୍ତର ଦେଲେ, ‘‘ଖାଲି ତୁମ ଇଚ୍ଛା ଜାଣିବାକୁ ।’’ ମୋର ପୁଣି ଇଚ୍ଛା କଣ, ପାଣୁ ?’’

 

ପାଣୁ ନାଏକ ପଦେ ସୁଦ୍ଧା କଥା କହିଲା ନାହିଁ । ସେଦିନ ସେ ଏତେ ବିବ୍ରତ ହୋଇ ତେଲେଙ୍ଗାବଜାରକୁ ଫେରିଲା ଯେ ନିଜ ଘରକୁ ନ ଯାଇ ଭ୍ରମରେ ଆଉଜଣକ ଘରେ ଯାଇ ପହଞ୍ଚିଲା ଓ ସେହି ଘର ଲୋକଙ୍କୁ ଦେଖନ୍ତେ ଭୁଲ୍‌ ବୁଝିପାରି, ପୁଣି ନିଜ ଘରକୁ ଫେରିଲା । ସେ ମନେ ମନେ ଭାବିଲା, ବନମାଳୀବାବୁ ଏ ଛ ଲକ୍ଷ ଟଙ୍କା କଥାରେ ସନ୍ଦେହ କରିଛନ୍ତି, ବୁଝିଛନ୍ତି ଯେ ଟଙ୍କାଟା ଚୋରି ଧନ । ସେଥିପାଇଁ ସ୍ଥିର କରିଚନ୍ତି, ଦୁଃଖରେ ପଛେ ରହିବେ, ଏ ଟଙ୍କା ଛୁଇଁବେ ନାହିଁ । ତାପରେ ଶ୍ରୀନିବାସ ଚମ୍ପତିରାଏଙ୍କ ଘରେ ତାକୁ କିପରି ବ୍ୟବହାର ମିଳୁଛି, ତାହା ମଧ୍ୟ ସେ ଟିକିଏ ଭାବିଲା ।

 

ପରଦିନ ପାଣୁ ନାଏକ ଶ୍ରୀନିବାସଙ୍କ ଘରେ ପହଞ୍ଚି ଦେଖିଲା, ଯେଉଁ କୋଠରୀରେ ସେ ରମା ସହିତ ଦେଖାକରେ, ତା ଦ୍ୱାରେ ଗୋଟାଏ ତାଲା ପଡ଼ିଚି । ରମା ଆସି ବ୍ୟସ୍ତ ହୋଇ ପଚାରିଲା, ‘‘ଏ ତାଲା କାହିଁକି ମ ?’’ ପାଣୁ ନାଏକ ଘରର ମାଲିକ ପରି ଉତ୍ତର ଦେଲା, ‘‘ମୁଁ ତାଲା ପକେଇଦବାକୁ ଚାକରକୁ କହିଥିଲି । ମୁଁ ବାହାରେ ଠିଆ ଠିଆ କଥାବାର୍ତ୍ତା ହେଇ ଚାଲିଯିବି ବୋଲି ସେ ଜାଣେ ।’’

 

‘‘ଏ କଣ । ସେଦିନ ତୁମେ ବସିବା ଆସନ ଖଣ୍ଡ ବାହାର କରିଦେବାକୁ କହିଲ । ଆଜି ଘରେ ତାଲା ପକେଇଦେବାକୁ ବରାଦକଲ । ମୁଁ ତୁମ କଥା କିଛି ବୁଝିପାରୁ ନାହିଁ । ଆଗରୁ ତ ଉପରକୁ ଯିବାକୁ ମନା କରିଦେଇଥିଲ । ହଁ, ତୁମେ କଣ ଆଉ ମୋ ବାପ କି ? ତୁମେ ତ କୋଉ ପାଣୁ ହୋଇଯାଇଚ । ଏଣିକି ତୁମର ଯାହା ଇଚ୍ଛା । ହେଲେ ସତ କହୁଚି; ମୋତେ ଏସବୁ କିଛି ସୁଖ ଲାଗୁ ନାହିଁ ।’’

 

‘‘ମୁଁ ଯାଉଚି’’ କହି ପାଣୁ ନାଏକ ଚାଲିଗଲା ଓ ତା ପରଦିନ ଆଉ ଆସିଲା ନାହିଁ । ସେଦିନ ରାତିରେ ରମା କହିଲା, ‘‘ଆଜି ପାଣୁ ତ କାହିଁ ଆସିଲେ ନାହିଁ । ରମା ମନରେ ଗୋଟାଏ ବିଷାଦଭାବ ମୁଣ୍ଡ ଟେକି ଉଠୁଥିଲା, ମାତ୍ର ବନମାଳୀ ଆସି ପହଞ୍ଚିବାରୁ, ଉଭେଇ ଗଲା । ପରଦିନ ମଧ୍ୟ ପାଣୁ ନାଏକ ଆସିଲା ନାହିଁ । ଦିନଯାକ ସେ କଥା ରମାର ମନେପଡ଼ିଲା ନାହିଁ, ଆରଦିନ ଶେଯରୁ ଉଠି ତାର ସେ କଥା ଯାଇ ମନେହେଲା । ସେ ଚାକରକୁ ତେଲଙ୍ଗାବଜାର ପଠାଇ ପାଣୁର ଦେହ ବ୍ୟସ୍ତ ହୋଇଛି କି ନାହିଁ, ବୁଝିବାକୁ ବସିଲା । ଚାକର ଆସି କହିଲା, ‘‘ସେ ଭଲ ଅଛନ୍ତି । କାମରେ ବ୍ୟସ୍ତ ଥିଲେ । ଶୀଘ୍ର ଆସିବେ । ସେ ତ କେଉଁଆଡ଼େ ଯାଉଚନ୍ତି । ସେ ଏଇମିତି ଦି’’ ତିନି ମାସରେ ଥରେ କୁଆଡ଼େ ଯାଆନ୍ତି ବୋଲି ହଜୁର ତ ଜାଣନ୍ତି, ସେ ମୋତେ କହିଲେ, ଆପଣ ମନରେ ଦୁଃଖ କରିବେ ନାହିଁ ବୋଲି କହି ପଠେଇଛନ୍ତି ।’’

 

ସେ ଘଟଣା ପରେ ପାଣୁ ନାଏକ ଯେ ତୁଳସୀପୁର ନ ଯାଏ, ତା ନୁହେଁ; ଶ୍ରୀନିବାସ ଚମ୍ପତିରାଏଙ୍କ ଫାଟକ ପର୍ଯ୍ୟନ୍ତ ଯାଇ, ଘର ଆଡ଼କୁ କେବଳ ଟିକିଏ ଚାହିଁ, ଦାଣ୍ଡରୁ ଫେରିଆସେ । ଅନେକ ଦିନ ଚାଲିଗଲା; ଦିନେ ପାଣୁ ନାଏକ ବାହାର ଦରଜା ପାଖେ ବସିଛି, ତା ବାସନ ମାଜିବା ଧାଈ ଆସି କହିଲା, ‘‘ବାବୁ, ତୁମେ କାଲି ଯେ କିଛି ଖାଇ ନାହିଁ ?’’

 

‘‘ଖାଇଚି ତ’’ ।

‘‘ଖଲିରେ ଯେମିତି ବଢ଼ା ହୋଇଥିଲା, ସବୁ ତ ସେମିତି ରହିଚି ।’’

‘‘ତୁ ପାଣି ମାଠିଆ ଦେଖିନାହୁଁ ବୋଲି ଏମିତି କହୁଚୁ ।’’

 

‘‘ତୁମେ ଭାତ ତିଅଣ କିଛି ନ ଖାଇ, ଖାଲି ଗୁଡ଼େ ପିଇଚ । ସେଇଥିପାଇଁ ମାଠିଆଟା ତୁଚ୍ଛା ପଡ଼ିଚି । ତୁମର କଣ ଜର ହେଇଚି ?’’

 

ସେ ବୁଢ଼ୀ ଧାଈ ଛଡ଼ା ପାଣୁ ନାଏକର ଆଉ କାହା ସଙ୍ଗେ ଦେଖାସାକ୍ଷାତ୍‌ ହୁଏ ନାହିଁ । ଦିନେ ଧାଈ ତା ଘରେ ପୁଅକୁ କହିଲା, ‘‘ସେ ଯେ ବୁଢ଼ା ବାବୁ ଅଛନ୍ତି ନା, ଆଉ ଶେଯରୁ ଉଠୁ ନାହାନ୍ତି, ଖିଆପିଆ କରୁ ନାହାନ୍ତି, କି ରାତିରେ ମଧ୍ୟ ଶୋଉ ନାହାନ୍ତି । ଆଉ ବେଶି ଦିନ ବଞ୍ଚିଲାପରି ଦିଶୁ ନାହିଁ । ସବୁବେଳେ ତ କଣ ଭାବୁଚନ୍ତି । ଆହା, ଝିଅଟିକି କେଡ଼େ ସ୍ନେହ କରୁ ନ ଥିଲେ କି । କୋଉଠି କୋଉ ଖରାପ ଲୋକ ହାତରେ ପଡ଼ିଲା, ସେଇ କଥା ଭାବି ବିଥେଇ ହୋଉଛନ୍ତି । ମୋରି କଥାରୁ ମୁଁ ଜାଣେ ପରା । ବାପ ମୋତେ ଏ ଘରେ ଆଣି ପୂରେଇଦେଲା । ଦେଖୁଚୁ ତ, ପୁଅ କେତେ କଷ୍ଟ ପାଉଚି ? ପର ଅଇଁଠା ନ ଉଠେଇଲେ ନ ଚଳେ । ସେ ମୋରି କଥା ଭାବି ଭାବି ମରିଗଲା । ଆହା, ବାପ ମା’’ ପୁଅଝିଅ ଜନ୍ମ କରି କି କଷ୍ଟ ନ ପାଆନ୍ତି ?’’

 

ଦିନେ ସନ୍ଧ୍ୟାରେ ପାଣୁ ନାଏକ ଶେଯରେ ଶୋଇଥିଲା, ଉଠିବାକୁ ଚେଷ୍ଟା କରି, ଉଠିପାରିଲା ନାହିଁ, କଚେରିରେ ହାତ ଦେଇ ଦେଖିଲା, ନାଡ଼ି ଚଳୁ ନାହିଁ । କ୍ରମେ ସେ ନିଃଶ୍ୱାସ ମଧ୍ୟ ନେଇପାରିଲା ନାହିଁ । ଅନେକ ସମୟ ଚାଲିଗଲା, ତା ପରେ ସେ ଉଠି ବସିଲା ଓ କ୍ରମେ ଠିଆ ହେବାକୁ କ୍ଷମ ହେଲା । ତହୁଁ ସେ ଶେଯରୁ ଉଠିଯାଇ, ସେହି ଛୋଟିଆ ପେଡ଼ିଟି ଫିଟାଇ, ରମାର ପୁରୁଣା ଶାଢ଼ିଖଣ୍ଡକ ଆଣି ପାଖରେ ରଖିଲା । ପରିଶ୍ରମରେ ତା ଦେହରୁ ଝାଳ ଗମ ଗମ ବହିଗଲା-। ସେ ନିଜ ମୂର୍ତ୍ତି ଦର୍ପଣରେ ଦେଖି ଚିହ୍ନିପାରିଲା ନାହିଁ; ମନେକଲା ଯେପରିକି ମୃତ୍ୟୁ ଚିହ୍ନ ତାକପାଳରେ ଅଙ୍କିତ ହୋଇସାରିଥିଲା । ସେତେବେଳକୁ ରାତି ହୋଇଯାଇଥିଲା । ସେ ବହୁ କଷ୍ଟରେ ଗୋଟାଏ ଆଲୁଅ ଜାଳିଲା । ସେତିକି ପରିଶ୍ରମରେ ସେ ମୂର୍ଚ୍ଛିତହୋଇ ପଡ଼ିଗଲା ଓ ମୂର୍ଚ୍ଛାରୁ ଉଠି ଅତ୍ୟନ୍ତ ଅଧୀର ହେଲା । ସେ ପାଣି ମାଠିଆ ଟେକି ନ ପାରିବାରୁ ସେଥିରେ ମୁହଁ ଲଗାଇ ଢୋକେ ପିଇଲା ।

 

ହଠାତ୍‌ ପାଣୁ ନାଏକ ଦେହରେ ସାମାନ୍ୟ ବଳ ଆସିଲା । ତହୁଁ ସେ କାଗଜ ଧରି ଲେଖିଲା, ‘‘ରମା, ମୁଁ ଆର୍ଶୀବାଦ କରୁଚି । ମୁଁ ଆଜି ତୋତେଗୋଟାଏ କଥା ଲେଖିବାକୁ ଯାଉଚି । ମୁଁ ତୋ ସଙ୍ଗେ ଦେଖା କରିବା ଭଲ ହେବ ନାହିଁ ବୋଲି ତୋ ସ୍ୱାମୀ ଯେ ସ୍ଥିର କଲେ, ସେଟା ବେଶ୍‌ ହୋଇଛି, କିନ୍ତୁ ସେ ଯାହା ଭାବିଛନ୍ତି; ତା ଠିକ୍‌ନୁହେଁ । ଯାହାହେଉ, ତାଙ୍କ କାର୍ଯ୍ୟ ବଡ଼ ଠିକ୍‌ ହୋଇଛି-। ସେ ଖୁବ୍‌ ଉପଯୁକ୍ତ ଲୋକ । ମୁଁ ଚାଲିଗଲା ପରେ ତୁ ମୋ କଥା ଏକାବେଳକେ ଭୁଲିଯାଇ ତାଙ୍କୁ ସ୍ନେହ କରୁଥିବୁ ! ବନମାଳୀବାବୁ, ଆପଣ ମଧ୍ୟ ମୋ ଗଣ୍ଠିଧନଟିକି ସ୍ନେହ କରିବେ-। ଆଉ ଏକ କଥା କହି ରଖୁଛି । ସେ ଟଙ୍କାଟା ପ୍ରକୃତରେ ତୁମର । କଥା ଏହି-ବିଦେଶୀ ରଙ୍ଗ ଆସି ଏ ଦେଶରେ ବିକ୍ରି ହେଉଛି; କିନ୍ତୁ ଦେଶୀ ଗେରୁ ପରି କୌଣସି ରଙ୍ଗ ସ୍ଥାୟୀ କିମ୍ବା ସୁନ୍ଦର ନୁହେଁ । ଫପ୍‌ସା ମାଙ୍କଡ଼ା ପଥର ମାଟିରୁ ଗେରୁ ତିଆରି କଲେ, ମହଣକେ ଦଶଟଙ୍କା ବାରଅଣା ଖର୍ଚ୍ଚ ପଡ଼ିବ-। ବିଦେଶୀ ରଙ୍ଗ ମହଣକୁ ଦେଢ଼ଶହ ଟଙ୍କା । ଗେରୁ ମହଣ ପଚାଶ ଟଙ୍କାରେ ବିକ୍ରି କଲେ ମଧ୍ୟ ଅଣଚାଳିଶ ଟଙ୍କା ଚାରି ଅଣା ଲାଭ ।’’

 

ପାଣୁ ନାଏକ ଆଉ ଲେଖିପାରିଲା ନାହିଁ । ତାର କୋହ ଉଠିଲା । ସେ କାନ୍ଦୁଣିମାନ୍ଦୁଣି ହୋଇ କହିଲା, ‘‘ଆଉ ନୁହେଁ । ପ୍ରାଣ ଛାଡ଼ି ଆସିଲାଣି । ମୁଁ ତାକୁ ଦେଖିପାରିବି ନାହିଁ । ଓଃ ସରିଗଲା, ସରିଗଲା । ଆଉ ତା ସାଙ୍ଗେ ଦେଖା ହବ ନାହିଁ । ଭଗବାନ୍‌ ।’’

 

ଠିକ୍‌ ସେହି ସମୟରେ ବାହାର ଦୁଆରେ କିଏ ଠକ୍‌ ଠକ୍‌ କଲା । ସେତେବେଳେକୁ ଗୋଟାଏ ଘୋଡ଼ା ଗାଡ଼ିର ଘର୍ଘର ଶବ୍ଦ ସେହିକ୍ଷଣି ବନ୍ଦ ହୋଇଗଲା; କିନ୍ତୁ ତା ପ୍ରତିଧ୍ୱନି ଆହୁରି ପବନରେ ଖେଳୁଥିଲା ।

Image

 

୬୫

ଦୀନା ସାହୁ ଗୁପ୍ତକଥା ଫିଟାଇଲା

 

ସେହି ଦିନ ସନ୍ଧ୍ୟାରେ ବନମାଳୀ ହାତରେ ଚାକର ଖଣ୍ଡିଏ ଚିଠି ଦେଇ କହିଲା, ‘‘ଚିଠି ଦବା ଲୋକ ପାଖ ଘରେ ବସିଚନ୍ତି ।’’ ଚିଠିରୁ ଧୂଆଁପତ୍ର ଗନ୍ଧ ଆସିଥିଲା । ଗନ୍ଧ ସଙ୍ଗେ ସ୍ମୃତିର ଗୋଟାଏ ଅଦୃଶ୍ୟ ସମ୍ପର୍କ ରହିଛି । ବନମାଳୀ ସେ ଧୂଆଁପତ୍ର ଗନ୍ଧ ଚିହ୍ନିପାରିଲା । ଚିଠିରେ ଠିକଣା ଲେଖାଥିଲା-

 

ଜମିଦାର ବନମାଳୀ ଚମ୍ପତିରାଏ ।

ତାଙ୍କ ନିଜ ଘର ।

 

ଧୂଆଁପତ୍ର ଗନ୍ଧରୁ ସେ ହସ୍ତାକ୍ଷର ମଧ୍ୟ ଚିହ୍ନିଲା । ଅଗାଧୁ ବେହେରା ଘରଦୃଶ୍ୟ ଆଖିରେ ଆସି ନାଚିଗଲା । ସେ ଯେଉଁ ଦୁଇଜଣ ଲୋକଙ୍କୁ ଏତେ କାଳ ଧରି ଖୋଜୁଥିଲା, ତା ମଧ୍ୟରୁ ଜଣକୁ ଅକସ୍ମାତ୍‌, ବିନା ଚେଷ୍ଟାରେ ପାଇଗଲା । ଚିଠି ଫିଟାଇ ପଢ଼ିଲା ।

 

‘‘ଜମିଦାର ମହାରାଜ !

 

ଭଗବାନ୍‌ ମୋ ପ୍ରତି ଅନୁଗ୍ରହ କରିଥିଲେ, ମୁଁ ଆଜି ଜମିଦାର ଦୀନବନ୍ଧୁ ସାହୁ ହୋଇ ବସିଥାନ୍ତି; କିନ୍ତୁ ଦୁର୍ଭାଗ୍ୟକୁ ହୋଇ ନାହିଁ । ସେଥିପାଇଁ ଆପଣଙ୍କ ପାଖେ ଆସି ପ୍ରାର୍ଥୀ ହେଉଅଛି । ଆପଣ ମୋର ଟିକିଏ ଉପକାର କଲେ, ମୁଁ ମଧ୍ୟ ଆପଣଙ୍କର କିଛି ଉପକାର କରିବି । ଆପଣଙ୍କର ଖୁବ୍‌ନିକଟ ସମ୍ପର୍କୀୟ ଜଣେ ଲୋକ ବିଷୟରେ ମୁଁ ଗୋଟାଏ ବିଶେଷ ସମ୍ବାଦ ଜାଣେ । ମୁଁ ସେ ସମ୍ବାଦ ଆପଣଙ୍କୁ ଦେବାକୁ ପ୍ରସ୍ତୁତ ଅଛି । ଆପଣ ସମ୍ବାଦ ପାଇଲେ, ସେ ଲୋକକୁ ଆପଣଙ୍କର ଏ ଭଦ୍ର ପରିବାରରୁ ନିଶ୍ଚୟ ଦୂର କରିଦେବେ । ବର୍ତ୍ତମାନ ଗୋଟାଏ ପବିତ୍ର ମନ୍ଦିର ଜଣେ ନିତାନ୍ତ ପାପୀ ବସି ପୂଜା ପାଉଅଛି ।

 

ଆପଣଙ୍କର

ଦୀନବନ୍ଧୁ ସାହୁ

 

ବନମାଳୀ ଦସ୍ତଖତ୍‌ ଦେଖି, ବିସ୍ମିତ ହୋଇପଡ଼ିଲା; କିନ୍ତୁ ପର ମୁହୂର୍ତ୍ତରେ ସେ ଯେତେବେଳେ ଦେଖିଲା ଯେ ଜୀବନର ବହୁକାଳ ଖୋଜିଥିବା ଲୋକକୁ ନିଜ ଘରେ ଅକସ୍ମାତ୍‌ ପାଇଛି, ତା ହୃଦୟ ଆନନ୍ଦରେ ପୂରିଗଲା । କେବଳ ତା ନିଜ ରକ୍ଷାକର୍ତ୍ତାକୁ ଦେଖିପାରିଲେ, ତା ଜୀବନରେ ଯେ କିଛି ଅଭାବ ରହିବ ନାହିଁ, ସଙ୍ଗେ ସଙ୍ଗେ ସେ ଭାବ ମଧ୍ୟ ମନରେ ଜାତ ହେଲା । ସେ କେତେଗୁଡ଼ିଏ ଶହେଟଙ୍କିଆ ନୋଟ ପାଖରେ ରଖି ପତ୍ର ଲେଖକକୁ ଡକାଇଲା ।

 

ଜଣେ ଲୋକ ଘର ମଧ୍ୟରେ ପ୍ରବେଶ କଲା । ଦେଖି ବନମାଳୀ ମନେ ମନେ ବିସ୍ମିତ ହେବାକୁ ଲାଗିଲା । ଲୋକଟି ତା ନିକଟରେ ସମ୍ପୂର୍ଣ୍ଣ ଅପରିଚିତ । ବେଶଭୂଷା ଦେଖିବାକୁ କେବଳ ସୁନ୍ଦର ନୁହେଁ; ମୂଲ୍ୟବାନ୍‌ ମଧ୍ୟ । ତେବେ ସେ ଯେଉଁ କୁରୁତାଟି ପିନ୍ଧିଥିଲା, ତା ଦେହକୁ ତାହା ଖାପ ଖାଉ ନ ଥିଲା । ଦେଖିଲେ ମନେ ହେଉଥିଲା ସେ ଆଉ କାହା କୁରୁତା । ବନମାଳୀ ଯେତେବେଳେ ଦେଖିଲା ଯେ ସେ ଯାହାକୁ ଦେଖିବ ବୋଲି ଆଶା କରି ବସିଥିଲା, ଲୋକଟି ତା ଠାରୁ ପୃଥକ୍‌; ତାର ବିରକ୍ତି ଜନ୍ମିଲା । ସେ ପଚାରିଲା, ‘‘ଆପଣଙ୍କର କଣ ଦରକାର ?’’

 

‘‘ଜମିଦାର ମହାରାଜ, ଲଙ୍କାରେ ଗୋଟାଏ ଛୋଟିଆ ଗ୍ରାମ ଅଛି । ସେ ଗ୍ରାମଟି ଗୋଟିଏ ନଦୀ କୂଳରେ । ଗ୍ରାମର ଦୃଶ୍ୟ ଖୁବ୍‌ ଚମତ୍କାର । ତା ସମ୍ମୁଖରେ ଗୋଟିଏ ପାହାଡ଼ ଅଛି । ସେହି ଗ୍ରାମକୁ ଯିବାକୁ ଇଚ୍ଛା କଲେ; କେହି ସହଜରେ ପଶିପାରିବ ନାହିଁ ।’’

 

‘‘ଆପଣ କଣ କରିବାକୁ ଚାହୁଛନ୍ତି ?’’

‘‘ମୋଟ ଉପରେ ଗ୍ରାମଟି ଏତେ ମନୋରମ ଯେ-’’

 

‘‘ତା ପରେ କଣ ହେଲା ? କଥା ଶେଷ କରନ୍ତୁ । ମୋର ଏତେ ଶୁଣିବାକୁ ଫୁର୍‌ସତ୍‌ ନାହିଁ । ଯାହା ଦରକାର ସିଧାସଳଖ କହନ୍ତୁ ।’’

 

‘‘ମୁଁ ସେଠାକୁ ଯିବାକୁ ଇଚ୍ଛା କରୁଚି । ସେଇଠେଇ ଯାଇ ରହିବି । ମୋ ସଙ୍ଗେ ମୋ ଭାର୍ଯ୍ୟା ଆଉ ଝିଅ । କିଛି ଟଙ୍କା ହେଲେ ଯିବି ।’’

 

‘‘ଯାଆନ୍ତୁ, ମୋ ସଙ୍ଗେ ସମ୍ପର୍କ କଣ ?’’

 

‘‘ଆପଣ ତେବେ ମୋ ଚିଠି ପଢ଼ିନାହାନ୍ତି ?’’ ସେ କଥା ଠିକ୍‌ । ବନମାଳୀ ଚିଠିର ଲେଖାଟା ଅବଶ୍ୟ ଥରେ ଦେଖିଯାଇଥିଲା; କିନ୍ତୁ ଲିଖିତ ବିଷୟ ପ୍ରତି ଦୃଷ୍ଟି ଦେଇ ନ ଥିଲା । କଥାବାର୍ତ୍ତାରେ ସେ ଶୁଣିଲା, ‘‘ମୋ ଭାର୍ଯ୍ୟା ଆଉ ଝିଅ ।’’ ଲୋକଟାଆଡ଼କୁ ବନମାଳୀ ଖୁବ୍‌ ତୀକ୍ଷ୍ଣ ଦୃଷ୍ଟିରେ ଚାହିଁବାକୁ ଲାଗିଲା ଓ କହିଲା, ‘‘କଣ କହିବେ, ସ୍ତୋକରେ କହିଯାନ୍ତୁ ।’’

 

‘‘ମୁଁ ଖୁବ୍‌ ସ୍ତୋକରେ କହିବି । ମୋର ଏକ ଗୁପ୍ତକଥା ଅଛି ।

‘‘ମୋ ସାଙ୍ଗେ ସେ କଥାର କି ସମ୍ପର୍କ ?’’

‘‘ଅଛି ।’’

‘‘କଥାଟା କଣ ?’’

 

‘‘ଆପଣ ଉଆସରେ ଗୋଟାଏ ଚୋର ଆଉ ନରହନ୍ତାକୁ ରଖିଚନ୍ତି ।’’ ବନମାଳୀ ଚମକିପଡ଼ି କହିଲା, ‘‘ନା, ଆଦୌ ନୁହେଁ ।’’

 

‘‘ହଁ, ନରହନ୍ତା ଆଉ ଚୋର । ଆପଣ ଶୁଣନ୍ତୁ, ମୁଁ କିଛି ବେଶି ଦିନର, ପାସୋରି ଯାଇଥିବା ପୁରୁଣା କଥା କହୁ ନାହିଁ । ଅଳ୍ପଦିନ ତଳ କଥା କହିବି । ଲୋକଟା ନାଁ ବଦଳେଇ ଆପଣଙ୍କ ଘରେ ଆପଣଙ୍କ ପରିବାର ଭିତରେ ଜଣେ ହେଇ ରହିଚି । ମୁଁ ତା ନାଁ ଆପଣଙ୍କୁ କହିବି; ମାତ୍ର ମାଗଣା କହିବି ନାହିଁ । ତା ନାଁ ପାଣୁ ନାଏକ ।’’

 

‘‘ମୁଁ ଜାଣେ ।’’

‘‘ଆହୁରି ଶୁଣନ୍ତୁ, ସେ ଜଣେ ପୁରୁଣା କଏଦୀ ଦାଗୀ ।’’

 

‘‘ମୁଁ ଜାଣିଚି ।’’ ବନମାଳୀ ସେପରି ଉତ୍ତର ଦେବାରୁ ବିଶେଷତଃ ସବୁ ବିଷୟ ପୂର୍ବରୁ ଜାଣିଛି ବୋଲି କହିବାରୁ, ଲୋକଟା ଟିକିଏ ବିରକ୍ତ ହୋଇଉଠିଲା । ବନମାଳୀ ତାହା ବୁଝିପାରିଲା । ତହୁଁ ସେ ଲୋକ ପୁଣି ହସି ହସି କହିଲା, ‘‘ଆପଣ ଯାହା କହୁଚନ୍ତି, ମୁଁ ନାହିଁ କରୁ ନାହିଁ । ମୁଁ ଯାହା କହିଗଲି, ଆପଣ ଜାଣିଥିବେ; ମାତ୍ର ଆଉ ଯାହା କହିବି, ମୋ ଛଡ଼ା ଆଉ କେହି ଜାଣନ୍ତି ନାହିଁ । ଆପଣଙ୍କ ରାଣୀଙ୍କ ସମ୍ପତ୍ତି ସହିତ ସେ କଥାର ସମ୍ପର୍କ ଅଛି । ସେ ଗୁପ୍ତ କଥା ଆଗ ମୁଁ ଆପଣଙ୍କୁ କହୁଚି । ଆପଣ ମୋତେ ଉଚିତ ମୂଲ୍ୟ କୋଡ଼ିଏ ହଜାର ଟଙ୍କାଟି ଦେବେ ।’’

 

ମୁଁ ସେ ଗୁପ୍ତ କଥା ମଧ୍ୟ ଜାଣେ । ଆପଣଙ୍କର ମୋତେ କିଛି ନୂଆ କଥା କହିବାର ନାହିଁ-

 

‘‘ଯାହା ହେଉ, ମୁଁ ତ ଆଜି ମୁଠେ ଖାଇବି । ଶୁଣନ୍ତୁ, ମୁଁ କଣ କହୁଚି । ମୋତେ ନିକୁଛରେ କୋଡ଼ିଏଟି ଟଙ୍କା ଦିଅନ୍ତୁ ।’’ ବନମାଳୀ ବିରକ୍ତ ହୋଇ ସେ ଲୋକ ମୁହଁକୁ ଏକଦୃଷ୍ଟିରେ ଚାହିଁରହିଲା । କହିଲା; ‘‘ମୁଁ ତୁମ ଗୁପ୍ତ କଥା ଜାଣେ । ପାଣୁ ନାଏକ ନାଁ ଯେପରି ଜାଣେ; ତୁମ ନାଁ ମଧ୍ୟ ସେଇପରି ଜାଣେ ।’’

 

‘‘ସେଥିରେ ନୂଆ କଥା କଣ ଅଛି ? ମୋ ନାଁ ତ ମୁଁ ଲେଖିଚି ।’’

 

‘‘ତୁମେ ଭିନ୍ନ ଧରଣରେ ଲେଖିଚ, ଠିକ୍‌ ଲେଖି ନାହିଁ । ତୁମେ ଲେଖିଚ ‘‘ଦୀନବନ୍ଧୁ ସାହୁ’’; ମାତ୍ର ତୁମ ନାଁ ହେଉଚି, ‘‘ଦୀନା ସାହୁ ।’’

 

ବିପଦବେଳେ ଝିଙ୍କ ରୋମ ଟାଙ୍କୁରାଇ ଠିଆ ହୁଏ, ତେଲୁଣିପୋକ ମଲାପରି ପଡ଼ିରହେ; କିନ୍ତୁ ଦୀନା ସାହୁ ହସିବାକୁ ଲାଗିଲା । ବନମାଳୀ ପୁଣି କହିଲା, ‘‘କେବଳ ସେତିକି ନୁହେଁ, ତୁମେ ଅଗାଧୁ ବେହେରା, ତୁମେ ମଧ୍ୟ ଜଗବନ୍ଧୁ ପାଣି, ମଦନ ମୋହନ ମହାନ୍ତି, ସୁକୁମାରୀ ଦେଈ, ମୁକୁନ୍ଦ ଜେନା । କଣ, ନୁହ ତୁମେ ? ତୁମର ସବୁ ଗୁଣ ମୁଁ ଜାଣେ । ମୋତେ ତୁମେ ଲୁଚେଇବ କଣ ? ଜଜାରସିଂହରେ ତୁମର ଗୋଟାଏ ଚଟି ଘର ନ ଥିଲା ?’’

 

‘‘ସବୁ ଖାଲି ମିଛ କଥା ।’’

 

‘‘ଆହୁରି ଶୁଣ । ତୁମେ ଗୋଟାଏ ମହା ସଇତାନ୍‌ ।’’ କହି ବନମାଳୀ କେତେ ଖଣ୍ଡ ନୋଟ ଧରି ତା ମୁହଁକୁ ଫିଙ୍ଗିଦେଲା । ସେ ନୋଟତକ ଗୋଟାଇ ଗଣି କହିଲା, ‘‘ପାଞ୍ଚଶଟଙ୍କା !’’

Image

 

୬୬

ରହସ୍ୟ କିପରି ବାହାରିଲା

 

ଦୀନା ସାହୁ ବନମାଳୀକୁ ଚମକାଇବା ନିମନ୍ତେ ଆସିଥିଲା; କିନ୍ତୁ ତାକୁ ନିଜେ ଚମକିବାକୁ ହେଲା । ଧରାପଡ଼ି, ଗାଳି ଖାଇ, ସେ ଯେ ପାଞ୍ଚଶହ ଟଙ୍କା ପୁରସ୍କାର ପାଇଲା, ତହିଁରେ ସେ କୃତ୍ୟକୃତ୍ୟ ହୋଇଗଲା । ସେ ବନମାଳୀକୁ ସେଦିନ ଜୀବନରେ ପ୍ରଥମ ଥର ଦେଖିଲା । ଦର୍ଜି କୋଠାରେ ଥିବାବେଳେ ସେ ଦିନେ ସୁଦ୍ଧା ବନମାଳୀର ଛାଇ ଦେଖିବାକୁ ପାଇ ନ ଥିଲା । ସେଦିନ ସେହି ବନମାଳୀ ତାକୁ ଦେଖୁ ଦେଖୁ ଚିହ୍ନିପକାଇଲା । ଝିଅଠାରୁ ଦୀନା ସାହୁ ଶୁଣିଥିଲା ଯେ ବନମାଳୀ ଜଣେ ନିତାନ୍ତ ଦରିଦ୍ର ଲୋକ; ସୁତରାଂ ସେହି ବନମାଳୀ ସଙ୍ଗେ ଜମିଦାର ବନମାଳୀ ଚମ୍ପତ୍ତିରାଏଙ୍କର ସେ କୌଣସି ପ୍ରକାର ସାମଞ୍ଜସ୍ୟ ଖୋଜି ପାଇଲା ନାହିଁ ।

 

ଦୀନା ସାହୁ ବନମାଳୀ ବିବାହ ଦିନ ତା ଝିଅ ହୀରା ସାହାଯ୍ୟରେ ବନମାଳୀ ବିଷୟରେ କେତେକ ଖବର ସଂଗ୍ରହ କରିଥିଲା । ସେ ନିଜେ ମଧ୍ୟ ନାନା ଚେଷ୍ଟାକରି ଆଉ କେତେକ ଖବର ଯୋଗାଡ଼ କଲା । ଜଗନ୍ନାଥବଲ୍ଲଭର ଭଙ୍ଗା ଉଆସ ମଧ୍ୟରେ କୂଅ ମୁହଁରେ ସେ ଯେ କାହାକୁ ଦିନେ ସନ୍ଧ୍ୟାରେ ଭେଟିଥିଲା, ତାହା ଅନୁମାନ କରିନେଲା । ବନମାଳୀ ଚମ୍ପତିରାଏଙ୍କ ଭାର୍ଯ୍ୟା ଯେ ରମା ତା ମଧ୍ୟ ସେ ବୁଝିପାରିଲା; କିନ୍ତୁ ରମା ବିଷୟରେ ସେ ନୀରବ ରହିବା ଉଚିତ ବୋଧ କଲା; କାରଣ, ହଠାତ୍‌ ଯାଇ ରମାର ଜନ୍ମବୃତ୍ତାନ୍ତ ବିଷୟରେ କିଛି କହିବାକୁ ଆରମ୍ଭ କରିଥିଲେ, ତାକୁ ହୁଏତ ଧକ୍‌କା ଖାଇ ଆସିବାକୁ ହୋଇଥାନ୍ତା ।

 

ଦୀନା ସାହୁ ଅନେକ ସମୟ ନୀରବ ହୋଇ ରହିଲା । ଫଳରେ ବନମାଳୀକୁ ତା ଆଡ଼ୁ ନୀରବତା ଭାଙ୍ଗିବାକୁ ହେଲା । ସେ କହିଲା, ‘‘ଦୀନା ସାହୁ, ମୁଁ ତୁମ ନାଁ କହିଲି । ଆଉ କଣ ତୁମେ ଇଚ୍ଛା କରୁଚ ଯେ ତୁମେ ଯେଉଁ ଗୁପ୍ତ କଥା ମୋତେ କହିବାକୁ ଆସିଚ, ମୁଁ ତା ମଧ୍ୟ ତୁମକୁ କହିବି ? ପାଣୁ ନାଏକ ନରହନ୍ତା, ଡକେଇତ ବୋଲି ତୁମେ ଯେ କହିଲ, ସେ କଥା ଠିକ୍‌ । ଡକେଇତ କାହିଁକି ନା, ସେ ଧନଞ୍ଜୟ ରାଏଙ୍କ ସମ୍ପତ୍ତି ଚୋରିକରି ନେଇଥିଲା । ଆଉ ନରହନ୍ତା କାହିଁକି ନା ସେ ପୋଲିସ୍‌ ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ରଙ୍କୁ ହତ୍ୟା କରିଚି ।’’

 

‘‘ଆପଣ କଣ କହୁଛନ୍ତି ମୁଁ କିଛି ବୁଝିପାରୁ ନାହିଁ ।’’

 

‘‘ଶୁଣ ତେବେ ମୁଁ ବୁଝେଇ ଦଉଚି । ଧନଞ୍ଜୟ ରାଏ ବୋଲି ସାରଙ୍ଗଗଡ଼ରେ ଜଣେ ଧନୀ ମହାଜନ ଥିଲେ । ଗେରୁ ତିଆରି କରି ଅନେକ ପଇସା ଉପାର୍ଜନ କରିଥିଲେ । ଦରିଦ୍ର ଲୋକଙ୍କୁ ଯଥେଷ୍ଟ ସାହାଯ୍ୟ କରୁଥିଲେ । ଶେଷରେ ସେ ରାଜାଙ୍କ ଦେବାନ୍‌ ହେଲେ । ସେ ଆଗରୁ କେବେ କଣ ଦୋଷ କରି ଦଣ୍ଡ ପାଇଥିଲେ । ଜଣେ ପୁରୁଣା ଦାଗୀ କଏଦୀ ସେ କଥା ଜାଣିପାରି ତାଙ୍କୁ ଧରେଇଦେଲା, ଆଉ ତାଙ୍କ ନାଁରେ ଜମାଥିବା ଟଙ୍କା ଅପହରଣ କରିନେଲା । ମୁଁ ଭିତରେ ଖୋଦ୍‌ ଖାଜେଞ୍ଚିଠୋଉ ଖବର ପାଇଛି । ଟଙ୍କା କିଛି କମ୍‌ ନୁହେଁ, ପାଞ୍ଚ ଲକ୍ଷରୁ ବେଶି । ସେ ଟଙ୍କା ଯେ କଏଦୀ ନେଲା ତା ନାଁ ପାଣୁ ନାଏକ । ଆଉ ମଣିଷ ମାରିବା କଥା ଯେ ତୁମେ କହିଲ, ସେଟା ମୁଁ ନିଜେ ଆଖିରେ ଦେଖିଚି । ପାଣୁ ନାଏକ ପୋଲିସ୍‌ ସର୍ଦ୍ଦାରଙ୍କୁ ଗୁଳି କରି ମାରିଚି ।’’

 

ଦୀନା ସାହୁ ପରାସ୍ତ ହୋଇ ସୁଦ୍ଧା ଛାଡ଼ିଲା ନାହିଁ, କହିଲା, ‘‘ଜମିଦାର ବାହାଦୁର, ଆପଣ ବଡ଼ ଭୁଲ୍‌ ଖବର ପାଇଛନ୍ତି ।’’

 

‘‘କୋଉଟାକୁ ତୁମେ ଭୁଲ୍‌ବୋଲି କହୁଚ ? ସବୁ ଠିକ୍‌ ସତ୍ୟ ।’’

 

‘‘ମୁଁ ମାନିବି ନାହିଁ । ମୁଁ ଅନ୍ୟାୟରେ କାହାକୁ ବୁଡ଼େଇଦେବା ଲୋକ ନୁହେଁ । ପାଣୁ ନାଏକ ଧନଞ୍ଜୟ ରାଏ ଟଙ୍କା ଚୋରି କରି ନାହିଁ, କି ଜନାର୍ଦ୍ଦନ ମହାପାତ୍ରାଙ୍କୁ ମାରି ନାହିଁ । ତାର ଦୁଇଟା ପ୍ରମାଣ ଅଛି ।’’

 

‘‘କଣ ପ୍ରମାଣ କହ ।’’

 

‘‘ସେ ଧନଞ୍ଜୟ ରାଏଙ୍କ ଟଙ୍କା ଚୋରି କରି ନାହିଁ । କାରଣ, ପାଣୁ ନାଏକ ଆଉ ଧନଞ୍ଜୟ ରାଏ ଜଣେ ଲୋକ ।’’

 

‘‘ତୁମେ କଣ ଗୁଡ଼ାଏ କହୁଚ ?’’

 

‘‘ଆଉ ସେ ମଣିଷ ମଧ୍ୟ ମାରି ନାହିଁ । କାରଣ; ସର୍ଦ୍ଦାର ମହାପାତ୍ର ନିଜେ ଆତ୍ମହତ୍ୟା କଲେ ।’’

 

‘‘ଆଚ୍ଛା, ୟାର ପ୍ରମାଣ କଣ ?’’

 

ଦୀନା ସାହୁ ନିଜ କୁରୁତା ପକେଟରୁ ଖଣ୍ଡିଏ ଅତି ପୁରୁଣା ତେଲଚିକିଟା କାଗଜ ବାହାର କଲା । ତହିଁରେ ସରକାରୀ ମୋହର ବସିଥିଲା । ସେ କାଗଜଖଣ୍ଡି ଦୀନା ସାହୁ କୌଣସି ଫାଣ୍ଡିରୁ ଚିରିଆଣିଥିବା ସମ୍ଭବପର । ଯାହାହେଉ, ସେ କାଗଜ ଲେଖାଟା ଅବିଶ୍ୱାସ କରିବାର କୌଣସି କାରଣ ନ ଥିଲା । ସେଥିରେ ଯାହା ଲେଖାଥିଲା, ଏକ ସରକାରୀ ଇସ୍ତାହାରରେ ତାହା ପ୍ରଚାର କରାଯାଇଥିବା କଥା ପୂର୍ବରୁ କୁହାଯାଇଛି ।

 

ବନମାଳୀ ତାହା ନିଜେ ପଢ଼ି ଦେଖିଲା; ସୁତରାଂ ତାର ଆଉ ସନ୍ଦେହ କରିବାର କାରଣ ରହିଲା ନାହିଁ । ପାଣୁ ନାଏକ ବନମାଳୀ ଦୃଷ୍ଟିରେ ଯେତେ ତଳକୁ ପଡ଼ିଯାଇଥିଲା, ଅଧେ ବାଟ ପୁଣି ଉପରକୁ ଉଠିଗଲା । ସେ ପ୍ରାଣରେ ଗୋଟିଏ ଅପୂର୍ବ ଆନନ୍ଦ ଅନୁଭବ କରିବାକୁ ଲାଗିଲା ଏବଂ କହିଲା, ‘‘ତାହାହେଲେ ତ ଏ ସମସ୍ତ ସମ୍ପତ୍ତି ତାଙ୍କ ନିଜର । ଯିଏ ଧନଞ୍ଜୟ ରାଏ, ସେଇ ପାଣୁ ନାଏକ । ଆଉ ମଣିଷ ମାରିବା କଥା ତା ବିରୋଧରେ ତୁମ ପ୍ରମାଣ ?’’ ଦୀନା ସାହୁ ପକେଟରୁ ଆଉ ଖଣ୍ଡିଏ କାଗଜ କାଢ଼ି ଦେଖାଇଲା । ସେଥିରେ ମଧ୍ୟ ସରକାରୀ ମୋହର ବସିଥିଲା । ବନମାଳୀ ପଢ଼ିଲା- ମହମଦୀୟାବଜାର ବିଦ୍ରୋହ ସ୍ଥଳରେ ସର୍ଦ୍ଦାର ଜନାର୍ଦ୍ଦାନ ମହାପାତ୍ର ବନ୍ଦୀ ହୋଇ ରହିଥିଲେ । ଜଣେ ବିଦ୍ରୋହୀ ତାଙ୍କୁ ମାରିବାକୁ ନେଇ, ପ୍ରକୃତରେ ନ ମାରି, ଉପରକୁ ଗୁଳି ଫୁଟାଇଦେଲା ଏବଂ ତାଙ୍କୁ ମୁକ୍ତ କରିଦେଲା; କିନ୍ତୁ ସେ ସେ ଘଟଣାର ତିନି ଦିନ ପରେ ନିଜେ କାଠଯୋଡ଼ିକି ଡେଇଁପଡ଼ି ଆତ୍ମହତ୍ୟା କଲେ । ସେ କହିଲେ ଯେ ପର ଅନୁଗ୍ରହଣରେ ପ୍ରାଣ ପାଇ ତାଙ୍କ ପରି ଲୋକର ବଞ୍ଚିବା ଠିକ୍‌ ନୁହେଁ ।’’

 

ପଢ଼ିସାରି ବନମାଳୀ କହିଲା, ‘‘ପାଣୁ ନାଏକ ଜନାର୍ଦ୍ଦନ ମହାପାତ୍ରଙ୍କ ଜୀବନଦାତା, ଜଣେ ବୀରପୁରୁଷ ଜଣେ ସ୍ୱଗର ଦେବତା ।’’

 

‘‘ସେଟା ବୀର ନୁହେଁ କି ଦେବତା ନୁହେଁ; ସେ ଡକେଇତ ଆଉ ନରହନ୍ତା ।’’

 

‘‘ତୁମେ କଣ ଚାଳିଶ ବର୍ଷ ତଳ କଥା କହୁଚ ? ପାଣୁ ନାଏକ ଜୀବନରେ ତାପାଇଁ ଯଥେଷ୍ଟ ପ୍ରାୟଶ୍ଚିତ କରିଛନ୍ତି ।’’

 

‘‘ନା, ମୁଁ ଅତି ଅଳ୍ପଦିନ ତଳ କଥା କହୁଚି । ସେ କଥା କେହି ଜାଣନ୍ତି ନାହିଁ । ଆପଣଙ୍କ ରାଣୀ ଯେ ବିସ୍ତର ଯୌତୁକ ପାଇଚନ୍ତି, ଟଙ୍କାଟା ଆସିଚି ସେଇଆଡ଼ୁ । ସେଇ ଟଙ୍କା ବଳରେ ପାଣୁ ନାଏକ ରଜାଘରେ ଆସି ଗାଦିମାଡ଼ି ବସିଛି । ରଜା ଘର ନା, ଆଉ କଣ ? ଜମିଦାର ହଜୁର, ଆପଣ ମୋତେ ଯାହା ଖୁସି ପୁରସ୍କାର ଦେବେ । ଶୁଣନ୍ତୁ, ପ୍ରାୟ ବର୍ଷକ ତଳେ ଏ ସହରରେ ଯୋଉ ମେଳି ହେଇଥିଲା, ସେଇ ସମୟରେ ଗୋଟାଏ ଭଙ୍ଗା ଘର କୂଅ ଭିତରେ ଜଣେ ଲୋକ ଘର କରି ରହୁଥିଲେ ।’’

 

ଶୁଣି, ବନମାଳୀ ତା ଚଉକି ଦୀନା ସାହୁ ଆଡ଼କୁ ଆହୁରି ଭିଡ଼ିନେଲା ଏବଂ ଉଦ୍‌ଗ୍ରୀବ ହୋଇ କାନପାତି ଶୁଣିବାକୁ ଲାଗିଲା, ‘‘ସେ ଲୋକ ସେଇ କୂଅ ମୁହଁରେ ତାଲା ପକେଇ କୂଅ ଭିତରେ ରହୁଥିଲା । ସେତେବେଳେ ଅନ୍ଧାରରେ ଆଉ ଜଣେ ଲୋକ ପିଠିରେ ଗୋଟାଏ ମୁର୍ଦ୍ଦାର ଲଦି ସେ କୂଅ ଭିତରେ ଅକସ୍ମାତ୍‌ ଆସି ପହଞ୍ଚିଲା । ଡକେଇତ କଥା ଏଇଥିରୁ ସହଜରେ ଅନୁମାନ ହବ । ଲାଭ ନ ଥଲେ କଣ କିଏ କାହାକୁ ମାରେ ? ସେ ଡକେଇତ ମୁର୍ଦ୍ଦାରଟାକୁ ସେଇଠେଇ ପକେଇଦେଇ ପଳେଇବାକୁ ବସିଥିଲା । ତାପରେ କିଏ କାଳେ ଦେଖିବ ଭାବି, ଆଉ କୋଉଆଡ଼େ ନେଇ ପଳେଇବାକୁ ବସିଲା ।’’

 

ବନମାଳୀ ଆହୁରି ଏକଧ୍ୟାନରେ ବସିରହିଲା । ଦୀନ ସାହୁ ପୁଣି କହିଲା, ‘‘କୂଅ ଭିତରେ ଘର କରି ରହିବା ଲୋକ ତ ଥିଲା, ଡକେଇତଟା ଆସି କହିଲା, ‘‘ମୋ ପିଠିରେ କଣ ଅଛି, ଦେଖୁଚୁ-? ମୁଁ ୟା ଭିତରୁ ବାହାରିବା ଦରକାର । ତୋ ଚାବି ଅଛି ତ ଫିଟେଇ ଦେ । ଡକେଇତର ବଳ ଖୁବ୍‌ ବେଶି । କୂଅ ଭିତରେ ରହୁଥିବା ଲୋକ ତାକୁ ପାରନ୍ତା ନାହିଁ; ହେଲେ ସମୟ ଗଡ଼େଇବାକୁ ଅନେକ ଯୁକ୍ତିତର୍କ କଲା । ସେ ମୁର୍ଦ୍ଦାରଟାକୁ ତନ୍ନତନ୍ନ ପରୀକ୍ଷା କରି ଦେଖିଲା; ତା ଦେହରେ ଖାଲି ରକ୍ତ ଚିହ୍ନ ଛଡ଼ା ଆଉ କିଛି ଦେଖିପାରିଲା ନାହିଁ । ସେତେବେଳେ ମୁର୍ଦ୍ଦାର କୁରୁତାରୁ ଛିଣ୍ଡେଇ ଲୁଚେଇ ସେ ଖଣ୍ଡେ କନା ନେଇଯାଇଥିଲା । ତାପରେ ସେ ଚାବି ଖୋଲିଦେଲା । ଡକେଇତ ମୁର୍ଦ୍ଦରଟାକୁ ନେଇ ବାହାରିଗଲା; ଆଉ ଆର ଜଣକ ଚାବି ପକେଇ ଦେଇ ଭୟରେ ସେଠଉ ପଳେଇଲା ।

 

ଯୋଉ ଡକେଇତ ମୁର୍ଦ୍ଦାର ନେଇ ଯାଉଥିଲା ସେ ପାଣୁ ନାଏକ । ଯା ହାତରେ ଚାବି ଥିଲା ସେ ବର୍ତ୍ତମାନ ହଜୁରଙ୍କ ସହିତ କଥାବାର୍ତ୍ତା ହଉଛି । ଆଉ କନାଖଣ୍ଡକ-’’

 

ଦୀନା ସାହୁ ନିଜ କୁରୁତା ପକେଟରୁ ଖଣ୍ଡେ ରକ୍ତବୋଳା ପୁରୁଣା କନା ବାହାର କରିଆଣିଲା । ବନମାଳୀ ଦେଖି ଭୟରେ କଳା ପଡ଼ିଗଲା; ନିଃଶ୍ୱାସ ନେଇପାରିଲା ନାହିଁ । କିଛିକ୍ଷଣ ପରେ ସେ ଉଠିଯାଇ ପେଡ଼ି ଭିତରୁ ଗୋଟାଏ ରକ୍ତାକ୍ତ ପୁରୁଣା କୁରୁତା ବାହାର କରିବସିଲା । ତା ମଧ୍ୟରେ ଦୀନା ସାହୁ ପୁନରାୟ କହିଲା, ‘‘ମୋର ଖୁବ୍‌ବିଶ୍ୱାସ, ଖୁଣ ହୋଇଥିବା ଲୋକ ବିଦେଶୀ ମହାଜନ କି ଜମିଦାର; ଆଉ ସେ ଅନେକ ଟଙ୍କା ଧରି ଯାଉଥିଲା ।’’

 

ବନମାଳୀ କୁରୁତାଟି ବାହାର କରିଆଣି କହିଲା, ଏଇ ସେ କୁରୁତା, ଆଉ ସେ ମହାଜନ ମୁଁ । ବନମାଳୀ କୁରୁତାଟା ତଳେ ବିଛାଇ ପକାଇ ଦେଇ, ଦୀନା ସାହୁର କନା ଖଣ୍ଡକ ତା ଛିଣ୍ଡା ସ୍ଥାନରେ ନେଇ ଖଞ୍ଜିରଖିଲା । କନାଖଣ୍ଡ ସେ କୁରୁତା ଭିତରେ ଠିକ୍‌ ଖାପ ଖାଇଗଲା । ଦୀନା ସାହୁ ଭୟରେ ଚମକିପଡ଼ି ମନେ ମନେ ଭାବିଲା, ‘‘ମୋର ଆଉ ରକ୍ଷା ନାହିଁ । ବନମାଳୀ ନୈରାଶ୍ୟ, ଭୟ ଏବଂ ଆନନ୍ଦ ପ୍ରାଣରେ ଯୁଗପତ୍‌ ଅନୂଭବ କରି ଉଠି ଠିଆ ହେଲା ଏବଂ ଦୀନା ମୁହଁକୁ ପୁଣି ହଜାର ଟଙ୍କାର ନୋଟ ଫିଙ୍ଗି କହିଲା, ‘‘ତୁ’’ ଗୋଟାଏ ମହାପାପୀ । ତୁ ଲୋକ ନାଁରେ ମିଛ କହି ବୁଡ଼େଇଦେବାକୁ ଆସିଥିଲୁ; ମାତ୍ର ଟେକି ତାକୁ ସ୍ୱର୍ଗରେ ବସାଇଦେଇ ଗଲୁ । ତୁ ଡକେଇତ ତୁ ନରହନ୍ତା । ମୁଁ ଏହିକ୍ଷଣି ତୋତେ ପୋଲିସ୍‌ରେ ଦେଇପାରନ୍ତି । ଏକହଜାର ଟଙ୍କା ନେ । ତୁ ଯା’’ । ମୁଁ ତୋତେ ଛାଡ଼ିଦେଲି । ବାଙ୍କି ଯୁଦ୍ଧଭୂମି କଥା ତୋତେ ବଞ୍ଚେଇଦେଲା ।

 

ଦୀନା ସାହୁ ଟଙ୍କାତକ ପକେଟରେ ପୂରାଇ ବିସ୍ମିତ ହୋଇ କହିଲା, ‘‘ବାଙ୍କି ଯୁଦ୍ଧୂଭମି ! ସେ ପୁଣି କଣ, ମତେ କିଛି ଜଣା ନାହିଁ ।’’

 

‘‘ନରହନ୍ତା, ତୁ ସେଠେଇ ସେନାପତିଙ୍କି ବଞ୍ଚେଇଥିଲୁ ।’’

‘‘ସେନାପତି ! ସେ ପୁଣି କିଏ ?’’

 

‘‘ହଁ, ସେନାପତି ଗୋବିନ୍ଦ ସିଂହ । ଆଉ କଥା କହନା । ତାଙ୍କରି ଆଦେଶରେ ମୁଁ ତୋତେ ଟଙ୍କା ଦେଇଛି । ଦେଢ଼ହଜାର ଦେଇଚି ଆଉ ଅଠରହଜାର ପାଞ୍ଚଶହ ନେଇ, ମୋଟରେ କୋଡ଼ିଏ ହଜାର ଧରି ତୁ ଚାଲିଯା । ଏ ମୋର ପିତାଙ୍କ ଆଦେଶ । ନୋହିଲେ କି ତୋ ଭଳି ଚଣ୍ଡାଳକୁ ଟଙ୍କା ଦେଇ କରିଚି ? ତୁ ଲଙ୍କାକୁ ଯିବୁ ବୋଲି କହୁଚୁ; ଯା ରାକ୍ଷସ । ତୋର ପାଇଁ ଠିକ୍‌ ଥାନ ସେଇ ଲଙ୍କା । ସେଠେଇ ସୂର୍ପଣଖା ସଙ୍ଗେ ଘର କରି ରହିବୁ ।’’

 

ଦୀନା ସାହୁ ଉଠି ଠିଆ ହୋଇ କହିଲା, ‘‘ମୁଁ ଉଠୁଚି ତେବେ; ନମସ୍କାର ଜମିଦାର ବାହାଦୁର ।’’ ସେ ସଙ୍ଗେ ସଙ୍ଗେ ନମସ୍କାର କଲା ଏବଂ ଧୀରେ ଧୀରେ ଗୋଟିଏ ଧଣ୍ଡସାପ ପରି ଘରୁ ବାହାରି ଖସି ଚାଲିଗଲା ।

Image

 

୬୭

ଭବଲୀଳାର ଶେଷ

 

ଦିନା ସାହୁ ଗୋଟାଏ ପ୍ରକାଣ୍ଡ ସୁନା ଗଦା ଓଜନ ତଳେ ଚିପିହେଲା ପରି ବିସ୍ମୟ ଏବଂ ଆନନ୍ଦର ବନମାଳୀ ନିକଟରୁ ଚାଲିଗଲା । ଏଣେ ବନମାଳୀ ରମାକୁ ଡାକି କହିଲା, ‘‘ଶୀଘ୍ର ଆସ, ଏଇ ମୁହୂର୍ତ୍ତ ପରେ ଆମକୁ ଯିବା ପାଇଁ ହବ ।’’ ଦୁଆରେ ଭଡ଼ାଗାଡ଼ି ଆସି ଠିଆ ହେଲା । ବନମାଳୀ କହିଲା, ‘‘ରମା, ଆଉ ବିଳମ୍ବ କରନା । ଓଃ, ଭଗବାନ୍‌ ସେଇ ମୋ ଜୀବନ ରକ୍ଷା କରିଛନ୍ତି । ଆଉ ମୁହୂର୍ତ୍ତେ ଡେରି କର ନାହିଁ ।’’

 

ରମା ବନମାଳୀକୁ ପାଗଳ ମନେକଲା; ତଥାପି କଥା ମାନି ବଗିରେ ବସିଲା । ବଗି ଚାଲିବା ପୂର୍ବରୁ ସେ ବନମାଳୀର ହୃତ୍‌କମ୍ପ ହେଉଥିବାର ଶବ୍ଦ ଶୁଣିପାରିଲା । ବନମାଳୀ ରମାକୁ କହିଲା, ‘‘ମୁଁ ପାପିଷ୍ଠ ଗୋଟାଏ ରାକ୍ଷସ । କି ଘୋର ଅନ୍ୟାୟ କରିଚି ।’’ ବନମାଳୀ ଦେବତା ପ୍ରତିମା ଦେହରେ ପଦାଘାତ କରିଥିଲା ପରି ଅନୁତାପ, ଦୁଃଖ ଏବଂ ଭୟରେ ବିହ୍ୱଳ ତେଲେଙ୍ଗା ବଜାର ନାମ ଶୁଣି ରମା ମୁହଁରେ ଆନନ୍ଦ ଫୁଟିଉଠିଲା । ସେ କହିଲା, ‘‘ଆମେ ପାଣୁ ପାଖକୁ ଯାଉଚେନା ଏତେ ଦିନ ପରେ । ମୋତେ ବଡ଼ ଖୁସି ଲାଗୁଚି ।’’

 

‘‘ନା, ରମା, ପାଣୁ ନୁହେଁ, ତୁମ ବାପା; ମୋ ବାପାଙ୍କଠାରୁ ବଳି ବାପା । ରମା, ତୁମେ ହରିଆଠୋଉ ଚିଠି ପାଇ ନ ଥିଲ ବୋଲି ମୋତେ କହିଲ । ସେ ଚିଠି ତାଙ୍କରି ହାତେ ଯାଇ ପଡ଼ିଥିଲା । ଚିଠି ପାଇ ସେ ମୋ ପ୍ରାଣରକ୍ଷା କରିବା ନିମନ୍ତେ ଯୁଦ୍ଧସ୍ଥଳକୁ ଧାଇଁଗଲେ; ଆଉ ଯମପୁରୀରୁ ମୋତେ ତୁମ ପାଖକୁ ଟାଣିଆଣିଲେ । କେବଳ ମୋରି ପ୍ରାଣ ରକ୍ଷା କରିବାପାଇଁ କେତେ କଷ୍ଟ ନ ପାଇଲେ ସେ ? ବାଟରେ ଯେ ଦୁଇ ଦିନ କାହିଁକି ବିଳମ୍ବ ହେଲା, ମୁଁ ବୁଝିସାରିଲିଣି-। ଚାଲ, ଆମେ ତାଙ୍କୁ ନେଇଆସିବା । ଖାଲି ସେ ଘରେ ଥିଲେ, ହେଲା । ମୁଁ ତାଙ୍କରି ପାଦତଳେ ବସି ମୋ ଜୀବନଟା କଟେଇବି । ସେ ଠିକ୍‌ କଥା ରମା; ହରିଆ ତାଙ୍କୁ ଚିଠି ଖଣ୍ଡ ଦେଇଗଲା ଆଉ ମୋତେ ମିଛ କହିଲା । ଏତିକିରେ ସବୁ ବୁଝା ପଡ଼ିଯାଉଚି ।’’

 

ଗାଡ଼ି ତେଲଙ୍ଗାବଜାରରେ ପହଞ୍ଚିବା ସଙ୍ଗେ ସଙ୍ଗେ ପାଣୁ ନାଏକ ଦ୍ୱାରରେ ଠକ୍‌ ଠକ୍‌ ଶବ୍ଦ ଶୁଣି, ମୁହଁ ବୁଲାଇ ଚାହିଁ କ୍ଷୀଣ କଣ୍ଠରେ କହିଲା, ‘‘ଆସ ।’’

 

ଦ୍ୱାର ଫିଟିଲା ଏବଂ ରମା ସହିତ ବନମାଳୀ ଘରେ ପାଦ ପକାଇଲା । ବନମାଳୀ ଦୁଆର ପାଖେ ଠିଆ ହେଲା; ରମା ଭିତରକୁ ଧାଇଁଗଲା । ଦେଖି, ପାଣୁ ନାଏକ ଶେଯରୁ ଉଠି ବସିପଡ଼ିଲା । କହିଲା, ‘‘ରମା ।’’ ରମାର କଣ୍ଠ ରୁଦ୍ଧ ହୋଇଗଲା । ସେ ପାଣୁ ନାଏକ ପଟିରେ ପଡ଼ିଯାଇ ଡାକିଲା, ‘‘ବାପା ।’’ ପାଣୁ ନାଏକ ବିହ୍ୱଳ ହୋଇ କହିଲା, ‘‘ରମା, ଓଃ ସାଆନ୍ତାଣି, ତୁମେ ଆସିଚ । ଓଃ ପ୍ରଭୁ, କି ଦୟା ।’’

 

ବନମାଳୀ ଆଖିରୁ ଅଶ୍ରୁଧାରା ବହି ଯାଉଥିଲା । ସେ ତାହା ପୋଛିପକାଇ, ଅଗ୍ରସର ହୋଇ କହିଲା, ‘‘ବାପା’’ ।

 

‘‘ଓଃ ଆପଣ ମଧ୍ୟ ଆସିଛନ୍ତି ? ମୋତେ ରକ୍ଷା କରିବେ, ବନମାଳୀବାବୁ ।’’ ବନମାଳୀ କଣ କହିବ, ଖୋଜି କଥା ପାଇଲା ନାହିଁ । ରମା ନିଜ ଦେହରୁ ଶାଲ ଖଣ୍ଡିକ କାଢ଼ି ପାଣୁ ନାଏକ ଦେହରେ ଘୋଡ଼ାଇ ଦେଲା ଏବଂ ତା କପାଳରେ ଗୋଟିଏ ଚୁମ୍ବନ ଦେଲା ।

 

‘‘ମଣିଷ କେତେ ଓଲା ନୁହେଁ ? ମୁଁ ବିଚାରିଲି ଆଉ ଦେଖାହେବ ନାହିଁ । ବନମାଳୀବାବୁ; ଆପଣମାନେ ଠିକ୍‌ ଆସିବାବେଳେ ମୁଁ ଭାବୁଥିଲି ଯେ ମୁଁ ଚାଲିଯିବି, ଆଉ ରମା ସାଆନ୍ତାଣୀଙ୍କ ସହିତ ମୋର ଦେଖା ହେବ ନାହିଁ । ଏଇ ତାଙ୍କ ପିଲାଦିନର ଶାଢ଼ିଖଣ୍ଡିକ । ୟାକୁ ଦେଖି ମୁଁ କହୁଥିଲି ଯେ ଆଉ ସେ ମୋ ପାଖକୁ ଆସିବେ ନାହିଁ । କି ମୂର୍ଖ ମୁଁ ? ମୁଁ କହୁ କହୁ ଆପଣ ତାଙ୍କୁ ଧରି ଅଇଲେ । ଏ ଖାଲି ଭଗବାନ୍‌ଙ୍କ ବରାଦ । ବନମାଳୀବାବୁ, ମୁଁ ୟାଙ୍କୁ ଥରେ ରମା ବୋଲି ଡାକିବି-?’’

 

ରମା ଅଧୀର ହୋଇ କହିଲା, ତୁମେ କି ନିଷ୍ଠୁର ବାପା ? ଆମକୁ ଯେ ଛାଡ଼ିଆସିଲ, ଆଉଥରେ ଯାଇ ଦେଖା ଦେଲ ନାହିଁ ? ମୁଁ ଚାକରକୁ କେତେଥର ପଠେଇଲି ? ସେ ଯାଇ କହିଲା, ‘‘ଫେରି ନାହାନ୍ତି’’ । ବାପା ଏଠେଇ ରୋଗରେ ପଡ଼ିଛନ୍ତି, ଆଉ ଆମେ ସେ କଥା ଟିକିଏ ଜାଣିପାରିଲେ ନାହିଁ ।’’

 

‘‘ଯାହାହେଉ, ଆସି ପହଞ୍ଚିଗଲେ ଠିକ୍‌ ବେଳରେ । ମୋତେ ତେବେ, ବନମାଳୀବାବୁ କ୍ଷମା ଦେଇଛନ୍ତି ।’’ ଶୁଣି, ବନମାଳୀର ମନର ଭାବ ହୃଦୟ ଭେଦ କରି ହଠାତ୍‌ ବାହାରିପଡ଼ିଲା । ସେ କହିଲା, ‘‘ରମା, ତୁମେ ଜାଣ ସେ ମୋ ପାଇଁ କଣ କରିଚନ୍ତି ? ମୋତେ ବଞ୍ଚେଇଚନ୍ତି, ତମକୁ ଆଣି ମୋ ହାତରେ ଦେଇଚନ୍ତି, ତାପରେ ସର୍ବସ୍ୱ ଛାଡ଼ିବସିଚନ୍ତି । ମୁଁ ଏଡ଼େ କୃତଘ୍ନ, ଏଡ଼େ ପାପୀ । ଆଉ ତୁମ ବାପା ସ୍ୱର୍ଗର ଦେବତା, ପବିତ୍ର ୠଷି, ମୋର ପୂଜ୍ୟ ।’’

 

କ୍ଷୀଣ କଣ୍ଠରେ ପ୍ରତିବାଦ କରି ପାଣୁ ନାଏକ କହିଲା, ଏମିତି କାହିଁକି କହୁଛନ୍ତି ? ଛି, ମୁଁ ପରା ଗୋଟାଏ ହୀନ ଲୋକ ।’’

 

‘‘ଆପଣ କାହିଁକି ମୋତେ ସବୁ ଲୁଚେଇଲେ ? ମୋ ପ୍ରାଣ ବଞ୍ଚେଇ, ମୋତେ କହିଲେ ନାହିଁ, ଆଉ ଖାଲି ନିନ୍ଦା ରଟନା କଲେ ?’’

 

‘‘ମୁଁ ଯାହା ସତ କଥା କହିଚି । ପଦେ ମିଛ ନାହିଁ ।’’

 

‘‘ନା, ଯାହା ଅଧେ ସତ ସେ ସତ ନୁହେଁ । ଆପଣ ମୋତେ ପୂରା ସତ କହି ନାହାନ୍ତି । ଆପଣ ଧନଞ୍ଜୟ ରାଏ, ସେ କଥା କାହିଁକି ମୋତେ କହିଲେ ନାହିଁ ? ଆପଣ ସର୍ଦ୍ଦାର ଜନାର୍ଦ୍ଦନ ମହାପାତ୍ରଙ୍କ ପ୍ରାଣ ରକ୍ଷା କରିଛନ୍ତି, ସେ କଥା କାହିଁକି ଲୁଚେଇଲେ ? ଆପଣ ମୋତେ ବଞ୍ଚେଇଛନ୍ତି, ସେ କଥା କାହିଁକି ଗୋପନ ରଖିଲେ ?

 

‘‘ମୁଁ ଆପଣଙ୍କୁ ଛାଡ଼ି ଆସିବାକୁ ସ୍ଥିର କରିଥିଲି କି ନା ! ଆପଣ ଏସବୁ କଥା ଜାଣିଲେ, ମୋତେ କଣ ଛାଡ଼ନ୍ତେ ?

 

ଆଉ ‘‘ଆପଣ’’ କହନ୍ତୁ ନାହିଁ, କି ‘‘ବନମାଳୀବାବୁ’’ ବୋଲି ଡାକନ୍ତୁ ନାହିଁ । କହନ୍ତୁ, ‘‘ବନମାଳୀ, ‘‘ପୁଅ’’, ‘‘ରମା’’, ‘‘ଝିଅ’’, ‘‘ତୁ’’ । ବାପା, ଆଜି ଆମେ ଆପଣଙ୍କୁ ଘରକୁ ନେଇଯିବାକୁ ଆସିଚୁ, କାଲିଯାଏ ଆପଣଙ୍କୁ ଏଠେଇ ଆଉ ରହିବାକୁ ହବ ନାହିଁ ।

 

‘‘ଠିକ୍‌ କହିଚ, ବନମାଳୀବାବୁ, ନା ବନମାଳୀ । ମୁଁ କାଲିକି ଆଉ ଏଠେଇ ନ ଥିବି; ତେବେ, ତୁମ ଘରେ ବି ନ ଥିବି ।’’ ଶୁଣି, ବନମାଳୀ କହିଲା, ‘‘ଆମେ ଆପଣଙ୍କୁ ଆଉ ଏ ବୟସରେ ସଂସାରଯାକ ବୁଲିବାକୁ ଛାଡ଼ିଦେବୁ ନାହିଁ । ଗାଡ଼ି ଦୁଆରେ ଠିଆ ହେଇଚି, ଆପଣଙ୍କୁ ବର୍ତମାନ ଯିବାକୁ ହବ । ରମା କହିଲା ବାପା, ଉଠ, ଚାଲ; ଗାଡ଼ିରେ ବସିବା ।’’ ଶୁଣି ପାଣୁ ନାଏକ ଉତ୍ତର ଦେଲା, ‘‘ମୋର ଆଉ ଗୋଟାଏ ଗାଡ଼ି ଆସିଚି ପରା । ତୁମେ, ବନମାଳୀ, ରମା, କେହି ଦେଖିପାରୁ ନାହଁ, ମୁଁ ପାରୁଛି । ସେ ଗାଡ଼ିର ତଲବ ଏଡ଼ି ହବ ?’’

 

ରମାର ଦୁଇ ଆଖିରେ ଦୁଇ ଟୋପା ନୁହେଁ ଦୁଇଟି ମୁକ୍ତା ବିନ୍ଦୁ ପରି ଢଳିବାକୁ ଲାଗିଲା । ପାଣୁ ନାଏକ କ୍ଷୀଣସ୍ୱରରେ କହିଲା, ‘‘ଭଗବାନ୍‌ ଯେ ଅଛନ୍ତି, ତାର ଗୋଟାଏ ପ୍ରମାଣ ମୁଁ ପାଇଲି । ନୋହିଲେ କି ରମା ଆସି ଆଜି ଏଠେଇ ପାଦ ପକେଇଥାନ୍ତା ? ମୁଁ ବଞ୍ଚିପାରିଲେ ବଡ଼ ଭଲ ହୁଅନ୍ତା; ରମା ସହିତ ପୁଣି ବୁଲିବାକୁ ଯାଆନ୍ତି ।’’ କହି, ପାଣୁ ନାଏକ କେତେକ ସମୟ ନୀରବ ରହିଲା ଓ ପୁଣି କହିଲା, ‘‘ଆଉ ସେ ଆଶା ନାହିଁ ।’’ ରମା ପାଣୁ ନାଏକର ଦୁଇ ହାତ ଧରିପକାଇ ଚମକି ପଡ଼ିଲା । କହିଲା, ‘‘ବାପା, ଓଃ, କି କାକର ! ବାପା ତୁମ ଦେହ କଣ ହେଉଚି, କହ ।’’

 

‘‘କିଛି ନାହିଁ । ମୁଁ ବେଶ୍‌ ଭଲ ଅଛି । ଖାଲି-’’ ।

‘‘ଖାଲି କଣ ?’’

 

‘‘ମୁଁ ମରିବାକୁ ଯାଉଚି ପରା ।’’ ବନମାଳୀ ଏବଂ ରମା ଭୟରେ ଥରିବାକୁ ଲାଗିଲେ । ତ୍ରସ୍ତ ବନମାଳୀ ପଚାରିଲା, ‘‘ମରିବାକୁ ?’’

 

‘‘ହଁ ସେଥିରେ କଣ ଅଛି ? ରମା ! ତୁ ମୋତେ କଥା କହୁଥିଲୁ । କହନା, ମୁଁ ଟିକିଏ ଶୁଣେ । ମୁଁ ଜୀବନରେ ଅତି କମ୍‌ଗୀତ ଶୁଣିଚି । ଗୀତ ଗାଇବୁ ? ନା, କଥା କହ । କଥା ଇ ସ୍ୱାଭାବିକ ଗୀତ । ସେଥିରେ କିଛି କୃତ୍ରିମ ନାହିଁ । ତୋ କଥାଠୋଉ କଣ ଗୀତ ବଡ଼ ?’’

 

ବନମାଳୀ ଏବଂ ରମା ଭୟରେ ବିବ୍ରତ ହୋଇ ଏକସ୍ୱରରେ କହିଲେ, ‘‘ବାପା, ବାପା, ଆପଣ ବଞ୍ଚିବେ ।’’

 

‘‘ମୁଁ କଣ ମରିବାକୁ ଇଚ୍ଛା କରୁଚି ? କେଜାଣି ବଞ୍ଚିପାରେ । ତୁମେ ଆସି ପହଞ୍ଚିଲା ବେଳେ ମୁଁ ସେ ପୁର ବାଟରେ ଗୋଡ଼ ଦେଇଥିଲି, ଏବେ ତ ଫେରିଆସିଚି । ଦେହ ବି ଟିକିଏ ଭଲ ଲାଗୁଚି ।’’

 

‘‘ନା, ଆପଣଙ୍କ ଦେହରେ ବେଶ୍‌ ବଳ ଅଛି । ଆପଣ ଅନେକ ଦିନ ବଞ୍ଚିବେ; ଦୁଃଖ କଷ୍ଟ ଯାହା ଭୋଗିବାର ଭୋଗି ସାରିଲଣି । ମୁଁ ଆପଣଙ୍କ ପାଦରେ ମୁଣ୍ଡିଆ ମାରୁଚି, କ୍ଷମା ମାଗୁଚି-। ଆପଣ ଆମ ଘରକୁ ଚାଲନ୍ତୁ ।’’ ପାଣୁ ନାଏକ ଟିକିଏ ହସି କହିଲା, ‘‘ବନମାଳୀବାବୁ’’, ମୁଁ ଆପଣଙ୍କ ଘରେ ରହିଲେ, କଣ ଆପଣମାନଙ୍କ ଭଳି ହୋଇପାରିବି ? ମୋର ମରିବାଟା ଭଲ । ଆଉ ବର୍ତ୍ତମାନ କିଛି ସମ୍ଭବ ନୁହେ । ମୋ ଦିନ ସରିଆସିଲାଣି । ରମା, ତୋର ଆଉ ଦୁଃଖ କଣ ଅଛି ? ମୋ ସାଥିରେ ରହି କେତେ କ୍ଲେଶ ପାଇଚୁ ? ଏଣିକି ସୁଖରେ ରହିବୁ ।’’

 

ହଠାତ୍‌ ଦ୍ୱାର ଫିଟିଲା ଏବଂ ଜଣେ ବ୍ରାହ୍ମଣ ଘରେ ପାଦ ପକାଇଲେ । ବନମାଳୀ ଏବଂ ରମା ବିସ୍ମିତ ହୋଇ ତାଙ୍କ ଆଡ଼କୁ ଚାହିଁଲେ । ପାଣୁ ନାଏକ କହିଲା, ‘‘ଗୋସେଇଁ ମହାପ୍ରଭୁ ! ଏ ମୋର ଝିଅ ରମା, ଆଉ ଏ ଜୋଇଁ ବନମାଳୀବାବୁ । ଆପଣ ଆସି ପହଞ୍ଚିଲେ ଖୁବ୍‌ ବିଳମ୍ବରେ ଅଇଲେ । ମୁଁ ତ ଚାଲିଯାଉଥିଲି । କେବଳ ଏଇମାନେ ଆସି ଅଟକେଇ ରଖିଛନ୍ତି । ଆପଣ ଗଙ୍ଗାଜଳ ଆଣିଚନ୍ତି ନା ? ତୁଳସୀ ବି ଆଣିଛନ୍ତି ? ନା, ମୋର ଆଉ କିଛି ଦରକାର ନାହିଁ । ମୁଁ ଯାହା ଭଗବାନ୍‌ କୃପା ନ କଲେ ଗଙ୍ଗାଜଳ ପିଇ ସ୍ୱର୍ଗକୁ ଯାଇପାରିବି ନାହିଁ । ନର୍କରେ ମୋ ଥାନ । ଆହା; ଏ ପବିତ୍ର ଗଙ୍ଗାଜଳ ଆଉ ତୁଳସୀ ନେଇ ନର୍କରେ କାହିଁକି ପକେଇବି ? ଏ ଦେଖନ୍ତୁ, ଗୋସେଇଁ ମହାପ୍ରଭୁ, ମୋ ମୁଣ୍ଡ ଉପରେ ଶହେଟି ଟଙ୍କା ରହିଛି; ଆପଣ ନେଇଯାଆନ୍ତୁ । ଗଙ୍ଗାଜଳ ତୁଳସୀ ଫେରେଇ ନିଅନ୍ତୁ । ଆଉ ମା, ମୋ ଛାତିକିୁ ଆଉଜି ଟିକିଏ ବସ୍‌ । ତୁଇ ତୁଳସୀ, ତୁଇ ଗଙ୍ଗାଜଳ ।’’

 

ରମା ପାଣୁ ନାଏକ ଛାତିରେ ଆଉଜି ମୁହଁକୁ ମୁହଁ ଲଗାଇ ବସିଲା । ପାଣୁ ନାଏକ ତା କପାଳରେ ନିଜର ଶୀତଳ ଅଧରରେ ଗୋଟିଏ କ୍ଷୀଣ ଚୁମ୍ବନ ଦେଇ କହିଲା, ‘‘ବନମାଳୀବାବୁ, ମୋର ଗୋଟାଏ ଦୁଃଖ ରହିଯାଉଚି । ତୁମେ କୁଆଡ଼େ ସେ ଟଙ୍କା ନେଉ ନାହଁ । ତା ପ୍ରକୃତରେ ତୁମ ଭାର୍ଯ୍ୟାର ଟଙ୍କା । ଗେରୁ ବ୍ୟବସାୟର କି ଲାଭ, ତୁମେ ବିଚାରିଲେ ବୁଝିପାରିବ । ଏଠେଇ କୋଉଠି ମୁଁ ଲେଖି ରଖିଚି; ଖୋଜିଲେ ପାଇବ । ସେ ଟଙ୍କାଟା ସେଇ ବ୍ୟବସାୟର ଲାଭ । ତାକୁ ନବାରେ ଆପତ୍ତି କରିବ ନାହିଁ ।’’

 

ବନମାଳୀ ଏବଂ ରମା ପାଣୁ ନାଏକକୁ ଜଗି ନିରାଶ ଭାବରେ ଦୁଃଖ ଯନ୍ତ୍ରଣା ଓ ଭୟରେ ବସିରହିଲେ । ପ୍ରତି ମୁହୂର୍ତ୍ତରେ ପାଣୁ ନାଏକ ମୃତ୍ୟୁର ଦ୍ୱାରଆଡ଼କୁ ପାଦେ ପାଦେ ଅଗ୍ରସର ହେବାକୁ ଲାଗିଲା । ତା ନିଶ୍ୱାସ ନିୟମିତରୂପେ ଚାଲିଲା ନାହିଁ, ବେଳେ ବେଳେ ନିକଟକୁ ଆସିବାକୁ ଲାଗିଲା । ପାଣୁ ନାଏକ, ରମା ଏବଂ ବନମାଳୀ ଦୁହିଁଙ୍କୁ ଆହୁରି ନିକଟକୁ ଆସିବାକୁ ଡାକିଲା । ସେ ସ୍ୱର ଯେପରିକି ବହୁଦୂରରୁ ଆସୁଛି, ବନମାଳୀ ଓ ରମାକୁ ଅବିକଳ ସେହିପରି ଶୁଣାଗଲା । ସେହି ସ୍ୱରରେ ପାଣୁ ନାଏକ କହିଲା, ‘‘ଆସ ମୋ ବାପା ମା ! ମୁଁ ମରିଗଲା ପରେ ମୋ ପାଇଁ କାନ୍ଦିବ ନା ? ମାତ୍ର ବେଶି କାନ୍ଦିବ ନାହିଁଟି; ତେବେ ମୁଁ ଯୋଉଠି ଥିବି, ମୋତେ ଦୁଃଖ ଲାଗିବ । ଏବେ ଯେମିତି କଷିକାଷି ଚଳୁଚ, ସେପରି ଚଳିବ ନାହିଁ । ଗାଡ଼ି ଖଣ୍ଡିଏ କିଣିମ, ଚାକରବାକର ରଖିବ । ଆଉ ଏଠେଇ ଗୋଟିଏ ରୂପା ରୁଖା ଅଛି । ସେଇଟି ନେଇ ଘରେ ରଖିଥିବ । ତାହା ଜଣେ ମହାପୁରୁଷଙ୍କ ଦାନ । କାହିଁକି ଶୁଣିମ ଆଉ ସେ କଥା ? ସବୁ ପୋଡ଼ିପାଡ଼ି ଯାଉ ।’’

 

ପାଣୁ ନାଏକ କଣ୍ଠ ରୁଦ୍ଧ ହୋଇଗଲା । ସେ କେତେକ ସମୟ ନିରବ ନିଶ୍ଚଳ ଭାବରେ ପଡ଼ିରହି ପୁଣି କହିଲା, ‘‘ବନମାଳୀବାବୁ, ମୋର ତୁମକୁ ଆଉ ଗୋଟିଏ କଥା କହିବାର ଅଛି । ବେଳ ଥିଲା, ଯେତେବେଳେ ମୁଁ ତୁମକୁ ସ୍ନେହ କରୁ ନ ଥିଲି; ବରଂ ତୁମ ଉପରେ ବିରକ୍ତ ହେଉଥିଲି-। ବର୍ତ୍ତମାନ ରମା ଆଉ ତୁମେ ଏକ । ରମାକୁ ତୁମେ ସୁଖ ଦେଇଚ । ସେଥିପାଇଁ ମୁଁ ତୁମ ନିକଟରେ ଋଣୀ । ମୋ ମୁଣ୍ଡ ତଳେ ପାଞ୍ଚଶ ଟଙ୍କା ଅଛି । ସେ ଟଙ୍କା ରମାର । ଆଉ ଏଇଟି ରମାର ପିଲାଦିନ ଶାଢ଼ୀଖଣ୍ଡିକ । ରମା, ତୁ ଦେଖିପାରୁଚୁ ? ମୋତେ ଚିହ୍ନିପାରୁଚୁ ? ଦଶ ବର୍ଷ ତଳ କଥା । ସମୟ କେତେ ବେଗେ କଟିଯାଉଚି । ଆମେ କେଡ଼େ ସୁଖରେ କେତେ କାଳ କଟେଇଲେ-। ସୁଖ ସରିଗଲା । ରମା, ତୋର ସେ ଜଜାରସିଂହ କଥା ମନେ ଅଛି ? ଓଃ ବଣ ଭିତରେ ତୁ କି ଭୟରେ ଠିଆ ହୋଇଥିଲୁ ? ମୁଁ ତୋ ପାଣିମାଠିଆଟି ଆସି ଧରିଲି । ସେହିଦିନ ପ୍ରଥମେ ମୁଁ ତୋ ଛୋଟିଆ ପିଲା ହାତଟି ମୋର ଏଇ ହାତରେ ଧରିଥିଲି । କେଡ଼େ କାକର ଲାଗୁଥିଲା । ଆଉ ସେ ବଡ଼ କଣ୍ଢେଇଟା କଥା ମନେ ଅଛି ? ତୋ ରାଣୀ ? ତୁ ଏବେ ନିଜେ ରାଣୀ ହେଇଚୁ । ତୁ ପ୍ରଜାପତି ଧରି ବୁଲୁ, କୁଣ୍ଢେଇ ଧରି ଖେଳୁ, ବଣର ଫୁଲ ଆଣି ମୁଣ୍ଡରେ ଘେନୁ । ଓଃ; କେତେ ଦିନର କଥା ସେ-’’

 

ପାଣୁ ନାଏକ ପୁଣି କିଛି ସମୟ ତୁନି ହୋଇ ଆଖି ବୁଜି ପଡ଼ିରହିଲା । କେତେ ସମୟ ପରେ ସେ ଆଖି ଫିଟାଇ ଚାହିଁ କହିଲା, ‘‘ଆଉ ସେ ଦୀନା ସାହୁ, ତା ସାଉଆଣୀ ମଧ୍ୟ; ଓଃ କି ଖଳଲୋକ ସେମାନେ । ତାଙ୍କୁ ଆମେ କ୍ଷମା କରିବା । ରମା, ତୋ ମା ନାଁ ତତେ ମୁଁ କହିବି । ତା ନାଁ ‘‘ରାଧା’’ । ରାଧା ନାଁ ପୃଥିବୀର କୋଟି କୋଟି ଲୋକ ଯେପରି ଜପୁଚନ୍ତି, ତୁ ମଧ୍ୟ ସେଇପରି ଜପିବୁ । ତୋତେ ବଡ଼ ସ୍ନେହ କରୁଥିଲା ସେ । ତୋ ପାଇଁ କେତେ ଦୁଃଖ କଷ୍ଟ ନ ସହିଚି । ତାରି ପୁଣ୍ୟବଳରେ ତୁ ଏ ସୁଖ ପାଇଲୁ । ଅଭାଗିନୀ ରୋଗରେ ପଡ଼ି ଶେଯରେ ଶୋଇ ମରିଗଲା, କେବଳ ତୋରି ଚିନ୍ତାରେ । ଭଗବାନ୍‌ଙ୍କର ଏ ଗୋଟିଏ ବିଚିତ୍ର ଲୀଳା । ଜଣକୁ କଷ୍ଟ ଦେବେ, ଆଉ ସେ କଷ୍ଟର କ୍ଷତିପୂରଣ କରି ଆଉ ଜଣକୁ ଦେବେ । ସେ ନ୍ୟାୟବାନ୍‌, ସ୍ୱର୍ଗରେ ବସିଚନ୍ତି ।

 

ମୁଁ ଯାଉଛି, ପିଲାମାନେ । ମୋତେ ଡାକ ଶୁଭିଲାଣି । ତୁମେ ଜଣକୁ ଜଣେ ସ୍ନେହ କରୁଥିବ । ରମା, ମୁଁ ତୋତେ ଅନେକ ଦିନ ହେଲା ଦେଖି ନ ଥିଲି । କଣ କରିବି ? ଘର ପର୍ଯ୍ୟନ୍ତ ଯାଏ, ସେଠୁ ଫେରିଆସେ । ମୋର ଆଉ ଅନେକ କଥା କହିବାର ଥିଲା, କହିପାରୁ ନାହିଁ । ମୋ ପାଇଁ ଦୁଃଖ କରିବ ନାହିଁ । ମୋତେ ଟିକିଏ ଜାକିଧର ତ । ଏଇ ମୋର ଶେଷ ବିଦାୟ । ତୁମ ମୁଣ୍ଡରେ ମୁଁ ହାତ ଦିଏଁ, ଆଶୀର୍ବାଦ କରେ ? ହଁ, ସରିଲାଣି, ଯାଉଚି । ରହ ମୋର ପିଲାଏ । ହଁ, ବିଦାୟ ନେଇ ସାରିଲିଣି, ଯାଉଚି ଗଲି ।’’

 

ପାଣୁ ନାଏକ ଦୁଇହାତ ଯେ ବନମାଳୀ ଏବଂ ରମା ମୁଣ୍ଡରେ ରହିଥିଲା, ତାହା ଦୁଇଟା କାଠଗଡ଼ ପରି ସେହିଠାରେ ପଡ଼ିରହିଲା । ତା ନାକରୁ ଆଉ ନିଶ୍ୱାସ ବୋହିଲା ନାହିଁ । ରମା ଏବଂ ବନମାଳୀ ଭୋଭୋ କାନ୍ଦି ଉଠିଲେ । ସେ ରାତି ଅତି ଭୀଷଣ । ଆକାଶରେ ଗୋଟିଏ ମାତ୍ର ତାରା ନ ଥିଲା ।

 

ଆକାଶରୁ ଟୁପୁଟୁପୁ ବର୍ଷା ପଡ଼ୁଥିଲା । ସେହି ରାତି ମହା ସମାରୋହରେ ପାଣୁ ନାଏକର ଦାହକ୍ରିୟା ଶେଷ କରାଗଲା । ଯେଉଁ ଧୂଳି ମାଟିରୁ ବାହାରି, ପାଣୁ ନାଏକ ଜଗତରେ କେତେ କାଳ ଗୋଟାଏ ବିଚିତ୍ର ଲୀଳା ଲାଗାଇଦେଇଗଲା, ତା ପାର୍ଥିବ ଦେହ ପୁଣି ସେହି ଧୂଳିମାଟିରେ ବିଲୀନ ହୋଇଗଲା ।

Image